Unknown

 

 

 

 

 

 

 

 

 

 

 

କାହାଣୀ ନୁହେଁ

ମହେନ୍ଦ୍ର ବେହେରା

 

ଉତ୍ସର୍ଗ

 

ମାସିକ ଜ୍ୟୋତିର୍ବିଜ୍ଞାନ ପତ୍ରିକା

‘ବିଶଂତି’ର ସଂପାଦକ, ବନ୍ଧୁ ବରେଷୁ

ଶ୍ରୀ ଦୀନକୃଷ୍ଣ ମିଶ୍ରଙ୍କୁ.......

 

ମହେନ୍ଦ୍ର ବେହେରା

 

ଏଇ ଲେଖକଙ୍କର :–

 

ଭଗ୍ନତରୀ

ସ୍ୱର୍ଣ୍ଣତରୀ

ମଧୁମତୀ

ଶୁଭରାତ୍ରୀ

ବିଷକୁମ୍ଭ

ଦେବଦାସୀ

ସୀମନ୍ତ ସିନ୍ଦୂର

କାହାଣୀ ନୁହେଁ

ଏକପଥ ଦୁଇନାରୀ

ସୁମିତ୍ରାର ଆତ୍ମଲିପି

ଆସିଥିଲା ଅଭିମାନିନୀ

ମନ୍ଦ ନୁହେଁ ଛନ୍ଦ ତା’ର

ଏକମନ ଅନେକ ତରଙ୍ଗ

ଗୋଟିଏ ମନ କୋଟିଏ ବେଦନା

ଗଡ଼ିଗଲା ବୟସ ଇଡ଼ିଗଲା ପାଣି

ଗଭୀରଜଳର ମାଛ

 

ରାତ୍ରି !

 

ଗଭୀର ରାତ୍ରି !!

 

ଘନ–କୁହେଳି ନିସ୍ତବ୍‌ଧ ରାତ୍ରି !!!

 

ଗତାୟୁ ବୟସର ନୀରବ, ମମତାମୟୀ ରାତ୍ରି ଶେଷ ଯାମିନୀର ଅନ୍ତିମ ପ୍ରହରରେ ନିଦ୍ରାଭିଭୂତ । ଧୂଳି ମାଟିର ଧରିତ୍ରୀ ଶୋଇଛି । ଦୁନିଆର କୀଟ-ପତଙ୍ଗ ପଶୁ–ପକ୍ଷୀଠାରୁ ଆରମ୍ଭ କରି ପ୍ରତ୍ୟେକ ମଣିଷ ଗଭୀର ନିଦ୍ରାରେ, ନିରାଡ଼ମ୍ବର ଭାବରେ ଘାଲେଇ ପଡ଼ିଛନ୍ତି ।

 

ରାତ୍ରି ହେଉଛି, ମଣିଷର ଅବଶ ମୁହୂର୍ତ୍ତର ପ୍ରଧାନ ସାଥୀ !

 

ରାତ୍ରି ହେଉଛି ମଣିଷର ଏକମାତ୍ର ନିରୋଳା ମୁହୂର୍ତ୍ତ !

 

ଆଉ କେଇଟି ମୁହୂର୍ତ୍ତପରେ ମମତାମୟୀ ରାତ୍ରି ଚାଲିଯିବ । ପୂର୍ବାକାଶରେ ଫଗୁ ବିଞ୍ଚି ହୋଇ ପଡ଼ିବ; କିରଣ ଝରିବ । ରକ୍ତିମ ଉଷାର ନୂତନ ଆଲୋକ ଧୂଳିମାଟିର ଧରଣୀରେ ମୃଦୁ ଚୁମ୍ବନ ଦେବ ।

 

ତା’ପରେ....

 

କର୍ମମୂଖର ମଣିଷ ନିଜର ଦୈନିକ କାର୍ଯ୍ୟ ନେଇ ବ୍ୟସ୍ତ–ବହୁଳ ଭାବରେ ଜୀବନ ସାଥିରେ ସଂଗ୍ରାମ କରିବେ ।

 

ରାତ୍ରି ଆସିଲେ ପୁଣି ଯାଇ ବିଶ୍ରାମ ।

 

ଦିବସ ହିଁ ହେଉଛି ମଣିଷ ପାଇଁ ଏକମାତ୍ର କର୍ମକ୍ଷେତ୍ର ।

 

କିନ୍ତୁ ଶେଷ ରାତ୍ରିର ଗତାୟୁ ବୟସରେ ସମସ୍ତେ ନିଘୋଡ଼ ନିଦରେ ଶୋଇଥିଲା ବେଳେ, କେବଳ ଶୋଇ ପାରି ନ ଥିଲା ଫାଲ୍‌ଗୁନୀ ।

 

ଫାଲ୍‌ଗୁନୀ ପଟ୍ଟନାୟକ ।

 

ଚତୁର୍ଥ ବାର୍ଷିକ ବିଜ୍ଞାନ ଛାତ୍ରୀ । ପଟ୍ଟନାୟକ ବଂଶର ଅଲିଅଳ ଜ୍ୟେଷ୍ଠାକନ୍ୟା ଫାଲ୍‌ଗୁନୀ-। ଚାଲିରେ ଯାହାର ଶତକଦମ୍ବର ରୋମାଞ୍ଚ ଫୁଟି ଉଠେ, ହସରେ ଯାହାର ମୁକ୍ତା ଝରେ, ସେଇ ତମ୍ବା ରଙ୍ଗର ତନୁପାତଳୀ ଅନୁଢ଼ା ରୂପସୀ ମୋହମୟୀ ରାତ୍ରିର ଅନ୍ତିମ ପ୍ରହରରେ ପଢ଼ୁଥିଲା ଖଣ୍ଡିଏ ଉପନ୍ୟାସ ।

 

ଉପନ୍ୟାସ ସଦ୍ୟ ପ୍ରକାଶିତ । ପତ୍ରପତ୍ରିକାରେ କ୍ରମାଗତ ଭାବରେ ଦୀର୍ଘ ଛଅମାସ ବିଜ୍ଞାପିତ ହେବାପରେ ସେଇ ଉପନ୍ୟାସ ଆଜି ବଜାରକୁ ଆସିଛି । ସେଥିପାଇଁ ଆଜିର ବଜାର ଅସମ୍ଭବ ଭାବରେ ଜନଗହଳି ହୋଇଛି । ଫାଲ୍‌ଗୁନୀ ହୁଏତ ସେଇ ଜନଗହଳି ପାଇଁ ବ୍ୟସ୍ତ ନଥିଲା କି ଜନଗହଳି କାହିଁକି ହୋଇଛି ତା’ର କାରଣ ଖୋଜୁ ନ ଥିଲା । ମାସର ପ୍ରଥମ ସପ୍ତାହରେ ବଜାର ଗହଳି ହୁଏ–ଆଜି ବି ସେମିତି ହୋଇଛି । ଏଥିରେ ବିଶେଷତ୍ୱ କିଛି ନ ଥିଲେ ମଧ୍ୟ ଫାଲ୍‌ଗୁନୀ ସେଥିରେ ମୋଟେ ଏମିତି ହୋଇପାରୁ ନ ଥିଲା ।

 

ହିନ୍ଦୁସ୍ଥାନ କାର୍‍ଟି ମନ୍ଥର ଗତିରେ ଜନଗହଳି ରାଜରାସ୍ତା ଉପରେ ଚାଲିଥିଲା । ଡ୍ରାଇଭରକୁ ନିର୍ଦ୍ଦେଶ ଦେଇଥିଲା ଫାଲ୍‌ଗୁନୀ–ଶୀଘ୍ର ଗାଡ଼ି ଚଳାଅ । ଘରେ ମୋର ବହୁତ ପଢ଼ାପଢ଼ି ଅଛି ।

 

ଏକ୍‌ସିଲେଟର ଉପରେ ପାଦର ଚାପ ବଢ଼ାଇଲା ଡ୍ରାଇଭର । କିଛିଦୂର ଗାଡ଼ି ତୀର ବେଗରେ ଆଗକୁ ମାଡ଼ି ଚାଲିଲା । ଡ୍ରାଇଭର ପୁଣି ବ୍ରେକ୍‌ ଦେଲା ।

 

ଫାଲ୍‌ଗୁନୀ ବାହାରକୁ ଚାହିଁଲା । ରାଜରାସ୍ତା ଉପରେ ଅସମ୍ଭବ ଜନଗହଳି । ଭୀଷଣ କୋଳାହଳ । ଧାଡ଼ି ବାନ୍ଧି ମଣିଷ ଠିଆ ହୋଇଛନ୍ତି । ଗୋଟିଏ ଦୋକାନରୁ ଲୋକଙ୍କ ଧାଡ଼ି ଲମ୍ବି ଆସିଛି ସଦର ରାସ୍ତା ଉପରକୁ ।

 

ଫାଲ୍‌ଗୁନୀ ଦୋକାନ ଉପରକୁ ଦୃଷ୍ଟି ଘୂରାଇଲା ।

 

ବହୁଦିନର ଏକ ପ୍ରଖ୍ୟାତ ପୁସ୍ତକ ଦୋକାନ–ସୁରଭୀ ପ୍ରକାଶନୀ ।

 

ସୁରଭୀ ପ୍ରକାଶନୀରେ ନାହିଁ ନ ଥିବା ଲୋକାରଣ୍ୟ ଦେଖି ଫାଲ୍‌ଗୁନୀ ବିସ୍ମିତ ହୋଇଥିଲା । କାହିଁକି କ’ଣ ପାଇଁ ଦୋକାନରେ ଏତେ ଗହଳି ! ଯଦି ବା କେଉଁ ନୂତନ ପୁସ୍ତକ ପ୍ରକାଶ ପାଇଥାଏ ତେବେ ଏତେ ଗହଳି ହେବା କ’ଣ ସମ୍ଭବ ! ପୁସ୍ତକ କିଣିବାପାଇଁ ଲୋକେ ଧାଡ଼ିବାନ୍ଧି ରାସ୍ତା ଅବରୋଧ କରିଛନ୍ତି ? ପୁଣି ଓଡ଼ିଆ ବହି କିଣିବାପାଇଁ ଲୋକଙ୍କର ଏତେ ଆଗ୍ରହ କେଉଁ ଦିନରୁ ହେଲା ? ଯେଉଁ ଦେଶର ଲୋକେ ଦୈନିକ ପତ୍ରିକା ମାଗିକରି ପଢ଼ନ୍ତି, ସେଇ ଦେଶର ଲୋକେ ଧାଡ଼ିବାନ୍ଧି ପୁସ୍ତକ କ୍ରୟ କରିବା, ଏହା ହେଲା ବୋଧେ ଓଡ଼ିଆ ଇତିହାସରେ ସର୍ବପ୍ରଥମ ।

 

ରାସ୍ତା ଅବରୋଧ ହୋଇଥିବା ଯୋଗୁ ଗାଡ଼ି ଆଗକୁ ଯାଇପାରୁନି ।

 

ଡ୍ରାଇଭର ଅନବରତ ହର୍ଣ୍ଣ ଦେଇ ଚାଲିଛି ।

 

ତଥାପି ଲୋକେ ବେପରୱା ଭାବରେ ଛିଡ଼ା ହୋଇଛନ୍ତି । ଭୟ ନାହିଁ, ଭ୍ରାନ୍ତି ନାହିଁ, ନିଜ ଜୀବନ ଉପରେ ମମତା ନାହିଁ ।

 

ସାମାନ୍ୟ ସ୍ଥାନ ପାଇ ଡ୍ରାଇଭର ଆଗକୁ ଗାଡ଼ି ବଢ଼ାଇଲା ।

 

ଫାଲ୍‌ଗୁନୀ ପୁଣି ଥରେ ସେଇ ସୁରଭୀ ପ୍ରକାଶନୀ ଉପରେ ଦୃଷ୍ଟି ପକାଇଲା ।

 

ହାତରେ ଖଣ୍ଡେ ଖଣ୍ଡେ ବହିଧରି ସୁରଭୀ ପ୍ରକାଶନୀରୁ ଯୁବକ–ଯୁବତୀମାନେ ଲେଉଟି ଆସୁଛନ୍ତି ।

 

ହଠାତ୍‌ ଫାଲ୍‌ଗୁନୀର ଦୃଷ୍ଟି ପୁସ୍ତକ କ୍ରେତାଙ୍କ ପୁସ୍ତକଟିଏ ଉପରେ ପଡ଼ିଲା ।

 

‘‘ମାୟାବିନୀ ରାତ୍ରି’’ ।

 

ଫାଲ୍‌ଗୁନୀର ମନେ ପଡ଼ିଗଲା ଦୀର୍ଘ ଛଅମାସ ତଳର ଗୋଟିଏ ବିଜ୍ଞାପନ । ଏଇ ଉପନ୍ୟାସଟି ପାଇ ଦୀର୍ଘ ଛଅମାସ ହେବ ଓଡ଼ିଶାର ବିଭିନ୍ନ ପତ୍ର-ପତ୍ରିକାରେ ବିଜ୍ଞାପନ କ୍ରମାଗତ ଭାବରେ ପ୍ରକାଶ ପାଇ ଚାଲିଛି । ସେଇ ପ୍ରତିକ୍ଷୀତ ‘ମାୟାବିନୀ ରାତ୍ରି’ ଆଜି ପ୍ରକାଶ ପାଇଥିବାରୁ ସୁରଭୀ ପ୍ରକାଶିନୀ ଅସମ୍ଭବ ଭାବରେ ଲୋକାରଣ୍ୟ ହୋଇ ଉଠିଛି ।

 

ଗାଡ଼ି ବନ୍ଦ କରିବାକୁ ଡ୍ରାଇଭରକୁ ନିର୍ଦ୍ଦେଶ ଦେଲା ଫାଲ୍‌ଗୁନୀ ।

 

ଡ୍ରାଇଭର ଗାଡ଼ି ଅଟକାଇଲା ।

 

ପଛ ଦରଜା ଖୋଲି ଫାଲ୍‌ଗୁନୀ ବାହାରକୁ ବାହାରି ଆସିଲା । ଟିକିଏ ପଛରେ ‘ସୁରଭୀ ପ୍ରକାଶିନୀ’ ।

 

ସୁରଭୀ ପ୍ରକାଶିନୀ ଆଡ଼କୁ ପାଦ ବଢ଼ାଇଲା ଫାଲ୍‌ଗୁନୀ ।

 

ସୁରଭୀ ପ୍ରକାଶିନୀର ପଟାଦିଆ ବାରଣ୍ଡା ଉପରେ ଅସମ୍ଭବ ଭାବରେ ଜନଗହଳି । ଫାଲ୍‌ଗୁନୀ ପଟା ଉପରକୁ ଉଠିବାକୁ ଚେଷ୍ଟାକରି କ୍ଷାନ୍ତହେଲା । ଭିତରୁ ପାଟି ଶୁଣାଯାଉଛି–‘‘କ୍ଷମା କରିବେ ଆଜ୍ଞା ! ‘ମାୟାବିନୀ ରାତ୍ରି’ ଆଜି ବନ୍ଧେଇ ହୋଇ ପ୍ରେସରୁ ଆସିଥିଲା ମୋଟେ ଅଢ଼େଇଶହ । ବର୍ତ୍ତମାନ ମଧ୍ୟ ପ୍ରେସରେ ବନ୍ଧେଇ କାର୍ଯ୍ୟ ଚାଲିଛି । ଅନୁଗ୍ରହ କରି କାଲି ସକାଳେ ଆସିଲେ କାହାକୁ ନିରାଶ ହେବାକୁ ପଡ଼ିବ ନାହିଁ ।

 

ଜନତାଙ୍କର ମିଳିତ କଣ୍ଠସ୍ୱର । ଉପନ୍ୟାସ ଅଢ଼େଇଶହ ଆସୁ ଆସୁ ସବୁ କ’ଣ ବର୍ତ୍ତମାନ ସରିଗଲା ? ଆମେ କିଛି ଶୁଣିବୁ ନାହିଁ । ଆମେ ବର୍ତ୍ତମାନ ବହି ନେବୁ ।

 

ପଟାଦିଆ ବାରଣ୍ଡା ତଳେ ଠିଆ ହୋଇ ଜନତାଙ୍କର ମିଳିତ କଣ୍ଠସ୍ୱର ଶୁଣୁଥିଲା ଫାଲ୍‌ଗୁନୀ । ମନେ ମନେ ଗର୍ବ ଅନୁଭବ କରୁଥିଲା ମଧ୍ୟ । ଚାଳିଶ ଟଙ୍କିଆ ଓଡ଼ିଆ ଉପନ୍ୟାସଟିଏ ପ୍ରକାଶ ପାଇବାର ପ୍ରଥମ ଦିନରେ ଅଢ଼େଇଶହ ବିକ୍ରି ହେବା ଓଡ଼ିଆଜାତି ପକ୍ଷରେ ଏହା ହେଉଛି ବୋଧେ ସର୍ବପ୍ରଥମ । ଯେଉଁ ଦେଶର ପାଠକମାନେ ବହି କିଣି କରି ପଢ଼ିବା ଅପେକ୍ଷା ମାଗିକରି ପଢ଼ନ୍ତି, ସେଇ ଜାତି ପକ୍ଷରେ ଆଜି ନୂତନ ସୂର୍ଯ୍ୟୋଦୟ ହୋଇଛି ନିଶ୍ଚୟ । ଫାଲ୍‌ଗୁନୀ ନିଜ ଜାତି, ନିଜ ଦେଶ ପାଇଁ ଗର୍ବିତା ମନେ କରୁଥିଲା । ତାହାହେଲେ ଓଡ଼ିଆ ଉପନ୍ୟାସ ପ୍ରକାଶକଙ୍କ ଭାଗ୍ୟ ବଦଳିବାକୁ ଆଉ ବେଶୀ ସମୟ ନାହିଁ । ଯେଉଁ ଉପନ୍ୟାସ–ପ୍ରକାଶକମାନେ ଉପନ୍ୟାସ ପ୍ରକାଶକରି ଭଡ଼ାଘର ନେଇ ବହି ଗୋଦାମ କରନ୍ତି, ସେହି ବହି ଗୋଦାମର ମୂଲ୍ୟ ଏଣିକି ଆଉ ରହିବ ନାହିଁ । ବହି ପ୍ରକାଶ ପାଇବାର ଛଅମାସ ମଧ୍ୟରେ ଯଦି ଉପନ୍ୟାସର ପ୍ରଥମ ସଂସ୍କରଣ ସରିଯାଏ ତେବେ କୀଟ–ଉଈଙ୍କ ପାଇଁ ମଧ୍ୟ ଭୀଷଣ ଦୁର୍ଭିକ୍ଷ ପଡ଼ିଯିବ ।

 

ଫାଲ୍‌ଗୁନୀ ସୁରଭୀ ପ୍ରକାଶନୀ ଭିତରକୁ ଦୃଷ୍ଟି ନିକ୍ଷେପ କଲା । ପ୍ରକାଶନୀର ତତ୍ୱାବଧାରକଙ୍କ କଣ୍ଠସ୍ୱର ଶୁଣାଗଲା–ଆରେ ! ମହିଳାମାନେ ଆସିବାକୁ ଟିକେ ବାଟ ଛାଡ଼ନ୍ତୁ ।

 

ଫାଲ୍‌ଗୁନୀ ପଟାଦିଆ ବାରଣ୍ଡା ଉପରକୁ ଉଠିଲା ।

 

ପ୍ରକାଶନୀର ତତ୍ୱାବଧାରକ କହିଲେ, କୁହନ୍ତୁ ! ଆପଣଙ୍କର କେଉଁ ସେବାରେ ଆମେ ନିଜକୁ ନିୟୋଜିତ କରିପାରିବୁ ?

ଫାଲ୍‌ଗୁନୀର ଦୃଷ୍ଟି ପଡ଼ିଲା ‘ମାୟାବିନୀ ରାତ୍ରି’ ଉପରେ । ଆଉ ମାତ୍ର ଖଣ୍ଡିଏ ରହିଛି ସାମନା ସୋ’କେଶ ଉପରେ । ବିଳମ୍ବ ନକରି ଫାଲ୍‌ଗୁନୀ ସେଇ ଉପନ୍ୟାସ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କଲା ।

ଦୋକାନର ତତ୍ୱାବଧାରକ ସନ୍ତର୍ପଣରେ ଉଠିଯାଇ ‘ମାୟାବିନୀ ରାତ୍ରି’ ଉପନ୍ୟାସଟି ତା’ ହାତକୁ ବଢ଼ାଇଦେଲେ ।

କେତେଟଙ୍କା ?

ଚାଳିଶ ଟଙ୍କା ମାତ୍ର ।

ଫାଲ୍‌ଗୁନୀ ନିଜ ଭ୍ୟାନିଟ୍‌ ବ୍ୟାଗରୁ ଦୁଇଖଣ୍ଡ କୋଡ଼ିଏ ଟଙ୍କିଆ ନୋଟ କାଢ଼ି ବଢ଼ାଇ ଦେଲା ।

ଆଜି ଆସିଥିବା ଅଢ଼େଇଶହ ପୁସ୍ତକର ଶେଷ ଉପନ୍ୟାସଟି ପାଇଲା ଫାଲ୍‌ଗୁନୀ । ହୁଏତ ଆଉ ମିନିଟିଏ ବିଳମ୍ବ ହୋଇଥିଲେ ଆଜି ସେ ଉପନ୍ୟାସଟି ପାଇପାରି ନଥାନ୍ତା ।

ଦୁଇଟଙ୍କା ହାତରେ ଧରି ପଛକୁ ମୁହଁ ଫେରାଇଲା ଫାଲ୍‌ଗୁନୀ ।

ପାଞ୍ଚ ମିନିଟ୍‌ ପୂର୍ବରୁ ଯେଉଁମାନେ ଉପନ୍ୟାସ ପାଇଁ ଧାଡ଼ି ବାନ୍ଧି ରାସ୍ତା ଅବରୋଧ କରିଥିଲେ ସେମାନେ ନିରାଶରେ ଫେରିଗଲେଣି । ପୁଣି କାଲି ସକାଳେ ଦୋକାନ ନ ଫିଟୁଣୁ ଧାଡ଼ିବାନ୍ଧି ଠିଆ ହେବେ, ଆଉ ଆଜି ଭଳି କାଲି ନିରାଶ ହେବାକୁ ପଡ଼ିବନି ସେମାନଙ୍କୁ ।

ଫାଲ୍‌ଗୁନୀ ମଟରରେ ବସିଲା ।

ଡ୍ରାଇଭର ଗାଡ଼ିକୁ ତୀରବେଗରେ ଛୁଟାଇଦେଲା ଜନଗହଳି ରାସ୍ତା ଉପରେ ।

ଫାଲ୍‌ଗୁନୀ ଉପନ୍ୟାସକୁ ଓଲଟପାଲଟ କଲା । ଡିମାଇ ସାଇଜର ସାଢ଼େ ପାଞ୍ଚଶ ପୃଷ୍ଠା ବ୍ୟାପୀ ଏକ ସୁବୃହତ ଉପନ୍ୟାସ । କଥାଶିଳ୍ପୀ ତରୁଣ ପୁଣି ଅବିବାହିତ । ଅବିବାହିତ ଜୀବନରେ ବିବାହିତର ଅଭିଜ୍ଞତା ନେଇ ପଚିଶଖଣ୍ଡ ଛୋଟବଡ଼ ଉପନ୍ୟାସ ପ୍ରକାଶ ପାଇ ସାରିବା ପରେ ଏହା ହେଉଛି ସେଇ ଲେଖକଙ୍କର ବୃହତ୍ତମ ଗ୍ରନ୍ଥ ।

ଫାଲ୍‌ଗୁନୀ ମନେ ମନେ ସେଇ ଲେଖକଙ୍କୁ ଧନ୍ୟବାଦ ଜଣାଉଥିଲା । କେବଳ ଦୁଃଖିତ ହେଉଥିଲା ଲେଖକଙ୍କର ଛଦ୍ମନାମ ଦେଖି । ଏହି ଉପନ୍ୟାସକୁ ମିଶାଇ ଛବିଶ୍‌ ଖଣ୍ଡ ଉପନ୍ୟାସର ଲେଖକ ହେଉଛନ୍ତି ଶ୍ରୀ... । ତେବେ କିଏ ସେହି ଶ୍ରୀ..... । ଜନତା ଆଗରେ ନିଜର ପ୍ରକୃତ ପରିଚୟ ଦେବାକୁ କାହିଁକି କୁଣ୍ଠିତ ! ସେ କ’ଣ ଆଜି ଶୁଣିପାରୁନି ଜନତାଙ୍କର ଭୂରି ଭୂରି ପ୍ରଶଂସା, ଆନନ୍ଦଧ୍ୱନୀ !

ଘରେ ପହଞ୍ଚିଲା ବେଳକୁ ମଲ୍ଲୀଫୁଲର ସଞ୍ଜ ଅଗଣା ଭିତରେ ନେସି ହୋଇ ଯାଇଥିଲା-

ସାମାନ୍ୟ ଦି’ଟା ଜଳଖିଆ କରିନେଲା ଫାଲ୍‌ଗୁନୀ । ଆସନ୍ତାକାଲିର କଲେଜ ପଢ଼ାପାଇଁ ଅନେକ ବିଷୟ ବାକି ଥିଲେ ମଧ୍ୟ ସେଇ ପାଠ୍ୟପୁସ୍ତକ ଭିତରେ ନିଜ ସରଳ, ସ୍ୱଚ୍ଛ ଚିନ୍ତାଧାରାକୁ ଭାରାକ୍ରାନ୍ତ କରିବାକୁ ମୋଟେ ଚାହୁଁ ନଥିଲା । ତେଣୁ ସଦ୍ୟ କିଣି ଆଣିଥିବା ‘ଶ୍ରୀ’ ପ୍ରଣୀତ ‘‘ମାୟାବିନୀ ରାତ୍ରି’’ ଉପନ୍ୟାସ ପଢ଼ିବାକୁ ମନୋନିବେଶ କଲା ।

 

ଭରାକ୍ରାନ୍ତ ମନକୁ ସରଳ, ହାଲ୍‌କା କରିବାପାଇଁ ଉପନ୍ୟାସ ହିଁ ହେଉଛି ଏକମାତ୍ର ପାଥେୟ ।

 

ଅଳସ ମୁହୂର୍ତ୍ତରେ ଉପନ୍ୟାସ ହିଁ ହେଉଛି ପ୍ରଧାନ ସାଥୀ ।

 

ପରିପକ୍ୱ ବୟସ ହେଉ କିମ୍ବା ଅପରିପକ୍ୱ ବୟସ ହେଉ, ଉପନ୍ୟାସ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ପୁସ୍ତକ ।

 

ଫାଲ୍‌ଗୁନୀ ଉପନ୍ୟାସର ପୃଷ୍ଠା ଲେଉଟାଇଲା । ପରିଚୟ, ନିଜକଥା, ମୁଖବନ୍ଧ ସବୁ ପଢ଼ି ସାରିବା ପରେ ଉତ୍ସର୍ଗ ପତ୍ର ଉପରେ ତା’ର ଦୃଷ୍ଟି ପଡ଼ିଲା । ଉତ୍ସର୍ଗ ପତ୍ର ପୃଷ୍ଠାରେ ଲେଖାଅଛି–‘‘ଯେଉଁମାନେ ମୋ ଉପନ୍ୟାସକୁ ଆକ୍ଷେପ କରନ୍ତି, ନିନ୍ଦା, କୁତ୍ସାରଟନା କରନ୍ତି ସେଇ ପରମ ହିତାକାଂକ୍ଷୀ ବନ୍ଧୁଙ୍କ କରକମଳରେ.......’’

 

ଫାଲ୍‌ଗୁନୀ ଭାବୁଥିଲା, ଏ ଯୁଗରେ ‘ଶ୍ରୀ’ର ଉପନ୍ୟାସକୁ ପାଠକ ପାଠିକାମାନେ ନିନ୍ଦା, କୁତ୍ସାରଟନା ଓ ଆକ୍ଷେପ କରି ପାରନ୍ତି ? ? କିନ୍ତୁ କାହିଁକି ? କାହିଁକି ସେମାନେ ସମାଲୋଚନା କରନ୍ତି ?

 

ଫାଲ୍‌ଗୁନୀ ମନକୁ ସାନ୍ତ୍ୱନା ଦେଉଥିଲା । ସମାଲୋଚନା କରିବା ପାଠକମାନଙ୍କର ଧର୍ମ-। ସମାଲୋଚନା ଦ୍ୱାରା ହିଁ ଲେଖା ଅଧିକ ସଂସ୍କାର ଓ ପରିମାର୍ଜିତ ହୁଏ ।

 

ଉପନ୍ୟାସର କେତେ ପୃଷ୍ଠା ପଢ଼ିସାରିବା ପରେ ହଠାତ୍‌ କୋଠରୀ ମଧ୍ୟରେ କାହାର ପାଦଶବ୍ଦ ଶୁଣି ପଛକୁ ମୁହଁ ଫେରାଇଲା ଫାଲ୍‌ଗୁନୀ ।

 

ଗୁଣୁଗୁଣୁ ଗୀତଗାଇ କୋଠରୀ ଭିତରେ ପଦଚାରଣା କରୁଛି ନର୍ମଦା ।

 

ନର୍ମଦା ପଟ୍ଟନାୟକ ।

 

ପଟ୍ଟନାୟକ ବଂଶର କନିଷ୍ଠା କନ୍ୟା, ଦେବାଶୀଷ ପଟ୍ଟନାୟକଙ୍କ ଅଲିଅଳି କନ୍ୟା ନର୍ମଦା ।

 

ଫାଲ୍‌ଗୁନୀର କନିଷ୍ଠା ଭଗ୍ନୀ ନର୍ମଦା ।

 

ବିଜ୍ଞାନକୁ ଭୀଷଣ ଭୟକରେ ବୋଲି କଳାଛାତ୍ରୀ ଭାବରେ ଏ ବର୍ଷ କଲେଜରେ ନାମ ଲେଖାଇଛି ।

 

ନର୍ମଦା ବିରାଟ ଦର୍ପଣ ସମ୍ମୁଖରେ ଠିଆହୋଇ ନିଜର ପ୍ରତିବିମ୍ବକୁ ଚାହିଁଲା ।

 

ଫାଲ୍‌ଗୁନୀ ଉପନ୍ୟାସ ପଢ଼ାରେ ମନ ଦେଲା ।

 

ଶୁଭ୍ର ତନୁଲତା ଉପରେ ନିଜର ବେହରଣକୁ ସଞ୍ଜତ କରି ନେଇ ଚୂର୍ଣ୍ଣକୁନ୍ତଳରେ କ୍ରିମ ଦେଇ କପାଳ ଉପରେ ରିଂ କଲା । ଅଧରରେ ଲିପ୍‌ଷ୍ଟିକ ବୋଳିଲା । ଆଖିରେ ସୁରମା ନେସିଲା । କପାଳରେ କୁଙ୍କୁମର ଟିପା ଦେଲା ।

 

ଦର୍ପଣ ସାମନାରେ ଠିଆହୋଇ ବୁଲିପଡ଼ିଲା ନର୍ମଦା ।

 

ଆରେ ଅପା ଯେ ! ସଞ୍ଜ ନ ହେଉଣୁ ପାଠ୍ୟପୁସ୍ତକ ଭିତରେ ଖୁବ୍‌ ମଜ୍ଜିଗଲୁ ଯେ ?

 

ଫାଲ୍‌ଗୁନୀ ମୁହଁ ଟେକି ଚାହିଁଲା ।

 

ନର୍ମଦା ଲାଗିଆସିଲା ଫାଲ୍‌ଗୁନୀ ନିକଟକୁ । ଚେୟାର ଉପରେ ବସି ପଡ଼ୁ ପଡ଼ୁ କହିଲା–ଆରେ, ସେଇଟା କ’ଣ ଉପନ୍ୟାସ ଅପା ?

 

ହଁ, ଆଜି ପ୍ରକାଶ ପାଇଛି ।

 

ଉପନ୍ୟାସର ନାମଟା କ’ଣ କହିଲୁ ?

 

‘‘ମାୟାବିନୀ ରାତ୍ରି’’ ।

 

ଓଃ, ସେଇ ଛଦ୍ମନାମ ‘ଶ୍ରୀ’ ଙ୍କର ।

 

ହଁ, ତୁ କ’ଣ ତାଙ୍କୁ ଚିହ୍ନିଛୁ ?

 

ତୁ ଯେତେବେଳେ ଚିହ୍ନିନୁ ଆଉ ମୁଁ ଚିହ୍ନିବି କିମିତି କହିଲୁ ?

 

ଫାଲ୍‌ଗୁନୀ ନିରୁତ୍ତର ରହିଲା ।

 

‘ଶ୍ରୀ’....ଲେଖକଙ୍କର ଉପନ୍ୟାସରେ ତୋର ଆଲମିରା ପରିପୂର୍ଣ୍ଣ କରିଛୁ, ଅଥଚ ତାଙ୍କର ଅସଲ ପରିଚୟ ଆଜି ପର୍ଯ୍ୟନ୍ତ ଜାଣିପାରିଲୁନି ?

 

ଜାଣିନି । ତୁ ଯଦି ଜାଣିଛୁ ତେବେ କହ ? ଫାଲ୍‌ଗୁନୀ ମୃଦୁ ସ୍ୱରରେ କହି ନର୍ମଦାକୁ ଚାହିଁଲା ।

 

ସତ କହୁଛି, ମୁଁ ମଧ୍ୟ ଏପର୍ଯ୍ୟନ୍ତ ଜାଣିନି । ସହରରେ ତୋଠାରୁ ଆରମ୍ଭ କରି ସମସ୍ତେ ଯେତେବେଳେ ସେଇ ଛଦ୍ମନାମର ଲେଖକଙ୍କୁ ଜାଣିବାକୁ ଚାହିଁ ଜାଣି ପାରି ନାହାନ୍ତି, ଆଉ ମୁଁ ବା କିପରି ଜାଣିବି ?

 

ନର୍ମଦାର ଆଲୋଚନାରେ ଫାଲ୍‌ଗୁନୀ ଭାଗ ନେଲା ନାହିଁ ।

 

ଫାଲ୍‌ଗୁନୀ ପୁଣି ଉପନ୍ୟାସ ପଢ଼ାରେ ମନଯୋଗ ଦେଲା ।

 

କାଲିପାଇଁ ତୋର କିଛି ପଢ଼ା ନାହିଁ କିଲୋ ଅପା !

 

ମୁଁ ଯଦି ତୋତେ ଠିକ୍‌ ସେହି ପ୍ରଶ୍ନ ପଚାରେ ?

 

ନର୍ମଦା ଆଉ କିଛି ଉତ୍ତର ଦେଲା ନାହିଁ । ନୀରବରେ ଚେୟାର ଉପରୁ ଉଠି ଠିଆ ହେଲା ।

 

ଘନରାତ୍ରିର ଗମ୍ଭୀରତା ବଢ଼ୁଥିଲା ।

 

ରାଜରାସ୍ତାର କୋଳାହଳ ଅନେକବେଳୁ ହ୍ରାସ ପାଉଥିଲା ।

 

ଫାଲ୍‌ଗୁନୀ କାନ୍ଥ ଘଣ୍ଟାକୁ ଚାହିଁଲା ।

 

ଦଶଟା ବାଜି ଯାଇଛି ପଚିଶ ମିନିଟ୍‌ ପୂର୍ବରୁ ।

 

ଆଜି ରାତ୍ରି ଭୋଜନର ଖାଦ୍ୟଥିଲା ଫାଲ୍‌ଗୁନୀର ସେଇ ସଞ୍ଜବେଳର ଜଳଖିଆ । ରାତ୍ରିରେ ଖାଇବା ପାଇଁ ପୂଜାରି ଡାକିଥିଲା, ନର୍ମଦା ଡାକିଥିଲା, କିନ୍ତୁ ଉପନ୍ୟାସ ପଢ଼ାରେ ସେ ଏତେ ନିମଜ୍ଜିତ ଥିଲା ଯେ, ଉପନ୍ୟାସ ପଢ଼ା ସମୟକୁ ଅପବ୍ୟୟ କରିବାକୁ ସେ ମୋଟେ ଚାହୁଁ ନଥିଲା ।

 

ସମସ୍ତେ ଲେଉଟି ଯିବାପରେ ଫାଲ୍‌ଗୁନୀ ପୁଣି ଉପନ୍ୟାସ ପଢ଼ାରେ ମନ ଦେଲା ।

 

ରାତ୍ରି ଭୋଜନ ସମାପ୍ତ କରି ନର୍ମଦା ସେଇ କକ୍ଷକୁ ଫେରିଆସିଲା ।

 

ସ୍ପଞ୍ଜ ଗଦି ଉପରେ ସଫେଦ ବିଛଣାଚଦର ପାରିଦେଇ ନର୍ମଦା ଲୋଟି ପଡ଼ିଲା । ବହଳେ ମୋଟର ବିଛଣା ଉପରେ ନର୍ମଦାର ପେଶଳ ଅଙ୍ଗଲତା ଲୁଚିଗଲା ଯେପରି । ଡନ୍‌ଲପ୍‌–ପିଲୋଟାକୁ ନିଜ ଜଂଘର ମଧ୍ୟଭାଗରେ ରଖି ମୁହଁମାଡ଼ି ଶୋଇପଡ଼ିଲା ନର୍ମଦା ।

 

ନର୍ମଦା ଆଡ଼କୁ କଣେଇ ଚାହିଁ ମୃଦୁ ହସିଲା ଫାଲ୍‌ଗୁନୀ ।

 

ଓ୍ୟାଲ୍‌କ୍ଲକଟି ଅବିରତ ଭାବରେ ଟିକ୍‌ ଟିକ୍‌ କରି ମାଡ଼ି ଚାଲିଛି ।

 

ଉପନ୍ୟାସର ଦୁଇଶହ ପୃଷ୍ଠା ପଢ଼ି ଅଟକିଗଲା ଫାଲ୍‌ଗୁନୀ ।

 

କାନ୍ଥଘଣ୍ଟାରେ ବାରଟା ବାଜିଲା । ରାତ୍ରି ଦୀର୍ଘରୁ ଦୀର୍ଘତର ହୋଇଛି । ଆଖି ପତାରେ ବହଳ ନିଦ୍ରା ନେସିହୋଇ ଯାଉଛି । ତଥାପି ଶୋଇପାରୁନି ଫାଲ୍‌ଗୁନୀ । ଉପନ୍ୟାସର ପ୍ରଧାନ ଚରିତ୍ର ଆଉ କେତେ ପୃଷ୍ଠାପରେ ଆରମ୍ଭ ହେବ ।

 

କିନ୍ତୁ ଆଖିର ଏ ତନ୍ଦ୍ରା....

 

ଚେୟାର ଉପରୁ ଉଠିଆସିଲା ଫାଲ୍‌ଗୁନୀ । କାଚ ଝରକା ଉନ୍ମୁକ୍ତ କରିଦେଇ ବାହାରକୁ ଚାହିଁଲା । ମୃଦୁମନ୍ଦ ସମୀରଣ କୋଠରୀ ଭିତରକୁ ପଶି ଆସିଲା । ଫାଲ୍‌ଗୁନୀ ନିଜ ଖୋଲା ଦେହରେ ମନ୍ଦ ସମୀରଣର ପରଶରେ ଏକ ଚମକପ୍ରଦ ସିତ୍କାର ଅନୁଭବ କଲା ।

 

ଥରିଉଠିଲା ଫାଲ୍‌ଗୁନୀ । ଭରା ଶିହରଣର ବେପଥୁ ଖେଳିଗଲା ଅଙ୍ଗପ୍ରତ୍ୟଙ୍ଗରେ ।

 

ଆକାଶରେ ବୋଧହୁଏ ଚନ୍ଦ୍ରୋଦୟ ହୋଇଛି । ଝରକା ଆରପଟ ବଗିଚାର କେତେକାଂଶରେ ଆଲୋକର ପ୍ଲାବନ ଝରିପଡ଼ିଛି । ସେଇ ଅଜଣାତିଥିର ନାମଟା ଜାଣିବାକୁ ଫାଲ୍‌ଗୁନୀ ମନେ ମନେ ହେକି ହେଲା । କିନ୍ତୁ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିଲା ନାହିଁ ।

 

ଫାଲ୍‌ଗୁନୀ ପୁଣି ଉପନ୍ୟାସ ପଢ଼ାରେ ମନ ଦେଲା । ଆଜି ଯେମିତି ହେଉ ଉପନ୍ୟାସ ସମାପ୍ତ କରିବାକୁ ହେବ । ନଚେତ୍‌ ଆଜିର ମାଦକତା କାଲିକୁ ନଥିବ କିମ୍ବା ଆଜିର ପଠନ ସ୍ପୃହା କାଲିକି ହୁଏତ ମରିଯାଇଥିବ ।

 

ପୃଷ୍ଠା ଲେଉଟାଇଲା ଫାଲ୍‌ଗୁନୀ ।

 

ଉପନ୍ୟାସର ପ୍ରଧାନ ଘଟଣା ଆରମ୍ଭ ହୋଇଗଲା ।

 

ନିର୍ଜନ ରାତ୍ରି ।

 

ପିତାମାତା, ପରିବାର, ସମାଜ ଆଖିରେ ଅନ୍ଧପୁଟୁଳି ବାନ୍ଧି ଗଭୀର ରାତ୍ରିର ନିସ୍ତବ୍‌ଧ ଅନ୍ଧକାରରେ ପ୍ରଶାନ୍ତି ଛୁଟି ଆସିଥିଲା ତା’ ପ୍ରେମିକ ପାଖକୁ ।

 

ଦରଜାରେ ମୃଦୁ ଆଘାତ ଦେଲା ପ୍ରଶାନ୍ତି ।

 

ବହଳ ନିଦ ପାତଳ ଧରିଲା । ବିଛଣାରୁ ଉଠି ଦରଜା ଫିଟାଇଲା ରଞ୍ଜନ ।

 

କୋଠରୀ ଭିତରକୁ ପଶି ଆସିଲା ତରୁଣୀଟି । ଆଲୁଳାୟିତ କେଶ । ଅଙ୍ଗବାସ ବିପର୍ଯ୍ୟସ୍ତ । ମସୀକଜ୍ଜ୍ୱଳ ଆଖିରେ ଲକ୍ଷ ଯୁଗର ମିନତି; କରୁଣଭରା ଚାହାଣୀ ।

 

ରଞ୍ଜନର ବିଛଣା ଉପରେ ବସିପଡ଼ି ଶାନ୍ତିର ନିଶ୍ୱାସ ମାରିଲା ପ୍ରଶାନ୍ତି ।

 

ଦରଜା ମୁକୁଳା କରି ଇଲେକ୍‌ଟ୍ରି ସୁଇଜରେ ହାତରଖିଲା ରଞ୍ଜନ ।

 

ଫ୍ଲୁରେସେଣ୍ଟ ଲାଇଟର ମୃଦୁନୀଳ ଆଲୋକ କୋଠରୀ ଭିତରେ ବିଛାଡ଼ି ହୋଇ ପଡ଼ିଲା-। ପ୍ରଶାନ୍ତିକୁ ଦେଖି ଚମକି ଉଠିଲା ରଞ୍ଜନ । କହିଲା, ତମେ ? ପୁଣି ଏତେ ରାତିରେ-?? କ’ଣ ହୋଇଛି ତମର ??

 

ମୋର କିଛି ହୋଇନି ରଞ୍ଜନ । କିନ୍ତୁ ଏଇ ଅନ୍ଧକାରରେ ଆସିଲାବେଳେ ଭାବିଥିଲି, ତମେ ଯଦି ଶୋଇପଡ଼ିଥିବ କିମ୍ବା ଘରେ ନଥିବ ମୋର ଅବସ୍ଥା କ’ଣ ହେବ ?

 

କଟମଟ କରି ରଞ୍ଜନ ଚାହିଁଲା ପ୍ରଶାନ୍ତିକୁ ।

 

ତମେ କବାଟଟା ବନ୍ଦ କରିଦିଅ ତ ରଞ୍ଜନ ?

 

ରଞ୍ଜନ ବିସ୍ମୟାଭିଭୂତ ଦୃଷ୍ଟିରେ ଚାହିଁଲା ।

 

ପ୍ରଶାନ୍ତ ଉଠିଗଲା ବିଛଣା ଉପରୁ । ଦରଜାର ଶିକୁଳୀ ଦେଇ ରଞ୍ଜନ ପାଖରେ ବସିପଡ଼ିଲା ।

 

ରଞ୍ଜନ ଟିକେ ଆଗକୁ ଘୁଞ୍ଚିଗଲା ।

 

ତମେ ଭୟ କରୁଛ ରଞ୍ଜନ । କେବଳ ନିରୋଳାରେ ତମକୁ ଥରେ ଏକାନ୍ତ ଭାବରେ ପାଇବାର ବାସନା ରଖି ଏତେ ରାତିରେ ତମ ନିକଟକୁ ଛୁଟି ଆସିଛି । ଅଥଚ ତମେ....

 

ପ୍ରଶାନ୍ତି ! ରଞ୍ଜନ ଗମ୍ଭୀର ସ୍ୱରରେ ଡାକି ଉଠିଲା ।

 

ତମର କୌଣସି କଥା ମୁଁ ଆଜି ଶୁଣିବାକୁ ଚାହେଁନା ରଞ୍ଜନ ! ଏତେଦିନର ମିଳାମିଶା ପରେ ତମକୁ ଥରେ ନିରୋଳାରେ, ଏକାନ୍ତ ଭାବରେ ଏଇ ଅନ୍ଧକାର ଭିତରେ ପାଇବାର ସୁଯୋଗ ଆମ ଜୀବନରେ ଘଟିଲାନି । ମନେ ମନେ ଅନେକ ଯୋଜନା ତିଆରି କଲି । କିନ୍ତୁ ସେ ସବୁ ଅଦିନ ମେଘର କୁହୁଡ଼ି ଭଳି କୁଆଡ଼େ ଉଭେଇଗଲା । ତେଣୁ ଆଜି ତୁମକୁ ଏକାନ୍ତ ଭାବରେ ପାଇବାର ବାସନା ନେଇ ଅଧରାତିରେ ତମପାଖକୁ ଛୁଟି ଆସିଛି । ସତରେ, ତମେ କ’ଣ ମୋତେ ନିରାଶ କରିବ ?

 

ତମେ ଏ ସବୁ କ’ଣ କହୁଛ ପ୍ରଶାନ୍ତି, ମୁଁ କିଛି ବୁଝିପାରୁନାହିଁ ।

 

ତମେ ଇମିତି ବ୍ୟସ୍ତ ହୋଇ ଉଠନି ରଞ୍ଜନ । ମୁଁ ସବୁ ବୁଝାଇ ଦେବି । କେବଳ ତମକୁ ବୁଝାଇବା ଲାଗି ଏତେ ରାତିରେ ଆସିଛି ଯେତେବେଳେ ତମକୁ କହିବି ନାହିଁତ ଆଉ କାହାକୁ କହିବି । ତମେ ବସିପଡ଼ ତ ପ୍ରଥମେ !

 

ନା, ମୁଁ ବସିବି ନାହିଁ । ତମର ଯାହା କହିବାର ଅଛି ତମେ ମୋତେ କାଲି କହିବ–ତମ ଘରେ । ମୁଁ କାଲି ନିଶ୍ଚୟ ଯିବି ।

 

ଘରେ ସୁବିଧା ହେଉନାହିଁ ବୋଲି ମୁଁ ଏଠିକି ଆସିଛି । ଅଥଚ ତମେ ଶୁଣିବାକୁ ପ୍ରସ୍ତୁତ ନୁହଁ । ମୋର ଅନୁରୋଧ ରଞ୍ଜନ, ମୋର ପଦେ ଅଭିଯୋଗ ଶୁଣ ! ମୋର ଅନୁରୋଧ ଭାଙ୍ଗି ଦିଅନି ।

 

ତମର କୌଣସି ଅନୁରୋଧ ମୁଁ କେବେ ଭାଙ୍ଗି ଦେଇନି ପ୍ରଶାନ୍ତି । କିନ୍ତୁ ବର୍ତ୍ତମାନ ତମ ଅନୁରୋଧ ରଖିବାକୁ ମୁଁ ଅକ୍ଷମ । ଯାହା ତମର ଅଭିଯୋଗ ମୋତେ କାଲି କହିବ–ତମର ଘରେ । ରାତିରେ ନୁହେଁ, ଦିନରେ–ସ୍ପଷ୍ଟ ଦିବାଲୋକରେ । ନିରୋଳାରେ ନୁହେଁ–ସମସ୍ତଙ୍କ ଉପସ୍ଥିତିରେ.....

 

ପ୍ରଶାନ୍ତି ରଞ୍ଜନକୁ ଚାହିଁଲା । ନୟନ ଯୁଗଳରୁ ବହି ଚାଲିଲା ଗଙ୍ଗା ଯମୁନାର ଦୁଇଟି କ୍ଷୀଣଧାରା ।

 

ଏଇ ରଞ୍ଜନ !

 

ଏଇ ରଞ୍ଜନ ସାଥୀରେ ଦୀର୍ଘଦିନର ପରିଚୟ, ବନ୍ଧୁତା । ପ୍ରତିଦିନ ରଞ୍ଜନ ଯାଏ । ପରସ୍ପର ସାକ୍ଷାତ ଘଟେ । ଭାଷା ବିନିମୟ ହୁଏ । ପ୍ରଶାନ୍ତିର ମାଆ ରଞ୍ଜନକୁ ନିଜ ପୁଅଠାରୁ ବେଶୀ ଭଲ ପାଆନ୍ତି । ନିଜ ହାତରେ ରଞ୍ଜନକୁ ଖୋଇ ଦିଅନ୍ତି । ସବୁଦିନେ ଆସିବାପାଇଁ ଅନୁରୋଧ ନୁହେଁ ଆଦେଶ ଦିଅନ୍ତି । ରଞ୍ଜନ ଯାଏ । ଆଉ ସେଇ ସୁବିଧା ସୁଯୋଗ ନେଇ ପ୍ରଶାନ୍ତି ଭଲପାଇ ବସେ ରଞ୍ଜନକୁ ।

 

କଥାଭାଷାର ସୁଅ ଛୁଟେ । ହସର ବନ୍ୟା ଖେଳେ । କୌଣସି ଏକ ଗୁରୁତର ଆଲୋଚନା ବେଳେ ପ୍ରଶାନ୍ତି ଯଦି କଥାର ଗତି ବଦଳାଏ ତେବେ ରଞ୍ଜନ ବାହାରେ କାମଅଛି କହି ପଳାଇ ଆସେ ।

 

ପ୍ରଶାନ୍ତି କେବଳ ନୀରବରେ ରଞ୍ଜନ ପଥକୁ ଚାହିଁରହେ ।

 

ସତରେ, ରଂଜନ କ’ଣ ମଣିଷ ନୁହେଁ ? ରଂଜନ ଦେହରେ କ’ଣ ଯୁବକରକ୍ତ ପ୍ରବାହିତ ହେଉନାହିଁ ? ? ଭଲପାଇବାର ପିପାସା, ତରୁଣୀ ଦେହର ଲାବଣ୍ୟ, ଅନୁଢ଼ା କନ୍ୟାର ଆକର୍ଷଣ ସତେ କ’ଣ ତା’ର ତନୁମନକୁ ବାନ୍ଧି ରଖି ପାରୁନି ? ନା ରଂଜନ ଜାଣିକରି ଦୂରେଇ ଯାଉଛି ।

 

ଯିଏ ଚେଇଁ ଶୋଇଥାଏ ତାକୁ ଉଠାଇବା ସହଜ ହୁଏ ନାହିଁ ।

 

ସବୁ ବୁଝି ଯିଏ ଅବୁଝା ହୁଏ ତାକୁ ବୁଝାଇବାକୁ ଭୀଷଣ କଷ୍ଟ ହୁଏ ।

 

କିନ୍ତୁ ରଂଜନକୁ ସେ କେମିତି ବୁଝାଇବ ? ରଂଜନ ବୟସର ତରୁଣ ଯୁବକମାନେ ଅନୁଢ଼ାକନ୍ୟା ସାଥିରେ ପଦେ ଭାଷା ବିନିମୟ ପାଇଁ କିମିତି ଲାଳାୟିତ ହୁଅନ୍ତି ସେ ଜାଣେ । ଯୁବତୀ ତୁଣ୍ଡରୁ ପଦେ ଭାଷା ଶୁଣିବାପାଇଁ ଏଇ ଯୁବକମାନେ କିମିତି ତୃଷାର୍ତ୍ତଙ୍କ ଭଳି ଚାହିଁରହନ୍ତି ସେ ତାହା ଦେଖିଛି । ଅଥଚ ଏଇ ରଂଜନ...

 

ରଂଜନ ବୋଧେ ପରିହାସ କରୁଛି । ଜାଣି ଜାଣି ଦୂରେଇ ଯାଉଛି ।

 

ଆଜି ସେଇ ରଂଜନ ଆବଦ୍ଧ କୋଠରୀ ଭିତରେ ବନ୍ଦୀ ।

 

ପ୍ରଶାନ୍ତି କହିଲା–ତମେ ଏତେ ଇତଃସ୍ତତ ଭାବରେ କୋଠରୀ ଭିତରେ ପଦଚାରଣ କାହିଁକି କରୁଛ ? ତମେ ଆସ, ମୋ ନିକଟରେ ବସ, ତମକୁ ଅନେକ କଥା କହିବି ।

 

ଅନେକ କଥା !!

 

ପରୀ ରାଇଜର କାହାଣୀ ନୁହେଁ, କଲୁରୀ ବେଣ୍ଟ କଥା ନୁହେଁ, ସାତତାଳ ପଙ୍କ ଭିତରେ ଥିବା ବୁଢ଼ୀ ଅସୁରୁଣୀ ଗପ ନୁହେଁ, ରାଜକୁମାରୀ କେଶବତୀ କନ୍ୟାର କାହାଣୀ ନୁହେଁ, କହିବି ଆମର କଥା, ...ମୋ ମନ କଥା । ମୋର ଯେଉଁ ଗୋପନକଥା ଅବରୁଦ୍ଧ ମାନସ କୋଠରୀ ଭିତରେ ଆଜି ପର୍ଯ୍ୟନ୍ତ ବନ୍ଦୀ ହୋଇଥିଲା ସେହି ଅକୁହାକଥାର ଗୁପ୍ତ ଦ୍ୱାର ଖୋଲି ଦେଇ ସବୁ କଥା କହିବି ।

 

ମୁକ୍ତ ବାତାୟନ ପଥଦେଇ ରଂଜନ ବାହାରକୁ ଚାହିଁଲା ।

 

ପଲଙ୍କ ଉପରୁ ପ୍ରଶାନ୍ତି ଉଠିଯାଇ ରଂଜନ ପାଖରେ ଛିଡ଼ାହେଲା । ରଂଜନର ଦୁଇହାତକୁ ଟାଣି ଆଣି ପଲଙ୍କ ଉପରେ ବସାଇ ଦେଇ କହିଲା–ମୋତେ ଘୃଣା କରୁଛ ରଂଜନ ?

 

ଘୃଣା ! ନାଁ ପ୍ରଶାନ୍ତି, ମୁଁ ତମକୁ ଘୃଣା କରେନାହିଁ । ମୁଁ ତମକୁ....

 

କୁହ, ଅଟକିଗଲ କାହିଁକି ? କହିପାରିବ ନାହିଁ ? ପୁରୁଷ ହୋଇ ଏତେ ଭୀରୁ ! କିନ୍ତୁ ମୋ ମନକଥା ଶୁଣ ! ମୁଁ ତମକୁ ଗଭୀର ଭାବରେ ଭଲପାଏ ରଂଜନ ।

 

ପ୍ରଶାନ୍ତି.....

 

ଚମକି ପଡ଼ୁଚ ଯେ ? ଆଟମ୍‍ବମ୍‌ର ବିସ୍ଫୋରଣ ଭଳି ଏ କୌଣସି ଚମକିବା କଥା ନୁହେଁ । ମଣିଷ ଜୀବନ ପାଇଁ ଏ ହେଉଛି ନିରାଟ ସତ୍ୟ । ତମେ ପୁରୁଷ, ଯୁବକ, ପୁଣି ଅବିବାହିତ; ମୁଁ ନାରୀ, ତରୁଣୀ, ପୁଣି ଅବିବାହିତା ! ଆମ ଭିତରେ ଭଲପାଇବା ସ୍ୱାଭାବିକ । ଏ ଜୀବନପାଇଁ ସତ୍ୟ । ଦୁନିଆ ସୃଷ୍ଟି ହେବା ଦିନଠାରୁ ଆଜିପର୍ଯ୍ୟନ୍ତ ଭଲ ପାଇବା, ପ୍ରେମ କରିବା କେବଳ ମାତ୍ର ହେଉଛି ନିରାଟ ସତ୍ୟ; ଆଉ ସବୁ ମିଥ୍ୟା, ଭ୍ରାନ୍ତ, ଛଳନା ।

 

ପ୍ରଶାନ୍ତି ତୁଣ୍ଡରୁ ଏପରି ନିର୍ଲ୍ଲଜ, ହୀନ କଥା ଶୁଣିବ ବୋଲି ରଞ୍ଜନ କେବେ କଳ୍ପନା କରି ନଥିଲା କି ଆଶା କରି ନଥିଲା । ପ୍ରଶାନ୍ତି ଆଧୁନିକା ଝିଅ । ଶିକ୍ଷା, ସଭ୍ୟତା, ଆଭିଜାତ୍ୟ ରହିଛି । ବୟସ, ରୂପ ଅଛି । ପୁରୁଷକୁ ଆକୃଷ୍ଟ କରିବା ପାଇଁ ମାୟାଭରା ଆଖିରେ ଚାହାଣୀ ଅଛି । ତଥାପି ନାରୀ ହୋଇ ନିର୍ଲ୍ଲଜ ଭାବେ ନିଜ ମନର ଅଭିବ୍ୟକ୍ତି ପରପୁରୁଷ ନିକଟରେ ପ୍ରକାଶ କରିପାରୁଛି କିମିତି ?

 

ରଞ୍ଜନ କୌଣସି ଉତ୍ତର ନ ଦେଇ ମୁହଁ ତଳକୁ ପୋତିଲା ।

 

ତମେ ସତ କୁହ ରଞ୍ଜନ ! ତମରି ତୁଣ୍ଡରୁ ପଦିଏ କଥା ଶୁଣିବାପାଇଁ ଅଧରାତିରେ, ପିତାମାତାଙ୍କ ଆଖିରେ ଧୂଳିଦେଇ ଚାଲି ଆସିଛି । ଆଉ ତମେ ମୋତେ ନିରାଶ କଲେ.....

 

କ’ଣ ଆତ୍ମହତ୍ୟା କରିବ ? ରଞ୍ଜନ କହି ଉଠିଲା ।

 

ନାଁ, ଆତ୍ମହତ୍ୟା କରିବି କାହିଁକି ? ମୁଁ ତମଭଳି ଭୀରୁ ନୁହେଁ, ତମେ ମୋତେ ନିରାଶ କଲେ, ମୁଁ ବୁଝିବି ମୋ ଆରାଧନାରେ କେଉଁଠି ତ୍ରୁଟି ରହିଯାଇଥିଲା । ମୋର ଏକାଗ୍ରତା, ଏକନିଷ୍ଠତାରେ କେଉଁଠି ଆବିଳତା ଭରି ରହିଥିଲା ।

 

ରଞ୍ଜନ କାନ୍ଥଘଣ୍ଟାକୁ ଚାହିଁଲା ।

 

ତିନିଟା ବାଜିଲାଣି । ତଥାପି ପ୍ରଶାନ୍ତି କଥାର ଉପକ୍ରମଣିକା ସରିନାହିଁ ।

 

ରଞ୍ଜନର ଆହୁରି ପାଖକୁ ଘୁଞ୍ଚିଆସିଲା ପ୍ରଶାନ୍ତି । କହିଲା–ତମେ ସତ କୁହ ରଞ୍ଜନ ! ତମେ କ’ଣ ମୋତେ ଭଲପାଅ ନାହିଁ ?

 

ତରୁଣୀ ତୁଣ୍ଡରୁ ଏପରି ନିର୍ଲ୍ଲଜ, ହୀନ ପ୍ରସଙ୍ଗ ଜୀବନର ପ୍ରଥମଥର ପାଇଁ ଶୁଣିଲା ରଞ୍ଜନ । ଏକ ଆଧୁନିକା ତରୁଣୀ ନିଜ–ଯୌନଲାଳସା ଦମନ କରିବା ପାଇଁ ନିରୋଳାରାତ୍ରିରେ ଆସି ଗୋଟିଏ ଅବିବାହିତ ପୁରୁଷ ନିକଟରେ ଏପରି ପ୍ରେମ ସମ୍ଭାଷଣ କରିପାରେ, ଏହା କେବେ କଳ୍ପନା କରି ନଥିଲା ସେ ।

 

ପୁଣି ପ୍ରଶାନ୍ତି କହି ଉଠିଲା–ତମେ କୁଣ୍ଠାବୋଧ କର ନାହିଁ । ତମେ ସତ କୁହ ରଞ୍ଜନ ! ମୁଁ ଜାଣେ ତମେ ମୋତେ ଗଭୀର ଭାବରେ ଭଲପାଅ । ଆଉ ମୁଁ ବି । ଭଲପାଇବାର ନିର୍ମଳତା, ପବିତ୍ରତା ଯେଉଁଠି ଏତେ ଘନିଷ୍ଠ ଭାବରେ ଜଡ଼ିତ ସେଠି ଏତେ ସଙ୍କୋଚ କରି ଲାଭ କ’ଣ ?

 

ପ୍ରଶାନ୍ତି !

 

ତମେ ବୁଝିବ ନାହିଁ ମୋ ମନକଥା ରଞ୍ଜନ ! ତମକୁ ଜୀବନର ସାଥୀ କରି ପାଇବା ପାଇଁ ମୁଁ କେତେ ତପସ୍ୟା କରିଛି । ହୁଏତ ସେହି ସୁଯୋଗ ଆଉ ଅଳ୍ପଦିନ ପରେ ଆସିଯିବ । କିନ୍ତୁ ଆଜି ତମ ସହିତ ଏକାନ୍ତ ଭାବରେ ମିଶିବାର ଆକାଂକ୍ଷା ନେଇ ଅଧରାତିରେ ପଦାକୁ ଗୋଡ଼ କାଢ଼ିଛି । ତମେ ମୋତେ ନିରାଶ କରନାହିଁ ରଞ୍ଜନ ! ମୋର କାମନା–ବାସନା ପରିପୂର୍ଣ୍ଣ କରିବାକୁ ତୁମେ କୁଣ୍ଠାବୋଧ କରନାହିଁ !

 

ପ୍ରଶାନ୍ତିର ଅଶ୍ଳୀଳ ପ୍ରେମସମ୍ଭାଷଣ ଶୁଣି ବିମୂଢ଼ ହୋଇ ଉଠିଲା ରଞ୍ଜନ । କେଉଁ ଯୁକ୍ତିରେ ପ୍ରଶାନ୍ତିକୁ ପରାସ୍ତ କରି ଲେଉଟାଇ ଦେବ ସେଇୟା ଚିନ୍ତା କରିବାକୁ ଲାଗିଲା ସେ ।

 

ପ୍ରଶାନ୍ତି ଲାଗିଆସିଲା ରଞ୍ଜନ ନିକଟକୁ । ରଞ୍ଜନର ବୁକୁ ଉପରେ ମଥା ଥାପି ଦୁଇବାହୁ ଦ୍ୱାରା ରଞ୍ଜନର କଟି ବେଷ୍ଟନ କରି କହିଲା–ତମେ ଏତେ କ’ଣ ଭାବୁଛ ରଞ୍ଜନ ! ତମ ମନ କଥା କହିବାକୁ କାହିଁକି କୁଣ୍ଠାବୋଧ କରୁଛ ? ମୁଁ ନିଃସଙ୍କୋଚରେ ମୋ ମନକଥା ଜଣାଇଦେଲି । ଅଥଚ ତମେ......

 

ରଞ୍ଜନ ନିରୁତ୍ତର ।

 

ରଞ୍ଜନକୁ ଦୁଇହାତରେ ହଲାଇ ଦେଇ ପ୍ରଶାନ୍ତି କହିଲା–ତମେ ମାତେ ଦେଖ ରଞ୍ଜନ, ମୋ ଆଖି ସହିତ ଆଖି ମିଳାଇ ତମେ ଥରେ ଚାହଁ । ସତେ କ’ଣ ମୁଁ ତମର ରାତ୍ରି ଅଭିସାରିକା ପାଇଁ ଯୋଗ୍ୟ ନୁହେଁ ? ମୁଁ କ’ଣ ସୁନ୍ଦରୀ ନୁହେଁ ? ? ମୋର କ’ଣ ରୂପ ଯୌବନ କିଛି ନାହିଁ ???

 

ରଞ୍ଜନ ଅବିଚଳିତ, ଅଟଳ । ମନରେ ଭାବନାର ତୋଫାନ ।

 

ରଞ୍ଜନକୁ ବୁକୁ ଉପରେ ଜଡ଼ାଇ ଧରି ବିଛଣା ଉପରେ ଲୋଟି ପଡ଼ିଲା ପ୍ରଶାନ୍ତି ।

 

ବାହାରେ ନିସ୍ତବ୍‌ଧ ଅନ୍ଧକାର । ଖୋଲା ଝରକା ଅତିକ୍ରମ କରି ମନ୍ଦ ସମୀରଣ ଘର ଭିତରେ ଲହଡ଼ି ଖେଳୁଛି । ଆବଦ୍ଧ କୋଠରୀ ଭିତରେ ଗୋଟିଏ ବିଛଣାରେ ଦୁଇଟି ପୂର୍ଣ୍ଣ ବୟସର ଯୁବକ–ଯୁବତୀ ।

 

ପ୍ରଶାନ୍ତିକୁ ନିଜ ଉପରୁ ଠେଲି ଦେଇ ବିଛଣା ଉପରୁ ଉଠି ଆସିଲା ରଞ୍ଜନ । କହିଲା–ମୁଁ ତମକୁ ଘୃଣା କରେ ନାହିଁ ପ୍ରଶାନ୍ତି, ମୁଁ ତୁମକୁ ଗଭୀର ଭାବରେ ଭଲ ପାଏ । ତମର ରୂପ, ଯୌବନ ସବୁ କିଛି ଅଛି । ପୁରୁଷକୁ ବିହ୍ୱଳିତ କରିବାପାଇଁ ତମର ମାୟାଭରା ଆଖିରେ ଚାହାଣୀ ଅଛି । କିନ୍ତୁ ଅଧରାତିରେ ପିତାମାତାଙ୍କ ଅଗୋଚରରେ ଗୋଟିଏ ନିରୋଳା କୋଠରୀରେ ଜଣେ ଯୁବକ ନିକଟରେ ଏହି ପ୍ରେମ ସମ୍ଭାଷଣ ଆଦୌ ଶୋଭନୀୟ ନୁହେଁ । ନିବିଡ଼ ବନ୍ଧୁତା ଭିତରେ ଏଇ ହୀନ, ନୀଚ, ଘୃଣିତ କାର୍ଯ୍ୟ କରି ବସିଲେ ଦୁନିଆରେ କେହି ଆମକୁ ପ୍ରଶଂସା କରିବେ ନାହିଁ । ସ୍ଥାନ–କାଳ–ପାତ୍ର ସବୁ ଭୁଲି ଯାଇ ଏପରି ନିର୍ଲ୍ଲଜ ଆତ୍ମପ୍ରକାଶ କଲେ ନିଜର ସମ୍ମାନ କ୍ଷୁର୍ଣ୍ଣ ହୁଏ । ତମର ପିତାମାତା ଅଛନ୍ତି, ତମର ସମାଜ ଅଛି; ଅଥଚ ତମେ......

 

ଆମର ଭଲପାଇବାକୁ ତମେ କ’ଣ ଅସ୍ୱୀକାର କର ରଞ୍ଜନ ?

 

ନାଁ ପ୍ରଶାନ୍ତି ! ଆମ ଅନାବିଳ ଭଲପାଇବାକୁ ମୁଁ କେବେ ଅସ୍ୱୀକାର କରେ ନାହିଁ । କିନ୍ତୁ ଅଧରାତିରେ କେହି ଯଦି ତମକୁ ମୋ ଘରେ ଆବିଷ୍କାର କରେ, ତେବେ କ’ଣ ହେବ ଆମର ସୁବର୍ଣ୍ଣ ଭବିଷ୍ୟତ ? ମୁଁ ମୋ ପାଇଁ ବ୍ୟସ୍ତ ନୁହେଁ ପ୍ରଶାନ୍ତି ! ମୁଁ ବ୍ୟସ୍ତ କେବଳ ତମରି ପାଇଁ । ତମରି ସମ୍ମାନ, ତମରି ସୁନେଲୀ ଭବିଷ୍ୟତରେ ମୁଁ କଳଙ୍କ ଲେପି ଦେବାକୁ ଚାହେଁ ନାହିଁ ।

 

ଚଟ୍‌କରି ପ୍ରଶାନ୍ତି କହି ଉଠିଲା–ତାହେଲେ ତମେ ମୋତେ ଆନ୍ତରିକ ଭଲପାଅ ନାହିଁ ରଞ୍ଜନ ?

 

ଭଲ ପାଇବାର ସଜ୍ଞା କ’ଣ ମୁଁ ଯଦି ତମକୁ ପଚାରେ, ତେବେ ତମେ ତା’ର ଉତ୍ତର ଦେଇ ପାରିବ ନାହିଁ । କିନ୍ତୁ ମୁଁ ଚାହେଁ ଆମ ନିର୍ମଳ, ଅନାବିଳ ଭଲ ପାଇବାର ଯେପରି ଅମର୍ଯ୍ୟାଦା ନହୁଏ । ଭଲ ପାଇବାର ଯେଉଁ ଐଶ୍ୱର୍ଯ୍ୟରେ ପୁରୁଷ ନାରୀକୁ ମହୀୟାନ କରି ଗଢ଼େ, ସେଇ ଐଶ୍ୱର୍ଯ୍ୟରେ ମୁଁ ତମର ଜୀବନପାତ୍ର ପୂର୍ଣ୍ଣ କରିବି । କିନ୍ତୁ ଅଧରାତିରେ ଗୋଟିଏ ଆବଦ୍ଧ କୋଠରୀ ଭିତରେ ସମାଜ, ପରିବାର ଅନ୍ତରାଳରେ ମୁଁ ତମକୁ ଆପଣାର କରିପାରିବି ନାହିଁ । ମୋର ବିନୀତ ଅନୁରୋଧ, ତମେ ଆଜି ଫେରିଯାଅ । ତମର ମସ୍ତିଷ୍କ ବର୍ତ୍ତମାନ ବିକୃତ ରୂପ ଧାରଣ କରିଛି । ଚିନ୍ତାଧାରା ଅତି ନୀଚ ହୋଇ ଉଠିଛି । ମାୟାବିନୀ ରାତ୍ରିର ମାୟାମମତାକୁ ତମେ ତୁଚ୍ଛ ମନେକରି ଯେଉଁ ଅପରାଧ କରୁଛ ତାହାର କ୍ଷମା ନାହିଁ ପ୍ରଶାନ୍ତି । ତମେ ଆସ ମୋ ସାଥିରେ । ମୁଁ ତମକୁ ଘରେ ପହଞ୍ଚାଇ ଦେଇ ଆସିବି ।

 

ଧନ୍ୟବାଦ ! ପ୍ରଶାନ୍ତି ତାତ୍ସଲ୍ୟଭରା କଣ୍ଠରେ କହି ଉଠିଲା ।

 

ମୋତେ ଭୁଲ୍‌ ବୁଝୁଚ ପ୍ରଶାନ୍ତି ! ଥରେ ମୋ କଥା ଗଭୀର ଭାବରେ ଚିନ୍ତାକରି ଦେଖ ।

 

କିଛି ସମୟ ନୀରବରେ ବିତିଯିବା ପରେ ପୁଣି ପ୍ରଶାନ୍ତି କହିଲା–ରଞ୍ଜନ ! ଭଲପାଇବା କ’ଣ ପାପ ?

 

ଏକଥା ତମକୁ କିଏ କହିଲା ପ୍ରଶାନ୍ତି ! ଭଲପାଇବା, ପ୍ରେମ କରିବା ଗୌରବର ବିଷୟ ହୋଇ ନପାରେ କିନ୍ତୁ ପାପ ନୁହେଁ ।

 

ପାପ ଯଦି ନୁହେଁ ତେବେ ଏତେ ଭୟ କରୁଛ କାହିଁକି ? ପୁରୁଷ ହୋଇ ଭୀରୁ, କାପୁରୁଷ ଭଳି ଅଭିନୟ କରୁଚ କାହିଁକି ?

ମୁଁ ଭୀରୁ କିମ୍ବା କାପୁରୁଷ ନୁହେଁ ପ୍ରଶାନ୍ତି । ମୁଁ ଯୁବକ । ମୋର ପୁରୁଷତ୍ୱ ଅଛି । ମୋର ଆତ୍ମସମ୍ମାନ ଅଛି । ଚାରିଜଣରେ ଜଣେ ହୋଇ ଠିଆ ହେବାପାଇଁ ସମାଜରେ ମୋର ପ୍ରତିଷ୍ଠା ରହିଛି । ଅଥଚ କାଲି ସକାଳେ ତମର ଆଉ ମୋର ନାମ ଯୁଗ୍ମହୋଇ ଯେଉଁ କୁତ୍ସାରଟନା ହେବ ତାହାକୁ ସହିପାରିବ ତ ତମେ ? ସହ୍ୟ କରିପାରିବେ ତ ତମର ପିତାମାତା, ଆତ୍ମୀୟ ସ୍ୱଜନ ? କିନ୍ତୁ ମୁଁ ପାରିବି ନାହିଁ । ସମାଜର ଅନ୍ତରାଳରେ, ପରିବାରର ଅଗୋଚରରେ କାପୁରୁଷ ଭଳି ଗୋଟିଏ ନାରୀ ନିକଟରେ ପ୍ରେମସମ୍ଭାଷଣ କରି ନିଜର ପୌରୁଷ ହରାଇ ପାରିବି ନାହିଁ ।

ପ୍ରଶାନ୍ତି କଣ୍ଠରେ ତାତ୍ସଲ୍ୟର ସମାବେଶ । ଓଃ, ସେ ଯୁଗରେ ସତ୍ୟବାନ ଥିଲେ ବୋଲି ଜାଣିଛ । କିନ୍ତୁ ଏ ଯୁଗରେ ତମଭଳି ସତ୍ୟବାନ ଅଛନ୍ତି ବୋଲି ଆଜି ପ୍ରଥମଥର ପାଇଁ ଜାଣିଲି । ହଉ, ମୁଁ ଯାଉଛି ।

ବିଛଣାରୁ ଚଟକରି ଉଠିବସିଲା ପ୍ରଶାନ୍ତି ।

ପ୍ରଶାନ୍ତର ହାତକୁ ଧରିପକାଇ ରଞ୍ଜନ କହିଲା, ବସ ପ୍ରଶାନ୍ତି । ଇମିତି ଅଭିମାନରେ ଉଠି ପଡ଼ୁଛ ଯେ ?

ପ୍ରଶାନ୍ତି ରଂଜନକୁ ଚାହିଁଲା । ରଂଜନ ଆକ୍ଷେପ କରି ଯେଉଁ ବ୍ୟଙ୍ଗୋକ୍ତି ଶୁଣାଇଛି ଜୀବନର ଶେଷ ପର୍ଯ୍ୟନ୍ତ ତାକୁ ଭୁଲି ହେବନି । ଯୌବନର ଉନ୍ମାଦନା, ବୟସର ଉଦ୍ଦୀପନା, ଭଲ ପାଇବାର ପବିତ୍ର ମନ ନେଇ ସେ ଅଧରାତିରେ ପଦାକୁ ଗୋଡ଼ କାଢ଼ିଥିଲା । ଆସିଲାବେଳେ ଭାବିଥିଲା, ମଧ୍ୟରାତ୍ରରେ ରଂଜନ ତାକୁ ଦେଖି ବିସ୍ମିତ ହୋଇ ଉଠିବ । କହିବ, ଏଇ ମାୟାବିନୀ ରାତ୍ରିରେ ତମେ ଏକୁଟିଆ ଆସି ପାରିଲ ?

ପ୍ରଶାନ୍ତି ଉତ୍ତର ଦେବାପୂର୍ବରୁ ରଂଜନ ତାକୁ ନିଜ ବୁକୁ ଉପରେ ଚାପିଧରି ଚୁମ୍ବନ ଦେବ-। ତା’ପରେ.....

କିନ୍ତୁ କ’ଣ ହେଲା ? ନିଜର ଆତ୍ମସମ୍ମାନ, ସାମାଜିକ ପ୍ରତିଷ୍ଠାକୁ ବଡ଼ ମନେକରି ରଂଜନ ତାକୁ ଦୂରେଇ ଦେଲା । ନୀତିଶିକ୍ଷା ଛଳରେ କହିଲା–ମଣିଷ ଜୀବନରେ ସବୁଠାରୁ ଆଦର୍ଶ ହେଉଛି ଚରିତ୍ର । ନିଜ ଚରିତ୍ରର ସାମାନ୍ୟ ତ୍ରୁଟି ହିଁ ଜୀବନର ଘୋର ଅଧପତନ । ଚରିତ୍ରରେ କଳଙ୍କ ଲାଗିଲେ ଜୀବନରେ କଳଙ୍କ ଲାଗେ । ଚରିତ୍ର ହେଉଛି ମଣିଷ ଜୀବନର ଅମୂଲ୍ୟ ସଂପଦ–ଏକମାତ୍ର ମାନଦଣ୍ଡ ।

ପ୍ରଶାନ୍ତି ତୁଣ୍ଡକୁ ଅନେକ ଉତ୍ତର ଆସୁଥିଲେ ମଧ୍ୟ ସେ କିଛି ଉତ୍ତର ଦେଇପାରିଲା ନାହିଁ-। ସେ ଜାଣିଥିଲା, ସେ ଯାହା ଉତ୍ତର ଦେବ ରଂଜନ ତାକୁ ଯୁକ୍ତିରେ କାଟିଦେବ । ତେଣୁ ସେ ରଂଜନକୁ ଭୀରୁ, କାପୁରୁଷ, ଦୁର୍ବଳ ବୋଲି ମନେକରି ନେଇଥିଲା । ଦୁର୍ବଳ ପୁରୁଷ ନିକଟରେ ଅଜସ୍ର ଅଭିଯୋଗ କିଛି ଲାଭ ନାହିଁ । ପାହାଡ଼କୁ ଟେକା ପକାଇଲେ ହାତ କେବଳ ଘୋଳି ହୁଏ, କିନ୍ତୁ ପାହାଡ଼ର କିଛି କ୍ଷତି ହୁଏ ନାହିଁ ।

ପ୍ରଶାନ୍ତି ଭାବୁଥିଲା ! ରଂଜନ ତାକୁ ଯେପରି ଅପମାନିତ କରିଛି ତା’ର କିମିତି ତିଳତିଳ କରି ପ୍ରତିଶୋଧ ନେବ । ଯେଉଁ ରଂଜନ ନିଜର ଆଭିଜାତ୍ୟ, ସମ୍ମାନ, ଚରିତ୍ରକୁ ବଡ଼ ବୋଲି ମନେ କରିଛି ସେଇ ନିଷ୍କଳଙ୍କ ଚରିତ୍ରରେ ସେ କିମିତି କଳଙ୍କି ଲଗାଇବ ।

 

ଅନେକ ସମୟପରେ ପ୍ରଶାନ୍ତି ଉଠିଲା ।

 

ରଂଜନ କହିଲା, ତମେ ବସ ପ୍ରଶାନ୍ତି ! ଦେହ ମନ ତମର ଉତପ୍ତ ହୋଇ ଉଠିଛି । ତମେ ଥରେ ଚିନ୍ତା କର, ଗଭୀର ଭାବରେ ଚିନ୍ତା କର....

 

ବହୁତ ଚିନ୍ତା କରିଛି । ଆଜି ପର୍ଯ୍ୟନ୍ତ ତମ ବାହାରର ରୂପଟା ଦେଖିଥିଲି, କିନ୍ତୁ ଭିତରର ସ୍ୱରୂପ ଦେଖି ନଥିଲି । ଆଜି ସବୁ ଦେଖିଲି । ସଂସାରରେ ତୁମର ସମ୍ମାନ ଥାଇପାରେ, ସମାଜରେ ତୁମର ପ୍ରତିଷ୍ଠା ଥାଇପାରେ, କିନ୍ତୁ ଗୋଟିଏ ଅନୁଢ଼ା କନ୍ୟାର ମନ ଗହୀରର ବ୍ୟଥା ବୁଝିବାକୁ ତମେ ପୂରାପୂରି ଅକ୍ଷମ । ଗୋଟିଏ ନାରୀକୁ ଉପଯୁକ୍ତ ସମ୍ମାନ ଦେଇ ଜାଣନା ତମେ । ତମେ ଦୁର୍ବଳ, ଭୀରୁ, କାପୁରୁଷ ।

 

ପ୍ରଶାନ୍ତି ! ଅନ୍ୟକୁ ଦୁର୍ବଳ କହିବା ପୂର୍ବରୁ ନିଜେ ଥରେ ଭାବିବା ଉଚିତ ଥିଲା ଦୁର୍ବଳ କିଏ ? ତମେ ନା ମୁଁ । କିଏ ନିଜର ଦୁର୍ବଳତା ପ୍ରକାଶ କରି ଅଧରାତିରେ ପରପୁରୁଷ ନିକଟକୁ ଦଉଡ଼ି ଆସି ପ୍ରେମ ନିବେଦନ କରି ପାରୁଛି ।

 

ପ୍ରଶାନ୍ତି ବିସ୍ଫାରିତ ନେତ୍ରରେ ରଂଜନକୁ ଚାହିଁଲା ।

 

ମୁଁ ତମର ସମସ୍ତ ଅନୁରୋଧ ରଖିବି ପ୍ରଶାନ୍ତି, କିନ୍ତୁ ଶପଥ କର, ବିନିମୟରେ ମୋର ଗୋଟିଏ ଛୋଟ ଅନୁରୋଧ ରଖିବ ?

 

ଅନୁରୋଧ !

 

ହଁ, ସାମାନ୍ୟ ଅନୁରୋଧ ।

 

କ’ଣ ତେବେ କୁହ ?

 

ଆମର ଏଇ ନିର୍ମଳ, ଅନାବିଳ ଭଲପାଇବା ଭିତରେ ଦେହର ମିଳନକୁ ସଂଯୋଗ ନକଲେ ଅନୁରାଗ ତ କୁଆଡ଼େ ଉଭେଇ ଯିବନି ପ୍ରଶାନ୍ତି ! ଦେହର ଉପଭୋଗଠାରୁ ମନର ମିଳନ ହିଁ ସବୁଠାରୁ ବଡ଼ । ଦେହର ଉପଭୋଗ କ୍ଷଣିକ । ନାରୀ ଆଉ ପୁରୁଷର ସଙ୍ଗମ କ୍ଷଣସ୍ଥାୟୀ । କିନ୍ତୁ ମନର ମିଳନ ଚିରସ୍ଥାୟୀ । ଯେଉଁ ରୂପ, ଯୌବନରେ ବିହ୍ୱଳ ହୋଇ ମଣିଷ ଉପଭୋଗ ପାଇଁ ବ୍ୟାକୁଳ ହୋଇ ଉଠୁଛି, ପରମୁହୂର୍ତ୍ତରେ ସେ ଦୁର୍ବଳ ମୁହୂର୍ତ୍ତ ବିତିଗଲେ ତମେ ଅନୁତାପ କରିବାକୁ ବାଧ୍ୟ ହେବ । ଆଉ ସେହି ଅନୁତାପ ହିଁ ହେଉଛି ବିରାଟ ପାପ ।

 

ପ୍ରଶାନ୍ତିର ମନେ ହେଉଥିଲା କହିଦେବାକୁ, ଉପଭୋଗ ହିଁ ମୋର କାମ୍ୟ ରଂଜନ ! ସୃଷ୍ଟିର ଉପଭୋଗ ଯଦି ଜୀବନର ସତ୍ୟ ନ ହୁଏ ତେବେ ସେ ମିଳନରେ କି ଲାଭ.... ? କିନ୍ତୁ କିଛି ଉତ୍ତର ଦେଇପାରିଲା ନାହିଁ ପ୍ରଶାନ୍ତି । ଆହତ କୁରଙ୍ଗୀ ପରି ଲେଉଟି ଯାଇଥିଲା ସେ ।

 

ପଛରୁ ଡାକିଲା ରଂଜନ । ଅପେକ୍ଷା କର ପ୍ରଶାନ୍ତି । ଏକୁଟିଆ ଫେରିଯିବା ପାଇଁ ତମକୁ ଭୟ ଲାଗିପାରେ । ମୁଁ ତମକୁ ସାଥୀରେ ନେଇ ଛାଡ଼ିଦେଇ ଆସିବି ।

 

କିଛିଦୂର ଆଗେଇ ଯାଇ ବୁଲି ଚାହିଁଲା ପ୍ରଶାନ୍ତି । କହିଲା, ଧନ୍ୟବାଦ ! ତମର ଅକୁଣ୍ଠିତ ବଦାନ୍ୟତା ପାଇଁ ମୁଁ କୃତଜ୍ଞ । କିନ୍ତୁ ମୋତେ ଭୟ ଲାଗିବ ନାହିଁ ରଂଜନ । ମୁଁ ଏକୁଟିଆ ଆସିଥିଲି, ଏକୁଟିଆ ଯିବି । କିନ୍ତୁ ତମେ କାହିଁକି ଯିବ ? ଅଧରାତିରେ ମୋ ସହିତ ତମେ ଯାଉଥିବାର କେହି ଯଦି ଦେଖିନିଏ...ତେବେ କ’ଣ କହିବେ ସେମାନେ ? ତମ ଆତ୍ମସମ୍ମାନରେ ବାଧା ପଡ଼ିବନି ? ତେଣୁ ମୋର ଅନୁରୋଧ, ତମେ ମୋ ସାଥିରେ ଆସନି । ତମେ ଯାଅ, ମୁଁ ଯାଉଛି ।

ପ୍ରଶାନ୍ତି ଚାଲିଗଲା ।

କାନ୍ଥ ଘଣ୍ଟାରେ ସାଢ଼େତିନିଟା ବାଜିଲା ।

ରଂଜନ କବାଟ କିଳି ବିଛଣା ଉପରକୁ ଫେରି ଆସିଲା ।

‘ମାୟାବିନୀ ରାତ୍ରି’ର ଦୀର୍ଘ ଚାରିଶହ ପୃଷ୍ଠା ସମାପ୍ତ କରି ଫାଲ୍‌ଗୁନୀ ଦୀର୍ଘ ନିଶ୍ୱାସ ଛାଡ଼ିଲା । ଉପନ୍ୟାସ ଲେଖାର ଶୈଳୀ ଓ ବିଷୟବସ୍ତୁ କି ଚମତ୍କାର ସତେ । ଯୌବନର ଉନ୍ମାଦନାରେ ଅଧରାତିରେ ଦଉଡ଼ି ଆସିଥିବା ପ୍ରେମ–ପାଗଳିନୀ ପ୍ରଶାନ୍ତିକୁ କିପରି ନୀତିଶିକ୍ଷା ଛଳରେ ରଂଜନ ଲେଉଟାଇ ଦେଲା ?

ଫାଲ୍‌ଗୁନୀ ମନେ ମନେ ହସି ଉଠିଲା । ଲେଖକଙ୍କ ସଂଯମତାକୁ ଅଶେଷ ଧନ୍ୟବାଦ ଜଣାଇଲା । ନିରୋଳା କୋଠରୀରେ ପୂର୍ଣ୍ଣ ବୟସର ଯୁବତୀକୁ ପାଇ କେଉଁ ଯୁବକ କ’ଣ ନିରାଶରେ ଲେଉଟାଇ ଦେଇପାରେ ?

ଅଥଚ ‘ମାୟାବିନୀ ରାତ୍ରି’ର ନାୟକ ନାୟିକାକୁ ନିରାଶରେ ଲେଉଟାଇ ଦେଇଛନ୍ତି । ଭଲପାଇବା ଆଉ ଦେହର ମିଳନ ଦୁଇଟା ପୃଥକ ବୋଲି ପ୍ରମାଣ କରି ଦେଇଛି । ନିର୍ମଳ ଭଲପାଇବା ଭିତରେ ଦେହର ମିଳନ ହେଉଛି ଅକ୍ଷମଣୀୟ ଅପରାଧ ।

 

ଫାଲ୍‌ଗୁନୀ ବାହାରକୁ ଚାହିଁଲା । ମୁକ୍ତ ବାତାୟନ ପଥ ଦେଇ ମନ୍ଦ ସମୀରଣ ଆସୁଛି । ଅବଶ ଲାଗୁଛି କ୍ଳାନ୍ତ ଶରୀର । ଆଖିପତା ମୁଦି ହୋଇ ଆସୁଛି । ମନେହେଉଛି ମୁକ୍ତ ଆକାଶ ତଳେ, ସବୁଜ ତୃଣ ଭୂମି ଉପରେ ଫୁଙ୍ଗୁଳା ଶରୀରକୁ ଲୋଟାଇ ଦେବାପାଇଁ ।

 

ଝରକା ପାଖକୁ ଉଠି ଆସିଲା ଫାଲ୍‌ଗୁନୀ । ବାହାରକୁ ଚାହିଁଲା । ପୂର୍ବାକାଶରେ ଫଗୁ ବିଞ୍ଚି ହୋଇ ପଡ଼ିଛି । ଆଉ ନିମିଷକ ପରେ ବାଳସୂର୍ଯ୍ୟ ଉଠିବ । କ୍ରମେ କିରଣ ଧୂଳିର ଧରଣୀରେ ନେସି ହୋଇ ପଡ଼ିବ ।

 

ମମତାମୟୀ ରାତ୍ରିକୁ ବିନିଦ୍ରରେ କଟାଇ ସୁଦ୍ଧା ଫାଲ୍‌ଗୁନୀ ‘ମାୟାବିନୀ ରାତ୍ରି’ ସମାପ୍ତ କରି ପାରି ନ ଥିଲା ବୋଲି ଭୀଷଣ ଦୁଃଖିତ ହେଉଥିଲା । ନାଁ, ଆଜି ଆଉ ପଢ଼ି ହେବନାହିଁ ଉପନ୍ୟାସ ।

 

ଉପନ୍ୟାସକୁ ହାତରେ ଧରି ଫାଲ୍‌ଗୁନୀ ବିଛଣା ଉପରେ ଲୋଟି ପଡ଼ିଲା ।

 

ଆଖିପତାରେ ଗହଳ ତନ୍ଦ୍ରାର ବହଳ ସମାରୋହ ।

 

ନର୍ମଦା ବିଛଣାରୁ ଉଠିବସିଲା । ଆଖିରୁ ସଂପୂର୍ଣ୍ଣ ତନ୍ଦ୍ରା କଟିନାହିଁ । ଅଙ୍ଗଲତା ଅବଶ ଲାଗୁଛି ।

 

ନର୍ମଦା ଠିଆ ହେଲା । ପାଖ ପଲଙ୍କ ଉପରେ ଫାଲ୍‌ଗୁନୀ ଅପା ଶୋଇଛି । ‘ମାୟାବିନୀ ରାତ୍ରି’ ତା’ ବକ୍ଷ ଉପରେ ବିକ୍ଷିପ୍ତ ଭାବରେ ଲୋଟି ପଡ଼ିଛି । ଶଙ୍ଖ–ଶୁଭ୍ର ହାତ ଦୁଇଟି ଛନ୍ଦି ହୋଇ ରହିଛି ଉପନ୍ୟାସଟି ଉପରେ । ତେବେ କ’ଣ ଅପା ରାତିସାରା ଉଜାଗର ରହି ଉପନ୍ୟାସ ପଢ଼ୁଥିଲା-। ଲେଖକ ‘ଶ୍ରୀ’ ଙ୍କ ଉପନ୍ୟାସ ଅପା ହାତରେ ପଡ଼ିଲେ ଆହାର, ନିଦ୍ରା ତ୍ୟାଗ କରିବାକୁ ସେ କୁଣ୍ଠାବୋଧ କରେନା । ଅଥଚ ଆଜି ଉପନ୍ୟାସ ଶେଷ ନ କରି ଶୋଇଯାଇଛି କିମିତି-?

 

ଫାଲ୍‌ଗୁନୀର ପଲଙ୍କ ପାଖକୁ ନର୍ମଦା ଆସିଲା । ଉପନ୍ୟାସର ଶୋଚନୀୟ ଅବସ୍ଥା ସହ୍ୟକରି ନପାରି ଫାଲ୍‌ଗୁନୀର ବକ୍ଷ ଉପରୁ ଉପନ୍ୟାସଟିକୁ ଉଠାଇ ନେଲା ।

 

ଉପନ୍ୟାସଟି ସମାପ୍ତ ହେବାକୁ ଆଉ ମୋଟେ କୋଡ଼ିଏ ପୃଷ୍ଠା ବାକି ଅଛି । ଅଥଚ ଅପା ସମାପ୍ତ କରି ନପାରି ଶୋଇ ଯାଇଛି ।

 

ନର୍ମଦା ବାଥ୍‌ରୁମ୍‌ ଭିତରେ ପ୍ରବେଶ କଲା ।

 

ପ୍ରଥମ ସକାଳର ଖରା ଚିକ୍‌ ଚିକ୍‌ କରୁଥିଲା ।

 

ଫାଲ୍‌ଗୁନୀ ସେମିତି ଶୋଇଛି । ସକାଳର ମିଠା ମିଠା ଖରା ଖୋଲା ଝରକା ଅତିକ୍ରମ କରି ଫାଲ୍‌ଗୁନୀର ଦୁଧ ଅଳତା–ରଙ୍ଗର ନିଟୋଳ ଶରୀର ଉପରେ ଇନ୍ଦ୍ରଧନୁର ବିଚିତ୍ର ରଙ୍ଗ ସୃଷ୍ଟି କରୁଥିଲା । ତଥାପି ବହଳ ନିଦ ତା’ର ପାତଳ ଧରିନି କି ସହରର କୋଳାହଳ ତା’ର ମନରେ ରେଖାପାତ କରିନି ।

 

ସକାଳର ସ୍ନାନ ସମାପନ କରି ବାଥ୍‌ରୁମ୍‌ ଭିତରୁ ବାହାରି ଆସିଲା ନର୍ମଦା । ଦେହରେ ଭିଜି ଯାଇଛି କାଲିକୋ ମିଲର ଝୀନ ପରିଧେୟ । ଫୁଙ୍ଗୁଳା ଦେହରେ ଓଦା ବସନ ଜଡ଼ି ଯାଇ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିସ୍ଫୁଟ ହେଉଥିଲା । ଭରା ଯୌବନର ନଗ୍ନ ଅଙ୍ଗ–ସୌଷ୍ଠବ ଏକ ମନଲୋଭା ଆକର୍ଷଣ ସୃଷ୍ଟି କରୁଥିଲା । ଇସ୍‌ ! ଏଇ ରୂପ, ଏଇ ଯୌବନ, ଏଇ ଅଙ୍ଗସୌଷ୍ଠବ ଯଦି କୌଣସି ପୁରୁଷର ଆଖିରେ ପଡ଼େ....

 

ନର୍ମଦା ଏକ ଅନାହୂତ ଶବ୍ଦରେ ଚମକି ଉଠିଲା । ଝରକାକୁ ଚାହିଁଲା । ଖୋଲା ଝରକାର କବାଟ ପବନରେ ଇତସ୍ତତ ହୋଇ କେଁ କେଁ ଶବ୍ଦ କରୁଛି । ଆଲଣା ଉପରୁ ଖଣ୍ଡିଏ ସାଧା ପରିଧାନ ଆଣି ବଦଳାଇବାକୁ ଲାଗିଲା ।

 

ହଠାତ୍‌ ତା’ର ଦୃଷ୍ଟି ପଡ଼ିଲା ଫାଲ୍‌ଗୁନୀ ଉପରେ ।

 

ଫାଲ୍‌ଗୁନୀ ଅପା ସେମିତି ଶୋଇଛି ।

 

ବିଚରା ଗୋଟିଏ ସାମାନ୍ୟ ଉପନ୍ୟାସ ପାଇଁ ଏକ ମାଦକଭରା ରାତ୍ରି ଉଜାଗର ରହି ଏ ପର୍ଯ୍ୟନ୍ତ ଶୋଇଛି । ସତେ ଯେମିତି ସେଇ ଉପନ୍ୟାସ ହେଉଛି ଜୀବନ । ନିଜର ଖାଦ୍ୟ ଭୁଲି ଯାଇପାରେ, ଉପନ୍ୟାସର ଲେଖକ ‘ଶ୍ରୀ’ଙ୍କୁ ମୋଟେ ଭୁଲି ପାରେନା ।

 

ମଣିଷ ବଞ୍ଚିବା ପାଇଁ ଯେମିତି ବିଭିନ୍ନ ସୁରୁଚିପୂର୍ଣ୍ଣ ଖାଦ୍ୟ ଖାଏ, ସେମିତି ଅପା ଜୀବନକୁ ସୁଖମୟ କରିବାକୁ ସେଇ ଛଦ୍ମନାମ ‘ଶ୍ରୀ’ ର ଉପନ୍ୟାସ ପଢ଼େ ।

 

ଫାଲ୍‌ଗୁନୀ ଅପାର ନିର୍ବୋଧତାରେ ମନେ ମନେ ହସିଲା ନର୍ମଦା । ଉପନ୍ୟାସର ପ୍ରଖ୍ୟାତ ଲେଖକ ସେଇ ‘ଶ୍ରୀ’କୁ କେବେ ଦେଖିନି, ଜାଣିନି, ପରିଚିତ ହୋଇନାହିଁ । ରୂପ, ବୟସ, ଶିକ୍ଷା, ଯୋଗ୍ୟତା ବିଷୟରେ କିଛି ଜାଣିନି । ବିବାହିତ କି ଅବିବାହିତ ମଧ୍ୟ ଜାଣିପାରିନି, ଅଥଚ ସେଇ ଲେଖକ ‘ଶ୍ରୀ’ଙ୍କୁ ସେ ଭଲପାଏ.....ନିଜ ହୃଦୟରୁ ବଳି.....ପ୍ରାଣରୁ ଅଧିକ ।

 

ଫାଲ୍‌ଗୁନୀର ତନୁଲତାରେ କ୍ଷୀଣ ପରଶ ଦେଇ ନର୍ମଦା ଡାକିଲା–ଅପା ! ଅପା !!

 

ଫାଲ୍‌ଗୁନୀର ନିଦ ପାତଳ ଧରିଲା । ମୂଦା ଆଖିପତା ଦୁଇଟି ଧୀରେ ଧୀରେ ମୁକୁଳି ଗଲା । ଆଖି ଆଗରେ ନର୍ମଦା । ଫାଲ୍‌ଗୁନୀର ଅନୁଜା ।

 

ନର୍ମଦା କହିଲା–କେତେଟା ବାଜିଲାଣି ଜାଣୁ ଅପା ! ଆଠଟା । ଆଜି ବୋଧେ ତୁ କଲେଜ ଯିବୁ ନାହିଁ । ରାତିଟା ଉଜାଗର ରହି ‘ମାୟାବିନୀ ରାତ୍ରି’ ଯେପରି ପଢ଼ିଛୁ, ଆଜି କଲେଜ ନ ଯିବା ଶ୍ରେୟସ୍କର । ରାତ୍ରିର ନିଦ୍ରା ଦିନରେ ହୁଏତ କଟିଯିବ ।

 

ଫାଲ୍‌ଗୁନୀ ବିଛଣାରୁ ଉଠିଲା । ଅସଂଯତ ବେହରଣକୁ ନିଜ ଦେହ ଉପରେ ସଜାଇ ଦେଇ କହିଲା–ଉପନ୍ୟାସଟା କ’ଣ ହେଲା ?

 

‘ମାୟାବିନୀ ରାତ୍ରି’ !

 

ହଁ ।

 

ବର୍ତ୍ତମାନ କ’ଣ ସେଇ ଅସମାପ୍ତ ଉପନ୍ୟାସ ସମାପ୍ତ କରିବୁ ? ନର୍ମଦା ପଚାରିଲା ।

 

ହଁ । ଆଜି ପ୍ରଥମ ପିରିୟଡ଼ ଲିଜର ଅଛି ।

 

ଆଲମିରା ଭିତରୁ ‘ମାୟାବିନୀ ରାତ୍ରି’ ଉପନ୍ୟାସଟି କାଢ଼ି ନର୍ମଦା ବଢ଼ାଇଦେଲା ଫାଲ୍‌ଗୁନୀ ହାତକୁ ।

 

ଫାଲ୍‌ଗୁନୀ ଉପନ୍ୟାସ ପଢ଼ାରେ ମନ ଦେଲା ।

 

ନର୍ମଦା ବାହାରି ଆସିଲା କୋଠରୀ ଭିତରୁ ।

 

କଲେଜରେ ପହଞ୍ଚିଲା ବେଳକୁ ସାମାନ୍ୟ ବିଳମ୍ବ ହୋଇଯାଇଥିଲା । କ୍ଲାସ ଭିତରେ ପାଠପଢ଼ା ଆରମ୍ଭ ହୋଇ ଯାଇଥିଲା ।

 

ଫାଲ୍‌ଗୁନୀ ବାରଣ୍ଡା ଉପରେ ଠିଆହୋଇ କଣେଇ ଚାହିଁଲା । ଅଧ୍ୟାପକ ଶର୍ମା ନୋଟ୍‌ ଡାକୁଛନ୍ତି । ଭାବିଥିଲା ସେ କ୍ଲାସ ଭିତରକୁ ପଶିଯିବ । ସାମାନ୍ୟ ବିଳମ୍ବ ପାଇଁ କ୍ଷମା ମାଗି ନେବ । କିନ୍ତୁ ଯାଇପାରିଲାନି ସେ ।

 

ଅଧ୍ୟାପକ ଶର୍ମା କିଛି ନ କହିଲେ ମଧ୍ୟ କଥାଛଳରେ ଯେଉଁ କେତେପଦ ଉପଦେଶ ଦିଅନ୍ତି ତାହା ସହ୍ୟ କରିବାକୁ ଅସହଣୀୟ ହୋଇ ଉଠେ । ଯୌବନର ତୃତୀୟ ସୋପାନ ଅତିକ୍ରମ କରି ଯାଇଥିଲେ ମଧ୍ୟ ଯୁବସୁଲଭ ବ୍ୟବହାର କରି ଯେଉଁ ତିକ୍ତ ଆକ୍ଷେପ କରନ୍ତି ତାହା ଶୁଣିବାକୁ ଯେତିକି କଷ୍ଟଲାଗେ ସହ୍ୟ କରିବାକୁ ତତୋଧିକ କଷ୍ଟ ଲାଗେ ।

 

ସେ ଦିନ ସେମିତି ସାମାନ୍ୟ ବିଳମ୍ବ କରି ଆସିଥିଲା ଶଶୀକଳା । ଅଧ୍ୟାପକ ଶର୍ମା ସେତେବେଳେ ତଳକୁ ମୁହଁ ପୋତି ନୋଟ୍‌ ଡାକୁଥାନ୍ତି । ଶଶୀକଳା ଧୀର ପଦକ୍ଷେପରେ କ୍ଲାସ ଭିତରକୁ ପ୍ରବେଶ କରି ଫାଙ୍କା ପଡ଼ିଥିବା ଚେୟାର ଉପରେ ବସିପଡ଼ିଲା ।

 

ଅଧ୍ୟାପକ ଶର୍ମା କହିଲେ, କେତେ ମିନିଟ୍‌ ବିଳମ୍ବରେ ଆସିଛ ଶଶୀକଳା ?

 

ଚୋରି କରି ଧରାପଡ଼ିଯିବା ଆସାମୀ ଭଳି ଶଶୀକଳା ମୁହଁର ରଙ୍ଗ ବଦଳି ଯାଇଥିଲା । କିଛି ଉତ୍ତର ନ ଦେଇ ଶଶୀକଳା ନୀରବରେ ଠିଆହୋଇ ରହିଲା କେବଳ ।

 

ଅଧ୍ୟାପକ ହାତଘଣ୍ଟାକୁ ଚାହିଁ କହିଲେ, ଦଶ ମିନିଟ୍‌ ବିଳମ୍ବ ହୋଇଛି । କିନ୍ତୁ କାହିଁକି ?

 

ଥରଥର କଣ୍ଠରେ ଶଶୀକଳା ଉତ୍ତର ଦେଲା, ସାମାନ୍ୟ କାମ ଥିଲା ସାର୍‌ । ଆଉ ଏପରି ଭୁଲ ଭବିଷ୍ୟତରେ କେବେ ହେବ ନାହିଁ ।

 

କାମ ସମସ୍ତଙ୍କର ଥାଏ, ତମର ଥାଏ, ମୋର ଥାଏ, ଦୁନିଆରେ ଆଉ ପାଞ୍ଚଜଣଙ୍କର ଥାଏ । ତଥାପି ହାତରେ ଘଣ୍ଟା ପିନ୍ଧି ସମୟର ସଦ୍‌ବ୍ୟବହାର ଯଦି କରି ନ ପାର ତେବେ ଏତେ ଶିକ୍ଷାର ମର୍ଯ୍ୟାଦା ରହିଲା କେଉଁଠି ? ମୁଁ ଜାଣେ, ତମେ କାହାର ଅନୁରୋଧ ରକ୍ଷାକରି କଥାବାର୍ତ୍ତା ହେଉ ହେଉ ବିଳମ୍ବ ହୋଇ ଯାଇଥିବ ।

 

ଶ୍ରେଣୀ ମଧ୍ୟରେ ଏକ ହାସ୍ୟରୋଳ ଉଠିଲା ।

 

ପ୍ରତିବାଦ କଲା ଶଶୀକଳା । ନାଇଁ ସାର୍‌, ମୁଁ ଠିକ୍‌ ସମୟରେ କଲେଜକୁ ବାହାରିଥିଲେ ମଧ୍ୟ ବାଟରେ ମୋର ଏକ ଦୂର ସମ୍ପର୍କୀୟ ଭାଇଙ୍କ ସାଥୀରେ ଭେଟ ହୋଇଗଲା....

 

ବାସ୍‌, ମୁଁ ତ ସେଇୟା କହୁଥିଲି ।

 

ପୁଣି କ୍ଲାସ ମଧ୍ୟରେ ହସର ଲହରୀ ଖେଳିଗଲା ।

 

ଅଧ୍ୟାପକ ଶର୍ମା କହିଲେ, ହଉ ବସ, ଭବିଷ୍ୟତରେ ଏପରି ଭୁଲ ଆଉ କେବେ କରିବ ନାହିଁ ।

 

ଶଶୀକଳା ସମ୍ମତି ଜଣାଇ ନୀରବରେ ବସିପଡ଼ିଲା ।

 

ସେ ଦିନର କଥା ମନେପକାଇ ଶିହରି ଉଠିଲା ଫାଲ୍‌ଗୁନୀ । ନାଁ, ସେ କ୍ଲାସକୁ ଯିବନାହିଁ କି ଛାତ୍ରଛାତ୍ରୀମାନଙ୍କ ଗହଣରେ ଉପହାସର ପାତ୍ରୀ ହେବନାହିଁ ।

 

ଫାଲ୍‌ଗୁନୀ ଆସି ବିଶ୍ରାମ କକ୍ଷରେ ବସିପଡ଼ିଲା ।

 

କ୍ଲାସ ସମାପ୍ତ ହେଲା ।

 

ଅଧ୍ୟାପକ ଶର୍ମା କମନ୍‌ ରୁମ୍‌ ଦେଇ ଅତିକ୍ରମ କରିଗଲେ ।

 

ଫାଲ୍‌ଗୁନୀ ଆସି କ୍ଲାସ ଭିତରେ ବସିପଡ଼ିଲା ।

 

ସେଦିନର ରୁଟିନ୍‌ବନ୍ଧା ପାଠପଢ଼ା ଆରମ୍ଭ ହେଲା ।

 

ଶେଷ ପିରିୟଡ଼ ସମାପ୍ତ ହେଲା । ଫାଲ୍‌ଗୁନୀ ଭାବିଲା, ଅଧ୍ୟାପକ ଶର୍ମାଙ୍କ ନୋଟ୍‌ କାହା ପାଖରୁ ନେବ । କିଏ ନିର୍ଭୁଲଭାବେ ସବୁ ନୋଟ୍‌ ଲେଖିଥିବ ।

 

ଫାଲ୍‌ଗୁନୀ ଶ୍ରେଣୀ ମଧ୍ୟରେ ସମସ୍ତ ଛାତ୍ରଛାତ୍ରୀ ଉପରେ ଥରେ ଆଖି ବୁଲାଇ ଆଣିଲା ।

 

ହଠାତ୍‌ ଆଖିରେ ପଡ଼ିଲା ଶ୍ରୀକାନ୍ତ ।

 

ଶ୍ରୀକାନ୍ତ ପଟ୍ଟନାୟକ । ବିଶ୍ୱବିଦ୍ୟାଳୟର କୃତୀ ଛାତ୍ର ।

 

ଫାଲ୍‌ଗୁନୀ ଧୀରେ ଡାକିଲା, ଶ୍ରୀକାନ୍ତ ବାବୁ !

 

ନାରୀକଣ୍ଠରୁ ନିଜ ନାମର ସମ୍ବୋଧନ ଶୁଣି ଲେଉଟି ଚାହିଁଲା ଶ୍ରୀକାନ୍ତ ।

 

ଫାଲ୍‌ଗୁନୀ ଆସୁଛି ତାରି ଆଡ଼କୁ ।

 

ଶ୍ରୀକାନ୍ତ ନୀରବରେ ଠିଆହେଲା ।

 

ଫାଲ୍‌ଗୁନୀ ପାଖକୁ ଆସି କହିଲା, ଅଧ୍ୟାପକ ଶର୍ମାଙ୍କ ନୋଟ ଖାତାଟା ଦୟାକରି ଦେଇ ପାରିବେ କି ?

 

ଶ୍ରୀକାନ୍ତ ମୁହଁ ଟେକି ଚାହିଁଲା । ଅପ୍‌ସରା ରୂପୀ ଏକ ତରୁଣୀ । ମଖମଲି ବ୍ଲାଉଜ ଉପରେ ଟେରେଲିନ୍‌ ଶାଢ଼ୀ ।

 

ନିଃସଙ୍କୋଚରେ ଶ୍ରୀକାନ୍ତ ନୋଟ୍‌ଖାତାଟି ବଢ଼ାଇଦେଲା ।

 

ନୋଟ୍‍ଖାତାଟିକୁ ହାତରେ ଧରି ଫାଲ୍‌ଗୁନୀ ଲେଉଟି ଆସିଲା ।

 

ଆସିଲା ବେଳେ ହଠାତ୍‌ ତା’ର ମନର ଉପବନରେ ଶ୍ରୀକାନ୍ତର ରୂପରେଖ ନାଚି ଉଠିଲା-। କି ନିରୀହ, ଶାନ୍ତ, ସରଳ ଏକ ଶ୍ରୀକାନ୍ତ । ସାଧାସିଧା ପରିଧାନ ଖଣ୍ଡେ ଧୋତି, ଆଉ ଫୁଲସାଟ୍‌-। ସାର୍ଟର ହାତ ଭଙ୍ଗାହୋଇ କହୁଣୀ ପର୍ଯ୍ୟନ୍ତ ଆସିଥିବ । ଆଉ ପାଦରେ ଶସ୍ତାଧରଣର ଚପଲ । ହାତରେ ଘଣ୍ଟା ନାହିଁ କି ସ୍ୱର୍ଣ୍ଣ ଅଙ୍ଗୁରୀୟ ନାହିଁ । ବ୍ୟବହାର ମଧ୍ୟ ଖୁବ୍‌ ଚମତ୍କାର । ଧୀର କଥା, ସରଳ ଭାଷା । ଆବଶ୍ୟକ ନ ହେଲେ ତୁଣ୍ଡ ଖୋଲେ ନାହିଁ । ଠିକ୍‌ ମାପଚୁପ୍‍ କଥା । ଛାତ୍ରମାନଙ୍କ ସହିତ ବିଶେଷ କଥାଭାଷା କରିବାକୁ ମୋଟେ ପସନ୍ଦ କରେ ନାହିଁ ।

ସେଇ ଶାନ୍ତ ସରଳ ଶ୍ରୀକାନ୍ତର ରୂପରେଖ ହଠାତ୍‌ ତା’ର ମନର ଉପବନରେ ତରଙ୍ଗ ଭଳି ଖେଳିଯିବାରୁ ସେ ବସ୍ମିତ ହୋଇ ଉଠିଲା । ମଧ୍ୟବିତ୍ତ ପରିବାରର ସନ୍ତାନ, ଅନାମଧେୟ ଯୁବକ ଶ୍ରୀକାନ୍ତ କାହିଁକି ତା’ର ମନକୁ ଆକର୍ଷଣ କରୁଛି ?

ଫାଲ୍‌ଗୁନୀ ବିସ୍ମିତ ହେଉଥିଲା ।

ଶ୍ରୀକାନ୍ତ ଜୀବନର ଏକ ପ୍ରଧାନ ଘଟଣା ତା’ ମନ ମଧ୍ୟରେ ଖେଳିଗଲା ।

କଲେଜ ସାଥୀ ଅନୁକମ୍ପା ତା’ର ଜନ୍ମବାର୍ଷିକ ଉତ୍ସବରେ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ନିମନ୍ତ୍ରଣ କରିଥିଲା । ଠିକ୍‌ ସମୟରେ ତା’ ବାସଭବନରେ ସମସ୍ତେ ଉପସ୍ଥିତ ହୋଇଥିଲେ । କେବଳ ଉପସ୍ଥିତ ହୋଇନଥିଲା ଏଇ ଶ୍ରୀକାନ୍ତ ।

ତହିଁ ଆରଦିନ ।

ଅନୁକମ୍ପା ଶ୍ରୀକାନ୍ତକୁ ସାକ୍ଷାତ୍‌ କରି କ’ଣ କହିବା ପୂର୍ବରୁ ଶ୍ରୀକାନ୍ତ କହିଲା, ତୁମ ଜନ୍ମ ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ଶତଚେଷ୍ଟା କରି ମଧ୍ୟ ଯୋଗଦେଇ ନ ପାରିଥିବାରୁ ମୁଁ ଭୀଷଣ ଦୁଃଖିତ ଅନୁକମ୍ପା ! ହଠାତ୍‌ ଏକ ଜରୁରୀ କାର୍ଯ୍ୟରେ...

 

ଅନୁକମ୍ପା ହସିଲା କେବଳ । କହିଲା, ମୁଁ ଜାଣେ ଆପଣ ମିଛ କହିବେ, ଛଳନା କରିବେ-

 

ମୋତେ ବିଶ୍ୱାସ କର ଅନୁକମ୍ପା, ମୁଁ ତ ସତ କହୁଛି ।

 

ଶ୍ରୀକାନ୍ତର କଥାରେ ବିଶ୍ୱାସ କରି ଅନୁକମ୍ପା ଚାଲିଯାଇଥିଲା ।

 

ତା’ପରେ ଆସିଥିଲା ଶ୍ରୀକାନ୍ତର ପ୍ରଧାନ ସାଥୀ ବିଜନ । କହିଲା, କିରେ ! କାଲି ଅନୁକମ୍ପା ଘରକୁ ଗଲୁନି ଯେ ! ତୋର ଉପସ୍ଥିତି ସେଠାରେ ଆମେ କାମନା କରୁଥିଲୁ ।

 

ଶ୍ରୀକାନ୍ତ କହିଲା, ମୋ ପାଇଁ ଉତ୍ସବ ବନ୍ଦ ହୋଇ ଯାଇନି ତ ! ...ଏତେ ଚିନ୍ତା କାହିଁକି ?

 

ଆରେ ଯାଃ, ସେଠାରେ ଯେଉଁ ଆମର ଜମି ଥିଲା ନା ! ତୋତେ ଆଉ କ’ଣ କହିବି । ଅନୁକମ୍ପାର ରୂପ କାଲି ଯେପରି ଥିଲା ସ୍ୱତନ୍ତ୍ର, ଭିନ୍ନ । ନିଜର ଅଙ୍ଗଭୂଷଣକୁ କି ଚମତ୍କାର ଭାବରେ ସଜାଇଥିଲା ! କପାଳରେ କୁଙ୍କୁମ, ପାଦରେ ଅଳତା, ଅଧରରେ ଲିପ୍‌ଷ୍ଟିକ, ଆଉ ଦେହସାରା ହିମାଳୟ ପାଉଡ଼ରର ପ୍ଲାଷ୍ଟରିଂ । ସତେ ଯେପରି ସ୍ୱର୍ଗପୁରୀର ଉର୍ବଶୀ ଆଉ ଅଙ୍ଗଭୂଷଣ କ’ଣ ଜାଣିଛୁ ? ଭଏଲର ବ୍ଲାଉଜ ଉପରେ ଷ୍ଟ୍ରେଚ୍‌ ଶାଢ଼ୀ । ....ପୁଣି ଟେବୁଲ ହାରମୋନିୟମ ବଜାଇ ଯେଉଁ ଗୀତ ବୋଲୁଥିଲା, ତୁ ଶୁଣିଲେ ନିଶ୍ଚୟ ବିହ୍ୱଳ ହୋଇ ପଡ଼ିବୁ ।

 

ଶ୍ରୀକାନ୍ତ ହସିଲା । କହିଲା, ନିମନ୍ତ୍ରିତ ଅତିଥି ହୋଇ ଅନୁକମ୍ପାର ରୂପ ବର୍ଣ୍ଣନା କରିବା ଆଦୌ ଉଚିତ ହେଉନି ବିଜନ । ଅନୁକମ୍ପା ସୁନ୍ଦରୀ ହୋଇପାରେ । ସେଥିରେ ଆମର କ’ଣ ଅଛି ?

 

ବିଜନ କହିଲା, ହଉ ଭାଇ, ତୋତେ କୌଣସି କଥା କହିଲେ ତୁ ନୀତିଶିକ୍ଷା ଦେବୁ । ଉପଦେଶ ଦେବୁ । ହଉ, କାଲି କାହିଁକି ଯାଇ ନଥିଲୁ କହିଲୁ ?

 

ତେବେ ସତ କଥାଟା ଶୁଣିବୁ ନିଶ୍ଚୟ ।

 

ହଁ, ତୁ କ’ଣ ମିଛ କହିବୁ ବୋଲି ଭାବିଥିଲୁ ?

 

ହଁ, ବର୍ତ୍ତମାନ ଅନୁକମ୍ପା ଆସି ଅଭିଯୋଗ କରୁଥିଲା । ତାକୁ ମିଛ ଉତ୍ତର ଦେଇ ଲେଉଟାଇ ଦେଇଛି ।

 

କାରଣ ? ବିଜନ ପଚାରି ଉଠିଲା ।

 

ଝିଅମାନଙ୍କୁ ମଁ ସତ କୁହେ ନାହିଁ । ଦୁନିଆରେ ଯଦି ଅବିଶ୍ୱାସୀ ଜାତି କିଏ ଥାଏ । ତେବେ ନାରୀ ଜାତିଟା ହେଉଛି ସବୁଠାରୁ ଅବିଶ୍ୱାସୀ । ବୁଲା କୁକୁରକୁ ଦିନେ ମୁଠାଏ ଅଇଁଠା ଭାତ ଦେଇଥିଲେ ଅସମୟରେ ସେ ସାହାଯ୍ୟ କରିବାକୁ କୁଣ୍ଠାବୋଧ କରେ ନାହିଁ । ଅଥଚ ଏଇ ନାରୀ ଜାତି....ଛାଡ଼, କାଲି କାହିଁକି ଯାଇ ନଥିଲି ଶୁଣିବୁ ?

 

ହଁ, କ’ଣ କହ ? ବିଜନ ପଚାରିଲା ।

 

ଶ୍ରୀକାନ୍ତ କହିଲା, ତୁ ଜାଣୁ ବିଜନ, ମୁଁ ବଡ଼ଲୋକମାନଙ୍କୁ ଘୃଣା କରେ । ତାଙ୍କ ସହିତ ମିଶିବାକୁ ମୁଁ ଭୀଷଣ କୁଣ୍ଠାବୋଧ କରେ । ଅପକର୍ମ କରି ପୁଳାଏ ଟଙ୍କା ଅର୍ଜନ କରିଥିବାରୁ ମଧ୍ୟବିତ୍ତ ପରିବାରର ଲୋକଙ୍କୁ ସେମାନେ ହୀନ, ନୀଚ ଦୃଷ୍ଟିରେ ଦେଖନ୍ତି । କଥାଭାଷା କରିବାକୁ କୁଣ୍ଠାବୋଧ କରନ୍ତି । ବଡ଼ଲୋକର ଗର୍ବ, ଅହଙ୍କାର, ଆତ୍ମାଭିମାନ ନେଇ ଆମ ଭଳି ଲୋକଙ୍କୁ ଆଡ଼ ଆଖିରେ ଚାହାନ୍ତି ନାହିଁ । ସାମନାରେ ଦେଖା ହୋଇଗଲେ ଆଡ଼େଇ ହୋଇ ଚାଲି ଯାଆନ୍ତି ।

 

ଅଥଚ ଆମେ.....

 

ଧନୀ ହୋଇ ତାଙ୍କର ଯଦି ଗର୍ବ, ଅହଙ୍କାର ରହି ପାରିଲା, ତେବେ ଆମର କ’ଣ ଗର୍ବ କରିବାର କିଛି ନାହିଁ । ଅନୁକମ୍ପା ବଡ଼ଲୋକର କନ୍ୟା । କାଲିର ଉତ୍ସବରେ ଅନେକ ବଡ଼ଲୋକ ଯୋଗ ଦେଇଥିବେ । ଉପହାରରେ ପୋତି ହୋଇ ପଡ଼ିଥିବ ଅନୁକମ୍ପା । କିନ୍ତୁ ମୁଁ କେଉଁ ମୁହଁରେ ଯାଇଥାଆନ୍ତି କହିଲୁ ? ନାହିଁ ଉପହାର ନାହିଁ ପରିଧାନ । ଏହି ମଇଳା ବସନ, ଫୁରୁ ଫୁରୁ କେଶ, ଦରଛିଣ୍ଡା ଚପଲ ପିନ୍ଧି ଅନୁକମ୍ପାର ଜନ୍ମ ଉତ୍ସବରେ ଯୋଗ ଦେଇଥାଆନ୍ତି । ସେଇ ବଡ଼ ଲୋକମାନେ ଦେଖିଲେ କ’ଣ କହିଥାନ୍ତେ ? କ’ଣ ଭାବିଥାନ୍ତେ ? ତା’ଛଡ଼ା ଅନୁକମ୍ପା ସେମାନଙ୍କୁ ମୋର ପରିଚୟ କ’ଣ ବୋଲି ଦେଇଥାଆନ୍ତା ?

 

ଶ୍ରୀକାନ୍ତର କଥାକୁ ବିଜନ ହୃଦୟଙ୍ଗମ କଲା । ଶ୍ରୀକାନ୍ତ କିଛି ଭୁଲ୍‍ କହୁନାହିଁ ତ ?

 

ତା’ପରେ ବିଜନ ଚାଲି ଯାଇଥିଲା ।

 

ସେଇ ଶ୍ରୀକାନ୍ତ ଜୀବନର ଏକ ଅଧ୍ୟାୟ ଫାଲ୍‌ଗୁନୀର ମନେ ପଡ଼ିଗଲା । ଏଥର କେବେ ସୁବିଧା ସୁଯୋଗ ଦେଖି କହିବ–ଦୁନିଆରେ ସମସ୍ତଙ୍କୁ ସମାନ ମାପକାଠିରେ ମାପି ଆପଣ ବିରାଟ ଭୁଲ୍‌ କରୁଛନ୍ତି ଶ୍ରୀକାନ୍ତ ବାବୁ । ସବୁ ମଣିଷ ସମାନ ନୁହଁନ୍ତି । ସମସ୍ତେ ଏକ ଉପାଦାନରେ ଗଢ଼ା ନୁହନ୍ତି । ଜଙ୍ଗଲ ଭିତରେ ମଧ୍ୟ ତୁଳସୀ ଗଛ ଜନ୍ମ ହୋଇଥାଏ । ଆଉ ତୁଳସୀ–ଚଉରାରେ ମଧ୍ୟ ବିଛୁଆତି ଗଛ ଜନ୍ମ ନେଇଥାଏ । ଅଥଚ ଦୁନିଆର ସବୁ ଧନୀଲୋକମାନଙ୍କୁ ଏକ ମାପକାଠିରେ ଓଜନ କରି ଆପଣ ଭୁଲ କରୁଛନ୍ତି । ଯେଉଁ ଧନୀଲୋକମାନେ ଆପଣଙ୍କୁ ସମ୍ମାନ ଦେଇ ଶିଖି ନାହାନ୍ତି, ଯେଉଁମାନେ ନିଜ ସମ୍ମାନକୁ ବଡ଼ ମନେକରି ଆପଣଙ୍କ ପ୍ରତି ଅନ୍ୟାୟ ଅବିଚାର କରିଛନ୍ତି ତାଙ୍କ ପ୍ରତି ଆପଣ ପ୍ରତିଶୋଧ ନିଅନ୍ତୁ । ସେମାନଙ୍କୁ ଉଚିତ ଶିକ୍ଷା ଦିଅନ୍ତୁ । ଅଥଚ.....

 

ଗୋଟିଏ ଇତର ଲୋକର ବ୍ୟକ୍ତିଗତ କଥାଗୁଡ଼ାକ ଭାବୁ ଭାବୁ କେତେବେଳେ ଯେ ଫାଲ୍‌ଗୁନୀ ଘରଦୁଆର ମୁହଁରେ ପହଞ୍ଚିଯାଇଛି, ସେ ମୋଟେ ଜାଣିପାରିନି ।

 

ଘର ଭିତରୁ ନର୍ମଦା ବାହାରି ଆସୁ ଆସୁ ଦରଜା ପାଖରେ ଫାଲ୍‌ଗୁନୀ ସହିତ ସାମାନ୍ୟ ଧକ୍‌କା ହୋଇଯିବାରୁ ଅପାକୁ ଲକ୍ଷ୍ୟକରି କହିଲା–ତୁ ସବୁବେଳେ ଏତେ ଅନ୍ୟମନସ୍କ କାହିଁକି ରହୁଛୁ ଅପା !

 

ଶିହରୀ ଉଠିଲା ଫାଲ୍‌ଗୁନୀ । ନର୍ମଦାକୁ ଚାହିଁ କହିଲା–ମାନେ ?

 

କଥାର ମୋଡ଼ ଘୂରାଇ ନର୍ମଦା କହିଲା–ବାହାରେ ମୋର ସାମନ୍ୟ କାମ ଅଛି ଅପା ! ଘଣ୍ଟେ ଦୁଇଘଣ୍ଟା ଭିତରେ ମୁଁ ଫେରି ଆସିବି । ବାପାଙ୍କୁ ଏ ବିଷୟ ବିନ୍ଦୁ ସଂସର୍ଗ ଜଣାଇବୁ ନାହିଁ ।

 

ଫାଲ୍‌ଗୁନୀ ଉତ୍ତର ଦେବା ପୂର୍ବରୁ ନର୍ମଦା ଚାଲି ଯାଇଥିଲା । କିନ୍ତୁ ଫାଲ୍‌ଗୁନୀ ପ୍ରତି ସେ ଯେଉଁ ତୀକ୍ଷ୍‌ଣ ଶର ନିକ୍ଷେପ କରିଗଲା ସେଇ କ୍ଷତର ଜ୍ୱାଳା ଏ ପର୍ଯ୍ୟନ୍ତ ବି ଅନୁଭବ କରୁଥିଲା ଫାଲ୍‌ଗୁନୀ । ନର୍ମଦା ତାକୁ ସନ୍ଦେହ କରିଚି । ନିରୋଳାରେ ଚିନ୍ତା କରେ ବୋଲି କହିଛି–‘ଶ୍ରୀ’ଙ୍କ କଥା ଭାବୁଛି ଅପା ! ଶ୍ରୀଙ୍କୁ ଥରେ ସ୍ୱ ଚକ୍ଷୁରେ ନ ଦେଖି ତାଙ୍କୁ ଏତେ ଭାବିବା ନିଶ୍ଚୟ ଅନ୍ୟାୟ ।

 

ହାତରେ ଧରିଥିବା ପାଠ୍ୟପୁସ୍ତକ ଗୁଡ଼ିକ ଟେବୁଲ ଉପରେ ରଖି ଦେଇ ବିଛଣା ଉପରେ ଲୋଟି ପଡ଼ିଲା ଫାଲ୍‌ଗୁନୀ ।

 

ଆଖି ଆଗରେ ନାଚି ଉଠିଲା ଶ୍ରୀକାନ୍ତର ପ୍ରତିଚ୍ଛବି । ଶ୍ୟାମଳ ବର୍ଣ୍ଣର ଏକ ମଧ୍ୟବିତ୍ତ ପରିବାର ସନ୍ତାନ । କିନ୍ତୁ ଆଖିରେ କି ଉଜ୍ଜ୍ୱଳ ଜ୍ୟୋତି ! ଆଭିଜାତ୍ୟ ହୀନ, ଐଶ୍ୱର୍ଯ୍ୟହୀନ ଏକ ସନ୍ତାନ । ଧନୀମାନଙ୍କୁ ଭୀଷଣ ଘୃଣା କରେ । କିନ୍ତୁ କାହିଁକି ? କାହିଁକି ସେ ଅନ୍ୟମାନଙ୍କୁ ସମ୍ମାନ ଦେଖାଏ ନାହିଁ । ଅନୁକମ୍ପା ଘରକୁ ନ ଯାଇ, ନିଜ ସମ୍ମାନରେ ବାଧା ପଡ଼ିବ ବୋଲି ମିଛର ଆଶ୍ରୟ ନେଇ ଅନୁକମ୍ପାକୁ ପ୍ରତାରିତ କରିଛି ଆଉ ନିଜର ସାଥୀ ବିଜନକୁ ସତ ଘଟଣାଟା ଜଣାଇ ଦେଇଛି-

 

ତେବେ ଶ୍ରୀକାନ୍ତ ଜୀବନରେ କ’ଣ ଏକ ବିରାଟ ଅଧ୍ୟାୟ ଲୁକ୍‌କାୟିତ ହୋଇ ରହିଛି ? କୌଣସି ଧନୀବ୍ୟକ୍ତି ପାଖରୁ କ’ଣ ଅପମାନିତ ହୋଇଛି ଶ୍ରୀକାନ୍ତ ? ନା ଧନୀମାନଙ୍କୁ ଘୃଣା କରିବା ତା’ର ଜନ୍ମଗତ ଲକ୍ଷଣ ? ? ?

 

ଫାଲ୍‌ଗୁନୀ ଭାବିଲା, କାହିଁକି ସେ ଶ୍ରୀକାନ୍ତ ବିଷୟ ଏକ ଚିନ୍ତା କରୁଛି ? ଶ୍ରେଣୀର ଶହ ଶହ ଛାତ୍ରଙ୍କ ମଧ୍ୟରୁ ସେ ଜଣେ ଛାତ୍ରବନ୍ଧୁ । ୟା’ ଛଡ଼ା ଆଉ ତ କିଛି ଅଧିକ ସମ୍ପର୍କ ନାହିଁ । ତଥାପି କାହିଁକି ଶ୍ରୀକାନ୍ତ ତା’ ମନର ଦର୍ପଣରେ ବାରମ୍ବାର ଦେଖା ଦେଉଛି ।

 

ଫାଲ୍‌ଗୁନୀ ଶପଥ କଲା, ସେ ଆଉ ଶ୍ରୀକାନ୍ତ ବିଷୟ କେବେ ଚିନ୍ତା କରିବ ନାହିଁ । ଶ୍ରୀକାନ୍ତ ବୋଲି ଏକ ଛାତ୍ର ବନ୍ଧୁ ତା’ ମନଛୁଆଁ କଥା କେତେପଦ ତା’ ମନର ପରିଧିକୁ ଆନ୍ଦୋଳିତ କରିଥିଲା ବୋଲି ସେ କେବେ ଚିନ୍ତା କରିବ ନାହିଁ ।

 

କିନ୍ତୁ, ଫାଲ୍‌ଗୁନୀର ଶପଥ କେବଳ ଶପଥରେ ରହିଗଲା । ଯାହା କଥା ମୋଟେ ଭାବିବ ନାହିଁ ବୋଲି ଦୃଢ଼ ସଂକଳ୍ପ କରିଥିଲା, ପରମୁହୂର୍ତ୍ତରେ ସେଇ ଶ୍ରୀକାନ୍ତର ପ୍ରତିଛବି ଆଖି ଆଗରେ ଉଦ୍‌ଭାସିତ ହୋଇ ଉଠିଲା ।

 

ସତରେ ମା କି ବଳିଷ୍ଠ ଚରିତ୍ର ଶ୍ରୀକାନ୍ତର !

 

କେଡ଼େ ଆଦର୍ଶଭରା, ମନଛୁଆଁ କଥାଗୁଡ଼ାକ ତା’ର !

 

ସେଦିନ ବିଜନ ଅନୁକମ୍ପାର ମନଭୁଲା ରୂପ ବର୍ଣ୍ଣନା କରୁଥିବା ବେଳେ ବାଧା ଦେଇଥିଲା ଶ୍ରୀକାନ୍ତ । କହିଥିଲା–ତୁ ଭୁଲି ଯାଉଛୁ ବିଜନ ! ଅନୁକମ୍ପାର ଆତିଥ୍ୟ ହୋଇ ତା’ର ନଗ୍ନ–ରୂପ ଶୈଳୀ ବର୍ଣ୍ଣନା କରିବା ଆଦୌ ଉଚିତ ହେଉନାହିଁ । ଅନୁକମ୍ପା ଖୁବ୍‌ ସୁନ୍ଦରୀ ହୋଇପାରେ, ସେଥିରେ ଆମର କ’ଣ ଅଛି କହିଲୁ ?

 

ଚଟ୍‌କରି ବିଜନ କହି ଉଠିଲା, ତୁ ଅନୁକମ୍ପାର ଚରିତ୍ର ବିଷୟରେ କିଛି ଜାଣୁ ଶ୍ରୀକାନ୍ତ ?

 

ଅନ୍ୟ ଝିଅର ଚରିତ୍ର ବିଷୟରେ ମୁଁ ଜାଣିବାକୁ କେବେ ଚେଷ୍ଟା କରିନାହିଁ କି ଇଚ୍ଛାକରି ଶୁଣିବାକୁ କେବେ ଚାହିଁନାହିଁ । ତା’ ଛଡ଼ା ଚରିତ୍ର ହେଉଛି ମଣିଷ ଜୀବନର ମାନଦଣ୍ଡ । ନିଜର ଚରିତ୍ର ନିଜକୁ ଆଦର୍ଶ, ବିରାଟ କରି ଗଢ଼େ । ଯାହାର ଚରିତ୍ରରେ କଳଙ୍କି ଧରିଥାଏ, ତା’ର ଜୀବନରେ କଳଙ୍କି ଲାଗିଯାଏ । ସେ କେବଳ ଦୁନିଆରେ ଉପହାସର ପାତ୍ରୀ ହୋଇ ରହିଯାଏ କାଳକାଳକୁ । କିନ୍ତୁ ସତୀକନ୍ୟା ସବୁବେଳେ ଦୁନିଆରେ ପୂଜ୍ୟା ହୋଇ ରହିଥାଏ । ସେ ଯୁଗର ସୀତା, ସାବିତ୍ରୀ ସତୀ ନାରୀ ଥିଲେ, ଏ ଯୁଗରେ ବିଷକନ୍ୟା କ୍ରିଷ୍ଣନ କିଲର, ମାରଲିନ୍‌ ମନୋରା ବି ଅଛନ୍ତି । ତଥାପି ଦୁନିଆର କିଛି କ୍ଷତି ହୋଇଯାଇନି । ସର୍ବଂସହା ଧରିତ୍ରୀ ସମସ୍ତଙ୍କୁ ଆଶ୍ରୟ ଦେଇଛି ତା’ର ବିରାଟ ବୁକୁ ଉପରେ । କିନ୍ତୁ ଗୋଟିଏ ଅବିବାହିତା ତରୁଣୀର ବ୍ୟକ୍ତିଗତ ଜୀବନ, ଚରିତ୍ର, ତା’ ମନଭୁଲା ରୂପକୁ ଲୋକଲୋଚନ ଆଗରେ ସମାଲୋଚନା କରିବା ଆଦୌ ଉଚିତ ନୁହେଁ ।

 

ବିଜନ ବାଧାଦେଲା । –ତୁ ମୋଟେ ବୁଝୁନୁ ଶ୍ରୀକାନ୍ତ ! ଅନୁକମ୍ପାର ଚରିତ୍ରକୁ କେନ୍ଦ୍ରକରି ଯେଉଁ ଆଲୋଚନା ସମାଲୋଚନା ହେଉଛି...

 

ଶ୍ରୀକାନ୍ତ ମୃଦୁ ହସି ଚଟ୍‌କରି କହିଉଠିଲା–ଅନୁକମ୍ପାର ଚରିତ୍ରକୁ କେନ୍ଦ୍ରକରି ଯେଉଁ କୁତ୍ସିତ ସମାଲୋଚନା ହେଉଛି ତାକୁ ଶୁଣିବାକୁ ଖୁବ୍‌ ଭଲ ଲାଗୁଛି । କିନ୍ତୁ ଅନୁକମ୍ପା ଯଦି ତୋର ନିଜର ଭଉଣୀ ହୋଇଥାନ୍ତା ତେବେ.....

 

ଅସମ୍ଭବ ଭାବରେ କ୍ଷତବିକ୍ଷତ ହୋଇ ଉଠିଲା ବିଜନ । ଶ୍ରୀକାନ୍ତ କଥାର କୌଣସି ଉତ୍ତର ନ ଦେଇ ଲେଉଟି ଯାଇଥିଲା ସେ ।

 

ଆଉ ଦିନକର କେତେ ଆକ୍ଷେପମୂଳକ ସମାଲୋଚନା ।

 

ତୁ ଜାଣୁ ବିଜନ, ମୋ ଜନ୍ମର ଦଶବର୍ଷ ପରେ ମୋ ପିତା ଅଚାନକ ପ୍ରାଣତ୍ୟାଗ କଲେ । ତା’ପରେ ଆରମ୍ଭ ହୋଇଥିଲା ଆମର ଦୁର୍ଦ୍ଦିନ । ବିଧବା ମା’ ଆଉ ମୁଁ । ଏଇ ଆମର ପରିବାର, ଏଇ ଆମର ସଂସାର । ମୋର ବାପା ଧନୀ ନ ଥିଲେ । ବ୍ୟାଙ୍କରେ ଆମର ଲକ୍ଷ ଲକ୍ଷ ଟଙ୍କା ନ ଥିଲା, ନ ଥିଲା ଦ୍ୱିତଳ ପ୍ରାସାଦ । ତଥାପି ସେ ଯେତିକି ସଞ୍ଚୟ କରିଥିଲେ ମୋର କଲେଜ ପାଠ ପଢ଼ା ବେଳକୁ ନିଅଣ୍ଟ ହେଲା । ତଥାପି ମୁଁ ମୋର କର୍ତ୍ତବ୍ୟରେ କେବେ ଅବହେଳା କରିନି । କଲେଜ ପାଠପଢ଼ା ଭିତରେ ଦୁଇଟା ଟିଉସନ ଧରି ସେଥିରେ ଯାହା ପାଏ ମୋର କଲେଜ ଦରମା, ବହିପତ୍ର ଓ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇ ନିଏ । କିନ୍ତୁ ନିଜ ଉଦରର ପରିପୋଷଣ ପାଇଁ ମୁଁ ଅକ୍ଷମ ହୋଇପଡ଼େ । ମୁଁ ନିଜେ ହୁଏତ ଉପବାସରେ ଦିନ ଦିନ ଧରି କଟାଇ ଦେବି, କିନ୍ତୁ ଘରେ ଯେଉଁ ବିଧବା ମା ମୋରି ହାତକୁ ଚାହିଁ ବସିଛି ତା’ ମୁହଁରେ ତ ଆହାର ଦେବାକୁ ପଡ଼ିବ ! ଭାବିଥିଲି ପାଠପଢ଼ା ଛାଡ଼ିଦେବି, ଟିଉସନ ଟଙ୍କାରେ ଯାହା ମିଳିବ ସେଇଥିରେ କଷ୍ଟେମଷ୍ଟେ ଚଳିଯିବୁ । ତା’ପରେ ଚାକିରି ଖୋଜି ବୁଲିବି ।

 

ହଠାତ୍‌ ମୋର ଛାତ୍ର ଜୀବନର କଥା ମନେ ପଡ଼ିଗଲା ।

 

କେବଳ ଆମ ଶ୍ରେଣୀରେ ନୁହେଁ, ଆମ ସ୍କୁଲରେ ମୁଁ ଥିଲି ସବୁଠାରୁ ଦୁଷ୍ଟ, ଅବାଧ୍ୟ, ଉଚ୍ଛୃଙ୍ଖଳ ଛାତ୍ର । ପ୍ରଧାନ ଶିକ୍ଷକଙ୍କଠାରୁ ଆରମ୍ଭ କରି ସ୍କୁଲର ସମସ୍ତ ଶିକ୍ଷକ ମୋତେ କୋପ ଦୃଷ୍ଟିରେ ଦେଖୁଥିଲେ ମଧ୍ୟ ଅନ୍ତର ମଧ୍ୟରେ ମାତେ ପ୍ରଗାଢ଼ ସ୍ନେହ କରୁଥିଲେ । କାରଣ ମୁଁ ଯେତେ ଅବାଧ୍ୟ, ଦୁଷ୍ଟ, ଉଚ୍ଛୃଙ୍ଖଳ ଛାତ୍ର ହେଲେ ମଧ୍ୟ ପ୍ରତିବର୍ଷ ପ୍ରତି ଶ୍ରେଣୀରେ ମୁଁ ପ୍ରଥମ ସ୍ଥାନ ଅଧିକାର କରୁଥିଲି ।

 

ମାଟ୍ରିକ୍‌ ପରୀକ୍ଷା ଖୁବ୍‌ ଅଳ୍ପଦିନ ଥାଏ । ଦିନେ ପ୍ରଧାନ ଶିକ୍ଷକ ମୋତେ ତାଙ୍କ ଘରକୁ ଡାକିନେଇ କହିଲେ–ତମେ ଦିନକୁ ଦିନ ଭୀଷଣ ଭାବରେ ଅବାଧ୍ୟ ହୋଇଉଠୁଛ ଶ୍ରୀକାନ୍ତ । ପ୍ରତିଦିନ ତୁମ ବିରୁଦ୍ଧରେ ଅନେକ ଅଭିଯୋଗ ଶୁଣେ । ତଥାପି ଆଜି ପର୍ଯ୍ୟନ୍ତ ତମ ଉପରେ କୌଣସି ଶାସ୍ତି ବିଧାନ କରିନାହିଁ; କିନ୍ତୁ ମୋର କହିବାର କଥା; ନିଜର ଭବିଷ୍ୟତ ପାଇଁ ଏପରି ଉଚ୍ଛୃଙ୍ଖଳ ଆଦୌ ଶୋଭାପାଏନି । ନିଜ ଭବିଷ୍ୟତକୁ ସରସ, ସୁନ୍ଦର ସହଜ କରି ଗଢ଼ିବା ପାଇଁ ଆଜହୁଁ ସାବଧାନ ନ ହେଲେ ତମେ ଠକିଯିବ ଶ୍ରୀକାନ୍ତ ! ଦୁନିଆ ଦରବାରରେ ତମେ ପରାଜିତ ହେବ । ତେଣୁ ମୋର ଉପଦେଶ, ତମେ ଏପରି ଅବାଧ୍ୟ ନ ହୋଇ ନିଜକୁ ଗଢ଼ିବାକୁ ଶିଖ, ଭବିଷ୍ୟତ ପାଇଁ ସଜାଗ ରୁହ ।

 

ଉତ୍ତରରେ ମୁଁ କହିଥିଲି–ମୋର ଅପରାଧ ସାର !

 

ଅପରାଧ ତ ଅନେକ । ସେ ସବୁ ପୁନରାବୃତ୍ତି କରିବାକୁ ମୁଁ ଚାହୁଁ ନାହିଁ । କିନ୍ତୁ ତମେ ଯଦି ଉଚ୍ଚଶିକ୍ଷା ପାଇଁ ଲାଳାୟିତ ତେବେ ଆଜିଠାରୁ ନିଜକୁ ଗଢ଼ି ଶିଖ । ତମ ପ୍ରତି ମୋର ସବୁବେଳେ ସବୁ ସମୟରେ ଆନ୍ତରିକତା ରହିଛି, ତମପ୍ରତି ସମବେଦନା ରହିଛି, ସ୍ନେହ ରହିଛି । ଯଦି ତମେ ମୋର ଉପଦେଶ ଗ୍ରହଣ ନକର ତେବେ ତମ ଜୀବନଟା କେବଳ ବୃଥା ହୋଇଯିବ ତାହା ନୁହେଁ ଉଚ୍ଚଶିକ୍ଷାର ଆକାଂକ୍ଷା ମଧ୍ୟ ବିଫଳ ହେବ ।

 

ବିସ୍ମୟରେ ଚମକି ଉଠିଥିଲେ ସେଦିନ ତାଙ୍କ ଉତ୍ତରରେ ।

 

ସ୍କୁଲରେ ପାଠପଢ଼ିଲା ବେଳେ ମୁଁ ଶପଥ କରିଥିଲି, ମୁଁ ବହୁତ ପଢ଼ିବି, ଅନେକ ପଢ଼ିବି, କେବଳ ଏଇ ଓଡ଼ିଶାରେ ନୁହେଁ କି ଭାରତରେ ନୁହେଁ, ମୁଁ ପାଠପଢ଼ିବାକୁ ବିଦେଶ ଯିବି । ଆମେରିକା, ଋଷିଆ, କାନାଡ଼ା; ଗ୍ରେଟ୍‌ବିଟେନ ଯାତ୍ରା କରିବି । କିନ୍ତୁ ଆଜି ସେସବୁ କଥା ମନେ ପଡ଼ିଲେ ଆଖିରେ ଲୁହର ବନ୍ୟା ସୃଷ୍ଟି ହୁଏ । ହୃଦୟରେ କୋହ ଆସେ ।

 

କାହିଁଗଲା ମୋର ସେ ଶପଥ ! ଶପଥର ପରିପୂରଣ ପୂର୍ବରୁ ବାପା ଇହଧାମ ତ୍ୟାଗ କଲେ । ବାକି ରହିଲୁ ଆମେ ଦୁଇଜଣ । ମୁଁ ଆଉ ମୋର ବିଧବା ମାଆ ।

 

ବାପାଙ୍କ ସଞ୍ଚିତ ଅର୍ଥରେ କିଛି ପଢ଼ିଲି । ଅଳ୍ପଦିନ ପରେ ସେ ବି ସରିଗଲା । ଗୋଟିଏ ପକ୍ଷରେ ଶିକ୍ଷାର ଲାଳସା ଅନ୍ୟପକ୍ଷରେ ଉଦର ଯନ୍ତ୍ରଣା ମୋର ଦେହ ମନକୁ ପୋଡ଼ିଜାଳି ଭସ୍ମୀଭୂତ କରିଦେଲା । ଜୀବନର ପ୍ରାରମ୍ଭରେ ମୋର ଜୀବନଟା ହୋଇଉଠିଲା ଏକ ଉଷର ମରୁଭୂମି ।

 

ତଥାପି ମୁଁ ଭାଙ୍ଗି ପଡ଼ିନି । ଟିଉସନକୁ ସମ୍ବଳ କରି ମୁଁ ଶିକ୍ଷାର୍ଜନ କରିବା ସଙ୍ଗେ ସଙ୍ଗେ ପରିବାରର ଭରଣପୋଷଣ ଦାୟିତ୍ୱ ନିଜ ହାତକୁ ନେଇଛି । କିନ୍ତୁ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯିବାର କଳ୍ପନା ପାଣିଫୋଟକା ପରି ମିଳାଇ ଯାଇଛି । ଭାବିଛି ଏଇ ବର୍ଷ ଏମ୍‌. ଏ.ପାଶ୍‌ କରି ସାରିଲା ପରେ ମୁଁ ଚାକିରି କରିବି । ତା’ ଛଡ଼ା ମୋର ଅନ୍ୟ ଉପାୟ ନାହିଁ ।

 

ବିଜନ ସମବେଦନା ପ୍ରକାଶ କଲା । କହିଲା–ତୁ ଭୁଲ୍‌ କଲୁ ଶ୍ରୀକାନ୍ତ । ତୋ ବାପାଙ୍କ ଜମି ଯାହା ଥିଲା ତାକୁ ବିକ୍ରି କରି ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଥିଲେ କ’ଣ ବା କ୍ଷତି ହୋଇଥାଆନ୍ତା ? ବିଦେଶରୁ ଡିଗ୍ରୀ ନେଇ ଆସି ଭାରତ ସରକାରଙ୍କର ଉଚ୍ଚପଦସ୍ଥ ଅଫିସର ହୋଇ କେତେ ଜମି କେତେ ଘର ଗଢ଼ି ପାରିଥାଆନ୍ତୁ । ଅଥଚ......

 

ବାଧା ଦେଲା ଶ୍ରୀକାନ୍ତ । କହିଲା, ଅନିଶ୍ଚିତ ପଥରେ ନ ଯାଇ ମୁଁ ସବୁବେଳେ ନିଶ୍ଚିତ ପଥରେ ଚାଲିଥାଏ । ତା’ ଛଡ଼ା ଯେଉଁ ଜମି ମୁଁ ବିକ୍ରି କରିଥାଆନ୍ତି ସେ ତ ମୋ ଅର୍ଜିତ ଜମି ନୁହେଁ–ପିତାଙ୍କର ପୈତୃକ ସମ୍ପତ୍ତି ବିକ୍ରି କରି ପାଠ ପଢ଼ିଥିଲେ ଲୋକେ କ’ଣ କହିଥାଆନ୍ତେ । ତା’ଛଡ଼ା ବାପାଙ୍କ ସମ୍ପତ୍ତି ବିକ୍ରି କରିବାରେ ମୋର କି ଅଧିକାର ଅଛି । ଉଚ୍ଚଶିକ୍ଷାର ଲାଳସା ବରଂ ମୋ ମନରେ ମରିଯାଉ; କିନ୍ତୁ ପୈତୃକ ସମ୍ପତ୍ତି ବିକ୍ରି କରିବାକୁ ଆକାଂକ୍ଷା ଯେପରି ମୋର ନ ରହୁ ।

 

ବିଜନ କିଛି ଉତ୍ତର ନ ଦେଇ ଚାଲିଗଲା ।

 

ନିରୋଳାରେ ଠିଆହୋଇ ଶୁଣୁଥିଲା ଫାଲ୍‍ଗୁନୀ । ଜଣେ ଇତର ଲୋକ ଜୀବନର କରୁଣ ଆଉ ମର୍ମନ୍ତୁଦ କାହାଣୀ ଶୁଣି ତା’ ଆଖିରେ ଲୁହର ବନ୍ୟା ସୃଷ୍ଟି ହୋଇଥିଲା ।

 

ଶ୍ରୀକାନ୍ତ ଜଣେ ଇତର ପୁରୁଷ ତା’ ସହିତ ତା’ର କୌଣସି ସମ୍ପର୍କ ନାହିଁ । ରକ୍ତର ସମ୍ବନ୍ଧ ନାହିଁ କି ନିଗୂଢ଼ ବନ୍ଧୁତାର ଆନ୍ତରିକତା ନାହିଁ ।

 

ତଥାପି ଶ୍ରୀକାନ୍ତର କଥା ଆଜି ଏତେ ମନେପଡ଼ୁଛି କାହିଁକି ?

 

ପଥପ୍ରାନ୍ତରର ଏକ ପଥିକ । ଶ୍ରେଣୀ ଛାତ୍ର–ଛାତ୍ରୀ ମଧ୍ୟରୁ ଜଣେ ଛାତ୍ର । ସମାନ୍ୟ ପରିଚୟ, ଅଳ୍ପ କଥାଭାଷା...ତଥାପି ଶ୍ରୀକାନ୍ତ ତା’ର ମନକୁ ବାନ୍ଧି ରଖିଛି କହିଲେ କିଛି ଅତ୍ୟୁକ୍ତି ହେବନାହିଁ ।

 

କିନ୍ତୁ କାହିଁକି ? କାହିଁକି ଶ୍ରୀକାନ୍ତ ତା’ର ମନଗହନର ନିଭୃତ କକ୍ଷରେ ଆନ୍ଦୋଳନ ସୃଷ୍ଟି କରୁଛି ?

ଶ୍ରୀକାନ୍ତ ସେଦିନ ବିଜନ ଆଗରେ ତା’ ଜୀବନର ସବୁ ଘଟଣା କହିଥିଲା ଅଥଚ ଯେଉଁଥିପାଇଁ ସେ ତା’ ଜୀବନର ସବୁ ଘଟଣା କହିଥିଲା ଅଛତ ଯେଉଁଥିପାଇଁ ସେ ତା’ ଜୀବନର ଘଟଣାବହୁଳ ଇତିହାସ ବର୍ଣ୍ଣନା କରୁଥିଲା ସେଇ ପ୍ରକୃତ ସତ୍ୟ ଘଟଣାଟିକୁ କହି ନ ଥିଲା ଶ୍ରୀକାନ୍ତ ।

କିନ୍ତୁ ଫାଲ୍‌ଗୁନୀ ଭାବିଥିଲା, ଶ୍ରୀକାନ୍ତକୁ ପଚାରିବ, ଆପଣ ଧନୀ ଲୋକମାନଙ୍କୁ କାହିଁକି ଘୃଣା କରନ୍ତି ?

କିନ୍ତୁ କହି କ’ଣ ପାରିଲା ସିଏ ?

ହୃଦୟର କଥା ତୁଣ୍ଡରେ ବ୍ୟକ୍ତ କରି ନ ପାରି ଅହରହ ସେଇ ଚିନ୍ତାରେ ସନ୍ତୁଳି ହେବାକୁ ଲାଗିଲା ସେ ।

ଅପା !

ଫାଲ୍‌ଗୁନୀର ଭାବନାରେ ଚୋଟ ଲାଗିଲା । ମୁହଁ ଟେକି ସେ ଚାହିଁଲା । ଘର ଭିତରୁ ନର୍ମଦା ମୃଦୁ ହସି ବାହାରି ଆସୁଛି ।

ଫାଲ୍‌ଗୁନୀ ବିସ୍ମିତ ହେଲା । ଜଣେ ଇତର ଲୋକର ଭାବନାରେ ଦୀର୍ଘ ସମୟ ଧରି ମଗ୍ନ ଥିବାରୁ ମନେ ମନେ ଅନୁତାପ କଲା ।

ନର୍ମଦା ଡାକରେ ଚମକି ଉଠି ଫାଲ୍‌ଗୁନୀ କହିଲା–ତୁ କୁଆଡ଼େ ଯାଉଛୁ ନର୍ମଦା ?

ନାଁ, ଯିବି କୁଆଡ଼େ ? ତୋ ଅପେକ୍ଷାରେ ଥିଲି ।

କାହିଁକି ?

ଫାଲ୍‌ଗୁନୀର ଅତି ନିକଟକୁ ଲାଗିଆସି ନର୍ମଦା କହିଲା, ଆଜି ବାପା ନାହାନ୍ତି । ଫେରୁ ଫେରୁ ହୁଏତ ଅନେକ ବିଳମ୍ବ ହେବ । ତେଣୁ ତିନିଟା ଟିକେଟ ଆଣିଛି । ନାଁ, ନାଁ, ଦୁଇଟା ସିନେମା ଟିକେଟ ଆଡ଼ଭାନ୍‌ସ କରି ଆଣିଛି । ଦୁହେଁ ସିନେମା ଦେଖିଯିବା ।

ମୁଁ ଯିବିନି । ମୋର ପଢ଼ାପଢ଼ି ଅନେକ ବାକି ଅଛି । ଫାଲ୍‌ଗୁନୀ ସିଧାସଳଖ ମନା କରିଦେଲା ।

ଓଃ, ସବୁଦିନେ ତ ପଢ଼ା ହେଉଛି । ଆଜି ଦିନକ ନ ପଢ଼ିଲେ କେଉଁ ପ୍ରଳମ୍ବ ଅଶୁଦ୍ଧି ହୋଇଯାଉଛି ?

ଫାଲ୍‌ଗୁନୀ ମୃଦୁ ହସି କହିଲା, ଅଳସ ମୁହୂର୍ତ୍ତରେ ତିକ୍ତ ମନୋଭାବ ଦୂର କରିବା ପାଇଁ ଚଳଚ୍ଚିତ୍ର ଏକମାତ୍ର ମାଧ୍ୟମ । କିନ୍ତୁ ପାଠପଢ଼ା ସମୟ ମଧ୍ୟରେ ଚଳଚ୍ଚିତ୍ର ଉପଭୋଗ କରିବା ଯାହା ନିଜକୁ ଠକିବା ସେଇୟା ।

 

ନର୍ମଦା କହିଲା, ତୋତେ ସିନେମା ଦେଖି ଡାକିଲେ ତୁ ଦର୍ଶନଶାସ୍ତ୍ର ଖୋଲିବୁ । ମୁଁ କିନ୍ତୁ ତୋ ଦର୍ଶନ ଶାସ୍ତ୍ରର ମାନେ କିଛି ବୁଝେନା କି ବୁଝିବାକୁ ଚେଷ୍ଟା କରି ନାହିଁ । ତେଣୁ ମୋ ଆଗରେ ଦର୍ଶନଶାସ୍ତ୍ର ଖୋଲି କିଛି ଲାଭ ପାଇବୁ ନାହିଁ । ତୋତେ ମୋର ଅନୁରୋଧ, ତୁ ଆଜି ମୋ ସହିତ ନିଶ୍ଚୟ ସିନେମା ଦେଖିଯିବୁ ।

 

ଅପୂର୍ବ ବେଶରେ ସଜ୍ଜିତ ହୋଇ ଚଳଚ୍ଚିତ୍ର ଦେଖିବା ଉଦ୍ଦେଶ୍ୟରେ ନର୍ମଦା ଫାଲ୍‌ଗୁନୀ ସହିତ ବାହାରି ପଡ଼ିଲା ।

 

ପୋର୍ଟିକୋ ସାମନାରେ ଗାଡ଼ି ରଖି ଲକ୍‌ କଲା ଫାଲ୍‌ଗୁନୀ ।

 

ନର୍ମଦା ନିଜର ହାଇହିଲ୍‌ ଚଟିକୁ ଘୋଷାରି ଘୋଷାରି ଷ୍ଟେଆର କେଶ ଉପରକୁ ଉଠୁଥିଲା ।

 

ଷ୍ଟେଆର କେଶ ଉପରେ ଅପେକ୍ଷା କରିଥିଲା ନର୍ମଦାର ଯୁବକ ବନ୍ଧୁ ସୂର୍ଯ୍ୟକାନ୍ତ ପଟ୍ଟନାୟକ । ନର୍ମଦା ପାହାଚ ଉପରେ ଉଠୁଥିବାର ଦେଖି ସୂର୍ଯ୍ୟକାନ୍ତ କହିଲା, ହାଲୋ ନର୍ମଦା ! ତମରି ଅପେକ୍ଷାରେ ମୁଁ ଏପର୍ଯ୍ୟନ୍ତ ରହିଥିଲି । ଭାବିଥିଲି ଟିକେଟ୍‌ ଆଡ଼ଭାନ୍‌ସ କରିଦେଇ ମୋତେ ଫୋନ୍‌ରେ କହିଥିଲ ସିନା, କିନ୍ତୁ ଆସିବ ନାହିଁ; ଅଥଚ ତମକୁ ସାମନାରେ ଦେଖି ମୋର ଅବିଶ୍ୱାସ ଦୂର ହୋଇଗଲା ।

 

ଗୋଲାପି ଅଧର ଉପରେ ଚମ୍ପାକଢ଼ ପରି ଅଙ୍ଗୁଳି ଦେଇ, ଡାହାଣ ହାତରେ ଟିକେଟ ଖଣ୍ଡେ ବଢ଼େଇ କହିଲା; ଚୂପ୍‌, ଅପା ପଛରେ ଆସୁଛି ।

 

ଅନାହୂତ ଭାବେ ଫାଲ୍‌ଗୁନୀର ଚଳଚଞ୍ଚଳ ପାଦ ଦୁଇଟି ଥମିଗଲା । ଷ୍ଟେଆରକେଶ ଉପରୁ ନର୍ମଦାର ବାକ୍ୟାଳାପ ଶୁଣି ସେ ଚାହିଁଲା । ନର୍ମଦା ତା’ର ଯୁବକ ବନ୍ଧୁଙ୍କୁ ଟିକେଟ ବଢ଼ାଇ ଦେବାର ମଧ୍ୟ ଦେଖି ସାରିଲା । ତେଣୁ ସେ ଜାଣିକରି ଅନ୍ୟମନସ୍କ ହୋଇ ପଛକୁ ମୁହଁ ବୁଲାଇଲା ।

 

ନର୍ମଦା ପଛକୁ ମୁହଁ ବୁଲାଇ କହିଲା, ରହିଗଲୁ କି ଅପା ! ଶୀଘ୍ର ଆ ।

 

ଫାଲ୍‌ଗୁନୀ ଉପରକୁ ଉଠିଲା । ନର୍ମଦାକୁ ଚାହିଁଲା–ଆଉ ଚାହିଁଲା ସେଇ ସୁଦର୍ଶନ ଯୁବକଟିକୁ । ଯିଏ ନର୍ମଦା ସାଥିରେ କଥାବାର୍ତ୍ତା କରୁଥିଲା । ଅଥଚ ନିମିଷକ ଭିତରେ ସେ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲାଣି ।

 

ଶଙ୍ଖମଲମଲ ପାହାଚ ଉପରେ ଫାଲ୍‌ଗୁନୀ ଉପରକୁ ଉଠୁ ଉଠୁ ଭାବୁଥିଲା, ନର୍ମଦା ଘରେ କହୁଥିଲା, ‘‘ତିନିଟା ଟିକେଟ ଆଡ଼ଭାନ୍‌ସ କରି ଦେଇଛି ଅପା !’’ ତୋତେ ନିଶ୍ଚୟ ସିନେମା ଦେଖିଯିବାକୁ ହେବ । କିନ୍ତୁ ଠିକ୍‌ ପରମୁହୂର୍ତ୍ତରେ ନିଜକୁ ସଂଶୋଧନ କରିନେଇ କହିଥିଲା, ନାଁ ନାଁ, ଦୁଇଟି ଟିକେଟ୍‌ ମୁଁ ନେଇ ଆସିଛି ଅପା ! ଯିବାପାଇଁ ତୁ ମୋଟେ ବାରଣ କରନାହିଁ ।

 

ସତକଥା ଆପେ ଆପେ ନିଜ ତୁଣ୍ଡରେ ସ୍ପଷ୍ଟ ପ୍ରମାଣିତ ହୋଇଯାଏ ।

 

ମିଛ କହିଲାବେଳେ ନିଜ ମୁଖମଣ୍ଡଳ ଆପେ ଆପେ ମଉଳିଯାଏ–ଠିକ୍‌ ଖୁଣି ଆସାମୀ ଭଳି ।

 

ନର୍ମଦା ସେତେବେଳେ ସତକଥା ପ୍ରକାଶ କରି ପୁଣି ମିଥ୍ୟାର ଆଶ୍ରୟ ନେଇଥିଲା । ସେଇଥିପାଇଁ ତା’ର ମୂଖମଣ୍ଡଳ ମଉଳି ପଡ଼ିଥିଲା । ପାଟି ଖନି ବାଜି ଯାଇଥିଲା ।

 

ଦୁହେଁ ଚଳଚ୍ଚିତ୍ର କକ୍ଷ ମଧ୍ୟରେ ପ୍ରବେଶ କଲେ ।

 

ଫାଲ୍‌ଗୁନୀର ବାମପାଖକୁ ନର୍ମଦା ବସିଲା ।

 

ଚଳଚ୍ଚିତ୍ର ପରଦାରେ ଖେଳିବୁଲିଲା ନୃତ୍ୟଗୀତଭରା ମିଳନାତ୍ମକ ଛବି.......

 

ଅନେକ ସମୟପରେ ଫାଲ୍‌ଗୁନୀ ନର୍ମଦାକୁ ଚାହିଁଲା । ନର୍ମଦା ବାମକଡ଼କୁ ଢଳି ପଡ଼ିଛି, କାହା ସହିତ ଚୁପ୍‌ ଚୁପ୍‌ କଥାଭାଷା ହେଉଛି ।

 

କିନ୍ତୁ କିଏ ସେ ?

 

ଫାଲ୍‌ଗୁନୀ ଚାହିଁଲା । ସ୍ପଷ୍ଟ ଚିହ୍ନି ହେଉନି । ତଥାପି ଯୁବକ ପରି ମନେ ହେଉଛି । ଅଳ୍ପ ଆଲୁଅ, ଅଳ୍ପ ଅନ୍ଧାର ଭିତରେ ଫାଲ୍‌ଗୁନୀ ଦେଖିଲା ଷ୍ଟେଆରକେଶ ଉପରେ ନର୍ମଦା ଯେଉଁ ଯୁବକ ସହିତ କଥାବାର୍ତ୍ତା କରୁଥିଲା ସେଇ ସୁଦର୍ଶନ ଯୁବକ ନର୍ମଦାର ବାମ ପାଖକୁ ବସିଛି ।

 

ମୁହୂର୍ତ୍ତକ ପାଇଁ ଫାଲ୍‌ଗୁନୀ ଇତସ୍ତତଃ ହୋଇ ଉଠିଲା ।

 

ଅଥଚ ନର୍ମଦାର ଜେଷ୍ଠେଭଗ୍ନୀ ହୋଇ କିମିତି ସେ ସେଇଠି ବସି ରହିବ ।

 

ୟା ଭିତରେ ନର୍ମଦା ସତେ କେଡ଼େ ଉଚ୍ଛୃଙ୍ଖଳ ହୋଇଗଲାଣି । ଅପା ସାଥିରେ ସିନେମା ଦେଖି ଆସି ବଡ଼ ସାନର ବିଚାର କରୁନି । ଅପାକୁ ପାଖରେ ବସାଇ ତା’ର ପୁରୁଷ ବନ୍ଧୁ ସହିତ ଗୋପନ କଥାଭାଷା କରୁଛି ?

 

ଇଣ୍ଟରଭାଲ ହେଲା ।

 

ନର୍ମଦାର ପୁରୁଷ ବନ୍ଧୁ ଜଣଙ୍କ ବାହାରକୁ ଚାଲିଗଲେ ।

 

ନର୍ମଦା ଫାଲ୍‌ଗୁନୀ ଆଡ଼କୁ ବୁଲି ଚାହିଁଲା ।

 

ଫାଲ୍‌ଗୁନୀ କହିଲା, ମୋ ମୁଣ୍ଡଟା ଭୀଷଣ ବିନ୍ଧୁଛି ନିରୁ ! ତୁ ଥାଆ, ମୁଁ ଯାଉଛି ।

 

ନର୍ମଦା ମଧ୍ୟ ଠିକ୍‌ ସେଇୟା ଚାହୁଁଥିଲା । ଅଥଚ ତୁଣ୍ଡ ଖୋଲି ବ୍ୟକ୍ତ କରିପାରୁ ନ ଥିଲା-। କିନ୍ତୁ ଫାଲ୍‌ଗୁନୀ ଯେତେବେଳେ ନିଜ ତୁଣ୍ଡରେ ବ୍ୟକ୍ତ କରି ଦେଇଛି, ନର୍ମଦା ତାକୁ ବାରଣ କରି ପାରିଲା ନାହିଁ । କେବଳ କଥା ରଖିବାକୁ କହିଲା, ରହ ସିନେମା ସରୁ ।

 

ନାଁ, ମୁଁ ମୁହୂର୍ତ୍ତେ ବସି ପାରିବି ନାହିଁ ।

 

ଫାଲ୍‌ଗୁନୀ ଚେୟାର ଉପରୁ ଉଠିଲା ।

 

ପୁଣି ଚିତ୍ର ଆରମ୍ଭ ହେଲା ।

 

ବାଟରେ ଆସିଲାବେଳେ ଫାଲ୍‌ଗୁନୀ ଭାବୁଥିଲା–ଶିକ୍ଷା, ସଭ୍ୟତା, ଆଭିଜାତ୍ୟ ସବୁ ଥାଇ ମଧ୍ୟ ନର୍ମଦା କେତେ ନିମ୍ନକୁ ଖସି ଯାଇଛି । ପରିପକ୍ୱ ବୟସର ସୀମାରେଖା ସ୍ପର୍ଶ କରୁ କରୁ ଜଣେ କଣ୍ଟ୍ରାକ୍ଟରକୁ ଭଲ ପାଇବସିଛି; ଅଛତ ତା’ର ଜନ୍ମ ଇତିହାସ, ପରିବାରର ଅବସ୍ଥା, ତା’ର ମନର କଥା ଠିକ୍‌ଭାବେ ବୁଝିବାକୁ ଅବସର ପାଇନି ।

 

ବୟସର ଉନ୍ମାଦନା ନର୍ମଦାକୁ ପାଗଳୀ କରିଛି ।

 

ଜଣେ ଯୁବକ କଣ୍ଟ୍ରାକ୍ଟରର ଆଭିଜାତ୍ୟ, ମନଭୁଲା କଥାରେ ନର୍ମଦା ବିହ୍ୱଳ ହୋଇ ପଡ଼ିଛି, ଅଥଚ ତା’ର ସେ ପୁରୁଷ ବନ୍ଧୁ ଜଣକ ବିବାହିତ କି ଅବିବାହିତ ତା’ ମଧ୍ୟ ଜାଣିବାକୁ ଚାହିନି-। ସେଇ ଯୁବକ ବନ୍ଧୁ ଜଣକ ନର୍ମଦା ଜୀବନର ପରିପୂରକ ହେବ କି ନାହିଁ ତା’ ମଧ୍ୟ କଳ୍ପନାକୁ ଆଣିନି; କିନ୍ତୁ ମନପ୍ରାଣ ଦେଇ ଭଲପାଇ ବସିଛି । ସତେ କି ନିର୍ବୋଧ !!

 

ୟା’ର ଶେଷ ପରିଣତି କ’ଣ ହେବ ଫାଲ୍‌ଗୁନୀ ମନେ ମନେ କଳ୍ପନା କରୁଥିଲା ।

 

ଶଙ୍ଖଶୁଭ୍ର ବିଛଣା ଉପରେ ନିଜର ପେଶଳ ଅଙ୍ଗଲତାକୁ ଲୋଟାଇ ଦେଇ ସୂର୍ଯ୍ୟକାନ୍ତ କଥା ଚିନ୍ତା କରୁଥିଲା ଫାଲ୍‌ଗୁନୀ ।

 

ଏଇ ସୂର୍ଯ୍ୟକାନ୍ତ ! ତା’ ସହିତ ବନ୍ଧୁତ୍ୱ ନ ହୋଇଥିଲେ ସୁଦ୍ଧା ସେ ଅନେକ ଦିନରୁ ଏଇ ସୂର୍ଯ୍ୟକାନ୍ତକୁ ଜାଣେ । ପ୍ରଥମ ବାର୍ଷିକ କଳା ଛାତ୍ର ଭାବରେ ପ୍ରଥମେ କଲେଜରେ ନାମ ଲେଖାଇଥିଲା । ଧନୀର ସନ୍ତାନ । ଟଙ୍କା ପଇସାକୁ ପରବାଏ ନାହିଁ । ଅନେକ ବଦ୍‌ଖର୍ଚ୍ଚ କରେ, ଅନେକ ଦାନ କରେ । ଅନେକଙ୍କୁ ସାହାଯ୍ୟ କରେ । ଦାମୀ ଟ୍ରାନ୍‌ଜିଷ୍ଟର ରେଡ଼ିଓ ହାତରେ ଧରି କଲେଜରେ ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଘୂରିବୁଲେ । ସବୁବେଳେ ମୁହଁରେ ସିଗାରେଟ୍‌ । ସାମନାରେ ଝିଅପିଲାମାନଙ୍କୁ ଦେଖିଲେ କେବେ ହିନ୍ଦୀ ଗୀତର ସୁଅ ଛୁଟାଏ ତ କେବେକେବେ ମନଗଢ଼ା ଓଡ଼ିଆ ଗୀତର ସ୍ୱର ଛାଡ଼େ । ତାଙ୍କ ପାଖଦେଇ ଚାଲିଯାଉଥିବା ବେଳେ ମିଛ ଅଭିନୟ କରେ ।

 

ସେଇ ସୂର୍ଯ୍ୟକାନ୍ତ କ୍ରମାଗତ ଦୁଇଟି ବର୍ଷ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ସୁଦ୍ଧା ତା’ର କୌଣସି ପରିବର୍ତ୍ତନ ହେଲାନି । ବରଂ ଏଇ ବଦଭ୍ୟାସଗୁଡ଼ାକ ଧୀରେ ଧୀରେ ବଢ଼ିବାକୁ ଲାଗିଲା । ଦୁଇବର୍ଷ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ଯେଉଁ ବର୍ଷ ସେ ପାଶ କଲା....ଓଃ, ସେ ଦିନ କି ଆନନ୍ଦ-! ସେଇ ଶୁଭ ମୁହୂର୍ତ୍ତରେ ସୂର୍ଯ୍ୟକାନ୍ତ ସହିତ ପରିଚିତ ହୋଇଥିଲା ଜୟନ୍ତୀ ।

 

ଜୟନ୍ତୀ ଓ ସୂର୍ଯ୍ୟକାନ୍ତ ଗୋଟିଏ କଲେଜର ଛାତ୍ର ଛାତ୍ରୀ ଥିଲେ । ଦୁହିଙ୍କର ପରିଚୟ ପରେ ସୂର୍ଯ୍ୟକାନ୍ତର ଆଭିଜାତ୍ୟରେ ବିହ୍ୱଳ ହୋଇ ଜୟନ୍ତୀ ଭଲପାଇ ବସିଲା ସୂର୍ଯ୍ୟକାନ୍ତକୁ ।

 

କେତୋଟି ମାସ ଗଡ଼ିଗଲା ।

 

ହଠାତ୍‌ ଦିନେ ସେ ଶୁଣିଲା ଜୟନ୍ତୀ ଗର୍ଭବତୀ ହୋଇଛି ।

 

ଚମକି ଉଠିଥିଲା ସେଦିନ ସେ । ଅବିଶ୍ୱାସ ବି କରିଥିଲା । କିନ୍ତୁ ସତକଥାଟା ଯେତେବେଳେ ସେ ଶୁଣିଲା ଫାଲ୍‌ଗୁନୀ ବିସ୍ମିତ ହୋଇ ଉଠିଥିଲା ।

 

ପ୍ରତାରକ ସୂର୍ଯ୍ୟକାନ୍ତ ଜୟନ୍ତୀକୁ ଭଲପାଇ ତାକୁ ପ୍ରତାରିତ କରିଛି । ଜୟନ୍ତୀ ଗର୍ଭର ସନ୍ତାନକୁ ଅସ୍ୱୀକାର କରିଛି । ଚରିତ୍ରହୀନା, କଳଙ୍କିନୀ କହି ଜୟନ୍ତୀ ପାଖରୁ ଦୂରେଇ ଆସିଛି ।

 

କିନ୍ତୁ ଜୟନ୍ତୀ କ’ଣ ସୂର୍ଯ୍ୟକାନ୍ତ ପାଖରୁ ଦୁରେଇ ରହି ପାରିଲା ?

 

ସୂର୍ଯ୍ୟକାନ୍ତର ଦୀର୍ଘଦିନ ଅନୁପସ୍ଥିତ ପରେ ଦିନେ ନିରୋଳା ଦ୍ୱଇପ୍ରହରରେ ଜୟନ୍ତୀ ସାକ୍ଷାତ୍‌ କଲା ସୂର୍ଯ୍ୟକାନ୍ତ ସହିତ ।

 

ସୂର୍ଯ୍ୟକାନ୍ତ ବିଚଳିତ ହୋଇ ଉଠିଥିଲା । ଅପରିଚିତ ଭଳି ଜୟନ୍ତୀକୁ ଚାହିଁଥିଲା କେବଳ-

 

ଜୟନ୍ତୀ କହିଲା, ଅନେକ ଦିନ ହେବ ତୁମର ସାକ୍ଷାତ ନ ପାଇ ଆଜି ତୁମ ପାଖକୁ ଆସିବାକୁ ବାଧ୍ୟ ହେଲି ।

 

ସୂର୍ଯ୍ୟକାନ୍ତ କିଛି ଉତ୍ତର ଦେଲା ନାହିଁ ।

 

ଜୟନ୍ତୀ କହିଲା, ତମେ କଥା କହୁନାହଁ କାହିଁକି ? ମୋ ଉପରେ ରାଗ କରିଛ ? କିନ୍ତୁ ମୁଁ ତ କିଛି ଅପରାଧ କଲାଭଳି ମନେ ହେଉନି ।

 

ସୂର୍ଯ୍ୟକାନ୍ତ ତଥାପି ନୀରବ ।

 

ସୂର୍ଯ୍ୟକାନ୍ତ ପାଖକୁ ଲାଗି ଆସିଲା ଜୟନ୍ତୀ । ତା’ର ହାତଧରି କହିଲା, ତମେ ମୋ ସହିତ କଥା କହିବ ନାହିଁ ବୋଲି ପ୍ରତିଜ୍ଞା କରିଛ ବୋଧହୁଏ ? କିନ୍ତୁ ସୂର୍ଯ୍ୟକାନ୍ତ, ପରିହାସ କରିବାର ଉପଯୁକ୍ତ ସମୟ ଏ ନୁହେଁ । ଭୀଷଣ ଅସୁବିଧାରେ ପଡ଼ି ତମ ପାଖକୁ ଆସିବାକୁ ବାଧ୍ୟ ହୋଇଛି । ଏଇ ମୁହୂର୍ତ୍ତରେ ତମେ ମୋତେ ସାହାଯ୍ୟ ନ କଲେ ମୋର ଯେ ଅବସ୍ଥା କ’ଣ ହେବ ମୁଁ ବୁଝିପାରୁନାହିଁ ।

 

ସୂର୍ଯ୍ୟକାନ୍ତ ଜୟନ୍ତୀକୁ ଚାହିଁଲା । କହିଲା, କେତେ ଟଙ୍କା ହେଲେ ତମର ଅସୁବିଧା ଦୂର ହୋଇ ପାରିବ ?

 

ଜୟନ୍ତୀ ଅବାକ୍‌ ହୋଇ ସୂର୍ଯ୍ୟକାନ୍ତକୁ ଚାହିଁ କହିଲା, ଟଙ୍କା ପାଇଁ ତୁମ ପାଖକୁ ହାତ ପାତିବାକୁ ମୁଁ ଆସିନି ସୂର୍ଯ୍ୟକାନ୍ତ ! ଟଙ୍କା ମୋର ପ୍ରୟୋଜନ ନାହିଁ । ମୁଁ ତୁମ ପାଖକୁ ଟିକିଏ ଆଶ୍ରୟ ପାଇଁ ଆସିଛି । ତମେ ମୋତେ ଆଶ୍ରୟ ନ ଦେଲେ...

 

ସୂର୍ଯ୍ୟକାନ୍ତ ମୃଦୁ ହସିଲା । କହିଲା, ବାହାରେ ମୋର ଅନେକ କାମ ଅଛି । ଆଉ ତମର ଯଦି କିଛି କହିବାର ଥାଏ ତେବେ ଉପକ୍ରମଣିକା ବାଦ୍‌ ଦେଇ କହିଲେ ମୁଁ ଖୁସି ହେବି ।

 

ବିସ୍ମିତ ହୋଇ ଜୟନ୍ତୀ ଚାହିଁଲା ସୂର୍ଯ୍ୟକାନ୍ତକୁ । କହିଲା’ ଏତେ ଶୀଘ୍ର ତମେ କିପରି ପରିବର୍ତ୍ତନ ହୋଇଗଲ ସୂର୍ଯ୍ୟକାନ୍ତ ! ମୋରି ମୁହଁରୁ ପଦେ କଥା ଶୁଣିବା ପାଇଁ ତମେ କେତେ ଅନୁରୋଧ, ମିନତି କରିଛ ! ଅଥଚ ଆଜି ମୋର ପଦେ କଥା ଶୁଣିବାକୁ ତୁମକୁ ସମୟ ନାହିଁ ?

 

ହଁ ଜୟନ୍ତୀ, ମୋର ସମୟ ଖୁବ୍‌ ଅଳ୍ପ । ଅତୀତରେ ତମ ତୁଣ୍ଡରୁ ପଦେ କଥା ଶୁଣିବା ଆଗ୍ରହ ଥିଲା ବୋଲି ସେଇ ଆଗ୍ରହ ଆଜି ପର୍ଯ୍ୟନ୍ତ ରହିଥିବ ୟା’ର କିଛି ମାନେ ହୋଇପାରେନା ।

 

ଜୟନ୍ତୀ ବିସ୍ମିତ ହୋଇ ସୂର୍ଯ୍ୟକାନ୍ତକୁ ଚାହିଁଲା । କହିଲା, ତମ ସଙ୍ଗେ ଯୁକ୍ତି କରିବାକୁ ମୋର ସମୟ ନାହିଁ; କିନ୍ତୁ ମୁଁ ଯେଉଁଥିପାଇଁ ଆସିଛି ସେ କଥା ତମକୁ ନ କହି ଛାଡ଼ୁନି ମୋଟେ ।

 

ତେବେ କୁହ ଜୟନ୍ତୀ !

 

ଶୁଣିବାକୁ ସାହସ ଅଛି ତ ?

 

ନିଶ୍ଚୟ ସାହସ ଅଛି । ତୁମଭଳି ମୁଁ ନାରୀ ନୁହଁ, ଦୁର୍ବଳ ନୁହଁ, ମୁଁ ପୁରୁଷ !

 

ଜୟନ୍ତୀ କହିଲା, ପିତାମାତା, ଓ ସମାଜର ଅନ୍ତରାଳରେ ଆମେ ଦୁହେଁ ଯେଉଁ ଲୁଚକାଳି ଖେଳୁଥିଲେ ତା’ରି ପରିସମାପ୍ତି ହୋଇଛି ସୂର୍ଯ୍ୟକାନ୍ତ ! ଭଲପାଇବାର ପବିତ୍ର ବନ୍ଧନରେ ଯେଉଁ କେତୋଟି ଦିନ ଆମେ ଆବଦ୍ଧ ରହି ଏଇ ରଙ୍ଗିନ ଦୁନିଆକୁ ଉପଭୋଗ କରିଥିଲେ ସେଇ ମଧୁର ଦିନଗୁଡ଼ିକ ବି ଚାଲିଗଲା । କେବଳ ରହିଗଲା ସ୍ମୃତି । ଅକ୍ଷତ ଶରୀରରେ ଲେପି ଦେଲା କଳଙ୍କର କାଳିମା । କିନ୍ତୁ ଯେଉଁ ଦାଗ, ଯେଉଁ କ୍ଷତ ଚିହ୍ନ ମୋ ନିଷ୍କଳଙ୍କ ଶରୀରରେ ରହିଗଲା, ଦୁନିଆ ତାକୁ ଅବିଶ୍ୱାସ କଲେ ବି ଆମେ ତ କେବେ ଅସ୍ୱୀକାର କରି ପାରିବାନାହିଁ । ଆମର ପବିତ୍ର ପ୍ରେମର ଚିହ୍ନ, ଭଲପାଇବାର ସ୍ମୃତି, ବନ୍ଧୁତାର ନିଦର୍ଶନ କେବଳ ରହି ଯାଇଛି.... ।

 

ମୁଁ ତମ କଥା କିଛି ବୁଝିପାରୁନି ଜୟନ୍ତୀ ! କଥାଟା କ’ଣ ଖୋଲିକରି କହିବାକୁ ତମେ କୁଣ୍ଠାବୋଧ କରୁଛ କାହିଁକି ? ଅସଲ କଥାଟା କ’ଣ କୁହ ?

 

ଜୟନ୍ତୀ ଖିଲି ଖିଲି ହୋଇ ହସି ଉଠିଲା । କହିଲା, ତମେ ନିର୍ବୋଧ ସୂର୍ଯ୍ୟକାନ୍ତ ! ପୁରୁଷ ହିସାବରେ ତମେ ଖୁବ୍‌ ଚତୁର ହୋଇପାର କିନ୍ତୁ ନାରୀର ମନକଥା ବୁଝିବାକୁ ତମେ ଅକ୍ଷମ ! ଯେଉଁ କଥାକୁ ଇଙ୍ଗିତ ଦ୍ୱାରା ବୁଝିହେବ ତାକୁ ଖୋଲି କରି କହିଲେ ମଧ୍ୟ ବୁଝିପାରୁନା ? ନା, ଜାଣିକରି ଅବୁଝା ହୋଇ ତମେ ମୋ ସହିତ ପରିହାସ କରୁଛ ?

 

ମୋତେ ବିଶ୍ୱାସ କର ଜୟନ୍ତୀ, ମୁଁ ପରିହାସ କରୁନି; କିନ୍ତୁ ତୁମ କଥା ମୁଁ ଆଦୌ ବୁଝି ପାରୁନାହିଁ ।

 

ଏଥର ଜୟନ୍ତୀ ଛେପ ଢୋକି ଚାରିଆଡ଼କୁ ଥରେ ଚାହିଁନେଲା । ତା’ପରେ କହିଲା, ଯେଉଁ ଭଲପାଇବାର ରଜ୍ଜୁରେ ଆମେ ଦୁହେଁ ଆବଦ୍ଧ ହୋଇ ରଙ୍ଗୀନ ଦୁନିଆକୁ ଉପଭୋଗ କରୁଥିଲୁ, ସେଇ ଭଲପାଇବାର ପବିତ୍ର ସ୍ମାରକୀ ଆଜି ମୋର ଗର୍ଭକୋଷରେ ଖେଳି ବୁଲୁଛି ।

 

ସର୍ପାହତ ପରି ଚମକି ଉଠିଲା ସୂର୍ଯ୍ୟକାନ୍ତ । କହିଲା, ତମେ ଆଜି ଗର୍ଭବତୀ ?

 

ସୂର୍ଯ୍ୟକାନ୍ତର ଅତି ନିକଟତର ହୋଇ, ନିଜର ମସୃଣ–ମୃଣାଳ ଦୁଇବାହୁରେ ସୂର୍ଯ୍ୟକାନ୍ତର ଗଳା ବେଷ୍ଟନ କରି କହିଲା, ହଁ ସୂର୍ଯ୍ୟକାନ୍ତ ! ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି-? ମଞ୍ଜି ପୋତିଲେ ନିଶ୍ଚୟ ଗଛ ହେବ । ଆଉ ବୃକ୍ଷ ହେଲେ ନିଶ୍ଚୟ ଫୁଲ ଫୁଟିବ ।

 

ଜୟନ୍ତୀର ଦୁଇ ବାହୁକୁ ନିଜ ବେକରୁ ବାହାର କରି ଠେଲିଦେଲା ସୂର୍ଯ୍ୟକାନ୍ତ । କହିଲା, ତମେ ମୋତେ ଛୁଇଁବାକୁ ଚେଷ୍ଟା କରନାହିଁ ଜୟନ୍ତୀ । ତମ ଉପରେ ମୋର ଗଭୀର ବିଶ୍ୱାସ ଥିଲା । କିନ୍ତୁ ଆଜି ଦେଖୁଛି, ତୁମକୁ ବିଶ୍ୱାସ କରି ମୁଁ ମସ୍ତବଡ଼ ଭୁଲ୍‌ କରିଛି ।

 

ମାନେ ? ଜୟନ୍ତୀ ପଚାରି ଉଠିଲା ।

 

ସୂର୍ଯ୍ୟକାନ୍ତ କ୍ରୁଦ୍ଧ କଣ୍ଠରେ କହିଲା, ମୋତେ ସରଳ, ନିରୀହ ମନେକରି ମୋ ମୁଣ୍ଡରେ କଳଙ୍କର କାଳିମ ଲେପି ଦେବାକୁ ଆସିଛ ? ମୁଁ ତୁମକୁ ଭଲ ପାଉଥିଲି; କିନ୍ତୁ ବିବାହ କରିବାକୁ କେବେ ପ୍ରତିଶ୍ରୂତି ଦେଇନଥିଲି । ତା’ଛଡ଼ା ତୁମକୁ ଏକାନ୍ତ ଭାବରେ କେବେ ପାଇଛି ବୋଲି ମୋର ମନେ ହୁଏନା । ଅଥଚ ଅନ୍ୟ କୌଣସି ପୁରୁଷ ଦ୍ୱାରା ପ୍ରତାରିତା ହୋଇ ମୋ ମୁଣ୍ଡରେ କଳଙ୍କ ବୋଳିବାକୁ କିପରି ସାହସ କରିପାରିଲ ?

 

କୋହ–ଉଚ୍ଛ୍ୱସିତ କ୍ରନ୍ଦନ–କାତର କଣ୍ଠରେ ଜୟନ୍ତୀ କହିଲା, ଅତୀତର ଭଲପାଇବାକୁ ତମେ ଆଜି ଅସ୍ୱୀକାର କରୁଛ ସୂର୍ଯ୍ୟକାନ୍ତ ! ତମେ ସତ କୁହ ? ଉପରେ ସୂର୍ଯ୍ୟ, ତଳେ ବସୁଧାକୁ ଛୁଇଁ ତୁମେ କହିପାରିବ ତ ? ତମେ ଫାଙ୍କିବାକୁ ଚେଷ୍ଟା କରନାହିଁ ସୂର୍ଯ୍ୟକାନ୍ତ ! ତମେ ସତ କୁହ ? ଏକାନ୍ତ ଭାବରେ ତମ ମୋ ସହିତ କେବେ ମିଶିବାର ସୁଯୋଗ ପାଇନାହଁ ?

 

ନାଁ, ନାଁ, ନାଁ–

 

ତମେ ଏପରି ମିଛ କହିପାରିଲ ସୂର୍ଯ୍ୟକାନ୍ତ ! ଏତେ ଶୀଘ୍ର ଭୁଲିଗଲ ଅତୀତକୁ ! ମନେଅଛି ତମର ସେଦିନର କଥା ! ନିଶ୍ଚୟ ମନେଥିବ ! ଏଇ ଘର, ଏଇ କୋଠରୀ, ତମେ ଆଉ ମୁଁ ! ସେଦିନର ତିଥି କ’ଣ ମୋର ମନେ ନାହିଁ ଅଥଚ ଦିନଟି ମୋର ମନେଅଛି । ବାରଟି ମୋର ମନେଅଛି ।

 

ଅପ୍ରେଲ ଏକ ତାରିଖ ବୁଧବାର ।

 

ମଲ୍ଲୀଫୁଲ ସଞ୍ଜରେ ତମର ମଟର କାର ଲାଗିଥିଲା ଆମ ଘରେ । ନିରୋଳାରେ ସାକ୍ଷାତ କରି ତମେ ମୋତେ କହିଲ, ‘‘ମୋ ଭଉଣୀର ଜନ୍ମଦିନରେ ତୁମକୁ ନେବାକୁ ଆସିଛି ଜୟନ୍ତୀ । ତମେ ମନା କରନାହିଁ, ବାରଣ କରନାହିଁ । ତମେ ଆସ ମୋ ସହିତ । ଦୁଇଘଣ୍ଟା ପରେ ମୁଁ ନିଜେ ତମକୁ ତମରି ଘରେ ଛାଡ଼ିଦେଇ ଯିବି ।’’

 

ତୁମର ଅନୁରୋଧ ଉପେକ୍ଷା କରି ପାରି ନ ଥିଲି ସେଦିନ ।

 

ମୁଁ ତୁମ ସହିତ ଯାଇଥିଲି ।

 

ମଟର ଚଳାଉଥିଲ ତମେ । ଆଉ ତମର ଲୋମଶ ଛାତିରେ ମୁଣ୍ଡରଖି ମୁଁ ଶୁଣୁଥିଲି ପରୀ ରାଇଜର କାହାଣୀ ।

 

କାର ପହଞ୍ଚିଲା ତମରି ଘର ସାମନାରେ ।

Unknown

 

ରାତି ସେତେବେଳକୁ ପ୍ରାୟ ନଅଟା ହୋଇ ସାରିଥିଲା ।

 

ତମ ପଛେ ପଛେ ମୁଁ ଯାଇଥିଲି । କିନ୍ତୁ ବୈଠକ ଘରେ ପହଞ୍ଚି ମୁଁ ଚମକି ଉଠିଥିଲି । ତମ ଭଉଣୀର ଜନ୍ମ ଦିନ ଅଥଚ ଆଲୋକର ସତ୍ତା ବି ନ ଥିଲା ସେ ପର୍ଯ୍ୟନ୍ତ । ଲୋକ ଗହଳିର ସ୍ୱପ୍ନ ନଥିଲା କହିଲେ ଚଳେ ।

 

ବହଳ ଅନ୍ଧକାର ଭିତରେ ତମେ ବୈଠକଘର ଭିତରକୁ ପଶିଯାଇ ମୋତେ ଟାଣି ନେଇଥିଲ, ଆଉ ନିଜ ଶୟନକକ୍ଷର ଦ୍ୱାର ଖୋଲୁଥିବା ବେଳେ ମୁଁ ପଚାରିଥିଲି, ତମେ ମୋତେ ମିଛ କହି ଏଠିକି କାହିଁକି ନେଇ ଆସିଲ ସୂର୍ଯ୍ୟକାନ୍ତ ?

 

ତମେ ହସିଥିଲ ସେଦିନ । କହିଥିଲ, ଆଜିର ତାରିଖ ତମର ମନେଅଛି ତ ଜୟନ୍ତୀ !

 

ସତରେ, ସେଦିନର ତାରିଖ ମୋର ମୋଟେ ମନେ ନଥିଲା । ସେ ଦିନର ତାରିଖକୁ ମନେ ପକାଉଥିବା ବେଳେ ତମେ କହିଥିଲ, ଆଜି ପରା ଅପ୍ରେଲ ପହିଲା । ତମକୁ ଅପ୍ରେଲ ଫୁଲ କରିବାପାଇଁ ମିଛ କହି ନେଇ ଆସିଛି ।

 

ଦୁହେଁ ହସିଥିଲୁ ସେଦିନ । ଆକାଶରେ ବି ହସୁଥିଲା ଚାନ୍ଦ ।

 

ପ୍ରଥମଥର ପାଇଁ ସେଦିନ ତମଘରକୁ ଯାଇଥିଲି । ଆଉ ତମଘରେ ତମଛଡ଼ା ଦ୍ୱିତୀୟ ବ୍ୟକ୍ତି ନ ଦେଖି ମୁଁ ଚମକି ଉଠିଥିଲି ।

 

ତମେ ମୋର ମନର ଭାବ ଜାଣିପାରି ମୋତେ କୋଳକୁ ଟାଣିନେଇ କହିଥିଲ, ତମେ ଭୟ କରୁଛ ଜୟନ୍ତୀ ! କେବଳ ଆଜି ଦିନକପାଇଁ ଆମ ପରିବାରର ସମସ୍ତ ଲୋକ ପୁରୀ ଯାଇଛନ୍ତି-

 

ପୁରୀ ?

 

ହଁ, ପୁରୀ ! ପୁରୀରେ ମୋର ବଡ଼ଭଉଣୀ ବିବାହ କରିଛି । ହଠାତ୍‌ ଆଜି ସକାଳେ ଏକ ଜରୁରୀ ଟେଲିଗ୍ରାମ ପାଇ ସମସ୍ତେ ଯିବାକୁ ବାଧ୍ୟ ହୋଇଛନ୍ତି ।

 

ମୁଁ ଦୀର୍ଘନିଶ୍ୱାସ ଛାଡ଼ି ବସିଥିଲି କେବଳ ।

 

ତମେ ଷ୍ଟୋଭରେ ଓଭଲଟିନ୍‌ ବସାଇଲ । ମୁଁ ତୁମକୁ ସାହାଯ୍ୟ କରିଥିଲି ।

 

ଓଭଲଟିନ୍‌ ପର୍ବ ସରିଲା ।

 

ମୁଁ କହିଥିଲି, ଆଉ କେଉଁଦିନ ମୁଁ ଆସିବି ସୂର୍ଯ୍ୟକାନ୍ତ । ବର୍ତ୍ତମାନ ରାତି ଅନେକ ହେଲାଣି । ଆସ, ମୋତେ ଛାଡ଼ିଦେଇ ଆସିବ ।

 

ତମେ ହାତଘଣ୍ଟାକୁ ଚାହିଁ କହିଥିଲ, ମୋଟେ ସାଢ଼େ ନଅଟା ହୋଇଛି । ତମେ ଯିବାକୁ ଏତେ ତରତର ହେଉଚ କାହିଁକି ? ତମେ ଆସ, ବସ, ବିଶ୍ରାମ ନିଅ ।

 

ଖାଲି ପଡ଼ିଥିବା ଚେୟାର ଉପରେ ମୁଁ ବସିଥିଲି । କିନ୍ତୁ ତମେ ମୋତେ ଟାଣି ନେଇଥିଲ ପଲଙ୍କ ଉପରକୁ ।

 

ମୁଁ ବସିଲି ପଲଙ୍କ ଉପରେ ।

 

କଥାର ସୁଅ ଛୁଟିଲା ।

 

ରାତି ଅଧିକ ହେବାରୁ ମୋର ଆଖିପତା ମାଡ଼ି ମାଡ଼ି ପଡ଼ୁଥିବାବେଳେ ତମେ ନିଜ ଛାତି ଉପରକୁ ଟାଣି ନେଇଥିଲ ମୋତେ ।

 

ତା’ପରେ....

 

କୁମାରୀ ଜୀବନର ଯଶ, ଗୌରବ, ଆଭିଜାତ୍ୟ, ସମ୍ମାନ ତମରି ପାଦତଳେ ସମର୍ପଣ କରି ମୁଁ କେବଳ ନେଇ ଆସିଥିଲି ତମରି ସ୍ମୃତି ।

 

ତା’ପରେ ଅନେକଥର ତମେ ମୋ ସହିତ ଏକାନ୍ତରେ ମିଶିବାର ସୁଯୋଗ ପାଇଛ । ତମର ମନେଥିବ ସୂର୍ଯ୍ୟକାନ୍ତ, ପୁରୀର ଧର୍ମଶାଳା, କଟକର ସତୀଚଉରା ଘାଟ, କଲିକତାର ସେଇ ବିଖ୍ୟାତ ହୋଟେଲ ଆଉ ଭୂବନେଶ୍ୱରର ସେ ଡାକବଙ୍ଗଳା । ଏଇସବୁ ସ୍ମୃତି ତମେ କ’ଣ ଏତେଶୀଘ୍ର ଭୁଲିଗଲ ?

 

ହଁ, ଅତୀତର ସ୍ମୃତି ମୋର କିଛି ମନେ ପଡ଼ୁନାହିଁ । ତା’ଛଡ଼ା ତମ ସହିତ ଏକାନ୍ତରେ ଏତେ ସ୍ଥାନକୁ ଯାଇଛି, ୟା’ର ପ୍ରମାଣ ତମେ ଦେଇପାରିବ ?

 

ପ୍ରମାଣ ! ତମେ ଆଜି ମୋଠାରୁ ପ୍ରମାଣ ଚାହିଁବାକୁ ଆଶା କରି ପାରୁଛ ସୂର୍ଯ୍ୟକାନ୍ତ !

 

ନିଶ୍ଚୟ ! ତମର ପିତାମାତା ଅଛନ୍ତି, ସମାଜ ଅଛି, ଅଥଚ ତମେ ନିର୍ବିଘ୍ନରେ ମୋ ସହିତ ଏତେ ସ୍ଥାନକୁ ଏକୁଟିଆ ଯାଇଛ, ଏ କଥା ବାହାରର କୌଣସି ମଣିଷ ଶୁଣିଲେ ବିଶ୍ୱାସ କରିପାରିବ ନାହିଁ ।

 

ସୂର୍ଯ୍ୟକାନ୍ତର ଯୁକ୍ତି ନିକଟରେ ପରାସ୍ତ ହେଲା ଜୟନ୍ତୀ । ପାହାଡ଼କୁ ଟେକା ପକାଇଲେ ହାତ ଘୋଳି ହୁଏ । ଯେଉଁ ସୂର୍ଯ୍ୟକାନ୍ତ ଆଜି ତାକୁ ପ୍ରତାରଣା କରିବାକୁ ଚେଷ୍ଟା କରୁଛି ତା’ ସହିତ ଯୁକ୍ତି କରି କିଛି ଲାଭ ନାହିଁ । ତଥାପି ନିରାଟ ସତ୍ୟକୁ କିମିତି ସେ ମିଛ ବୋଲି ଗ୍ରହଣ କରିନେବ ?

 

ଅନେକ ସମୟପରେ ଜୟନ୍ତୀ ତୁଣ୍ଡ ଖୋଲିଲା । କହିଲା–ଅତୀତର ସବୁ ଶପଥ ପାଶୋରି ଦେଲ ତୁମେ ? କିନ୍ତୁ ତୁମେ କାହିଁକି ମୋ ସହିତ ଖେଳ ଖେଳୁଥିଲ ? ମୁଁ ତମର କ’ଣ ଅପରାଧ କରିଥିଲି ସୂର୍ଯ୍ୟକାନ୍ତ ? କାହିଁକି ତୁମେ ମୋ ମଥାରେ କଳଙ୍କର ଟୀକା ପିନ୍ଧାଇ ଦେଲ ?

 

ସୂର୍ଯ୍ୟକାନ୍ତ ଗମ୍ଭୀର କଣ୍ଠରେ କହିଲା–ସଞ୍ଜତ ହୋଇ କଥା କୁହ ଜୟନ୍ତୀ । ମେ ନାମରେ ଅପପ୍ରଚାର କରିବାକୁ ଚେଷ୍ଟା କଲେ ମୁଁ କେବେ କ୍ଷମା ଦେଇ ପାରିବି ନାହିଁ । ପରପୁରୁଷ ଦ୍ୱାରା ଧର୍ଷିତା ହୋଇ ମୋ ପାଖରେ ଅଭିଯୋଗ କଲେ ମୁଁ କିଛି ଶୁଣିବି ନାହିଁ ।

 

ତମେ ଏ କଥା କହିପାରୁଛ ସୂର୍ଯ୍ୟକାନ୍ତ । ତମର ମାନସୀ ପ୍ରିୟା ନାମରେ ତମେ ଏପରି କୁତ୍ସାରଟନା କରି ପାରୁଛ ? ଆଜି ପର୍ଯ୍ୟନ୍ତ ତମେ ମୋତେ ଚିହ୍ନି ପାରିଲ ନାହିଁ । ସେତେବେଳେ ମୋତେ କେତେ ଆଶା ଭରଷା ଦେଇଥିଲ, ବିବାହପାଇଁ ଶପଥ କରିଥିଲ । ଅଥଚ ଆଜି....ଆଜି ମୁଁ କ’ଣ କରିବି ମୋତେ କହିଦିଅ ସୂର୍ଯ୍ୟକାନ୍ତ ! ମୁଁ ଆଜି ନିରୁପାୟ । ଗର୍ଭରେ ତୁମର ସନ୍ତାନ ଧରି କାହାକୁ ମୁଁ ମୁହଁ ଦେଖାଇବି ?

 

ତାତ୍ସଲ୍ୟର ହସ ହସିଲା ସୂର୍ଯ୍ୟକାନ୍ତ । କହିଲା, ତୁମେ ବୁଦ୍ଧିମତୀ ନାରି ପୁଣି ଆଧୁନିକା, ଶିକ୍ଷିତା । ଏଇ ସାମନ୍ୟ ବିପଦରେ ପଡ଼ି ତୁମେ ଇମିତି ଭାଙ୍ଗି ପଡ଼ୁଛ ? ନିଜକୁ ଯଦି ଅକ୍ଷତ ରଖିବାକୁ ଚାହଁ, କୁମାରୀ ଜୀବନରେ ଯଦି କଳଙ୍କୁ ଏତେ ଭୟ କର ତେବେ ଗର୍ଭସ୍ଥ ଶିଶୁଟିକୁ....

 

ନଷ୍ଟ କରିଦେବି । –କଥା ଛଡ଼ାଇ ନେଇ ଜୟନ୍ତୀ କହି ଉଠିଲା ।

 

ହଁ । ନଷ୍ଟ କରିଦିଅ । ୟା’ଦ୍ୱାରା ତୁମେ ନିଷ୍କଳଙ୍କ ହେବ, ତୁମ ପରିବାରର ମୁଣ୍ଡରୁ ଗୋଟାଏ ଗୁରୁଦାୟିତ୍ୱ ବି କମିଯିବ ।

 

ଜୟନ୍ତୀ କହିଲା, ତେବେ ତୁମେ ତା’ର ପିତୃତ୍ୱକୁ ଅସ୍ୱୀକାର କରୁଛ ?

 

କିମିତି ସ୍ୱୀକାର କରିବି ତୁମେ କୁହ ତ ? ପିତା ନ ହୋଇ ସେଇ ଅନାଗତ ସନ୍ତାନର ପିତା ବୋଲି କିମିତି ସ୍ୱୀକାର କରିବି ?

 

ସୂର୍ଯ୍ୟକାନ୍ତ ! ଜୟନ୍ତୀ କିଛି ଉତ୍ତର ଦେଇପାରିଲା ନାହିଁ । କହିବାକୁ ଅନେକ କଥା ଥିଲେ ମଧ୍ୟ ସୂର୍ଯ୍ୟକାନ୍ତର କପୋଳକଳ୍ପିତ କଥାରେ ସେ ଭାଙ୍ଗି ପଡ଼ିଲା ।

 

ସୂର୍ଯ୍ୟକାନ୍ତ ପକେଟରୁ ବିଡ଼ାଏ ନୋଟ ବାହାର କରି ଜୟନ୍ତୀ ହାତକୁ ବଢ଼ାଇ ଦେଇ କହିଲା, ତୁମେ ଏପରି ଅସୁବିଧାରେ ପଡ଼ି ଅସମୟରେ ଆସିଛ ବୋଲି ମୋର ମନରେ ଦୟା ଆସୁଛି । ତେବେ ନିଅ ଏ ହଜାର ଟଙ୍କା; ତୁମପାଇଁ ଆଉ ତୁମର ଅନାଗତ ସନ୍ତାନର କିଛି କାର୍ଯ୍ୟରେ ଲାଗିପାରିଲେ ମୁଁ ଖୁସି ହେବି ।

 

ବିସ୍ମିତ–ବିହ୍ୱଳିତ ନେତ୍ରରେ ଜୟନ୍ତୀ ଚାହିଁଲା ସୂର୍ଯ୍ୟକାନ୍ତକୁ । ସୂର୍ଯ୍ୟକାନ୍ତ ଧନୀର ସନ୍ତାନ-। ଅପକର୍ମ କରି ଗୁଡ଼ାଏ ଟଙ୍କା ଉପାର୍ଜନ କରିଛି ବୋଲି ଟଙ୍କା ପ୍ରତି ଭ୍ରୂକ୍ଷେପ ନାହିଁ । କିନ୍ତୁ କ’ଣ ହେବ ତା’ର ଟଙ୍କା ! ଟଙ୍କା ପାଇଁ ତ ସେ ଆସିନାହିଁ । ସେ ଆସିଛି ସାହାଯ୍ୟ ପାଇଁ–କୁମାରୀ ଜୀବନକୁ ନିଷ୍କଳଙ୍କ ରଖିବାକୁ ଏକମାତ୍ର ସୂର୍ଯ୍ୟକାନ୍ତ ସାହାଯ୍ୟ କରିପାରେ....ଆଶ୍ରୟ ଦେଇପାରେ....କଳଙ୍କ ଟୀକା ଲିଭେଇ ଦେଇପାରେ । ଅଥଚ ସୂର୍ଯ୍ୟକାନ୍ତ ଆଜି ଅନାଗତ ସନ୍ତାନକୁ ସାହାଯ୍ୟ କରିବାକୁ ଟଙ୍କା ଦେଉଛି ।

 

କ’ଣ ହେବ ତା’ର ଟଙ୍କା ??

 

ଜୟନ୍ତୀ କହିଲା, ମୁଁ ଭିକାରୁଣୀ ନୁହେଁ ସୂର୍ଯ୍ୟକାନ୍ତ ! ସାମାନ୍ୟ ଟଙ୍କା ପାଇଁ ତୁମ ନିକଟକୁ ମୁଁ ହାତ ପାତିବାକୁ ଆସିନି । ଟଙ୍କାର ଗୁମ୍ଫା, ମଣି–ମାଣିକ୍ୟର ତାଜମହଲ ଭିତରେ ତମେ ଟଙ୍କାର ସ୍ୱପ୍ନ ଦେଖିପାର । କିନ୍ତୁ ମୋତେ ଟିକେ ଆଶ୍ରୟ ଦିଅ...ଯେଉଁ ଆଶ୍ରୟ ତମଛଡ଼ା ଆଉ କେହି ଦେଇପାରିବେ ନାହିଁ ।

 

ସୂର୍ଯ୍ୟକାନ୍ତ ବିଦ୍ରୂପର ହସ ହସିଲା ।

 

ମୋର ଏ ଦୁର୍ଯ୍ୟୋଗ ମୁହୂର୍ତ୍ତରେ ତୁମେ ହସିପାରୁଛ ସୂର୍ଯ୍ୟକାନ୍ତ ମୋତେ ପରିହାସ କରିପାରୁଛ ? କିନ୍ତୁ କାହାପାଇଁ ଆଜି ମୋର ଏ ଅବସ୍ଥା ! ମନଭୁଲା ପୀରତିମିଶା କଥା କହି ମୋର କୁମାରୀ ଜୀବନ ସହିତ ଖେଳ ଖେଳିଥିଲି । ମୋତେ ବିବାହ କରିବ ବୋଲି ପ୍ରତିଶ୍ରୂତି ଦେଇଥିଲ । ଅଥଚ ଆଜି ସେହିକଥାକୁ ଫାଙ୍କି ଦେଇପାରୁଚ ?

 

ସିଗାରେଟରେ ନିଆଁ ଧରାଇ ସୂର୍ଯ୍ୟକାନ୍ତ କହିଲା–ତୁମର ଆଜି ଏ ଅବସ୍ଥାପାଇଁ ମୁଁ ଦାୟୀ ନୁହେଁ ଜୟନ୍ତୀ ! ତମେ ମୋତେ ଯାହା କିଛି ଦେଇଛ ତା’ ବିନିମୟରେ ପ୍ରଚୁର ଅର୍ଥ ପାଇଛ । ତା’ଠାରୁ ଆଉ ଅଧିକ ଆଶା କରିବା କେବଳ ନିର୍ବୋଧତା ଛଡ଼ା ଆଉ କିଛି ନୁହେଁ ।

 

ସୂର୍ଯ୍ୟକାନ୍ତ ! ଆହତ କଣ୍ଠରେ ଚିତ୍କାର କରି ଉଠିଲା ଜୟନ୍ତୀ ।

 

ମୁଁ ନିରୁପାୟ ଜୟନ୍ତୀ । ତୁମେ ଫେରିଯାଅ । ଆଉ କେଉଁଦିନ ଏଠାକୁ ଆସିବାକୁ ଚେଷ୍ଟା କରିବ ନାହିଁ । ନିଅ ଆଉ, ହଜାରେ ଟଙ୍କା !

 

ମୁହୂର୍ତ୍ତେ ଅପେକ୍ଷା ନ କରି ସୂର୍ଯ୍ୟକାନ୍ତ ବାହାରି ଆସିଲା ପଦାକୁ ।

ଅନେକ ସମୟ ଅପେକ୍ଷା କଲାପରେ ନିରାଶ ହୋଇ ଜୟନ୍ତୀ ଫେରି ଆସିଲା ।

ତା’ପରେ ଆରମ୍ଭ ଜୟନ୍ତୀର ଦୁର୍ଦ୍ଦିନ ।

ପିତାମାତା, ସମାଜ, ପରିବାର, ସମସ୍ତେ ଜୟନ୍ତୀର କୁତ୍ସାରଟନା କଲେ ।

ଜୟନ୍ତୀ ଶପଥ କଲା, ସୂର୍ଯ୍ୟକାନ୍ତ ଉପରେ ପ୍ରତିଶୋଧ ନେବ । ଯେଉଁ ସୂର୍ଯ୍ୟକାନ୍ତ ତାକୁ ପ୍ରତାରିତ କରିଛି, ଯିଏ ତା’ ମୁଣ୍ଡରେ କଳଙ୍କର ଟୀକା ପିନ୍ଧାଇଛି, ଯିଏ ତାକୁ ଆଜି ସଭ୍ୟ ସମାଜର ନୀଚ, ଘୃଣିତ ବୋଲି ପରିଚିତ କରାଇଛି, ସେଇ ସୂର୍ଯ୍ୟକାନ୍ତ ଉପରେ ସେ ତିଳ ତିଳ କରି ପ୍ରତିଶୋଧ ନେବ । ସୂର୍ଯ୍ୟକାନ୍ତର ଜୀବନ ଯୌବନ ଓ ତା’ର ରଙ୍ଗୀନ ଭବିଷ୍ୟତକୁ ଧ୍ୱଂସ କରିଦେବ-

କିନ୍ତୁ....

ନାରୀ ସେ, ଅବଳା, ପୁଣି କୁମାରୀ ! ସୂର୍ଯ୍ୟକାନ୍ତ ପରି ଧନୀ ବ୍ୟକ୍ତି ସାଥିରେ ସେ ପ୍ରତିଦ୍ୱନ୍ଦିତା କରିବ । ନା, ତା’ କେବେ ହୋଇପାରେ ନା ।

ସୂର୍ଯ୍ୟକାନ୍ତ ପ୍ରତି ତା’ର ଦୟା ହେଲା । ସୂର୍ଯ୍ୟକାନ୍ତ ଅମଣିଷ ହେଉ, ସୂର୍ଯ୍ୟକାନ୍ତ ତାକୁ ପ୍ରତାରଣା କରୁ, କିନ୍ତୁ ସେ ସୂର୍ଯ୍ୟକାନ୍ତ ପ୍ରତି କେବେ ପାଷାଣୀ ହୋଇପାରିବ ନାହିଁ । କାରଣ ସୂର୍ଯ୍ୟକାନ୍ତର ସନ୍ତାନ ତା’ ଗର୍ଭରେ ଏବେ ସୁଦ୍ଧା ରହିଛି ।

ଅନେକଦିନ ବିତିଗଲା ।

ଦିନେ ଫାଲ୍‌ଗୁନୀ ଶୁଣିଲା, ସମାଜର ଅକଥନୀୟ ଅତ୍ୟାଚାର, ନିନ୍ଦା, ଅପମାନ ସହ୍ୟକରି ନପାରି ଜୟନ୍ତୀ ଆତ୍ମହତ୍ୟା କରିଛି ।

ଜୟନ୍ତୀର ମୃତ୍ୟୁ ସମ୍ବାଦ ଶୁଣି ସେଦିନ ଫାଲ୍‌ଗୁନୀ ଆଖିରୁ ଗଡ଼ି ପଡ଼ିଥିଲା ଦି’ଠୋପା ଲୁହ ।

ସେଇ ଜୟନ୍ତୀର ପ୍ରେମିକ ସୂର୍ଯ୍ୟକାନ୍ତକୁ ଆଜି ଭଲପାଇ ବସିଛି ନର୍ମଦା ।

ନର୍ମଦାର ତେବେ କ’ଣ ଏଇ ଅବସ୍ଥା ହେବ ?

ସତେ କ’ଣ ନର୍ମଦା ସାରାଜୀବନ ପାଇଁ ପ୍ରତାରିତ ହେବ ??

ହାତ ଘଡ଼ିକୁ ଚାହିଁଲା ଫାଲ୍‌ଗୁନୀ । ସାଢ଼େ ନଅଟା ହୋଇଗଲାଣି ପନ୍ଦର ମିନିଟ୍‌ ପୂର୍ବରୁ-। ଅଥଚ ଏପର୍ଯ୍ୟନ୍ତ ନର୍ମଦାର ଦେଖା ନାହିଁ ।

ତେବେ ନର୍ମଦା କ’ଣ ସେହି ପୁରୁଷ ବନ୍ଧୁ ସହିତ ରାତ୍ରୀ ଭ୍ରମଣରେ କୁଆଡ଼େ ଚାଲି ଯାଇଛି ।

ଅସମ୍ଭବ ହୋଇ ନ ପାରେ । ତତ୍ୱାବଧାରକ କେହି ନ ରହିଲେ ସମସ୍ତ ଯୁବକ–ଯୁବତୀ ଇମିତି ଉଚ୍ଛୃଙ୍ଖଳ ହୋଇ ଉଠନ୍ତି । ସେମାନଙ୍କ ପାଇଁ ହୁଏତ ସବୁ କିଛି ସମ୍ଭବ ହୋଇପାରେ ।

 

ଆଜି ହୁଏତ ସୂର୍ଯ୍ୟକାନ୍ତ ରାତ୍ରି ଅଭିସାର ପାଇଁ ନର୍ମଦାକୁ ତା’ ଘରକୁ ନେଇଯାଇଥିବ । ଆଉ ନର୍ମଦା ଅନୁରୋଧ ମଧ୍ୟ ପ୍ରେମିକାର ପ୍ରତ୍ୟାଖ୍ୟାନ କରି ନପାରି ସୂର୍ଯ୍ୟକାନ୍ତ ସହିତ ଯାଇଥିବ ।

 

ତା’ପରେ.....

 

ଶିହରୀ ଉଠିଲା ଫାଲ୍‌ଗୁନୀ । ବିଛଣା ଉପରେ ଲେଟିପଡ଼ି ନର୍ମଦାର ପ୍ରତ୍ୟାବର୍ତ୍ତନ ପଥକୁ ପ୍ରତୀକ୍ଷା କରିଥିଲା ।

 

ଆମ୍ବାସଡ଼ର କାରଟା ମସୃଣ ରାଜରାସ୍ତା ଉପରେ ତୀରବେଗରେ ଛୁଟିଥିଲା ‘ସୂର୍ଯ୍ୟମହଲ’ର ଅଭିମୂଖେ ।

 

ଫ୍ରଣ୍ଟସିଟ୍‌ରେ ନର୍ମଦା ବସିଥିଲା ଠିକ୍‌ ସୂର୍ଯ୍ୟକାନ୍ତକୁ ଲାଗି ।

 

ସୂର୍ଯ୍ୟକାନ୍ତ ଡ୍ରାଇଭିଂ କରୁଥିଲା । ମଝିରେ ମଝିରେ କଣେଇ ଚାହିୁଥିଲା ନର୍ମଦାକୁ ।

 

ଗୋଟାଏ ବିରାଟ ଦ୍ୱିମହଲା କୋଠା ସାମନାରେ ଗାଡ଼ିରଖି ସୂର୍ଯ୍ୟକାନ୍ତ ପଦାକୁ ବାହାରି ଆସି କହିଲା, ଆସ ନର୍ମଦା !

 

ନର୍ମଦା ବିସ୍ମିତ ହେଲା । କହିଲା, ଏଠି ଗାଡ଼ି ରଖିଲ ଯେ ?

 

ହଁ, ଘରକୁ ଯିବାକୁ ଏତେ ବ୍ୟଗ୍ର କାହିଁକି ? ଏତେଦିନ ପରେ ଥରେ ନିରୋଳାରେ ମିଶିବାର ସୁଯୋଗ ଆସିଛି । ଆଉ ସେଇ ସୁଯୋଗର ସଦ୍‌ବ୍ୟବହାର କରିବାପାଇଁ ତୁମକୁ ନେଇ ଆସିଛି ମୋର ଏଇ କ୍ଷୁଦ୍ର କୁଟୀରକୁ ।

 

ନର୍ମଦା ହସିଲା । କହିଲା, ଏଇ ଦ୍ୱିମହଲା ପ୍ରାସାଦକୁ ଆପଣ କୁଟୀର କହିପାରୁଛନ୍ତି ?

 

ସୂର୍ଯ୍ୟକାନ୍ତ ନର୍ମଦାର ହାତଧରି ଟାଣି ନେଇଗଲା ଭିତରକୁ ।

 

ପକେଟରୁ ଚାବି ବାହାର କରି କୋଠରୀ ଫିଟାଇଲେ ସୂର୍ଯ୍ୟକାନ୍ତ ।

 

ନର୍ମଦା କହିଲା, ଆପଣ କହୁଥିଲେ ଯେ, ଘରେ ପିତା ମାତା, ଭାଇ–ଭଉଣୀ ସମସ୍ତେ ଅଛନ୍ତି ବୋଲି । ଅଥଚ କାହାରିକୁ ମୁଁ ଦେଖୁନି ଯେ ! ଆଉ ଘରର ଚାବି ଯେ ଆପଣଙ୍କ ପାଖରେ-??

ସୂର୍ଯ୍ୟକାନ୍ତ ମୃଦୁ ହସି କହିଲା, ସମସ୍ତେ ଅଛନ୍ତି ନର୍ମଦା, କିନ୍ତୁ ଆଜି ଗୋଟିଏ ଜରୁରୀ କାର୍ଯ୍ୟରେ ସମସ୍ତେ ଗାଁକୁ ଯାଇଛନ୍ତି ।

ସୂର୍ଯ୍ୟକାନ୍ତ କୋଠରୀ ଉନ୍ମୁକ୍ତ କଲା ।

ନର୍ମଦା କୋଠରୀ ଭିତରେ ପ୍ରବେଶ କଲା ।

ସୂର୍ଯ୍ୟକାନ୍ତ ଶୟନ କକ୍ଷ । ବେଶ୍‌ ଆଧୁନିକ ଧରଣର, ସୁରୁଚିପୂର୍ଣ୍ଣ । ସୁଶୋଭନ କକ୍ଷଟି ମନକୁ ବେଶ ଆକର୍ଷଣ କଲା । ଦାମୀ ପଲଙ୍କ, ଦାମୀ ସୋଫା, ମଖମଲି ଶେଯ, ବିରାଟ ଡ୍ରେସିଂ ଟେବୁଲ, ଫ୍ୟାନ୍‌, ରେଡ଼ିଓଗ୍ରାମ ଇତ୍ୟାଦି ଉପଯୁକ୍ତ ସ୍ଥାନରେ ରହି କକ୍ଷର ଶୋଭା ବର୍ଦ୍ଧନ କରୁଛି ।

କୋଠରୀର ଚାରିଆଡ଼କୁ ଥରେ ଦୃଷ୍ଟି ବୁଲାଇ ଆଣି ନର୍ମଦା ବସି ପଡ଼ିଲା ପଲଙ୍କ ଉପରେ । କହିଲା, ଏ ଘରଟି ମୋତେ ଖୁବ୍‌ ଭଲ ଲାଗୁଛି । କେବେ ତିଆରି କରାଇଥିଲେ ଏଇ ଘରଟି ?

ନର୍ମଦା ପାଖରେ ବସି ପଡ଼ୁ ପଡ଼ୁ ସୂର୍ଯ୍ୟକାନ୍ତ କହିଲା, ଘର ତିଆରି ହେବାର ଗୋଟା ବର୍ଷବି ପୂରିନି । ପାରାଦ୍ୱୀପରେ ଗୋଟାଏ କଣ୍ଟ୍ରାକ୍ଟ ନେଇଥିଲେ । ମୋଟେ ତିନିଲକ୍ଷ ଟଙ୍କାର କାମ-। ସେଥିରେ ପ୍ରାୟ ଦୁଇଲକ୍ଷ ଟଙ୍କା ଲାଭ ହୋଇଥିଲା ।

ନର୍ମଦା କହିଲା, ତିନି ଲକ୍ଷ ଟଙ୍କାରେ ଦୁଇ ଲକ୍ଷ ଲାଭ ?

ହଁ, ଆଶ୍ଚର୍ଯ୍ୟ ହେଉଛ ଯେ ? ଏ ଯୁଗରେ ସବୁ ସମ୍ଭବ । ଅଫିସରଙ୍କ ମନ ନେଇ ପାରିଲେ ଗୋଟିଏ ରାତି ଭିତରେ ଲକ୍ଷପତି ହୋଇପାରିବ । ମୁଖ୍ୟମନ୍ତ୍ରୀଙ୍କ ମନଜାଣି ଠିକ୍‌ ଦରକାର ବେଳେ ସାହାଯ୍ୟ, ବଡ଼ ବଡ଼ ଅନୁଷ୍ଠାନକୁ ଲକ୍ଷାଧିକ ଟଙ୍କା ଚାନ୍ଦା ଦେଇ ପାରିଲେ ମାସକ ଭିତରେ କୋଟିପତି ହୋଇପାରିବ । ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ବିଲାତି ମଦ, ଆଉ ଏ ଯୁଗର ତୃତୀୟ ଶ୍ରେଣୀ ନାରୀ ଥିଲେ ସବୁକାମ ଅକ୍ଲେଶରେ ହୋଇ ପାରିବ ।

ନର୍ମଦା ମୃଦୁ ହସି କହିଲା, ବଡ଼ଲୋକ ହେବାର ପ୍ରବଳ ଝୁଙ୍କ ଆପଣଙ୍କର ଅଛି ସତ, କିନ୍ତୁ ଦେଶ ପ୍ରତି ଯେଉଁ ବିଶ୍ୱାସଘାତକତା କରୁଛନ୍ତି ତାହାର କ’ଣ କ୍ଷମା ଅଛି ? ସରକାରଙ୍କୁ ଠକିବା ମାନେ ଦେଶକୁ ଠକିବା, ଯୋଜନା କାମରେ ଠକିବା ମାନେ ନିଜ ଜାତି, ନିଜ ଭାଇବନ୍ଧୁଙ୍କୁ ଠକିବା; ଦେଶଦ୍ରୋହୀ ହେବା ।

ସୂର୍ଯ୍ୟକାନ୍ତ ମ୍ଳାନ ହସ ହସିଲେ । କହିଲେ, ତମେ ବହୁ ପୁରାତନ ଯୁଗର କଥା କହୁଛ ନର୍ମଦା ! ଯୁଗକୁ ନେଇ ସବୁକାମ କରିହୁଏ । ଅଥଚ ଆଦର୍ଶ, ଆତ୍ମସମ୍ମାନକୁ ନେଇ ଚଳିଲେ ଭବିଷ୍ୟତ ଜୀବନରେ ଖଣ୍ଡେ ରୁଟି ବି ମିଳିବନି ।

ନର୍ମଦା ବିସ୍ମିତ ହୋଇ ସୂର୍ଯ୍ୟକାନ୍ତକୁ ଚାହିଁଲା ।

କଥାର ଗତିଧାରା ପରିବର୍ତ୍ତନ କରି ସୂର୍ଯ୍ୟକାନ୍ତ କହିଲେ–ତମେ ବସ ନର୍ମଦା, ମୁଁ ଓଭଲଟିନ୍‌ ତିଆରି କରେ ।

 

ବାରଣ କଲା ନର୍ମଦା । ଏତେ ରାତିରେ ଓଭଲଟିନ୍‍ର ପ୍ରୟୋଜନ ନାହିଁ ସୂର୍ଯ୍ୟକାନ୍ତ ! ବର୍ତ୍ତମାନ ଓଭଲଟିନ୍‌ ଖାଇଲେ ଘରେ ଆଉ ଖାଇ ହେବନି ।

 

ତେବେ ଜଳଖିଆ କିଛି ମଗାଇ ଦେଉଛି ।

 

ସୂର୍ଯ୍ୟକାନ୍ତ ବାହାରକୁ ଗଲା ।

 

ଜଳଖିଆ ପର୍ବ ସରିବା ପରେ ନର୍ମଦା ଫେରି ଆସିଲା ସୂର୍ଯ୍ୟକାନ୍ତର ପଲଙ୍କ ଉପରକୁ । ସୁକୋମଳ ଶଯ୍ୟା ଉପରେ ନିଜର ପେଶଳ ଯୌବନ ଶ୍ରୀକୁ ଲୋଟାଇ ଦେଇ ନର୍ମଦା କହିଲା, ଆଜି ଭୀଷଣ କ୍ଳାନ୍ତ ଅନୁଭବ କରୁଛି ସୂର୍ଯ୍ୟକାନ୍ତ ! ମୁଣ୍ଡଟା ମଧ୍ୟ ଭୀଷଣ ବ୍ୟଥା ହେଉଛି ।

 

ସୂର୍ଯ୍ୟକାନ୍ତ ପଲଙ୍କ ଉପରେ ବସିପଡ଼ି କହିଲା, ଅଳ୍ପ ସମୟ ପାଇଁ ତମେ ବିଶ୍ରାମ ନିଅ ନର୍ମଦା ! ଏପରି କ୍ଲାନ୍ତ ଶରୀରକୁ ନେଇ ଘରକୁ ଫେରିଯିବା ଉଚିତ ନୁହେଁ । ତମେ ବିଶ୍ରାମ ନିଅ । ମୁଁ ତୁମର ମୁଣ୍ଡଚିପି ଦେଉଛି ।

 

ବିଶ୍ରାମ ନେଉ ନେଉ ଯଦି ନିଦ ହୋଇଯାଏ ?

 

ମୁଁ ଉଠାଇ ଦେବି ଯେ !

 

ନର୍ମଦା କିଛି ଉତ୍ତର ନ ଦେଇ ମୁରୁକି ହସିଲା କେବଳ ।

 

ସୂର୍ଯ୍ୟକାନ୍ତ ନିଜ କୋଳ ଉପରେ ନର୍ମଦାର ମୁଣ୍ଡ ରଖି ଚିପି ଦେବାକୁ ଲାଗିଲେ ।

 

ନର୍ମଦା ଶୋଇଛି । ଚିତ୍‌ ହୋଇ ଶୋଇଛି ସେ । ଉନ୍ନତ ବକ୍ଷ ଉପରେ ବସନ ବିପର୍ଯ୍ୟସ୍ତ ଭାବରେ ତଳେ ଲୋଟିପଡ଼ିଛି, ଧଳା ବ୍ଲାଉଜ ଭିତରୁ ବକ୍ଷ–ବନ୍ଧନୀ ସ୍ପଷ୍ଟ ଦିଶୁଛି ବିଜୁଳୀ ଆଲୋକରେ, ଇସ୍‌; ଚମତ୍କାର ! କି ଲୋଭନୀୟ !! କି ରମଣୀୟ ନର୍ମଦାର ମସୃଣ ଅଙ୍ଗସୌଷ୍ଠବ, କଅଁଳ ଗୋଲାପ ପରି ଅଧର, ଚିକ୍‌ଣ ଚିବୁକ....

 

ସୂର୍ଯ୍ୟକାନ୍ତ ବିହ୍ୱଳିତ ହୋଇପଡ଼ିଲା । ନର୍ମଦା ସାଥିରେ ସେ ଅନେକଥର ମିଶିଛି, ଅନେକଥର ପାଖରେ, ଅତି ପାଖରେ ପାଇଛି । ନର୍ମଦାର ସୌନ୍ଦର୍ଯ୍ୟକୁ ଗଭୀର ଭାବରେ ନିରୀକ୍ଷଣ କରିଛି । ଅଥଚ...

 

ଅଥଚ ଆଜିର ରୂପ ଯେପରି ସ୍ୱତନ୍ତ୍ର ।

 

ନର୍ମଦାର ଆହୁରି ନିକଟକୁ ଲାଗିଗଲେ ସୂର୍ଯ୍ୟକାନ୍ତ ।

 

ନର୍ମଦାର ବେକତଳେ ହାତ ପୂରାଇ ତାକୁ ଟାଣି ଆଣିଲେ ନିଜ ଆଡ଼କୁ ।

 

ମୂଦା ଆଖିପତା ଖୋଲି ନର୍ମଦା ନିବିଡ଼ ଭାବରେ ଲାଗିଗଲା ସୂର୍ଯ୍ୟକାନ୍ତର ଅଙ୍ଗ–ଅବୟବରେ ।

 

ଫାଲ୍‌ଗୁନୀ ହାତ ଘଡ଼ିକୁ ଚାହିଁଲା ।

 

ରାତି ସାଢ଼େ ଏଗାରଟା ବାଜିଲାଣି ପାଞ୍ଚମିନିଟ୍‌ ପୂର୍ବରୁ ।

 

ଦ୍ୱିତଳ ପ୍ରାସାଦର ବାଲକୋନି ଉପରକୁ ଆସି ରାଜରାସ୍ତା ଉପରକୁ ଚାହିଁଲା ଫାଲ୍‌ଗୁନୀ-। ଜନଶୂନ୍ୟ ରାଜପଥ, ନିରୋଳା ନିଝୁମ ରାତ୍ରି । ରାତ୍ରିର ପ୍ରଥମ ପ୍ରହରର ଶେଷାଂଶ ଯେପରି ଶେଷ ପ୍ରହର ରାତ୍ରି ଭଳି ଜଣାପଡ଼ୁଥିଲା ।

 

ଅଥଚ ନର୍ମଦା ଏପର୍ଯ୍ୟନ୍ତ ଫେରିନାହିଁ ।

 

ଯୁବକ ପ୍ରେମିକ ସହିତ ନର୍ମଦା ଚଳଚ୍ଚିତ୍ର ପରିଦର୍ଶନରେ ଯାଇଥିଲା ।

 

ପ୍ରଥମ ସୋ’ ଠିକ୍‌ ରାତି ନ’ଅଟାରେ ସମାପ୍ତ ହୋଇଥିବ । ଅଥଚ ନର୍ମଦା ଏ ପର୍ଯ୍ୟନ୍ତ ଘରକୁ ଫେରିନି ।

 

ଫାଲ୍‌ଗୁନୀର ମନର ଉପବନରେ ଅନେକ ଦୁଶ୍ଚିନ୍ତାର କୁଟୀଳରେଖା ରୂପ ପାଇଲା ।

 

ନର୍ମଦା ଯୌବନର ପ୍ରଥମ ସୋପାନରେ ଏବେ ଅବତୀର୍ଣ୍ଣା ହୋଇଛି, ରଙ୍ଗୀନ ଦୁନିଆ ଲୋଭନୀୟ ମନେ ହେଉଛି । ନୂଆ ମନ, ଅପରିପକ୍ୱ ଚିନ୍ତାଧାରା । ପୁରୁଷ ହେଉ କିମ୍ବା ନାରୀ ହେଉ ସମସ୍ତେ ଏଇ ବୟସରେ ଭୁଲ କରନ୍ତି । ଆଉ ସେଇ ଭୁଲ ସାରାଜୀବନ ପାଇଁ ଏକ ଅପୁରଣୀୟ କ୍ଷତି ଘଟାଇ ଥାଏ–ଯେଉଁ କ୍ଷତିର ମୂଲ୍ୟ ଜୀବନଭରି ପରିଶୋଧ କରି ହୁଏନା କି ଅଜସ୍ର ଅର୍ଥ ବିନିମୟରେ ତାହା ପରିପୂରଣ ହୋଇ ପାରେନା । ସେଇ ସାମାନ୍ୟ ଭୁଲ ସୁଦୀର୍ଘ ଜୀବନ ପାଇଁ ଏକ କଳଙ୍କର କ୍ଷତଚିହ୍ନ ହୋଇ ରହିଯାଏ ।

 

ସୂର୍ଯ୍ୟକାନ୍ତ ନର୍ମଦାର ସମ୍ପର୍କୀୟ ନୁହେଁ, ତଥାପି ନର୍ମଦା ସହିତ ତା’ର ଏତେ ଘନିଷ୍ଠ ସମ୍ପର୍କ କାହିଁକି ? କଲେଜ ସାଥି ନୁହେଁ, ପଟ୍ଟନାୟକ ବଂଶର କୌଣସି ପରିଚିତ ବନ୍ଧୁ ନୁହେଁ, ଆତ୍ମୀୟ ମଧ୍ୟ ନୁହେଁ–

 

ଅଥଚ ନର୍ମଦାର ସେ ହିତାକାଂକ୍ଷୀ, ଶୁଭାକାଂକ୍ଷୀ, ପରମ ଆତ୍ମୀୟ ।

 

ଆଜି ସେଇ ପୁରୁଷ ବନ୍ଧୁ ପାଇଁ ଅଗ୍ରୀମ ଟିକେଟ୍‌ କରି ଆଣିଥିଲା ନର୍ମଦା । ଚଳଚ୍ଚିତ୍ର ଗୃହର ଷ୍ଟେଆରକେଶ୍‌ ଉପରେ ଇଙ୍ଗିତ ଦ୍ୱାରା କଥା ଭାଷା ହେଉଥିଲେ । ଚଳଚ୍ଚିତ୍ର ଗୃହ ମଧ୍ୟରେ ଅସଞ୍ଜତ ଭାବରେ ଦୁହେଁ ଦୁହିଁଙ୍କୁ ଲାଗି ବସିଥିଲେ ।

 

ଏହାକୁ ସବୁ ଦେଖିସାରିବା ପରେ ନର୍ମଦାର ଜେଷ୍ଠାଭଗ୍ନୀ ହୋଇ କିପରି ସେ ବସିଥାଆନ୍ତା ସେହିଠାରେ ? ତେଣୁ ଦେହରେ କୌଣସି ଶାରୀରିକ ଅସୁସ୍ଥତା ନଥିଲେ ମଧ୍ୟ ମୁଣ୍ଡବିନ୍ଧାର ଛଳନା କରି ସେ ଚାଲି ଆସିଥିଲା । ଭାବିଥିଲା, ସେ ଚାଲି ଆସିଲେ ନର୍ମଦା ଆପେ ଆପେ ଚାଲିଆସିବ ।

 

କିନ୍ତୁ ନର୍ମଦା ଆସିଲା ନାହିଁ ।

 

ବେଳ ଗଡ଼ି ଗଡ଼ି ଚାଲିଲା ।

 

ଫାଲ୍‌ଗୁନୀ ବିବ୍ରତ ହୋଇ ଉଠିଲା ।

 

ନର୍ମଦା ସ୍ୱାଧୀନତାର ଅପବ୍ୟବହାର କରୁଛି । ଦିନକୁ ଦିନ ଯଥେଷ୍ଟ ସେଚ୍ଛାଚାର ହୋଇ ଉଠୁଛି । ପଟ୍ଟନାୟକ ବଂଶର କନିଷ୍ଠା କନ୍ୟା ହୋଇ ଏବଂ ତା’ର କନିଷ୍ଠା ଭଗ୍ନୀ ବୋଲି ଅତି ଅଲିଅଳରେ ବଢ଼ିଥିବାରୁ, ସେଇ ସୁଯୋଗ ନେଇ ସେ ଆଜି ସବୁକାମ ସ୍ୱଇଚ୍ଛାରେ କରି ବସୁଛି । ଅନ୍ୟର ପରାମର୍ଶ, ଉପଦେଶ ଗ୍ରହଣ ନ କରି ନିଜ ମନଇଚ୍ଛା ସବୁକାମ କରୁଛି ।

 

କିନ୍ତୁ ନର୍ମଦା ଭୁଲ୍‌ ପଥରେ ଯାଉନି ତ !

 

ଦୁନିଆର ଅସଜଡ଼ା ପଥରେ ପାଦ ଦେଇନି ତ ନର୍ମଦା !!

 

ଦେଇନି ବୋଲି କିଏ କହିପାରିବ ? ସେ ତ ଆଜି ନିଜ ଆଖିରେ ସବୁ ଦେଖିଛି, ଶୁଣିଛି.. ।

 

ଏହାସବୁ ଦେଖି ସାରିଲା ପରେ ମଧ୍ୟ ସେ କ’ଣ ତାକୁ ଅବିଶ୍ୱାସ କରିବ ?

 

ଫାଲ୍‌ଗୁନୀର ଦୃଷ୍ଟି ହଠାତ୍‌ ଅଟକି ଗଲା ।

 

ପାରାପେଟ୍‌ ଉପରେ ଠିଆହୋଇ ତଳକୁ ଚାହିଁଲା ଫାଲ୍‌ଗୁନୀ ।

 

ହଠାତ୍‌ ଏକ ବାଦାମୀରଙ୍ଗର ମଟରଗାଡ଼ି ତାଙ୍କ ଘର ସାମନାରେ ଅଟକିଗଲା । ଅସ୍ପଷ୍ଟ ଆଲୋକରେ ସେ ଦେଖିଲା, ଫ୍ରଣ୍ଟଗେଟ୍‌ ଖୋଲି ମଟର ଭିତରୁ ନର୍ମଦା ବାହାରି ପଡ଼ିଲା । ଠିକ୍‌ ତା’ ବିପରୀତ ଦିଗରୁ ବାହାରିଲେ ଆଉ ଜଣେ ଯୁବକ ।

 

ଫାଲ୍‌ଗୁନୀ ବିସ୍ମିତ ହୋଇ ଚାହିଁଲା ।

 

କିଏ ସେହି ଯୁବକ ! ସିଏ ଯିଏ ହେଉନା କାହିଁକି ନର୍ମଦା ସାଥିରେ ତାଙ୍କର କ’ଣ ସମ୍ବନ୍ଧ-?

 

ଯୁବକଟି ଲାଗି ଆସିଲେ ନର୍ମଦାର ନିକଟକୁ ।

 

ନର୍ମଦାର ହାତ ଯୁବକର ହାତ ଭିତରେ । ଯୁବକଟି କହିଲା, ପୁଣି କେବେ ମୋର ବାସଭବନରେ ପାଦ ପଡ଼ିବ ନର୍ମଦା !

 

ନର୍ମଦା ହସି ହସି ଉତ୍ତର ଦେଲା, ଆପଣ ଯେବେ ଚାହିଁବେ । ଆପଣଙ୍କ ଅନୁରୋଧ କେବେ ଉପେକ୍ଷା କରି ନାହିଁ କି ଭବିଷ୍ୟତରେ କେବେ ପ୍ରତ୍ୟାଖ୍ୟାନ କରିବି ନାହିଁ ।

 

ଯୁବକଟି କହିଲେ, ତେବେ କାଲି କଲେଜରୁ ଫେରିଲା ବେଳକୁ ମୁଁ ଅପେକ୍ଷା କରିବି ?

 

ବେଶ୍‌, ଆପଣଙ୍କ କଥା ହିଁ ରହୁ ।

 

ଫାଲ୍‌ଗୁନୀ ଚାହିଁଲା । ନିଶ୍ଚୟ ଏହା ସୂର୍ଯ୍ୟକାନ୍ତର କଣ୍ଠ ସ୍ୱର ।

 

ସୂର୍ଯ୍ୟକାନ୍ତ ବିଦାୟ ସମ୍ଭାଷଣ ଜଣାଇ କାର୍‌ରେ ଷ୍ଟାଟ ଦେଲା ।

 

ନର୍ମଦା ଘର ଭିତରକୁ ଗୋଡ଼ ବଢ଼ାଇଲା ।

 

ପାରାପେଟ୍‌ ଉପରୁ ଫେରି ଆସିଲା ଫାଲ୍‌ଗୁନୀ ।

 

ହାଇହିଲ୍‌ ଜୋତା ଘୋଷାରି ଘୋଷାରି, ପଣତକାନି ତଳେ ଲୋଟାଇ ଲୋଟାଇ କୋଠରୀ ଭିତରକୁ ପ୍ରବେଶ କଲା ନର୍ମଦା ।

 

ଅଧରାତିରେ ନର୍ମଦାର ଅସଙ୍ଗତ ରୂପ, ମୂଖମଣ୍ଡଳର ମଳିନତା, ପରିପାଟୀରେ ଅସଞ୍ଜତତା, କେଶର ବିକ୍ଷିପ୍ତତା, ଅଙ୍ଗଅବୟବର ବିଷଣ୍ଣତା ଦେଖି ବିସ୍ମୟାଭୂତ ହୋଇଗଲା ଫାଲ୍‌ଗୁନୀ । ସନ୍ଧ୍ୟା ପୂର୍ବରୁ ମୁଣ୍ଡକୁଣ୍ଡାଇ ବେଶ ଭଲଭାବରେ ନିଜକୁ ସଜ୍ଜିତ କରି ନର୍ମଦା ଯାଇଥିଲା । ଅଥଚ ବର୍ତ୍ତମାନ ମଥାର କୁଙ୍କୁମ ଟୀପା, ଆଖିର କଜ୍ଜ୍ୱଳର ସରୁଧାର କପାଳ ଉପରେ ନେସି ହୋଇ କିପରି ଏକ ଦୃଷ୍ଟିକଟୁ ରୂପ ଧାରଣ କରିଛି । ତେବେ ନର୍ମଦା କ’ଣ.....

 

ଫାଲ୍‌ଗୁନୀକୁ ବୁଝିବାକୁ ବାକି ରହିଲାନି କିଛି । ସେ ଭାବିଥିଲା ନର୍ମଦାକୁ ଧରି ପଚାରିବ, ଶେଷକୁ ତୋର ଏଇ ଅଧପତନ ହେଲା ନିରୁ ! ପଟ୍ଟନାୟକ ବଂଶରେ କଳଙ୍କ ବୋଳିବା ପୂର୍ବରୁ ତୁ ମରିପାରିଲୁନି ! ସାମାନ୍ୟ ବିଷ ସଂଗ୍ରହ କରି ତୁ ଖାଇ ପାରିଲୁନି ? ଅଥଚ ଫାଲ୍‌ଗୁନୀ କିଛି କହି ପାରିଲାନାହିଁ ।

 

ଫାଲ୍‌ଗୁନୀ ଭାବିଥିଲା, ସେ ନର୍ମଦାକୁ ଟିକିନିଖି କରି ସବୁ ପଚାରିବ । କହିବ, କହ ନିରୁ-! ତୋରି ବୟସର ଝିଅ ଇମିତି ସମସ୍ତେ ଭୁଲ କରନ୍ତି । ତୁ ହୁଏତ ଭୁଲ କରିଥିବୁ । ସତ କହ, ତୋର ଅପା ଆଗରେ ଯଦି ଏ ସବୁ ଗୋପନ ରଖିବୁ ତେବେ କାହାଆଗରେ ତୋ ମନକଥା କହିବୁ-?

 

ନର୍ମଦା ବିଛଣା ଉପରେ ଶୋଇ ଅଳସ ଭାଙ୍ଗିବାକୁ ଚେଷ୍ଟାକଲା ।

 

ଦରଜାରେ ଶିକୁଳି ଦେଇ ନର୍ମଦାର ବିଛଣା ଉପରେ ବସିପଡ଼ିଲା ଫାଲ୍‌ଗୁନୀ ।

 

ନର୍ମଦା ଚିତ୍‌ ହୋଇ ଶୋଇଛି ।

 

ଫାଲ୍‌ଗୁନୀ ନର୍ମଦା ପାଖରେ ବସିପଡ଼ି କହିଲା, ନିଦ ହେଉନି ନିରୁ ?

 

ନର୍ମଦା ଚାହିଁଲା ଫାଲ୍‌ଗୁନୀକୁ ।

 

ଫାଲ୍‌ଗୁନୀ ଧୀର କଣ୍ଠରେ କହିଲା, ତୋରି ବୟସର ଝିଅ ସମସ୍ତେ ଇମିତି ଭୁଲ କରନ୍ତି ନିରୁ । ସେ ଭୁଲ ତୋର ନିଜର ନୁହେଁ–ବୟସର ଭୁଲ । ଆଗରୁ ଟିକିଏ ସତର୍କ ରହିଲେ ସେ ଭୁଲ ସୁଧାରି ହୋଇଯାଏ । କିନ୍ତୁ ଭୁଲ କରିବା ପରେ ଅନୁତାପ କଲେ କିଛି ଲାଭ ହୁଏ ନାହିଁ ।

 

ଏ ବାଜେକଥା ସବୁ ତୁ କ’ଣ କହୁଛୁ ? ତୋ କଥା ମୁଁ କିଛି ବୁଝି ପାରୁନାହିଁ ଅପା !

 

ହଁ, ଏ ସବୁ ତୋ ପାଇଁ ବାଜେ ହୋଇପାରେ, ନିରର୍ଥକ ହୋଇପାରେ ଅଥଚ ଏହାକୁ ଟିକିଏ ଗୁରୁତ୍ୱ ଦେଇ ଚିନ୍ତାକଲେ ସବୁ ବୁଝିପାରିବୁ । କିନ୍ତୁ ଆଜି ମୁଁ ସବୁଠାରୁ ବେଶୀ ଆଶ୍ଚର୍ଯ୍ୟ ହେଉଛି, ତୁ ମୋ ଆଗରେ ମିଛ କହିଛୁ କାହିଁକି ?

 

ମିଛ !

 

ହଁ, ମିଛ ନୁହେଁ ତ ଆଉ କ’ଣ ! ତୁ ଯଦି ପ୍ରଥମରୁ ମୋତେ ସିଧାସଳଖ କହିଥାଆନ୍ତୁ, ମୋର ପୁରୁଷ ବନ୍ଧୁ କଣ୍ଟ୍ରାକ୍ଟର ସୂର୍ଯ୍ୟକାନ୍ତ ସହିତ ତାଙ୍କ ଘରକୁ ଯାଇଥିଲି, ତେବେ ମୁଁ ଭାରି ଖୁସି ହୋଇଥାନ୍ତି । ଅଥଚ ତୁ ମିଛ କହି କି ଲାଭ ପାଇଲୁ ?

 

ଫାଲ୍‌ଗୁନୀ ତୁଣ୍ଡରେ ସୂର୍ଯ୍ୟକାନ୍ତର ନାମ ଶୁଶି ନର୍ମଦା ବିସ୍ମିତ ହୋଇ ଉଠିଲା ।

 

ଫାଲ୍‌ଗୁନୀ କହିଲା, ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ । ତୋର ଆକସ୍ମିକ ପରିବର୍ତ୍ତନ, ଚାଲିଚଳନ, ବ୍ୟବହାର, କଥା କହିବାର ଭଙ୍ଗୀରୁ ମୁଁ ସବୁ ଜାଣି ପାରିଛି । ଆଉ ଏହା ବି ଜାଣିଛି, ବର୍ତ୍ତମାନ ତୁ ଯେଉଁ ହଜିଲା ସମ୍ପଦ ସୂର୍ଯ୍ୟକାନ୍ତର ପାଦତଳେ ସମର୍ପି ଦେଇ ଆସିଛୁ ସେ ଆଉ କେବେ ଫେରି ଆସିବନି । ତୁ ପରେ ହୁଏ ତ ଅନୁତାପ କରିବୁ । କିନ୍ତୁ ସେତେବେଳକୁ ଆଉ କିଛି ନଥିବ ।

 

ଅପା ! ନର୍ମଦା ଧୀରେ ଡାକି ଉଠିଲା ।

 

ତୁ ସତ କହ ନିରୁ, ମୁଁ ତୋତେ କ୍ଷମା ଦେବି ।

 

ନର୍ମଦା ଅନେକ କଥା କହିବ ବୋଲି ଭାବିଥିଲା, କିନ୍ତୁ ତୁଣ୍ଡର ସମସ୍ତ ଅଭିବ୍ୟକ୍ତି ଆପେ ଆପେ ବନ୍ଦ ହୋଇଗଲା । ଫାଲ୍‌ଗୁନୀ ତା’ର ଜେଷ୍ଠା ଭଗ୍ନୀ । ତାକୁ ସେ ଯେତିକି ଭୟ କରେ, ସେତିକି ଭକ୍ତି କରେ ମଧ୍ୟ । ଆଜି ସେହି ଅପା ମୁହଁ ଉପରେ ନିଜେ କରିଥିବା ଭୁଲ ସବୁ କିମିତି କହି ବସିବ । ନାଁ, ଭୁଲ ହେଉ କିମ୍ବା ଠିକ୍‌ ହେଉ ସେ କିଛି ଉତ୍ତର ଦେବ ନାହିଁ ।

 

ନିରୁ ! ଫାଲ୍‌ଗୁନୀ ପୁଣି ଡାକି ଉଠିଲା ।

 

ଫାଲ୍‌ଗୁନୀର ଦୁଇହାତକୁ ଧରିପକାଇ ନର୍ମଦା କହିଲା, ମୋତେ କ୍ଷମା କର ଅପା ! ତୁ ମୋତେ କିଛି ପ୍ରଶ୍ନ କରନାହିଁ । ମୋଠାରୁ କୌଣସି ଉତ୍ତର ପାଇବା ପାଇଁ ଆଶା ରଖନାହିଁ । ତୋ ପ୍ରଶ୍ନର ସମସ୍ତ ଉତ୍ତର ମୁଁ ଦେବି; କିନ୍ତୁ ଆଜି ନୁହେଁ କି ବର୍ତ୍ତମାନ ନୁହେଁ ।

 

ଫାଲ୍‌ଗୁନୀ ନର୍ମଦା ପାଖକୁ ଫେରିଆସିଲା ସତ କିନ୍ତୁ ମନ ମଧ୍ୟରେ ସେ ଯେଉଁ ବେଦନା ଅନୁଭବ କରୁଥିଲା ଅନୁଭବୀ ଛଡ଼ା ତାହା କେହି ହୃଦୟଙ୍ଗମ କରି ପାରିବ ନାହିଁ । ସତରେ ମ ! ନର୍ମଦା ଆଜି କ’ଣ କରିଛି ? ଯାହାକୁ ନେଇ ପ୍ରତ୍ୟେକ ତରୁଣୀ ଗର୍ବ କରେ ସେଇ ଅମୂଲ୍ୟ ସମ୍ପଦ ନର୍ମଦା ସମର୍ପଣ କରିଛି ଜଣେ ଇତର ପୁରୁଷକୁ ।

 

ତା’ପରେ ନର୍ମଦାର ଅବସ୍ଥା କ’ଣ ହେବ ?

 

ଫାଲ୍‌ଗୁନୀର ମନ ହେଉଥିଲା କାନ୍ଦିବା ପାଇଁ । କିନ୍ତୁ ଏତେ ରାତିରେ ତା’ କ୍ରନ୍ଦନର ସ୍ୱର ଶୁଣି କିଏ ଯଦି ଆସି କୈଫିୟତ ମାଗେ, ତେବେ ସେ କ’ଣ ଉତ୍ତର ଦେବ !!

 

ଫାଲଗୁନୀ କମନ୍‌ରୁମ୍‌ ରେ ବସି ଏକ ଅସମାପ୍ତ ଉପନ୍ୟାସ ସମାପ୍ତ କରିବାରେ ମନ ଦେଇଥିଲା । ହଠାତ୍‌ କାନ୍ଥ ସେପଟରେ ଗୁଞ୍ଜରୀ ଉଠିଲା ପରିଚିତ କଣ୍ଠସ୍ୱର ।

ଫାଲ୍‌ଗୁନୀ ଦରଜା ପାଖକୁ ଆସିଲା । ଦେଖିଲା, ବାରଣ୍ଡା ଉପରେ ଶ୍ରୀକାନ୍ତ ଚତୁର୍ଥବାର୍ଷିକ କଳାଛାତ୍ରୀ ମମତା ସହିତ କଥାଭାଷା କରୁଛି ।

ଫାଲ୍‌ଗୁନୀ ରୁମ୍‌ ଭିତରକୁ ଫେରିଯାଇ ଦୁହିଁଙ୍କର କଥାଭାଷା ଶୁଣିବା ପାଇଁ କାନ ପାତିଲା ।

ଶ୍ରୀକାନ୍ତ କହୁଥିଲା–ମୋତେ ଭୁଲ ବୁଝିବନି ମମତା । ତମ ଜନ୍ମ ଦିନ ଉତ୍ସବରେ ଯୋଗ ଦେଇ ପାରିନି ବୋଲି ମୁଁ ଭୀଷଣ ଦୁଃଖିତ, କିନ୍ତୁ ମୋ ପାଇଁ ତମର ଏତେବଡ଼ ଉତ୍ସବ ବନ୍ଦ ହୋଇଯାଇନାହିଁକି ବନ୍ଦ ହେବ ନାହିଁ । ତେବେ ଏତେ ଚିନ୍ତା କାହିଁକି; ଦୁଃଖ କାହିଁକି ? କାହିଁକି ଏତେ ଅନୁଶୋଚନା ? ?

ମମତା ଶୁଖିଲା ହସ ହସିଲା । କହିଲା, ସ୍ୱତନ୍ତ୍ର ଭାବେ ଆପଣଙ୍କୁ ନିମନ୍ତ୍ରଣ କରିନେବା ପାଇଁ ମୁଁ ଏଡ଼େବଡ଼ ଉତ୍ସବର ଆୟୋଜନ କରିଥିଲି, ଅଥଚ ଆପଣ.....

ଶ୍ରୀକାନ୍ତ ଚାହିଁଲା ମମତାକୁ ।

ପ୍ରଗଳଭା ନାରୀ, କୁତ୍ସିତ ଚିନ୍ତାଧାରା । ପୁରୁଷ ରୂପରେ ବିଭୋର । ସେଇଥିପାଇଁ ଜନ୍ମଦିନ ନ ହୋଇଥିଲେ ମଧ୍ୟ ଜନ୍ମଦିନ ଉତ୍ସବ ଆଳରେ ନିମନ୍ତ୍ରଣ କରିଥିଲା । ଶ୍ରୀକାନ୍ତ ବୋଧେ ବୁଝି ପାରିଥିଲା ମମତାର ମନକଥା । ସେଇଥିପାଇଁ ସେ ଦୂରେଇ ରହିଥିଲା ମମତାଠାରୁ ।

 

ଶ୍ରୀକାନ୍ତବାବୁ.....କ’ଣ କହିବାକୁ ଚେଷ୍ଟା କରୁଥିଲା ମମତା ।

 

ମମତାର ମୁକୁଳା ଅଭିବ୍ୟକ୍ତି ଉପରେ ଶକ୍ତ ବାଧା ଦେଇ ଶ୍ରୀକାନ୍ତ କହିଲା, ଉପକ୍ରମଣିକା ଦେଇ ଯେଉଁ ଅଭିବ୍ୟକ୍ତି ପ୍ରକାଶ କରିବାକୁ ଚେଷ୍ଟା କରୁଛି ତାହା ମୁଁ ବେଶ୍‌ ବୁଝି ପାରୁଛି । ମୋତେ କ୍ଷମା ଦେବ ମମତା ! ତମର ମୂଲ୍ୟବାନ ଅଭିବ୍ୟକ୍ତି ଶୁଣିବାକୁ ମୋର ସମୟ ନାହିଁ ।

 

ଶ୍ରୀକାନ୍ତ ଯିବାପାଇଁ ଉପକ୍ରମ କରୁଥିଲା ।

 

ଶ୍ରୀକାନ୍ତର ହାତକୁ ଧରି ଅଟକାଇବାକୁ ଚେଷ୍ଟାକଲା ମମତା । କହିଲା, ତେବେ ମୋତେ ଆପଣ ଭଲ ପାଆନ୍ତି ନାହିଁ ? ମୋ ପ୍ରତି ଏତେ ଟିକିଏ ବି ସ୍ନେହ ମମତା ନାହିଁ ଆପଣଙ୍କର ? ମୋ କଥା ଶୁଣିବାକୁ ଘୃଣା ଲାଗୁଛି ଆପଣଙ୍କୁ ?

 

ଶ୍ରୀକାନ୍ତ ଦିପାହୁଣ୍ଡ ଆଗେଇ ଯାଇ କହିଲା, ମୁଁ ତୁମକୁ ଘୃଣା କରେ ନାହିଁ ମମତା କିନ୍ତୁ ଭଲ ବି ପାଏ ନାହିଁ । ପରପୁରୁଷକୁ ଆପଣାର କରିବା ପାଇଁ ତମେ ମାଦକଭରା ଓ ମନଛୁଆଁ କଥା କହିପାର । ତାହା ଅବଶ୍ୟ ଶୁଣିବାକୁ ଖଉବ୍‌ ଭଲଲାଗେ କିନ୍ତୁ ସେସବୁଠାରୁ ମୁଁ ବହୁତ ଦୂରରେ ଥାଏ ।

 

ମମତା ବିସ୍ମିତ–ବିସ୍ଫାରିତ ନେତ୍ରରେ ଶ୍ରୀକାନ୍ତକୁ ଚାହିଁଥିଲା ।

 

ଶ୍ରୀକାନ୍ତ ଚାଲିଗଲା ।

 

ମମତାର ନୟନ ଯୁଗଳରୁ ବ୍ୟଥା ଓ ଅପମାନର ଅଶ୍ରୂ ଗଡ଼ିପଡ଼ିଲା । ଦୀର୍ଘଦିନ ଧରି ସେ ଶ୍ରୀକାନ୍ତକୁ ଆପଣାର କରିବାପାଇଁ ଅକ୍ଲାନ୍ତ ଚେଷ୍ଟା କରିଥିଲା । ଶ୍ରୀକାନ୍ତ କୃତ୍ତିଛାତ୍ର, ଅନାମଧେୟ ପଲ୍ଲୀର ଏକ ସରଳ ଯୁବକ । ଆଭିଜାତ୍ୟ ହୀନ ଏକ ପୁରୁଷ କେବଳ । ତେଣୁ ସେ ଭାବିଥିଲା ଶ୍ରୀକାନ୍ତ ପରି ଏକ କୃତ୍ତିଛାତ୍ରକୁ ନିଜର ରୂପ, ଯୌବନ, ଆଭିଜାତ୍ୟର ମାୟାଜାଲ ଭିତରେ ବନ୍ଦିନୀ କରି ଭବିଷ୍ୟତର ସୁଖ ସ୍ୱପ୍ନ ଦେଖିବ ।

 

ଅଥଚ ଶ୍ରୀକାନ୍ତ ତା’ର ରୂପ, ଯୌବନ, ଆଭିଜାତ୍ୟ ଉପରେ ପଦାଘାତ କରି ଚାଲିଗଲା-। ଓଃ, ଲୋକଟାର ଆସ୍ପର୍ଦ୍ଧା ତ କମ୍‌ ନୁହେଁ ।

 

ମମତା ଓଠର ଉପକୂଳରେ ସାମନ୍ୟ ହସ ଖେଳିଗଲା । ଯେଉଁ ପୁରୁଷ ତା’ର ରୂପ–ଯୌବନକୁ ପଦାଘାତ କରିଛି ତା’ ପ୍ରତି ସେ ପ୍ରତିଶୋଧ ନେବ । ତିଳ ତିଳ କରି ତା’ର ଜୀବନକୁ ଜଳାଇ ପୋଡ଼ାଇ ମାରିବ । ଦେଖିବ, କେତେଦିନ ପରେ ସେହି ଗର୍ବିତ ଯୁବକ ତା’ର ପାଦ ତଳେ ଶରଣ ଲୋଡ଼ୁଛି ।

 

ପାତଳ ଓଠରେ ବେପରୁଆ ହସର ଫଲଗୁ ଖେଳାଇ ମମତା ଚାଲିଗଲା ।

 

ମମତା ଚାଲିଯିବା ପରେ ଫାଲ୍‌ଗୁନୀ କମନରୁମ୍‌ ଭିତରୁ ବାହାରି ଆସିଲା । ସତରେ ! ଶ୍ରୀକାନ୍ତ ପୁରୁଷ ହୋଇ କେଉଁ ଉପାଦାନରେ ଗଢ଼ା ? ରୂପସୀ ତରୁଣୀର ମନକଥା ଆଦୌ ବୁଝିପାରୁନାହିଁ ! ନା ବୁଝିକରି ଅବୁଝା ହେଉଛି ସେ ।

 

ମମତା ଆଭିଜାତ୍ୟ ଶ୍ରେଣୀୟା କନ୍ୟା । ରୂପରେ ପ୍ରତିଦ୍ୱନ୍ଦୀ ହେବାକୁ କେହି ସାହସ କରନ୍ତିନି । ମମତା ସାଥିରେ ପଦେ କଥା କହିବା ପାଇଁ, ମମତାକୁ କେବଳ ଥରକ ପାଇଁ ପାଇବା ପାଇଁ, ମମତା ସହିତ ବଣଭୋଜି କିମ୍ବା ନିର୍ଜନ ସ୍ଥାନକୁ ଯିବା ପାଇଁ ଅନେକ ପୁରୁଷ ମଥା ଅବନତ କରିଛନ୍ତି ତା’ ପାଖରେ । କିଏ କେତେ ନୈବେଦ୍ୟ ଅଜାଡ଼ି ଦେଇଛି ତା’ ପାଦତଳେ । ଅଥଚ ଆଜି ସେଇ ଭୂବନ–ମୋହିନୀ ରୂପସୀକୁ ବ୍ୟଥା ଜର୍ଜରିତ କରି ଶ୍ରୀକାନ୍ତ ଲେଉଟି ଯାଇଛି, ଆଉ ଉପଦେଶ ଛଳରେ ଶ୍ରୀକାନ୍ତ ଯାହା କହିଯାଇଛି ଅନ୍ୟ କେଉଁ ଝିଅ ହୋଇଥିଲେ ଆତ୍ମହତ୍ୟା କରିସାରନ୍ତାଣି । ଅଥଚ ମମତା ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କରିଛି ।

 

କିନ୍ତୁ ଶ୍ରୀକାନ୍ତ କାହିଁକି ଆଭିଜାତ୍ୟ ଶ୍ରେଣୀୟା ଯୁବତୀଙ୍କ ଠାରୁ ଦୂରେଇ ରହୁଛି ???

 

ୟା’ ଭିତରେ କେଉଁ ଦୂରଭିସନ୍ଧି ଲୁପ୍ତ ରହିଛି ତାହା ଫାଲ୍‌ଗୁନୀ ବୁଝିପାରୁ ନ ଥିଲା ।

 

ଫାଲ୍‌ଗୁନୀ ଅନୁମାନ କରିନେଲା, ଆଭିଜାତ୍ୟ ଶ୍ରେଣୀୟ ଯୁବକ ହେଉ କିମ୍ବା ଯୁବତୀ ହେଉ ତାଙ୍କ ପାଖରୁ ପରାଜିତ ହୋଇଛି ଶ୍ରୀକାନ୍ତ । ଯେଉଁ ପରାଜୟର ଜ୍ୱଳା ଏବେ ବି ଭୁଲି ପାରିନି ଶ୍ରୀକାନ୍ତ । ସେଥିପାଇଁ ବଡ଼ଲୋକଙ୍କ ପ୍ରତି ତା’ର ଏତେ ଘୃଣା, ବିତୃଷ୍ଣା, ଅହଙ୍କାର ।

 

ଫାଲ୍‌ଗୁନୀ ଗଭୀର ଭାବେ ଚିନ୍ତା କଲା । ନାଁ, ଏଣିକି ଶ୍ରୀକାନ୍ତକୁ ସତପଥକୁ ଆଣିବାପାଇଁ ଆପ୍ରାଣ ଚେଷ୍ଟା କରିବ ।

 

କିନ୍ତୁ ଉପାୟ....

ଗୋଟାଏ କ’ଣ ଶବ୍ଦ ଶୁଣି ଫାଲ୍‌ଗୁନୀ ପଛକୁ ଚାହିଁଲା ।

ଶ୍ରୀକାନ୍ତ ବାରଣ୍ଡା କଡ଼େ କଡ଼େ ବାହାରକୁ ଯାଉଛି ।

ଫାଲ୍‌ଗୁନୀ ଡାକିଲା, ଶ୍ରୀକାନ୍ତ ବାବୁ !

ଶ୍ରୀକାନ୍ତର ଗତି ଶିଥିଳ ହେଲା ।

ଫାଲ୍‌ଗୁନୀ କହିଲା, ଆପଣଙ୍କ ନୋଟ ଖାତାଟା ଫେରାଇ ଦେବାକୁ ଡାକୁଥିଲି ଅଥଚ ଆପଣ ନ ଶୁଣି ଚାଲିଯାଉଛନ୍ତି ଯେ ।

ଶ୍ରୀକାନ୍ତ ଛିଡ଼ା ହେଲା ।

ଫାଲ୍‌ଗୁନୀ ନୋଟ ଖାତାଟା ବଢ଼ାଇ ଦେଇ କହିଲା, ନିଅନ୍ତୁ !

ଶ୍ରୀକାନ୍ତ ନିଜ ଖାତାଟିକୁ ଗ୍ରହଣ କରି କହିଲା, ଧନ୍ୟବାଦ ।

ଚଟକରି ଫାଲ୍‌ଗୁନୀ ଉତ୍ତର ଦେଲା, ମୁଁ କିନ୍ତୁ କାହାର କୃତଜ୍ଞତା ଗ୍ରହଣ କରେ ନାହିଁ । ଆପଣଙ୍କ ଖାତା ମୁଁ ନେଇଥିଲି । ଆପଣଙ୍କୁ ଫେରାଇ ଦେଲି, ତେଣୁ ଆପଣ ଧନ୍ୟବାଦ ପାଇବାର ହକଦାର, ମୁଁ ନୁହେଁ ।

ଶ୍ରୀକାନ୍ତ ଫାଲ୍‌ଗୁନୀକୁ ଚାହିଲା ।

ଫାଲ୍‌ଗୁନୀ ନମ୍ରଭାବରେ ଶ୍ରୀକାନ୍ତକୁ ଚାହିଁଲା ।

ଦୁଇଟି ଆଖିର ମିଳନ ହେଲା ।

ଶ୍ରୀକାନ୍ତ ବିଦାୟ ସମ୍ଭାଷଣ ଜଣାଇଲା ।

ଫାଲ୍‌ଗୁନୀ କହିଲା, ମୋର ଗୋଟାଏ ଅନୁରୋଧ ରଖିବେ ! ଅବଶ୍ୟ ମୁଁ ନିଶ୍ଚିତ ଭାବେ ଜାଣେ ମୋ ଅନୁରୋଧ ଆପଣ ରଖିବେ ନାହିଁ । ତଥାପି....

ଅନୁରୋଧ କ’ଣ ଶୁଣେ ?

ଫାଲ୍‌ଗୁନୀ କହିଲା, ଆପଣ ବର୍ତ୍ତମାନ ବୋଧେ ଘରକୁ ଯାଉଛନ୍ତି ?

ହଁ । ଶ୍ରୀକାନ୍ତ ଉତ୍ତର ଦେଲା ।

ଫାଲ୍‌ଗୁନୀ କହିଲା, ମୁଁ ବି ବର୍ତ୍ତମାନ ଘରକୁ ଯାଉଛି । ତେଣୁ ଯଦି କିଛି ମନେ ନ କରିବେ ମୋ ମଟରରେ ନେଇ ଆପଣଙ୍କ ଘରେ ଛାଡ଼ି ଦେଇ ଆସିବି ।

ଶ୍ରୀକାନ୍ତ କହିଲା, ଏ ସାମାନ୍ୟ କୃତଜ୍ଞତା ଗ୍ରହଣ କରିବାକୁ ମୁଁ ଭୀଷଣ କୁଣ୍ଠାବୋଧ କରେ । ଯେ ପର୍ଯ୍ୟନ୍ତ ମୁଁ ଚାଲିବାକୁ ସମର୍ଥ ହୋଇଥିବି, ସେ ପର୍ଯ୍ୟନ୍ତ ଅନବରତ ଚାଲୁଥିବି । ଅଥଚ ଆଜି ଦିନକ ତୁମ ମଟରରେ ବସି ଚାଲିଗଲେ କ’ଣ ବା ମୋର ଲାଭ ହେବ ।

ଏଇ ସାମାନ୍ୟ କଥାକୁ ଲାଭ କ୍ଷତିର ହିସାବ କରି ବଡ଼ ଭୁଲ କରୁଛନ୍ତି ଶ୍ରୀକାନ୍ତ ବାବୁ !

ଭୁଲ ହୋଇପାରେ ତୁମପାଇଁ, କିନ୍ତୁ ମୋ ପାଇଁ ନୁହେଁ । କ୍ଷମା କରିବ, ତୁମ ଅନୁରୋଧ ରଖି ନ ପାରିବାରୁ ମୁଁ ଭୀଷଣ ଦୁଃଖିତ । ମୁଁ ଯାଉଛି ।

ଶ୍ରୀକାନ୍ତ ଚାଲିଗଲା ।

ଫାଲଗୁନୀର ସମସ୍ତ ଅନୁରୋଧ ନିଷ୍ଫଳ ହେଲା ।

ନିଜ ମଟର ଉପରକୁ ଉଠିଆସି ଗୃହ ଅଭିମୂଖେ ବାହାରିଲା ଫାଲ୍‌ଗୁନୀ ।

 

ସେଦିନ ରାତିଟା ଶୋଇ ପାରିଲା ନାହିଁ ଫାଲ୍‌ଗୁନୀ । ଜଣେ ଇତର ଲୋକର ବ୍ୟକ୍ତିଗତ ଜୀବନ ସମସ୍ୟା ଚିନ୍ତାକରି ସେ ବ୍ୟତିବ୍ୟସ୍ତ ହୋଇ ଉଠୁଥିଲା । ଶ୍ରୀକାନ୍ତ ଲୌହପିଣ୍ଡ, ଉଲ୍‌କା, ବିଜୁଳୀ । ଶ୍ରୀକାନ୍ତର ବିରାଟ ବ୍ୟକ୍ତିତ୍ୱ କାହା ନିକଟରେ ନଇଁ ପଡ଼ିନି ଆଜି ପର୍ଯ୍ୟନ୍ତ । ମମତା ଭଳି ଅପସରାନିନ୍ଦି ରୂପ ଶ୍ରୀକାନ୍ତ ମନକୁ ଟଳାଇ ପାରିନି । ମମତାର ଉଚ୍ଛଳ ଅଙ୍ଗଶ୍ରୀ, ସ୍ୱର୍ଣ୍ଣାଭ ବକ୍ଷୋବ, ବୁକୁସ୍ଥଳର ପଦ୍ମ, ଗୋଲାପ କଢ଼ପରି ଅଧର, ପୋଟଳ ଚିରା ଆଖିର କଟାକ୍ଷ, ଅନିନ୍ଦ୍ୟା ରୂପବତୀ ଯୁବତୀର ମସୃଣ ଦେହ ତା’ ମନକୁ ଟିକେ ହେଲେ ଆକର୍ଷଣ କରିପାରିନି ।

 

ତେବେ ଶ୍ରୀକାନ୍ତ କ’ଣ ପାଷାଣ, ମୂକ, ଅଥର୍ବ !!!

 

ଶ୍ରୀକାନ୍ତର କଥା କହିବା ଚାତୁରୀରେ ପରାଜିତା ହୋଇ ଥିଲା ଫାଲ୍‌ଗୁନୀ । ଆଉ ଆଜି ପରାଜିତ ହୋଇଛି ମମତା । କଳ୍ପନାର ତାଜ ଗଢ଼ି, ମନରେ ବହୁଦିନର ସଞ୍ଚିତ ସ୍ନେହ ସରାଗ ଦ୍ୱାରା ମମତା ଭାବିଥିଲା ଶ୍ରୀକାନ୍ତକୁ ନେଇ ଗଢ଼ିବ ତା’ର ସୁନେଲି ଭବିଷ୍ୟତ । ଶ୍ରୀକାନ୍ତ ଦରିଦ୍ର ପଲ୍ଲୀର ଏକ ଅନାମଧେୟ ଯୁବକ । ଶିକ୍ଷା ଅଛି କିନ୍ତୁ ନାହିଁ ଆଭିଜାତ୍ୟ । ରୂପ ଅଛି କିନ୍ତୁ ଯୁବତୀ ତରୁଣୀଙ୍କୁ ଆକୃଷ୍ଟ କରିବା ପାଇଁ ଜାଣେ ନାହିଁ । ତେଣୁ ମମତା ଭାବିଥିଲା ରୂପ, ଆଭିଜାତ୍ୟର ଲାଳସା ଦେଖାଇ ସବୁଦିନ ପାଇଁ ଶ୍ରୀକାନ୍ତକୁ ନିଜର କରିନେବ । ଯିଏ ଉଡ଼ିଯିବା ଚଢ଼େଇ ସେ କ’ଣ ସୁନାପଞ୍ଜୁରୀର ଲୋଭରେ ଆବଦ୍ଧ ରହିପାରିବ ?

 

ଶ୍ରୀକାନ୍ତ କାହାର ଗଳଗ୍ରହ ହେବାକୁ ଚାହେଁ ନାହିଁ,

 

ବଡ଼ଲୋକର ଦାନ, ଦୟା, ସହାନୁଭୂତି ଗ୍ରହଣ ନ କରିବାକୁ ଶ୍ରୀକାନ୍ତ ବଦ୍ଧପରିକର ।

 

ଯେତେବଡ଼ ରୂପସୀ ହେଉ, ଶ୍ରୀକାନ୍ତ କେବେ ସେ ରୂପରେ ଆକର୍ଷିତ ହୋଇପାରେନା-। ବରଂ ଯେଉଁ କୁମାରୀ କନ୍ୟା ଶ୍ରୀକାନ୍ତ ପାଖକୁ ଯେତିକି ଲାଗି ଆସୁଥିବ ଶ୍ରୀକାନ୍ତ ସେତିକି ଦୂରେଇ ଯାଉଥିବ ତାଙ୍କଠାରୁ ।

 

କିନ୍ତୁ କାହିଁକି ଶ୍ରୀକାନ୍ତର ଏ ଉଦାସୀନତା !

 

ସତରେ କ’ଣ ଶ୍ରୀକାନ୍ତ ଜୀବନର ପ୍ରଥମ ସୋପାନରେ କୌଣସି ଆଭିଜାତ୍ୟ ଶ୍ରେଣୀୟ କନ୍ୟା ନିକଟରୁ ପରାଜିତ ହୋଇଛି ।

 

ହୋଇ ପାରିଥାଏ ।

 

ନ ହୋଇ ପାରିଥାଏ ମଧ୍ୟ ।

 

ସମ୍ଭବ ଅସମ୍ଭବ ହୋଇଉଠେ ।

 

ଅସମ୍ଭବ କ’ଣ ସମ୍ଭବ ହୁଏନା ?

 

ସବୁ ହୁଏ, ପୁଣି କିଛି ହୁଏନା । କିନ୍ତୁ ଶ୍ରୀକାନ୍ତର କ’ଣ ହୋଇଛି ?

 

ଶ୍ରୀକାନ୍ତ ପାଖରୁ ମମତା ପରାଜିତା ହୋଇ ଫେରି ଯାଇଛି । ଆଉ ପ୍ରବଳ ପ୍ରତିଶୋଧ ନେବାର ବାସନା ନେଇ ଚାହିଁ ବସିଛି ।

 

ନା, ଶ୍ରୀକାନ୍ତ ତା’ର କେହି ଆତ୍ମୀୟ ନ ହେଲେ ବି ତାକୁ ସେ ରକ୍ଷା କରିବ । ମମତାର ମାୟାଜାଲରୁ ସେ ଶ୍ରୀକାନ୍ତକୁ ଉଦ୍ଧାର କରିବ । ଯଦି ପ୍ରୟୋଜନ ହୁଏ, ତେବେ ମମତାକୁ କହିବ, ରୂପ, ଯୌବନ, ଐଶ୍ୱର୍ଯ୍ୟ, ଆଭିଜାତ୍ୟର ଅହଙ୍କାର ନେଇ ସରଳ ପଲ୍ଲୀର ଗୋଟିଏ ନିର୍ବୋଧ ଯୁବକର ଭବିଷ୍ୟତ ନଷ୍ଟ କରିବାକୁ ଚେଷ୍ଟା କରନାହିଁ । ତୋ ରୂପରେ ସେ ବିହ୍ୱଳ ହୋଇନାହିଁ–ସମସ୍ତେ ରୂପରେ ବିହ୍ୱଳ ହୁଅନ୍ତି ନାହିଁ । ସମସ୍ତଙ୍କର ରୂପ ପ୍ରତି ଆସକ୍ତି ନଥାଏ–

 

ଉତ୍ତରରେ ମମତା ଯଦି କହିବ, ତୁ କ’ଣ ଶ୍ରୀକାନ୍ତକୁ ଭଲପାଉ ?

 

କ’ଣ ଉତ୍ତର ଦେବ ଫାଲ୍‌ଗୁନୀ । ମିଛ ଉତ୍ତର ଦେଲାବେଳେ ତା’ର ଅନ୍ତରାତ୍ମା ଚିତ୍କାର କରି ଉଠିବ ନାହିଁ ତ ?

 

ଫାଲ୍‌ଗୁନୀ ଭାବିଲା, ମମତା ଯାହା ଭାବୁ, ସେ କହିବ ହଁ, ମୁଁ ଶ୍ରୀକାନ୍ତକୁ ଭଲପାଏ । ମୋର ଭଲପାଇବାରେ ଆବିଳତା ନାହିଁ, ପଙ୍କିଳତା ନାହିଁ । ମୋର ନିର୍ମଳ ଭଲପାଇବା ଭିତରେ ଦେହର ଲାଳସା ନାହିଁ । ସଙ୍ଗମର ପିପାସା ନାହିଁ, ତଥାପି ମୁଁ ଶ୍ରୀକାନ୍ତକୁ ଗଭୀର ଭଲପାଏ ।

 

ଫାଲ୍‌ଗୁନୀ ଶିହରି ଉଠିଲା । ସତେ କ’ଣ ସେ ଶ୍ରୀକାନ୍ତକୁ ଭଲପାଏ ?

 

ରାତ୍ରିର ଦ୍ୱିତୀୟ ପ୍ରହରରେ ଅନାଦୂତ କାହାର ଅସ୍ପଷ୍ଟ ଧ୍ୱନୀ ଶୁଣି ଫାଲ୍‌ଗୁନୀ କଡ଼ ମୋଡ଼ି ଚାହିଁଲା । ନର୍ମଦା ଶୋଇଛି ପାଖ ପଲଙ୍କ ଉପରେ । ଇଲେକ୍‌ଟ୍ରିକ ପଙ୍ଖା ଛାତରେ ଝୁଲୁଛି । ହିଲ୍ଲୋଳିତ ସମୀରଣରେ ନର୍ମଦାର ବକ୍ଷ ଉପର ଶାଢ଼ୀର ପ୍ରାନ୍ତ ତଳକୁ ଖସି ପଡ଼ିଛି ।

 

ନର୍ମଦା ଚିତ୍‌ ହୋଇ ଶୋଇଛି ।

 

ଗଭୀର ନିଦ୍ରାରେ ଶୋଇ ପ୍ରଳାପ କରୁଛି ନର୍ମଦା । କହୁଛି, ମୁଁ ତୁମକୁ ଗଭୀର ଭାବେ ଭଲପାଏ ।

 

ଚମକି ଉଠିଲା ଫାଲ୍‌ଗୁନୀ । ନର୍ମଦା ଗଭୀର ଭାବେ ଭଲପାଏ । କିନ୍ତୁ କାହାକୁ ?

 

ସୂର୍ଯ୍ୟକାନ୍ତକୁ ନୁହେଁ ତ ???

 

ନର୍ମଦା ପ୍ରଳାପ କରୁଛି । କହୁଛି–ଦୁନିଆରେ ସବୁ ମିଛ ସୂର୍ଯ୍ୟକାନ୍ତ ! କେବଳ ସତ୍ୟ ହେଉଛି ଏଇ ଜୀବନ, ଯୌବନ, ଉପଭୋଗ । କ୍ଷଣସ୍ଥାୟୀ ଜୀବନ ଆମର । ଉପଭୋଗଗମୟ ଦୁନିଆ । ଅଥଚ ଆମେ ମଣିଷ ହୋଇ ସମାଜ, ପିତାମାତା ପରିବାରକୁ ଭୟ କରି ନୀରବ ରହିଯିବା କାହିଁକି ? ଆମେ ନିର୍ବୋଧ ନୁହଁ ସୂର୍ଯ୍ୟକାନ୍ତ ! ଆମର ଭଲପାଇବାରେ ମନର ମିଳନ ନଥାଇ ପାରେ କିନ୍ତୁ ଦେହର ମିଳନ ତ ଅଛି । ତେଣୁ ଦୁନିଆ ପ୍ରତି ଏତେ ଉଦାସୀନ ଭାବ ଦେଖାଇ ନୀରବ ରହିଯିବା ହିଁ ହେଉଛି ଅକ୍ଷମଣୀୟ ଅପରାଧ, ବିରାଟ ପାପ ।

 

ନର୍ମଦାର ନିଦ୍ରିତ ଅବସ୍ଥାର ପ୍ରଳାପ ଶୁଣି ଫାଲ୍‌ଗୁନୀ ଅବାକ ହୋଇ ଉଠିଲା । ଏଇ ପରିବାରର ସନ୍ତାନ ହୋଇ ନର୍ମଦା ଏତେ ନିଚ୍ଚସ୍ତରକୁ ଚାଲି ଯାଇପାରିଲା ! ତା’ର ଚିନ୍ତାଧାରା ଏତେ କୁତ୍ସିତ ହୋଇ ପାରିଲା ?

 

ନର୍ମଦା ତେବେ ସୂର୍ଯ୍ୟକାନ୍ତକୁ ଭଲପାଇ ବସିଛି ।

 

ସେଇ ସୂର୍ଯ୍ୟକାନ୍ତ, ଯିଏ ଜୟନ୍ତୀକୁ ପ୍ରତାରିତ କରିଛି ।

 

ଅଥଚ ନର୍ମଦା ତାକୁ ଦେହ,ମନ ପ୍ରାଣ ଦେଇ ଭଲପାଇଛି । ଆଉ ତା’ ମତରେ ମନର ମିଳନଠାରୁ ବଡ଼ ହେଉଛି ଦେହର ମିଳନ ଆଉ ଯୌବନ ପ୍ରତି ଉଦାସୀନ ଦେଖାଇବା ହେଉଛି ବିରାଟ ପାପ ।

 

ନର୍ମଦା ଭୁଲ୍‍ କରିଛି । ନର୍ମଦାର ସମସ୍ତ ଚିନ୍ତାଧାରା ଭୁଲ ।

 

କିନ୍ତୁ ନର୍ମଦାକୁ କିମିତି ବୁଝାଇବ ସେ ?

 

ନର୍ମଦା ଯଦି ତା’ର ଉପଦେଶ ଗ୍ରହଣ ନ କରେ ?

 

ନାଁ, ନର୍ମଦା ତା’ ପ୍ରତି ଏଡ଼େ କୃତଘ୍ନ ହେବନି । ତା’ କଥା ନିଶ୍ଚୟ ରଖିବ । ପିଲାଟି ଦିନରୁ ତା’ କଥା ରଖେ, ଭୟ ବି କରେ । ଆଦେଶ, ଉପଦେଶ ଗ୍ରହଣ କରେ ।

 

ଫାଲ୍‌ଗୁନୀର ଏତିକି ବିଶ୍ୱାସ ଥିଲା, ନର୍ମଦା ତା’ର ଉପଦେଶ କେବେ ପ୍ରତ୍ୟାଖ୍ୟାନ କରି ପାରିବ ନାହିଁ ।

 

ରାତି ପାହିଛି ।

 

କ୍ରମ ସକାଳର ନମ୍ର ଆଗମନୀ ଧରି ବାଳସୂର୍ଯ୍ୟ ପୂର୍ବାଆକାଶରେ ଫଗୁ ବିଞ୍ଚି ଦେଇଛନ୍ତି-

 

ଫାଲ୍‌ଗୁନୀ ବିଛଣାରୁ ଉଠିଲା । ନର୍ମଦା ବିଛଣାକୁ ଚାହିଁଲା । ନର୍ମଦା ସକାଳର ନିତ୍ୟକର୍ମ ସାରିବା ପାଇଁ ଅନେକବେଳୁ ବିଛଣା ପରିତ୍ୟାଗ କରିଛି ।

 

ନିଜର ନିତ୍ୟକର୍ମ ସାରି ସୋଫା ଉପରେ ବସିପଡ଼ି ଗତ ରାତିର କଥା ମନେ ପକେଇଲା ଫାଲ୍‌ଗୁନୀ ।

 

ଅନେକ ସମୟ ପରେ ନର୍ମଦା ଆସିଲା ।

 

ସକାଳର ଜଳଖିଆ ନେଇ ପୂଜାରୀ ବି ଆସିଲା ।

 

ଜଳଖିଆତକ ଉଦରସ୍ଥ କରି କଫି ପ୍ଲେଟରେ ମୁହଁ ଲଗାଇଲେ ଦୁହେଁ ।

 

କୋଠରୀ ନୀରବ, ନିଷ୍ପନ୍ଦ ।

 

ତୁଣ୍ଡ ଖୋଲିଲା ଫାଲ୍‌ଗୁନୀ । –ତୁ ସୂର୍ଯ୍ୟକାନ୍ତକୁ ଭଲପାଉ ନିରୁ !

 

ଅପା ତୁଣ୍ଡରେ ସୂର୍ଯ୍ୟକାନ୍ତର ନାମ ଅନାଦୂତ ଶୁଣି ଚମକି ଉଠିଲା ନର୍ମଦା ।

 

ଫାଲ୍‌ଗୁନୀ କହିଲା, ଚମକି ପଡ଼ୁଛୁ ଯେ ? ସୂର୍ଯ୍ୟକାନ୍ତକୁ ମୁଁ ଭଲଭାବରେ ଜାଣେ । ତୁ ସତ କହ ନିରୁ, ସେଇ ସୂର୍ଯ୍ୟକାନ୍ତକୁ ତୁ ଭଲ ପାଉ ?

 

ନର୍ମଦା ସଂକ୍ଷିପ୍ତ ଉତ୍ତର ଦେଲା, ହଁ ।

 

ସୂର୍ଯ୍ୟକାନ୍ତକୁ ବିବାହ କରିବୁ ?

 

ଭଲପାଇବା ମାନେ ତ ବିବାହ ନୁହେଁ । ବିବାହର ଲାଳସା ରଖି କେହି କେବେ ଭଲ ପାଏନି । ମୋ ମତରେ ଉପଭୋଗମୟ ଦୁନିଆ । ଉପଭୋଗ ହେଉଛି ପ୍ରତ୍ୟେକ ନାରୀ ଆଉ ପୁରୁଷର ଚିରକାମ୍ୟ । ତେଣୁ ପର ଉପରେ ଅଭିମାନ କରି ରୂପ, ବୟସ, ଯୌବନ ଉପରେ ତିଳ ତିଳ କରି ପ୍ରତିଶୋଧ ନ ନେଇ ପୁରୁଷକୁ ଭଲପାଇବା ହେୁଛି ନାରୀର ଧର୍ମ ।

 

ସ୍ୱଳ୍ପମୟ ଜୀବନ, କ୍ଷଣସ୍ଥାୟୀ ଯୌବନ । ଆଜିର ମନଭୁଲା ରୂପ ଆସନ୍ତାକାଲିକୁ ମଉଳିଯାଇଥିବ । ଆଜିର ମନ କାଲିକୁ ପରିବର୍ତ୍ତନ ହୋଇଥିବ । ତେଣୁ ସମୟ ଥାଉଥାଉ ଜୀବନ ଉପଭୋଗ କରିବା ବୁଦ୍ଧିମତୀ ନାରୀର କର୍ତ୍ତବ୍ୟ ।

 

ନର୍ମଦାର ସନ୍ତୋଷଜନକ ଉତ୍ତର ନ ଶୁଣି ଫାଳ୍‌ଗୁନୀ ବିରକ୍ତ ହୋଇ କହିଲା ! କହିଲା, ତୁ ଭୁଲିଯାଉଛୁ ଯେ, ତୁ ଯାହା ସାଥିରେ କଥା ଭାଷା କରୁଛୁ ସେ ତୋର ଅପା ! ଜେଷ୍ଠାଭଗ୍ନୀ । ତୋଠାରୁ ବୟସ, ଅଭିଜ୍ଞତାରେ ମୁଁ ବହୁତ ଉଚ୍ଚରେ । କିନ୍ତୁ ତୁ ନାରୀ ଆଉ ପୁରୁଷର ମନସ୍ତତ୍ୱ ବିଶ୍ଲେଷଣ କରି ଯେଉଁ ଟିପ୍‌ଣୀ ଦେଇଛୁ ତାହା ସମସ୍ତଙ୍କ ପାଇଁ କେବେ ନିରାଟ ସତ ହୋଇ ନପାରେ ତେଣୁ ମୁଁ କହିବାକୁ ଚାହେଁ, ତୁ ସୂର୍ଯ୍ୟକାନ୍ତକୁ ଭୁଲି ଯା । ସୂର୍ଯ୍ୟକାନ୍ତର ସ୍ମୃତି ମନରୁ ପୋଛି ଦେ । କାରଣ ସୂର୍ଯ୍ୟକାନ୍ତ ସହିତ ତୋର ବିବାହ ଅସମ୍ଭବ ।

 

ଅପା ! ନର୍ମଦା ଚିତ୍କାର କରି ଉଠିଲା ।

 

ହଁ ନିରୁ, ସୂର୍ଯ୍ୟକାନ୍ତ ସହିତ ତୋର ବିବାହ କେବେ ହୋଇ ପାରେନା । ବାପା ମଧ୍ୟ ଏ ପ୍ରସ୍ତାବରେ କେବେ ସ୍ୱୀକୃତି ପ୍ରଦାନ କରିବେନି । ତା’ଛଡ଼ା ସୂର୍ଯ୍ୟକାନ୍ତ ତୋତେ ବିବାହ କରିବାକୁ ଅନୁପଯୁକ୍ତ ।

 

ପ୍ରତିବାଦ କଲା ନର୍ମଦା ! କାହିଁକି ସୂର୍ଯ୍ୟକାନ୍ତ ମୋତେ ବିବାହ କରିବାକୁ ଅନୁପଯୁକ୍ତ । ସୂର୍ଯ୍ୟକାନ୍ତ କ’ଣ ସୁପୁରୁଷ ନୁହେଁ ? ତା’ର କ’ଣ ମାନ–ସମ୍ମାନ, ଆଭିଜାତ୍ୟ, ପ୍ରତିଷ୍ଠା, ଐଶ୍ୱର୍ଯ୍ୟ କିଛି ନାହିଁ ? ସବୁ ଅଛି ଅପା ! ମୁଁ ତାକୁ ବିବାହ କରିବାକୁ କଥା ଦେଇଛି ।

 

କିନ୍ତୁ ସୂର୍ଯ୍ୟକାନ୍ତ ତୋତେ ବିବାହ କରିବାକୁ ସ୍ୱୀକୃତି ଦେଇଛି ତ ?

 

ହଁ । ନର୍ମଦା ଉତ୍ତର ଦେଲା ।

 

ତୁ ଯାହା କହ ନିରୁ, ସୂର୍ଯ୍ୟକାନ୍ତ ଉପରେ ମୋର ତିଳେ ହେଲେ ବିଶ୍ୱାସ ନାହିଁ । ସୂର୍ଯ୍ୟକାନ୍ତ ସୁପୁରୁଷ ହୋଇପାରେ, ସମାଜରେ ତା’ର ଯଥେଷ୍ଟ ପ୍ରତିଷ୍ଠା ଥାଇପାରେ, କିନ୍ତୁ ତୋର ସ୍ୱାମୀ ହେବାପାଇଁ ସେ ପୁରାପୁରି ଅନୁପଯୁକ୍ତ ।

 

ଅପା !

 

ସୂର୍ଯ୍ୟକାନ୍ତ ସହିତ ତୋର ଅଳ୍ପଦିନର ପରିଚୟ । କିନ୍ତୁ ମୋର....ତା’ ସହିତ ପରିଚୟ ନ ଥିଲେ ସୁଦ୍ଧା ଦୀର୍ଘଦିନରୁ ତାକୁ ମୁଁ ଜାଣେ । ସୂର୍ଯ୍ୟକାନ୍ତ ଜୀବନର ସମସ୍ତ ଇତିହାସ ମୁଁ କହିପାରିବି । ତେଣୁ ତା’ ବିଷୟରେ ମୁଁ ଯେତିକି ଜାଣେ ସେତିକିରେ ତତେ ମୁଁ ଅନୁରୋଧ କରୁଛି । ତୁ ସୂର୍ଯ୍ୟକାନ୍ତଠାରୁ ଦୂରେଇ ଯା । ସୂର୍ଯ୍ୟକାନ୍ତ ସୁପୁରୁଷ ନୁହେ କାପୁରୁଷ । ଜୀବନ ମଧ୍ୟାହ୍ନରେ ସୂର୍ଯ୍ୟକାନ୍ତ ଅନେକ ସୁକୁମାରୀ କୁମାରୀ କନ୍ୟାଙ୍କୁ ପ୍ରତାରିତ କରି ଆସିଛି । ତୋତେ ବି ସେମିତି ପ୍ରତାରିତ କରିବ । ତୋର ଚରିତ୍ରରେ କଳଙ୍କର ରେଖା ଟାଣି ସେ ପଳାଇଯିବ, ଆଉ ସୁଦୂର ଭବିଷ୍ୟତକୁ ତୁ ସୂର୍ଯ୍ୟକାନ୍ତକୁ ମନେପକାଇ ଆଖିରୁ ଲୁହ ଗଡ଼ାଉଥିବୁ ।

 

ନର୍ମଦା ଉଚ୍ଚସ୍ୱରରେ କହିଉଠିଲା, ତୁ ଭୁଲଶୁଣିଛୁ ଅପା, ତୋର ଅନୁମାନ ସମ୍ପୂର୍ଣ୍ଣ ଭୁଲ । ସୂର୍ଯ୍ୟକାନ୍ତ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି । ସେ ମୋତେ ଛାଡ଼ି କେବେ ବଞ୍ଚିପାରିବ ନାହିଁ ଆଉ ମୁଁ ମଧ୍ୟ ।

 

ନିରୁ ! ବାପା ଯଦି ଏ ପ୍ରସ୍ତାବରେ ରାଜି ନ ହେବେ ?

 

ଗୋଡ଼ଧରି ବାପାଙ୍କୁ ରାଜି କରାଇବି । ଶେଷ ପର୍ଯ୍ୟନ୍ତ ସେ ଯଦି ଏ ପ୍ରସ୍ଥାବରେ ଅସମ୍ମତ ହୁଅନ୍ତି ତେବେ ଅଧରାତିରେ ସୂର୍ଯ୍ୟକାନ୍ତ ହାତଧରି ଚାଲିଯିବି ଅନେକ ଦୂରକୁ । ବର୍ଷ ବର୍ଷ ଧରି ଖୋଜିଲେ ମଧ୍ୟ ପାଇବେ ନାହିଁ ।

 

ଏଥର ସହଜ ସରଳ ଭାବରେ ନର୍ମଦାକୁ ବୁଝାଇବାକୁ ଚେଷ୍ଟାକଲା ଫାଲ୍‌ଗୁନୀ । କହିଲା, ସୂର୍ଯ୍ୟକାନ୍ତକୁ ଛାଡ଼ି ଅନ୍ୟ ଯେଉଁ ପୁରୁଷକୁ ବିବାହ କରିବାକୁ କହିବୁ ମୁଁ ସେଥିରେ ଏକମତ ହେବି । ବାପା ରାଜି ନହେଲେ ବି ତାଙ୍କୁ ରାଜି କରାଇପାରିବି । କିନ୍ତୁ ସୂର୍ଯ୍ୟକାନ୍ତ ସହିତ ତୋର ବିବାହ ମୁଁ କେବେ କରାଇଦେବି ନାହିଁ । ତା’ଛଡ଼ା ସୂର୍ଯ୍ୟକାନ୍ତ ମଧ୍ୟ ତୋତେ ବିବାହ କରିବାକୁ କେବେ ରାଜି ହେବନାହିଁ ।

 

ନର୍ମଦାର ଆଖିରେ ଲୁହର ବନ୍ୟା । ତୁ ମୋ ଉପରେ ଏମିତି ପ୍ରତିଶୋଧ ନେଉଛୁ କାହିଁକି ? ମୁଁ ତୋର କ’ଣ ଅପରାଧ କରିଛି ? କ’ଣ ଦୋଷ କରିଛି ??? ତୁ ମୋତେ ଯାହା ଆଦେଶ ଦେବୁ ମୁଁ ପାଳନ କରିବି । କିନ୍ତୁ ମୋର ଭଲପାଇବା ଉପରେ କୁଠାରଘାତ କଲେ ମୁଁ କେବେ ବରଦାସ୍ତ କରିପାରିବି ନାହିଁ ।

 

ଫାଲ୍‌ଗୁନୀ ବାଧାଦେଲା ନର୍ମଦାର ଉତ୍ତରରେ । କହିଲା, ତୋର ଭଲପାଇବା ଉପରେ ମୁଁ ଆଘାତ କରୁନାହିଁ; କିନ୍ତୁ ସୂର୍ଯ୍ୟକାନ୍ତ ଭଳି ଏକ ନଷ୍ଟ ଚରିତ୍ର ଯୁବକକୁ ବିବାହ କରିବାକୁ ମୁଁ କେବେ ସ୍ୱୀକୃତି ପ୍ରଦାନ କରି ନପାରେ ।

 

ନଷ୍ଟ ଚରିତ୍ର !!! ନଷ୍ଟ ଚରିତ୍ର କିଏ ସୂର୍ଯ୍ୟକାନ୍ତ । ନର୍ମଦା ବିଦ୍ରୂପର ହସ ହସିଲା । କହିଲା, ଏ ଯୁଗରେ ସମସ୍ତେ ଯଦି ସତ୍ୟବାନ ହୋଇଯିବେ ତେବେ ଏ ପବିତ୍ର ଭାରତ ଭୂମିରେ ସାବିତ୍ରୀର ଅଭାବ ଦେଖା ଦେବ ? ଆଉ ସମସ୍ତେ ଯଦି ସତୀ ସୀତା ହୋଇ ପାରିବେ ତେବେ ଏତେ ରାମଚନ୍ଦ୍ର ଆସିବେ କେଉଁଠୁ ? ତେଣୁ ମୋ ମତରେ ଏ ଦୁନିଆରେ ସମସ୍ତେ ସଚ୍ଚରିତ୍ର । ଯେଉଁ ନାରୀ ତା’ର ବାଞ୍ଛିତ ପୁରୁଷକୁ ପାଇ ନପାରେ ସେହି ନାରୀ ଉକ୍ତ ପ୍ରେମିକକୁ ନଷ୍ଟ ଚରିତ୍ରର ଆଖ୍ୟା ଦିଏ । ତା’ର କୁତ୍ସାରଟନା କରେ, ବଦନାମ କରେ । ତେଣୁ ଇତର ବ୍ୟକ୍ତିର ମନଗଢ଼ା କାହାଣୀ ଶୁଣି ସୂର୍ଯ୍ୟକାନ୍ତକୁ ନଷ୍ଟଚରିତ୍ର କହିବା ତୋର ବିରାଟ ଭୁଲ ଅପା !

 

ଫାଲ୍‌ଗୁନୀ ଦୀର୍ଘ ନିଶ୍ୱାସ ଛାଡ଼ିଲା । କହିଲା ତୁ ମୋତେ ନିର୍ବୋଧ ମନେ କରିଛୁ ନା ନିରୁ ! କିନ୍ତୁ ତୋ ପରି ମୁଁ ଏତେ ନିର୍ବୋଧ ନୁହେଁ । ମୋର ବୟସ, ଶିକ୍ଷା, ସୂକ୍ଷ୍ମବିଚାର ବୁଦ୍ଧିରେ ଯେଉଁଟା ଉଚିତ ମନେକରିଛି ତାହା ହିଁ କହିଛି । ତୁ ସୂର୍ଯ୍ୟକାନ୍ତକୁ ଭଲପାଉ । ତେଣୁ ସୂର୍ଯ୍ୟକାନ୍ତର କୌଣସି କୁତ୍ସାରଟନାକୁ ତୁ କେବେ ବରଦାସ୍ତ କରି ପାରିବୁ ନାହିଁ । ସୂର୍ଯ୍ୟକାନ୍ତ ନଷ୍ଟ ଚରିତ୍ର ହେଲେ ମଧ୍ୟ ତୁ କେବେ ଏହା ବିଶ୍ୱାସ କରିପାରିବୁ ନାହିଁ, କିନ୍ତୁ ତୁ ଏତିକି ମନେରଖ ନିଆଁ ନ ଥିଲେ କେବେ ଧୂଆଁ ଉଠେନି ।

 

ନର୍ମଦା କ୍ଷଣକାଳ ନୀରବ ରହିଲା । ଜଣେ ବିରାଟ ଦାର୍ଶନିକ ଭଳି କ’ଣ ଭାବିଲା କେଜାଣି, ଅପା ! ଜୀବନରେ ତୁ କାହାକୁ କେଭେ ଭଲ ପାଇଛୁ ? ବାହୁବନ୍ଧନ ଭିତରେ ଆବଦ୍ଧ ରହି ପୁରୁଷ ବକ୍ଷର ଉଷ୍ମତା ଅନୁଭବ କରିଛୁ ? ? ଜୀବନରର ମାଦକତା ଉପଭୋଗ କରିଛୁ ???

 

ନର୍ମଦା ! ଫାଲଗୁନୀ ଚିତ୍କାର କରି ଉଠିଲା ।

 

ମୁଁ ସତ କହୁଛି ଅପା ! ଯିଏ ଜୀବନରେ କେବେ କୌଣସି ପୁରୁଷକୁ ଭଲ ପାଇନାହିଁ ସେ ବୁଝିପାରିବିନି କେବେ ଭଲପାଇବାର ମାଦକତା । ଭଲପାଇବାର ଶିହରଣ ନିକଟରେ ଆଉ ସବୁ ତୁଚ୍ଛ ଅପା । ତୁ କାହାକୁ ଦେହ ଦେଇ ଭଲପାଇନୁ ଜୀବନରେ । ତେଣୁ ତୁ କିପରି ବୁଝି–ପାରିବୁ ମୋ ଜୀବନର ଗୁରୁ ବେଦନା ? ଭଲପାଇବାର ଗ୍ରନ୍ଥିରେ ଛନ୍ଦି–ହୋଇ ଯେଉଁ ଅପୂର୍ବ ପୁଲକ ପ୍ରେମିକ–ପ୍ରେମିକା ଅନୁଭବ କରନ୍ତି ତାହା ଅନୁଭବୀ ଛଡ଼ା ଆଉ କେହି ଉପଲବ୍‌ଧି କରିପାରିବେ ନାହିଁ, ଜୀବନର ଚରମ ସୁଖ କେବଳ ସେଇଠି ଠୁଳହୋଇ ରହିଛି ।

 

ଫାଲଗୁନୀ ଅବାକ୍‌ ହୋଇ ଚାହିଁଥିଲା ନର୍ମଦାକୁ । ମେସିନ ଭଳି ନର୍ମଦା ଅର୍ନଗଳ କହି ଯାଉଛି । କଥାରେ ବାଟୁଳି ବାଜୁନି ତା’ର । ଅଭିଜ୍ଞଙ୍କ ଭଳି ନୀତିଶିକ୍ଷା ଦେଇ ଚାଲିଛି ତା’ର ଅପାକୁ-

 

ଫାଲଗୁନୀ ଭାବିଥିଲା ନର୍ମଦା ସହିତ ଯୁକ୍ତି କରିବ । କିନ୍ତୁ ଯୁକ୍ତି କରି ପାରିଲାନି ସେ । କେବଳ ଏତିକି କହିଲା, ମୁଁ ଜୀବନରେ କାହାକୁ ଭଲ–ପାଇନି ଭଲ ପାଇବାର ସ୍ୱାଦୁ ମଧ୍ୟ ଅନୁଭବ କରିନାହିଁ । ତେଣୁ ଭଲପାଇବାର ସଜ୍ଞା କ’ଣ ପଚାରିଲେ ମୁଁ କହି ପାରିବି ନାହିଁ । କିନ୍ତୁ ମୁଁ ଏତିକି ଜାଣେ, ଭଲପାଇ ବିବାହ କରିବା ପୂର୍ବରୁ ଯେଉଁ କୁମାରୀ କନ୍ୟାମାନେ ଅତି ଉଚ୍ଛୃଙ୍ଖଳ ହୋଇ ପରସ୍ପର ଦେହ ଦାନ କରିଥାଆନ୍ତି ସେମାନେ ବିବାହ ପରେ ମୋଟେ ସୁଖୀ ହୋଇ ପାରନ୍ତି ନାହିଁ ।

 

ନର୍ମଦା ଦୃଢ଼ ପ୍ରତିବାଦ କଲା । ନା, ନା, ଅପା ! ତୋର ମନସ୍ତତ୍ୱ ପୁରାପୁରି ଭୁଲ । ଯେଉଁମାନେ ଭଲପାଇ ବିବାହ କରନ୍ତି ସେମାନଙ୍କଠାରୁ ସୁଖୀ ଆଉ କେହି ନାହାନ୍ତି । ସେଇମାନେ ହିଁ ଜୀବନର ସକଳ ସୁଖ ଜୀବନର ସଫଳ ସ୍ୱପ୍ନ ଦେଖି ପାରନ୍ତି । ବିବାହ ପୂର୍ବରୁ ମନକୁମନ ମିଳାଇ, ପରସ୍ପର ବୁଝାମଣା ଭିତରେ ଯେଉଁମାନେ ଖଣ୍ଡିଏ ସୂତାରେ ଛନ୍ଦିହୋଇ ପଡ଼ନ୍ତି ସେମାନଙ୍କର ଜୀବନର ମଧ୍ୟାହ୍ନଟା କ’ଣ କେବେ ଦୁଃଖରେ କଟିପାରେ ?

 

ଫାଲଗୁନୀ କହିଲା, ପରିପକ୍ୱ ବୟସରେ ଏବେ ପାଦ ଦେଇ ଏତେ ଅଭିଜ୍ଞତା (ବିଶେଷତଃ ନାରୀ ଓ ପୁରୁଷର ବିଷୟରେ ) ଅର୍ଜନ କରିଛୁ ଜାଣି ଭାରି ଖୁସି ହେଲି । କିନ୍ତୁ ତୋ ମତ ସହିତ ମୋ ମତ କେବେ ଏକାଠି ମିଳିପାରିବ ନାହିଁ । ତୁ ହୁଏତ ଯେଉଁଟାକୁ ନିର୍ଭୁଲ ବୋଲି ମନେ କରିଛୁ, ମୁଁ ସେଥିରେ କେବେ ଏକମତ ହୋଇ ପାରିବି ନାହିଁ । ତଥାପି ତୋର ବଡ଼ ଭଉଣୀ ହିସାବରେ ତୋର ହିତାକାଂକ୍ଷୀ, ଶୁଭାକାଂକ୍ଷୀ ହିସାବରେ ଏତିକି କହିବାକୁ ବାଧ୍ୟ ହେଉଛି ଯେ, ତୁ ଯେଉଁ ପଥକୁ ସୁପଥ ବୋଲି ଗ୍ରହଣ କରି ନେଇଛୁ ତାହା ସେତେଟା ସୁଗମ ନୁହେଁ, ତାହା କଣ୍ଟକର ପଥ, ଦୁର୍ଗମ ପଥ । ସେ ପଥରେ କେହି କେବେ ସୁଖୀ ହୋଇ ନାହାନ୍ତି କି ସୁଖୀ ହେବେ ନାହିଁ ।

 

ମାନେ ? ନର୍ମଦା ପ୍ରଶ୍ନ କରି ଉଠିଲା ।

 

ସେଇ ସୂର୍ଯ୍ୟକାନ୍ତର କଥା ମୁଁ କହୁଛି । ସୂର୍ଯ୍ୟକାନ୍ତର ସମ୍ମାନ, ପ୍ରତିଷ୍ଠା, ଆଭିଜାତ୍ୟ ଥାଇପାରେ, ସୂର୍ଯ୍ୟକାନ୍ତ ସୁ ପୁରୁଷ ହୋଇପାରେ କିନ୍ତୁ ତା’ର ଚରିତ୍ର...., ରାସ୍ତାଧାରର ତୃତୀୟ ଶ୍ରେଣୀ ଯୁବକଙ୍କଠାରୁ ବି ହୀନ ।

 

ଅପା ! ନର୍ମଦା ପ୍ରତିବାଦ କଲା ।

 

ତେବେ ଶୁଣ ସୂର୍ଯ୍ୟକାନ୍ତ ଜୀବନର କଳଙ୍କିତ ଇତିହାସର ଛିନ୍ନ ପୃଷ୍ଠା । ଏହା ନିରାଟ ସତ୍ୟ । ମିଥ୍ୟାର ଲେଶମାତ୍ର ଚିହ୍ନ ଏଥିରେ ନାହିଁ । ଯାହାକୁ ଶେଷପର୍ଯ୍ୟନ୍ତ ତୋ ପାଖରେ ଗୋପନ ରଖିବି ବୋଲି ଭାବିଥିଲି, ବର୍ତ୍ତମାନ ତାହା ତୋତେ ନ କହିଲେ ତୁ ମୋତେ ଅବିଶ୍ୱାସ କରିପାରୁ ମୋ କଥାକୁ ମିଛ ବୋଲି ଧରିନେଇପାରୁ । କିନ୍ତୁ ମୋର ଅନୁରୋଧ, ତୁ ଏହାକୁ ଗଭୀର ଭାବେ ଚିନ୍ତା କରିବୁ । ସୂର୍ଯ୍ୟକାନ୍ତର ବନ୍ଧୁ ମହଲରୁ ତୁ ତା’ କଳଙ୍କିତ ଜୀବନର କାହାଣୀ ସଂଗ୍ରହ କରିବୁ । ତା’ପରେ ତୁ ଯାହା ଉଚିତ ବିଚାର କରିବୁ ତାହା ହିଁ କରିବୁ ।

 

ତେବେ କଥାଟା କ’ଣ କହିଲୁ ?

 

ଫାଲଗୁନୀ ଆରମ୍ଭ କଲା ନଷ୍ଟ ଚରିତ୍ର ସୂର୍ଯ୍ୟକାନ୍ତର ବିଷାକ୍ତମୟ ଜୀବନରର କଣ୍ଟକିତ କାହାଣୀ । ଯାହା ଏବେବି ସହରର ଏକ ପ୍ରଧାନ କାହାଣୀ ହୋଇ ରହିଛି ଲୋକଙ୍କ ମନରେ ।

 

ଫାଲଗୁନୀ ଆରମ୍ଭକଲା ଜୟନ୍ତୀର ଅଙ୍ଗେ ଲିଭେଇବା ନିରାଟ ସତ୍ୟ କାହାଣୀ ।

 

କାହାଣୀ ସମାପ୍ତ ହେବା ବେଳକୁ ନର୍ମଦାର ଆଖିରେ ଲୁହ ଭରି ଯାଇଥିଲା ।

 

ଫାଲଗୁନୀ ନର୍ମଦାର ଆଖିରେ ଲୁହ ଦେଖି କହିଲା, ତୁ କାନ୍ଦୁଛୁ ନିରୁ ?

 

ଆଖିରୁ ଲୁହ ପୋଛି ନର୍ମଦା, କହିଲା, ନାଁ କିନ୍ତୁ ଅପା, ସତେ କ’ଣ ସୂର୍ଯ୍ୟକାନ୍ତ ଜୟନ୍ତୀକୁ ପ୍ରତାରିତ କରିଛି ? ଜୟନ୍ତୀ କ’ଣ କେବଳ ସୂର୍ଯ୍ୟକାନ୍ତ ପାଇଁ ଆତ୍ମହତ୍ୟା କରିଛି ? ?

 

ପୁଣି ମୋ କଥାକୁ ତୁ ଅବିଶ୍ୱାସ କରୁଛୁ ? ମୁଁ ସତ କହୁଛି ନିରୁ, ତୋର ମଙ୍ଗଳ ପାଇଁ ମୁଁ ସବୁକିଛି କରିପାରିବି, କିନ୍ତୁ ସୂର୍ଯ୍ୟକାନ୍ତ ଭଳି ଏକ ନଷ୍ଟ ଚରିତ୍ର ଯୁବକ ସହିତ ତୋର ବିବାହ ଦୃଶ୍ୟ ପାରିବିନାହିଁ । ତା’ ପୂର୍ବରୁ ମୁଁ ଆତ୍ମହତ୍ୟା କରିପାରିବି ।

 

ଅପା ।

 

ଆଜି ଜୟନ୍ତୀ ନିଜର ଅମୂଲ୍ୟ ଜୀବନକୁ ନଷ୍ଟ କରି ଦେଇଛି କାହାପାଇଁ ? କାହାପାଇଁ ସେ ଆଜି ନଷ୍ଟ ଚରିତ୍ରା କଳଙ୍କିନୀର ଆଖ୍ୟା ବହନ କରି ମୃତ୍ୟୁ ବରଣ କରିଛି ? କେବଳ ପ୍ରତାରିତ ସୂର୍ଯ୍ୟକାନ୍ତ ପାଇଁ । ତଥାପି ସୂର୍ଯ୍ୟକାନ୍ତର ଜ୍ଞାନୋଦୟ ହୋଇନାହିଁ । ଏ ପର୍ଯ୍ୟନ୍ତ ବି ସେ ନିଖୁଣ ଅଭିନୟ କରିପାରୁଛି ଏଇ ମଞ୍ଚ ଉପରେ । ଗୋଟିଏ ସରଳା, ନିରପରାଧିନୀ ତରୁଣୀ କେବଳ ତାରି ପାଇଁ ଆତ୍ମହତ୍ୟା କରିବା ପରରେ ମଧ୍ୟ ସୂର୍ଯ୍ୟକାନ୍ତର କିଛି ପରିବର୍ତ୍ତନ ହୋଇ ପାରିନାହିଁ । ଅଥଚ ନୂତନ ଉତ୍ସାହ, ନୂତନ ଉଦ୍ଦୀପନା ନେଇ ଏବେ ବି ସେ ବହୁ ତରୁଣୀଙ୍କୁ ଉପଭୋଗ କରିବା ପାଇଁ ମିଥ୍ୟା ଅଭିନୟ କରୁଛି ।

 

ନର୍ମଦା ନୀରବରେ ଭାବୁଥିଲା । ସତେ ଯଦି ସୂର୍ଯ୍ୟକାନ୍ତ ନଷ୍ଟ ଚରିତ୍ର ହୋଇଥାଏ ଆଉ ଅପାର କଥା ଯଦି ଅକ୍ଷରେ ଅକ୍ଷରେ ସତ୍ୟହୁଏ ତେବେ କ’ଣ ହେବ ତା’ର ଅବସ୍ଥା ! କ’ଣ ହେବ ତା’ର ଭବିଷ୍ୟତ ।

 

କ’ଣ ଭାବୁଛୁ ନିରୁ ? ଫାଲଗୁନୀ ପଚାରିଲା ।

 

କିଛି ନୁହେଁ । ନର୍ମଦା ନିଜର ମୁଖମଣ୍ଡଳ ଉପରେ ପଣତକାନି ବୁଲାଇ ଆଣିଲା ।

 

କାନ୍ଥ ଘଣ୍ଟାରେ ଦଶଟା ବାଜିଲା ।

 

ଫାଲଗୁନୀ କହିଲା, ମୁଁ ଯାଉଛି ନିରୁ । ଦ୍ୱିତୀୟ ପିରିୟର୍ଡରେ ମୋର କ୍ଳାସ ଅଛି ।

 

ଫାଲଗୁନୀ ପଛେ ପଛେ ନର୍ମଦା ବି ଉଠି ପଡ଼ିଲା ।

 

କଲେଜରେ ପହଞ୍ଚିବା ବେଳକୁ କ୍ଳାସ ଆରମ୍ଭ ହୋଇନଥାଏ ।

 

ଫାଲଗୁନୀ କମନ୍‌ରୁମ୍‌ ଭିତରକୁ ପଶିଗଲା ।

 

ଜୟଶ୍ରୀ ଉପନ୍ୟାସ ପଢ଼ିବାରେ ମନ ଦେଇଥିଲା ।

 

ଫାଲଗୁନୀ କହିଲା, କ’ଣ ପଢ଼ିଛୁ କିଲୋ ଜୟଶ୍ରୀ

 

ଉପନ୍ୟାସ । ସଦ୍ୟ ପ୍ରକାଶ ପାଇଛି ।

 

ଉପନ୍ୟାସ ନାମ କ’ଣ କହିଲୁ ?

 

‘‘କାହାଣୀ ନୁହେଁ’’ ଆଉ ଲେଖକ ହେଉଛି କିଏ ଜାଣୁ ? ତୋର ସେଇ ପ୍ରିୟ ଔପନ୍ୟାସିକ ‘ଶ୍ରୀ’ । ଯାହାର କୁତ୍ସାରଟନା କଲେ ତୁ ମୋଟେ ସହ୍ୟ କରିପାରୁନୁ ।

 

ଚମକି ଉଠିଲା ଫାଲଗୁନୀ । ‘‘କାହାଣୀ ନୁହେଁ’’ ଉପନ୍ୟାସ ଅନେକ ଦିନ ମୁକ୍ତିପ୍ରତୀକ୍ଷାରେ ରହିଥିଲା । ଅଥଚ କେବେ ତାହା ପ୍ରକାଶ ପାଇସାରିଲାଣି, ସେ ଏପର୍ଯ୍ୟନ୍ତ ଜାଣି ପାରିନି ।

 

ଜୟଶ୍ରୀ ପାଖରେ ବସିପଡ଼ିଲା ଫାଲଗୁନୀ । କହିଲା, ଉପନ୍ୟାସଟା ଦେଲୁ, ଟିକେ ଆଖିପକାଇ ଦିଏ ।

 

ଜୟଶ୍ରୀ ଚାହିଁଲା ଫାଲଗୁନୀକୁ । କହିଲା, ଯଦି କିଛି ମନେ ନ କରିବୁ ତେବେ ଗୋଟାଏ କଥା କହିବି ।

 

କ’ଣ କହ ?

 

ଉପନ୍ୟାସଟି ଗତକାଲି ପ୍ରକାଶ ପାଇଛି । ଆଉ ମୁଁ ଆଜି ଆଣି ପଢ଼ୁଛି । ନିଶ୍ଚୟ ଜାଣିଥିବୁ ଫାଲଗୁନୀ, ସଦ୍ୟ ପ୍ରକାଶ ପାଇଥିବା ଉପନ୍ୟାସ ପଢ଼ିବାକୁ ପାଠକପାଠକଙ୍କର କିପରି ପ୍ରବଳ ଆଗ୍ରହ ଥାଏ ? ବର୍ତ୍ତମାନ ନୂତନ ଉପନ୍ୟାସ ପଢ଼ିବାରେ, ଯେଉଁ ଆଗ୍ରହ ଆକାଂକ୍ଷା ସ୍ପୃହା ଅଛି, ସେହି ଉପନ୍ୟାସ ଏଇନା ନ ପଢ଼ି କିଛିଦିନ ପରେ ପଢ଼ିବା ପାଇଁ ସେତିକି ଆଗ୍ରହ ମମତା ବା ସ୍ପୃହା ନଥାଏ । ତେଣୁ ଉପନ୍ୟାସଟିକୁ ଶେଷ ନ କରିବା ପର୍ଯ୍ୟନ୍ତ ତୋତେ ଦେଇ ପାରୁନି । ସେଥିପାଇଁ ମୋତେ କ୍ଷମାଦେବୁ ଫାଲଗୁନୀ ।

 

ଫାଲଗୁନୀ କିଛି ଉତ୍ତର ଦେଇପାରିଲା ନାହିଁ । ପ୍ରକୃତରେ ନୂତନ ଉପନ୍ୟାସର ଉପରେ ସମସ୍ତଙ୍କର ଆଗ୍ରହ ଥାଏ । ଦୈନିକ କାଗଜ କିଣିଲା-ବେଳେ କେହି ଯଦି ହାତରୁ ଟାଣି ନେଇ କାଗଜ ପଢ଼ିବସେ ତେବେ ମନରେ ଭୀଷଣ ରାଗ ହୁଏ । ତୁଣ୍ଡକୁ ଅନେକ କଥା ଆସୁଥିଲେ ମଧ୍ୟ ଭଦ୍ରତା ଦୃଷ୍ଟିରୁ କିଛି କହି ହୁଏ ନାହିଁ ।

 

ଅନେକ ସମୟ ପରେ ଫାଲ୍‌ଗୁନୀ କହିଲା । କାହାଣୀ ନୁହେଁ ଉପନ୍ୟାସର ପ୍ରକାଶକ କିଏ କହିଲୁ ?

 

ଉପନ୍ୟାସ ଉପରେ ଦୃଷ୍ଟି ନିବଦ୍ଧ କରି ଜୟଶ୍ରୀ କହିଲା, କଟକର କୌଣସି ପ୍ରକାଶକ ନୁହନ୍ତି । ଉପନ୍ୟାସ ପ୍ରକାଶ ପାଇଛି ସମ୍ବଲପୁରରେ । କାଲି ଭାଇ ସମ୍ବଲପୁରରୁ ଫେରିଲେ । ଆସିଲାବେଳେ ଏଇ ସଦ୍ୟପ୍ରକାଶ ପାଇଥିବା ଉପନ୍ୟାସଟି ଆଣିଥିଲେ । ଆଜି ସକାଳେ ସେ ପଢ଼ିବାକୁ ବସିଲା ବେଳେ ମୁଁ ତାଙ୍କ ପାଖରୁ ନେଇ ଆସିଛି ।

 

ଫାଲଗୁନୀ ହତଶୂନ୍ୟ ହୋଇପଡ଼ିଲା । ଜୟଶ୍ରୀ ଉପନ୍ୟାସ ପଢ଼ି ଶେଷ କରିବ; ତା’ପରେ ତା’ ଭାଇ ପଢ଼ିବେ । ସର୍ବଶେଷରେ ମୋତେ ଉପନ୍ୟାସ ଦେବ । ଫାଲଗୁନୀ ଭାବିଲା ସମ୍ବଲପୁରର ସେଇ ପୁସ୍ତକ ପ୍ରକାଶକଙ୍କ ପାଖକୁ ଟଙ୍କା ପଠାଇବ । ପ୍ରକାଶକ ଡାକରେ ଉପନ୍ୟାସ ପଠାଇବେ । ତଥାପି ସେ କ’ଣ ଆଠ ଦିନରୁ କମ୍‌ ହେବ ?

 

‘‘କାହାଣୀ ନୁହେଁ’’ ଉପନ୍ୟାସ ପଢ଼ିବା ପାଇଁ ଫାଲଗୁନୀର ପ୍ରବଳ ଝୁଙ୍କ ହେଉଥିଲା । ଅଥଚ ସେ ନିରୁପାୟ, ଉପାୟହୀନ ।

 

ଫାଲଗୁନୀ ବିବ୍ରତ ହୋଇପଡ଼ିଲା ।

 

ଉପନ୍ୟାସ ଉପରେ ସେମିତି ମୁହିଁ ରଖି ଜୟଶ୍ରୀ କହିଲା ସତେଲୋ ଫାଲଗୁନୀ, ଉପନ୍ୟାସର ମୋଟେ ଛପନ ପୃଷ୍ଠା ମୁଁ ପଢ଼ି ଏଇ ଛପନ ପୃଷ୍ଠା ଭିତରେ ଭଷା, ଶୈଳୀ କି ଚମତ୍କାର-! ଆଉ ଗଳ୍ପ... କ’ଣ କହିବି ତୋତେ, ତୁ ପଢ଼ିଲେ ଜାଣିବୁ ନାହିଁ । ସତେଲୋ ଫାଲଗୁନୀ-! ଲେଖକଙ୍କର ଶିକ୍ଷିତା ଆଧୁନିକ ଧନୀକନ୍ୟା ପ୍ରତି କି କଟାକ୍ଷପାତ ! ବଡ଼ଲୋକର ଝିଅମାନଙ୍କୁ ଲେଖକ ଅସତୀ କନ୍ୟା ବୋଲି ପ୍ରମାଣ କରିଛନ୍ତି, ଆଉ ଚାଲେଞ୍ଜ ବି କରିଛନ୍ତି କୌଣସି ମଧ୍ୟବିତ୍ତ ପରିବାରର କନ୍ୟା ଅପେକ୍ଷା ଧନୀର କନ୍ୟା ନିହାତି ନଷ୍ଟ ଚରିତ୍ର । ବଡ଼ଲୋକର କନ୍ୟା ପାଖରେ ସତୀତ୍ୱର ମୂଲ୍ୟ କିଛି ନାହିଁ । ସତୀତ୍ୱର ସଂଜ୍ଞା କ’ଣ ସେମାନେ ବୁଝନ୍ତି ନାହିଁ । ପୂର୍ଣ୍ଣବୟସର ଯୁବକ ଆଉ ଯୁବତୀର ଦେହର ଆଦାନ ପ୍ରଦାନକୁ ସେମାନେ ହୀନ ଦୃଷ୍ଟିରେ ଦେଖନ୍ତି ନାହିଁ । ସେମାନେ ମନେ କରନ୍ତି ଉପଭୋଗ କରିବା ପାଇଁ ଯାହା କିଛି ହୀନକାର୍ଯ୍ୟ କଲେ ମଧ୍ୟ କିଛି ପାପ ହୁଏ ନାହିଁ-। ଆଉ ଉପଭୋଗର ଦ୍ୱାହି ଦେଇ ଦୁନିଆର ଯେତେକିଛି ହୀନ, ନୀଚ କାର୍ଯ୍ୟ କରି ପାରନ୍ତି । ଅଥଚ ଉପଭୋଗ ପାଇଁ ଯଦି ମଧ୍ୟବିତ୍ତ ପରିବାରର କୌଣସି କନ୍ୟା ତା’ର ପ୍ରେମିକ କୋଳକୁ ଢଳି ପଡ଼େ ତେବେ ଏଇ ବଡ଼ଲୋକର କନ୍ୟାମାନେ କୁହନ୍ତି ସେ ଝିଅଟି ବେଶ୍ୟା, ନଷ୍ଟ ଚରିତ୍ରା ।

 

ଅଥଚ ସେଇ ଲକ୍ଷପତିର କନ୍ୟାମାନେ ଗହଳରାତ୍ରିର ବହଳ ଅନ୍ଧକାରରେ ପରପୁରୁଷକୁ ଇସାରା ଦେଇ ପାଖକୁ ଡାକନ୍ତି । ଆଉ ବାପା, ଭାଇ, ମାଆଙ୍କ ବାକ୍‌ସରୁ ଟଙ୍କା ଆଣି ସେଇ ଅବାଞ୍ଚିତ ପୁରୁଷର ପଦତଳେ ଅଜାଡ଼ି ଦେଇ ଆସନ୍ତାକାଲି ଆସିବା ପାଇଁ ନିମନ୍ତ୍ରଣ କରନ୍ତି । ଫାଲଗୁନୀ ଚାହିଁଲା ଜୟଶ୍ରୀକୁ ।

 

ଜୟଶ୍ରୀ କହିଲା, ବଡ଼ଲୋକର ଝିଅମାନେ ପରପୁରୁଷକୁ ନିମିଷକ ଭିତରେ ଯେମିତି ନିଜର କରିନେଇଥାଏ । ଆଉ ଏକ ସୁନ୍ଦର ଯୁବକ ଦେଖିଲେ ପ୍ରଥମ ପୁରୁଷକୁ ପ୍ରତାରଣ କରେ । ଆଉ ନିର୍ବୋଧ ପୁରୁଷ ସେଇ ପ୍ରତାରଣାରେ ତିଳ ତିଳ ଜଳି ନିଃଶେଷ ହୋଇଯାଏ । ଭଲପାଇବାର ମଧୂର ସ୍ମୃତି ଭୁଲିନପାରି, ତରୁଣୀ କନ୍ୟାର ଲୋଭନୀୟ ସୌନ୍ଦର୍ଯ୍ୟ ଏଡ଼ି ନ ପାରି ସେଇ ପୁରୁଷ ପାଗଳ ହୁଏ । ତା’ର ସୁନ୍ଦର ଭବିଷ୍ୟତ ନଷ୍ଟ ହୁଏ–

 

ଫାଲଗୁନୀ ବାଧା ଦେଇ ସେଇଠି କହିଲା, ଉପନ୍ୟାସ ପଢ଼ିବା ପୂର୍ବରୁ ତାହାର ବିଷୟବସ୍ତୁ ଶୁଣିଗଲେ ଉପନ୍ୟାସ ପଢ଼ିବାକୁ ଆଉ ଅଧିକ ଆଗ୍ରହ ରହେ ନାହିଁ ।

 

ଜୟଶ୍ରୀ ନୀରବ ରହିଲା ।

 

ଘଣ୍ଟା ବାଜିଲା

 

କ୍ଳାସ ଆରମ୍ଭ ହେଲା ।

 

ଫାଲଗୁନୀ କ୍ଳାସକୁ ଗଲା; କିନ୍ତୁ ତା’ର ପଢ଼ାରେ ଆଦୌ ମନ ରହିଲା ନାହିଁ । ‘‘କାହାଣୀ ନୁହେଁ’’ ଉପନ୍ୟାସ କେଉଁଠୁ ଆଣିବ, କିମିତି ପଢ଼ିବ ତାହାହିଁ ଚିନ୍ତା କରୁଥିଲା ସେ । ‘ଶ୍ରୀ’ ଲେଖକଙ୍କର ଉପନ୍ୟାସ ପ୍ରକାଶ ପାଇବାର ଅଳ୍ପସମୟ ଭିତରେ ସେ ପଢ଼ିଥାଏ । ଅଥଚ ଏଇ ‘କାହାଣୀ ନୁହେଁ’ ଉପନ୍ୟାସ କ’ଣ ସେ ପଢ଼ିପାରିବ ନାହିଁ । ଫାଲଗୁନୀ ଭାବିଲା, ଜୟଶ୍ରୀକୁ ସେ ଅନୁରୋଧ କରିବ । କହିବ ଅନ୍ତତଃ ଗୋଟିଏ ରାତି ପାଇଁ ମୋତେ ଉପନ୍ୟାସଟି ଦେ । କାଲି କଲେଜ ଆସିଲାବେଳକୁ ମୁଁ ନିଶ୍ଚୟ ଫେରାଇ ଦେବି ।

 

କିନ୍ତୁ ଜୟଶ୍ରୀ ଯଦି ମନା କରେ ?

 

ଫାଲଗୁନୀର ବସିବାକୁ ମୋଟେ ଇଚ୍ଛା ହେଉ ନଥିଲା ।

 

କ୍ଳାସ ସରିଲା ।

 

କ୍ଳାସରୁ ବାହାରି ଆସୁଥିବାବେଳେ ଫାଲଗୁନୀର ଦୃଷ୍ଟି ପଡ଼ିଲା ଶ୍ରୀକାନ୍ତ ଉପରେ । ଶ୍ରୀକାନ୍ତ ହାତରେ ଖଣ୍ଡିଏ ଉପନ୍ୟାସ ଧରିଥିବାପରି ମନେ ହେଉଛି । ‘‘କାହାଣୀ ନୁହେଁ’’ ଉପନ୍ୟାସର ପ୍ରଚ୍ଛଦପଟ ସହିତ ଶ୍ରୀକାନ୍ତ ଧରିଥିବା ଉପନ୍ୟାସର ଢେର ସାମଞ୍ଜସ୍ୟ ରହିଛି ।

 

ଶ୍ରୀକାନ୍ତ ପାଖକୁ ଆସିଲା ଫାଲଗୁନୀ ।

 

ଦେଖିଲା, ଶ୍ରୀକାନ୍ତ ହାତରେ ‘‘କାହାଣୀ ନୁହେଁ’ ଉପନ୍ୟାସ । କିନ୍ତୁ ଏତେ ଛାତ୍ର ଛାତ୍ରୀଙ୍କ ଗହଣରେ କିମିତି ମାଗିବ ସେ ଶ୍ରୀକାନ୍ତକୁ ! ଶ୍ରୀକାନ୍ତ ଯଦି ସିଧାସଳଖ ମନା କରିଦିଏ ?

 

ନାଁ, ଶ୍ରୀକାନ୍ତ କେବେ ମନା କରିବ ନାହିଁ । ଶ୍ରୀକାନ୍ତ ଉପରେ ତା’ର ଗଭୀର ବିଶ୍ୱାସ ଥିଲା ।

 

କିନ୍ତୁ ଶ୍ରୀକାନ୍ତ କେଉଁଠୁ ସଂଗ୍ରହ କଲା ଏଇ ଉପନ୍ୟାସ । ଜୟଶ୍ରୀ କହୁଥିଲା, ସମ୍ବଲପୁରରେ ଉପନ୍ୟାସ ପ୍ରକାଶ ପାଇଛି । ଅଥଚ ଶ୍ରୀକାନ୍ତ ଏଇଠି ଥାଇ ପାଇପାରିଛି ଏଇ ଉପନ୍ୟାସ । ତେବେ ଶ୍ରୀକାନ୍ତ ବି କ’ଣ ‘ଶ୍ରୀ’ ଲେଖକଙ୍କର ଜଣେ ପ୍ରିୟ ପାଠକ । ସେ ଯାହାହେଉ ଶ୍ରୀକାନ୍ତ କେଉଁଠୁ ଆଣିଲା ଏଇ ଉପନ୍ୟାସ, କିମିତି ଆଣିଲା ସେ ବିଷୟରେ ଚିନ୍ତା କରିବା ଉଚିତ ନୁହେଁ । ବର୍ତ୍ତମାନ ତା’ର ପ୍ରଧାନ ବିଷୟ ସେ କିମିତି ପାଇବ ଏଇ ଉପନ୍ୟାସ ଖଣ୍ଡିକ ।

 

ସାମାନ୍ୟ ନିରୋଳା ହେବାରୁ ଫାଲଗୁନୀ ଡାକିଲା ଶ୍ରୀକାନ୍ତକୁ ।

 

ଶ୍ରୀକାନ୍ତ ଛିଡ଼ାହେଲା ।

 

ପାଖକୁ ଆସି ଫାଲଗୁନୀ କହିଲା, ଗୋଟାଏ ଅନୁରୋଧ କରିବି । ଭାଙ୍ଗି ଦେବେ ନାହିଁ ତ ? ଯଦି ପ୍ରତିଶ୍ରୁତି ଦେବେ, ତେବେ ମୁଁ କହିବି ।

 

ପ୍ରଶ୍ନ ନ ପଚାରି ଉତ୍ତର ପାଇବାକୁ ଆଶାକଲେ ମୁଁ ନିରୁପାୟ । ପ୍ରଥମେ କ’ଣ କହିବାର କଥା କୁହ, ଯଦି ତୁମ ଅନୁରୋଧ ରଖିବାକୁ ମୁଁ ସକ୍ଷମ ହୋଇପାରିବି ତେବେ ନିଶ୍ଚୟ ତୁମର ଅନୁରୋଧ ରକ୍ଷା କରିବି ।

 

ଫାଲଗୁନୀ କହିବାକୁ ଚେଷ୍ଟାକରି କହି ପାରୁନି ଯେପରି ।

 

ଶ୍ରୀକାନ୍ତ କହିଲା; କୁହ ? ଭୟ କାହିଁକି କରୁଛ ?

 

ଛେପଢ଼ୋକି ଫାଲଗୁନୀ କହିଲା, ‘‘କାହାଣୀ ନୁହେଁ’’ ଉପନ୍ୟାସଟି ଅନ୍ତତ ଦିନକ ପାଇଁ ଆଜି ମୋତେ ଦେଇପାରିବେ ? ଅବଶ୍ୟ କାଲି ମୁଁ ନିଶ୍ଚୟ ଫେରାଇ ଦେବି । କଟକରେ ଏଇ ଉପନ୍ୟାସ ମିଳୁନି ବୋଲି ଆପଣଙ୍କୁ ମାଗିବାକୁ ବାଧ୍ୟ ହେଉଛି ।

 

ଉପନ୍ୟାସ ପଢ଼ିବାର ପ୍ରବଳ ଝୁଙ୍କ ଦେଖି ମୁଁ ଗଭୀର ଆତ୍ମସନ୍ତୋଷ ଲାଭ କରୁଛି । ଯଦି ତମ ଭଲ ପାଠିକା ଆଉ ମୋ ଭଳି ପାଠକ ପ୍ରତ୍ୟେକ ପରିବାରରେ ଜଣେ ଜଣେ ବାହାରିବେ ତେବେ ବିଚରା ପ୍ରକାଶକ ଲାଭବାନ ହେବା ସଙ୍ଗେ ସଙ୍ଗେ ଗରୀବ ଲେଖକଗୁଡ଼ାକ ମଧ୍ୟ ବଞ୍ଚି ଯାଆନ୍ତେ ।

 

ଫାଲଗୁନୀ ଚାହିଁଲା ଶ୍ରୀକାନ୍ତକୁ ।

 

ଶ୍ରୀକାନ୍ତ ଉପନ୍ୟାସଟି ବଢ଼ାଇ ଦେଲା ।

 

ଶ୍ରୀକାନ୍ତ ହାତରୁ ଉପନ୍ୟାସଟି ନେଉ ନେଉ ଫାଲଗୁନୀ କହିଲା, ଗୋଟାଏ କଥା ପଚାରିବି, ସତ କହିବେ ତ ?

 

ମିଛ କହିବି ବୋଲି କାହିଁକି ଏ ଭ୍ରାନ୍ତ ଧାରଣା କରୁଛ ଶୁଣେ ? କଥାଟା କ’ଣ କୁହ ପ୍ରଥମେ ?

 

ଫାଲଗୁନୀ କହିଲା, ଏଇ ‘‘କାହାଣୀ ନୁହେଁ’’ ଉପନ୍ୟାସର ଲେଖକ ‘ଶ୍ରୀ’ ହେଉଛନ୍ତି କିଏ-?

 

ସେ କଥା ମୁଁ କିମିତି ଜାଣିବି ? ତମେ ଯେପରି ତାଙ୍କରି ଜଣେ ପାଠିକା ମୁଁ ମଧ୍ୟ ସେହିପରି ଜଣେ ପାଠକ । ଉପନ୍ୟାସ ପ୍ରକାଶ ପାଉଛି ! ଆମ୍ଭେମାନେ ପଢ଼ୁଛୁ । ତେବେ ଲେଖକଙ୍କର ପରିଚୟ ଜାଣି ଲାଭ କ’ଣ ? ପୁଣି ଯେଉଁ ଲେଖକ ନିଜନାମକୁ ଲୋକଲୋଚନର ଅଗୋଚରରେ ରଖିବାକୁ ସବୁବେଳେ ଚେଷ୍ଟା କରୁଛି, ଯେଉଁ ଲେଖକ ଦୁନିଆରେ ପରିଚିତ ହେବାକୁ ମୋଟେ ଚାହେଁ ନାହିଁ ସେଇ ଛଦ୍ମବେଶୀ ଲେଖକକୁ ଆମେ ଜାଣିବାକୁ କାହିଁକି ଚେଷ୍ଟା କରିବା ।

 

ଫାଲଗୁନୀ କହିଲା, କାହାଣୀ ନୁହେଁ ଉପନ୍ୟାସର ଲେଖକ ‘ଶ୍ରୀ’ ଙ୍କର ସମସ୍ତ ଉପନ୍ୟାସ ମୁଁ ପଢ଼ିଛି । ସବୁଗୁଡ଼ିକ ଉପନ୍ୟାସର ଭାଷା, ଶୈଳୀ, ଗଳ୍ପ, ବର୍ଣ୍ଣନା ପୁରାପୁରି ସ୍ୱତନ୍ତ୍ର । ମୁଁ ଭାବୁଛି ‘ଶ୍ରୀ’ ଯଦି ଓଡ଼ିଶାରେ ଜନ୍ମ ନ ହୋଇ ବଙ୍ଗଳାରେ ଜନ୍ମ ହୋଇଥାନ୍ତେ ତେବେ ସେ ନିଶ୍ଚୟ ନୋବେଲ ପୁରସ୍କାର ଲାଭ କରି ପାରିଥାନ୍ତେ । କିନ୍ତୁ ଓଡ଼ିଶାରେ ଜନ୍ମ ହୋଇ ପ୍ରିୟା–ପ୍ରୀତି ତୋଷଣ ଯୋଗୁ ସାହିତ୍ୟ ଏକାଡେମୀ ପୁରସ୍କାର ଆଜି ପର୍ଯ୍ୟନ୍ତ ପାଇ ପାରିନାହାନ୍ତି ।

 

ଶ୍ରୀକାନ୍ତ କହିଲା, ‘ଶ୍ରୀ’ ଙ୍କୁ ଭୀଷଣଭାବେ ପ୍ରଶଂସା କରୁଛ ଯେ ? ତାଙ୍କୁ କ’ଣ ଏତେ ଭଲ ପାଅ ?

 

ଚମକି ଉଠିଲା ଫାଲଗୁନୀ ଆଜିକାଲି ଯୁଗରେ ଜଣକର ସୁଗୁଣକୁ ପ୍ରଶଂସା କରିମାନେ କ’ଣ ଭଲପାଇବା ? କୌଣସି ତରୁଣର ସୁଗୁଣକୁ ଯଦି କେହି ତରୁଣୀ ପ୍ରଶଂସା କରି ବସିଲା ତେବେ ତା’ର ସାଥୀମାନେ କହିବେ ତୁ ତାକୁ ନିଶ୍ଚୟ ଭଲପାଉ । ନଚେତ୍‌ ତା’ର ଭୁରି ଭୁରି ପ୍ରଶଂସା କରୁଛୁ କାହିଁକି ? ଶ୍ରୀକାନ୍ତ କହୁଛି, ତମେ କ’ଣ ‘ଶ୍ରୀ’ଙ୍କୁ ଭଲପାଅ ?

 

ଫାଲଗୁନୀ କହିଲା, ଆପଣ ଭୁଲ୍‌ ବୁଝିଛନ୍ତି ଶ୍ରୀକାନ୍ତ ବାବୁ । ଜଣକର ସୁଗୁଣକୁ ପ୍ରଶଂସା କରିବାମାନେ ଭଲ ପାଇବା ନୁହେଁ । ଯାହା ସତ୍ୟ, ତାହା ସବୁଦିନେ ଚିରସତ୍ୟ ହୋଇ ରହେ । କେବଳ ମୁଁ ନୁହେଁ । ସମସ୍ତେ ‘ଶ୍ରୀ’ ଲେଖକଙ୍କର ଉପନ୍ୟାସକୁ ପ୍ରଶଂସା କରନ୍ତି । ପ୍ରକାଶକଙ୍କ ନିକଟରୁ ଉକ୍ତ ଲେଖକଙ୍କର ଉପନ୍ୟାସ ପାଇବାପାଇଁ ପ୍ରକାଶ ପାଇବା ଦିନ ହିଁ ଲୋକେ ଧାଡ଼ିବାନ୍ଧି ବହି କିଣନ୍ତି । ଆଉ ମୁଁ ଯେଉଁ ବନ୍ଧୁ ଘରକୁ ଯାଏ ସେଠି ଖୁବ୍‌ କମରେ ‘ଶ୍ରୀ’ ଲେଖକଙ୍କର ପାଞ୍ଚ ଛଅଟା ଉପନ୍ୟାସ ଦେଖିବାକୁ ପାଏ । ଯେଉଁଠି ଉପନ୍ୟାସର ବିଷୟବସ୍ତୁ ଆଲୋଚନା ହୁଏ ସେଠି ‘ଶ୍ରୀ’ ଲେଖକଙ୍କ କଥା ପ୍ରଥମେ ପଡ଼େ ।

 

ମୁଁ କିନ୍ତୁ ତାଙ୍କ ଉପନ୍ୟାସ ପଢ଼ିବାକୁ ଭଲପାଏ ନାହିଁ । ପ୍ରତିବାଦ କଣ୍ଠରେ ଶ୍ରୀକାନ୍ତ କହିଲା ।

 

ଆପଣ ମିଛ କହୁଛନ୍ତି । ମୋତେ ପରୀକ୍ଷା କରୁଛନ୍ତି । ଆପଣ ପ୍ରକୃତରେ ଯଦି ତାଙ୍କ ଉପନ୍ୟାସ ପଢ଼ିବାକୁ ଭଲ ପାଆନ୍ତି ନାହିଁ । ତେବେ ‘କାହାଣୀ ନୁହେଁ ଉପନ୍ୟାସ ଗତକାଲି ସମ୍ବଲପୁରରେ ପ୍ରକାଶ ପାଇ ଆଜି ଆପଣଙ୍କ ହାତକୁ କିପରି ଆସିଥାଆନ୍ତା ?

 

ଶ୍ରୀକାନ୍ତ ମୃଦୁ ହସି ଫାଲଗୁନୀକୁ ଚାହିଁଲା । କହିଲା ଆଚ୍ଛା । ମୁଁ ଯାଉଛି । କିନ୍ତୁ ।

 

କଥା ଅଧାରଖି ଶ୍ରୀକାନ୍ତ ଚାଲିଗଲା ।

 

ପଛରୁ ଫାଲ୍‌ଗୁନୀ ଡାକିଲା ଶ୍ରୀକାନ୍ତ ବାବୁ, ଶ୍ରୀକାନ୍ତ ବାବୁ ।

 

ଶୁଣି ନ ଶୁଣି ଶ୍ରୀକାନ୍ତ ଚାଲିଗଲା ।

 

ଫାଲ୍‌ଗୁନୀ ଭାବିଲା, ଶ୍ରୀକାନ୍ତ ନିଶ୍ଚୟ ‘ଶ୍ରୀ’ ଙ୍କୁ ଜାଣେ । ନ ହେଲେ ତାଙ୍କ ବିଷୟରେ ଏତେକଥା କହି ପାରନ୍ତା କିପରି ? ଆଉ କେଉଁଦିନ ଦେଖାହେଲେ ଶ୍ରୀକାନ୍ତକୁ ପଚାରିବ ।

 

କିନ୍ତୁ ଶ୍ରୀକାନ୍ତ ଯଦି କିଛି ନ କୁହେ ?

 

‘କାହାଣୀ ନୁହେଁ’ ଉପନ୍ୟାସ ଉପରେ ଫାଲଗୁନୀ ଦୃଷ୍ଟି ପକାଇଲା ପ୍ରଚ୍ଛଦପଟ ଚମତ୍କାର-। ଛବିଟିର ବାମକଡ଼କୁ ଗୋଟିଏ ଆଭିଜାତ୍ୟ ସମ୍ପନ୍ନ ତରୁଣୀ ହସୁଛି ଆଉ ଡାହାଣ କଡ଼କୁ ଗୋଟିଏ ମଧ୍ୟବିତ୍ତ ପରିବାରର ଯୁବକ କାନ୍ଦୁଛି ! କି ଅପୂର୍ବ ସମନ୍ୱୟ ସତେ ! ହସ ଆଉ ଅଶ୍ରୁ !

 

ଉପନ୍ୟାସଟି ଖୋଲିଲା ଫାଲ୍‌ଗୁନୀ । ମୁଖବନ୍ଧ ଉପରେ ଦୃଷ୍ଟି ପଡ଼ିଲା । ଲେଖାଅଛି–କାହାଣୀ ନୁହେଁ ଉପନ୍ୟାସ ପ୍ରକୃତରେ କାହାଣୀ ନୁହେଁ । ଏହା ହେଉଛି ଲେଖକଙ୍କର ନିଜ ଅଙ୍ଗେ ନିଭାଇବା କାହାଣୀ । ନିଜ ସ୍ୱଳ୍ପ ଜୀବନର ଅଭିଜ୍ଞତା । ଅବଶ୍ୟ ଅନେକ ସ୍ଥାନରେ କାଳ୍ପନିକ ରଙ୍ଗ ବୋଳା ହୋଇ ଉପନ୍ୟାସ କଳେବର ବୃଦ୍ଧି ହୋଇଛି ।

 

ମୁଖବନ୍ଧ ପରେ ଲେଖକଙ୍କର ଆଗାମୀ ଉପନ୍ୟାସର ବିଜ୍ଞାପନ ।

 

ରୂପସୀର ଅଭିଶାପ !

 

ଉପନ୍ୟାସଟି ବନ୍ଦ କରି ଫାଲ୍‌ଗୁନୀ ଘରକୁ ଫେରିଲା ଆଜି ରାତି ଭିତରେ ଯେପରି ହେଉ ଉପନ୍ୟାସଟିକୁ ଶେଷ କରିବାକୁ ହେବ । ନଚେତ୍‌ କାଲି ଶ୍ରୀକାନ୍ତ ପାଖରେ ସତ୍ୟଭଗ୍ନ ହୋଇ ପଡ଼ିବ ।

 

ଘରେ ପହଞ୍ଚି ସାମାନ୍ୟ ଜଳଖିଆ କରିନେଇ ଫାଲ୍‌ଗୁନୀ ଉପନ୍ୟାସ ପଢ଼ିବାରେ ମନଦେଲା ।

 

କାନ୍ଥଘଣ୍ଟା ଟିକ୍‌ ଟିକ୍‌ କରି ଆଗକୁ ମାଡ଼ିଚାଲୁଛି ।

 

ସମୟର ଚକ ଗଡ଼ି ଚାଲିଛି ।

 

ପୃଷ୍ଠା ପରେ ପୃଷ୍ଠା ଓଲଟାଇବାରେ ଲାଗିଛି ଫାଲ୍‌ଗୁନୀ ।

 

ହଠାତ୍‌ ଉପନ୍ୟାସର ପ୍ରଧାନ ଘଟଣା ଆରମ୍ଭ ହୋଇଗଲା ।

 

ନିର୍ଜନ ରାତ୍ରି ।

 

ଆକାଶରେ ସଂଖ୍ୟାହୀନ ତାରା । ନିର୍ମଳ ନୀଳ ଆକାଶ, ଦୁଷ୍ଟ ଚନ୍ଦ୍ର ସମସ୍ତ ଲାଜ ସରମ ପାଶୋରି ଯାଇ ନୀଳ ବାଦଲ ସାଥିରେ ଲୁଚକାଳୀ ଖେଳୁଥିଲା । ପବନ ବହୁଥିଲା ସିରି ସିରି । ମନ୍ଦ ସମୀରଣ । ଦେହକୁ ବେଶ୍‌ ମୁଲୁୟମ ଲାଗୁଥିଲା ।

 

ବଉଳଗଛର ଛାଇ ଅନ୍ଧାର ତଳେ ଗୋଟିଏ ସିମେଣ୍ଟ ବେଞ୍ଚ । ତା’ ଉପରେ ଦୁଇଟି ପ୍ରେମପାଗଳ ପ୍ରେମିକ ପ୍ରେମିକା ।

 

ଅନେକ ସମୟ ପରେ ସଂଗ୍ରାମ ତୁଣ୍ଡ ଖୋଲିଲା । ସୁଜାତା !

 

ପ୍ରେମିକର କୋଳ ଉପରେ ସେମିତି ନିର୍ଲିପ୍ତ ଭାବରେ ଶୋଇରହି ପ୍ରେମିକା ଉତ୍ତର ଦେଲା ଉଁ !

 

ନିଦ ଲାଗିଲାଣି ।

 

ନା ।

 

ତେବେ କ’ଣ ଭାବୁଛ ?

 

ତମରି କଥା ଭାବୁଥିଲି ସଂଗ୍ରାମ । ସତରେ କ’ଣ ଆମେ ଦୁହେଁ ପରସ୍ପରକୁ ପାଇପାରିବା ନାହିଁ ? ସତରେ କ’ଣ ଆମର ବିବାହ ହୋଇପାରିବ ନାହିଁ ??

 

ମୁଁ ମଧ୍ୟ ଠିକ୍‌ ସେଇଆ ଭାବୁଛି ସୁଜାତା ! ବେଳେ ବେଳେ ଇଚ୍ଛା ହେଉଛି । ଆତ୍ମହତ୍ୟା କରି ଜୀବନର ସମସ୍ତ ଦୁଃଖ ଭୁଲିଯିବି ।

 

ସଂଗ୍ରାମ....

 

ତମେ ଧନୀର କନ୍ୟା ସୁଜାତା ! ଆଉ ମୁଁ... ମୋଠାରୁ ଦରିଦ୍ର ଏ ସଂସାରରେ ଆଉ ବୋଧେ କେହି ନାହାନ୍ତି । ଯାହାର ବାପା, ଭାଇ, ଭଉଣୀ କେହି ନାହିଁ ତା’ର ଏ ସଂସାରରେ ପ୍ରୟୋଜନ କ’ଣ ? ଘରେ ବିଧବା ମାଆକୁ ଦୁଈ ବେଳା ପେଟପୁରା ଦାନା ମିଳେନି । ତଥାପି ମାଆର ବିରାଟ ଆଶା ପୁଅ ମୋର ପାଠ ପଢ଼ିବ । ଖୁବ୍‌ ବଡ଼ ମଣିଷ ହେବ ।

 

ମାଆ ମନରେ କଷ୍ଟ ନଦେଇ ମୁଁ ପାଠ ପଢ଼ୁଥିଲି ।

 

ଦଶ ବର୍ଷ ବୟସରୁ ତମ ସାଥିରେ ମୋର ପରିଚୟ ।

 

ମୋତେ ସେତେବେଳେ ହୋଇଥିଲା ମୋଟେ ଅଠର ବର୍ଷ । କିନ୍ତୁ ଆମର ମିଳାମିଶା ସମାଜର ଚକ୍ଷୁ ଶୀଳ ହୋଇଥିଲେ ବି ତମର ମାଆ ମୋତେ ଗଭୀର ଭାବେ ସ୍ନେହ କରୁଥିଲେ ।

 

ଆମର ବୟସ ବଢ଼ି ଚାଲିଲା ।

 

ଧନୀ ଦରିଦ୍ରର ବ୍ୟବଧାନ ପାଶୋରି ଯାଇ ଆମ ପରସ୍ପରକୁ ଭଲ ପାଇ ବସିଲୁ । ଆମର ବନ୍ଧନ ହୋଇଥିଲା ବଜ୍ର ପରି କଠିଣ, ଲୌହଠାରୁ ପାଷାଣ ।

 

ନିରୋଳା ସମୟରେ ତମକୁ ମୁଁ ଅନେକଥର କହିଛି, ସୁଜାତା ! ଆମର ମିଳନ କେବେ ଏ ଯୁଗରେ ସମ୍ଭବ ନୁହେଁ । ତେଣୁ ତମରି ମଙ୍ଗଳ ପାଇଁ କହୁଛି, ତମେ ମୋ ଠାରୁ ଦୂରେଇ ଯାଅ ।

 

ସେଦିନ ତମେ ନିର୍ଭୟ ଚିତ୍ତରେ ଉତ୍ତର ଦେଇଥିଲ, ନିଜ ଉପରେ ଏଇ ସାମାନ୍ୟ ଭରଷାଟିକକ ରଖିପାରୁନା ସଂଗ୍ରାମ ! କିନ୍ତୁ ମୋର ମନ କହୁଛି, ଆମର ବିବାହ ନିଶ୍ଚୟ ହେବ ।

 

ଦୃଢ଼ କଣ୍ଠରେ ମୁଁ ପ୍ରତିବାଦ କରିଥିଲି, ନା ସୁଜାତା ! ଆମ ଭିତରେ ଯେଉଁ ବିରାଟ ବ୍ୟବଧାନ ରହିଛି ତାହା କେବେ ଗୋଟିଏ ବିନ୍ଦୁରେ ପରିସମାପ୍ତି ହୋଇପାରିବ ନାହିଁ ।

 

ବ୍ୟବଧାନ !

 

ହଁ ସୁଜାତା, ତମେ ଲକ୍ଷପତିର କନ୍ୟା, ଆଉ ମୁଁ ଜଣେ ଦରିଦ୍ର ପରିବାରର ସନ୍ତାନ ।

 

ସେଦିନ ତମେ କହିଥିଲ, ନିର୍ମଳ ଭଲପାଇବା ଭିତରେ ଧର୍ମ ଦରିଦ୍ରର ସ୍ଥାନ ନାହିଁ । ଦୁଇଟି ମନର ନିଗୁଢ଼ ଆନ୍ତରିକତା, ସ୍ନେହ, ପ୍ରେମ ଏକାଠି ହୋଇ ପାରିଛି ସେଇଠି କେବଳ ମିଳନ ସମ୍ଭବ, ବିବାହ ସମ୍ଭବ ।

 

କିନ୍ତୁ ଆଜି.....

 

ସଂଗ୍ରାମର କୋଳରେ ସେମିତି ମଥାରଖି କଇଁ କଇଁ ହୋଇ କାନ୍ଦି ଉଠିଲା ସୁଜାତା । –ନାଁ ନାଁ, ତମେ ଆଉ କିଛି ମତେ କୁହନାହିଁ ସଂଗ୍ରାମ । ମୋତେ କେବଳ ଏତିକି କୁହ ମୁଁ କ’ଣ କରିବି-

 

ସଂଗ୍ରାମ ବି ଭାବୁଥିଲା ଠିକ୍‌ ସେଇୟା ।

 

ସୁଜାତା ସଂଗ୍ରାମର କୋଳରୁ ଉଠିଲା । ସଂଗ୍ରାମର ହାତ ଦୁଇଟିକୁ ଧରି କହିଲା, ତେବେ ଆସ ସଂଗ୍ରାମ । ଏଇ ନିବିଡ଼ ଅନ୍ଧାର ରାତିରେ ଆମେ ଦୁହେଁ ଚାଲିଯିବା ବହୁ ଦୂରକୁ । ଯେଉଁଠି ନଥିବ ଧନୀ ଦରିଦ୍ରର ବ୍ୟବଧାନ, ଯେଉଁଠି ନଥିବ ସମାଜର ଶାସନ, ଯେଉଁଠି ନ ଥିବ ପରିବାରର ବନ୍ଧନ, ସେଇଠି.... ସେଇଠି ଆମେ ଦୁହେଁ ମନ ଭରି ଉପଭୋଗ କରିବା ଏ ଜୀବନ, ଯୌବନର ମାଦକତା !

 

ହଠାତ୍‌ ଦୋତାଲା କୋଠା ଉପରେ ଆଲୁଅ ଜଳିବାର ଦେଖି ଚମକି ଉଠିଲା ସଂଗ୍ରାମ । ଭୟାତୁର କଣ୍ଠରେ କହିଲା, ତମ ଘରେ କିଏ ଉଠିଲେଣି ସୁଜାତା ! ଏଥର ଆମ ଅବସ୍ଥା କ’ଣ ହେବ ?

 

ସୁଜାତା ପଛକୁ ଲେଉଟି ଚାହିଁଲା । ନିଜ ପିତାଙ୍କ କକ୍ଷରୁ ଆଲୁଅର ଛିଟା ଆସି ପଡ଼ିଛି ବଉଳଗଛ ତଳେ ।

 

ସୁଜାତା ଚମକି ଉଠି ଟିକିଏ ପଛକୁ ଘୁଞ୍ଚିଆସିଲା ।

 

ଦୋତାଲା କୋଠା ଉପରୁ ବାରିଷ୍ଟର ବିରେନ୍ଦ୍ର ମୋହନ ଚିତ୍କାର କରୁଥିଲେ । –ନିଜର ଝିଅକୁ ତମେ ଯେଉଁ ସ୍ୱାଧୀନ ଦେଇଛ, ସେଇପାଇଁ ତମେ କେବଳ ଅନୁତାପ କରିବ । ଆଉ ମୁଁ ଜାଣେ ଶେଷରେ ମୋତେଇ ଅପମାନିତ କରିବ । ରାତ୍ରି ଆସି ବାରଟା ବାଜିଲାଣି । ଏ ପର୍ଯ୍ୟନ୍ତ ତମ ନିଜର ଆଧୁନିକା ଝିଅ ଘରକୁ ଫେରିନାହିଁ । ତଥାପି ମାଆଙ୍କର ସେଥିପ୍ରତି ଟିକେ ନଜର ନାହିଁ-

 

ଓଃ, କାହିଁକି ରାତି ଅଧରେ ତମେ ଇମିତି ପାଟି କରୁଛ କହିଲ ? ଚାକର–ବାକର ଶୁଣିଲେ କ’ଣ ଭାବିବେ ?

 

ସେମାନେ କ’ଣ କିଛି ଭାବି ନାହାନ୍ତି ବୋଲି ଅନୁମାନ କରୁଛ ? ସେମାନେ ତମଭଳି ନିର୍ବୋଧ ନୁହନ୍ତି । ତମଠାରୁ ବହୁଗୁଣରେ ଚାଲାକ୍‌ ସେମାନେ । ତମର ଶିକ୍ଷିତା, ଆଧୁନିକ ଝିଅ ଗୋଟିଏ ଦରିଦ୍ର ଯୁବକ ସହିତ ରାତିଅଧରେ ଘରକୁ ଫେରିବ, ଏହା ଜାଣିବା ଓ ଦେଖିବା ପରେ ସେମାନେ କ’ଣ କିଛି ଭାବିବେ ନାହିଁ ବୋଲି ଅନୁମାନ କରୁଛ ?

 

ସଂଗ୍ରାମ ଚମକି ଉଠି କହିଲା, କାଲି ସାକ୍ଷାତରେ ସବୁ କଥା ଭାଷା । ଆଜି ପାଇଁ ମୋତେ ବିଦାୟ ଦିଅ...

 

ସଂଗ୍ରାମ ଚାଲିଗଲା ।

 

ସୁଜାତା ଛପି ଛପି ଦୋତାଲା ଉପରକୁ ଉଠିଲା ।

 

ନିଜର କକ୍ଷର ଦରଜା ଖୋଲି ଭିତରକୁ ପଶି ଯାଉଥିଲା ବେଳେ ବିରେନ୍ଦ୍ରମୋହନ ଚିତ୍କାର କରି ଉଠିଲେ, ସୁଜାତା !

 

ସୁଜାତାର ଚଳଚଞ୍ଚଳ ପାଦ ଦୁଇଟି ଥମିଗଲା ।

 

ବିରେନ୍ଦ୍ରମୋହନ ମାଡ଼ି ଆସିଲେ ସୁଜାତା ନିକଟକୁ । ....କୁଆଡ଼େ ଯାଇଥିଲୁ ? ହାତରେ ଘଡ଼ିପିନ୍ଧି ଠିକ୍‌ ସମୟରେ ବି ଘରକୁ ଫେରିପାରୁନୁ ।

 

ସୁଜାତା ନୀରବ ।

 

ବିରେନ୍ଦ୍ରମୋହନଙ୍କର ସେଇ ପ୍ରଶ୍ନ । –କୁଆଡ଼େ ଯାଇଥିଲୁ ?

 

କୁଆଡ଼େ ଯାଇନଥିଲି, ଆମରି ଅଗଣା ଭିତରେ ଥିଲି ।

 

ଏତେ ରାତିରେ ଅଗଣାରେ ରହିବା ପ୍ରୟୋଜନ ?

 

ସେଇଟା ବ୍ୟକ୍ତିଗତ କଥା ବାପା ।

 

ବିରେନ୍ଦ୍ରମୋହନ ହସିଲେ । ବ୍ୟକ୍ତିଗତ !! ଓ ବୁଝିଲି ତେବେ ।

 

ଆପଣ କିଛି ଜାଣିନାହାନ୍ତି ।

 

କିଏ କହିଲା ମୁଁ ଜାଣେ ନାହିଁ । ମୁଁ ସବୁ ଜାଣେ । ବାରିଷ୍ଟର ବିରେନ୍ଦ୍ରମୋହନ କେତେ ଅପରାଧକୁ ନିରପରାଧି ବୋଲି ପ୍ରମାଣ କରି ପାରିଛି । ଲୋକଙ୍କର ମୁହଁ ଦେଖି ମୁଁ ସବୁ କହିପାରେ, ଆଉ ତୋତେ ଦେଖି ମୁଁ କ’ଣ କିଛି କହିପାରିବି ନାହିଁ ?

 

ସୁଜାତା ଅବାକ୍‍ ହୋଇ ଚାହିଁଲା ।

 

ମୁଁ ଜାଣେ, ବର୍ତ୍ତମାନ ତୋର ସେଇ ଦରିଦ୍ର ପୁରୁଷବନ୍ଧୁ ଆସିଥିଲା । ଆଉ ତୁ ତା’ ସାଥିରେ ବଈଳ ଗଛତଳେ ବସି ନିଭୃତରେ ବାର୍ତ୍ତାଳାପ ହେଉଥିଲୁ ।

 

ବାପା !

 

ମୋ କଥାକୁ ମିଥ୍ୟା ବୋଲି ପ୍ରମାଣ କରିପାରିବୁ ? ତୁ ହୁଏତ ଆଉ କିଛି କହି ଫାଙ୍କି, ଦେଇପାରୁ । କିନ୍ତୁ ତୋ ମୁଣ୍ଡରେ ଯେଉଁ ସଦ୍ୟ ପ୍ରସ୍ଫୁଟିତ ବଉଳଫୁଲ ଏବେ ବି ଲାଖି ରହିଛି ତାକୁ ତ କେବେ ଫାଙ୍କି ଦେଇପାରିବୁ ନାହିଁ !

 

ସୁଜାତା ନିଜ ମୁଣ୍ଡ ଉପରେ ଥରେ ହାତ ବୁଲାଇ ଆଣିଲା । ଦୁଇ ତିନୋଟି ବଉଳଫୁଲ ହାତ ବାଜି ତଳକୁ ଖସିପଡ଼ିଲା ।

 

ବୀରେନ୍ଦ୍ରମୋହନ ମୃଦୁ ହସିଲେ । କହିଲେ, ତୋ ସାଥିରେ ଅନେକ କଥା ଅଛି ମାଆ ! ଏ ରାତି ଚାଲିଗଲେ କାଲି ସକାଳେ ସବୁ କହିବି ।

 

ବୀରେନ୍ଦ୍ରମୋହନ ଫେରି ଆସିଲେ ନିଜ କକ୍ଷକୁ ।

 

ବିଛଣାରେ ପଡ଼ି ରହି ସୁଜାତା କେବଳ ଭାବୁଥିଲା, ରାତି ପାହିଲେ କ’ଣ କହିବେ ବାପା, ଆଉ ସେ କ’ଣ ଉତ୍ତର ଦେବ ।

 

ରାତି ପାହିଲା ।

 

ସୁଜାତା ଯାଇ ପହଞ୍ଚିଲା ପିତାଙ୍କ କକ୍ଷରେ ।

 

ବିରେନ୍ଦ୍ରମୋହନ ସୁଜାତାକୁ ଅନେକବେଳୁ ପ୍ରତୀକ୍ଷା କରିଥିଲେ ।

 

ସୁଜାତା ବସି ପଡ଼ିଲା ପିତାଙ୍କ ପଲଙ୍କ ଉପରେ ।

 

ବିରେନ୍ଦ୍ରମୋହନ କହିଲେ, ତୋ ବିବାହ କଥା କହିବାକୁ ତୋତେ ଡକାଇଥିଲି ମା ! ଆସନ୍ତା ମାସରେ ତୋର ବିବାହ ହେବ ବୋଲି ଠିକ୍‌ ହୋଇଛି ।

 

ଅଚାନକ ବିଷଧର ସର୍ପ ଦେଖିଲେ ମଣିଷ ଯେମିତି ଚମକି ଉଠେ ସେମିତି ସୁଜାତା ଚମକି ଉଠି କହିଲା–

 

ବିବାହ ! ପୁଣି ମୋ ବିବାହ !! ଏ ବିବାହ ଅସମ୍ଭବ ବାପା । ଏ ବିବାହ ମୁଁ କେବେ କରିପାରିବି ନାହିଁ ।

 

ବୀରେନ୍ଦ୍ରମୋହନ ମୃଦୁ ହସି କହିଲେ, ମୁଁ ଜାଣେ, ତୋର ମତ ନ ନେଇ ମୁଁ ଭୁଲ୍‌ କରିଛି-। କିନ୍ତୁ ତୁ କହ ତ, ଯାହାକୁ ଜନ୍ମ ଦେଇଛି, ଯାହାକୁ ଶିକ୍ଷା ଦୀକ୍ଷାରେ ପରିମାର୍ଜିତ କରି ଏ ସମାଜର ପ୍ରତିଷ୍ଠିତା କରାଇଛି ତା’ ବିବାହ ପାଇଁ ମୋତେ ପୁଣି ଅନୁମତି ନେବାକୁ ଦେବ ? ଏ ସମାଜକୁ ଚିହ୍ନି, ଏ ଦୁନିଆକୁ ଜାଣି ଏଇ ସମାଜର ପ୍ରତ୍ୟେକ ପରିବାରକୁ ଭଲ ଭାବରେ ପରୀକ୍ଷା କରି ମୋ କଳାକେଶ ଧଳା ହୋଇ–ଗଲାଣି । ଜୀବନରେ ଖୁବ୍‌ ଅଭିଜ୍ଞତା ଅର୍ଜନ କରିଛି । ତୋ ଭଳି କଞ୍ଚା ବୟସ ମୁଁ ଅତିକ୍ରମ କରି ଆସିଲିଣି ଅନେକ ଦିନରୁ । ତୋରି ବୟସରେ ସମସ୍ତେ ଭୁଲ କରନ୍ତି-। ତୁ ବି ଭୁଲ କରିଛୁ । ଏଥିରେ ବିଶେଷତ୍ୱ କିଛି ନାହିଁ, ଦୋଷ କିଛି ନାହିଁ । ଦୋଷ ହେଉଛି ବୟସର-। ସ୍ଥାନ, କାଳ, ପାତ୍ର କିଛି ବିଚାର ନ କରି ତୁ ଯାହାକୁ ଭଲ ପାଇଛୁ, ତାକୁ ବିବାହ କରି ତୁ କ’ଣ ସୁଖୀ ହୋଇ ପାରିବୁ ମାଆ !

 

କାହିଁକି ନ ହେବି ବାପା ! ସଂଗ୍ରାମ ତ କୌଣସି ଗୁଣରେ ଅଯୋଗ୍ୟ ନୁହେଁ ?

 

କେବଳ ଶିକ୍ଷାକୁ ଛାଡ଼ିଦେଲେ ସଂଗ୍ରାମର ଆଉ କ’ଣ ଅଛି କହି ପାରିବୁ ? ସଂଗ୍ରାମ ଭଳି ଅନେକ ଯୁବକ ବି. ଏ, ଏମ୍‌. ଏ. ପାଶ କରି ବୁଲୁଛନ୍ତି । ସଂଗ୍ରାମ ଗୋଟାଏ ଡିଗ୍ରୀ ହାସଲ କରିଛି ବୋଲି ତୋ ପାଇଁ ସେ ଯେ ଯୋଗ୍ୟ, ଏ କଳ୍ପନା ମୋ ମନକୁ ମୋଟେ ଆସୁନି । ଆଭିଜାତ୍ୟ ହୀନ ଏକ ଯୁବକ । ରହିବାକୁ ଘର ଖଣ୍ଡିଏ ନିଜର ନାହିଁ । ଆଧୁନିକ ସମାଜରେ ଚଳିବା ଭଳି ଖଣ୍ଡେ ଦାମିକା ବସନ ନାହିଁ । ଅଥଚ ତାକୁଇ ତୁ ବିବାହ କରିବାକୁ ଜିଦ୍‌ ଧରି ବସିଛୁ !

 

ହଁ ବାପା, ମୁଁ ସଂଗ୍ରାମକୁ ବିବାହ କରିବାକୁ ଚାହେଁ । ମୁଁ ତା’ର ଆଭିଜାତ୍ୟ, ଧନ–ଦଉଲତକୁ ବିବାହ କରୁନାହିଁ ।

 

କିନ୍ତୁ ବିବାହ ପରେ ତୋ ଅବସ୍ଥା କ’ଣ ହେବ ମାଆ ! ଗାଁର କେଉଁ ଅପନ୍ତରା ସ୍ଥାନକୁ ତୁ ଚାଲିଯିବୁ । ବହଳେ କାଦୁଅ ପଙ୍କ ଭିତରେ ତୋର ହାଇହିଲ୍‌ ଜୋତା କୁଆଡ଼େ ଲୁଚିଯିବ । ତୋର ଟେରିକଟନ ଶାଢ଼ୀର ପ୍ରାନ୍ତ ବି ସେଇ ପଙ୍କ–କାଦୁଅ ଉପରେ ଲୋଟି ଲୋଟି ମଇଳା ହୋଇଯିବ । ବିବାହିତ ଜୀବନରେ ତୁ ମୋଟେ ଶାନ୍ତି ପାଇପାରିବୁ ନାହିଁ । କେବଳ ମାନସିକ ଅଶାନ୍ତି ଭିତରେ ତୋର ଜୀବନ ବିତିବ । ଯେଉଁ ସଂଗ୍ରାମ ନିଜେ ଖଣ୍ଡେ ଦାମିକା ପରିଧାନ ପିନ୍ଧିବାକୁ ସମର୍ଥ ହୋଇ ପାରେନା, ସେ ପୁଣି ନିଜ ସ୍ତ୍ରୀକୁ ଟେରଲିନ୍‌, ଡେକ୍ରୋନ୍‌ ଶାଢ଼ୀ ପିନ୍ଧାଇ ପାରିବ ବୋଲି ଆଶା କରି ପାରୁଛୁ ? ଏଇଠି ରହି କଫି ଦେବାରେ ପୂଜାରୀ ବିଳମ୍ବ କଲେ ତୁ ଘର ଭିତରେ ମହାଭାରତ ଯୁଦ୍ଧ ଆରମ୍ଭ କରିଦେଉ, ସେଠି ପୁଣି ନିଜ ହାତରେ କଫି ତିଆରି କରି ଠିକ୍‌ ସମୟରେ ଖାଇ ପାରିବୁ ? ଯେଉଁ କୁସୁମ କୋମଳ ଶୁଭ୍ର ହାତ ତୋର ରୋଷଘରେ ପଶି କଳା ହୋଇନି, ରୋଷଘରକୁ ଗଲେ ନାଇଲନ ଶାଢ଼ୀ କଳା ହୋଇଯିବ ବୋଲି ରୋଷଘରର ଏରୁଣ୍ଡିବନ୍ଧ ଟପିନୁ, ତୁ ପୁଣି ସେଇ ରୋଷଘରକୁ ଯାଇ ନିଜ ହାତରେ ରୋଷାଇ କରି ପାରିବୁ ? ତୋର ଶୁଭ୍ର ହାତ ଦିଟାକୁ କଳା କରିପାରିବୁ ? କେଉଁ ଏକ ଅଖ୍ୟାତ ପଲ୍ଲୀଗ୍ରାମରେ ମଟରକାର ଛୁଟାଇ ମୁକ୍ତ ଭାବରେ ଭ୍ରମଣ କରିପାରିବୁ ? ମୋଟେ ପାରିବୁ ନାହିଁ ମା ! ନିଜ ଘରର କାମ ନିଜେ କରୁ କରୁ ଦିନ ଯିବ ତୋର, ଆଉ ବୁଲିବୁ କେତେବେଳେ ? ତେଣୁ ମୋ କଥା ମାନ, ସଂଗ୍ରାମକୁ ବିବାହ କରିବାର ବାସନା ମନରୁ ପରିତ୍ୟାଗ କର ।

 

ସୁଜାତା ଗଭୀର ଭାବରେ ଚିନ୍ତା କରୁଥିଲା ।

 

ବୀରେନ୍ଦ୍ରମୋହନ କହିଲେ, ମୋର ବନ୍ଧୁ ବାରିଷ୍ଟର ହିମାଶୁଂ ଶେଖରଙ୍କର ପୁତ୍ର ସୌମେନ୍ଦ୍ର, ଟିଉସିନିଆର ଭାଇସ୍‌ କନ୍‌ସଲ । ତାରି ସାଥିରେ ତୋର ବିବାହ ଠିକ୍‌ କରିଛି । ତୋପାଇଁ ସେ ଉପଯୁକ୍ତ ହେବ ବୋଲି ମୁଁ ମନୋନୀତ କରିଛି । ସୌମେନ୍ଦ୍ରକୁ ବିବାହ କଲେ ତୁ ନିଶ୍ଚିତଭାବେ ସୁଖୀ ହେବୁ, ତା’ଛଡ଼ା ପୃଥିବୀର ବିଭିନ୍ନ ଦେଶ ବୁଲି ଉପଭୋଗ କରିବାର ସୁଯୋଗ ପାଇପାରିବୁ । ପାଶ୍ଚାତ୍ୟ ଦୋର ସଭ୍ୟ ସମାଜ ସହିତ ପରିଚିତ ହେବୁ । ଜୀବନର ସକଳ ସ୍ୱପ୍ନ ତୋର ସାର୍ଥକ ହେବ । ଜୀବନକୁ ଜୀବନ ଭଳି ଉପଭୋଗ କରିପାରିବୁ । ସମ୍ମାନ, ଆଭିଜାତ୍ୟ, ଐଶ୍ୱର୍ଯ୍ୟର ତୁ ସୁନେଲି ସ୍ୱପ୍ନ ଦେଖିବୁ । ତା’ଛଡ଼ା ସୌମେନ୍ଦ୍ରର ଉନ୍ନତିର ପଥ ଖୁବ୍ ନିର୍ମଳ । ସେ ହୁଏତ ଦିନେ ରାଷ୍ଟ୍ରଦୂତ ହେବାର ସମ୍ଭାବନା ଅଛି । ତେଣୁ ମୋ ମତରେ କେବଳ ନୁହେଁ, ସମସ୍ତଙ୍କ ମତରେ ସଂଗ୍ରାମଠାରୁ ସୌମେନ୍ଦ୍ର ଖୁବ୍‌ ଉଚ୍ଚରେ । ଦୁହିଁଙ୍କ ମଧ୍ୟରେ ଆକାଶ ପାତାଳ ପ୍ରଭେଦ । ଦୁହିଙ୍କର କେବେ ତୁଳନା ହୋଇ ପାରେ ନା । ତୋତେ ସମୟ ଦେଲି ମାଆ ! ତୁ ଗଭୀର ଭାବେ ଚିନ୍ତାକର । କାହାକୁ ବିବାହ କଲେ ତୁ ସୁଖୀ ହୋଇପାରିବୁ । କିଏ ତୋ ପାଇଁ ଉପଯୁକ୍ତ ??? ସୌମେନ୍ଦ୍ର ନା ସଂଗ୍ରାମ !!!

 

ମୁଁ କିନ୍ତୁ ସଂଗ୍ରାମକୁ ଭଲପାଏ ବାପା ! ଆମେ ଦୁହେଁ ବିବାହ କରିବୁ ବୋଲି ଶପଥ କରିଛୁ । ଆଜି ପୁଣି କେମିତି ମୁଁ ନିଜେ କରିଥିବା ଶପଥ ମୁଁ ପ୍ରଥମେ ଭଗ୍ନ କରିବି ।

 

ବିରେନ୍ଦ୍ରମୋହନ ମୃଦୁ ହସି କହିଲେ, ଜଣେ ଜଣକୁ ଭଲପାଇବା ଅନ୍ୟାୟ ନୁହେଁ, ପାପ ନୁହେଁ, ଅପରାଧ ନୁହେଁ । ଏ ବିରାଟ ଧରାରେ ପ୍ରତ୍ୟେକେ ପରସ୍ପରକୁ ଭଲ ପାଇବା ଉଚିତ୍‌ । କିନ୍ତୁ ସେ ଭଲ ପାଇବା ଭିତରେ ଆବଳିତା ପରିପୂର୍ଣ୍ଣ ହୋଇ ନଥିବ । ନିର୍ମଳ ମନ, ପ୍ରାଣ ନେଇ ସମସ୍ତେ ପରସ୍ପରକୁ ଭଲ ପାଇବା ଉଚିତ୍‌ । ଆଉ ଶପଥ, ଏଇ ମଣିଷ ନିଜ ଜୀବନର ସ୍ୱାର୍ଥ ସିଦ୍ଧି ପାଇଁ ସବୁକିଛି ଶପଥ କରିଥାଏ, ଆଉ ପ୍ରୟୋଜନ ହେଲେ ଶପଥ ଭଗ୍ନ କରିଥାଏ । ଶପଥ କରିବା ଆଉ ଶପଥ ଭଗ୍ନ କରିବା କିଛି ବଡ଼ କଥା ନୁହେଁ । ଏହାଦ୍ୱାରା କୌଣସି ଗୁରୁତର ଅପରାଧ ହୋଇଯାଏ ନାହିଁ । କୌଣସି ପାପ ହୁଏ ନାହିଁ । ତା’ପରେ ବିବାହ, ଚପଳମନର ଅପରିପକ୍ୱ ଚିନ୍ତାଧାରା ଓ ବୟସର ଉନ୍ମାଦନାରେ ସମସ୍ତେ ଭୁଲ୍‍ କରନ୍ତି । ସ୍ଥାନ କାଳପାତ୍ର ସବୁ ଭୁଲି ବିବାହ ପାଇଁ ଶପଥ କରନ୍ତି । ଆଉ ପ୍ରୟୋଜନ ହେଲେ ନିଜେ କରିଥିବା ଶପଥ ନିଜେ ଭଗ୍ନ କରନ୍ତି । ଏଥିରେ ନୂତନତ୍ୱ କିଛି ନାହିଁ ମାଆ !

 

ବୀରେନ୍ଦ୍ରମୋହନ ଚେୟାରରୁ ଉଠିଲେ । କକ୍ଷ ଭିତରୁ ବାହାରି ଗଲାବେଳେ, କହିଲେ, ମୋ କଥା ଗଭୀର ଭାବରରେ ଚିନ୍ତା କରିବୁ ମାଆ । ଜୀବନରେ ଯଦି ସୁଖ ଚାହୁଁ, ଜୀବନକୁ ଯଦି ଜୀବନ ଭଳି ଉପଭୋଗ କରିବାକୁ ଚାହୁଁ ତେବେ ସୌମେନ୍ଦ୍ରକୁ ଗ୍ରହଣ କରିନେ । ସଂଗ୍ରାମ ଅପେକ୍ଷା ସୌମେନ୍ଦ୍ର ସହସ୍ର ଗୁଣରେ ଶ୍ରେୟସ୍କର ।

 

ବାରିଷ୍ଟର ବିରେନ୍ଦ୍ରମୋହନ କକ୍ଷରୁ ନିଷ୍କ୍ରାନ୍ତ ହୋଇଗଲେ ।

 

ସୁଜାତା ମନରେ ଅସୁମାରି ପ୍ରଶ୍ନ । ବିକ୍ଷିପ୍ତ ଚିନ୍ତାଧାରା । କିଏ ତା’ ପାଇଁ ଉପଯୁକ୍ତ । ସୌମେନ୍ଦ୍ର ନା ସଂଗ୍ରାମ !!!

 

ଜଣେ ନିପଟ ପଲ୍ଲୀର ଶାନ୍ତ, ସରଳ, ଦରିଦ୍ର ଯୁବକ, ଆଉ ଜଣେ ସହରୀ ଶିକ୍ଷାରେ ପରିମାର୍ଜିତ ଉଚ୍ଚଶିକ୍ଷାପ୍ରାପ୍ତ ଧନୀର ସନ୍ତାନ । ଆଉ ସେ ନିଜେ ସହରୀ ଶିକ୍ଷାରେ ଶିକ୍ଷିତ ରୁଚିଶୀଳା ଲକ୍ଷପତିର କନ୍ୟା ।

 

ସୁଜାତା ଭାବିଲା, ବାପା ଠିକ୍‌ କହିଛନ୍ତି । ବିବାହ କରି ଯିଏ ନିଜ ସ୍ତ୍ରୀକୁ ଖଣ୍ଡେ ମନଲାଖି ଶାଢ଼ୀ ପିନ୍ଧାଇ ନ ପାରିବ ଘରର ଯାବତୀୟ କାର୍ଯ୍ୟ କରିବାକୁ ଯିଏ ଚାକର ଚାକରାଣୀ ନିଯୁକ୍ତି କରି ନ ପାରିବ, ଜୀବନକୁ ଉପଭୋଗ କରିବାକୁ ସିନେମା, ଥିଏଟର ଦେଖିବାକୁ ଯାହାର ସାମର୍ଥ ନଥିବ; ଜଳବାୟୁ ପରିବର୍ତ୍ତନ ପାଇଁ ବିଭିନ୍ନ ସ୍ଥାନକୁ ଯିବାପାଇଁ ଯାହା ପାଖରେ ଟଙ୍କାର ଅଭାବ ତାକୁ ବିବାହ କରିବା ବୋକାମୀ ଛଡ଼ା ଆଉ କିଛି ନୁହେଁ । ଚପଳ ବୟସରେ ଯୌନ–ଉତ୍ତେଜନାରେ ବଶବର୍ତ୍ତୀ ହୋଇ ମଣିଷ ଯେଉଁ ଭୁଲ କରେ, ତାହା ସାରାଜୀବନ ପାଇଁ ଏକ କ୍ଷତସ୍ଥାନ ସୃଷ୍ଟି କରିଥାଏ । କ୍ଷତର ଜ୍ୱାଳା ହୁଏତ ମଣିଷ ଭୁଲିଯାଏ, କିନ୍ତୁ କ୍ଷତଚିହ୍ନ କେବେ ଲିଭିଯାଏ ନାହିଁ ।

 

ବାପା କିଛି ଅନ୍ୟାୟ କହି ନାହାନ୍ତି, ଭୁଲ ଉପଦେଶ ଦେଇ–ନାହାନ୍ତି । ନିରାଟ ସତ କଥା ସେ ଉତ୍‌ଥାପନ କରିଛନ୍ତି ।

 

କିନ୍ତୁ ସେ ନିଜେ କ’ଣ କରିବ ?

 

ଦୀର୍ଘଦିନର ନିଗୁଢ଼ ଭଲ ପାଇବା ଉପରେ ପ୍ରଥମେ କ’ଣ ସେ ନିଜେ କୁଠାରଘାତ କରିବ ?

 

ହଁ, ନିଜ ଜୀବନର ସୁଖ, ସ୍ୱାଚ୍ଛନ୍ଦ, ଆନନ୍ଦ, ଉପଭୋଗ ପାଇଁ ସବୁ କିଛି ହୀନକାର୍ଯ୍ୟ କରିବାକୁ ହେବ । ନ ହେଲେ ଜୀବନଟା ବ୍ୟର୍ଥ ହୋଇଯିବ ।

 

କିନ୍ତୁ ତା’ର ଭଲ ପାଇବା.....

Unknown

 

ଭଲ ପାଇବା ଜୀବନର ଏକ ଉପଭୋଗ । ଯୁବକ ଯୁବତୀ ପ୍ରାଣର ଉନ୍ମାଦନାର ପ୍ରତୀକ ।

 

ଅନେକ ସମୟ ଗଭୀର ଭାବରେ ଚିନ୍ତାକରିବା ପରେ ଶେଷ ନିଷ୍ପତ୍ତିରେ ପହଞ୍ଚିଲା ସୁଜାତା ।

 

ଜୀବନକୁ ସରସ ସୁନ୍ଦର କରିବାକୁ ହେଲେ ସଂଗ୍ରାମକୁ ଭୁଲି ଯିବାକୁ ହେବ । ଦାମ୍ପତ୍ୟ ଜୀବନକୁ ଉପଭୋଗ କରିବା ପାଇଁ ସୌମେନ୍ଦ୍ର ଏକମାତ୍ର ଉପଯୁକ୍ତ । ପଲ୍ଲୀର ଦରିଦ୍ର ଯୁବକ ସଂଗ୍ରାମର ହାତଧରି ସେ କେବେ ସୁଖୀ ହୋଇପାରିବିନି ।

 

କିନ୍ତୁ କି କୈଫିୟତ ଦେବ ସଂଗ୍ରାମକୁ ।

 

ସଂଗ୍ରାମର ଭବିଷ୍ୟତ କ’ଣ ହେବ ?

 

ସଂଗ୍ରାମର ଭବିଷ୍ୟତ ଯାହା ହେଉ, ସଂଗ୍ରାମର ଜୀବନ ପ୍ରତି ସମବେଦନା ପ୍ରକାଶ କରି ସେ ନିଜ ଜୀବନକୁ ନଷ୍ଟ କରିପାରିବନି, ଭସ୍ମକରି ପାରିବନି ନିଜ ସୁନେଲୀ ଭବିଷ୍ୟତ !

 

ସୁଜାତା ବିଛଣାରୁ ଉଠିଲା ।

 

ବାହାରେ ଆଲୋକର ମଉଚ୍ଛବ ।

 

ଦରଜା ଖୋଲି ବାହାରକୁ ଆସିଲା ସୁଜାତା ।

 

ବାରଣ୍ଡା ଉପରେ ଛିଡ଼ା ହୋଇଥିଲେ ବାରିଷ୍ଟର ବିରେନ୍ଦ୍ରମୋହନ ।

 

ସୁଜାତା ଦଉଡ଼ି ଆସି ବିରେନ୍ଦ୍ରମୋହନଙ୍କର ପାଦ ଦୁଇଟିକୁ ଧରି ପକାଇ କହିଲା, ଆପଣଙ୍କ ନିଷ୍ପତ୍ତି ଗ୍ରହଣ କରି ନେଇଛି ବାପା । ଜାଣି ଜାଣି ଏପରି ଭୁଲ ମୁଁ କରିପାରିବି ନାହିଁ । ମୁଁ ସୌମେନ୍ଦ୍ରକୁ ବିବାହ କରିବାକୁ ଚାହେଁ ।

 

ବିରେନ୍ଦ୍ରମୋହନ ସୁଜାତାକୁ ପାଦ ଉପରୁ ଟେକିଧରି କହିଲେ, ମୁଁ ଜାଣେ ମାଆ ମୋରି ସନ୍ତାନ ହୋଇ ଏପରି ଭୁଲ ତୁ କରିପାରିବୁ ନାହିଁ । ତୋର ବିବେକ ତୋତେ ନିଶ୍ଚୟ ବାଧାଦେବ । କିନ୍ତୁ ମାଆ....

 

କ’ଣ ବାପା ?

 

ସଂଗ୍ରାମ ତୋତେ ଭଲପାଏ । କିନ୍ତୁ ତୁ ସୌମେନ୍ଦ୍ରକୁ ବିବାହ କରିବା ପୂର୍ବରୁ ସଂଗ୍ରାମ ଯଦି ଏ ବିବାହ ବନ୍ଦ କରିବାପାଇଁ ତୋର ଚରିତ୍ରକୁ ନେଇ କୁତ୍ସାରଟନା କରେ । ତୋର ନିର୍ମଳ ଚରିତ୍ରରେ ସେ ଯଦି କଳଙ୍କ ବୋଳି ତୋର ଚରିତ୍ରର ସଫେଇ ଏଇ ସମାଜ ଆଗରେ ବାଢ଼ି ବସିବ ତେବେ କ’ଣ ହେବ ତୋର ଅବସ୍ଥା ? ଏଇ ସଭ୍ୟ ସମାଜର ଲୋକେ ଯଦି କହିବେ ବାରିଷ୍ଟର ବିରେନ୍ଦ୍ରମୋହନଙ୍କ କନ୍ୟା ନଷ୍ଟ ଚରିତ୍ରା, ତେବେ–ତୋର କୁତ୍ସାରଟନା ଶୁଣି ଜୀବନ ଧରି ମୁଁ ରହିପାରିବିନି ? ସେଇଥିପାଇଁ କହୁଛି, ସଂଗ୍ରାମର ମୁହଁ ବନ୍ଦ କରିବାକୁ କିଛି ଉପାୟ ଲୋଡ଼ା ।

 

ଉପାୟ ?

 

ହଁ ମାଆ, କିଛି ଅର୍ଥ ଦେଇ ଯଦି ତା’ର ମୁହଁ ବନ୍ଦ କରି ହୁଅନ୍ତା....

 

ନାଁ ବାପା, ସଂଗ୍ରାମ ଦରିଦ୍ର ହୋଇପାରେ କିନ୍ତୁ ଅର୍ଥର ପ୍ରିୟପାତ୍ର ସେ ନୁହେଁ । ହାତ ପତାଇ କାହାର ଭିକ୍ଷା ଗ୍ରହଣ କରିବା ସେ ମୋଟେ ଚାହେଁ ନାହିଁ ।

 

ତେବେ ଉପାୟ ?

 

ସୁଜାତା ଚିନ୍ତା କରୁଥିଲା,

 

ବିରେନ୍ଦ୍ରମୋହନ ଚାଲିଗଲେ ।

 

ନାଁ ସେ ସଂଗ୍ରାମକୁ ବୁଝାଇବ । ସଂଗ୍ରାମ କେବେ ଅବୁଝା ହେବ ନାହିଁ ତା’ କଥାରେ ।

 

କିନ୍ତୁ ସଂଗ୍ରାମ ଯଦି ନବୁଝେ...ଯଦି ଗ୍ରହଣ ନ କରେ ତା’ ଅନୁରୋଧ ??

 

ସୁଜାତା ଗଭୀର ଭାବରେ ଚିନ୍ତା କଲା । ଅନେକ ସମୟ ପରେ ଶେଷ ନିଷ୍ପତ୍ତିରେ ପହଞ୍ଚି ମୃଦୁ ହସି ଉଠିଲା ସୁଜାତା ।

 

ଠିକ୍‌ ସେଇଦିନ ଦ୍ୱିପ୍ରହର ।

 

ବାରିଷ୍ଟର ବିରେନ୍ଦ୍ରମୋହନ ଗୋଟାଏ କ’ଣ ବିଶେଷ କାମରେ ବାହାରକୁ ଯାଇଥିଲେ ।

 

ମନରେ ଅଦ୍ୟମ ଉତ୍ସାହ, ଅଭିନବ ପ୍ରେରଣା ନେଇ ସଂଗ୍ରାମ ଆସିଥିଲା ସୁଜାତାକୁ ସାକ୍ଷାତ କରିବାପାଇଁ ।

 

ନିରୋଳା ଦ୍ୱିପ୍ରହରରେ ଏକାକିନୀ ଗୋଟିଏ ନିଭୃତ କୋଠରୀରେ ସୁଜାତା ଅର୍ଦ୍ଧନଗ୍ନ ଅବସ୍ଥାରେ ଶୋଇଥିବା ବେଳେ ସଂଗ୍ରାମ ଆସି ସୁଜାତାର ପଲଙ୍କ ଉପରେ ବସି ପଡ଼ି ସୁଦୀର୍ଘ ଚୁମ୍ବନ ଦେଇଥିଲା ।

 

ହଠାତ୍‌ ଉଠିପଡ଼ିଲା ସୁଜାତା । ସାମାନ୍ୟ ଦୂରକୁ ଘୁଞ୍ଚିଯାଇ କହିଲା, ତମେ....

 

ହଁ ସୁଜାତା, ମୁଁ ଆସିଥିଲି ଅନେକ ବେଳୁ । ତମରି ପଲଙ୍କ ଉପରେ ଦୀର୍ଘ ସମୟ ଧରି ବସି ତମକୁ ଅନେଇ ବସିଛି । ତମେ ଉଠିଲ ନାହିଁ । ...ସତରେ ସୁଜାତା ତମେ କ’ଣ ମୋ ବ୍ୟବହାରରେ କ୍ଷୁର୍ଣ୍ଣ ହୋଇଛ ?

 

ସୁଜାତା ଗମ୍ଭୀର କଣ୍ଠରେ ତଳକୁ ମୁହଁ ପୋତି କହିଲା ନାଁ, କ୍ଷୁର୍ଣ୍ଣ ହେବି କାହିଁକି, ବରଂ ବିଶେଷ ଭାବରେ ମୁଗ୍‌ଧ ହୋଇଛି । ଏତେ ଶିକ୍ଷା ଅର୍ଜ୍ଜନ କରି ସାଧାରଣ ଭଦ୍ରତା ମଧ୍ୟ ଭୁଲିଗଲ ? ଏତେ ନିମ୍ନକୁ ଖସିଯାଇପାରିଲ ? ଗୋଟିଏ ନିଭୃତ କୋଠରୀରେ ଯୁବତୀ ଶୋଇଥିଲା ଅବସ୍ଥାରେ ତା’ର ଅଜାଣତରେ ଚୁମ୍ବନ ଦେବା କେତେ ବଡ଼ ଅପରାଧ ଜାଣିଛନ୍ତି ତ ?

 

ସଂଗ୍ରାମ ବିସ୍ମିତ ହୋଇ ଚାହିଁଲା ସୁଜାତାକୁ । ସୁଜାତା ପଲଙ୍କ ଉପରୁ ଉଠି ଆସି ଚେୟାର ଉପରେ ବସି ପଡ଼ିଲା ।

 

ସଂଗ୍ରାମ କହିଲା ମୋର ଭୁଲ ହୋଇଛି ସୁଜାତା ମୋତେ କ୍ଷମା ଦେବ ।

 

ସୁଜାତା ଗମ୍ଭୀର ।

 

ସଂଗ୍ରାମ ଆସି ବସିଲା ସୁଜାତା ପାଖରେ ପଡ଼ିଥିବା ଆଉ ଏକ ଚେୟାରରେ । ହଠାତ୍ ଦୃଷ୍ଟି ପଡ଼ିଲା ଟେବୁଲ ଉପରେ ମେଲା ହୋଇ ରହିଥିବା ଏକ ଆଲମାରି ଉପରେ । ଆଲବମଟିକୁ ଉଠାଇ ଆଣିଲା ସଂଗ୍ରାମ ଦେଖିଲା । ତା’ପରେ ଏକ ନିର୍ଦ୍ଦିଷ୍ଟ ଛବି ଉପରେ ଦୃଷ୍ଟି ଦେଇ କହିଲା, ଏ ଯୁବକଟି କିଏ ସୁଜାତା ?

 

କ’ଣ ବୋଲି ଭାବୁଛନ୍ତି ?

 

ତୁମର କୋଣସି ବନ୍ଧୁ ହୋଇଥିବେ ।

 

ସୁଜାତା ଗମ୍ଭୀର ସ୍ୱରରେ କହିଲା, ଆପଣଙ୍କ ଅନୁମାନ ଭୁଲ୍‌, ଅତୀତର ସେ କେବେ ମୋର ବନ୍ଧୁ ନଥିଲେ କି ଆଜି ବି ନାହାନ୍ତି । ଅଥଚ ଆଉ କେଇଟା ଦିନପରେ ସେ ମୋର ପତି–ଦେବତା ହେବେ ଆଉ ମୁଁ ହେବି ତାଙ୍କର ଆଦରଣୀୟ ପତ୍ନୀ ।

 

ସୁଜାତା.....

 

ଚମକି ପଡ଼ୁଛ ଯେ ? ଚମକିଲା ଭଳି ଏ କୌଣସି କଥା ନୁହେଁ । ଅନକେ ଦିନରୁ ବାପା ତାଙ୍କୁ କଥା ଦେଇଥିଲେ, ଆଉ ଆଜି ବାପାଙ୍କର ବାଧ୍ୟ ସନ୍ତାନ ହୋଇ ତାଙ୍କର ଶପଥ କିମିତି ଭଗ୍ନ କରିବି ।

 

କିନ୍ତୁ ଆମର ଦୀର୍ଦଦୀନର ଭଲ ପାଇବା ?

 

ସୁଜାତା ମୃଦୁ ହସି କହିଲା, ଅତୀତରେ କେବେ ଦିନେ ଭୁଲ କରିଥିଲି ବୋଲି ଆଜି ତା’ର ପ୍ରାୟଶ୍ଚିତ କରି ପାରିବି ନାହିଁ । ଅତୀତ ସବୁବେଳେ ଅତୀତ ହୋଇ ରହେ । ଅତୀତରେ କେବେ ଦିନେ ତମକୁ ଭଲ ପାଇଲି ବୋଲି ଆଜି ତମକୁ ବିବାହ କରିବି, ଏହାର କିଛିମାନେ ହୋଇପାରେ ନା ।

 

ସଂଗ୍ରାମ କହିଲା, ସେଦିନ ମୁଁ ଶପଥ କରିବା ପୂର୍ବରୁ ତମେ ମୋତେ ବିବାହ କରିବାକୁ ଶପଥ କରିଥିଲ । ସେଦିନ ଶପଥ ଆଜି କ’ଣ ଏକବାରେ ପାଶୋରି ଦେଲ ?

 

ଥରେ କହିଲି ପଛ ଅତୀତରେ ଭୁଲ କରିଥିଲି ବୋଲି ଆଜି ତା’ରି ପ୍ରାୟଶ୍ଚିତ କରି ପାରିବି ନାହିଁ । ସେଦିନର ଅପରିପକ୍ୱ ଚିନ୍ତାଧାରା, ବୟସର ଉଦ୍ଦାମ ଆବେଗ, ଚପଳ–ମନର ଖିଆଲରେ ମୁଁ ତମକୁ ଭଲ ପାଇଥିଲି । ଆଉ ଆଜି ପରିପକ୍ୱ ଚିନ୍ତାଧାରା ନେଇ ଚିନ୍ତାକଲା ବେଳକୁ ମୁଁ ଦେଖିଲି, ଅତୀତରେ ମୁଁ ଭୁଲ କରିଥିଲି । ତେଣୁ ସେ ଶପଥର କିଛି ମାନେ ହୋଇ ପାରେନା ।

 

ତେବେ ତମର ନିବିଡ଼ ଭଲ ପାଇବା କ’ଣ ଚପଳମନର ଖିଆଲ ଥିଲା ?

 

ଯଦିଓ ଠିକ୍‌ ସେଇୟା ନୁହେଁ ତଥାପି ଖିଆଲ ବୋଲି ଧରିନେଲେ କିଛି ଦୋଷ ହେବ ନାହିଁ ।

 

ତମେ ଏସବୁ କ’ଣ କହୁଛ ସୁଜାତା ମୁଁ କିଛି ବୁଝି ପାରୁନାହିଁ । କିନ୍ତୁ ଆଜି ମୋର ଭବିଷ୍ୟତ କ’ଣ ହେବ ?

 

ତମର ଭବିଷ୍ୟତ ପାଇଁ ମୁଁ ମୋ ଭବିଷ୍ୟତ ନଷ୍ଟ କରି ପାରିବି ନାହିଁ । ଦୟାକରି ଫେରି ଯାଆନ୍ତୁ । ଅତୀତକୁ ଭୁଲି ଯାଆନ୍ତୁ । ମନେକରି ନିଅନ୍ତୁ ସୁଜାତା ବୋଲି ଗୋଟିଏ ପ୍ରଗଲ୍‍ଭ ତରୁଣୀ ସାକ୍ଷାତ ହୋଇ ନଥିଲା କି ପରିଚୟ ହୋଇ ନ ଥିଲା କି ଆତ୍ମୀୟତା ଜମି ନ ଥିଲା ।

 

ଅତୀତର ଭଲ ପାଇବାକୁ ପୁରୁଷ କ’ଣ କେବେ ଭୁଲି ପାରେ ? ସ୍ମୃତି କ’ଣ କେବେ ଭୁଲି ହୁଏ ? କ୍ଷତ ଚିହ୍ନ କ’ଣ କେବେ ଲିଭିଯାଏ ?

 

ମୁଁ କିନ୍ତୁ ନାଚାର ସଂଗ୍ରାମବାବୁ ! ବାପାଙ୍କ ଶପଥରେ ମୁଁ କେବେ ବ୍ୟତିକ୍ରମ ଆଣି ପାରିବି ନାହିଁ । ତାଙ୍କର ଶପଥକୁ ମୁଁ ମୋ ଜୀବନର ସ୍ୱାର୍ଥସିଦ୍ଧ ଭାବି ନେଇଛି ।

 

ସୁଜାତା !

 

ତମଭଳି ଅଯୋଗ୍ୟ, ଅପଦାର୍ଥ, ଦରିଦ୍ର ଯୁବକର ହାତଧରି ମୁଁ କେବେ ସୁଖୀ ହୋଇ ପାରିବି ନାହିଁ, ଜୀବନରେ ମୁଁ ଶାନ୍ତି ପାଇ ପାରିବି ନାହିଁ ।

 

ସଂଗ୍ରାମର ଆଖିରୁ ଗଡ଼ି ପଡ଼ିଲା ଦି’ ଧାର ଲୁହ । ଖୁବ ନିମ୍ନ ଏବଂ ଶାନ୍ତ କଣ୍ଠରେ କହିଲା, ତମେ ଠିକ୍‌ କହିଛ ସୁଜାତା, ମୋ ଭଳି ଅଯୋଗ୍ୟ, ଅପଦାର୍ଥ, ଦରିଦ୍ରକୁ ବିବାହ କରିଥିଲେ ତମେ ସୁଖୀ ହୋଇ ପାରି ନଥାନ୍ତ । ତମ ପାଇଁ ମୁଁ ନିହାତି ଅଯୋଗ୍ୟ । ସେଇଥିପାଇଁ ତମକୁ ମୁଁ ବାରମ୍ବାର କହିଥିଲି, ଏକ ଅଯୋଗ୍ୟ, ଦରିଦ୍ର ଯୁବକକୁ ନେଇ ତମେ ଏତେ ବଡ଼ ଆକାଂକ୍ଷା କାହିଁକି କରି ବସୁଛ । ତୁମେ ମୋଠାରୁ ଦୂରେଇ ଯାଅ । ଜୀବନରେ ତମେ ମୋତେ ଯେତିକି ସ୍ନେହ ମମତା ଦେଇଛ ଅବଶିଷ୍ଟ ଜୀବନ ପାଇଁ ସେଇ ମୋର ପାଥେୟ ହୋଇ ରହିବ ।

 

ତଥାପି ତୁମେ ଗ୍ରହଣକରି ନ ଥିଲ ମୋର ଉପଦେଶ । ମୋର ହାତ ଉପରେ ହାତଥାପି କହିଥିଲ, ଐଶ୍ୱର୍ଯ୍ୟ, ଆଭିଜାତ୍ୟ, ଯବୁକର ରୂପକୁ ନାରୀ ବିବାହ କରେ ନାହିଁ । ନାରୀ ବିବାହ କରେ ସେଇ ପୁରୁଷକୁ–ଯାହା ସହିତ ସେ ନିବିଡ଼ ଭାବରେ ପରିଚିତ ହୋଇ ପାରିଛି । ଯାହାକୁ ସେ ଦୀର୍ଘ ଦିନ ଧରି ପରୀକ୍ଷା ନିରୀକ୍ଷା କରି ନିଜ ହୃଦୟ ଅଙ୍କର ଦେବତା ବୋଲି ମନେ ମନେ କଳ୍ପନା କରି ନେଇଛି । ତମେ ଆଜି ମୋତେ ଦୂରେଇ ଦିଅ ନାହିଁ । ସଂଗ୍ରାମବାବୁ, ମୋତେ ପାଖକୁ ଭିଡ଼ିନିଅ, ମୋର ଆଖି ସହିତ ଆଖି ମିଳାଇ ଦେଖ, କାହାପାଇଁ ମୋର ପ୍ରତୀକ୍ଷା ।

 

ତମ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ତମେ ମୋତେ କହୁଥିଲ, ମୁଁ ଆଜି ଶପଥ କରୁଛି ସଂଗ୍ରାମବାବୁ, ସୃଷ୍ଟିରେ ବଞ୍ଚିଥିବା ପର୍ଯ୍ୟନ୍ତ ତମ (ସଂଗ୍ରାମ) ପାଖରୁ ମୋତେ କେହି ବିଚ୍ଛିନ୍ନ କରି ପାରିବେ ନାହିଁ । ବାପାଙ୍କର ତେଜ୍ୟାକନ୍ୟା ହେବି କିନ୍ତୁ ତମକୁ ଛାଡ଼ି ମୁଁ ଦଣ୍ଡେ ବଞ୍ଚି ପାରିବି ନାହିଁ ।

 

କିନ୍ତୁ ଆଜି....

 

ଆଜି କିଏ ତମର ସେଇ ସ୍ୱାଧୀନ ଚିନ୍ତାଧାରା ତମ ପାଖରୁ କାଢ଼ି ନେଲା ? କିଏ ନିଜର ମତ ପରିବର୍ତ୍ତନ କଲା ? ତମେ ବଡ଼ ଲୋକ, ତମର ପ୍ରତିପତ୍ତି ଅଛି, ଅହଙ୍କାର ଅଛି, ସେଇଥିପାଇଁ ତମେ ଯାହା କରି ପାରିବ ତମେ କ୍ଷମା ପାଇପାରିବ । ଆଉ ମୁଁ, ସାମାନ୍ୟ ଭୁଲ କଲେ ସାରାଜୀବନ ଅନୁତାପ କରୁଥିବି । ନୁହେଁ ? ସୁନ୍ଦର ଉପମା ! ଆଜି ମୁଁ ସେଇୟା ଏ ଜନ–ସମାଜକୁ ପଚାରିବାକୁ ଚାହେଁ, ଯେଉଁ ତରୁଣୀ ବହୁ ପୁରୁଷକୁ ନିଜର କୁସୁମ–କୋମଳ ଅଙ୍ଗଲତା ଅର୍ପଣ କରି ଅନ୍ୟ ପୁରୁଷକୁ ବିବାହ କରେ ତା’ ପାଇଁ ସମାଜ କର୍ତ୍ତାମାନେ କି ଶାସ୍ତି ବିଧାନ କରିଛନ୍ତି; ଆଉ ଯେଉଁ ପୁରୁଷ ସେଇ ନାରୀଦ୍ୱାରା ପରିତ୍ୟକ୍ତ ହୋଇଛି ସେଇ ପୁରୁଷ ପାଇଁ ସମାଜର କି ସୁବ୍ୟବସ୍ଥା ରହିଛି ।

 

ସଂଗ୍ରାମର ଯୁକ୍ତି ଶୁଣି ଚମକି ଉଠିଲା ସୁଜାତା । ହଠାତ୍‌ ତା’ର ମନେ ପଡ଼ିଗଲା ବାପାଙ୍କର ଉପଦେଶ । ବାପା ସେଦିନ ଠିକ୍ କହୁଥିଲେ । ବ୍ୟର୍ଥ ପ୍ରେମିକ ହୋଇ ସଂଗ୍ରାମ ଯଦି ତୋ ଚରିତ୍ରକୁ ବିକଳାଙ୍ଗ କରି ଏ ଜନ ସମାଜରେ କୁତ୍ସାରଟନା କରେ ?

 

ମୁହୂର୍ତ୍ତକ ମଧ୍ୟରେ ସୁଜାତା ମୁଣ୍ଡରେ ଏକ କୁତ୍ସିତ ଭାବନା ଖେଳିଗଲା । କେଉଁ ସଂଗ୍ରାମ ପ୍ରତି ସେ ବିରକ୍ତିର ଭାବ ପ୍ରକାଶ କରିଥିଲା, ପର–ମୁହୂର୍ତ୍ତରେ ସଂଗ୍ରାମକୁ ଅତି ଆପଣାର କରିବାଭଳି ମନେ ହେଲା । ଚେୟାରରୁ ଉଠୁ ଉଠୁ କହିଲା, ବସନ୍ତୁ ସଂଗ୍ରାମ ବାବୁ, ମୁଁ ଆସୁଛି ।

 

ସୁଜାତା ଚାଲିଗଲା ଘର ଭିତରକୁ । ହାତରେ ଦୁଇ କପ କଫି ଧରି ଦୁଇମିନିଟ୍‌ ଭିତରେ ଫେରି ଆସିଲା । ସଂଗ୍ରାମକୁ ଗୋଟିଏ କପ ବଢ଼ାଇ ଦେଇ କହିଲା, ନିଅନ୍ତୁ !

 

ନାଁ, ମୁଁ କଫି ଖାଇବି ନାହିଁ । ସଂଗ୍ରାମ ଗମ୍ଭୀର କଣ୍ଠରେ କହିଲା ।

 

ଆତ୍ମୀୟତା ଜନ୍ମାଇବା ଉଦ୍ଦେଶ୍ୟରେ ସୁଜାତା କହିଲା, ଅଭିମାନ କରୁଛନ୍ତି ? ରାଗ କରୁଛନ୍ତି ? ଛି ! ଅତୀତରେ ଆମେ ଦୁହେଁ ବନ୍ଧୁ ଥିଲୁ । ଭବିଷ୍ୟତରେ ବି ସେମିତି ବନ୍ଧୁ ହୋଇ ରହିବୁ ! ଅତୀତରେ ମୁଁ ତୁମର ମାନସୀ ଥିଲି, ପ୍ରିୟା ଥିଲି । କିନ୍ତୁ ତୁମର ପତ୍ନୀ ହୋଇ ପାରିଲି ନାହିଁ-। ଏଇଥିପାଇଁ ଏତେ ଦୁଃଖ, ଏତେ ଅନୁଶୋଚନା ? ହଉ ନିଅ; ପ୍ରଥମେ କଫି ଖାଇଦିଅ ।

 

ନାଁ । ସଂଗ୍ରାମର କଣ୍ଠସ୍ୱର ପୂର୍ବପରି ଗମ୍ଭୀର ।

 

ସଂଗ୍ରାମର ନିକଟକୁ ଲାଗି ଆସିଲା ସୁଜାତା । ସଂଗ୍ରାମର କାନ୍ଧ ଉପରେ ହାତ ରଖି କହିଲା; ଅତୀତରେ ଯେତେ ଥର ଏ ଘରକୁ ଆସିଛନ୍ତି ମୋ ହାତ ତିଆରି କଫି ନ ଖାଇ ଏ ଘରୁ ଫେରି ନାହାନ୍ତି । ହୁଏତ କଫି ଆସିବାର ବିଳମ୍ବ ହେଲେ ମୋତେ ଅନୁରୋଧ କର, ଅଥଚ ଆଜି ମୁଁ ଅନୁରୋଧ କରୁଛି କିନ୍ତୁ ତମେ ପ୍ରତ୍ୟାଖାନ କରିପାରୁଛ ? ଅବାଧ୍ୟ ହୁଅ ନାହିଁ ସଂଗ୍ରାମ, ମୁଁ ତମର ପତ୍ନୀ ନ ହେଲେ ବି ପ୍ରିୟା ହୋଇ ରହିବି । ନିଅ, କଫି ଖାଇଦିଅ ।

 

ସଂଗ୍ରାମ ତଥାପି ହିମାଳୟ ପରି ଅଟଳ ।

 

ସଂଗାମର ଅଙ୍ଗ–ଅବୟବରେ ନିବିଡ଼ ଭାବରେ ଲାଗିଗଲା ସୁଜାତା । ଆଣି କହିଲା, ମୋ ମୁହଁକୁ ଚାହିଁଲ ସଂଗ୍ରାମ ! ସତେ କ’ଣ ତମେ ମୋର ଅନୁରୋଧ ପ୍ରତ୍ୟାଖାନ କରି ପାରିବ ?

 

ନିମିଷକ ଭିତରେ ସଂଗ୍ରାମର ସମସ୍ତ ଦମ୍ଭ ଭାଙ୍ଗିଗଲା । ନାରୀର ଅଭିମାନଭରା କଥାରେ ପୁରୁଷ ବିହ୍ୱୋଳିତ ହୋଇଥାଏ । ପୁରୁଷର ହିମାଳୟ ପରି ଶପଥ ନାରୀର ପଦିଏ କଥାରେ ଭାଙ୍ଗିଯାଏ । ନାରୀ ଛଳନାମୟୀ, ରହସ୍ୟମୟୀ । ମୁହୂର୍ତ୍ତକ ମଧ୍ୟରେ ଛଳନାର ପୁଟ ବୋଳି ନାରୀ ଯେଉଁ ଭୂମିକା ଗ୍ରହଣ କରିଥାଏ ପୁରୁଷ ତା’ର ଛଳନାର ପରାଜୟ ସ୍ୱୀକାର କରେ । ସେଇଥିପାଇଁ ଯୁଗେ ଯୁଗେ ନାରୀ ପୁରୁଷ ନିକଟରେ ଜୟଲାଭ କରିଛି ଆଉ ପୁରୁଷ ନାରୀର ମନଭୁଲା କଥାରେ ଭୁଲି ଯାଇ ସମସ୍ତ ଦୁଃଖ, ଦୈନ୍ୟ ହାତପାତି ଗ୍ରହଣ କରି ନେଇଛି ।

 

ମନ ଭିତରେ ସୁଜାତା ପ୍ରତି ଅଶେଷ ଘୃଣା ପୂରି ରହିଥିଲେ ବି ସୁଜାତାର ଅନୁରୋଧ ଏଡ଼ି ପାରିଲାନି ସଂଗ୍ରାମ ।

 

ବିଜୟନୀର ହସ ହସି ସୁଜାତା କଫି କପ୍‌ଟି ସଂଗ୍ରାମ ହାତକୁ ବଢ଼ାଇ ଦେଇ ଅନ୍ୟ କପ୍‌ଟିରେ ମୁହଁ ଲଗାଇଲା ।

 

କଫିତକ ନିଃଶେଷ କରିଦେଲା ସଂଗ୍ରାମ ।

 

ସୁଜାତା ମନେ ମନେ ହସି ଉଠିଲା । ନିର୍ବୋଧ ! ନାରୀର ଚରିତ୍ରକୁ ବିଶ୍ଳେଷଣ କରିବାକୁ ତମର ଶିକ୍ଷା ନାହିଁ ସଂଗ୍ରାମ । ଏ କଲେଜ ପାଠ ହୋଇନି ଯେ ରାତିଦିନ ବସି ପଢ଼ି ପଢ଼ି ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ପାଶ କରିବ । ନାରୀ ଚରିତ୍ରକୁ ବୁଝିବାକୁ ତମର ବୟସ ହୋଇନି ସଂଗ୍ରାମ ! ସଂସାର ବିଷୟରେ ତମେ ନୂତନ । ତେଣୁ ତମେ କିମିତି ଜାଣିବ ନାରୀ ଚରିତ୍ରର ବିଶେଷତ୍ୱ । ତଥାପି ତମେ ନାରୀ ଚରିତ୍ରକୁ ସମାଲୋଚନା କରିବାକୁ ଅଣ୍ଟାଭିଡ଼ି ବାହାରି ପଡ଼ିଛ । ନିର୍ବୋଧ, କୃତଘ୍ନ ! ତମେ ଆଜି ଦେଖ ସଂଗ୍ରାମ, ତମଠାରୁ ଶିକ୍ଷା, ଦୀକ୍ଷା, ବୟସ ସବୁଥିରେ ନ୍ୟୁନ ହୋଇବି ମୁଁ କ’ଣ କରି ପାରୁଛି । ଯେଉଁ ପୁରୁଷ ନାରୀର ପଦିଏ କଥାରେ ବିହ୍ୱୋଳ ହୋଇ ତା’ର ପଦତଳେ ଶରଣ ଲୋଡ଼େ ତା’ର ପୁଣି ଏତେ ଆସ୍ଫାଳନ ! !

 

ସଂଗ୍ରାମ ସେଦିନ ଫେରି ଆସିଲା ସୁଜାତା ନିକଟରୁ । ଘରେ ବି ପହଞ୍ଚି ପାରିନି, ରାଜ ରାସ୍ତା ଉପରେ ତା’ ମୁଣ୍ଡଟା ଝିମ୍‌ ଝିମ୍‌ ହୋଇ ଉଠିଲା ।

 

ତା’ପରେ.....

 

ନିଜର ଚେତା ଆସିଲା ବେଳକୁ ସେ ଦେଖିଲା ଡାକ୍ତରଖାନାରେ ସେ ଶୋଇଛି । ପରେ ଜାଣିଲା, ଉକ୍ତ କଫିରେ ବିଷ ମିଶା ଯାଇଥିଲା । ତା’ପରେ ଡାକ୍ତର ଆଉ ପୋଲିସ ଆସି ବାରମ୍ବାର ଅନୁରୋଧ କରିଥିଲେ, କୁହନ୍ତୁ ସଂଗ୍ରାମବାବୁ ଆପଣ କେଉଁଠୁଁ କଫି ଖାଇଥିଲେ ?

 

ସଂଗ୍ରାମ ସବୁ ବୁଝିଲା, ଜାଣିଲା, ହୃଦୟଙ୍ଗମ କଲା । ନିଜର ନଗ୍ନ ଅତୀତକୁ ଲୁଚାଇବାକୁ ସୁଜାତା କଫିରେ ବିଷ ଦେଇଥିଲା । କିନ୍ତୁ ସୁଭାଗ୍ୟ ସେ ବଞ୍ଚିଗଲା, ତଥାପି ସୁଜାତା ପ୍ରତି ସେ ପାଷାଣ ହୋଇପାରିଲା ନାହିଁ । ଡାକ୍ତର ଆଉ ପୋଲିସଙ୍କୁ କହିଥିଲା–ମୁଁ କଫି ନିଶ୍ଚୟ ଖାଇଥିଲି କିନ୍ତୁ କେଉଁ ଦୋକାନରୁ ଖାଇଛି ତାହା ମୋର ମନେ ପଡ଼ୁନାହିଁ ।

 

ଡାକ୍ତର ଏବଂ ପୋଲିସ୍‌ ବିରସ ମୁଖରେ ଫେରି ଯାଇଥିଲେ ।

 

ଦୀର୍ଘ ଆଠ ଦିନ ପରେ ସେ ସୁସ୍ଥ ହୋଇ ଡାକ୍ତରଖାନାରୁ ବିଦାୟ ନେଲା । ସେଇ ଦିନରୁ ଶିକ୍ଷିତା, ଧନୀକନ୍ୟା ମାନଙ୍କ ପ୍ରତି ତା’ର ଭୀଷଣ ଅହଂକାର । ସେଇ ଦିନରୁ କୌଣସି ଧନୀକନ୍ୟା ମାନଙ୍କ ସାଥିରେ କଥାଭାଷା କରିବାକୁ ଆଗ୍ରହ ପ୍ରକାଶ କରେ ନାହିଁ । ତାଙ୍କ ପାଖରୁ ଦୂରେଇ ରହିବାକୁ ଆପ୍ରାଣ ଚେଷ୍ଟା କରେ । ତାଙ୍କୁ କେବେ ବିଶ୍ୱାସ କରେ ନାହିଁ । ତା’ ମତରେ, ପୃଥିବୀରେ ଯଦି କେହି ଅବିଶ୍ୱାସୀ ଜାତି ଥାଏ ତେବେ ଏଇ ନାରୀଜାତି ହେଉଛି ସବୁଠୁ ବଳି ଅବିଶ୍ୱାସୀ । କୁକୁରକୁ ଅଇଁଠା ଭାତ ମୁଠେ ଦେଇଥିଲେ ଅସମୟରେ ସେ ନିଶ୍ଚୟ ସାହାଯ୍ୟ କରିଥାଏ । ଅଥଚ ଏଇ ନାରୀକୁ ସୁନା ପିଞ୍ଜରାରେ ଆବଦ୍ଧ ରଖି ଦୁଧଭାତ ଦେଲେ ବି ସେ କେବେ ଆପଣାର ହୋଇପାରେ ନାହିଁ । ସମୟ ଆଉ ସୁବିଧା ପାଇଲେ ସେ ସୁନା ପଞ୍ଜୁରୀରେ ମୋହ ପରିତ୍ୟାଗ କରି ଅନ୍ୟ କାହା ସାଥୀରେ ଚାଲିଯାଏ । ଏହାହିଁ ହେଉଛି ନାରୀ ଜାତିର ଧର୍ମ, ଏହାହିଁ ହେଉଛି ନାରୀ ଜାତିର ଲକ୍ଷଣ–ବିଶେଷତ୍ୱ ।

 

ତେଣୁ ହେ ମୋର ପୁରୁଷ ବନ୍ଧୁଗଣ ! ତମକୁ ମୋର ଗଭୀର ଅନୁରୋଧ, ଏ ସୃଷ୍ଟିରେ ଜନ୍ମ ନେଉଥିବା ସେହି ଛଳନାମୟୀ ନାରୀର ପଣତ ତଳେ ବାନ୍ଧିହୋଇ ରହିବାର ବାସନା ପରିତ୍ୟାଗ କରିବାକୁ ଚେଷ୍ଟାକର । ସବୁବେଳେ ଏହି ରହସ୍ୟମୟୀ ନାରୀଠାରୁ ଦୂରେଇ ରହିବାକୁ ଉଦ୍ୟମ କର । ଏହି ମହାକାଳ ଫଳ ତୋଳିନେବା ପାଇଁ କେହି ଆଗ୍ରହ ପ୍ରକାଶ କର ନାହିଁ । ଏହି ନାରୀ ଜାତିକୁ କେହି ବିଶ୍ୱାସ କର ନାହିଁ । ଯେଉଁ କଅଁଳ ଛନ ଛନ ଗୋଲାପି ଅଧରରେ ଚୁମ୍ବନ ଦେବାକୁ ପୁରୁଷ ଆଗ୍ରହୀ ହୋଇଉଠେ ସେଇ ଅଧର ତଳେ ପୁରୁଷକୁ ନିଃଶେଷ କରିଦେବାକୁ ନାରୀ ହଳାହଳ ସାଇତି ରଖିଥାଏ । ନିଜର ସ୍ୱାର୍ଥ ସିଦ୍ଧି ନ ହେଲେ ସେହି ନାରୀ ପୁରୁଷ ନିକଟରେ ନିଜ ଅଙ୍ଗ ଭୂଷଣକୁ ନଗ୍ନ–ବୀଭତ୍ସ କରି ତାକୁ ଟାଣିଆଣେ ନିଜ ପାଖକୁ । ଆଉ ପୁରୁଷର ଶିରା ପ୍ରଶିରାରେ ବିଷମଞ୍ଜି ବୁଣିଦେଇ, ସେ ସୁଖର ସ୍ୱପ୍ନ ଦେଖେ ।

 

ଯେଉଁ ନାରୀ ମାଆ ଭାବରେ ଏଇ ସମାଜରେ ପୂଜ୍ୟ, ନମସ୍ୟ, ସେଇ ନାରୀ ପ୍ରଣୟନୀ ହୋଇ ବ୍ୟଭିଚାରିଣୀର ରୂପନେଇ ଏଇ ସମାଜକୁ କଳଙ୍କିତ କରେ ।

 

ତେଣୁ, ମୋର ପୁରୁଷ ବନ୍ଧୁମାନଙ୍କୁ ବିନୀତ ନିବେଦନ, ଛଳଛଳ ବୟସର ସୁକୁମାରୀ କନ୍ୟାର ରୂପ–ଯୌବନରେ ବିଭୋର ହୋଇ ପତଙ୍ଗ ପରି ସେହି ଅଗ୍ନିଶିଖା ନିକଟକୁ ଛୁଟି ଯାଅନାହିଁ । ଯୌନ–ଉତ୍ତେଜନାର ବଶବର୍ତ୍ତୀ ହୋଇ ସେଇ ଛଳନାମୟୀ, ବଶ୍ୱାସଘାତିନୀ ନାରୀର ପଣତ ତଳେ କେବେ ଆଶ୍ରୟ ନିଅ ନାହିଁ । ତାଙ୍କୁ କେବେ ସମ୍ମାନ ଦିଅ ନାହିଁ । କୌଣସି ଗୋପନୀୟ ତଥ୍ୟ ତାଙ୍କ ନିକଟରେ ପ୍ରକାଶ କର ନାହିଁ । ଯେଉଁ ନାରୀ ଦିନରେ ମୋହିନୀ ରୂପ ଧାରଣ କରି, ଘନ ରାତ୍ରିର ନିବିଡ଼ ଅନ୍ଧକାର ଭିତରେ ପଳ ପଳ କରି ପୁରୁଷଠାରୁ ରକ୍ତ ଟାଣିନିଏ ସେଇ ରହସ୍ୟମୟୀ ନାରୀଠାରୁ ଯୋଜନ ଯୋଜନ ଦୂରରେ ରହିବାକୁ ଚେଷ୍ଟା କର । ରୂପସୀ, ବିପୁଳ ଯୌବନା ସୁକୁମାରୀ ତନ୍ୱୀ କିଶୋରୀର ମାୟାଜାଲରେ ଛନ୍ଦିହେବା ଅପେକ୍ଷା ଅବିବାହିତ ଜୀବନ ଶତଗୁଣେ ଶ୍ରେୟସ୍କର ।

 

‘‘କାହାଣୀ... ନୁହେଁ’’ ଉପନ୍ୟାସର ଶେଷ ପୃଷ୍ଠା ସମାପ୍ତ କରି ଫାଲ୍‌ଗୁନୀ ଦୀର୍ଘ ନିଶ୍ୱାସ ଛାଡ଼ିଲା ।

 

ଫାଲ୍‌ଗୁନୀ ଗଭୀର ଚିନ୍ତା କଲା । ‘‘କାହାଣୀ ନୁହେଁ’’ ଉପନ୍ୟାସର ଲେଖକ ‘ଶ୍ରୀ’ କିଏ ? କାହିଁକି ତାଙ୍କର ନାରୀ ଜାତି ପ୍ରତି ଏତେ ଘୃଣା, ବିତୃଷ୍ଣା, ଅହଂକାର । ସତରେ କ’ଣ ସେହି ଲେଖକ କୌଣସି ନାରୀ ନିକଟରୁ ପରାଜିତ !

 

ହଠାତ୍ ଫାଲ୍‌ଗୁନୀର ଆଖି ଆଗରେ ଶ୍ରୀକାନ୍ତର ରୂପ ରେଖ ଭାସି ଉଠିଲା । ଶ୍ରୀକାନ୍ତର ଚରିତ୍ର ସହିତ ସଂଗ୍ରାମ ଚରିତ୍ରର ଯଥେଷ୍ଟ ସାମଞ୍ଜସ୍ୟ ରହିଛି । ଶ୍ରୀକାନ୍ତ ମଧ୍ୟ ଧନୀଲୋକ ମାନଙ୍କୁ ଘୃଣା କରେ । କୌଣସି ତରୁଣୀ ସହିତ କଥା ଭାଷା କରିବାକୁ ଘୃଣା କରେ । କୌଣସି ଧନୀକନ୍ୟାର ନିମନ୍ତ୍ରଣ ରକ୍ଷା କରିବାକୁ ମୋଟେ ପସନ୍ଦ କରେ ନାହିଁ ।

 

ତେବେ, ତେବେ ସଂଗ୍ରାମ କ’ଣ ହେଉଛି ଶ୍ରୀକାନ୍ତ !

 

ସଂଗ୍ରାମ, ଶ୍ରୀ, ଶ୍ରୀକାନ୍ତ ଏ ତିନିହେଁ କ’ଣ ଗୋଟିଏ ପୁରୁଷ ।

 

ଶେଷ ପର୍ଯ୍ୟନ୍ତ ଫାଲ୍‌ଗୁନୀ କୌଣସି ନିଷ୍ପତ୍ତିରେ ପହଞ୍ଚି ପାରିଲାନି ।

 

କାନ୍ଥ ଘଣ୍ଟାରେ ତିନିଟା ବାଜିଲା ।

 

ନିଭୃତ କୋଠରୀ ଭିତରୁ ବାହାରକୁ ଆସିଲା ଫାଲ୍‌ଗୁନୀ ।

 

ନର୍ମଦା କାନ୍ଦୁଥିଲା ।

 

କେରି କେରି ଲୁହ ଝରି ପଡ଼ୁଥିଲା ନର୍ମଦାର ନୀଳପଦ୍ମର ଚକ୍ଷୁ କୋରକରୁ ।

 

ସେ ଆଜି ପରାଜିତା, ଅବଲୁପ୍ତା, ଭୂ–ଲୁଣ୍ଠିତା ।

 

ଦୀର୍ଘଦିନ ଧରି ସେ ଯେଉଁ ଆଭିଜାତ୍ୟ, ସମ୍ମାନ, ରୂପରେ ଗର୍ବ କରିଆସୁଥିଲା ତାହାର ଆଜି ଅବସାନ ଘଟିଛି । ସେ ଆଜି ନିଃସ୍ୱ । ଭୁ–ଲୁଣ୍ଠିତା ।

 

କିଏ, କିଏ ତାହାର ଅକ୍ଷତ, ଅନାଘ୍ରାତ ଶରୀରରେ ବିଷମଞ୍ଜି ବୁଣି କ୍ଷତ ଚିହ୍ନ ସୃଷ୍ଟି କରିଗଲା ? କିଏ ତାହାର ସମ୍ମାନ, ଆଭିଜାତ୍ୟରେ କଳଙ୍କର ଟିକା ଲେପିଦେଲା ? ? କିଏ ତା’ର ଚରିତ୍ରରେ ବୋଳିଦେଲା କଳଙ୍କର କାଳିମା ???

 

ସୂର୍ଯ୍ୟକାନ୍ତ !

 

ସୂର୍ଯ୍ୟକାନ୍ତ ତା’ର ପ୍ରେମକୁ ପ୍ରତ୍ୟାଖ୍ୟାନ କରିଛି । ବିବାହର ଶପଥକୁ ଅବମାନନା କରିଛି ।

 

ନର୍ମଦା ଅନୁରୋଧ କରିଥିଲା, ଅନୁଯୋଗ କରିଥିଲା–ମୋ ମୁହଁକୁ ଥରେ ଚାହଁ ସୂର୍ଯ୍ୟକାନ୍ତ ! ଦୀର୍ଘଦିନ ଭଲ ପାଇବା ଭିତରେ ତମକୁ ମୁଁ ଦେହଦାନ ଛଡ଼ା ହୃଦୟଦାନ–କରିଥିଲି । ବିନିମୟରେ ମୁଁ କେବଳ ଚାହିଁଥିଲି ବିବାହ । ଅଥଚ ଆଜି ତମେ ମୋତେ ବିବାହ ଆଗୋଚରରେ ତମକୁ ମୁଁ ଦେହଦାନ କରିଥିଲି, ତମକୁ ଭଲ ପାଇଥିଲି । କିନ୍ତୁ ଆଜି... ଆଜି ସବୁ ତୁମେ ଫାଙ୍କି ଦେଇ ପାରୁଛ ? ମୋ ଗର୍ଭରେ ଯେଉଁ ପ୍ରଣୟର ସ୍ମାରକୀ ଖେଳି ବୁଲୁଛି ସେ କ’ଣ ବୋଲି ପରିଚୟ ଦେବ ଏଇ ସଭ୍ୟ ସମାଜରେ ?

 

ସ୍ମାରକୀ !!! ସୂର୍ଯ୍ୟକାନ୍ତ ଚମକି ଉଠିଲା ।

 

ହଁ ସୂର୍ଯ୍ୟକାନ୍ତ, ଆମ ଭଲ ପାଇବାର ସ୍ମାରକୀ । ଆମରି ରକ୍ତର ସମ୍ମିଶ୍ରଣରେ ଯେଉଁ ସନ୍ତାନ ଭୂମିଷ୍ଟ ହେବ ସେ କ’ଣ ପରିଚୟ ଦେବ ?

 

ଦଣ୍ଡେ ଚିନ୍ତା କଲା ସୂର୍ଯ୍ୟକାନ୍ତ । ତା’ ପରେ କୁଟିଳ ହସ ହସି କହିଲା, ତୁମେ ବୁଦ୍ଧିମତୀ ଶିକ୍ଷିତା ନାରୀ ନର୍ମଦା ! ଏଇ ସାମାନ୍ୟ କଥା ପାଇଁ ତୁମେ ଏତେ ଚିନ୍ତା କରୁଛ ? ଯଦି ସେହି ଅନାଗତ ସନ୍ତାନଟିକୁ ନଷ୍ଟ କରି ଦିଅନ୍ତ, ତେବେ ତ କିଛି କ୍ଷତି ହୁଅନ୍ତା ନାହିଁ ।

 

ଭୃଣହତ୍ୟା କରିବା ପାଇଁ ତୁମେ ମୋତେ ଉପଦେଶ ଦେଉଛ ସୂର୍ଯ୍ୟକାନ୍ତ ?

 

କେବଳ ମୁଁ ନୁହେଁ ନର୍ମଦା, ଏ ପରିସ୍ଥିତିରେ ଦୁନିଆରେ ସମସ୍ତେ ଏଇ ଉପଦେଶ ଦେବେ । ୟା’ ଛଡ଼ା ଅନ୍ୟ ଉପାୟ ଯେ ନାହିଁ ।

 

ନର୍ମଦା ଦୃଢ଼ କଣ୍ଠରେ କହିଲା, ମୁଁ ଭୃଣହତ୍ୟା କରି ପାରିବି ନାହିଁ ।

 

ତେବେ ମୋ ସହିତ ପରାମର୍ଶ କରିବାର କୌଣସି ଆବଶ୍ୟକତା ନାହିଁ । ଯାହା ତୁମେ ଶେଷ ନିଷ୍ପତ୍ତି ବୋଲି ଗ୍ରହଣ କରି ନେଇଛ ତାହା ତୁମେ କରିପାର । କିନ୍ତୁ ମୋତେ ମୁକ୍ତି ଦିଅ ।

 

ମୁକ୍ତି !!! ତମେ ପୁଣି ମୁକ୍ତି ଚାହୁଁଛ ମୋ ପାଖରୁ ? ମୋର ଏ ଅବ୍ୟବସ୍ଥା ପାଇଁ ମୁଁ ତମ ପାଖକୁ ଆସିଛି ସୂର୍ଯ୍ୟକାନ୍ତ ! ଅଥଚ ତମେ ପୁଣି ମୋ ପାଖରୁ ମୁକ୍ତିର ଉପାୟ ଚାହୁଁଛ ?

 

ତମର ଅବ୍ୟବସ୍ଥା ପାଇଁ ତମେ ସୁବ୍ୟବସ୍ଥା କରିପାରିବ ବୋଲି ମୋର ଗଭୀର ବିଶ୍ୱାସ ଅଛି ନର୍ମଦା । କିନ୍ତୁ ମୋତେ ସେଇ ନର୍କ ଭିତରକୁ ଟାଣିନେଇ ମୋର କୁତ୍ସାରଟନା କର ନାହିଁ । ମୋର ଚରିତ୍ରରେ କଳଙ୍କ ବୋଳିବାକୁ ଚେଷ୍ଟାକର ନାହିଁ । ମୁଁ ତମକୁ ମୋଟେ ଭଲପାଉ ନଥିଲି–ମୁଁ ଭଲ ପାଇଥିଲି ତମର ଦେହକୁ.....ତମ ସୁଠାମ ତନୁଲତାର କମନୀୟ ମସୃଣ ଅଙ୍ଗ ଅବୟବକୁ । ତା’ ବିନିମୟରେ ତମେ ମଧ୍ୟ ପ୍ରଚୁର ଅର୍ଥ ପାଇଛ ମୋ ନିକଟରୁ । ଜୀବନକୁ ଉପଭୋଗ କରିବାକୁ ପ୍ରଚୁର ଉପାଦାନ ପାଇଛ । ଅଥଚ ଆଜି ତମର କିଛି ଅବ୍ୟବସ୍ଥା ହୋଇଗଲା ବୋଲି ମୋତେ ଦାୟୀ କଲେ ମୁଁ ତ ଦାୟୀ ହୋଇ ପାରିବି ନାହିଁ । ୟା’ ପାଇଁ ତମେ କେବଳ ନିଜେ ହିଁ ଦାୟୀ ।

 

ସୂର୍ଯ୍ୟକାନ୍ତ ! ନର୍ମଦା କଇଁ କଇଁ ହୋଇ କାନ୍ଦିଉଠିଲା ।

 

–ସୂର୍ଯ୍ୟକାନ୍ତ କହିଲା, ତମେ ଯଦି ଇମିତି ତମର ପଦ୍ମପାଖୁଡ଼ା ନୟନ ଯୁଗଳରୁ ଲୋତକର ବନ୍ୟା ଛୁଟାଇବ, ତଥାପି ମୁଁ ନାଚାର । ତମକୁ ଏତିକି ମନେ ରଖିବାକୁ ହେବ, ତମକୁ ବିବାହ କରିବା ପାଇଁ ମୁଁ ଭଲ ପାଇ ନଥିଲି । ମୁଁ ଭଲ ପାଇଥିଲି କେବଳ ତମକୁ ତିଳ ତିଳ କରି ଉପଭୋଗ କରିବା ପାଇଁ । ଆଜି ମୋର କାମନା, ବାସନା ଚରିତାର୍ଥ ହୋଇଛି । ଆଜି ତମେ ମୋ ନିକଟରେ ଅଲୋଡ଼ା, ଅପଦାର୍ଥ, ମୂଲ୍ୟହୀନ । ତମକୁ ଉପଭୋଗ କରି ସାରିବା ପରେ ତମର ସେଇ ମୂଲ୍ୟହୀନ କଳଙ୍କିତ ଦେହ ମୋର କୌଣସି ଉପକାର ଆସିବ ନାହିଁ । ବର୍ତ୍ତମାନ ତମେ ଫେରି ଯାଇପାର ।

 

ଆଖିରୁ ଲୁହ ପୋଛୁ ପୋଛୁ ନର୍ମଦା କହିଲା, ଏ ଦୁର୍ଦ୍ଦିନରେ ତମେ ଆଜି ମୋତେ ପରିହାସ କରୁଛ ସୂର୍ଯ୍ୟକାନ୍ତ ? ତମରି ସନ୍ତାନ ଆଜି ମୋ ଗର୍ଭରେ । ତଥାପି ମୋ ପ୍ରତି ତମର ଟିକିଏ ବି ଦୟା ହେଉନି ? ଶେଷରେ ମୋ ପାଇଁ ସହାନୁଭୂତି, ସମବେଦନା ବି ପ୍ରକାଶ କରି ପାରୁନ ?

 

ସୂର୍ଯ୍ୟକାନ୍ତ ତାତ୍ସଲ୍ୟ କରି କହିଲା–କିଏ କହିଲା ତମ ପ୍ରତି ମୋର ଦୟା, ସହାନୁଭୂତି ନାହିଁ ବୋଲି ? ତମ ପ୍ରତି ମୋର ସେତିକି ଆନ୍ତରିକତା ଅଛି ବୋଲି ଏ କଥା ମୁଁ କହୁଛି । ଯଦି ନିଜକୁ ଅକ୍ଷତ, ନିଷ୍କଳଙ୍କ, ନିରାପଦ ରଖିବାକୁ ଚାହଁ, ତେବେ ନଷ୍ଟ କରିଦିଅ ସେଇ ଅନାଗତ ସନ୍ତାନକୁ । କେହି ଜାଣିବେ ନାହିଁ, କେହି ଶୁଣିବେ ନାହିଁ, କେହି ବି ଦେଖିବେ ନାହିଁ । ଅତୀତର କଳଙ୍କିତ କାହାଣୀ ସେଇ ଅତୀତ ଭିତରେ ଲୀନ ହୋଇଯିବ । ସମାଜରେ ତମେ ମୁକ୍ତ ଭାବରେ ବିଚରଣ କରିବ । କେହି ଜାଣିପାରିବେ ନାହିଁ ତମର ଅତୀତର ଭଗ୍ନ ଇତିହାସ । ପୁଣି ଆମେ ପୂର୍ବପରି ଏଇ ଜୀବନ–ଯୌବନ ଉପଭୋଗ କରିବା; ଆଉ.....

 

ତମେ ମୋତେ କ’ଣ ବେଶ୍ୟା ବୋଲି ଭାବୁଛ ସୂର୍ଯ୍ୟକାନ୍ତ ! ମୁଁ ଖାଲି ତମକୁ ଦେହ ଦାନ କରୁଥିବି, ବିନିମୟରେ କିଛି ପାଇବି ନାହିଁ । ମୋର ଅସମୟରେ ତମେ ଟିକେ ବି ସାହାଯ୍ୟ କରିବନି ?

 

–ବେଶ୍ୟାର ଯେଉଁ ସମ୍ମାନ ଟିକକ ଅଛି ତମର ସେତିକି ସମ୍ମାନ ନାହିଁ ନର୍ମଦା । କିଛି ଅର୍ଥ ବିନିମୟରେ ଆବଦ୍ଧ କୋଠରୀ ଭିତରେ ବେଶ୍ୟା ପୁରୁଷକୁ ଦେହଦାନ କରେ । ଟଙ୍କାର ଉଷ୍ଣତା ଥିବା ପର୍ଯ୍ୟନ୍ତ ସେ ପୁରୁଷକୁ ସେତିକି ଉଷ୍ଣତା ଦେଇ ଚାଲିଥାଏ । ଅଥଚ ତମେ....ପରିବାର, ପିତାମାତାଙ୍କ ଆଖିରେ ଧୂଳିଦେଇ ପ୍ରେମିକ ପାଖକୁ ଧାଇଁଆସ ଦେହ ଦାନ କରିବା ପାଇଁ–ପୁଣି ବିନା ପ୍ରତିଦାନରେ ! ତମେ କୁହ, ବେଶ୍ୟାର ସମ୍ମାନ ଅଧିକ ନା ତୁମର ସମ୍ମାନ ଅଧିକ ?

 

ନର୍ମଦା ଆଉ କିଛି ଶୁଣିପାରି ନଥିଲା । ଆଖିରୁ ଲୁହ ପୋଛି ଫେରି ଆସିଥିଲା ଘରକୁ ।

 

ଭାବିଥିଲା, ସୂର୍ଯ୍ୟକାନ୍ତ ଉପରେ ପ୍ରତିଶୋଧ ନେବ । ଚିରଦିନ ପାଇଁ ସେଇ ପ୍ରତାରିତ ପୁରୁଷକୁ ଉଚିତ୍‍ ଶିକ୍ଷା ଦେବ ।

 

କିନ୍ତୁ ସୂର୍ଯ୍ୟକାନ୍ତ ପ୍ରତି କି ଶାସ୍ତିବିଧାନ କରି ପାରିବ ସେ ?

 

ନର୍ମଦାର ମନେ ପଡ଼ୁଥିଲା ଫାଲ୍‌ଗୁନୀ ଅପାର ଉପଦେଶ । –‘‘ସୂର୍ଯ୍ୟକାନ୍ତ ଆଭିଜାତ୍ୟର ସନ୍ତାନ ହୋଇପାରେ, ସଭ୍ୟ ସମାଜରେ ତା’ର ସୁନାମ ଥାଇପାରେ କିନ୍ତୁ ମଣିଷ ହିସାବରେ ସେ ନିହାତି ନିକୃଷ୍ଟ । ଚରିତ୍ର ହିସାବରେ ରାସ୍ତାଧାରର ତୃତୀୟ ଶ୍ରେଣୀ ଯୁବକଠୁଁ ବି ହୀନ ।’’ ହଠାତ୍‌ ଆଜି ଅପାର ସେଇ ଉପଦେଶ ମନେ ପଡ଼ି ତା’ ଆଖିରେ ଲୁହ ଆସୁଥିଲା ।

 

ଅନାହୂତ ଭାବେ କୋଠରୀ ଭିତରକୁ ପଶି ଆସିଲା ଫାଲ୍‌ଗୁନୀ । ଦେଖିଲା ପଲଙ୍କ ଉପରେ ମୁହଁମାଡ଼ି ଉଛୁଳି ଉଛୁଳି କାନ୍ଦୁଛି ନର୍ମଦା ।

ପ୍ରଥମ ନର୍ମଦା ଏମିତି ଅସମୟରେ କାନ୍ଦିବାର କାରଣ କ’ଣ ଖୋଜି ବସିଲା । କିଛି ସମୟ ଚିନ୍ତା କରିବା ପରେ ନର୍ମଦା ପାଖକୁ ଆସିଲା । ପଲଙ୍କ ଉପରେ ବସିପଡ଼ି ନର୍ମଦାର ମୁଣ୍ଡକୁ ନିଜ କୋଳ ଉପରକୁ ଉଠାଇ ଆଣି ତା’ର କପାଳରେ ହାତମାରି କହିଲା, କ’ଣ ହେଲା ନିରୁ, ଏମିତି କାନ୍ଦୁଛୁ କାହିଁକି ?

ନର୍ମଦା ଆହୁରି ଜୋରରେ କାନ୍ଦି ଉଠିଲା ।

କ’ଣ ହୋଇଛି ସତ କହ ନିରୁ ! ଏମିତି କାନ୍ଦିଲେ କିଛି ଲାଭ ହେବ ନାହିଁ ।

ନର୍ମଦା ଆଖିରୁ ଲୁହ ପୋଛି ରହିଲା, ସେ ଦିନର ତୋର ଉପଦେଶକୁ ଉପେକ୍ଷା କରି ମୁଁ ଭୁଲ୍‌ କରିଛି ଅପା ! ଜୀବନ ଯୁଦ୍ଧରେ ଆଜି ମୁଁ ଭୀଷଣ ଭାବେ ହାରି ଯାଇଛି । ଶୋଚନୀୟ ଭାବେ ପରାଜୟ ଘଟିଛି ମୋର । ଯେଉଁ ସୂର୍ଯ୍ୟକାନ୍ତକୁ ମୁଁ ନିବିଡ଼ ଭାବରେ ମନ–ପ୍ରାଣ ଦେଇ ଭଲ ପାଉଥିଲି ସେଇ ସୂର୍ଯ୍ୟକାନ୍ତ ଆଜି ମୋତେ ପ୍ରତାରିତ କରିଛି, ଅଥଚ ସୂର୍ଯ୍ୟକାନ୍ତର ସନ୍ତାନ ମୋ ଗର୍ଭକୋଷରେ ଖେଳି ବୁଲୁଛି ।

ନିରୁ ! ଫାଲ୍‌ଗୁନୀ ଚିତ୍କାର କରି ଉଠିଲା ।

ମୁଁ ସତ କହୁଛି ଅପା । କିମିତି ଏଇ ଜଟିଳ ପରିସ୍ଥିତିରୁ ରକ୍ଷା ପାଇବି ମୋତେ ଉପାୟ ବତାଇ ଦେ । ନ ହେଲେ ମୁଁ ଆତ୍ମହତ୍ୟା କରିବି ।

ନିରୁ !

ହଁ ଅପା ! ଆତ୍ମହତ୍ୟା ଛଡ଼ା ମୋର ଅନ୍ୟ ଉପାୟ ନାହିଁ । ସମାଜ, ପରିବାରରେ କାହାକୁ ମୁଁ ମୁହଁ ଦେଖାଇବି । ବାପା କ’ଣ କହିବେ ?

ଫାଲ୍‌ଗୁନୀ ଚିନ୍ତା କରୁଥିଲା ।

ଅନେକ ସମୟ ଚିନ୍ତା କରିବା ପରେ ଫାଲଗୁନୀ କହିଲା, ହଉ ଉଠ୍‌ ! ସବୁ ବ୍ୟବସ୍ଥା ମୁଁ କରିଦେବି ।

ନର୍ମଦା ଉଦ୍‌ବିଗ୍ନ ହୋଇ ଚାହିଁଲା ।

ଫାଲ୍‌ଗୁନୀ ଟେବୁଲ ଉପରୁ ପ୍ୟାଡ୍‌ ଟାଣି ଆଣି ଖଣ୍ଡେ ଚିଠି ଲେଖିଲା । ଚିଠିଟିକୁ ନର୍ମଦା ହାତକୁ ବଢ଼ାଇ ଦେଇ କହିଲା, ଏ ଚିଠିଟି ନେଇ ଶ୍ରୀମତୀ ଜ୍ୟୋତ୍ସ୍ନା ମହାପାତ୍ରଙ୍କୁ ଦେବୁ । ସେ ସବୁ ବ୍ୟବସ୍ଥା କରିଦେବେ ।

କିନ୍ତୁ.....

ବ୍ୟସ୍ତ ହେବାର କିଛି ନାହିଁ । ସେ ମୋର ସାଥୀ ଥିଲେ ଓ ବର୍ତ୍ତମାନ ବି ଅଛନ୍ତି । ତାଙ୍କ ଉପରେ ମୋର ଗଭୀର ବିଶ୍ୱାସ ଅଛି । ତଥାପି ଏ କଥାକୁ ଏକାନ୍ତ ଗୁପ୍ତ ରଖିବେ ବୋଲି ମୁଁ ଅନୁରୋଧ କରିଛି ।

ନର୍ମଦା ଓଠର ଉପକୂଳରେ ଇଷତ ହସ ଖେଳିଗଲା । ଚିଠି ଖଣ୍ଡିକ ଫାଲଗୁନୀ ହାତରୁ ନେଇ ହସି ହସି ଚାଲିଗଲା ।

ଫାଲ୍‌ଗୁନୀ ଭାବୁଥିଲା, ନର୍ମଦା ଆଜି ପରିତ୍ୟକ୍ତା, ଅବହେଳିତା । ସୂର୍ଯ୍ୟକାନ୍ତ ପ୍ରତାରିତ କରିଛି ତାକୁ । ଏତେଦିନ ପରେ ପଟ୍ଟନାୟକ ବଂଶର ବୁନିୟାଦିରେ କଳଙ୍କର କାଳିମା ନେସି ହୋଇଯାଇଛି । ଦିନ ଚାଲିଯିବ, ଏଇ ମଣିଷ ଚାଲିଯିବେ ତଥାପି କଳଙ୍କର କାଳିମା ସେମିଦତି ଦାଉ ଦାଉ ହୋଇ ଜଳୁଥିବ ଚିରଦିନ ପର୍ଯ୍ୟନ୍ତ–ନର୍ମଦା ବଞ୍ଚିଥିବା ପର୍ଯ୍ୟନ୍ତ ।

ପଟ୍ଟନାୟକ ବଂଶରେ କଳଙ୍କ ଲାଗିବ ନାହିଁ ବୋଲି ସେଦିନ ସେ କେତେ ଆପଣାର କରି ନର୍ମଦାକୁ ବୁଝାଇ ଥିଲା, ସତର୍କ କରି ଦେଇଥିଲା, ସୂର୍ଯ୍ୟକାନ୍ତ ଚରିତ୍ରର ଟିକିନିଖି ବିବରଣୀ ଦେଇଥିଲା । ସୂର୍ଯ୍ୟକାନ୍ତ କେଉଁ କେଉଁ କୁମାରୀ କନ୍ୟାର ଉଜ୍ୱଳ ଭବିଷ୍ୟତ ନଷ୍ଟ କରିଛି ତାହା ବି କହିଥିଲା । ଆଉ କହିଥିଲା, ସୂର୍ଯ୍ୟକାନ୍ତ ତୋର ଉପଯୁକ୍ତ ନୁହେଁ । ତୁ ସୂର୍ଯ୍ୟକାନ୍ତ ଉପରେ ଭରଷା ରଖିଲେ ଭବିଷ୍ୟତରେ ନିଶ୍ଚୟ ଅନୁତାପ କରିବୁ ।

ଆଜି ଠିକ୍‌ ସେଇୟା ହୋଇଛି । ପଟ୍ଟନାୟକ ବଂଶର କଳଙ୍କର କାଳିମା ଆଜି ନର୍ମଦାର ଗର୍ଭକୋଷରେ ।

କିନ୍ତୁ ନର୍ମଦାର ଭବିଷ୍ୟତ ଜୀବନ କ’ଣ ହେବ ? ଯାହାକୁ ପାଥେୟ କରି ସେ ତା’ର ସୁଦୀର୍ଘ ଜୀବନ କଟାଇବ ?

ନର୍ମଦା ସେଦିନ କହିଥିଲା ‘ତୁ ବୁଝିପାରିବୁନି ଅପା ! ଜୀବନରେ ତୁ କାହାକୁ ଭଲପାଇ ନାହୁଁ । ତେଣୁ ତୁ କେମିତି ଜାଣିବୁ ଭଲ ପାଇବାର ପୁଲକ, ଉତ୍ସାହ, ଶିହରଣ । ତୁ କିମିତି ଅନୁଭବ କରିବୁ ଭଲ ପାଇବାର ମାଦକତା ! ଆଜି ମୁଁ ସୂର୍ଯ୍ୟକାନ୍ତକୁ ଭଲ ପାଇ ଯେଉଁ ଆନନ୍ଦ ଉପଭୋଗ କରୁଛି, ଦୁନିଆର ଯେ କୌଣସି ଆମୋଦ ତା’ପାଖରେ ବୃଥା, ନିଷ୍ପ୍ରୟୋଜନ । ତେଣୁ ସୂର୍ଯ୍ୟକାନ୍ତ ପାଖରୁ ଦୂରେଇ ରହିବାକୁ ମୋତେ ବାଧ୍ୟ କର ନାହିଁ । ’

କିନ୍ତୁ ଆଜି ସୂର୍ଯ୍ୟକାନ୍ତ ଦୂରେଇ ଯାଇଛି ନର୍ମଦା ନିକଟରୁ । ନର୍ମଦାକୁ ପ୍ରତାରିତ କରି, ନର୍ମଦାର ପବିତ୍ର ନିଷ୍କଳଙ୍କ ଅଙ୍ଗ ଅବୟବରେ ବିଷମଞ୍ଜି ବୁଣି ଯୋଜନ ଯୋଜନ ଦୁରକୁ ଚାଲିଯାଇଛି । ଆଉ ନର୍ମଦା ଜୀବନର ଅୟମାରମ୍ଭରେ ସୂର୍ଯ୍ୟକାନ୍ତ ଦ୍ୱାରା ଧର୍ଷିତା, ପରାଜିତା ହୋଇ ଅତୀତର ଭୁଲି ପାଇଁ ଆଖିରୁ ଲୁହ ଗଡ଼ାଉଛି । ଜୀବନଟା ନିରର୍ଥକ ହୋଇଗଲା ବୋଲି ଗଭୀର ଅନୁତାପ କରୁଛି ।

ଅଥଚ ସେଦିନ କହୁଥିଲା, ଯେଉଁ ତରୁଣୀ ଜୀବନରେ କୌଣସି ପୁରୁଷକୁ ଭଲପାଇନି ସେ ବଞ୍ଚିବା ଅପେକ୍ଷା ମରିଯିବା ଶ୍ରେୟସ୍କର ।

ଫାଲଗୁନୀ ଭାବିଲା, ସେଦିନର ନର୍ମଦାର ଆଦର୍ଶଭରା ଉପଦେଶ–ଗୁଡ଼ିକ ଆଜି ତା’ ନିଜ ପାଇଁ ନିରର୍ଥକ ହୋଇ ଉଠିଛି । ସେଇଥିପାଇଁ ନିଜ ଅଲୋଡ଼ା ଜୀବନକୁ ଜନସମାଜରେ ଉଝେଇ ଦେବାକୁ ଚାହେଁ ।

ନର୍ମଦାର ଗୌରବୋଜ୍ଜ୍ୱଳ ଅଧ୍ୟାୟର ଏକ ପରିଚ୍ଛେଦ ଚିନ୍ତା କରୁ କରୁ ହଠାତ୍‌ ତା’ ନିଜ କଥା ମନେ ପଡ଼ିଗଲା । ସତରେ ! ଏ ଜୀବନଟା ତା’ର ବ୍ୟର୍ଥ ହୋଇଗଲା । ଏ ଜନ୍ମଟା ତା’ର ନିରର୍ଥକ ହୋଇଗଲା । ସାଙ୍ଗ ସାଥି ମେଳରେ ଅନେକ ପ୍ରେମ କାହାଣୀ ଶୁଣିଛି । ଉପନ୍ୟାସରେ ଅନେକ କାଳ୍ପନିକ ଚରିତ୍ର ପଢ଼ିଛି । ସାଥିମାନଙ୍କଠାରୁ ସେମାନଙ୍କର ପ୍ରେମିକର ପ୍ରେମପତ୍ର ପଢ଼ିଛି । ଜୀବନରେ ଅନେକ ପୁରୁଷ ବନ୍ଧୁ ସହିତ ନିରୋଳାରେ ମିଶିଛି । ଅଥଚ ଆଜି ପର୍ଯ୍ୟନ୍ତ ଭଲପାଇ ପାରିନାହିଁ । କାହାକୁ ପ୍ରେମ କରି ନାହିଁ, ପୁରୁଷ ବକ୍ଷରେ ଉଷ୍ମତା ଅନୁଭବ କରିନାହିଁ ।

 

କିନ୍ତୁ ନର୍ମଦା ସେ ଦିନ କହୁଥିଲା, ଜୀବନର ଅୟମାରମ୍ଭରେ ଯଦି ଭଲପାଇବାର ଜୁଆର ଉଠି ନଥାଏ ତେବେ ସେ ଜୀବନ ନିରର୍ଥକ ବୋଲି ଭାବିବାକୁ ପଡ଼ିବ । ଖାଇ ପିଇ ବଞ୍ଚି ରହିବାର ଜୀବନକୁ ଜୀବନ କୁହାଯାଏନି । ଜୀବନରେ ଯଦି ଉପଭୋଗ ନାହିଁ, ଅନୁଭବ ନାହିଁ ସେ ଜୀବନ ବ୍ୟର୍ଥ, ସେ ଯୌବନ ନିରର୍ଥକ । ଅଥଚ ଆଜି.....

 

ଆଜି ସେଇ ନର୍ମଦା ଭଲପାଇବାର ଜ୍ୱାଳାରେ ଛଟପଟ ଦେଉଛି । ଜୀବନ–ଯୌବନର ମୋହ ତୁଟାଇ ଆତ୍ମହତ୍ୟା କରିପାରୁନି କି ବଞ୍ଚିରହି ଜୀବନକୁ ଉପଭୋଗ କରିପାରୁ ନାହିଁ ।

 

ତେବେ ଉପାୟ....

 

ଉପାୟ ଅନେକ ଅଛି । ଗଭୀର ଚିନ୍ତାକରି ଉପାୟ ଉଦ୍ଭାବନ କରିବାକୁ ପଡ଼ିବ । ମାଟି ଗୋଡ଼ି ଭଳି ଜୀବନକୁ ହେୟ ନ କରି ବଞ୍ଚିବାକୁ ହେବ–ମଣିଷ ଭଳି ମଣିଷ ହେବାକୁ ପଡ଼ିବ ।

 

ଫାଲ୍‌ଗୁନୀ ମନେ ମନେ ଶ୍ରୀକାନ୍ତକୁ ଖୋଜୁଥିଲା ।

 

‘କାହାଣୀ ନୁହେଁ’ ଉପନ୍ୟାସ କେବଳ ଦିନକ ପାଇଁ ସେ ଶ୍ରୀକାନ୍ତ ପାଖରୁ ଆରିଥିଲା । କଥା ଦେଇଥିଲା, କାଲି କଲେଜରେ ନିଶ୍ଚୟ ଫେରାଇ ଦେବ । କିନ୍ତୁ ତହିଁଆର ଦିନ ଶ୍ରୀକାନ୍ତ ଆସି ନ ଥିଲା କଲେଜକୁ । ତେଣୁ ବାଧ୍ୟ ହୋଇ ସେ ଉପନ୍ୟାସଟି ଘରକୁ ଫେରାଇ ନେଇଥିଲା ।

 

ପ୍ରତିଦିନ କଲେଜର ପାଠ୍ୟପୁସ୍ତକ ସାଥିରେ ଉପନ୍ୟାସଟି ଆଣିଛି । କିନ୍ତୁ କ୍ରମାଗତ ସାତଦିନ ଶ୍ରୀକାନ୍ତ ଅନୁପସ୍ଥିତ ରହିଛି କ୍ଳାସରେ ।

 

ଆଜି ବି ସେମିତି ଶ୍ରୀକାନ୍ତ ଅନୁପସ୍ଥିତ ଥିଲା ।

 

ଅନୁପସ୍ଥିତ ହେବାର କାରଣ ଖୋଜୁଥିଲା । ଫାଲ୍‌ଗୁନୀ । ଶ୍ରୀକାନ୍ତ କୃତ୍ତିଛାତ୍ର । କୌଣସି ଦିନ କ୍ଳାସରେ ଅନୁପସ୍ଥିତ ରହେ ନାହିଁ । କୌଣସି ଦିନ କ୍ଳାସରେ ଉପସ୍ଥିତ ରହି କେବେ ଅନ୍ୟମନସ୍କ ହୁଏ ନାହିଁ । ଅଥଚ ସେଇ ଶ୍ରୀକାନ୍ତ କ୍ରମାଗତ ସାତଦିନ ହେବ ଅନୁପସ୍ଥିତ ରହିଛି କାହିଁକି ?

 

ଫାଲ୍‌ଗୁନୀ ଭାବିଲା, ଶ୍ରୀକାନ୍ତର ସାଥି ଯୁବକ ବନ୍ଧୁମାନଙ୍କୁ ପଚାରିବ, ଶ୍ରୀକାନ୍ତ ଅନୁପସ୍ଥିତ ରହିବାର କାରଣ ଜାଣିବାକୁ ଚାହିବ ।

 

କିନ୍ତୁ ସେଇ ପରମ ହିତାକାଙ୍‌କ୍ଷୀ ବନ୍ଧୁମାନେ ଉତ୍ତରରେ ଯଦି କହିବେ–ଆପଣ କ’ଣ ଶ୍ରୀକାନ୍ତକୁ ଭଲ ପାଆନ୍ତି ?

 

ତେବେ କ’ଣ ଉତ୍ତର ଦେବ ସେ ?

 

ନାଁ, କାହାକୁ ପଚାରିବ ନାହିଁ । ପଚାରିବାର ପ୍ରୟୋଜନ ନାହିଁ । ଅନ୍ୟକୁ ପଚାରି ନିଜେ ଅପ୍ରସ୍ତୁତ ହେବାକୁ ଚାହେଁନା ।

 

କ୍ଳାସ ସରିଲା ।

 

ଫାଲ୍‌ଗୁନୀ ମଟରରେ ଷ୍ଟାର୍ଟ ଦେଇ ଜନଗହଳି ରାସ୍ତାରେ ଗାଡ଼ି ଛୁଟାଇ ଦେଲା ।

 

ଅନେକଦୂର ଗଲାପରେ ଗାଡ଼ିର ଗତି ମନ୍ଥର କଲା ଫାଲ୍‌ଗୁନୀ । ରାସ୍ତା ଉପରେ ଯୁବକଟି ଅନ୍ୟମନସ୍କ ଭାବରେ ଚାଲୁଛି । ବାରମ୍ବାର ହର୍ଣ୍ଣ ଦେବା ସତ୍ତ୍ୱେ ଯୁବକଟି ରାସ୍ତା ମଝିରୁ କଡ଼କୁ ଆସୁନାହିଁ କି ପଛକୁ ଲେଉଟି ଚାହୁନାହିଁ ।

 

ଫାଲ୍‌ଗୁନୀ ଗାଡ଼ିର ଗତି ଆହୁରି ମନ୍ଥର କରି ହର୍ଣ୍ଣ ଦେଲା ।

 

ତଥାପି ଯୁବକଟି ଅନ୍ୟମନସ୍କ ।

 

ଯୁବକଟି ପଛରେ ଗାଡ଼ି ବ୍ରେକ୍‌ଦେଇ ଲମ୍ବା ହର୍ଣ୍ଣ ଦେଲା ଫାଲ୍‌ଗୁନୀ ।

 

ଯୁବକଟି ରାସ୍ତାକଡ଼କୁ ଆସି ପଛକୁ ଲେଉଟି ଚାହିଁଲା ।

 

ଫାଲଗୁନୀ ଭାବିଥିଲା, ଭଦ୍ରଯୁବକଟିକୁ ଭଲକରି ଦି’ ପଦ ଶୁଣାଇ ଦେବ । ଯାହାର ରାସ୍ତା ଉପରେ ଚାଲିବାର ସାଧାରଣ ଭଦ୍ରତା, ଶିଷ୍ଟାଚାର ଜ୍ଞାନ ନାହିଁ ସେ ଭଳି ମଣିଷ ଘରୁ ବାହାରିବା ଆଦୌ ଉଚିତ ନୁହେଁ । କିନ୍ତୁ ମଟର ବ୍ରେକ୍‌ କରି ଯାହାଙ୍କୁ ଅପ୍ରତ୍ୟାଶିତ ଭାବେ ଦେଖିଲା, ତାଙ୍କୁ ଦି’ ପଦ ଶୁଣାଇବ କ’ଣ, ପ୍ରତିବଦଳରେ ସମ୍ମାନ ଜଣାଇବାକୁ ଉତ୍କଣ୍ଠିତ ହୋଇ ଉଠିଲା ।

 

ଆରେ ଶ୍ରୀକାନ୍ତବାବୁ ଯେ ? ନମସ୍କାର ଜଣାଇଲା ଫାଲ୍‌ଗୁନୀ ।

 

ଶ୍ରୀକାନ୍ତ ପ୍ରତିନମସ୍କାର ଜଣାଇ ଫାଲ୍‌ଗୁନୀ ପାଖକୁ ଆସିଲା ।

 

ଫାଲ୍‌ଗୁନୀ କହିଲା, ସାତଦିନ ହେବ କଲେଜରେ ଅନୁପସ୍ଥିତ, ପୁଣି ରାସ୍ତା ଉପରେ ଏତେ ଅନ୍ୟମନସ୍କ ଭାବରେ ଚାଲୁଛନ୍ତି ଯେ ବାରମ୍ବାର ହର୍ଣ୍ଣ ଦେବା ସତ୍ୱେ ରାସ୍ତାକଡ଼କୁ ଆସୁନାହାନ୍ତି । ଏସବୁର କାରଣ ଜାଣିପାରେ କି ? ଆଜି ମୁଁ ନ ହୋଇ ଅନ୍ୟ କିଏ ହୋଇଥିଲେ ନିଶ୍ଚୟ ଦୁର୍ଘଟଣା ହୋଇଥାଆନ୍ତା ।

 

ସେଥିପାଇଁ ମୁଁ ଭୀଷଣ ଦୁଃଖିତ ଫାଲ୍‌ଗୁନୀ । ସତରେ ମୁଁ ଅନ୍ୟମନସ୍କ ଥିଲି ।

 

କାହିଁକି ? ଫାଲ୍‌ଗୁନୀ ପଚାରିଲା ।

 

ତମ ପ୍ରଶ୍ନର ଉତ୍ତର ଦେବାକୁ ମୋର ସମୟ ନାହିଁ ଫାଲ୍‌ଗୁନୀ । ସମୟ ହେଲେ ମୁଁ ପରେ କହିବି । କିନ୍ତୁ ମୋର ଗୋଟିଏ ଅନୁରୋଧ ରଖିବ ? ଶ୍ରୀକାନ୍ତ ବିନୀତ କଣ୍ଠରେ ଅନୁରୋଧ କଲା ।

 

ଅନୁରୋଧ ! ପୁଣି ମୋ ପାଖରେ ? ଆଶ୍ଚର୍ଯ୍ୟ.....

 

ଉପକ୍ରମଣିକା ଦେବାକୁ ମୋର ସମୟ ନାହିଁ ଫାଲଗୁନୀ । ପରିହାସ କରିବାର ଏ ମଧ୍ୟ ଉପଯୁକ୍ତ ସମୟ ନୁହେଁ । ପଦେ କଥାରେ କହିଲେ ଏତିକି ଯଥେଷ୍ଟ ହେବ ଯେ, ମୋତେ ଟିକେ ମଟରରେ ନେଇ ଆମ ଘର ପର୍ଯ୍ୟନ୍ତ ଯାଇପାରିବେ ?

 

ଫାଲ୍‌ଗୁନୀର ମନେ ପଡ଼ୁଥିଲା ବିଗତ ଦିନର କଥା । ଶ୍ରୀକାନ୍ତକୁ ସାଥୀରେ ନେବାପାଇଁ ଦିନେ ସେ କେତେ ଅନୁରୋଧ କରିଥିଲା, କିନ୍ତୁ ସେ ଦିନ ଶ୍ରୀକାନ୍ତ କହିଥିଲା–ମୋର ପାଦ ଦି’ଟା ଖୁବ୍‌ଶକ୍ତ ଅଛି ଫାଲ୍‌ଗୁନୀ । ଘଣ୍ଟାକ ପାଇଁ ମଟରରେ ଯାଇ ମୁଁ ତମର ଅନୁଗ୍ରହପ୍ରାର୍ଥୀ ହେବାକୁ ଚାହେଁନା ।

ଆଜି ପୁଣି ସେଇ ଶ୍ରୀକାନ୍ତ ବିନୀତ କଣ୍ଠରେ ଅନୁରୋଧ କରୁଛି । ଫାଲ୍‌ଗୁନୀ ଭାବିଥିଲା, ସିଧାସଳଖ ଶ୍ରୀକାନ୍ତକୁ ମନା କରିଦେବ । କହିବ, ସେଦିନର ଆପଣଙ୍କ ଶକ୍ତ ପାଦ ଦୁଇଟା ଏଇ କେଇଟା ଦିନ ଭିତରେ ଏତେ ଦୁର୍ବଳ ହୋଇପଡ଼ିଲା କିମିତି ? ସେଦିନର ଦମ୍ଭ, ଅହଙ୍କାର ଆଜି କୁଆଡ଼େ ଗଲା ??

ଫାଲ୍‌ଗୁନୀର ଭାବନାରେ ବାଧାଦେଇ ଶ୍ରୀକାନ୍ତ କହିଲା, ତମେ ମନା କରନାହିଁ ଫାଲ୍‌ଗୁନୀ । ଭୀଷଣ ଅସୁବିଧାରେ ପଡ଼ି ତମକୁ ଅନୁରୋଧ କରିବାକୁ ବାଧ୍ୟ ହେଉଛି । ଘରେ ମାଆ ମୋର ଶକ୍ତ ବେମାର । ମୁଁ ପହଞ୍ଚିଲା ବେଳକୁ ମାଆ ବଞ୍ଚିଥିବ କି ନାହିଁ ସନ୍ଦେହ । ଡାକ୍ତର ପାଖକୁ ଆସିଥିଲି ଔଷଧ ନେବାକୁ । କିନ୍ତୁ ସେଠାରେ ସାଇକେଲ୍‌ ମୋର ଚୋରି ହୋଇଗଲା ।

ଶ୍ରୀକାନ୍ତର ଅଭିଯୋଗ ହୃଦୟଙ୍ଗମ କଲା ଫାଲ୍‌ଗୁନୀ । ଏଇଥିପାଇଁ ଶ୍ରୀକାନ୍ତ ବୋଧେ ଅନୁପସ୍ଥିତ ରହିଛି କ୍ଳାସରେ ଏବଂ ରାସ୍ତାରେ ଅନ୍ୟମନସ୍କ ହୋଇ ଚାଲୁଛି । ତେଣୁ ସେ ବିଳମ୍ବ ନ କରି ଫ୍ରଣ୍ଟସିଟ୍‌ ଗେଟ୍‌ ଖୋଲିଦେଇ କହିଲା, ଆସନ୍ତୁ !

ଶ୍ରୀକାନ୍ତ ବସିପଡ଼ିଲା ମଟର ଭିତରେ ।

ଗାଡ଼ି ଚାଲିଲା ।

ଫାଲ୍‌ଗୁନୀ କହିଲା–ଆପଣଙ୍କ ମାଆ କେବେଠାରୁ ଶଯ୍ୟାଶାୟୀ ହେଲେଣି ?

ଶ୍ରୀକାନ୍ତ ନିରୁତ୍ତର, ଅନ୍ୟମନସ୍କ ।

ଗୋଟିଏ ଛପର ଘର ପାଖରେ ଗାଡ଼ି ରଖିବାକୁ ନିର୍ଦ୍ଦେଶ ଦେଲା ଶ୍ରୀକାନ୍ତ ।

ଫାଲ୍‌ଗୁନୀ ଗାଡ଼ି ରଖିଲା ।

ଗାଡ଼ି ରହିବାକ୍ଷଣି ଶ୍ରୀକାନ୍ତ ଦରଜା ଖୋଲି ଘର ଭିତରେ ପ୍ରବେଶ କଲା ।

ଶ୍ରୀକାନ୍ତ ପଛେ ପଛେ ଫାଲଗୁନୀ ମଧ୍ୟ ଘର ଭିତରକୁ ପଶିଲା ।

ମଧ୍ୟବିତ୍ତ ଶ୍ରେଣୀର ତିନି ବଖରା ମଧ୍ୟମ କୋଠରୀ । ଦାଣ୍ଡ ଘରଟି ଖୁବ୍‌ଛୋଟ । ତା’ପରେ ଶ୍ରୀକାନ୍ତର ଶୟନ କକ୍ଷ, ଖଣ୍ଡିଏ ସାଧା ଖଟ । ଗୋଟିଏ ଟେବୁଲ୍‌, ଗୋଟିଏ ଚେୟାର । ଟେବୁଲ ଉପରେ ବିପର୍ଯ୍ୟସ୍ତ ଭାବରେ କେତେଖଣ୍ଡ ବହି ପଡ଼ି ରହିଛି । ଝରକାକଡ଼ କାନ୍ଥ ବ୍ରାକେଟରେ କେତେଖଣ୍ଡ ଧୋତି ସାଟ ଝୁଲୁଛି । ତା’ପରେ ଆଉ ଗୋଟିଏ ଛୋଟ ଘର । ସେଇ ଘରର ବାରଣ୍ଡାରେ ରୋଷାଇ ହୁଏ, ଆଉ ସେଇ ଘର ଭିତରେ ଶ୍ରୀକାନ୍ତର ମାଆ ଶଯ୍ୟାଶାୟିନୀ ।

କାହାର ପାଦ ଶଦ୍ଦ ଶୁଣି ଶ୍ରୀକାନ୍ତ ବୁଲିପଡ଼ି ପଛକୁ ଚାହିଁଲା । ଆରେ ! ତମେ ବି ଆସି ଯାଇଛ ଫାଲ୍‌ଗୁନୀ ? ତମ କଥା ମୁଁ ପୂରାପୂରି ଭୁଲି ଯାଇଥିଲି । ହଉ, ବସ ! ଆରେ, ଏ ଘରେ ଚେୟାର ନାହିଁ ଯେ ? ମୁଁ ଚେୟାରଟା ଆଣେ ।

 

ଶ୍ରୀକାନ୍ତର ହାତକୁ ଧରି ବାଧା ଦେଲା ଫାଲ୍‌ଗୁନୀ । କହିଲା, ଚେୟାର ଆଣିବାର ପ୍ରୟୋଜନ ନାହିଁ । ପ୍ରଥମେ ମାଆଙ୍କ କଥା ବୁଝନ୍ତୁ ।

 

ଶ୍ରୀକାନ୍ତ ଡାକିଲା, ମାଆ, ମାଆ !

 

ହୀରାମଣି ଆଖି ଖୋଲି ଚାହିଁଲେ ।

 

ଶ୍ରୀକାନ୍ତ ପାଟିରେ ଔଷଧ ଦେଲା ।

 

ହୀରାମଣୀଙ୍କ ଆଖି ପଡ଼ିଲା ଫାଲ୍‌ଗୁନୀ ଉପରେ । ହଠାତ୍‌ ବିଛଣାରୁ ଉଠିବାକୁ ଚେଷ୍ଟା କରୁ କରୁ କହିଲେ, ଆରେ କାନ୍ତ ! ଏ ମାଆଟି ମୋର କିଏ ଚିହ୍ନାଇ ଦେଲୁ ନାହିଁ ଯେ ?

 

ଫାଲ୍‌ଗୁନୀ ହୀରାମଣୀଙ୍କ ପାଦ ପାଖରେ ବସି ସାରିଥିଲା ଅନେକ–ବେଳୁ । ହୀରାମଣୀଙ୍କ ପ୍ରଶ୍ନ ଶୁଣି ସେ କହିଲେ, ଶ୍ରୀକାନ୍ତବାବୁଙ୍କର ମୁଁ ବନ୍ଧୁ । ଗୋଟିଏ କଲେଜରେ ସାଥୀ ହୋଇ ଆମେ ପଢ଼ୁ ।

 

ବାସ୍‌ ଏତିକି ? ହୀରାମଣୀ ପ୍ରାଶ୍ନିଳ ଦୃଷ୍ଟିରେ ଚାହିଁଲେ ।

 

ଏତିକି ଛଡ଼ା ଆଉ କି ପରିଚୟ ହୋଇପାରେ ? ଫାଲ୍‌ଗୁନୀ ଉତ୍ତର ଦେଲା ।

 

କଥା ମଝିରେ ବାଧା ଦେଲା ଶ୍ରୀକାନ୍ତ । କଥା ଭାଷା କରିବାର ସମୟ ଏ ନୁହେଁ ମାଆ ! ଡାକ୍ତରବାବୁ କହିଛନ୍ତି ଔଷଧ ଅପେକ୍ଷା ଚୁପ୍‌ଚାପ ନୀରବରେ ଶୋଇଯିବା ହେଉଛି ପ୍ରକୃତ ଔଷଧ ।

 

ହୀରାମଣୀଙ୍କ ଆଖିପତା ଘୂରେଇଲା ଧୀରେ ଧୀରେ ମୁଦି ହୋଇ ଆସୁଥିଲା ।

 

ଫାଲଗୁନୀ ଦୃଷ୍ଟି ଘୂରାଇଲା ଚାରିଆଡ଼କୁ । ଘର ଭିତରେ ବିଶେଷ କିଛି ଜିନିଷ ନାହିଁ । ହୀରାମଣୀଙ୍କ ମୁଣ୍ଡ ପାଖରେ ଗୋଟିଏ ଟ୍ରଙ୍କ । ତା’ଉପରେ ଗୋଟିଏ ଛୋଟ ଔଷଧ ଗ୍ଳାସ, ଗୋଟିଏ ବେଦନା, ଦୁଇଟି କମଳା ଲେମ୍ବୁ, ତିନୋଟି ଔଷଧ ଶିଶି, ଦୁଇଟି ଖାଲି ଇଞ୍ଜେକ୍‌ସନ ଆମ୍ପେଲ୍‌ ।

 

ବାହାରେ ଦିନର ଆଲୋକ ମରି ମରି ଆସୁଥାଏ ।

 

ଶ୍ରୀକାନ୍ତ ସେଇ କୋଠରୀରୁ ନିଷ୍କ୍ରାନ୍ତ ହୋଇଗଲା । ନିଜ ହାତରେ ଲଣ୍ଠନର କାଚ ପରିଷ୍କାର କରି, ଆଲୁଅ ଜାଳି ହୀରାମଣୀଙ୍କ କୋଠରୀରେ ରଖିଲା ।

 

ଫାଲ୍‌ଗୁନୀ ଧୀରେ ସ୍ୱରରେ କହିଲା, ମାଆ କେବେଠାରୁ ବେମାର ପଡ଼ିଲେଣି ?

 

ପ୍ରାୟ ମାସେ ଖଣ୍ଡେ ହେବ । ତଥାପି ସେଇ ଅସୁସ୍ଥ ସ୍ୱାସ୍ଥ୍ୟ ନେଇ ଅବିଚଳିତ ଭାବରେ ରୋଷାଇଠାରୁ ଆରମ୍ଭ କରି ଘରର ଯାବତୀୟ କାର୍ଯ୍ୟ କରୁଥିଲେ । କିନ୍ତୁ ଏଇ ଆଠଦିନ ହେବ ଶରୀରର ଅତ୍ୟଧିକ ଦୁର୍ବଳତା ନେଇ ଉଠିବସି ନ ପାରିବାରୁ ବିଛଣା ଧରିଲେ ଆଉ ମୁଁ ନିଜେ ରୋଷାଇ କରି ମାଆଙ୍କ ପାଇଁ କିଛି ପଥ୍ୟ ମଧ୍ୟ ତିଆରି କରେ ।

 

ଗୋଟିଏ ଚାକର ରଖୁ ନାହାନ୍ତି ? ଫାଲ୍‌ଗୁନୀ କହିଲା ।

 

ଉତ୍ତରରେ ଶ୍ରୀକାନ୍ତ କହିଲା, ଚାକର ରଖିବାର ସାମର୍ଥ୍ୟ ଥିଲେ ମୁଁ କେବେ ମୋର ବୃଦ୍ଧାମାତାଙ୍କୁ ଏତେ କଷ୍ଟ ଦିଅନ୍ତି ନାହିଁ । ତା’ ଛଡ଼ା ନିଜ ମାଆଙ୍କ ହାତର ରୋଷାଇରରେ ଯେଉଁ ସ୍ୱାଦ ରହିଥାଏ, ଚାକର ହାତର ରୋଷାଇ କ’ଣ ତାହାଠାରୁ ବେଶି ସୁସ୍ୱାଦୁ ହେବ ବୋଲି ତମେ ଭାବୁଛ ?

 

ଫାଲ୍‌ଗୁନୀ ଅବାକ୍‌ ହେଲା । ସେ କୌଣସି ମୁହୂର୍ତ୍ତରେ ଶ୍ରୀକାନ୍ତକୁ ଯୁକ୍ତିରେ ଜୟଲାଭ କରି ପାରିଲା ନାହିଁ । ତଥାପି କହିଲା, ମାଆଙ୍କ ହାତରେ ରୋଷାଇରେ ମଣିଷ ଯେଉଁ ଆତ୍ମତୃପ୍ତି ଲାଭ କରେ ତାହା ଚାକର ହାତର ରୋଷାଇରେ ନ ଥାଏ । ତଥାପି ଅସୁବିଧାରେ ପଡ଼ି ମଣିଷ ଚାକର ରଖିବାକୁ ବାଧ୍ୟ ହୋଇଥାଏ ।

 

ମୁଁ କିନ୍ତୁ କିଛି ଅସୁବିଧାରେ ପଡ଼ି ନାହିଁ ତ ?

 

ମାନେ ? ଫାଲ୍‌ଗୁନୀ ପ୍ରାଶ୍ନିଳ ଦୃଷ୍ଟିରେ ଚାହିଁଲା ।

 

ସେ ଅନେକ କଥା ଫାଲ୍‌ଗୁନୀ । ସମୟ ହେଲେ ନିଶ୍ଚୟ କହିବି । ବର୍ତ୍ତମାନ ମାଆ ଶୋଇପଡ଼ିଛନ୍ତି । ଆମ ଆଲୋଚନାରେ ତାଙ୍କର ନିଦ ଯଦି ଭାଙ୍ଗି ଯାଏ ତେବେ ପୁଣି ଶୋଇବାକୁ ତାଙ୍କୁ ଭୀଷଣ କଷ୍ଟ ହେବ । ମୋ ସାଥିରେ ଆସ । ଆରଘରେ କଥା ଭାଷା ହେବା ।

 

ଫାଲ୍‌ଗୁନୀ ଶ୍ରୀକାନ୍ତ ପଛେ ପଛେ ଚାଲିଲା ।

 

ଶ୍ରୀକାନ୍ତର ଶୟନ କକ୍ଷ ।

 

କକ୍ଷ ଭିତରେ ଗହଳ ଅନ୍ଧକାରର ବହଳ ଆସ୍ତରଣ । ଶ୍ରୀକାନ୍ତ ପ୍ରଥମେ ଘର ଭିତରକୁ ଯାଇ ଲ୍ୟାମ୍ପ ଲଗାଇ ଫାଲ୍‌ଗୁନୀକୁ ଡାକିଲା ।

 

ଫାଲ୍‌ଗୁନୀ ଘର ଭିତରକୁ ଯାଇ ଶ୍ରୀକାନ୍ତର ଖଟ ଉପରେ ବସି ପଡ଼ିଲା ।

 

ଇଙ୍ଗିତ ଦେଖାଇ ଶ୍ରୀକାନ୍ତ କହିଲା, ଏ ଚେୟାର ଉପରକୁ ଆସ ।

 

କାହିଁକି ? ଏଠି ବସିଲେ କ’ଣ କିଛି ଅସୁବିଧା ହେବ ?

 

ନା’, ତଥାପି....

 

ମୁଁ ଆପଣଙ୍କ କଥା କିଛି ଶୁଣିବି ନାହିଁ । ପ୍ରଥମେ ଆପଣ ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ ଶ୍ରୀକାନ୍ତ ବାବୁ ! ଯେଉଁଠି, ଯେତେବେଳେ, ଯେ କୌଣସି ପ୍ରଶ୍ନ ମୁଁ ଆପଣଙ୍କୁ ପଚାରେ ଆପଣ କାହିଁକି ‘ପରେ କହିବି’ ବୋଲି କହି ସମୟ ଗଡ଼ାଇ ଦିଅନ୍ତି ? କହି ପାରିବେ ଏହାର କାରଣ କ’ଣ-?

 

ଶ୍ରୀକାନ୍ତ କହିଲା, କାରଣ କିଛି ନୁହେଁ ଫାଲ୍‌ଗୁନୀ ! ଜଣେ ସାଧାରଣ ଇତର ଯୁବକକୁ ତା’ର ବ୍ୟକ୍ତିଗତ କଥା ପଚାରିବା ଯେତିକି ଅନ୍ୟାୟ, ତା’ଠାରୁ ଉତ୍ତର ଆଶା କରିବା ସେତିକି ନିର୍ବୋଧତା । ତେଣୁ ମୁଁ ଚାହେଁ, ମୋ ବ୍ୟକ୍ତିଗତ ସମସ୍ୟା ସମାଧାନ କରିବାକୁ କେହି ହସ୍ତକ୍ଷେପ ନ କରୁ । ମୋ ବ୍ୟକ୍ତିଗତ କଥା ଶୁଣିବାକୁ କେହି ଆଗ୍ରହ ବା ଉତ୍କଣ୍ଠା ପ୍ରକାଶ ନ କରୁ । ସେଇଥିପାଇଁ ପରେ କହିବି ବୋଲି କହି ତୁମ ପାଖରୁ ସମୟ ନିଏ ।

 

ଶ୍ରୀକାନ୍ତର ଯୁକ୍ତିରେ ପୁଣି ପରାସ୍ତ ହେଲା ଫାଲଗୁନୀ । ଟିକିଏ ରହି ନମ୍ର ଅଥଚ କରୁଣ ସ୍ୱରରେ କହିଲା, ଆପଣ ମୋତେ ଇତର ବୋଲି ଭାବୁଛନ୍ତି ଶ୍ରୀକାନ୍ତ ବାବୁ ! ମୁଁ କିନ୍ତୁ ଆପଣଙ୍କର ସଦାସର୍ବଦା ମଙ୍ଗଳ କାମନା କରେ । କିନ୍ତୁ କାହିଁକି ମଙ୍ଗଳ କାମନା କରେ ତାହା ମଧ୍ୟ ମୁଁ ଜାଣେନା-। ଆପଣଙ୍କ ଯୁକ୍ତିରେ ବାରମ୍ବାର ପରାସ୍ତ ହୋଇ ମୁଁ ନିଜକୁ ଗୌରବାନ୍ୱିତ ମନେକରେ । ଆପଣଙ୍କ ନିକଟରେ ପରାସ୍ତ ହିଁ ମୋର ବିଜୟ । ଛାଡ଼ନ୍ତୁ ! ମୁଁ ଯଦି କେବେ ଆପଣଙ୍କ ବ୍ୟକ୍ତିଗତ ସମସ୍ୟା ଉପରେ ହସ୍ତକ୍ଷେପ କରିଥାଏ ତେବେ ଆପଣ ମୋତେ କ୍ଷମା ଦେବେ ।

 

ଶ୍ରୀକାନ୍ତ ମୃଦୁ ହସିଲା । କହିଲା, ଏ ସାମାନ୍ୟ କଥାରେ ଅଭିମାନ କରି ନାରୀମାନେ ବଡ଼ ଭୁଲ କରନ୍ତି । ସେଇଥିପାଇଁ ସେମାନେ ଜୀବନ–ସାରା ଅନୁତାପ କରନ୍ତି । ଛାଡ଼ । ଅନେକବେଳୁ ତମେ ଆସିଲେଣି । ପ୍ରଖ୍ୟାତ ପଟ୍ଟନାୟକ ବଂଶର ଅଲିଅଳ କନ୍ୟା ତୁମେ । ଆଜି ଏ ଦୀନ କୁଟୀରରେ ତମର ପଦ୍ମଯୁଗଳ ପଡ଼ି ମୋ ଜନ୍ମ ସାର୍ଥକ ହୋଇଛି । କ’ଣ ବା ଦେଇ ତୁମକୁ ଆପ୍ୟାୟିତ କରିବି । ତଥାପି କପେ ଚାହା....

 

ବାଧା ଦେଲା ଫାଲ୍‌ଗୁନୀ । କହିଲା ମୁଁ ଚାହା...

 

ଖାଆନ୍ତି ନାହିଁ । ନା, କଫି ନିଶ୍ଚୟ ଖାଆନ୍ତି । ମୁଁ କିନ୍ତୁ କଫି ଖାଏ ନାହିଁ । ତଥାପି ତୁମକୁ ଆଜି ଚାହା ଖାଇବାକୁ ହେବ । ତୁମେ ଆଜି ମୋର ଅତିଥି । ଗୃହକର୍ତ୍ତାର ଅନୁରୋଧ ଉପେକ୍ଷା ନ କରି, ଗୃହକର୍ତ୍ତା ଯେଉଁ ଭୋଜନରେ ଆପ୍ୟାୟିତ କରିବେ ସେଥିରେ ତୁମେ ସନ୍ତୁଷ୍ଟ ହେବାକୁ ବାଧ୍ୟ ।

 

ପୁଣି ଯୁକ୍ତିରେ ପରାସ୍ତ ହେଲା ଫାଲ୍‌ଗୁନୀ । ଉତ୍ତର ଦେବାକୁ ଫାଲ୍‌ଗୁନୀ ତୁଣ୍ଡରେ ଭାଷା ନଥିଲା ।

 

ଶ୍ରୀକାନ୍ତ ଚାଲିଗଲା ଚାହା ଆଣିବା ପାଇଁ ।

 

ଫାଲ୍‌ଗୁନୀର ଦୃଷ୍ଟି ପଡ଼ିଲା ଟେବୁଲ ଉପରେ ।

 

ଟେବୁଲ ପାଖକୁ ଉଠି ଆସି ଶ୍ରୀକାନ୍ତର କଲେଜ ପାଠ୍ୟପୁସ୍ତକ–ଗୁଡ଼ିକ ସଜାଡ଼ି ରଖୁ ରଖୁ ପାଠ୍ୟପୁସ୍ତକ ଭିତରେ ‘ଶ୍ରୀ’ ଲେଖନୀରୁ ନିସୃତ କେତେଖଣ୍ଡ ଉପନ୍ୟାସ ଦେଖି ବିସ୍ମିତ ହେଲା-। ହଠାତ୍‌ ତା’ର ଆଖି ପଡ଼ିଲା ‘‘କାହାଣୀ ନୁହେଁ’’ ଉପନ୍ୟାସ ଉପରେ । ଆରେ, ଏଇ ଉପନ୍ୟାସକୁ ସେଦିନ ଶ୍ରୀକାନ୍ତ କିଣିଥିଲା, ଆଉ ସେ ଶ୍ରୀକାନ୍ତଙ୍କଠାରୁ ମାଗି ନେଇଥିଲା । ଦିନକ ପରେ ଫେରାଇବ ବୋଲି କଥା ଦେଇଥିଲା । ଅଥଚ ଏ ପର୍ଯ୍ୟନ୍ତ ଫେରାଇ ପାରିନାହିଁ ସେ । କିନ୍ତୁ ଶ୍ରୀକାନ୍ତ କ’ଣ କରି ବହି ପାଇବାର ବିଳମ୍ବ ଯୋଗୁ ପୁଣି ଖଣ୍ଡେ ଉପନ୍ୟାସ କିଣି ନେଇଛି ?

 

ଟେବୁଲ ଉପରେ ବହିଗୁଡ଼ିକ ଉତ୍ତମ ରୂପେ ସଜାଡ଼ି ରଖିଲା । ଶ୍ରୀକାନ୍ତ ଆସିବାରେ ବିଳମ୍ବ ଦେଖି ବାରଣ୍ଡା ଉପରକୁ ଆସି ଦେଖିଲା, ଶ୍ରୀକାନ୍ତ ଚୂଲିରେ କାଠ ପୂରାଇ ଫୁଙ୍କୁଛି । ଓଦା କାଠରେ ନିଆଁ ନ ଧରିବାରୁ ବାରଣ୍ଡା ଧୂମ୍ରମୟ ହୋଇ ଉଠିଛି । ଶ୍ରୀକାନ୍ତର ଆଖିରୁ ନାକରୁ ପାଣି ନିଗିଡ଼ି ପଡ଼ୁଛି । ତଥାପି ଶ୍ରୀକାନ୍ତ ନଇଁ ପଡ଼ି ଫୁଙ୍କିବାରେ ଲାଗିଛି ।

 

ଫାଲଗୁନୀ ହସିଲା । ଶ୍ରୀକାନ୍ତ ପାଖକୁ ଆସି କହିଲା, ଯୁକ୍ତିରେ ଆପଣ ଅଜୟ ହୋଇପାରନ୍ତି କିନ୍ତୁ ରୋଷାଇରେ କେବେ ମୋତେ ଜିଣି ପାରିବେ ନାହିଁ । ଆପଣ ଚୁଲି ପାଖକୁ ଆସିବାର ପ୍ରାୟ ଅଧଘଣ୍ଟାରୁ ବେଶି ହେବ ତଥାପି କାଠରେ ନିଆଁ ଧରାଇ ପାରିନାହାନ୍ତି । ହଉ ଉଠନ୍ତୁ, ମୁଁ ଚାହା ତିଆରି କରି ଦେଉଛି ।

 

ତମେ ଆଜି ମୋର ଅତିଥି ଫାଲ୍‌ଗୁନୀ । ମୋ ଘରକୁ ଆସି ନିଜ ହାତରେ ଚାହା ତିଆରି କରି ଖାଇଲେ ମୋତେ ହିଁ ଅପମାନ । ତମେ ବସ, ମୁଁ ଚାହା ତିଆରି କରୁଛି ।

 

ଫାଲ୍‌ଗୁନୀ ଶ୍ରୀକାନ୍ତର କୌଣସି ଅନୁରୋଧ ଶୁଣିଲା ନାହିଁ । ଚୁଲି ପାଖରେ ବସିପଡ଼ି ଶ୍ରୀକାନ୍ତର ହାତ ଧରି କହିଲା, ଆପଣ ଯାଆନ୍ତୁ । ଦଶ ମିନିଟ୍‌ ଭିତରେ ମୁଁ ଚାହା ତିଆରି କରି ଦେଉଛି ।

 

ବାଧ୍ୟ ହୋଇ ଶ୍ରୀକାନ୍ତ ଉଠି ଆସିଲା ।

 

ଚୁଲିରେ କାଠ ପୂରାଇ ଫୁଙ୍କିଲା ଫାଲ୍‌ଗୁନୀ ।

 

ଶ୍ରୀକାନ୍ତ ନିଜ କକ୍ଷକୁ ଫେରିଆସି ଭାବିଲା, ଏତେ ଦିନ ପରେ ଫାଲ୍‌ଗୁନୀ ଅନାହୂତ ଭାବେ ତା’ ଘରକୁ ଆସିଛି । କଲେଜରୁ ସଦ୍ୟ ଫେରିଛି । ଭୀଷଣ ଭୋକ ହେଉଥିବ ବି । ଅଥଚ କେବଳ କପେ ଚା’ ଦେଇ ଲେଉଟାଇ ଦେବ ତାକୁ । ନା, କିଛି ଜଳଖିଆ ଆଣିବାକୁ ପଡ଼ିବ ।

 

ଫାଲଗୁନୀ ଉପରେ ଦୃଷ୍ଟି ପକାଇ ଶ୍ରୀକାନ୍ତ ଚାଲି ଯାଉ ଯାଉ ହଠାତ୍‌ ଫେରି ଆସିଲା । ଫାଲ୍‌ଗୁନୀ ପାଖରେ ଛିଡ଼ା ହୋଇ ମନଇଚ୍ଛା ହସିଲା ।

 

ଇମିତି ହସୁଛନ୍ତି ଯେ ? ଫାଲ୍‌ଗୁନୀ ପଚାରିଲା ।

 

ଅତିଥିଙ୍କର ଦୂରାବସ୍ଥା ଲକ୍ଷ୍ୟକରି । ଲକ୍ଷପତିର ଅଲିଅଳ କନ୍ୟା । ରୋଷାଇଘର ଏରୁଣ୍ଡିବନ୍ଧ ଟପି ରୋଷାଇ ଘରକୁ ଯାଇନି । ସେ ପୁଣି ଜଣେ ଦୀନ–ହୀନ, ଇତର ଯୁବକର ରୋଷାଇରେ ସାହାଯ୍ୟ କରି ତାକୁ କୃତାର୍ଥ କରିପାରୁଛି....

 

ଶ୍ରୀକାନ୍ତ ତୁଣ୍ଡରେ ହାତ ଦେଲା ଫାଲ୍‌ଗୁନୀ–ମୋତେ ଆପଣ ଇତର ଭାବୁଚନ୍ତି, ଅଥଚ ମୁଁ....

 

ଶ୍ରୀକାନ୍ତ ହସି ଉଠିଲା ।

 

ଆରେ ! ଆପଣ ଇମିତି ହସୁଛନ୍ତି କାହିଁକି ?

 

ଫାଲ୍‌ଗୁନୀ ପାଖକୁ ଲାଗି ଆସି କହିଲା, ରୋଷାଇ କରିବାର ‘ଟ୍ରେଡ଼ମାର୍କା’ ତମ ମୁହଁରେ ଦେଖି ମୋତେ ହସ ମାଡ଼ୁଛି ।

 

ଟ୍ରେଡ଼ମାର୍କ !

 

ଫାଲ୍‌ଗୁନୀର ଚିକ୍‌କଣ ଅଧରରେ ଶ୍ରୀକାନ୍ତ ହାତଟା ବୁଲାଇ ଆଣି କହିଲା, ଏଇ ଦେଖ-। ତମ ମୁହଁରେ ଲାଗିଥିବା କଳା ବର୍ତ୍ତମାନ ମୋ ହାତକୁ କିମିତି ଆସି ଯାଇଛି ।

 

ଶ୍ରୀକାନ୍ତ ହାତର ସ୍ପର୍ଶ ପାଇ ଉଲ୍ଲସି ଉଠିଲା ଫାଲ୍‌ଗୁନୀ । କୁମାରୀ ଜୀବନର ତନୁ–ତୀର୍ଥରେ ଯୁବକ ହାତର ସ୍ପର୍ଶ ପ୍ରଥମ କରି ଅନୁଭବ କଲା ସେ । ଦେହରେ ଏକ ଅଜଣା ଶିହରଣ ଖେଳିଗଲା । ବିମୁଗ୍‌ଧ ଦୃଷ୍ଟିରେ ଶ୍ରୀକାନ୍ତକୁ ଚାହିଁଲା ଫାଲ୍‌ଗୁନୀ ।

 

ଶ୍ରୀକାନ୍ତ ଫେରି ଆସିଲା ।

 

ଶ୍ରୀକାନ୍ତର ଚଲାପଥକୁ ଚାହିଁ କେତେ କ’ଣ ଭାବୁଥିଲା ଫାଲ୍‌ଗୁନୀ ।

 

ଜଳନ୍ତା ଚୁଲି ଉପରେ ଚା’ ଉତୁରି ପଡ଼ିବାରୁ ଫାଲ୍‌ଗୁନୀ ବାହାରୁ ମୁହଁ ଫେରାଇଲା । କପ୍‌ ଦୁଇଟିରେ ଚାହା ଛାଣି ଶ୍ରୀକାନ୍ତର ଟେବୁଲ ଉପରେ ରଖୁ ରଖୁ ଶ୍ରୀକାନ୍ତ ପତରଠୋଲାରେ ଜଳଖିଆ ନେଇ ପହଞ୍ଚିଲା ।

 

ଆପଣ କୁଆଡ଼େ ଯାଇଥିଲେ ?

 

ଜଳଖିଆ ଆଣିବା ପାଇଁ ।

 

ଜଳଖିଆର ପ୍ରୟୋଜନ କ’ଣ ଥିଲା କହିଲେ ? ଏଇ ଚା’ରେ କ’ଣ ଅତିଥି ସନ୍ତୁଷ୍ଟ ହୋଇ ନଥାନ୍ତେ ?

 

କେବଳ ଚା’ରେ ଅତିଥିଙ୍କୁ ଆପ୍ୟାୟିତ କରିବା ଉଚିତ ନୁହେଁ । ହଉ ବସ । ଜଳଖିଆ ଠୋଲାଟିକୁ ଟେବୁଲ ଉପରେ ରଖିଲା ଶ୍ରୀକାନ୍ତ ।

 

ମୁଁ କିନ୍ତୁ ବାହାର ଜଳଖିଆ....

 

–ଖାଆନ୍ତି ନାହିଁ; କିନ୍ତୁ ଏତିକି ବିଶ୍ୱାସ କର ଫାଲ୍‌ଗୁନୀ, ତମ ଅପେକ୍ଷା ମୁଁ ବେଶି ସ୍ୱାସ୍ଥ୍ୟରକ୍ଷା ଦିଗରୁ ଚଳେ । ଏ ଜିନିଷ ଖାଇଲେ ଶରୀରର କୌଣସି କ୍ଷତି ହେବନାହିଁ । ତଥାପି ତମେ ଯଦି ନ ଖାଇବ, ତେବେ ମୁଁ ନିଶ୍ଚୟ ମନେ କରିବି, ମୋତେ ଅପମାନିତ କରିବାକୁ ତମେ ମୋ କୁଟୀରରେ ଆର୍ବିଭୂତା ହୋଇଥିଲ ।

 

ଶ୍ରୀକାନ୍ତର ତୁଣ୍ଡରେ ହାତଦେଲା ଫାଲ୍‌ଗୁନୀ । କହିଲା, ଆପଣ ଯୁକ୍ତିରେ ଅଜୟ, ଅମର-। କିନ୍ତୁ କହିପାରିବେ ଶ୍ରୀକାନ୍ତବାବୁ, ବାରମ୍ବାର ମୋତେ ଯୁକ୍ତିରେ ପରାସ୍ତ କରୁଛନ୍ତି କାହିଁକି-? କ’ଣ ଅପରାଧ ମୁଁ କରିଛି ଆପଣଙ୍କର ? କାହିଁକି ବାରମ୍ବାର ଏତେ ଆଘାତ ଦେଉଛନ୍ତି ମୋତେ ?

 

ଅଭିମାନ କରୁଛ ଫାଲ୍‌ଗୁନୀ ! କିନ୍ତୁ ମୋ ଉପରେ ଅଭିମାନ କରିବା ତୁମର ଆଦୌ ଉଚିତ ନୁହେଁ । ମୁଁ ତମର କିଏ ? ପଥପ୍ରାନ୍ତରର ଦୁଇଟି ପଥୁକୀ । ଅକସ୍ମାତ ରାଜରାସ୍ତାରେ ଦେଖା ହୋଇଥିଲା । ପରିଚୟ ହୋଇଥିଲା । ଅଳ୍ପ ସମୟ ପାଇଁ ବନ୍ଧୁତା ହୋଇଥିଲା । ସ୍ନେହ ମମତାର ରଜ୍ଜୁରେ ସ୍ୱଳ୍ପ ସମୟ ପାଇଁ ଆବଦ୍ଧ ହୋଇଥିଲେ । ତମେ କାହାଣୀ କହୁଥିଲ, ମୁଁ ଶୁଣୁଥିଲି । ଆଉ ମୁଁ କାହାଣୀ କହୁଥିଲି, ତମେ ଶୁଣୁଥିଲ । ତା’ପରେ ତମ କାମରେ ତମେ ଚାଲିଗଲ, ଆଉ ମୋ କାମରେ ମୁଁ ଫେରିଗଲି । ତେଣୁ ମୁହୂର୍ତ୍ତ କେତୋଟି ପାଇଁ ସାକ୍ଷାତ୍‌ ହୋଇଥିବା ବନ୍ଧୁ ସହିତ ମାନ–ଅଭିମାନ କଲେ କିଛି ଲାଭ ନାହିଁ ଫାଲ୍‌ଗୁନୀ । ପଥଧାରର ପଥୁକି ଆମେ । ଜୀବନରେ ବଞ୍ଚିଥିଲେ କେବେ ପୁଣି ହୁଏତ ସାକ୍ଷାତ ହୋଇପାରେ । ତେଣୁ ସେଭଳି ପଥୁକି ସହିତ...

 

ଚଟ୍‌କରି ଫାଲ୍‌ଗୁନୀ କହିଲା, ସ୍ୱଳ୍ପ ସମୟ ପାଇଁ ଦେଖା ହୋଇଥିବା ସେଇ ବନ୍ଧୁତାର କ’ଣ କୌଣସି ମୂଲ୍ୟ ନାହିଁ ? ସେଇ ମାନ–ଅଭିମାନ କ’ଣ ନିରର୍ଥକ ? ଯଦି ତା’ ଆପଣ ଭାବିଥାଆନ୍ତି ତେବେ ଭୁଲ କରୁଛନ୍ତି । ଦାନର ପ୍ରତିଦାନ ନିଶ୍ଚୟ ଅଛି; ଆଉ ସବୁଦିନେ ରହିଥିବ !

 

ହଉ, ଆମର ଆଲୋଚନା ସେତିକିରେ ବନ୍ଧ ରହୁ । ଚା’ ଥଣ୍ଡା ହୋଇଯିବ । ତା ଛଡ଼ା କଲେଜକୁ ଫେରି ଭୀଷଣ ଭୋକ ହେଉଥିବ । ଅଥଚ ଲାଜକରି ନ ଖାଇଲେ ତମେ ନିଶ୍ଚୟ ଅସୁବିଧାରେ ପଡ଼ିବ ।

 

ଆପଣ ତେବେ ଜଣେ ମନସ୍ତତ୍ତ୍ୱବିତ୍‌ । ମୋତେ ଭୋକ ହେଉଛି କି ନାହିଁ, ଆପଣ କେମିତି ଜାଣିପାରିଲେ କୁହନ୍ତୁ ତ ?

ଶ୍ରୀକାନ୍ତ ମୃଦୁ ହସି କହିଲା, ନାରୀର ମୁଖ ଏକ ଦର୍ପଣ । ସେଥିରେ ସବୁକିଛି ଦେଖିହୁଏ-। ହୃଦୟର ଗଭୀରତମ ପ୍ରଦେଶରେ କିଛି ଆଘାତ ଲାଗିଥିଲେ କିମ୍ବା ପରାଶ ହୋଇଥିଲେ ତାହା ବି ଜାଣିହୁଏ । ଦର୍ପଣର ବିଶେଷତ୍ୱ ସେ ଅନ୍ୟର ପ୍ରତିଛବି ତୋଳେ । କିନ୍ତୁ ନାରୀର ମୁଖ ଦର୍ପଣ ହୃଦୟର ଗୋପନ କଥା ପରିପ୍ରକାଶ କରେ । ନାରୀର ମୁହଁକୁ ଚାହିଁ ତା’ରି ମନକଥା ଜାଣିହୁଏ-। ତେଣୁ ନାରୀର ମୁଖ–ଦର୍ପଣ ଓ କାଚ ଦର୍ପଣ ଭିତରେ କେବଳ ଏତିକି ମାତ୍ର ପ୍ରଭେଦ ।

 

ଶ୍ରୀକାନ୍ତର ଯୁକ୍ତିରେ ପୁଣି ପରାସ୍ତ ହେଲା ଫାଲ୍‌ଗୁନୀ ।

 

ଦୁହେଁ ଜଳଖିଆ ଖାଇବାରେ ଲାଗିଲେ ।

 

ଚା’ କପଟି ଓଠରେ ସ୍ପର୍ଶକରି ଶ୍ରୀକାନ୍ତ କହିଲା, ଚମତ୍କାର । ତମେ ଏତେ ସୁନ୍ଦର ଚା’ ତିଆରି କରିପାର ବୋଲି ସତରେ ମୋର ମୋଟେ ବିଶ୍ୱାସ ନ ଥିଲା । ଲକ୍ଷପତିର କନ୍ୟା ! ଠିକ୍‌ ସମୟରେ ଚା’ ହାତକୁ ବଢ଼ାଇଦେବାକୁ ଯେଉଁଠି ଚାକର ପୂଜାରୀ ଚାହିଁ ବସିଛନ୍ତି, ସେ ପୁଣି ଏତେ ସୁନ୍ଦର ଚା’ କରିପାରେ ତାହା କଳ୍ପନାରେ ନ ଥିଲା । ସତରେ ଫାଲ୍‌ଗୁନୀ, ଚା’ଟା ବଡ଼ ସୁସ୍ୱାଦୁ ହୋଇଛି ।

 

ଫାଲ୍‌ଗୁନୀ ମୁରୁକି ହସିଲା କେବଳ ।

 

ଅନେକ ସମୟ ପରେ ଫାଲ୍‌ଗୁନୀ କହିଲା, ଆପଣ କହୁଥିଲେ, ଚାକର ରଖିବାକୁ ଆପଣଙ୍କ ସାମର୍ଥ ନାହିଁ; ଅଥଚ ମୁଁ ଦେଖୁଛି ‘ଶ୍ରୀ’ ଉପନ୍ୟାସ ପଢ଼ିବାକୁ ଆପଣ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି ?

 

ଉତ୍ତରରେ ଶ୍ରୀକାନ୍ତ କହିଲା–ଚାକର ରଖିବା ଏବଂ ଉପନ୍ୟାସ କିଣିକରି ପଢ଼ିବା, ଏ ଦୁଇଟାର କେବେ ତୁଳନା ହୋଇପାରେ ନା । ଚାକର ରଖି ତାକୁ ଖାଇବାକୁ ଦେଇ ଏବଂ ଦରମା ଦେଇ ତା’ଠାରୁ ଆମେ ସାମାନ୍ୟ କାମ ଆଦାୟ କରୁ, କିନ୍ତୁ କେତୋଟି ମାତ୍ର ଟଙ୍କାଦେଇ ଉପନ୍ୟାସ କିଣି ପଢ଼ି ଅଶେଷ ଜ୍ଞାନ ଅର୍ଜନ କରୁ । ମଣିଷ ଜୀବନ ଭିତରେ ଅନେକ ଚାକର ବହୁରୂପରେ ଆସିଥାଆନ୍ତି । କାମ କରି ଦରମା ନେଇ ସେମାନେ ଚାଲି ଯାଆନ୍ତି; କିନ୍ତୁ ଥରେ ପଇସାଦେଇ ଉପନ୍ୟାସ କିଣିକରି ପଢ଼ିଥିଲେ ତାହା ସବୁଦିନ ପାଇଁ ମନେଥାଏ । ତା’ଛଡା ଉପନ୍ୟାସ ପଢ଼ାରେ ଏତେ ମାଦକତା ଥାଏ, ତାହା ଅନ୍ୟ କେଉଁଥିରେ ମିଳେନା । ମଣିଷ ଯେତେ ଆପଦ ବିପଦ, ଦୁଃଖ–କଷ୍ଟ, ଅଭାବ–ଅନଟନରେ ପଡ଼ିଥିଲେ ମଧ୍ୟ ପ୍ରାଣକୁ ସ୍ପର୍ଶ କଲାଭଳି ଯଦି ସେ ଖଣ୍ଡିଏ ଉପନ୍ୟାସ ପାଏ, ତେବେ ସେ ନିଶ୍ଚୟ ଭୁଲିଯାଏ ତା’ର ଅଭାବ, ଅସୁବିଧା, ଗୁରୁ–ଯନ୍ତ୍ରଣା । ତେଣୁ ତମେ ଏଇଥିରୁ ଅନୁମାନ କରିନିଅ, ଚାକର ରଖିବା ଆଉ ଉପନ୍ୟାସ କିଣିକରି ପଢ଼ିବା ଭିତରେ କେତେ ପ୍ରଭେଦ, କେତେ ପାର୍ଥକ୍ୟ ।

 

କିନ୍ତୁ.....ଫାଲ୍‌ଗୁନୀ କ’ଣ କହିବାକୁ ଚେଷ୍ଟା କରୁଥିଲା ।

 

–ସେଦିନ ପୁଣି ତୁମେଇ ତ ମୋ ପାଖରୁ ‘‘କାହାଣୀ ନୁହେଁ’’ ଉପନ୍ୟାସ ମାଗିବାକୁ କୁଣ୍ଠାବୋଧ କରି ନ ଥିଲ ? ଯଦି ଉପନ୍ୟାସ ପଢ଼ାରେ କୌଣସି ମାଦକତା ନଥାଏ, ତେବେ ତମେ ପଢ଼ୁଛ କାହିଁକି ?

 

ପୁଣି ଯୁକ୍ତିରେ ପରାସ୍ତ ହେଲା ଫାଲ୍‌ଗୁନୀ ।

 

ହଠାତ୍‌ ଶ୍ରୀକାନ୍ତର ଦୃଷ୍ଟି ପଡ଼ିଲା ଟେବୁଲ୍‌ ଉପରେ । ଆରେ, ମୋର ଅନୁପସ୍ଥିତିରେ ତମେ ଟେବୁଲ୍‌ଟାକୁ ସୁନ୍ଦରଭାବେ ସଜାଡ଼ି ଦେଇଛ ତ ? ସତରେ ତମ ହାତର ସ୍ପର୍ଶପାଇ ମୋ ଟେବୁଲ୍‌ଟି ଆଜି ହସି ଉଠୁଛି ।

 

ଫାଲ୍‌ଗୁନୀ କହିଲା, ଗୋଟାଏ କଥା ପଚାରିବି । ସେଦିନ ପରି ଆଜି ଫାଙ୍କି ଦେଲେ ଚଳିବ ନାହିଁ.।...

 

ଉପକ୍ରମଣିକା ବାଦଦେଇ କଥାଟା କ’ଣ କୁହ ତା’ହେଲେ ?

 

ଫାଲ୍‌ଗୁନୀ କହିଲା, ଯେଉଁ ‘ଶ୍ରୀ’ ଲେଖକଙ୍କର ଉପନ୍ୟାସ ଆପଣଙ୍କ ଟେବୁଲ୍‌ ମଣ୍ଡନ କରିଛି ସେ ‘ଶ୍ରୀ’ ହେଉଛନ୍ତି କିଏ ? ତାଙ୍କର ଅସଲ ପରିଚୟ କ’ଣ ? ତାଙ୍କର ପ୍ରକୃତ ନାମ କ’ଣ ? କାହିଁକି ସେ ଛଦ୍ମବେଶରେ ବହି ଲେଖୁଛନ୍ତି; ଆଉ ଆପଣ କାହିଁକି ତାଙ୍କର ଏତେ ଉପନ୍ୟାସ ପଢ଼ୁଛନ୍ତି ?

 

ମୃଦୁ ହସି ଶ୍ରୀକାନ୍ତ କହିଲା, ଛଦ୍ମବେଶୀ ‘ଶ୍ରୀ’ କିଏ ମୁଁ କିମିତି ଜାଣିବି ଫାଲ୍‌ଗୁନୀ ? ତାଙ୍କର ପରିଚୟ ମୁଁ କେଉଁଠୁ ପାଇବି ଯେ ?? ତାଙ୍କର ପ୍ରକୃତ ନାମ ମୁଁ ମଧ୍ୟ ଜାଣିନି । ତମେ ଯିମିତି ତାଙ୍କର ଜଣେ ପ୍ରିୟ ପାଠିକା, ମୁଁ ମଧ୍ୟ ସେହିପରି ଜଣେ ପାଠକ । ମୁଁ ଉପନ୍ୟାସ ଉପରେ ତାଙ୍କର ନାମ ଦେଖେ ଓ ପଢ଼େ । ତା’ଛଡ଼ା ତାଙ୍କର ଅଧିକ ପରିଚୟ ମୁଁ ଜାଣେନା ।

 

କିନ୍ତୁ ଆପଣ ସବୁ ଜାଣନ୍ତି । ଅଥଚ ମୋ ପାଖରେ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । କାରଣ ସେଦିନ ଆପଣ କହିଥିଲେ, ‘ଶ୍ରୀ’ ହେଉଛି ଝଡ଼, ବଜ୍ର, ଅଗ୍ନି; ତାକୁ ଧରିବାପାଇଁ ଯିଏ ହାତ ବଢ଼ାଇଛି ତା’ ହାତ ପୋଡ଼ିଯିବା ହିଁ ସାର ହୋଇଛି । ତେଣୁ ମୁଁ ଆଜି ଆପଣଙ୍କୁ ପଚାରୁଛି, ‘ଶ୍ରୀ’ଙ୍କର ଏତେ ପରିଚୟ ଜାଣି ସାରିଲା ପରେ ତାଙ୍କର ପ୍ରକୃତ ନାମ ଜାଣି ନାହାନ୍ତି କିପରି ?

 

ବେଦନା–ଜଡ଼ିତ କଣ୍ଠର ଆକୁଳ ଚିତ୍କାର ହୀରାମଣୀଙ୍କ କକ୍ଷରୁ ଭାସି ଆସିଲା ।

 

ଶ୍ରୀକାନ୍ତ କହିଲା, ମାଆ ଉଠିଲେଣି ଫାଲ୍‌ଗୁନୀ । ପ୍ରଥମେ ତାଙ୍କର ତତ୍ତ୍ୱ ନେବାକୁ ପଡ଼ିବ । ତମ ପ୍ରଶ୍ନର ଉତ୍ତର ମୁଁ ପରେ ସଂଗ୍ରହ କରିଦେବି ।

 

ଶ୍ରୀକାନ୍ତ ଚାଲିଗଲା ହୀରାମଣୀଙ୍କ କକ୍ଷକୁ ।

 

ଶ୍ରୀକାନ୍ତର ପଛେ ପଛେ ଫାଲଗୁନୀ ବି ଉଠିଲା ।

 

ହୀରାମଣୀ ବ୍ୟସ୍ତବହୁଳ ଭାବରେ ବିଛଣାରେ ଛାଟିପିଟି ହେଉଥିଲେ । ଦୁର୍ବଳ ଶରୀରରେ ଯନ୍ତ୍ରଣା ସହ୍ୟ କରିପାରୁ ନ ଥିଲେ ସେ ।

 

ଶ୍ରୀକାନ୍ତ ମାଆଙ୍କ ମୁଣ୍ଡପାଖରେ ବସିପଡ଼ି ମଧ୍ୟ ଆଉଁସିବାରେ ଲାଗିଲା ।

 

ଫାଲ୍‌ଗୁନୀ ହୀରାମଣୀଙ୍କ ଗୋଡ଼ପାଖରେ ବସି ପାଦ ଆଉଁସିଲା ।

 

ରାତି କ୍ରମେ ଅଧିକ ହେଉଥିଲା ।

 

ଅନେକ ସମୟ ପରେ ଶ୍ରୀକାନ୍ତ କହିଲା, କେତେଟା ବାଜିଲାଣି ଫାଲଗୁନୀ ?

 

ଫାଲ୍‌ଗୁନୀ ହାତଘଡ଼ିକୁ ଚାହିଁ କହିଲା, ମୋଟେ ନଅଟା ।

 

ନଅଟା ବାଜିଲାଣି; ଅଥଚ ତମେ ଘରକୁ ଯିବ ନାହିଁ ?

 

ଲାଗିପଡ଼ି ତଡ଼ୁଛନ୍ତି କାହିଁକି ଶ୍ରୀକାନ୍ତବାବୁ ! ମୁଁ ରହିବାଦ୍ୱାରା ଆପଣଙ୍କର କ’ଣ କିଛି କ୍ଷତି ହେଉଛି ?

 

କ୍ଷତି ମୋର ହେଉନି ଫାଲ୍‌ଗୁନୀ–କ୍ଷତି ହେଉଛି ତମର । କଲେଜରୁ ଫେରିବା ବିଳମ୍ବ ଦେଖି ବାପା ହୁଏତ ବ୍ୟସ୍ତ ବିବ୍ରତ ଭାବେ ରାସ୍ତା ଉପରେ ଅପେକ୍ଷା କରିଥିବେ ଏବଂ ଶେଷରେ ନିରାଶ ହୋଇ ତମ ଉପରେ ଭୀଷଣ ରାଗ କରିବସିବେ ।

 

ଶ୍ରୀକାନ୍ତକୁ ଚାହିଁଲା ଫାଲଗୁନୀ । କିଛି ଉତ୍ତର ନ ଦେଇ ବିଦାୟ ସମ୍ଭାଷଣ ଜଣାଇଲା ।

 

ଶ୍ରୀକାନ୍ତ ମଟର ପର୍ଯ୍ୟନ୍ତ ବଳେଇ ଦେବାକୁ ଆସିଲା ।

 

ଶ୍ରୀକାନ୍ତ ନିକଟରୁ ଫାଲ୍‌ଗୁନୀ ଫେରିଆସି ସୁଖ ନିଦ୍ରାରେ ଶୋଇ ପାରିଲାନି । ଶ୍ରୀକାନ୍ତର ସରଳ ବ୍ୟବହାର, ଯୁକ୍ତିଯୁକ୍ତ କଥାର ଛନ୍ଦମାଧୁରୀ, ସରଳ ନିରାଡ଼ମ୍ବର ଜୀବନ ତାକୁ ବେଶ୍‌ ପ୍ରଲୁବଧ୍‌ କଲା । ଶ୍ରୀକାନ୍ତ କ୍ଷୁଦ୍ର ରାଜ୍ୟ ସମ୍ରାଟ; ରାଜାମାତା ଅଛନ୍ତି । କିନ୍ତୁ ସାମ୍ରାଜ୍ଞୀ ନାହାନ୍ତି,ଅଥଚ ସାମ୍ରାଜ୍ଞୀ ପାଇଁ ମୋଟେ ଲାଳାୟିତ ନୁହେଁ ସମ୍ରାଟ ।

 

ଶ୍ରୀକାନ୍ତର ଚରିତ୍ରକୁ ଅତି ଗଭୀର ଭାବେ ନିରୀକ୍ଷଣ କରୁଥିଲା ଫାଲ୍‌ଗୁନୀ ।

 

ଶ୍ରୀକାନ୍ତର ଚରିତ୍ରକୁ ସେ ଯେତିକି ଗଭୀର ଭାବେ ବିଶ୍ଳେଷଣ କରୁଥିଲା, ସେ ସେତିକି ଦ୍ୱନ୍ଦ୍ୱରେ ପଡ଼ୁଥିଲା । ଶ୍ରୀକାନ୍ତ ଯୁବକ । ପୂର୍ଣ୍ଣବୟସର ଯୁବକ । ରକ୍ତର ଚଞ୍ଚଳତା କ୍ଷିପ୍ରଭାବରେ ପ୍ରବାହିତ ହେଉଛି ତା’ ଧମନୀରେ । ଭଲ ପାଇବାର ମାଦକତା ସିତ୍କାର ଆଣୁଥିବ ଦେହ–ମନରେ-। ଅଥଚ ସେ ସରଳ ନିରାଡ଼ମ୍ବର ଭାବରେ କଥା ଭାଷା କରୁଛି; ସଂଯତ ବ୍ୟବହାର କରୁଛି-। ଗୋଟିଏ ତରୁଣୀ ତା’ ଜୀବନ–ପରିଧି ସୀମାରେଖା ଭିତରକୁ ଯେତିକି ଅଗ୍ରସର ହେଉଛି ସେତିକି ସେ ଦୂରକୁ ଦୂରେଇ ଯାଉଛି । ତରୁଣୀ–ଯୁବତୀର ଆକ୍ଷେପଭାରା କଥା ଭାଷା, କୁଟୀଳ ଚାହାଣୀ, ଅଭିନୟର ମାଧୁର୍ଯ୍ୟ, ଷୋଡ଼ଶୀର ଇଙ୍ଗିତ ତା’ ମନରେ ମୋଟେ ରେଖାପାତ୍‌ କରୁନି-। ତରୁଣୀ ଯୁବତୀଠାରୁ ସବୁ ମୁହୂର୍ତ୍ତରେ ଦୂରେଇ ରହିବାକୁ ଚେଷ୍ଟା କରୁଛି ଶ୍ରୀକାନ୍ତ ।

 

ଶ୍ରୀକାନ୍ତ ଇମିତି ଦୂରେଇ ରହିବାର କାରଣ ଖୋଜୁଥିଲା ଫାଲ୍‌ଗୁନୀ ।

 

ତେବେ ଶ୍ରୀକାନ୍ତ କ’ଣ ନପୁଂସକ ! ଶ୍ରୀକାନ୍ତ ପୌରୁଷ ନାହିଁ, ପୁରୁଷତ୍ୱ ନାହିଁ ?

 

ଶ୍ରୀକାନ୍ତର ଗାପନୀୟତା ଉପରେ ଫାଲଗୁନୀ କାହିଁକି ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଛି । ଶ୍ରୀକାନ୍ତର ଟିକିନିଖି ବିବରଣୀ ଫାଲଗୁନୀ ପାଇଁ କାହିଁକି ଏତେ ମହନୀୟ ହୋଇଉଠିଛି ।

 

ତେବେ ସେ କ’ଣ ଶ୍ରୀକାନ୍ତକୁ ଭଲପାଏ ?

 

ଫାଲ୍‌ଗୁନୀ ଶିହରି ଉଠିଲା । ହଁ, ସେ ଶ୍ରୀକାନ୍ତକୁ ଭଲପାଏ–ଅତି ପବିତ୍ରଭାବେ ଭଲପାଏ । ଜୀବନର ସବୁକିଛି ଅର୍ପଣ କରି ସେ ଶ୍ରୀକାନ୍ତକୁ ଆପଣାର କରିବାକୁ ଚାହେ–ବିବାହ କରିବାକୁ ଚାହେ ।

 

ଚମକି ଉିଠଲା ଫାଲ୍‌ଗୁନୀ । ଏ ବିବାହରେ ବାପା ସ୍ୱୀକୃତି ପ୍ରଦାନ କରିବେ ତ ? ଯଦି ନ କରିବେ.....

 

ନା, ସେ ବାପାଙ୍କୁ ଗଭୀର ଭାବରେ ବୁଝାଇବ । କହିବ–ଫାଲ୍‌ଗୁନୀ ତମର ଜ୍ୟେଷ୍ଠାକନ୍ୟା । ମାତୃହୀନା ବୋଲି ବାଲ୍ୟକାଳରୁ ତାକୁ ଗଭୀର ସ୍ନେହ–ମମତା ଦେଇ ଆସିଛ–ତା’ର ସମସ୍ତ ଅଳି–ଅର୍ଦ୍ଦୋଳି ସହ୍ୟ କରିଛ । ତା’ର ପରାମର୍ଶକୁ କେବେ ତଳେ ପକାଇ ଦେଇନ । ଅଥଚ ଆଜି ସେଇ ଫାଲ୍‌ଗୁନୀ ତମର ଅନୁମତିକୁ ଅପେକ୍ଷା ନ କରି ନିଜ ବିବାହପାଇଁ ପାତ୍ର ମନୋନୀତ କରି କ’ଣ ବିରାଟ ଅପରାଧ କରିଛି ? ଶିକ୍ଷା–ଦୀକ୍ଷାରେ ପରିମାର୍ଜିତ ହୋଇ ନିଜ ପାଇଁ ପାତ୍ର ମନୋନୀତ କରି ସେ କିଛି ଅପରାଧ କରିନି ବାପା ! ତମେ ବାରଣ କରନି, ପ୍ରତିବାଦ କରନି, ତାକୁ ଅନୁମତି ଦିଅ ବିବାହ କରିବା ପାଇଁ–

 

ଆଉ ବାପା ଯଦି ଅନୁମତି ଦିଅନ୍ତି.....

 

ଫାଲ୍‌ଗୁନୀର ତନୁର ସବୁଜିମାରେ ଏକ ଅଜଣା ସ୍ପର୍ଶର ଶିହରଣ ଖେଳିଗଲା । ଚା’ ତିଆରି କରୁଥିବାବେଳେ ତା’ ଗାଲରେ କଳାଦାଗ ଲାଗିଥିବା ଚିହ୍ନକୁ ଶ୍ରୀକାନ୍ତ ନିଜ ଅଙ୍ଗୁଳିରେ ଘଷି ଘଷି ଛଡ଼ାଇ ଦେଇଥିଲା । ସେଇ ନିରୋଳା ମୁହୂର୍ତ୍ତର ଅଲିଭା–ସ୍ମୃତି ଫାଲଗୁନୀର ତନୁଲତାରେ ଯେମିତି ଏକ ପ୍ରଲୋଭନର ସିତ୍କାର ଖେଳାଇଦେଲା । ନିଜ ଅଙ୍ଗପ୍ରତ୍ୟଙ୍ଗକୁ ଚାହିଁଲା । ସେ ବିଛଣା ଉପରୁ ଉଠିଆସି ଦର୍ପଣ ଆଗରେ ଠିଆହୋଇ ନିଜ ମୁହଁକୁ ଚାହିଁଲା । ଶ୍ରୀକାନ୍ତ ସ୍ପର୍ଶ ଦେଇଥିବା ସ୍ଥାନରେ ନିଜ ଅଙ୍ଗୁଳିକୁ ଥରେ ବୁଲାଇ ଆଣିଲା । ଆଃ, ଶ୍ରୀକାନ୍ତର ସ୍ପର୍ଶରେ କି ମାଦକତା ଅଛି ସତେ !!

 

ନିଜର ଚମ୍ପାକଢ଼ି ପରି ଅଙ୍ଗୁଳିକୁ ଅଧରରେ ଚଳାଉଥିବାବେଳେ ପଛରୁ ନର୍ମଦା ଆସି କହିଲା–ଏତେ ରାତିରେ ବି ଆଇନା ଆଗରେ ଠିଆ ହୋଇ ନିଜ ରୂପରେଖକୁ ଯତ୍ନର ସହିତ ପରିପାଟୀ କରିବାର ମାନେ ମୁଁ କିଛି ବୁଝିପାରୁନାହିଁ । ସତେ କ’ଣ ତୁ କୁଆଡ଼େ ଯିବୁ ? ପୁଣି ଏତେ ରାତିରେ ?

 

ତୀଷ୍ମଦୃଷ୍ଟିରେ ନର୍ମଦାକୁ ଚାହିଁଲା ଫାଲ୍‌ଗୁନୀ । ଗମ୍ଭୀର କଣ୍ଠରେ କହିଲା, ମୁଁ କୁଆଡ଼େ ଯାଉନାହିଁ କି ଯିବିନାହିଁ । କିନ୍ତୁ ଏତେବେଳ ପର୍ଯ୍ୟନ୍ତ ତୁ କୁଆଡ଼େ ଯାଇଥିଲୁ ?

 

ମୋ କଥା କହୁଛୁ ଅପା ?

 

ହଁ, ତୋ କଥା !

 

ଜଣେ ବନ୍ଧୁ ଘରକୁ ଯାଇଥିଲି । କଥାଟାକୁ ନିହାତି ହାଲ୍‌କା ଭାବରେ ଗ୍ରହଣ କରି ଉତ୍ତର ଦେଲା ନର୍ମଦା ।

 

ବନ୍ଧୁ ଜଣକ ନିଶ୍ଚୟ ପୁରୁଷ ହୋଇଥିବ–ନୁହେଁ ?

 

ନର୍ମଦା ନିଜର ଭ୍ୟାନିଟିବ୍ୟାଗ୍‌କୁ ଡ୍ରେସିଙ୍ଗଟେବୁଲ ଡ୍ର ଭିତରେ ରଖୁ ରଖୁ କହିଲା, ତୋ ଆଗରେ ମିଛ କହି କିଛି ଲାଭ ନାହିଁ ଅପା ! କାରଣ ତୁ ମୋ କଥା ସବୁ ଜାଣିଛୁ । ତେଣୁ ମୁଁ ମିଛର ଆଶ୍ରୟ ନେଉନାହିଁ । ସତରେ, ମୁଁ ଜଣେ ପୁରୁଷ ବନ୍ଧୁ ଘରକୁ ଯାଇଥିଲି ।

 

ଆଉ ସେଇ ପୁରୁଷବନ୍ଧୁ ନିଶ୍ଚୟ ସୂର୍ଯ୍ୟକାନ୍ତ ହୋଇଥିବ । ନୁହେଁ ? ଫାଲ୍‌ଗୁନୀ ତୀକ୍ଷ୍ମସ୍ୱରରେ ପ୍ରଶ୍ନ କଲା ।

 

ଷ୍ଟ୍ରେଚ୍‌ ଟେରିକଟ୍‌ର ବ୍ଲାଉଜଟାକୁ ଦେହରୁ କାଢ଼ୁ କାଢ଼ୁ ନର୍ମଦା ହୋ ହୋ ହୋଇ ହସିଉଠିଲା । କହିଲା, ତୁ କ’ଣ ମୋତେ ଏତେ ନିର୍ବୋଧ ମନେ କରୁଛୁ ଅପା ! ଯେଉଁ ସୂର୍ଯ୍ୟକାନ୍ତ ମୋ ଜୀବନର ସମସ୍ତ ଐଶ୍ୱର୍ଯ୍ୟ ଭ୍ରୁଲୁଣ୍ଠିତ କରିଛି ସେଇ ହୃଦୟହୀନ, ଇତର ସୂର୍ଯ୍ୟକାନ୍ତର ଅଭିସାରିକା ହେବାପାଇଁ ମୁଁ ଯିବି ତା’ର ନିଭୃତ କୋଠରୀକୁ ?

 

ଆଉ ତେବେ କୁଆଡ଼େ ଯାଇଥିଲୁ ?

 

ବ୍ରାକେଟ ଉପରେ ନିଜର ବ୍ରେସରିଟା ରଖିଦେଇ ଶାଢ଼ୀର ପ୍ରାନ୍ତଭାଗଟା ନିଜ ଉତ୍ତୁଙ୍ଗ ବକ୍ଷ ଉପରେ ସଜାଡ଼ୁ ସଜାଡ଼ୁ ଧିର କଣ୍ଠରେ କହିଲା, ସବୁ କଥା କ’ଣ ସମସ୍ତଙ୍କୁ କହିହୁଏ ଅପା ! ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହୁଏ, ସାମାନ୍ୟ ବୟସର ତାରତମ୍ୟରେ ବଡ଼ ହୋଇଥିବାରୁ ଅପରର ଗୋପନୀୟତାକୁ ସମସ୍ତେ କାହିଁକି ଜାଣିବାକୁ ଚେଷ୍ଟା କରନ୍ତି ? କୁଆଡ଼େ ଯାଇଥିଲୁ, କାହିଁକି ଯାଇଥିଲୁ, କାହା ସାଥିରେ ଯାଇଥିଲୁ–ଯାଇଥିଲୁ ଏଇ ଭଳି କୈଫିୟତ ଯେଉଁମାନେ ଦାବି କରନ୍ତି ସେମାନଙ୍କୁ ମୁଁ ନିର୍ବୋଧ ଛଡ଼ା ଆଉ କ’ଣ କହିବି କହିଲୁ ?

 

ଫାଳଗୁନୀ ବୁଝିଲା, ତାକୁଇ କେନ୍ଦ୍ରକରି ଏ ଉପମାଟା ହେଉଛି ନର୍ମଦା । ଅନ୍ୟର ଗୋପନୀୟତାକୁ କେହି ଜାଣିବାକୁ ଚେଷ୍ଟାକଲେ ସମସ୍ତେ ଏଇ ଯୁକ୍ତି ଦେଖାନ୍ତି–ଠିକ୍‌ ଯେମିତି ନର୍ମଦା କହୁଛି । ତଥାପି ଥମିଲାନି ଫାଲ୍‌ଗୁନୀ । କହିଲା–ମୁଁ ଜାଣେ, କଥାଟା ମୋତେଇ କେନ୍ଦ୍ରକରି କହୁଛୁ । କିନ୍ତୁ ମୋ’ ପାଖରେ ତୋ ଗୋପନୀୟତା ବୋଲି କିଛି ନାହିଁ । ଅବିବାହିତ ଅବସ୍ଥାରେ ସୂର୍ଯ୍ୟକାନ୍ତର ସନ୍ତାନକୁ ଗର୍ଭକୋଷରେ ଧରି ତୁ ବି ଦିନେ ମୋ ପାଖରେ ମୁକ୍ତିର ପଥ ଚାହିଁଥିଲୁ । ମୁଁ ସେଦିନ ତୋର କଳଙ୍କିତ ଦେହରେଖା ଉଉପରେ ନିଷ୍କଳଙ୍କର ପ୍ରଲେପ ଦେଇଥିଲି । ଅଥଚ ଆଜି ତୁ ପୁଣି ମୋର ମୁହଁ ଉପରେ ତୋର ଗୋପନୀୟତାକୁ କେନ୍ଦ୍ରକରି ମୋତେ କଟୁ–ଭର୍ତ୍ସନା କରିବାକୁ ସାହସ କରିପାରୁଛୁ ?

 

ନର୍ମଦା କିଛି ପ୍ରତ୍ୟୁତ୍ତର ଦେଇ ପାରିଲାନି । ଫାଲ୍‌ଗୁନୀର ଆକ୍ଷେପ ଠିକ୍‌ ତା’ର ମନ–ଗହନରେ ରେଖାପାତ କରିଛି । ଆହତ କୁରଙ୍ଗୀ ପରି କୋଠରୀ ଭିତରୁ ବାହାରି ଆସୁ ଆସୁ କହିଲା, ମୋତେ ଭୀଷଣ ଭୋକ ହେଉଛି ଅପା, ମୁଁ ଖାଇବାକୁ ଯାଉଛି ।

 

ଫାଲଗୁନୀ ଚଟ୍‌କରି ଉତ୍ତର ଦେଲା, ଅତିଥି ହୋଇ ପୁରୁଷବନ୍ଧୁ ଘରକୁ ଯେତେବେଳେ ଯାଇଥିଲୁ, ସେଠାରେ କ’ଣ କିଛି ଖାଇନୁ ? ତେବେ ତୋର ପ୍ରେମିକ ନିହାତି ନିର୍ବୋଧ ।

 

ନର୍ମଦା କିନ୍ତୁ ସେତେବେଳକୁ ସେଠାରୁ ନିଷ୍କ୍ରାନ୍ତ ହୋଇ ଯାଇଥିାଲା ।

 

କକ୍ଷଟି ନିରୋଳା ହେବାରୁ ଫାଲଗୁନୀ ବ୍ରାକେଟ୍‌ ଉପରୁ ନର୍ମଦାର ବ୍ଲାଉଜଟାକୁ ଆଣି ଦେଖିଲା । ବ୍ରେସରିଟା ଆଣି ଖୁବ ତନ୍ନ ତନ୍ନ କରି ପରୀକ୍ଷା କଲା । ହଠାତ୍‌ ତା’ ଆଖି ଆଗରେ ଏକ ସମୁଜ୍ଜଳ ପଥ ଦେଖାଗଲା । ବ୍ଲାଉଜଟାକୁ ବ୍ରାକେଟ ଉପରେ ରଖିଦେଇ ଡ୍ରେସିଂ ଟେବୁଲ ଡ୍ର’ ଭିତରୁ ନର୍ମଦାର ଭ୍ୟାନିଟ୍‌ବ୍ୟାଗ କାଢ଼ି ଫିଟାଇଲା । ଦେଖିଲା ତା’ ଭିତରେ ଅଛି ସୁନ୍ଦର ଲତା ଛବିଭରା ଖଣ୍ଡେ ନୀଳଲଫାପା । ସଯତ୍ନରେ ଚିଠିର ଠିକଣା ଦେଖିଲା । ପ୍ରେରକର ଠିକଣା ଇଙ୍ଗିତରେ ଲେଖା ହୋଇଛି । ମନରେ ଅଜସ୍ର ସନ୍ଦେହ ଉଙ୍କି ମାରିଲା । ଅନେକ ଚିନ୍ତା କରି ସେଇ ଚିଠିଟିକୁ ଆଣି ନିଜ ବ୍ଳାଉଜ ଭିତରେ ରଖିଦେଲା ।

 

ରାତ୍ରିଭୋଜନ ସମାପ୍ତ କରି ନର୍ମଦା ଆସିଲା ଶୋଇବାକୁ ।

 

ଫାଲଗୁନୀ ପଲଙ୍କ ଉପରେ ମୁହଁ ମାଡ଼ି ଶୋଇରହି ଖଣ୍ଡେ ଉପନ୍ୟାସ ପଢ଼ୁଥାଏ, କିନ୍ତୁ ଦୃଷ୍ଟିଥାଏ ନର୍ମଦା ଉପରେ ।

 

ନର୍ମଦା ଆସି ଛିଡ଼ା ହେଲା ଦର୍ପଣ ସାମନାରେ । ନିଜ ମୁଖର ସୌନ୍ଦର୍ଯ୍ୟକୁ ଖୁବ୍‌ ତନ୍ନ ତନ୍ନ କରି ପରୀକ୍ଷା କଲା ।

 

ଦର୍ପଣରେ ପ୍ରତିବିମ୍ବିତ ହେଲା ନର୍ମଦାର ରୂପରେଖ । ଫାଲଗୁନୀ ଦର୍ପଣ ଆଡ଼କୁ ଚାହିଁଲା । ଖୋଲା ଦେହ । ସାଧାସିଧା ଶାଢ଼ୀ ଖଣ୍ଡେ ପିନ୍ଧିଛି ନର୍ମଦା । ଭୀଷଣ ଗରମ ହେଉଛି ବୋଲି ବ୍ଳାଉଜ ଇତ୍ୟାଦି କାଢ଼ି ରଖି ଦେଇଛି । କିନ୍ତୁ ବକ୍ଷ ଉପରୁ ଶାଢ଼ୀର ଏକ–ତୃତୀୟାଂଶ ଖସି ପଡ଼ିଛି ତଳକୁ । ତଥାପି ଦୃଷ୍ଟି ଦେଇନି ନର୍ମଦା ।

 

ଫାଲଗୁନୀ ଦେଖିଲା, ଉଜ୍ଜ୍ଳଳ ଇଲେକ୍ଟ୍ରିକ ଆଲୋକରେ ନର୍ମଦା ବକ୍ଷରେ ଅର୍ଦ୍ଧାଂଶ ବିକଶିତ ହେଉଛି । ବକ୍ଷର ସେଇ ଉଚ୍ଚ, ଶୁଭ୍ର, ସୁକୋମଳ ମାଂସ ସ୍ତୁପ ଉପରେ ଏକ ସଦ୍ୟ କ୍ଷତଚିହ୍ନର ଦାଗ ସୁସ୍ପଷ୍ଟ । ଫାଲଗୁନୀ ଏସବୁ ଦେଖିସାରିବା ପରେ ଉପନ୍ୟାସ ଉପରେ ଦୃଷ୍ଟି ନିବଦ୍ଧ କଲା ।

 

ନର୍ମଦା ଦର୍ପଣ ପାଖରୁ ଆସି ବିଛଣାରେ ବସିଲା । କହିଲା–ତୁ ଖାଇବୁନି ଅପା ?

 

ଉପନ୍ୟାସ ଉପରେ ସେମିତି ନିର୍ଲିପ୍ତ ଦୃଷ୍ଟି ଦେଇ ଫାଲଗୁନୀ କହିଲା, ମୁଁ ଖାଇ ସାରିଛି-

 

ଶୋଇବୁନି ?

 

ନିଦ ହେଉନି !

 

ନିଦ ତ ହେବନି ?

 

ମାନେ ? ଫାଲ୍‌ଗୁନୀ ଚାହିଁଲା ନର୍ମଦାକୁ ।

 

ଏ ଯେଉଁ ଗରମ ପଡ଼ିଛି ନା ଅପା ! ପଙ୍ଖା ପବନ କ’ଣ ନିଦ୍ରାଦେବୀଙ୍କୁ ନିମନ୍ତ୍ରଣ କରିପାରିବ ବୋଲି ଆଶା କରୁଛୁ ?

 

ଫାଲ୍‌ଗୁନୀ ପୁଣି ଉପନ୍ୟାସ ପଢ଼ାରେ ମନ ଦେଲା ।

 

କୁମାରୀ ରାତ୍ରିର ବୟସ ବଢ଼ୁଥିଲା ।

 

ଅନେକ ସମୟ ପରେ ଫାଲ୍‌ଗୁନୀ ଚାହିଁଲା ନର୍ମଦାକୁ । ନର୍ମଦା ଚିତ୍‌ହୋଇ ଶୋଇଛି । ଦ୍ୱିଧାବିଭକ୍ତ ସୁକୋମଳ ମାଂସସ୍ତୁପ ଉପରେ ପାତଳଶାଢ଼ୀର ପ୍ରାନ୍ତଭାଗଟା ହିଲ୍ଲୋଳିତ ସମୀରଣରେ ଲୁଚକାଳି ଖେଳୁଥିଲା ।

 

ନିଶ୍ଚିତ ଭାବରେ ନର୍ମଦା ଶୋଇପଡ଼ିଛି ଜାଣିପାରି ଫାଲଗୁନୀ ନିଜ ବ୍ଲାଉଜ ଭିତରୁ ନର୍ମଦାର ସେଇ ଚିଠିଟି ବାହାର କରି ପଢ଼ିବାକୁ ଲାଗିଲା ।

 

ମାନସୀ ମୋର !

 

ତମର ହସ୍ତଲିପି ପାଇଲି ଗଲା ବୁଧବାର ଦିନ । କିନ୍ତୁ ମୁଁ ଏତେ କାର୍ଯ୍ୟବ୍ୟସ୍ତ ଥିଲି ତମ ଚିଠି ପାଇ ସେହି ମୁହୂର୍ତ୍ତରେ ଆସିବାକୁ ଶତଚେଷ୍ଟା କରି ବି ଆସି ପାରିଲିନି । ସେହିପାଇଁ ମୁଁ ଭୀଷଣ ଭାବରେ ଦୁଃଖିତ, ଅନୁତପ୍ତ ମଧ୍ୟ । ଛାଡ; ରବିବାର ଦିନ ଚାରିଟା ସମୟରେ ମୁଁ କଟକରେ ନିଶ୍ଚୟ ପହଞ୍ଚିବି । ସନ୍ଧ୍ୟା ଛଅଟାବେଳେ ଏସିଆନ୍‌ ହୋଟେଲରେ ତମ ସାଥିରେ ସାକ୍ଷାତ ହେବ ନିଶ୍ଚୟ । ଉପର ମହଲାର ସାତ ନମ୍ବର ରୁମ୍‌ ମୁଁ ଫୋନ୍‍ଦ୍ୱାରା ବୁକ୍‌ କରିଦେଇଛି । ସେଇଠି, ସେଇ ନିଭୃତ କୋଠରୀରେ ମୋର ସମସ୍ତ ଏକାନ୍ତ ଗୋପନୀୟ କାହାଣୀ କହିବି । ତମେ ଆସିବ । ସାକ୍ଷାତରେ ସବୁ କଥା । ଇତି ।

 

ଭାନୁପ୍ରତାପ

 

ଚିଠିଟି ପଢ଼ିସାରି ଫାଲଗୁନୀ ଚାହିଁଲା ନର୍ମଦାକୁ । ସୂର୍ଯ୍ୟକାନ୍ତ ପରେ ନର୍ମଦାର ଦ୍ୱିତୀୟ ଶୀକାର ହୋଇଛି ଭାନୁପ୍ରତାପ । ବାସସ୍ଥାନଠାରୁ ବହୁ ଦୂରରେ ଥିଲେ ମଧ୍ୟ ନର୍ମଦା ଚିଠି ଦେଇ ପ୍ରେମିକ ପାଖକୁ ନିମନ୍ତ୍ରଣ ପଠାଇଛି, ଆଉ ପ୍ରିୟ ତା’ର ସ୍ନେହମୟୀ ପ୍ରେମିକାର ଅନୁରୋଧ ରକ୍ଷାକରି କଟକ ଆସିଛି ।

 

ଆଜି ରବିବାର । ପାଞ୍ଚଟାବେଳେ ନର୍ମଦା ନିଜ ଅଙ୍ଗବଲ୍ଲରୀକୁ ନିଖୁଣଭାବେ ଆକର୍ଷିତ କରି ଘରୁ ଯାଇଥିଲା । ପୂଜାରୀକୁ କହି ଯାଇଥିଲା, ସେ ଜଣେ ବାନ୍ଧବୀ ଘରକୁ ଯାଉଛି । ଫେରିବାକୁ ସାମାନ୍ୟ ବିଳମ୍ବ ହୋଇପାରେ । ଅଥଚ ନର୍ମଦା ତା’ର କୌଣସି ବାନ୍ଧବୀ ଘରକୁ ନ ଯାଇ ଏସିଆନ୍‌ ହୋଟେଲର ସାତ ନମ୍ବର କୋଠରୀକୁ ଯାଇଥିଲା । ଆଉ ସେଇ ଆବଦ୍ଧ କୋଠରୀ ଭିତରେ ନୂତନ ପ୍ରେମିକ ଭାନୁପ୍ରତାପ ନିକଟରେ ନିଜକୁ ଏକ ପ୍ଳାଷ୍ଟିକ୍‌କଣ୍ଢେଇ ପରି ଖେଳି ଖେଳି ରତିକ୍ଳାନ୍ତା ଦେହ ନେଇ ଘରକୁ ଫେରି ଆସିଛି ।

 

ଫାଲଗୁନୀ ଚିଠିଟିକୁ ଧରି ନର୍ମଦା ପାଖକୁ ଆସିଲା । ନର୍ମଦାର ଖୁବ୍‌ ନିକଟରେ ଛିଡ଼ା ହୋଇ ତା’ର ମୁହଁକୁ ଚାହିଁଲା । ଘରୁ ଗଲାବେଳେ ଶୁଭ୍ର ଚିକଣ ଅଧର ଉପରେ ସ୍ନୋ-ପାଉଡ଼ରର ପ୍ଳାଷ୍ଟରିଂ କରି ଯାଇଥିଲା । କିନ୍ତୁ ବର୍ତ୍ତାମାନ ସେଇ ମୁଖମଣ୍ଡଳ ଘାତ-ପ୍ରତିଘାତ ଭିତରେ କିମ୍ଭୁତ କିମାକାର ରୂପ ନେଇ ପାରିଛି । ଗାଲ, ଅଧର ଉପରେ ଚୁମ୍ବନର ଦନ୍ତଚିହ୍ନ ଏବେ ବି ଦେଖାଯାଉଛି-

 

ଫାଲଗୁନୀ ବିଚଳିତ ହୋଇ ଉଠିଲା । ପଟ୍ଟନାୟକଙ୍କ ବଂଶର କନିଷ୍ଠା କନ୍ୟା ଆଜି ସାଧାରଣ ନିମ୍ନଶ୍ରେଣୀର ଝିଅଙ୍କ ଚରିତ୍ର ଭଳି ସମକକ୍ଷ ହେବାକୁ ଯାଉଛି । ଶିଉଳି ପଥରରେ ପାଦଦେଇ ଗୋଡ଼ ଖସାଇ ସାରିଲାଣି ଅନେକ ତଳକୁ । ବହୁ ପୁରୁଷ ସାଥିରେ ଖେଳିବା ଯାହାର ନିତିଦିନର ଅଭ୍ୟାସ ହୋଇଗଲାଣି ସେଇ ପତନୋନ୍ମୁଖୀ ଯୁବତୀକୁ ଏଇ ଦୁଷ୍କୃତି ପଥରୁ କିମିତି ଉଦ୍ଧାର କରିବ ସେଇୟା ଚିନ୍ତା କରୁଥିଲା ଫାଲ୍‌ଗୁନୀ ।

 

ନର୍ମଦାର ଚିଠିଟିକୁ ଯଥା ସ୍ଥାନରେ ରଖି ନିଜ ବିଛଣାକୁ ଫେରିଆସିଲା । ଭାବିଲା–ନର୍ମଦାକୁ ଏଇ କୁପଥରୁ ଉଦ୍ଧାର କରିବା ପାଇଁ ଏକମାତ୍ର ସୁପଥ ହେଉଛି ତା’ର ବିବାହ । ବିବାହ ଛଡ଼ା ନର୍ମଦା ପାଇଁ ଦ୍ୱିତୀୟ ପନ୍ଥା ନାହିଁ ।

 

ରାତି ପାହିଲା ଏ ବିଷୟ ସେ ବାପାଙ୍କୁ କହିବ । କହିବ–ପଟ୍ଟନାୟକବଂଶର ଆଭିଜାତ୍ୟ, ଐଶ୍ୱର୍ଯ୍ୟ, ସମ୍ମାନକୁ ଯଦି ପବିତ୍ର, ନିଷ୍କଳଙ୍କ ରଖିବାକୁ ଚାହାନ୍ତି ତେବେ ନର୍ମଦାର ବିବାହ ଶୀଘ୍ର ସମାପ୍ତ କରିଦିଅନ୍ତୁ । ନଚେତ୍‌ ଆପଣଙ୍କ ସମ୍ମାନ ସହିତ ଏ ବଂଶର ଗୌରବୋଜ୍ୱଳ ଇତିହାସରେ କଳଙ୍କର କାଳିମା ନେସି ହୋଇଯିବ । ମୋର ଛୋଟକଥା ରଖନ୍ତୁ ବାପା ! ମୁଁ ନର୍ମଦାର ସମସ୍ତ କୁତ୍ସିତ ଇତିହାସ ଜାଣେ । ଏ ବଂଶର ଗୌରବ, ସମ୍ମାନ, ଆଭିଜାତ୍ୟକୁ ନିଷ୍କଳଙ୍କ ରଖିବାକୁ ହେଲେ ନର୍ମଦାର ବିବାହ ଏକାନ୍ତ ଆବଶ୍ୟକ ।

 

ଉତ୍ତରରେ ବାପା ଯଦି କହିବେ, ବଡ଼ ଭଉଣୀ ଆଭିଆଡ଼ୀ ଥାଉ ଥାଉ ସାନଭଉଣୀ ବିବାହ କିମିତି କରିବ ?

 

ତେବେ କି ଉତ୍ତର ଦେବ ଫାଲଗୁନୀ ।

 

ଫାଲଗୁନୀ ମୁଣ୍ଡରେ ଚିନ୍ତାର ତରଙ୍ଗ, ଅନେକ ଚିନ୍ତାକରି ମଧ୍ୟ ଶେଷ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତିରେ ପହଞ୍ଚି ପାରିଲାନି ।

 

ସଅଳ ବିଛଣାରୁ ଉଠି ଫାଲଗୁନୀ ଚାହିଁଲା ନର୍ମଦାର ବିଛଣାକୁ । ଦେଖିଲା ନର୍ମଦା ଅନେକବେଳୁ ଉଠିସାରିଛି । ବିଛଣା ତା’ର ଶୂନ୍ୟ । ନିଜେ ବିଛଣାରୁ ଉଠି ପୂଜାରୀକୁ ପଚାରି ବୁଝିଲା ଯେ, ନର୍ମଦା ଜଣେ ବନ୍ଧୁ ଘରକୁ ଯାଇଛି ବୋଲି କହିଦେଇ ଯାଇଛି, ଆଉ ଫେରୁ ଫେରୁ ଦିନ ବାରଟା ମଧ୍ୟ ହୋଇପାରେ ।

 

ଫାଲଗୁନୀ ଚିନ୍ତା କଲା । ରାତି ନ ପାହୁଣୁ ବି କେଉଁ ବନ୍ଧୁର ନିମନ୍ତ୍ରଣ ରକ୍ଷା କରିବାକୁ ଯାଇଛି ନର୍ମଦା । ନା, ଏ ସବୁ ମିଛ କଥା । ଭାନୁପ୍ରତାପ ପାଖକୁ ଯାଇଛି ସେ ।

 

ନିଜର ନିତ୍ୟକର୍ମ ସାରି ଫାଲ୍‌ଗୁନୀ କଲେଜ ବାହାରି ପଡ଼ିଲା ।

 

ପୋର୍ଟିକୋ’ରେ ଡ୍ରାଇଭର ଗାଡ଼ି ରଖି ହର୍ଣ୍ଣ ଦେଉଛି ।

 

ବାରଣ୍ଡାତଳକୁ ଓହ୍ଲାଇଲା ଫାଲ୍‌ଗୁନୀ ।

 

ଗାଡ଼ିର ପଛ ଦରଜା ଖୋଲି ଡ୍ରାଇଭର ଠିଆ ହେଲା ।

 

ଗାଡ଼ିରେ ବସିଲା ଫାଲ୍‌ଗୁନୀ ।

 

ଫାଲ୍‌ଗୁନୀ କହିଲା, ଚାରିଟାବେଳେ ତମେ ଗାଡ଼ି ଆଣିବ ନାହିଁ । ବାହାରେ ମୋର ଅନେକ କାମ ଅଛି । ଫେରୁ ଫେରୁ ଅନେକ ବିଳମ୍ବ ହେବ ।

 

ଡ୍ରାଇଭର ନୀରବ ସମ୍ମତି ଜଣାଇଲା ।

କଲେଜରେ ପହଞ୍ଚି ଶ୍ରୀକାନ୍ତକୁ ଅନେକ ଖୋଜିଲା । ନା, ଆଜି ବି ଶ୍ରୀକାନ୍ତ ଅନୁପସ୍ଥିତ ରହିଛି । ତେବେ ତାଙ୍କ ମାଆଙ୍କ ଦେହ କ’ଣ ଅଧିକ ଅସୁସ୍ଥ ହୋଇପଡ଼ିଲା ?

କଲେଜ ଛୁଟି ପରେ ଶ୍ରୀକାନ୍ତର ଘରେ ପହଞ୍ଚିଲା ଫାଲ୍‌ଗୁନୀ ।

ହୀରାମଣି ବସିଥିଲେ ଶ୍ରୀକାନ୍ତର ଖଟ ଉପରେ । ଫାଲ୍‌ଗୁନୀକୁ । ଅନାଦୂତ ଭାବେ ଦେଖି ଖଟ ଉପରୁ ଓହ୍ଲାଇ ଆସି ହାତଧରି ଘର ଭିତରକୁ ନେଇଗଲେ । ଶ୍ରୀକାନ୍ତର ଖଟ ଉପରେ ନିଜେ ବସି ପଡ଼ି ଫାଲ୍‌ଗୁନୀକୁ ବସିବାକୁ ନିର୍ଦ୍ଦେଶ ଦେଲେ ।

ଫାଲ୍‌ଗୁନୀ ବସିଲା । କହିଲା, ଆପଣଙ୍କର ଦେହ କିପରି ଅଛି କୁହନ୍ତୁ ତ ?

ସାମାନ୍ୟ ଭଲ ଲାଗୁଛି । ଜ୍ୱର ମୋଟେ ନାହିଁ । ଦେହ ଦୁର୍ବଳ ଲାଗୁଛି । କିନ୍ତୁ କାନ୍ତ କହୁଛି, କୌଣସି ପରିଶ୍ରମ ନ କରି କେବଳ ବିଛଣାରେ ଶୋଇ ରହିବାକୁ । କେତେଦିନ ଇମିତି ବିଛଣାରେ ଶୋଇବି କହିଲୁ ମାଆ !

ଶ୍ରୀକାନ୍ତବାବୁ କିଛି ଭୁଲ କହିନାହାନ୍ତି ମାଆ ! ଆପଣଙ୍କର ଏ ବୟସରେ ଏତେ ପରିଶ୍ରମ କରିବା ଆଦୌ ଉଚିତ ନୁହେଁ । ବିଶେଷତଃ ସଦ୍ୟ ରୋଗରୁ ଉଠି....

ଫାଲ୍‌ଗୁନୀ ପାପୁଲିରେ ମୃଦୁପରଶ ଦେଉ ଦେଉ ହୀରାମଣି କହିଲେ, ମୁଁ ସବୁ ବୁଝୁଛି ମାଆ, କିନ୍ତୁ ମୁଁ ପରିଶ୍ରମ ନ କଲେ କିଏ ଘରକାମ କରିବ ? ପୁଅଟା ଆଠଦିନ ହେଲା ହୋଟେଲରେ ଖାଉଛି । ଇମିତି ଧାରାବାହିକଭାବେ ହୋଟେଲରେ ଖାଇଲେ ତା’ ଦେହ ଭଲ ରହିବ ତ ? ଘରକାମ, ରୋଷାଇ କାମ ପାଇଁ ଗୋଟାଏ ଚାକର ରଖିବାକୁ କହିଲି । ଉତ୍ତରରେ ସେ କ’ଣ କହିଲା ଜାଣୁ ମାଆ ! କହିଲା–ତୋ ପୁଅର ବାହା ଦି’ଟାରେ ପ୍ରଚୁର ଶକ୍ତି ଅଛି । ଏଇ ସାମାନ୍ୟ ରୋଷାଇ କାର୍ଯ୍ୟପାଇଁ ସେ କ’ଣ ଅକ୍ଷମ ? ଯେଉଁଦିନ ସେଇ ବାହା ଦି’ଟା ପଙ୍ଗୁ, ଅକର୍ମଣ୍ୟ ହୋଇଯିବ ଆଉ ତୋତେ କୌଣସି କାର୍ଯ୍ୟରେ ସାହାଯ୍ୟ କରିପାରିବନି ସେଇଦିନ ଚାକର ରଖିବି । ତା’ର ଏ ଅଦ୍ଭୁତ ଯୁକ୍ତି ଶୁଣି କ’ଣ ଉତ୍ତର ଦେବି କହିଲୁ ମା !

ଫାଲ୍‌ଗୁନୀ ମୃଦୁ ହସି କହିଲା, ଶ୍ରୀକାନ୍ତବାବୁଙ୍କର ବିବାହ ସାରି ଦେଉନାହାନ୍ତି ? ଅନ୍ତତଃ ଏ ଜଞ୍ଜାଳରୁ ଆପଣ ତ୍ରାହି ପାଇଯାଆନ୍ତେ !

ହୀରାମଣି କହିଲେ, ଶ୍ରୀକାନ୍ତ ବିବାହ ପାଇଁ ରାଜି ହେଲେ ସିନା, ତା’ର ଏକା ଜିଦ୍‌, ମୁଁ ବର୍ତ୍ତମାନ ବିବାହ କରିବନି । ଯେଉଁଦିନ ବିବାହର ପ୍ରୟୋଜନ ହେବ ସେଇଦିନ ମୁଁ ବିବାହ କରିବି ।

ଫାଲଗୁନୀ ମନେମନେ ଭାବୁଥିଲା, ଶ୍ରୀକାନ୍ତବାବୁଙ୍କର କେବେ ବିବାହର ପ୍ରୟୋଜନ ହେବ ! ବୃଦ୍ଧାମାତାଙ୍କୁ କେବେ ବୋହୂ ହାତର ପରଶା ଖୋଇବେ !

ହୀରାମଣି କହିଲେ, ଆମ ଦି’ଜଣଙ୍କ ଭିତରେ ଅନେକ କଥାବାର୍ତ୍ତା ହୋଇଗଲାଣି । କିନ୍ତୁ ତୋର ସମ୍ପୂର୍ଣ୍ଣ ପରିଚୟଟା ମୁଁ ଏ ପର୍ଯ୍ୟନ୍ତ ଜାଣି ପାରିଲେନି । କେବଳ ଶ୍ରୀକାନ୍ତର କଲେଜ ସାଥୀ ବୋଲି ଜାଣିଛି ସିନା !

ଫାଲଗୁନୀ ଲଜ୍ଜିତା ହେଲା । ସତରେ ଦି’ ଜଣଙ୍କ ଭିତରେ ଅନେକ କଥାଭାଷା ହୋଇଗଲାଣି । କିନ୍ତୁ ସେ କିମିତି ନିଜ ପରିଚୟ ନିଜେ ଦେବ । ପରିଚୟ ଦେବାପାଇଁ ତୃତୀୟ ପୁରୁଷର ଆବଶ୍ୟକ ହୁଏ । କିନ୍ତୁ ଏଠାରେ କାହିଁ ତୃତୀୟ ପୁରୁଷ ! ତଥାପି ଫାଲ୍‌ଗୁନୀ କହିଲା, ମୋର ପରିଚୟରୁ କ’ଣ ବା ମିଳିବ ! ମୋର ନାମ ଫାଲ୍‌ଗୁନୀ ପଟ୍ଟନାୟକ । ବାପାଙ୍କ ନାମ ଅବିନାଶ ପଟ୍ଟନାୟକ । ବାପା ଓ ମୋର ଗୋଟିଏ ସାନ ଭଉଣୀ ଛଡ଼ା ଆଉ କେହି ନାହାନ୍ତି । ଆଉ ଶ୍ରୀକାନ୍ତବାବୁ ମୋର ବନ୍ଧୁ । ଗୋଟିଏ କଲେଜରେ ଗୋଟିଏ ଶ୍ରେଣୀରେ ଆମେ ଦୁହେଁ ପଢ଼ୁ ।

 

ହୀରାମଣି ଫାଲ୍‌ଗୁନୀକୁ ଟାଣିଆଣିଲେ ନିଜ କୋଳ ଉପରକୁ । କହିଲେ, ତମର ମାଆ ନାହିଁ । ଫାଲ୍‌ଗୁନୀ, କିନ୍ତୁ ମୋର ବି ଝିଅ ନାହିଁ । ଆଜିଠାରୁ ତମେ ମୋର ଝିଅ ହେଲ ।

 

ଗଭୀର କୃତଜ୍ଞତାରେ ନଇଁଗଲା ଫାଲ୍‌ଗୁନୀର ମଥା । ହୀରାମଣିଙ୍କ କୋଳ ଭିତରେ ମୁହଁ ରଖି ଫାଲଗୁନୀ କହିଲା, ମୁଁ କିନ୍ତୁ ସବୁ ସହ୍ୟ କରିବି କିନ୍ତୁ ମାତୃ ସ୍ନେହରୁ ବଞ୍ଚିତ କଲେ ମୁଁ ମୋଟେ ସହ୍ୟ କରିପାରିବି ନାହିଁ ।

 

ମୃଦୁ ହସି ହୀରାମଣି ଫାଲ୍‌ଗୁନୀର ତରଙ୍ଗାୟିତ କେଶଗୁଚ୍ଛକୁ ସାଉଁଳୁ ଥିଲେ ।

 

ଅନେକ ସମୟ ପରେ ଫାଲ୍‌ଗୁନୀ କହିଲା, ଶ୍ରୀକାନ୍ତବାବୁ ଆଜି କଲେଜ ଯାଇନାହାନ୍ତି, ଘରେ ମଧ୍ୟ ନାହାନ୍ତି; ତେବେ କୁଆଡ଼େ ଯାଇଛନ୍ତି ସେ ?

 

ମୁଁ କିମିତି ଜାଣିବି ? ଗଲାବେଳେ କହିଯାଇଛି ଘଣ୍ଟେ ଦୁଇଘଣ୍ଟା ଭିତରେ ଫେରିବ । କିନ୍ତୁ ଏପର୍ଯ୍ୟନ୍ତ ଦେଖାନାହିଁ । କେତେବେଳେ ଆସିବ–ପୁଣି ନିଜ ହାତରେ ଜଳଖିଆ ତିଆରି କରିବ-

 

ଫାଲଗୁନୀ ଚାରିଆଡ଼କୁ ଚାହିଁ କହିଲା, ଉପରବେଳା ସେ କ’ଣ ଜଳଖିଆ ଖାଆନ୍ତି ?

 

ଗରିବ ଘର; ଲୁଚି, ପୁରୀ, ପରଟା ଇମିତି ଜଳଖିଆ କରିନିଏ ସେ । ପାଠପଢ଼ା ସଙ୍ଗେ ଗୋଟାଏ ଦୁଇଟା ଟିଉସନ ଧରିଛି । ସେଥିରୁ କିଛି ଟଙ୍କା ପାଏ । ତା’ଛଡ଼ା ଆଉ କେଉଁଠୁ ଟଙ୍କା ସେ ଆଣେ ମୁଁ କହିପାରିବି ନାହିଁ ।

 

କେଉଁଠୁ ଆସେ ତେବେ ? ଫାଲ୍‌ଗୁନୀ ଭାବୁଥିଲା ।

 

ହୀରାମଣି ପୁଣି କହିଲେ, କାନ୍ତକୁ ଅନେକଥର କହିଲିଣି ଘରଖର୍ଚ୍ଚ ପାଇଁ କେଉଁଠୁ ତୁ ଟଙ୍କା ଧାର କରୁଛୁ ? ସେ କହିଲା, ଏପର୍ଯ୍ୟନ୍ତ ମୁଁ କାହାରିଠାରୁ ଋଣ କରିନି କିମ୍ବା କାହାକୁ ହାତପାତି ମାଗିନି; କାହାର ସାମାନ୍ୟ ଦାନ, ସାହାଯ୍ୟ ମଧ୍ୟ ଗ୍ରହଣ କରିନି । ମୋ ନିଜ ପରିଶ୍ରମର ଅର୍ଥ ମୁଁ ଆଣେ ।

 

ଫାଲ୍‌ଗୁନୀ ଭାବୁଥିଲା ଟିଉସନ ଛଡ଼ା ଆଉ କ’ଣ ପରିଶ୍ରମର ମୂଲ୍ୟ ହୋଇପାରେ ?

 

ହୀରାମଣି କହିଲେ, ବସ ମାଆ ! ମୁଁ କାନ୍ତ ପାଇଁ ଜଳଖିଆ ଦି’ଟା ତିଆରି କରେ ।

 

ହୀରାମଣିଙ୍କ ହାତଧରି ବସାଇଦେଲା ଫାଲ୍‌ଗୁନୀ । କହିଲା, ଆପଣ ବସନ୍ତୁ । କେଉଁଠି କ’ଣ ଅଛି ମୋତେ କୁହନ୍ତୁ, ମୁଁ ସବୁ ତିଆରି କରି ଦେଉଛି ।

 

ନା, ନା, କାନ୍ତ ଜାଣିଲେ ବିରକ୍ତ ହେବ ।

 

ସେ ମୋଟେ ବିରକ୍ତ ହେବେ ନାହିଁ । ହୁଏତ ଆପଣ ରୋଷାଇ କରୁଥିବାର ଦେଖିଲେ ସେ ବିରକ୍ତ ହେବେ ।

 

ହୀରାମଣି ଜଳଖିଆ–ସାମଗ୍ରୀ ଆଣି ଚୁଲି ପାଖରେ ଠୁଳ କଲେ ।

 

ଫାଲ୍‌ଗୁନୀ କହିଲା, ଏଥର ଆପଣ ଯାଆନ୍ତୁ । ମୁଁ ସବୁ ତିଆରି କରିଦେଉଛି ।

 

ହୀରାମଣି ଫେରିଆସିଲେ ।

 

ଜଳଖିଆ ତିଆରି ସରିବା ପରେ ମୁହଁହାତ ଧୋଇ ଫାଲଗୁନୀ ଉଠିଲା । କହିଲା, ସାତଟା ବାଜିଲାଣି । ଶ୍ରୀକାନ୍ତବାବୁ ଏପର୍ଯ୍ୟନ୍ତ ଆସିଲେ ନାହିଁ । ମୁଁ ଯାଉଛି । କିନ୍ତୁ ମୁଁ ଆସିଥିଲି ବୋଲି ତାଙ୍କୁ କହିବେ ନାହିଁ ।

 

ଫାଲ୍‌ଗୁନୀ ଫେରିବାକୁ ଉପକ୍ରମ କଲା ।

 

ଶ୍ରୀକାନ୍ତ ଘର ଭିତରେ ପ୍ରବେଶକରି ଫାଲ୍‌ଗୁନୀକୁ ଅନାହୂତ ଭାବରେ ଭେଟି କହିଲା, ଆରେ ! ଫାଲ୍‌ଗୁନୀ ଯେ ? କେତେବେଳେ ଆସିଲ ?

 

ଏଇ ତ ବର୍ତ୍ତମାନ ଆସଲି । ସଂକ୍ଷିପ୍ତ ଉତ୍ତରଦେଲା ଫାଲ୍‌ଗୁନୀ ।

 

ଚେୟାର ଖଣ୍ଡିଏ ବଢ଼ାଇଦେଇ ଶ୍ରୀକାନ୍ତ କହିଲା, ବାହାରେ ମୋର ସାମାନ୍ୟ କାମ ଥିଲା । ସେଥିପାଇଁ ଫେରୁ ଫେରୁ ଟିକିଏ ବିଳମ୍ବ ହୋଇଗଲା ।

 

ଫାଲ୍‌ଗୁନୀ ମୃଦୁ ହସୁଥିଲା ।

 

ହୀରାମଣି ବିଛଣାରୁ ଉଠିଆସି କହିଲେ–ମାଆ ମୋର ଅନେକବେଳୁ ଆସି ତୋତେ ଅପେକ୍ଷା କରିଛି କାନ୍ତ !

 

ଶ୍ରୀକାନ୍ତ ହୀରାମଣିଙ୍କର ଦି’ବାହୁକୁ ଧରି ବିଛଣା ନିକଟକୁ ନେଲାବେଳେ କହିଲା, ଡାକ୍ତର ଉଠିବାକୁ ମନା କରିଛି, ଅଥଚ ଡାକ୍ତରଙ୍କ ଆଦେଶକୁ ଅମାନ୍ୟ କଲେ ରୋଗ ବଢ଼ିବ କେବଳ, କିନ୍ତୁ ଉପଶମ ହେବ ନାହିଁ ।

 

ହୀରମଣିଙ୍କୁ ବିଛଣା ଉପରେ ଶୁଆଇଦେଇ ଶ୍ରୀକାନ୍ତ ଫେରୁଥିଲା–ବେଳେ ହଠାତ୍‌ ତା’ର ଦୃଷ୍ଟି ପଡ଼ିଲା ରୋଷଘର ଚୁଲି ଉପରେ । ଚୁଲିରେ ନିଆଁଥିବାର ଦେଖି ପୁଣି ରୋଷଘରକୁ ଫେରିଗଲା । ଦେଖିଲା, ଜଳଖିଆ ତିଆରି ସରିଛି । ଆଶ୍ଚର୍ଯ୍ୟ ହେଲା ଯେତିକି ବିସ୍ମିତ ହେଲା ତା’ଠାରୁ ଅଧିକ । ରୋଷଘରୁ ଫେରି ଆସୁ ଆସୁ କହିଲା, ଏ ଜଳଖିଆ କିଏ ତିଆରି କରିଛି ମାଆ-?

 

ଚଟ୍‍କରି ଫାଲ୍‌ଗୁନୀ କହି ଉଠିଲା,ମୁଁ ଆସିଲାବେଳେ ଦେଖିଛି । ଆପଣଙ୍କ ମାଆ ଜଳଖିଆ ତିଆରି କରୁଥିଲେ । ଅବଶ୍ୟ ମୁଁ ବାରଣ କରିଥିଲି । କହିଥିଲି, ଏ ଉତ୍ତର ବୟସରେ ହାତରେ ରୋଷାଇକରି ପୁଅକୁ ଖାଇବାକୁ ଦେବା ଅପେକ୍ଷା ଶୀଘ୍ର ବାହା କରିଦେବା ଉଚିତ । କିନ୍ତୁ ଉତ୍ତରରେ ସେ କ’ଣ କହିଲେ ଜାଣନ୍ତି ? ସେ କହିଲେ, ପାଗଳାପୁଅ ମୋର ବିବାହ ପାଇଁ ମୋଟେ ରାଜି ହେଉନାହିଁ । ଏ ସଂସାରରେ ‘କାନ୍ତ’ ପାଇଁ କୌଣସି ‘କାନ୍ତି’ ଜନ୍ମ ହୋଇନାହାନ୍ତି ।

 

ଫାଲ୍‌ଗୁନୀର ଆଲୋଚନାରେ ଭାଗ ନେଲା ନାହିଁ ଶ୍ରୀକାନ୍ତ । କହିଲା, ତମେବୋଧେ କଲେଜରୁ ଫେରିଥିବ । ତମକୁ ନିଶ୍ଚୟ ଭୋକ ହେଉଥିବା ଆଉ ମୋତେ ବି ଭୋକ ହେଉଛି । ତେବେ ଆସ, ଦୁହେଁ ଆଜି ମାଆଙ୍କ ହାତତିଆରି ଜଳଖିଆ ଖାଇବା ।

 

ଫାଲ୍‌ଗୁନୀ କିଛି ଉତ୍ତର ଦେଲା ନାହିଁ ।

 

ଶ୍ରୀକାନ୍ତ ପ୍ଳେଟରେ ଜଳଖିଆ ନେଇ ଫାଲ୍‌ଗୁନୀ ପାଖରେ ରଖିଲା ।

 

ଦୁହେଁ ଖାଇ ବସିଲେ । ପ୍ରଥମେ ସନ୍ତୁଳାରୁ କିଛି ଅଂଶ ନେଇ ପାଟିରେ ଦେଲା ଶ୍ରୀକାନ୍ତ-। ସୁସ୍ୱାଦୁ ଉପଲବ୍‌ଧି କରିସାରିବା ପରେ ଶ୍ରୀକାନ୍ତ କହିଲା, ସତ କହିବ ଫାଲ୍‌ଗୁନୀ, ତମେ କେତେବେଳୁ ଆସିଲଣି ?

 

କାହିଁକି ? ଏଇ ତ ଆପଣ ଆସିବାର ପ୍ରାୟ ୧୦ । ୧୫ ମିନିଟ ପୂର୍ବରୁ ଆସିଛି ।

 

ମୋଟେ ନୁହେଁ । ତମେ ଅନେକବେଳୁ ଆସିଲଣି । ଆଉ ଏ ଜଳଖିଆ ତମେ ତିଆରି କରିଛ ।

 

ଫାଲ୍‌ଗୁନୀ ମୃଦୁ ହସି କହିଲା, ମୁଁ କାହିଁକି ଆପଣଙ୍କ ପାଇଁ ଜଳଖିଆ ତିଆରି କରିବି ? ମୁଁ ଆପଣଙ୍କର କିଏ ? ଆଉ ଆପଣ ମଧ୍ୟ ମୋର....

 

ହୀରାମଣି ତାଙ୍କ କୋଠରୀରେ ଥାଇ କହିଲେ, ଆଜି ମାଆ ମୋର ଜଳଖିଆ ତିଆରି କରିଛି । କିମିତି ହୋଇଛି କାନ୍ତ ?

 

ଚମକିଉଠି ଶ୍ରୀକାନ୍ତ କହିଲା, ତମେ ମୋତେ ମିଛ କହୁଛ ଫାଲ୍‌ଗୁନୀ !

 

ସତକଥାଟା ହୀରାମଣିଙ୍କ ତୁଣ୍ଡରୁ ଶୁଣି ଫାଲ୍‌ଗୁନୀ କହିଲା, ଆପଣଙ୍କୁ ଚମତ୍କୃତ କରିଦେବି ବୋଲି ମିଛର ଆଶ୍ରୟ ନେଇଥିଲି, କିନ୍ତୁ ମାଆ ଯେ ସତକଥାଟା ପ୍ରକାଶ କରିଦେଲେ ।

 

ଶ୍ରୀକାନ୍ତ କହିଲା, ତମେ କିନ୍ତୁ ଭଲ କଲନି ଫାଲ୍‌ଗୁନୀ ! ଜଣେ ଇତରଲୋକ ଘରକୁ ଆସି, ତା’ର ଏତେ ଆପଣାର ହୋଇ ରୋଷାଇ କାର୍ଯ୍ୟରେ ସାହାଯ୍ୟ କରିବା ଆଦୌ ଉଚିତ ନୁହେଁ, ବରଂ......

 

ଶ୍ରୀକାନ୍ତର ଅସମ୍ପୂର୍ଣ୍ଣ ବାକ୍ୟକୁ ସମ୍ପୂର୍ଣ୍ଣ କରିବାକୁ ଦେଲାନାହିଁ ଫାଲ୍‌ଗୁନୀ । କହିଲା, ଇତର କେହି ନୁହଁନ୍ତି ଶ୍ରୀକାନ୍ତବାବୁ । ଏ ଦୁନିଆରେ ସମସ୍ତେ ଆପଣାର । ଅଥଚ ଏଇ ମଣିଷଜାତି ସୃଷ୍ଟି କରିଛି ଇତର ଆଉ ଆପଣାର । ଆପଣାର ମଣିଷ ସବୁଦିନେ ଆପଣାର ହୋଇ ରହିଯାଏ । କିନ୍ତୁ ଇତର ଲୋକକୁ ଆପଣାର କରିବା ହେଉଛି ମଣିଷର କର୍ତ୍ତବ୍ୟ ।

 

ଶ୍ରୀକାନ୍ତ ମୁହଁ ଟେକି ଫାଲ୍‌ଗୁନୀକୁ ଚାହିଁଲା ।

 

ଫାଲ୍‌ଗୁନୀ ମୃଦୁ ହସି କହିଲା, ଆଜି ବୋଧେ ନୂଆକରି ଆପଣ ମୋତେ ଦେଖୁଛନ୍ତି ? ନହେଲେ ବାରମ୍ବାର ମୋ ଉପରେ ଏତେ ଗଭୀର ଦୃଷ୍ଟିପାତ କାହିଁକି ?

 

ଆକଣ୍ଠ ଲଜ୍ଜାରେ ଶଙ୍କୁଚିତ ହେଲା ଶ୍ରୀକାନ୍ତ । କହିଲା, ସତରେ, ଆଜି ତମକୁ ନୂଆରୂପରେ ଦେଖୁଛି । ଆଜି ତମେ ଖୁବ୍‌ ଚମତ୍କାର ଦିଶୁଛ...

 

ଫାଲଗୁନୀ ଉଠିଆସିଲା । ହାତଧୋଇ କହିଲା, ମୁଁ ଯାଉଛି ଶ୍ରୀକାନ୍ତବାବୁ । ସମୟ ହେଲେ ପୁଣି କେବେ ଆସିବି ।

 

ଫାଲ୍‌ଗୁନୀ ଚାଲିଗଲା ।

 

ତା’ରି ଚଲାପଥକୁ ଗଭୀର ଦୃଷ୍ଟି ନିକ୍ଷେପ କରି ଚାହିଁଥିଲା ଶ୍ରୀକାନ୍ତ ।

 

ଆଜି ରବିବାସରୀୟ ଅବକାଶ ।

କଲେଜ ଛୁଟିଯୋଗୁ କେତେକ ଗୁରୁତର ବିଷୟ ଆଲୋଚନା କରିବା ପାଇଁ ଫାଲ୍‌ଗୁନୀ ପ୍ରତୀକ୍ଷା କରିଥିଲା ନର୍ମଦାର ପ୍ରତ୍ୟାଗମନ ପଥକୁ ।

ଅନେକ ସମୟ ପରେ ନର୍ମଦା ଆସିଲା । ଫାଲ୍‌ଗୁନୀ ପାଖରେ ଏକ ଖାଲି ରହିଥିବା ଚେୟାରରେ ବସିପଡ଼ି କହିଲା, ମୋତେ କାହିଁକି ଡାକିଥିଲୁ ଅପା ? କେଉଁ କଥା କହିବୁ ??

ଫାଲ୍‌ଗୁନୀ କହିଲା, ଅନେକ କଥା କହିବାକୁ ଅଛି ନିରୁ କିନ୍ତୁ କେଉଁଠୁ ସେ ବିଷୟ ଉତ୍‌ଥାନ କରିବି ସେଇୟା ଭାବୁଛି ?

କେଉଁ କଥା ?

ତୋ ବିବାହ....

ନର୍ମଦା ହସିଲା କହିଲା, ତୁ ଏପର୍ଯ୍ୟନ୍ତ ବିବାହ କରିନୁ, ଅଥଚ ମୋ ବିବାହ ପାଇଁ ତୋର ଏତେ ବ୍ୟଗ୍ରତା ଦେଖି ମୋତେ ହସ ଲାଗୁଛି । ତା’ଛଡ଼ା ମୁଁ ବର୍ତ୍ତମାନ ବିବାହ କରିବାକୁ ଚାହେଁନା । ଯେଉଁଦିନ ବିବାହ ମୋର ଏକାନ୍ତ ପ୍ରୟୋଜନ ହେବ ସେଦିନ ମୁଁ ବିବାହ କରିବି ।

ଫାଲ୍‌ଗୁନୀ କହିଲା, ମୋ ବିବାହ ଅପେକ୍ଷା ତୋର ବିବାହର ପ୍ରୟୋଜନ ଯଥେଷ୍ଟ ଅଧିକ ହୋଇଉଠିଛି । ତା’ ନହେଲେ ଜୀବନର କୁସୁମିତ ପଥକୁ ଘୃଣ୍ୟ ମନେକରି ଏପରି କଣ୍ଟକିତ ପଥରେ ତୁ ପାଦ ଦେଇ ନଥାନ୍ତୁ ।

ଅପା ! ନର୍ମଦା କ’ଣ କହିବାକୁ ଚେଷ୍ଟା କରୁଥିଲା ।

ନର୍ମଦାକୁ କୁହାଇ ନ ଦେଇ ଫାଲ୍‌ଗୁନୀ କହିଲା–ଯୌବନର ପ୍ରଥମ ସୋପାନରେ ତୁ ସୂର୍ଯ୍ୟକାନ୍ତକୁ ଭଲ ପାଇଥିଲୁ ମୋର ଶତ ବାରଣ ସତ୍ତ୍ୱେ । ଅନେକଦିନ ସୂର୍ଯ୍ୟକାନ୍ତ ସହିତ ତୋର ସୁଖ–ସ୍ୱପ୍ନର ଦିନ ଅତିବାହିତ ହୋଇଗଲା । ତୋର ଅକ୍ଷତ କୁମାରୀତ୍ୱକୁ ସୂର୍ଯ୍ୟକାନ୍ତ କଳଙ୍କିତ କଲା-। ବିବାହ ନ କରି ମଧ୍ୟ ମାତୃତ୍ୱର ଗୌରବ ଅର୍ଜନ କଲୁ । ସୂର୍ଯ୍ୟକାନ୍ତ ଚାଲିଗଲା । ସୂର୍ଯ୍ୟକାନ୍ତ ପରେ ପୁଣି ଆସିଲା ତୋ ଜୀବନ–ଯୌବନର ଦ୍ୱିତୀୟ ଆଗନ୍ତୁକ ଭାନୁପ୍ରତାପ ।

ଅପା !

ମୋ କଥା ଶୁଣି ଚମକି ପଡ଼ନା ନିରୁ ! ଭାନୁପ୍ରତାପ ସାଥିରେ କିଛିଦିନ ଏଇ ସବୁଜ ଦୁନିଆକୁ ଉପଭୋଗ କରିବୁ । ଭାନୁପ୍ରତାପ ତିଳତିଳ କରି ତୋର ଯୌବନଶ୍ରୀ ଉପଭୋଗ କରିବ-। ପୁଣି ତୁ ମାତୃତ୍ୱର ଗୌରବ ଅର୍ଜନ କରିବୁ । ତା’ ପରେ ଭାନୁପ୍ରତାପ ମଧ୍ୟ ସୂର୍ଯ୍ୟକାନ୍ତ ପରି ତୋତେ ଅତଳ–ସାଗରରେ ଭସାଇ ଚାଲିଯିବ ନିରୂପାୟ ହୋଇ ଅତୀତର ମଧୁବୋଳା ସ୍ମୃତିକୁ ମନେପକାଇ ଆଖିରୁ ଶ୍ରାବଣର ବାରିଧାରା ଛୁଟାଇଥିବାରୁ । ତେଣୁ ମୋର ଅନୁରୋଧ, ପୁରୁଷ ସହିତ ଲୁଚକାଳି ନ ଖେଳି ତାକୁ ବିବାହ କରିନେବା ଉଚିତ୍‌ ।

ଇମିତି ଆକ୍ଷେପ କରି କହିବୁ ବୋଲି ମୋତେ ଡାକିଥିଲୁ ଅପା !

ମୋତେ ଭୁଲ ବୁଝନା ନିରୁ ! ମୁଁ ତୋତେ ଆକ୍ଷେପ କରୁନାହିଁ; ତୁମେ ମୋର କନିଷ୍ଠାଭଗ୍ନୀ । ଜେଷ୍ଠାଭଗ୍ନୀର ସମସ୍ତ ସ୍ନେହ, ମମତା, ଆନ୍ତରିକତା, ଶୁଭେଚ୍ଛା ନେଇ ତୋତେ ମୁଁ କେତୋଟି ଉପଦେଶ ଦେଉଛି । ତୋର ମଙ୍ଗଳ ପାଇଁ, ତୋର ଭବିଷ୍ୟତ ଜୀବନର ଉନ୍ନତି ପାଇଁ ମୁଁ ଅନୁରୋଧ କରୁଛି ତୁ ବିବାହ କରିବାକୁ ସ୍ୱୀକୃତି ପ୍ରଦାନ କଲେ ଏକଥା ବାପାଙ୍କ ସହିତ ଆଲୋଚନା କରିବି ।

ଫାଲ୍‌ଗୁନୀର ପାଟିରେ ହାତଦେଇ ନର୍ମଦା କହିଲା, ନା ନା, ତୁ ଏ ବିଷୟ ବାପାଙ୍କୁ ମୋଟେ କହିବୁ ନାହିଁ । ନାରୀ ଜୀବନରେ ବିବାହ ନିଶ୍ଚିତ, ନିର୍ଭୟଯୋଗ୍ୟ ଆଶ୍ରୟସ୍ଥଳ ହୋଇପାରେ; କିନ୍ତୁ ମୁଁ ବର୍ତ୍ତମାନ ବିବାହ କରିବାକୁ ଚାହେଁନା ।

ଦୃଢ଼ସ୍ୱରରେ ଫାଲ୍‌ଗୁନୀ କହିଲା, ଯଦି ବିବାହ କରିବାକୁ ଏତେ ବିତୃଷ୍ଣା ତେବେ ଦୂରସ୍ଥାନରୁ ଚିଠିଦ୍ୱାରା ଭାନୁପ୍ରତାପକୁ ନିମନ୍ତ୍ରଣ କରି ଏସିଆନ ହୋଟେଲର ସାତନମ୍ବର ରୁମ୍‌ର ନିଭୃତ କୋଠରୀକୁ ଯାଇଥିଲୁ କାହିଁକି ? କେଉଁ ମହତ୍‌ ଉଦ୍ଦେଶ୍ୟ ନେଇ ??

ନର୍ମଦା ଚିତ୍କାର କରି ଉଠିଲା । ଏ ସବୁ ମିଛ କଥା, ମନଗଢ଼ା କାହାଣୀ । ଭାନୁପ୍ରତାପକୁ ମୁଁ ଜାଣେନା । କୌଣସି ହୋଟେଲକୁ ମୁଁ ଯାଇନାହିଁ ।

ଶାନ୍ତ ଅଥଚ କୋମଳ ମଧୁର ସ୍ୱରରେ ଫାଲ୍‌ଗୁନୀ କହିଲା, ଗୋଟାଏ ଭୁଲ କରି ସେଇ ଭୁଲକୁ ଗୋପନ କରିବାକୁ ଯାଇ ଆଉ ପାଞ୍ଚଟା ଭୁଲ କରନାହିଁ । ତୋ ଭ୍ୟାନିଟ୍‌ ବ୍ୟାଗ୍‌ରେ ଏବେ ବି ଭାନୁପ୍ରତାପର ଚିଠି ରହିଛି । ଏବେବି ତୋର ଅଧରରୁ ଭାନୁପ୍ରତାପ ଉପହାର ଦେଇଥିବା କ୍ଷତଚିହ୍ନ ଲିଭିନାହିଁ ।

ଅପା । ନର୍ମଦାର କଣ୍ଠସ୍ୱର କରୁଣ ହୋଇ ଆସିଲା ।

 

ଚୋରି କରିଥିବା ଆସାମୀ ଚୋର ବୋଲି ସାବ୍ୟସ୍ତ ହୋଇସାରିଲା ପରେ ସତେଜ ମୁହଁଟି ଯେମିତି ଝାଉଁଳି ପଡ଼େ, ଫାଲଗୁନୀ ତୁଣ୍ଡରୁ ନିଜ ଜୀବନର ନିରାଟ ସତ୍ୟ ଘଟଣାଟି ଜାଣି ଅଭୂତପୂର୍ବ ଭାବେ ଆଶ୍ଚର୍ଯ୍ୟ ହୋଇଗଲା । ତଣ୍ଟିପାଖକୁ ଅନେକ ଯୁକ୍ତି ଆସୁଥିଲେ ମଧ୍ୟ ପଦିଏ ଉତ୍ତର ସେ ଦେଇପାରିଲା ନାହିଁ ।

 

ଧୀର କଣ୍ଠରେ ଫାଲ୍‌ଗୁନୀ କହିଲା–ତୋ ନାମରେ ମୁଁ ଅପପ୍ରଚାର କରୁନି ନିରୁ ! ମୁଁ ତୋର ସଦାସର୍ବଦା ମଙ୍ଗଳକାମନା କରେ । ତୋର ଶୁଭକାମନା କରେ । ଅଥଚ ବୟସର ଚଞ୍ଚଳତା, ଯୌବନର ଉଦ୍ଦାମତା, ମନର ଚପଳତା ନେଇ ତୁ କେବଳ ପୁରୁଷ ସହିତ ଲୁଚକାଳି ଖେଳି ଚାଲିଛୁ । କିନ୍ତୁ କେତେଦିନ ? ପୁରୁଷ ସହିତ ଖେଳି ଖେଳି ତୋର ପକ୍ଷ ଯେତେବେଳେ ହାଲିଆ ହୋଇଯିବ ସେତେବେଳେ ଅତୀତର ମଧୁବୋଳା ସ୍ମୃତି ବିଜଡ଼ିତ ମୁହୂର୍ତ୍ତକୁ ମନେପକାଇ ଆଖିରୁ ଲୁହ ଗଡ଼ାଉଥିବୁ । ଅତୀତର ସାମାନ୍ୟତମ ଭୁଲ ଯୋଗୁ ଅନୁତାପ କରୁଥିବୁ । ସେତେବେଳେ କିନ୍ତୁ ଗଡ଼ିଗଲା ବୟସ ଫେରି ଆସିବନି କି ଇଡ଼ିଗଲା ପାଣି ଲେଉଟି ଆସିବନି । ତେଣୁ ମୋ କଥା ମାନ୍‌ । ବହୁ ପୁରୁଷର ବୁକୁ ତଳର ଉଷ୍ମତା ଉପଭୋଗ ନ କରି ଏକ ନିର୍ଦ୍ଦିଷ୍ଟ ପୁରୁଷର ସାଂସାରିକ ପବିତ୍ର ବନ୍ଧନରେ ଛନ୍ଦି ହୋଇପଡ଼େ । ଜୀବନରେ ତୁ ସୁଖୀ ହେବୁ ।

 

ନା ଅପା, ନା, ମୁଁ ବିବାହ ଚାହେନା, ବନ୍ଧନ ଚାହେନା । ମୁଁ ସାଂସାରିକ ଜୀବନକୁ ଭୀଷଣଭାବେ ଘୃଣା କରେ ।

 

ବିବାହର ପବିତ୍ର ବନ୍ଧନ ଚାହେନା । ମୁଁ ସାଂସାରିକ ଜୀବନକୁ ଭୀଷଣଭାବେ ଘୃଣା କରେ ।

 

ବିବାହର ପବିତ୍ର ବନ୍ଧନକୁ ତୁ ଘୃଣା କରୁ ?

 

ହଁ ଅପା ! ମୁଁ ଭୀଷଣଭାବେ ଘୃଣା କରେ । ଇସ କି କଦର୍ଯ୍ୟ ଜୀବନ !! କି ଅସ୍ୱାସ୍ଥ୍ୟକର ପାରିବାରିକ ବନ୍ଧନ । ଜୀବନ-ଯୌବନକୁ ମନଭରି ଉପଭୋଗ କରିବା ପୂର୍ବରୁ ଦୁଇ–ତିନୋଟି ସନ୍ତାନର ଜନନୀ ହୋଇ ନିଜ ଅମୂଲ୍ୟ ଶରୀର, ଅନବଦ୍ୟ ସୌନ୍ଦର୍ଯ୍ୟକୁ ମୁଁ କୁତ୍ସିତ–କଦାକାର କରିବାକୁ ଚାହେଁନା ମୋଟ ଉପରେ ମୁଁ ଜନନୀ ହେବାକୁ ଘୃଣା କରେ । ବିବାହ ପରି ଏକ ବେଶ୍ୟାବୃତ୍ତିକୁ ମୁଁ ମୋଟେ ପସନ୍ଦ କରେ ନାହିଁ ।

 

ବିରକ୍ତିରେ ଫାଲ୍‌ଗୁନୀ କହିଲା, ବିବାହକୁ ଯଦି ବେଶ୍ୟାବୃତ୍ତି ବୋଲି କହୁଛୁ, ତେବେ ଯୁବକର କ୍ରୀଡ଼ନକ ହୋଇ ତା’ର ସନ୍ତାନକୁ ଗର୍ଭରେ ଧାରଣ କରିଥିଲୁ କାହିଁକି ??

 

ଜୀବନର ପ୍ରଥମ ସୋପାନରେ ମୁଁ ଭୁଲ କରିଥିଲି ଅପା ! ଯେଉଁ ଭୁଲର କ୍ଷତଚିହ୍ନ ଚିରଦିନ ପାଇଁ ମୋର ହୃଦୟରେ ଏକ ଗଭୀର ଦାଗ ସୃଷ୍ଟି କରିଛି । ଆଜି ବି ସେଇ ଦୁର୍ବଳ ଅତୀତ ପାଇଁ ମୁଁ ଗଭୀରଭାବେ ଅତୃତପ୍ତ ।

 

କିନ୍ତୁ ସେଭଳି ଦୁର୍ଯ୍ୟୋଗ ମୁହୂର୍ତ୍ତ ଆଉ ମୋ ମନରେ ବସା ବାନ୍ଧିବା ନାହିଁ । ଭବିଷ୍ୟତର ସୁବର୍ଣ୍ଣ ମୁହୂର୍ତ୍ତକୁ ମୁଁ ଅଙ୍ଗେ ଅଙ୍ଗେ, ପ୍ରାଣେ–ପ୍ରାଣେ ଉପଭୋଗ କରିବି, ଅନୁଭବ କରିବି–କିନ୍ତୁ ପୁରୁଷର ପତ୍ନୀ ହୋଇପାରିବି ନାହିଁ ।

 

ନିରୁ ! ଫାଲ୍‌ଗୁନୀ କ’ଣ କହିବାକୁ ଚାହୁଁଥିଲା ।

 

ନର୍ମଦା କହିଲା, ମୋ ଜୀବନର ଶେଷ ନିଷ୍ପତ୍ତି ଅପା ! ସୂର୍ଯ୍ୟକାନ୍ତଠାରୁ ପରାଜିତ ହେବାପରେ ସେଇ ପୁରୁଷଜାତି ପ୍ରତି ମୋର ଗଭୀର ବିତୃଷ୍ଣା ଆସିଛି । ସେଇ ପ୍ରବଞ୍ଚକ ପୁରୁଷ ସମାଜକୁ ମୁଁ ଉଚିତ ଶିକ୍ଷା ଦେବି । ତିଳ ତିଳ କରି ପ୍ରତିଶୋଧ ନେବି ।

 

ଫାଲ୍‌ଗୁନୀ ମୃଦୁ ହସି କହିଲା–ଏ ପ୍ରତିଯୋଗିତାରେ ତୁ କିନ୍ତୁ ନିଶ୍ଚୟ ପରାଜିତ ହେବୁ ନିରୁ ! ପ୍ରତିଯୋଗିତା କରିବୁ ପୁରୁଷ ସହିତ ? ଯେଉଁ ପୁରୁଷ ବିନା ନାରୀ ବଞ୍ଚିପାରେ ନା, ଯେଉଁ ପୁରୁଷର ସାହଚର୍ଯ୍ୟ ନ ପାଇଲେ ନାରୀର ଜୀବନ ବ୍ୟର୍ଥ ହୁଏ, ସେହି ପୁରୁଷକୁ ତୁ ଘୃଣିତ କହିପାରୁଛୁ ? ବିବାହ ବିନା ନାରୀ ବଞ୍ଚିପାରେନା । ମାତୃତ୍ୱ ବିନା ନାରୀର ଜୀବନ ବ୍ୟର୍ଥ । ନାରୀର ପ୍ରଧାନ ପରିପୂରକ ହେଉଛି ପୁରୁଷ । ଅଥଚ ସେଇ ପୁରୁଷର ପତ୍ନୀ ହେବାକୁ ତୁ ଘୃଣା କରୁ ? ମୋର ଛୋଟ କଥା ରଖ । ସୂର୍ଯ୍ୟକାନ୍ତ ପରି ସବୁ ପୁରୁଷ ସମାନ ନୁହଁନ୍ତି । ସୂର୍ଯ୍ୟକାନ୍ତଠାରୁ ଢେର ସୁପୁରୁଷ ଏ ସମାଜରେ ଅଛନ୍ତି । ସେଇମାନଙ୍କ ଭିତରୁ ଜଣଙ୍କୁ ତୁ ମନୋନୀତ କର । କିନ୍ତୁ ଅବିବାହିତ ଜୀବନ ଧରି ପୁରୁଷ ସହିତ ଡାଳ କାମୁଡ଼ି ଖେଳିବାର ସେ ଦୁରାଶା ତ୍ୟାଗ କର । ରୂପ-ବୟସ ଥାଉ ଥାଉ ପୁରୁଷ ସହିତ ପ୍ରତାରଣା ନକରି ତା’ର ଅଙ୍କଶାୟିନୀ ହୋଇଯିବା ଲକ୍ଷେଗୁଣେ ଶ୍ରେୟସ୍କର ।

 

ତାତ୍ସଲ୍ୟର ହସି ହସି ଚେୟାର ଉପରୁ ଉଠିପଡ଼ିଲା ନର୍ମଦା । କହିଲା–ସାଂସାରିକ ଜୀବନକୁ ଯଦି ପବିତ୍ର, ଆଦର୍ଶ ବୋଲି ମନେ–କରୁ, ତେବେ ତୁ ନିଜେ ବିବାହ କରିନୁ କାହିଁକି ? ଅଥଚ ମୋ ବିବାହ ପାଇଁ ତୋର ଏତେ ବ୍ୟଗ୍ରତ ! ! କିନ୍ତୁ ମୁଁ ସ୍ପଷ୍ଟ କହିଦେଉଛି ଅପା, ବିବାହକୁ ମୁଁ ଘୃଣାକରେ, ଜନନୀ ହେବାକୁ ଚାହେଁନା, ମାତୃତ୍ୱ ପାଇଁ ମୁଁ ଲାଳାୟିତ ନୁହେଁ ।

 

ନିଜର ଶେଷ ଅଭିବ୍ୟକ୍ତି ଜଣାଇ କୋଠରୀ ଭିତରୁ ନିଃଷ୍କ୍ରାନ୍ତ ହୋଇଗଲା ନର୍ମଦା ।

 

ନର୍ମଦାର ବିରାଟ ଅଧପତନ ପାଇଁ ସ୍ରଷ୍ଟା ପାଖରେ ପାର୍ଥନା କରୁଥିଲା ଫାଲ୍‌ଗୁନୀ । ହେ ସ୍ରଷ୍ଟା ! ହେ ସୃଷ୍ଟି !! ନର୍ମଦା ଭୁଲ ପଥରେ ଯାଉଛି, ତାକୁ ସତ୍‌ପଥ ଦେଖାଅ, ତାକୁ ସତ୍‌ ବୁଦ୍ଧି ଦେଖାଅ । ତାକୁ ସୁପଥକୁ ଫେରାଇ ଆଣ ।

 

ଅନେକ ସମୟ ପରେ ଫାଲଗୁନୀ ଉଠିଲା ।

 

ବାହାରେ ଖରାର ତେଜ ମହଳନ ପଡ଼ିଗଲାଣି ।

 

ଭାରାକ୍ରାନ୍ତ ମନକୁ ହାଲ୍‌କା କରିବାପାଇଁ ଫାଲଗୁନୀ ଗାଡ଼ି ନେଇ ବାହାରି ପଡ଼ିଲା ।

 

ରାଜରାସ୍ତା ଉପରେ ଗାଡ଼ି ଚାଲିଛି । ହଠାତ୍‌ ଶ୍ରୀକାନ୍ତକୁ ଏକ ପୁସ୍ତକ ପ୍ରତିଷ୍ଠାନ ଉପରେ ଠିଆ ହୋଇଥିବାର ଦେଖି ଫାଲ୍‌ଗୁନୀ ଗାଡ଼ି ରଖିଲା ।

 

ଶ୍ରୀକାନ୍ତ ଦୋକାନ ଭିତରୁ ବାହାରି ଆସୁଛି ।

 

ଫାଲ୍‌ଗୁନୀ ଡାକିଲା, ଶ୍ରୀକାନ୍ତବାବୁ !

 

ଶ୍ରୀକାନ୍ତ ମୁହଁ ଟେକି ଚାହିଁଲା । କହିଲା, ଆରେ ଫାଲ୍‌ଗୁନୀ ଯେ ! ଅସମୟରେ ହଠାତ୍‌ ସାକ୍ଷାତ୍‌ !

 

ଗାଡ଼ିର ଆଗ ଦରଜା ଖୋଲିଦେଇ ଫାଲ୍‌ଗୁନୀ କହିଲା, ବସନ୍ତୁ !

 

ଶ୍ରୀକାନ୍ତ ବସିପଡ଼ିଲା ଫ୍ରଣ୍ଟ୍‌ ସିଟରେ ।

 

ଗାଡ଼ି ଗଡ଼ି ଚାଲିଲା ଗଡ଼ଗଡ଼ିଆ ଘାଟ କୂଳକୁ ।

 

ସନ୍ଧ୍ୟା ଗଡ଼ିଗଲାଣି ଅନେକବେଳୁ । ସ୍ଥାନଟି ନିରୋଳା ହୋଇ ଉଠୁଛି । ଗୋଟାଏ ସିମେଣ୍ଟ ବେଞ୍ଚ ଉପରେ ଫାଲ୍‌ଗୁନୀ ବସିପଡ଼ି କହିଲା, ଏଇଠି ବସନ୍ତୁ !

 

ଶ୍ରୀକାନ୍ତ ବସିପଡ଼ିଲା ।

 

ଦୁହେଁ ନୀରବ ।

 

ତୁଣ୍ଡ ଖୋଲିଲା ଫାଲ୍‌ଗୁନୀ । ଗୋଟାଏ କଥା କହିବି ଶ୍ରୀକାନ୍ତବାବୁ ! ଅବଶ୍ୟ ତାହା ଆପଣଙ୍କର ବ୍ୟକ୍ତିଗତ, ତଥାପି ଉତ୍ତର ପାଇବି ବୋଲି ନିଶ୍ଚୟ ଆଶା କରୁଛି ।

 

ଉପକ୍ରମଣିକା ନ ଦେଇ କହିଯାଅ ଫାଲ୍‌ଗୁନୀ ।

 

ସାହସ ପାଇ ଫାଲ୍‌ଗୁନୀ କହିଲା, ଆପଣଙ୍କର ବୃଦ୍ଧାମାତା ଦି’ଓଳି ହାତରେ ରୋଷାଇ କରୁଛନ୍ତି । ତାଙ୍କୁ ସାହାଯ୍ୟ କରିବାକୁ ପାଖରେ ଦ୍ୱିତୀୟ ବ୍ୟକ୍ତି ନାହିଁ । ସେ ସବୁବେଳେ ଆପଣଙ୍କ ବିବାହ ପାଇଁ ଚିନ୍ତିତ ଥିବାବେଳେ, ଆପଣ ବିବାହ କରିବାର ବୟସ ଆସିନି ବୋଲି କହୁଛନ୍ତି । କହିପାରିବେ, କାହିଁକି ଆପଣ ବିବାହ କରୁନାହାନ୍ତି ?

 

ମୃଦୁ ହସି ଶ୍ରୀକାନ୍ତ କହିଲା, ମୁଁ ନିଶ୍ଚୟ ବିବାହ କରିବି ଫାଲ୍‌ଗୁନୀ ! ନିଃସଙ୍ଗ ଜୀବନ (ପୁରୁଷ ହେଉ କିମ୍ବା ନାରୀ ହେଉ) ମଣିଷକୁ ଯେତିକି ସୁଖପ୍ରଦ ମନେହୁଏ ଅନେକ ସମୟରେ ତା’ଠୁ ବେଶୀ ଦୁଃଖପ୍ରଦ ମନେହୁଏ । ବିବାହିତ ଜୀବନର ଦୁଃଖ, କଷ୍ଟ, ଜଞ୍ଜାଳଠାରୁ ଅବିବାହିତ ଜୀବନ ଢେର ଭଲ । କିନ୍ତୁ ସମସ୍ତେ ଏଇ ବିବାହିତ ଜୀବନକୁ ପସନ୍ଦ କରିଥାଆନ୍ତି । ସାଂସାରିକ ଜୀବନର ସ୍ୱାମୀ ସ୍ତ୍ରୀର ବନ୍ଧନ ଭିତରେ ସନ୍ତାନର ଦରୋଟି କଥା ବିବାହିତ ଜୀବନକୁ ଅଧିକ ଗୋରବାନ୍ୱିତ କରିଥାଏ । ସାଂସାରିକ ଜୀବନର ସ୍ୱାମୀ-ସ୍ତ୍ରୀ, ସନ୍ତାନର କୋଳାହଳ ଭିତରେ ଦୁଃଖ–କଷ୍ଟ, ଅଭାବ ଅନାଟନ ସବୁକିଛି ପାଶୋରି ଦେଇହୁଏ । ଅଥଚ ଅବିବାହିତ ଜୀବନରେ ନିଃସଙ୍ଗ ଜୀବନ ନେଇ ନିରୋଳା କୋଠରୀରେ ଅତୀତର ଅବିସ୍ମରଣୀୟ ମୁହୂର୍ତ୍ତଗୁଡ଼ାକୁ ଭାବିବାକୁ ଭାରି ଭଲଲାଗେ । କିନ୍ତୁ ପରମୁହୂର୍ତ୍ତରେ ଆଖିରୁ ଲୁହ ଗଡ଼ାଇବା କେବଳ ସାର ହୁଏ । ତଥାପି ସମସ୍ତେ ଏଇ ବିବାହିତ ଜୀବନକୁ ସ୍ୱାଗତ କରିଥାଆନ୍ତି ।

 

ଫାଲ୍‌ଗୁନୀ କହିଲା, ବିବାହିତ ଜୀବନକୁ ଆପଣ ଯଦି ଏତେ ତାରିଫ୍‌ କରୁଛନ୍ତି, ତେବେ ଅବିବାହିତ ରହିଛନ୍ତି କାହିଁକି ?

Unknown

 

ଏପର୍ଯ୍ୟନ୍ତ ମୁଁ ମୋର ମନୋନୀତ ପାତ୍ରୀ ଠିକ୍‌ କରିପାରିନି ଫାଲ୍‌ଗୁନୀ । ଆଜି ପର୍ଯ୍ୟନ୍ତ ଯେତେ ଝିଅଙ୍କ ସଂସ୍ପର୍ଶରେ ଆସିଛି ସମସ୍ତଙ୍କର ବାହାରଟା ଦେଖିଛି, ଖୁବ୍‌ ସୁନ୍ଦର କିନ୍ତୁ ହୃଦୟଟା... ଛାଡ଼, ବିବାହ ବୟସ ମୋର ଗଡ଼ିଯାଇନି ଫାଲ୍‌ଗୁନୀ । ମୁଁ ନିଶ୍ଚୟ ବିବାହ କରିବି । ଶେଷପର୍ଯ୍ୟନ୍ତ ଅପେକ୍ଷାକରି ଦେଖିବି, ଯେଉଁ ଝିଅର ତନୁ–ମନ ମୋର ଜୀବନ ଯୌବନର ପରିଧିକୁ ସ୍ପରର୍ଶ କରିବ ମୁଁ ତାକୁ ବିବାହ କରିବି ।

 

କିନ୍ତୁ କିଏ ସେହି ଭାଗ୍ୟବତୀ ନାରୀ ? ଫାଲ୍‌ଗୁନୀ ପଚାରି ଉଠିଲା ।

 

ଶ୍ରୀକାନ୍ତ ମୃଦୁ ହସି କହିଲା–ଏପର୍ଯ୍ୟନ୍ତ ବି ସନ୍ଧାନ ପାଇନାହିଁ ।

 

ବ୍ୟଥାଭରା ଦୀର୍ଘନିଶ୍ୱାସ ଛାଡ଼ିଲା ଫାଲ୍‌ଗୁନୀ । ମନେ ମନେ କହିଉଠିଲା, ଏପର୍ଯ୍ୟନ୍ତ ତମପାଇଁ ସୃଷ୍ଟିରେ କ’ଣ କେହି ଜନ୍ମ ହୋଇ–ନାହାନ୍ତି ? ଏପର୍ଯ୍ୟନ୍ତ କୌଣସି ରୂପସୀ ତମର ତନୁ–ମନକୁ ତରଳାଇ ପାରିନି ? କିନ୍ତୁ ମୁଁ କହିବି, ତମେ ପୁରୁଷ ନୁହେଁ, ତମେ ପାଷାଣ, ନିଷ୍ଠୁର ? ତମେ ନାରୀର ମନକଥା ବୁଝିପାରନା ମୋଟେ । କିନ୍ତୁ କିଛି କହିପାରିଲା ନାହିଁ ଫାଲ୍‌ଗୁନୀ ।

 

ଫାଲ୍‌ଗୁନୀର ନୀରବତା ଦେଖି ଶ୍ରୀକାନ୍ତ କହିଲା, ମୋ ବିବାହ ପାଇଁ ତମର ଗଭୀର ବ୍ୟସ୍ତତା, ସୀମାହୀନ ଆଗ୍ରହ ଦେଖି ସତରେ ମୁଁ ବଡ଼ ଦୁଃଖିତ । କିନ୍ତୁ ମୁଁ ନିରୁପାୟ ଫାଲ୍‌ଗୁନୀ ! ତା’ଛଡ଼ା ବିବାହ କେବେ ମଣିଷ ହାତରେ ନଥାଏ । ବର୍ଷ ବର୍ଷ ଧରି ମଣିଷ ବିବାହ କରିବାକୁ ଆଶାପୋଷଣ କରିଥିଲେ ମଧ୍ୟ ସେ ମନୋନୀତ ପାତ୍ରୀ ପାଇ ପାରେନା, କିନ୍ତୁ ଇମିତି ସମୟ ଆସେ ବିବାହ ନ କରିବାକୁ ପ୍ରତିଜ୍ଞା କରି ମଧ୍ୟ ମୋଟେ ଦିନେ ଦୁଇଦିନ ଭିତରେ ବିବାହ କାର୍ଯ୍ୟ ସମାପ୍ତ ହୋଇଯାଏ । ତେଣୁ ବିବାହ ସମ୍ପୂର୍ଣ୍ଣ ନିର୍ଭର କରେ ସ୍ୱୟଂ ପ୍ରଜାପତି ଘଟସୂତ୍ରଙ୍କ କରୁଣା ଉପରେ ।

 

ମହାନଦୀର ବାଲୁକାପ୍ରାନ୍ତର ଉପରେ ଘନାନ୍ଧକାରର ପରଳ ମାଡ଼ି ଯାଇଛି । ନଦୀ କୂଳବର୍ତ୍ତୀ ସ୍ଥାନଟି ନିରୋଳା, ନିକାଞ୍ଚନ ହୋଇଯାଇଛି । ମଣିଷର ଛୁଟଣ ଅନେକବେଳୁ କମିଗଲାଣି-। ନିରୋଳା ହେବାରୁ ଫାଲଗୁନୀ ଶ୍ରୀକାନ୍ତର ନିକଟକୁ ଲାଗିଆସି ଶ୍ରୀକାନ୍ତର ହାତକୁ ନିଜ ପାପୁଲି ଭିତରେ ଚାପିଧରି କହିଲା, କୁହନ୍ତୁ ଶ୍ରୀକାନ୍ତବାବୁ ! ଆପଣ କେବେ ବିବାହ କରୁଛନ୍ତି, କିଏ ଆପଣଙ୍କର ମନୋନୀତ ପାତ୍ରୀ ?

 

ମୃଦୁ ଅନ୍ଧାରରେ ଶ୍ରୀକାନ୍ତ ଚାହିଁଲା ଫାଲ୍‌ଗୁନୀକୁ । ସ୍ପଷ୍ଟ ଦେଖି ହେଉନି ଅଥଚ ତା’ର ପାପୁଲିର ମୃଦୁ ସ୍ପର୍ଶ ଅନୁଭବ କରିହେଉଛି । ବେଶ୍ ନରମ, ଉଷ୍ଣ ଲାଗୁଛି ହାତକୁ । ଫାଲ୍‌ଗୁନୀ ହାତର ସ୍ପର୍ଶ ଏତେ ଉଷ୍ଣ ଆଉ ମୁଲାୟନ ତାହା ପ୍ରଥମ କରି ଅନୁଭବ କଲା ଶ୍ରୀକାନ୍ତ । ମୁହୂର୍ତ୍ତକ ଭିତରେ ନିଜ ରକ୍ତ ମାଂସର ଶରୀର ଉତ୍ତପ୍ତ ହୋଇ ଉଠିଲା । ମନେ ହେଉଥିଲା ଫାଲ୍‌ଗୁନୀକୁ ନିଜ ବକ୍ଷଦେଶରେ ନିବିଡ଼ଭାବରେ ଚାପିଧରି ତା’ ବଧୁଲି ଓଠରେ ଗାଢ଼ ଚୁମ୍ବନ ଦିଅନ୍ତା....

 

ଶ୍ରୀକାନ୍ତ ପ୍ରକୃତିସ୍ଥ ହେଲା । ଫାଲ୍‌ଗୁନୀକୁ ଚାହିଁ କହିଲା, ତମେ ଅନେକ ସମୟ ଧରି ନିଜ ହାତ ବୋଲି ମୋ ହାତକୁ ବୋଧେ ଚାପି ଧରିଛ । ମୋତେ କ୍ଷମାକର ଫାଲଗୁନୀ । ମୋ ହାତଟିକୁ ମୁକୁଳାଇ ଦିଅ ।

 

ବାସ୍ତବଜଗତକୁ ଫେରି ଆସିଲା ଫାଲ୍‌ଗୁନୀ । ଶ୍ରୀକାନ୍ତର ହାତକୁ ନିଜ ପାପୁଲି ଭିତରୁ ଖସାଇଦେଇ କହିଲା, ସତରେ ! ମୋ ହାତ ବୋଲି ମୁଁ ଆପଣଙ୍କ ହାତକୁ ଧରି ପକାଇଥିଲି । ବାସ୍ତବିକ୍‌ ମୁଁ ଲଜ୍ଜିତ । ଶ୍ରୀକାନ୍ତର ମୁହଁ ଉପରେ ଏ କଥା କହିପାରିଲା ସିନା ଫାଲ୍‌ଗୁନୀ, କିନ୍ତୁ ଏ କ’ଣ ଥିଲା ତା’ ଅନ୍ତରର ଭାଷା ? ନା, ଶ୍ରୀକାନ୍ତର ହାତକୁ ସେ ଅଜାଣତରେ ଧରି ନ ଥିଲା । ଜ୍ଞାତସାରରେ ସେ ଶ୍ରୀକାନ୍ତର ହାତକୁ ଧରି ମୃଦୁପରଶ ଦେଉଥିଲା । ପୁରୁଷହସ୍ତର ଉଷ୍ଣତା ଆଉ ମାଦକତା ସେ ଅନୁଭବ କରୁଥିଲା । ସତରେ କି ଅଦ୍‌ଭୁତ ଶିହରଣ ଭରିରହିଛି ଶ୍ରୀକାନ୍ତ ହସ୍ତଯୁଗଳରେ ।

 

ଶ୍ରୀକାନ୍ତ ଚାହିଁଲା ଫାଲ୍‌ଗୁନୀକୁ । କହିଲା, ତମ ମନ ଆଜି ବିକ୍ଷୁବ୍‌ଧ ହୋଇ ଉଠିଛି । ନିରୋଳା ସମୟ ହେଲେ ତରୁଣୀ ମନର ଚିନ୍ତାଧାରା ଥଳକୂଳ ନ ମାନି ଇମିତି ବିକ୍ଷୁବଧ ହୋଇ ଉଠେ । ତମେ ଆଜି ଫେରିଚାଲ ଫାଲ୍‌ଗୁନୀ । ଆଉ କେଉଁଦିନ ସମୟ ହେଲେ ପୁଣି ଆସିବା ।

 

ଶ୍ରୀକାନ୍ତର ବିଦ୍ରୁପଭରା ଉପଦେଶ ଶରବିଦ୍ଧା ମୃଗୁଣୀ ଭଳି ଫାଲ୍‌ଗୁନୀକୁ ମନେହେଲା । ଇସ୍‌ ! କି ଆକ୍ଷେପଭରା ଉପଦେଶ ! କି ତିକ୍ତତାମୟ ଭାଷା !! –‘‘ମନ ମୋର ବିକ୍ଷୁବ୍‌ଧ ହୋଇ ଉଠିଛି, ଚିନ୍ତାଧାରା ମୋର କୁତ୍ସିତ ହୋଇଛି ।’’ ଆଉ ଶ୍ରୀକାନ୍ତର....

 

ଫାଲ୍‌ଗୁନୀ କିଛି ଉତ୍ତର ଦେଇପାରିଲା ନାହିଁ । ଅପମାନ ଓ ଆକ୍ଷେପର ଅଶ୍ରୁ ଗଡ଼ିପଡ଼ିଲା ତା’ର ନୟନଯୁଗଳରୁ । ମଟର ଭିତରକୁ ଆସି ବସିପଡ଼ି ଶ୍ରୀକାନ୍ତ ପାଇଁ ଫ୍ରଣ୍ଟଗେଟ୍‌ ଖୋଲିଦେଲା ।

 

ଶ୍ରୀକାନ୍ତ ନୀରବରେ ବସିପଡ଼ିଲା ।

 

ଶ୍ରୀକାନ୍ତକୁ ଘରେ ଛାଡ଼ିଦେଇ ଫେରି ଆସିଲା ଫାଲ୍‌ଗୁନୀ ।

 

ଘରେ ପହଞ୍ଚି ସୁଖନିଦ୍ରାରେ ଶୋଇପାରିଲା ନାହିଁ ଫାଲ୍‌ଗୁନୀ । ଶ୍ରୀକାନ୍ତର ବିଦ୍ରୁପଭରା କଣ୍ଠସ୍ୱର, ତିକ୍ତତାମୟ ଉପଦେଶ ତା’ ଛାତିରେ ଯେମିତି ଶୀଳବିଦ୍ଧ ହେବାପରି ମନେହେଲା । ଭାବବିହ୍ୱଳରେ ବିଭୋର ହୋଇ ଯୌବନର ଉଦ୍ମାଦନା ଓ କାମନା–ଲାଳସାର ତୃଷ୍ଣା ନେଇ ଶ୍ରୀକାନ୍ତର ହାତକୁ ସେ ନିବିଡ଼ଭାବରେ ଚାପିଧରିଥିଲା । ଭାବିଥିଲା ଶ୍ରୀକାନ୍ତ ତାକୁ ଟାଣିନେଇ ପାଖରେ ବସାଇବ । କିନ୍ତୁ ସେ ନୀତିଶିକ୍ଷା ଦେଇ ଦୂରେଇ ଦେଲା । ଏଭଳି ପୁରୁଷକୁ ନିର୍ବୋଧ, କୃତଜ୍ଞ ଛଡ଼ା ଆଉ କ’ଣ କୁହାଯିବ ?

 

ମଟରରେ ଶ୍ରୀକାନ୍ତକୁ ଘରେ ଛାଡ଼ିଦେବା ବେଳେ ଭାବିଥିଲା, ଅନ୍ତତଃ ଭଦ୍ରତା ଦୃଷ୍ଟିରୁ ଶ୍ରୀକାନ୍ତ ତାକୁ ଘରକୁ ଡାକିବ । କହିବି, ଆସ ଫାଲଗୁନୀ, ଅନ୍ତତଃ କପେ ଚା’ ନ ଖାଇଲେ ବି ପାଞ୍ଚଦଶ ମିନିଟ ବସି ଚାଲିଯିବ । କିନ୍ତୁ ଏଇ ସାମାନ୍ୟତମ ଅନୁରୋଧ ଟିକକ କରିପାରିଲା ନାହିଁ ଶ୍ରୀକାନ୍ତ !

 

ଫାଲ୍‌ଗୁନୀ ମନେ ମନେ ଶପଥ କଲା, ଶ୍ରୀକାନ୍ତ ଆଜି ଯେମିତି ତାକୁ ଶୋଚନୀୟଭାବେ ପରାଜିତ କରିଛି ତା’ର ଉପଯୁକ୍ତ ପ୍ରତିଶୋଧ ନେବ । ତାକୁ ଉଚିତ୍‌ ଶିକ୍ଷା ଦେବ । ସେ ମିଛ ଅଭିନୟ କରିବ । ଶ୍ରୀକାନ୍ତର ମନର ମାନସୀ ପରି, ଶ୍ରୀକାନ୍ତର ପ୍ରଣୟନୀ ଭଳି ନିଜ ଅଙ୍ଗ ଅବୟବକୁ ଅତି ଶୋଭନୀୟ, ରମଣୀୟ ଓ ନଗ୍ନ–ଉଲଗ୍ନ ଭାବ ପ୍ରଦର୍ଶନ କରି ତା’ର ଗର୍ବିତ ମନ, ବିରାଟ ଆତ୍ମାଭିମାନକୁ ଚୂର୍ଣ୍ଣ କରିବ, ଶ୍ରୀକାନ୍ତ ଯତେବେଳେ ନିଜର ନିଜତ୍ୱ ଭୁଲି ତା’ ନିକଟରେ କାକୁତି ମିନତି କରି ପ୍ରେମଭିକ୍ଷା କରିବ; ଠିକ୍‌ ସେତିକିବେଳେ ଉଚିତ୍‌ ଶିକ୍ଷା ଦେବ ତାକୁ । ଧରାଦେଇ ଧରା ଦେବନି, ପାଖକୁ ଲାଗିଯାଇ ଦୂରେଇ ଆସିବ । ଆଉ ଅଭିନୟର ମୁଖା ମୁହଁରୁ କାଢ଼ି କହିବ, ନାରୀର ସୁକୋମଳ ଅଙ୍ଗଲତିକା ପୁରୁଷର ଖେଳ ସାମଗ୍ରୀ ନୁହେଁ, ଆନ୍ତରିକ ସ୍ନେହ କରିବା ମାନେ ବିବାହ ନୁହେଁ, ପାଖାପାଖି ଚଳପ୍ରଚଳ ହେବା–ମାନେ ଦେହଦାନ ନୁହେଁ, ନାରୀର ଯୌବନ ତୁମ ଭଳି କାମାତୁର ଯୁବକ ପାଇଁ ନୁହେଁ–ନାରୀ ଚାହେଁ, ସ୍ୱର୍ଗୀୟ, ନିର୍ମଳ, ନିଷ୍କଳଙ୍କ ପ୍ରେମ ।

 

ନିଜର କଳ୍ପିତ କଳ୍ପନାରେ ଆତ୍ମବିଭୋର ହୋଇ ବିଦ୍ରୂପର ହସ ହସିଲା ଫାଲ୍‌ଗୁନୀ । ପରମୁହୂର୍ତ୍ତରେ ପୁଣି ଭାବିଲା, ଶ୍ରୀକାନ୍ତ ଯଦି ତ’ ଅଭିନୟ ଜାଲରେ ଧରା ନ ଦିଏ..... ? ନା ନା, ଶ୍ରୀକାନ୍ତ ଉପରେ ସେ ପ୍ରତିଶୋଧ ନେଇ ପାରିବନି, ବାରବିଳାସିନୀ ନଷ୍ଟ–ଉର୍ବଶୀର ବେଶ ଧରି ଶ୍ରୀକାନ୍ତର ତନୁ–ମନକୁ ଟଳାଇ ତା’ର ଉନ୍ନତ ମଥା ଅବନତ କରି ପାରିବନି । ଶ୍ରୀକାନ୍ତ ସୁପୁରୁଷ । ତା’ ଭଳି ଯୁବକ କୋଟିକରେ ଗୋଟିଏ ।

 

ସନ୍ଧ୍ୟାବେଳର କଥା ମନେପଡ଼ି ଦେହ ତା’ର ଉଲ୍ଲସି ଉଠିଲା । ଯୌବନର ଉନ୍ମାଦନା, ରକ୍ତ ମାଂସର କ୍ଷୁଧା ନେଇ ଦୁର୍ବ ମୁହୂର୍ତ୍ତରେ ଶ୍ରୀକାନ୍ତକୁ ସେ ଚାହିଁଥିଲା; ଅଥଚ ଶ୍ରୀକାନ୍ତ ତାକୁ ନୀତିଶିକ୍ଷା ଦେଇ ଲେଉଟାଇ ଦେଲା, କିନ୍ତୁ ଶ୍ରୀକାନ୍ତ ଯଦି ତୃତୀୟ ଶ୍ରେଣୀର ଇତର ମନୁଷ୍ୟ ଭଳି ସେଇ ନରୋଳା ସଞ୍ଜରେ, ତା’ର ଦୁର୍ବଳ ମୁହୂର୍ତ୍ତରେ ନାରୀର ଶ୍ରେଷ୍ଠ ଗୌରବ ଟିକକ ପଦଦଳିତ କରିଥାଆନ୍ତା, ତେବେ କେଉଁ ସାହସ, କେଉଁ ଦମ୍ଭ ଧରି ସେ ବର୍ତ୍ତମାନ ଠିଆ ହୋଇଥାଆନ୍ତା !!!

 

ସେଇ ରକ୍ତ-ମାଂସର ଜୀବନ୍ତ–ମହାମାନବର ପଦ-ଯୁଗଳରେ ମଥାନତ କରି ପ୍ରଣତି ଜଣାଇଲା ଫାଲ୍‌ଗୁନୀ ।

 

ଦରଜା ଖୋଲି କକ୍ଷ ଭିତରକୁ ଧିରେ ଧିରେ ଆସିଲା ନର୍ମଦା ।

 

ଫାଲ୍‌ଗୁନୀ ଚାହିଁଲା ନର୍ମଦାକୁ । ନର୍ମଦା ବର୍ତ୍ତମାନ ବାହାରୁ ଫେରୁଛି । ଦେହରେ ଟେରେଲିନ୍‌ ଶାଢ଼ୀ । ପାଦରେ ହାଇହିଲ ଜୋତା । କିନ୍ତୁ ନର୍ମଦାର ପାଦର ଗତି ଆଉ ପରିଧାନର ବେଶବିନ୍ୟାସ ଆଜି କାହିଁକି କେମିତି ଖାପଛଡ଼ା ମନେ ହେଉଛି । ମୁହଁ ତଳକୁ ପୋତି ଗମ୍ଭୀର କଣ୍ଠରେ ଫାଲ୍‌ଗୁନୀ କହିଲା, କେଇଟା ବାଜିଛି ନିରୁ ?

 

ମୋଟେ ବାରଟା ।

 

ଏପର୍ଯ୍ୟନ୍ତ ତୁ କେଉଁଠି ଥିଲୁ ?

 

ଏଇ ସହରରେ ଥିଲି । ବାହାରକୁ ଯିବାକୁ ସାଥୀମାନେ ଅନୁରୋଧ କରୁଥିଲେ ତଥାପି ଆଜି ଗଲି ନାହିଁ । ତା’ ଛଡ଼ା ସହରରେ ରାତି ବାରଟା ଯାହା ମଫସଲରେ ସନ୍ଧ୍ୟା ଛଅଟା ଠିକ୍‌ ସେଇୟା ।

 

ପରିହାସ କରିବାକୁ ଚେଷ୍ଟା କରନା ନିରୁ ! ମୁଁ ଯାହା କହୁଛି ତା’ର ଠିକ୍‌ ଠିକ୍‌ ଉତ୍ତର ଦେ-

 

ଓଃ, ଏତେ ପାଟିଟା କାହିଁକି କରୁଛୁ ? ବାପା ଶୁଣିବେ ?

 

ବାପା ଶୁଣି ନ ଥିଲେ କାଲି ସକାଳେ ମୁଁ ବାପାଙ୍କୁ ଶୁଣାଇବି ।

 

ନର୍ମଦା ଧିରେ ଧିରେ ଫାଲ୍‌ଗୁନୀ ପାଖକୁ ଆସିଲା । କହିଲା, ତୋ ହାତ ଧରୁଛି ଅପା ! ତୁ ପାଟି କରନା ।

 

ନର୍ମଦା ପାଟିର ଉତ୍କଟ ଗନ୍ଧରେ ଫାଲ୍‌ଗୁନୀ ମୁହଁ ବୁଲାଇ ନେଲା । କହିଲା, ତୁ ମଦ ଖାଇଛୁ ନିରୁ ?

 

ହଁ, ଦେଶୀ ନୁହେଁ–ଫରେନ୍‌ ଲିକର....

 

ଶେଷକୁ ତୋର ଏଇ ଅଧପତନ ହେଲା ନିରୁ । ନାରୀ ହୋଇ, ଅବିବାହିତ କୁମାରୀ କନ୍ୟା ହୋଇ ତୁ ମଦ ଖାଇ ପାରିଲୁ ?

 

ନର୍ମଦା ଶାଢ଼ୀ ବଦଳ କରୁ କରୁ କହିଲା, ଆଜି ମୁଁ ନୂଆକରି ମଦ ଖାଇନି ଅପା ! ପ୍ରାୟ ଦୁଇମାସ ହେଲା ମୁଁ ମଦ ଖାଉଛି । ପାର୍ଟି, କ୍ଳବ, ପିକ୍‌ନିକ୍‌, ବଲଡାନ୍‌ସରେ ଯୋଗ ଦେବାକୁ ହେଲେ ମଦ ନ ଖାଇଲେ ସମ୍ମାନ ମିଳିବନି । ନିମନ୍ତ୍ରଣର ଆମନ୍ତ୍ରଣ ରକ୍ଷା କରିବାକୁ ବାଧ୍ୟ, ନ ହେଲେ ଅନ୍ୟମାନେ କ’ଣ ଭାବିବେ ?

 

ଛି ନିରୁ । ପାଗଳୀଙ୍କ ଭଳି କ’ଣ ସବୁ କହୁଛୁ ?

 

ନର୍ମଦା କହିଲା, ଆଚ୍ଛା ଅପା ! ତୁ କେବେ ମଦ ଖାଇଛୁ ?

 

ନା, ମୁଁ ମଦ ଖାଇ ନାହିଁ କି ଖାଇବାକୁ କେବେ ଚେଷ୍ଟା କରିନାହିଁ । ଭଗବାନ ମୋତେ ସେତିକି କୁବୁଦ୍ଧି ନ ଦିଅନ୍ତୁ ।

 

ବିଦ୍ରୂପର ହସ ହସିଲା ନର୍ମଦା । କହିଲା, ତୁ ତ ମଦ ଖାଇନୁ, ତେବେ ତା’ର ସ୍ୱାଦ ଜାଣିବୁ କେମିତି ? ଯେଉଁମାନେ ମଦକୁ ଖରାପ, କ୍ଷତିକାରକ ବୋଲି କୁହନ୍ତି, ସେମାନେ ଜୀବନରେ କେବେ ମଦ ଖାଇ ନାହାନ୍ତି, ତା’ର ମାଦକତା କେବେ ଉପଲବ୍‌ଧି କରି ନାହାନ୍ତି । କିନ୍ତୁ ଥରେ ମଦ ଖାଇଲେ ଦେହ ମନରେ ଯେଉଁ ସିତ୍କାର, ଶିହରଣ ଆସେ, ଅତୀତର ଦୁଃଷ୍କର୍ମ ପାଶୋରି ଯିବା ପାଇଁ ଯେଉଁ ନୂତନ ପ୍ରେରଣା ଆସେ ତାହା ଅନ୍ୟ କେଉଁଥିରେ ନ ଥାଏ । ତେଣୁ ପୃଥିବୀର ଦୁର୍ଲ୍ଲଭ ପଦାର୍ଥ ଭିତରୁ ମଦ ହେଉଛି ସର୍ବଶ୍ରେଷ୍ଠ ।

 

ଫାଲଗୁନୀ ନର୍ମଦା ସାଥିରେ ଯୁକ୍ତି କରିବା ପାଇଁ ଆଗ୍ରହ ପ୍ରକାଶ କଲା ନାହିଁ । ନର୍ମଦା ମଦ ପିଇଛି । ମଦ ନିଶାରେ ଅନେକ ଅବାନ୍ତର କଥା (ଯାହା ବଡ଼ ଭଉଣୀକୁ କହି ହୁଏନି) କହୁଛି । ତେଣୁ ପ୍ରସଙ୍ଗ ବଦଳାଇ କହିଲା, ତୁ ଖାଇବୁନି ?

 

ନା, ଆଜି କ୍ଳବରେ ଗୋଟାଏ ପାର୍ଟି ଥିଲା । ସେଠାରେ ମୁଁ ଖାଇନେଇଛି ।

 

ହଠାତ୍‌ ଫାଲ୍‌ଗୁନୀର ଦୃଷ୍ଟି ପଡ଼ିଲା ନର୍ମଦାର କନିଷ୍ଠ ଆଙ୍ଗୁଳି ଉପରେ । ଚଟକରି ନର୍ମଦାର କନିଷ୍ଠ ଅଙ୍ଗୁଳି ଧରିନେଇ କହିଲା, ଭାନୁପ୍ରତାପର ସ୍ୱର୍ଣ୍ଣ ଅଙ୍ଗୁରୀୟ ତୋ ହାତରେ ଯେ ?

 

ହସିଲା ନର୍ମଦା । କହିଲା, କେବଳ ସେତିକି ନୁହେଁ ଅପା, ମୋ ଅଙ୍ଗୁରୀୟ ମଧ୍ୟ ଭାନୁପ୍ରତାପ ଅଙ୍ଗୁଳିରେ ।

 

ନିରୁ ? ଫାଲ୍‌ଗୁନୀ ଚିତ୍କାର କରି ଉଠିଲା ।

 

ଓଃ, ଏମିତି କାହିଁକି ଚିତ୍କାର କରୁଛୁ ଯେ ? ଥରେ କହିଲି ପରା ପାଟି କରନା, ବାପା ଶୁଣିବେ ?

 

ବାପାଙ୍କୁ ଯଦି ଏତେ ଡର, ତେବେ ପରପୁରୁଷ ସଙ୍ଗେ ଯାଇ ରାତି ବାରଟାରେ ଘରକୁ ଫେରୁଛୁ କାହିଁକି ?

 

ନର୍ମଦା ବିଛଣା ଉପରେ ଲୋଟି ପଡ଼ିଲା ।

 

ନର୍ମଦା ଶୋଇପଡ଼ିଲା ସତ, କିନ୍ତୁ ଫାଲ୍‌ଗୁନୀ ଶୋଇ ପାରିଲା ନାହିଁ । ନର୍ମଦା ଯେଉଁ ଭ୍ରଷ୍ଟ ପଥରେ ପାଦ ଦେଇଛି ସେଥିରୁ ତାକୁ କିମିତି ଉଦ୍ଧାର କରିବ ସେଇୟା ଚିନ୍ତା କରୁଥିଲା । ଭାବିଲା, ରାତି ପାହିଲେ ଏ ବିଷୟରେ ସେ ବାପାଙ୍କୁ କହିବ । କିନ୍ତୁ କନିଷ୍ଠାଭଗ୍ନୀର କୁତ୍ସିତମୟ ଇତିହାସର କରୁଣ କାହାଣୀ ସତେ କ’ଣ ସେ ବାପାଙ୍କ ଆଗରେ ପ୍ରକାଶ କରି ପାରିବ ? ନା, ନିରୋଳାରେ ସେ ନର୍ମଦାକୁ ବୁଝାଇବ । କହିବ, ରୂପ, ବୟସ, ଯୌବନ ଚିରଦିନ ସ୍ଥାୟୀ ହୋଇ ରହେ ନାହିଁ । ଏଇ ରୂପ ବୟସ ଥାଉ ଥାଉ ପୁରୁଷ ସହିତ ଲୁଚକାଳୀ ନ ଖେଳି ବିବାହ କରି ନେଲେ ଜୀବନରେ ତୁ ସୁଖୀ ହେବୁ ।

 

କିନ୍ତୁ ନର୍ମଦା ଯଦି ତା’ର ଉପଦେଶ ଗ୍ରହଣ ନ କରେ ?

 

ତେବେ ଉପାୟ.....

 

ନର୍ମଦା ସେମିତି ଚିତ ହୋଇ ଶୋଇଛି । ଫାଲ୍‌ଗୁନୀ ଆସିଲା ତା’ ପାଖକୁ । ଗଭୀର ନିଦ୍ରାରେ ଶୋଇ ସ୍ୱପ୍ନ ଦେଖୁଛି ନର୍ମଦା । ଆସନ୍ତା କାଲିର ସମସ୍ୟା ଆଜି ତାକୁ ବ୍ୟତିବ୍ୟସ୍ତ କରୁନି । ଅତୀତର କୁତ୍ସିତମୟ କାହାଣୀ ପାଶୋରି ଯିବାପାଇଁ ସ୍କଚ୍‌ହୁସ୍କି ଖାଇ ସବୁ କିଛି ଭୁଲି ଯାଇପାରୁଛି ।

 

ସତ କହିବାକୁ ଗଲେ ନର୍ମଦାଠାରରୁ ସୁଖୀ କିଏ ଆଉ ଅଛି ?

 

ଅଥଚ ସେ ନିଜେ.....

 

ପ୍ରେମ ନ କରି ବିରହର ବ୍ୟଥା ତାକୁ ବ୍ୟସ୍ତ କରୁଛି । କାହାକୁ ମନ–ପ୍ରାଣ ଦେଇ ଭଲ ନ ପାଇ ମଧ୍ୟ ଶ୍ରୀକାନ୍ତର ମଙ୍ଗଳ ପାଇଁ ମନ ଚିତ୍କାର କରୁଛି । ସାତପରଠାରୁ ହୀନ, ଇତର ହେଲେ ବି ଶ୍ରୀକାନ୍ତର ଶୁଭ କାମନା କରୁଛି । କିନ୍ତୁ କାହିଁକି ସେ ତା’ ପାଇଁ ଏତେ ଚିନ୍ତା କରୁଛି ? କାହିଁକି ସେ ତା’ ପାଇଁ ରାତି ରାତି ଅନିଦ୍ରା ହୋଇ କଳ୍ପନାର ଜାଲ ବୁଣୁଛି ?

 

ସତେ କ’ଣ ଶ୍ରୀକାନ୍ତ ତା’ କଥା କେବେ ଭାବେ ?

 

ନା, ଶ୍ରୀକାନ୍ତ ପାଇଁ ସେ ଯେତିକି ସମବେଦନା, ଆନ୍ତରିକତା, ଶୁଭେଚ୍ଛା ଜଣାଏ, ତା’ ପାଇଁ ଶ୍ରୀକାନ୍ତ ସେତିକି ସମବେଦନା ଜଣାଏ ନାହିଁ । ତରୁଣୀର ମନକଥା ବୁଝିବାକୁ ଶ୍ରୀକାନ୍ତ ସମ୍ପୂର୍ଣ୍ଣ ଅକ୍ଷମ, ଅପଦାର୍ଥ । ଅଥଚ ଯୁକ୍ତିରେ ସେ ଅଜୟ, ଅମର, ଅପରାଜେୟ ।

 

ସୁକୋମଳ ଶୁଭ୍ର ବିଛଣା ଉପରେ ଲୋଟିପଡ଼ିଲା ଫାଲ୍‌ଗୁନୀ । ରାତି ପ୍ରାୟ ଗୋଟାଏ ହେବ । ବାହାରେ ମଲ୍ଲୀଫୁଲର ଚାନ୍ଦିନୀରାତି । ବାତାୟନ ଦେଇ ମଳୟ ସମୀରଣ କୋଠରୀ ଭିତରକୁ ଅବାରିତ ଗତିରେ ପ୍ରବେଶ କରୁଛି ।

 

ହଠାତ୍‌ ଫାଲ୍‌ଗୁନୀର ଦୃଷ୍ଟିପଡ଼ିଲା ସଫେଦ୍‌ କାନ୍ଥରେ ଝୁଲୁଥିବା ଏକ ବିଦେଶୀ ଔଷଧ କମ୍ପାନୀର କାଲେଣ୍ଡର ଉପରେ ।

 

କାଲେଣ୍ଡରଟିରେ ବିଶେଷ ଉଲ୍ଲେଖଯୋଗ୍ୟ କୌଣସି ଛବି ନାହିଁ । କେବଳ ଗୋଟିଏ ବିବାହିତା ନାରୀର ମୁହଁ ଆଉ ତା’ ନିକଟରେ ପ୍ରାୟ ତିନିବର୍ଷର ଏକ ହୃଷ୍ଟପୃଷ୍ଟ ପୁତ୍ରସନ୍ତାନର ଛବି । ସେହି ସାମାନ୍ୟ ଛବି ଉପରେ ଫାଲ୍‌ଗୁନୀର ଦୃଷ୍ଟି ଅନେକକ୍ଷଣ ପର୍ଯ୍ୟନ୍ତ ଲାଖି ରହିଲା ।

 

ସତରେ, ପ୍ରତି ବିବାହିତା ନାରୀ ଏକ ସନ୍ତାନପାଇଁ ଅହରହ ବ୍ୟାକୁଳ ହୁଏ । ତୁଳସୀ ଚଉରାମୂଳେ ସଞ୍ଜଦୀପ ଜାଳି ମନର ଅକୁହାବ୍ୟଥା ପ୍ରକାଶ କରେ । ଆଖିରୁ ଗଙ୍ଗା-ଯମୁନାର ଧାରା ଛୁଟାଇ ସନ୍ତାନପାଇଁ କେତେ ଆକୁଳ ମିନତି କରେ । ଭଗବାନଙ୍କ ନିକଟରେ ଅଜସ୍ର ପ୍ରାର୍ଥନା କରେ, କିନ୍ତୁ ସମସ୍ତଙ୍କର କ’ଣ ମନସ୍କାମନା ପୂରଣ ହୁଏ ? ସବୁ ପୁଷ୍ପବତୀ ନାରୀ ବିବାହ କରି କ’ଣ ସନ୍ତାନବତୀ ହୋଇପାରନ୍ତି ?? ସବୁ ନାରୀ ଭାଗ୍ୟରେ ମା’ ଡାକ ଶୁଣିବାର ସୌଭାଗ୍ୟ କ’ଣ ମିଳେ ??

 

ହଠାତ୍‌ ଫାଲ୍‌ଗୁନୀ ଖିଆଲ ଭାଙ୍ଗିଯିବା ପରେ ସେ ଇତସ୍ତତଃ ହୋଇପଡ଼ିଲା । ଆରେ ! ଏ ଅବାନ୍ତର ଚିନ୍ତାଧାରା ତା’ ମନକୁ କାହିଁକି ଗ୍ରାସ କରୁଛି । ସେ କୁମାରୀକନ୍ୟା । ସେ କାହିଁକି ବିବାହିତା ନାରୀର ସନ୍ତାନ କଥା ଚିନ୍ତା କରିବ ? କ’ଣ ବା ପ୍ରୟୋଜନ ??

 

କାନ୍ଥଘଣ୍ଟା ରାତ୍ରି ଦୁଇଟା ହେବାର ସଙ୍କେତ ଦେଲା ।

 

ଫାଲ୍‌ଗୁନୀ ଗଭୀର ନିଦ୍ରାରେ ଶୋଇଯିବା ପାଇଁ ଉପକ୍ରମ କରୁଥିଲା ।

 

ତହିଁ ଆରଦିନ ସୁପ୍ରଭାତ....

 

ନମ୍ର ଆଉ କମ୍ର ସକାଳର ସ୍ୱର୍ଣ୍ଣାଭ କିରଣ କୋଠରୀ ଭିତରେ ପ୍ରବେଶ କରୁଥିଲା । ମୃଦୁମନ୍ଦ ହୀନ-ଶୀତଳ ସମୀରଣ ପୁଙ୍ଗୁଳା ଅବୟବରେ ଏକ ରୋମାଞ୍ଚକର ଶିହରଣ ସୃଷ୍ଟି କରୁଥିଲା । ରାତି ଅନେକବେଳୁ ଅତିକ୍ରମ କରିଥିଲେନ ମଧ୍ୟ କାକରଭିଜା ସମୀରଣର ବେପଥୁ ସିତ୍କାର ଦେହ-ମନରୁ ଭାରାକ୍ରାନ୍ତ କରି ତୋଳୁଥିଲା ।

 

ଅଳସ ଭାଙ୍ଗି ନିଜ ଅଙ୍ଗବାସ ସଜାଡ଼ି ବିଛଣାରୁ ଉଠିଲା ।

 

ପୂଝାରୀ ସକାଳର ଚା’ ଟିପୟ ଉପରେ ରଖି ଲେଉଟିଗଲାଣି ।

 

ଫାଲଗୁନୀ ଚା’ ପିଇବାକୁ ଆରମ୍ଭ କଲା ।

 

ଦେହଟା ଆଜି କାହିଁକି ଅବଶ ଲାଗୁଛି । ମନେ ହେଉଛି କଲେଜ ନ ଯାଇ ଇମିତି ଘୋଡ଼ିଘାଡ଼ି ହୋଇ ଶୋଇରହି ଆଜିର ସୁବର୍ଣ୍ଣ ପ୍ରଭାତକୁ ବିତାଇ ଦେବାକୁ ।

 

ସକାଳର ଦୈନିକୀ ସମ୍ବାଦପତ୍ର ଉପରେ ଦୃଷ୍ଟି ବୁଲାଉ ଥିବାବେଳେ ହଠାତ୍‌ ଏକ ସମ୍ବାଦ ଉପରେ ଦୃଷ୍ଟି ପଡ଼ିଲା ।

 

‘‘ସତ୍ୟ-ଜ୍ୟୋତି ସାଂସ୍କୃତିକ ସଂସ୍ଥା’’ ଦ୍ୱାରା ପୁରସ୍କୃତ ‘‘କାହାଣୀ ନୁହେଁ’’ ଉପନ୍ୟାସ ପ୍ରଥମସ୍ଥାନ ଅଧିକାର କରିଥିବା ସ୍ଥଳେ ଉକ୍ତ ଉପନ୍ୟାସର ଲେଖକ ଛଦ୍ମନାମ ‘ଶ୍ରୀ’ ପୁରସ୍କାର ଗ୍ରହଣ ନ କରି ଉକ୍ତ ପୁରସ୍କାରର ପ୍ରାପ୍ୟ ଅର୍ଥ ଦୁସ୍ଥ–ଜନତାଙ୍କ ସେବାରେ ବିନିଯୋଗ ହେଉ ବୋଲି ଏକ ବେନାମୀ ପତ୍ରରେ ଲେଖିଛନ୍ତି ।

 

ଫାଲ୍‌ଗୁନୀ ବିସ୍ମିତ ହେଉଥିଲା ଯେ ଅଜସ୍ର ସମ୍ମାନର ଅଧିକାରୀ ହୋଇ ପ୍ରଶଂସାପାତ୍ର ପାଇବାର ଲାଭ ପରିତ୍ୟାଗ କରିଦେବା ଏ ଯୁଗର ମଣିଷଙ୍କ ପକ୍ଷେ କ’ଣ ସମ୍ଭବ ହୋଇପାରେ ? ବିରାଟ ସାଂସ୍କୃତିକ ଆୟୋଜନରେ ବିଶିଷ୍ଟ ମାନ୍ୟଗଣ୍ୟ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଗହଣରେ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବା କେତେଜଣଙ୍କ ଭାଗ୍ୟରେ ଆସେ । ଏତେବଡ଼ ସମ୍ମାନ ପାଇଁ ସାମାନ୍ୟତମ ଆକର୍ଷଣ ମଧ୍ୟ ନାହିଁ ।

 

‘ଶ୍ରୀ’ ଲୋକଲୋଚନ ଅଗୋଚରରେ ରହିବାକୁ ଚାହେଁ । ସେଥିପାଇଁ ସେ ପ୍ରଶଂସାପତ୍ର ଓ ପୁରସ୍କାର ନେବାକୁ ଚାହେଁ ନାହିଁ ।

 

ଫାଲ୍‌ଗୁନୀ ବିଷମ ଦ୍ୱନ୍ଦ୍ୱରେ ପଡ଼ିଥିଲା । ‘‘କାହାଣୀ ନୁହେଁ’’ ଉପନ୍ୟାସର ଲେଖକ ତେବେ କିଏ ? କାହିଁକି ସେ ଲୋକଲୋଚନ ଅଗୋଚରରେ ରହିବାକୁ ଚେଷ୍ଟା କରୁଛି ? ଯେଉଁ ଯୁଗରେ ଆତ୍ମ-ପ୍ରଶଂସାର ପ୍ରଚାର ପାଇଁ ଶହ ଶହ ଟଙ୍କା ଅକୁଣ୍ଠିତ ଭାବରେ ମଣିଷ ଖର୍ଚ୍ଚ କରିପାରେ ସେ ଯୁଗରେ ଏତେବଡ଼ ସମ୍ମାନ ଆଉ ଅର୍ଥକୁ ଲୋକ ପୁଣି ପଦାଘାତ କରିପାରେ ?

 

ଫାଲ୍‌ଗୁନୀ ଶପଥ କଲା, ଯେତେ କଷ୍ଟସାଧ୍ୟ ହେଉ, ଯେତେ ଅର୍ଥ ବ୍ୟୟ ହେଉ ସେ ‘‘କାହାଣୀ ନୁହେଁ’’ ଉପନ୍ୟାସର ପ୍ରକୃତ ଲେଖକକୁ ଉଦ୍‌ଭାବନ କରିବ ।

 

କାଗଜଟିକୁ ଚାରିଭଙ୍ଗ କରି ଟିପୟ ଉପରେ ରଖିଦେଲା ଫାଲଗୁନୀ । ଅନ୍ୟ ସମ୍ବାଦଗୁଡ଼ିକ ପଢ଼ିବାକୁ ଆଉ ଇଚ୍ଛା ହେଉନାହିଁ । କେବଳ ‘‘କାହାଣୀ ନୁହେଁ’’ ଉପନ୍ୟାସର ଲେଖକ ‘ଶ୍ରୀ’ କଥା ଭାବିବାକୁ ଭୀଷଣ ଆଗ୍ରହ ହେଉଛି । ଉକ୍ତ ଲେଖକଙ୍କ ପ୍ରତି ମନଟା କାହିଁକି ସହାନୁଭୂତିରେ ନଇଁ ଆସୁଛି । କୃତାଞ୍ଜଳୀପୁଟରେ ତାଙ୍କୁ ପ୍ରଣତି ଜଣାଇବାକୁ ମନରେ ଗଭୀର ଉତ୍କଣ୍ଠା ଆସୁଛି ।

 

ଛନ୍ମନାମରେ ‘ଶ୍ରୀ’ ପ୍ରାୟ ଦଶଖଣ୍ଡ ଉପନ୍ୟାସ ଲେଖିଛନ୍ତି; କବିତା ସଂକଳନ, ପ୍ରବନ୍ଧ, ଗଳ୍ପ ସଂକଳନ ପୁସ୍ତକ ମଧ୍ୟ ଲେଖିଛନ୍ତି । ଗୋଟିଏ ଦୁଇଟି ଉପନ୍ୟାସ ବାଦଦେଲେ ପ୍ରାୟ ସମସ୍ତ ଉପନ୍ୟାସର ପ୍ରକାଶକ ହେଉଛନ୍ତି ଜନପ୍ରିୟ ସାହିତ୍ୟ ସଂସ୍ଥା ‘ସୁରଭି ପ୍ରକାଶନୀ’ । ଅଚାନକ ଦିନେ ସୁରଭି ପ୍ରକାଶନୀରେ ଶ୍ରୀକାନ୍ତକୁ ଆବିଷ୍କାର କରିଥିଲା । ସେଦିନ ଶ୍ରୀକାନ୍ତ ପ୍ରଥମେ କହିଥିଲା, ଗୋଟାଏ ବହି କିଣିବା ପାଇଁ ଆସିଥିଲି ।

 

ଫାଲ୍‌ଗୁନୀ ବିଶ୍ୱାସ କରି ନ ଥିଲା ଶ୍ରୀକାନ୍ତର ଉତ୍ତରକୁ । ଦୀର୍ଘଦିନ ପରେ ଅଚାନକ ସେଇକଥା ମନେପଡ଼ିଯିବାରୁ ସେ ସ୍ଥିର ନିଶ୍ଚିତରେ ପହଞ୍ଚିଲା ଯେ ‘ଶ୍ରୀ’ ଆଉ ଶ୍ରୀକାନ୍ତ ପ୍ରକୃତରେ କିଏ, ଏକମାତ୍ର ସୁରଭି ପ୍ରକାଶନୀର ସତ୍ୱାଧିକାରୀ ସୁମନ୍ତବାବୁ କହିପାରିବେ । ତେଣୁ ସେ ସୁରଭି ପ୍ରକାଶନୀର ସତ୍ୱାଧିକାରୀ ସୁମନ୍ତବାବୁଙ୍କୁ ସାକ୍ଷାତ୍‌ କରି ବିଶିଷ୍ଟ ଔପନାସିକ ଛଦ୍ମନାମ ‘ଶ୍ରୀ’ ଙ୍କର ସମ୍ପୂର୍ଣ୍ଣ ପରିଚୟ ଜାଣିବାକୁ ଚାହିଁଥିଲା ।

 

କଫି କପ୍‌ଟିଏ ଫାଲ୍‌ଗୁନୀ ହାତକୁ ବଢ଼ାଇ ମୃଦୁ ହସି ସୁମନ୍ତବାବୁ ଉତ୍ତର ଦେଲେ–ଦୀର୍ଘ ଆଠବର୍ଷ ମଧ୍ୟରେ ମୁଁ ‘ଶ୍ରୀ’ ଙ୍କର ପ୍ରାୟ ଆଠଖଣ୍ଡ ଉପନ୍ୟାସ ପ୍ରକାଶ କରିଛି । ‘‘କାହାଣୀ ନୁହେଁ’’ ଉପନ୍ୟାସର ଜନପ୍ରିୟତା ପରେ ଅନେକ ପାଠକଙ୍କ ଅଭିନନ୍ଦନ ପତ୍ର ପାଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଜଣେ ପାଠକ ତାଙ୍କର ସମ୍ପୂର୍ଣ୍ଣ ପରିଚୟ ଜାଣିବାକୁ ଚାହିନାହାନ୍ତି କି ସ୍ୱଚକ୍ଷୁରେ ଦେଖିବାକୁ ଇଚ୍ଛା କରିନାହାନ୍ତି । ଅଥଚ ଆପଣ....

ଶୂନ୍ୟ କପ୍‌ଟାକୁ ଟେବୁଲ ଉପରେ ରଖି ଫାଲ୍‌ଗୁନୀ ଉତ୍ତର ଦେଇଥିଲା, ମୁଁ ସମସ୍ତ ପାଠକଙ୍କଠାରୁ ଏକ ବ୍ୟତିକ୍ରମ । କେହି ସିନା ତାଙ୍କର ସମ୍ପୂର୍ଣ୍ଣ ପରିଚୟ ଜାଣିବାକୁ ଚାହିଲେ ନାହିଁ, ମୁଁ ତାଙ୍କର ସମସ୍ତ ଇତିହାସ ଜାଣିବାକୁ ଚାହେ । ଦୟାକରି କିଛି ଗୋପନ ନ ରଖି ତାଙ୍କର ପ୍ରକୃତ ପରିଚୟ କୁହନ୍ତୁ ।

ସିଗାରେଟ୍‌ରେ ନିଆଁ ଧରାଇ ପ୍ରକାଶକ ମହାଶୟ କହିଲେ–ଆପଣଙ୍କ ପ୍ରଶ୍ନର ଯଥାର୍ଥ ଉତ୍ତର ମୁଁ ଦେଇପାରୁ ନାହିଁ ବୋଲି ଭୀଷଣ ଦୁଃଖିତ ।

ପ୍ରକାଶକଙ୍କର ଦୁଇ ହାତକୁ ଫାଲଗୁନୀ ଧରିପକାଇ କହିଲା, ଦୀର୍ଘ ଆଠବର୍ଷ ମଧ୍ୟରେ ଆପଣ ଯେତେବେଳେ ତାଙ୍କର ଆଠଖଣ୍ଡ ଉପନ୍ୟାସ ପ୍ରକାଶ କରିଛନ୍ତି ତେଣୁ ଆପଣ ନିଶ୍ଚୟ ତାଙ୍କୁ ଜାଣିଛନ୍ତି । ଆପଣ ତାଙ୍କର ସମସ୍ତ ବିଷୟ ଜାଣି ମଧ୍ୟ କାହିଁକି ଗୋପନ ରଖିବାକୁ ଚେଷ୍ଟା କରୁଛନ୍ତି ମୁଁ ଜାଣିପାରୁ ନାହିଁ । ମୁଁ କିନ୍ତୁ ତାଙ୍କର ସମସ୍ତ ବିଷୟ ନ ଶୁଣିବା ପର୍ଯ୍ୟନ୍ତ ଏଠୁ ଉଠୁ ନାହିଁ ।

ସୁମନ୍ତବାବୁ ମୃଦୁ ହସି କହିଲେ–କ’ଣ ଅନଶନ କରିବେ ?

ଆପଣ ଯଦି ଚାହାନ୍ତି, ତେବେ ମୁଁ ଅନଶନ କରିବାକୁ ବାଧ୍ୟ ହେବି । ତେବେ କୁହନ୍ତୁ, ଶ୍ରୀ କିଏ ? କେଉଁଠି ରହନ୍ତି ? ? କ’ଣ କରନ୍ତି ???

ସୁମନ୍ତବାବୁ ଫାଲ୍‌ଗୁନୀ ଚାହିଁଲେ ।

ଫାଲ୍‌ଗୁନୀ କରୁଣ ଦୃଷ୍ଟିରେ ତାଙ୍କୁ ଚାହିଁ ରହିଥିଲା ।

ସୁମନ୍ତ ବାବୁ କହିଲେ–ଇମିତି ବାଧ୍ୟ କରି ଜଣକର ପରିଚୟ ଜାଣିବାକୁ ଚେଷ୍ଟା କରନ୍ତୁ ନାହିଁ । ‘ଶ୍ରୀ’ ମୋତେ ଶପଥ କରାଇଛନ୍ତି । ମୁଁ ତାଙ୍କର ପରିଚୟ ପ୍ରକାଶ କରିଦେଲେ ସେ ମୋତେ ତାଙ୍କର ଉପନ୍ୟାସ ପ୍ରକାଶ କରିବାକୁ ଅନୁମତି ଦେବେ ନାହିଁ । ତେଣୁ ମୋ ବ୍ୟବସାୟରେ ଆପଣ କାହିଁକି ବାଧା ସୃଷ୍ଟି କରିବାକୁ ଚାହୁଛନ୍ତି ?

–ଆପଣ ମୋତେ ଅବିଶ୍ୱାସ କରୁଛନ୍ତି ? ମୋତେ ସନ୍ଦେହ କରୁଛନ୍ତି ?? ମୁଁ ଆପଣଙ୍କ ପାଦଛୁଇଁ ଶପଥ କରୁଛି । ଏ ବିଷୟ ମୁଁ ମୋଟେ ବାହାରେ ପ୍ରକାଶ କରିବି ନାହିଁ ।

ନିଜ ଗୋଡ଼ ଉପରୁ ଫାଲ୍‌ଗୁନୀକୁ ଉଠାଇଦେଇ ପ୍ରକାଶ ମହାଶୟ କହିଲେ–‘ଶ୍ରୀ’ ବିଷୟରେ ଆପଣ ଜାଣିବାକୁ ଇମିତି ଉଦ୍‌ବିଗ୍ନ କାହିଁକି ?

ଫାଲ୍‌ଗୁନୀ ଚତୁର୍ଦ୍ଦିଗକୁ ଦୃଷ୍ଟି ଘୂରାଇଆଣି ଧୀରେ ଅଥଚ କୋମଳ ସ୍ୱରରେ କହିଲା–ମୁଁ ଯାହା କହିବି ଆପଣ ବିଶ୍ୱାସ କରିବେ ତ ?

ହଁ, କ’ଣ କୁହ ? ସୁମନ୍ତବାବୁ ପଚାରିଲେ ।

ଫାଲ୍‌ଗୁନୀ ଛେପ ଢୋକି ଧୀର କଣ୍ଠରେ କହିଲା–ମୁଁ ତାଙ୍କର ପ୍ରେମିକା । ମୁଁ ତାଙ୍କୁ ଗଭୀରଭାବରେ ଭଲପାଏ । ତାଙ୍କ ବିନା ମୁଁ ମୁହୂର୍ତ୍ତେ ମଧ୍ୟ ବଞ୍ଚିପାରିବି ନାହିଁ । କିନ୍ତୁ ଦୁଃଖର ବିଷୟ, ତାଙ୍କ ସହ ମୋର କେବେ ସାକ୍ଷାତ ହୋଇନାହିଁ କି ପରିଚୟ ମଧ୍ୟ ହୋଇନାହିଁ । ତାଙ୍କର ଉପନ୍ୟାସ ପଢ଼ି ପଢ଼ି ମୁଁ ତାଙ୍କ ପ୍ରେମରେ ପଡ଼ିଯାଇଛି । ଆଉ ତାଙ୍କୁ ବିବାହ କରି ନ ପାରିଲେ... ଫାଲ୍‌ଗୁନୀ ଅଟକିଗଲା ।

 

ସୁମନ୍ତବାବୁ ହସିଲେ । କହିଲେ, ‘ଶ୍ରୀ’ଙ୍କର ପରିଚୟ ନ ଜାଣି, ତାଙ୍କୁ ନ ଦେଖି, ତାଙ୍କରି ଉପନ୍ୟାସର ଚରିତ୍ର ମାଧ୍ୟମରେ ନିଜକୁ ହଜାଇ–ଦେଇ ତାଙ୍କୁ ଜୀବନସାଥୀ ଭାବରେ ନିର୍ବାଚନ କରିବ ନିର୍ବୋଧତାର ପରିଚୟ ମାତ୍ର । ଉପନ୍ୟାସରେ ସେ ନିଖୁଣ ଭାବରେ ଚରିତ୍ର-ଚିତ୍ରଣ କରିପାରନ୍ତି, ମନଲୋଭା ଭାଷା ବ୍ୟବହାର କରିପାରନ୍ତି କିନ୍ତୁ ବାସ୍ତବ-କ୍ଷେତ୍ରରେ ସେ ଏକ ଜ୍ୱଳନ୍ତ ଅଗ୍ନିପିଣ୍ଡ । ସେହି ଅଗ୍ନିପିଣ୍ଡକୁ ଧରିବାପାଇଁ ହାତ ବଢ଼ାଇଲେ, ଆପଣଙ୍କ ହାତ ଜଳିଯିବ । ତେଣୁ ମୋର ଅନୁରୋଧ, ଆପଣ ସେଭଳି ଦୁରାଶା ପରିତ୍ୟାଗ କରନ୍ତୁ ।

 

ଫାଲ୍‌ଗୁନୀ ମୁହଁ ଟେକି ସୁମନ୍ତବାବୁଙ୍କୁ ଚାହିଁଲା ।

 

ପ୍ରକାଶକ ମହାଶୟ କହିଲେ–ଶ୍ରୀକାନ୍ତ ଭଳି ଉଗ୍ର ସ୍ୱଭାବ ପ୍ରକୃତି ଯୁବକ ମୁଁ ଖୁବ୍‌ କମ ଦେଖିଛି । ବ୍ୟବସାୟରେ ଅନେକଲୋକଙ୍କ ସଂସ୍ପର୍ଶରେ ଆସିଲି, କିନ୍ତୁ ସମସ୍ତଙ୍କଠାରୁ ଶ୍ରୀକାନ୍ତବାବୁ ଏକ ବ୍ୟତିକ୍ରମ–

 

ଫାଲ୍‌ଗୁନୀ ଖିଲି ଖିଲି ହୋଇ ହସି ଉଠି କହିଲା–ଆପଣ ଯେଉଁ କଥାକୁ ଗୋପନ ରଖିବାକୁ ପ୍ରାଣମୁର୍ଚ୍ଛା ଉଦ୍ୟମ କରିଥିଲେ କଥା ପ୍ରସଙ୍ଗରେ ସବୁ କହିସାରିଲେଣି । ଅବଶିଷ୍ଟ କାହିଁକି ଗୋପନ ରଖୁଛନ୍ତି ?

 

ମାନେ....ସୁମନ୍ତବାବୁ ଇତସ୍ତତଃ ହୋଇଉଠିଲେ । ଫାଲ୍‌ଗୁନୀ କହିଲା–‘ଶ୍ରୀ’ଙ୍କର ପ୍ରକୃତ ନାମ ଶ୍ରୀକାନ୍ତ ପଟ୍ଟନାୟକ । ବୟସ ପ୍ରାୟ ତିରିଶ ହେବ । ରେଭେନ୍ସା କଲେଜରେ ଏମ. ଏ. ର ଶେଷବର୍ଷର ଛାତ୍ର । ଘର ଯଦିଓ ମଫସଲରେ ତେବେ ପ୍ରାୟ ଗୋଟିଏ ପୁରୁଷ ହେବ ସେ କଟକ ସହରର ରାଣୀହାଟ ଅଞ୍ଚଳରେ ନିଜେ ଘର ଖଣ୍ଡିଏ କିଣି ରହିଛନ୍ତି । ତାଙ୍କର କେବଳ ମାଆ ବର୍ତ୍ତମାନ ଜୀବିତ ଅଛନ୍ତି । ତାଙ୍କ ପରିବାର ମଧ୍ୟରେ ମାଆ–ପୁଅ ଦୁଇଜଣ ।

 

ବିସ୍ମିତ ବିସ୍ଫୋରିତ୍ର ଦୃଷ୍ଟିରେ ସୁମନ୍ତବାବୁ ଚାହିଁଲେ । ତରୁଣୀ ତେବେ କ’ଣ ‘ଶ୍ରୀ’ଙ୍କୁ ପୂର୍ବରୁ ଜାଣିଥିଲା ? ଯଦି ଜାଣିଥିଲା ତେବେ ଏତେ ଆକୁଳ ମିନତି ହୋଇ ପଚାରିବାର ଆବଶ୍ୟକତା କ’ଣ ଥିଲା ?

 

ଫାଲ୍‌ଗୁନୀ ଅଶେଷ ଧନ୍ୟବାଦ ଜଣାଇ ଲେଉଟି ପଡ଼ିଲା । ଆସିଲାବେଳେ ବାଟରେ ଭାବୁଥିଲା–ତା’ର ଅନୁମାନ ଯଦି ନିର୍ଭୁଲ ହୁଏ ତେବେ ଜନ–ସମାଜ ସମ୍ମୁଖରେ ସେ କେମିତି ପ୍ରମାଣିତ କରିବ ‘ଶ୍ରୀ’ ହେଉଛି ଶ୍ରୀକାନ୍ତ ପଟ୍ଟନାୟକ ।

 

ଫାଲ୍‌ଗୁନୀ ମନେ ମନେ ସିଦ୍ଧାନ୍ତ କରିନେଲା ଯେ, ସେ ଆଜି କଲେଜ ନ ଯାଇ ଶ୍ରୀକାନ୍ତବାବୁଙ୍କ ଘରକୁ ଯିବ । ଶ୍ରୀକାନ୍ତବାବୁଙ୍କର ଅନୁପସ୍ଥିତ ସମୟରେ ତାଙ୍କ ମାଆଙ୍କ ସହିତ ଘନିଷ୍ଠ ବନ୍ଧୁତା ସୃଷ୍ଟିକରି ଶ୍ରୀକାନ୍ତର ଜୀବନକାହାଣୀ ସଂଗ୍ରହ କରିବ ।

 

ସତକୁ ସତ ଫାଲ୍‌ଗୁନୀ କଲେଜ ନଯାଇ ଶ୍ରୀକାନ୍ତ ଘରକୁ ଗଲା ।

 

ହୀରାମଣି ଆଶ୍ଚର୍ଯ୍ୟ ହେଲେ । ମଶିଶାଟାକୁ ତଳେ ବିଛାଇଦେଇ କହିଲେ ବସ ମାଆ ! ଆଜି କଲେଜ ଯାଇନୁ କି ? କାନ୍ତ ତ ବର୍ତ୍ତମାନ କଲେଜ ଗଲା । ପାଞ୍ଚଟାବେଳକୁ ଫେରିବ ବୋଲି କହିଯାଇଛି ।

 

ଫାଲ୍‌ଗୁନୀ ସଂକ୍ଷିପ୍ତ ଉତ୍ତରରେ କହିଲା–ଆଜି ଦେହଟା ଭଲ ନ ଲାଗିବାରୁ ଭାବିଲି ଶ୍ରୀକାନ୍ତବାବୁଙ୍କ ଘରକୁ ଯାଇ ମଧ୍ୟାହ୍ନଟା କଟାଇଦେବି । କିନ୍ତୁ ସେ ଯେତେବେଳେ ନାହାନ୍ତି.....

 

ସେ ନଥିଲେ ମୁଁ ତ ଅଛି । ହୀରାମଣି କହିଲେ ।

 

ଫାଲ୍‌ଗୁନୀ ହସିଲା–ପ୍ରଥମେ କୁହନ୍ତୁ ଆପଣଙ୍କ ଦେହ କେମିତି ଅଛି ?

 

ମୋ ଦେହ ଖୁବ ଭଲ ଅଛି । କାନ୍ତର ଅକ୍ଳାନ୍ତ ପରିଶ୍ରମ, ନିୟମିତ ଭାବରେ ପାଖରେ ବସି ଔଷଧ ଦେବା, ସେବା, ଶ୍ରୁଶୂଶା କରିବା କ’ଣ କେବେ ନିରର୍ଥକ ହୋଇପାରେ । ଭଗବାନ କେବେ ନିଷ୍ଠୁର ହୋଇପାରନ୍ତି ନାହିଁ ମା’ ! କିନ୍ତୁ ମାଆ, ତୁ ସବୁବେଳେ, ‘ଆପଣ’,‘ଆପଣ’ କହି ମୋତେ ଲଜ୍ଜିତ କରୁଛୁ । ଘରେ କ’ଣ ତୁ ତୋର ମାଆକୁ ଆପଣ କହୁ ?

 

ମୁଁ ମାତୃସ୍ନେହରୁ ବଞ୍ଚିତା ମାଆ ! ତେଣୁ ଆପଣଙ୍କୁ ଜନ୍ମଦାତ୍ରୀ ଠାରୁ ଅଧିକ ବଡ଼ ବୋଲି ଭାବେ, ସମ୍ମାନ କରେ, ଭକ୍ତି କରେ ।

 

ହୀରାମଣି ଦୁଃଖିତ ହେଲେ । କହିଲେ, ଅଜାଣତରେ ମୁଁ ଯେଉଁ କଥା କହିଲି, ତୋ ମନରେ ନିଶ୍ଚୟ ଦୁଃଖ ହୋଇଥିବ । ତୁ କ୍ଷମା ଦେବୁ ମୋତେ ।

 

କଥାବାର୍ତ୍ତା ମଧ୍ୟରେ ଫାଲ୍‌ଗୁନୀ ଶ୍ରୀକାନ୍ତର ଘରକୁ ପଶି ଆସିଥିଲା । ହୀରାମଣି ପ୍ରସଙ୍ଗ ବୁଲାଇବାକୁ ଯାଇ କହିଲେ, ବାରଟା ବାଜିଗଲାଣି । ମୋତେ ଭୋକ ହେଲାଣି । ଆ, ମୋ ସାଙ୍ଗରେ ଗଣ୍ଡାଏ ଖାଇଦେବୁ ।

 

ଶ୍ରୀକାନ୍ତର ଖଟ ଉପରେ ବସିପନି ଫାଲଗୁନୀ କହିଲା–ମୁଁ ବର୍ତ୍ତମାନ ଖାଇକରି ଆସିଛି-। ମୋତେ ମୋଟେ ଭୋକ ନାହିଁ । ଶ୍ରୀକାନ୍ତବାବୁ ଆସନ୍ତୁ । ଏକାଠି ସାଥୀ ହୋଇ ଖାଇବା-

 

ହୀରାମଣି ବାଧ୍ୟ କଲେ ନାହିଁ । କହିଲେ–ତୁ ଏଇଠି ବସିଥା, ମୁଁ ଗଣ୍ଡାଏ ଖାଇଆସେ । ତା’ ପରେ ଗପ କରିବା ।

 

ହୀରାମଣି ଚାଲିଗଲେ ରୋଷଘରକୁ ।

 

ଫାଲ୍‌ଗୁନୀ ଉଠିଗଲା ଶ୍ରୀକାନ୍ତର ଟେବୁଲ ପାଖକୁ । ଟେବୁଲ ଉପରେ ବିକ୍ଷିପ୍ତ ଭାବରେ ବିଛାଡ଼ିହୋଇ ପଡ଼ିଥବା ବହି–ଖାତାଗୁଡ଼ିକ ଥାକକରି ସଜାଡ଼ି ରଖୁଥିଲା ଫାଲ୍‌ଗୁନୀ । ଆଜି କାହିଁକି ବହିଗୁଡ଼ିକ ସଜାଡ଼ି ରଖିବାପାଇଁ ମନରେ ପ୍ରବଳ ପ୍ରେରଣା ଆସୁଛି, ଆସୁଛି ଉନ୍ମାଦନା ।

 

ହଠାତ୍‌ ଏକ ଖାତାର ପଛମଲାଟରେ ଲେଖାଥିବା କେତୋଟି ଧାଡ଼ିପ୍ରତି ତା’ର ଦୃଷ୍ଟି ଆକର୍ଷଣ କଲା । ସେଥିରେ ଲେଖାଥିଲା–

 

‘ଦାମ୍ପତ୍ୟ–ପ୍ରଣୟ ବିନା ନାରୀର ଜୀବନ ବ୍ୟର୍ଥ, ନିରର୍ଥକ । ପୁରୁଷର ବାହୁବନ୍ଧନ ଭିତରେ ସମ୍ପୂର୍ଣ୍ଣ ଭାବେ ନିଜକୁ ସମର୍ପଣ କରି ନ ପାରିଲେ ନାରୀ ଜୀବନର ସାର୍ଥକତା ନାହିଁ । ନାରୀ ଜୀବନର ସଫଳତା ପାଇଁ, ନାରୀ ଜୀବନର ସବୁଜ ସ୍ୱପ୍ନ ପାଇଁ, ସ୍ୱାମୀଙ୍କ ସାହଚର୍ଯ୍ୟ ଏକାନ୍ତ କାମ୍ୟ । ବିବାହ ବିନା ନାରୀର ଜୀବନ ବ୍ୟର୍ଥ–ନିରର୍ଥକ । ପୁରୁଷର ସାମୀପ୍ୟ ବିନା ନାରୀ ଗୋଟିଏ ମୁହୂର୍ତ୍ତ ବଞ୍ଚିପାରେନା । ଯେଉଁ ନାରୀ ପୁରୁଷ ବକ୍ଷର ଉତ୍ତାପ ସହିତ ନିଜ ବକ୍ଷର ଉତ୍ତାପ ନ ମିଳାଇ ପାରିଲା ସେ ନାରୀ ଜୀବନର ସିଦ୍ଧି ନାହିଁ କି ଗୌରବ ନାହିଁ ।’’

 

‘‘ନାରୀ ଜୀବନର ଅନ୍ୟତମ ପରିପୂରକ ହେଉଛି ପୁରୁଷ । ପୁରୁଷ ବିନା ନାରୀ ଜୀବନର ଗତି ନାହିଁ କି ମୁକ୍ତି ମଧ୍ୟ ନାହିଁ । ବହୁ ପୁରୁଷ ମଧ୍ୟରୁ କେବଳ ସ୍ୱାମୀ ହିଁ ହେଉଛି ନାରୀ ଜୀବନର ମୁକ୍ତିଦାତା–ତା’ ଜୀବନର ମହାର୍ଘ ବିଭବ ।’’

 

‘‘ଯେଉଁ କୁମାରୀ କନ୍ୟାମାନେ ବିଂଶବର୍ଷ ଅତିକ୍ରମ କରି ସାରିଥିଲେ ମଧ୍ୟ ବିବାହ କରିପାରି ନାହାନ୍ତି, ସେମାନେ ଛାତିରେ ହାତ ଦେଇ କହି ପାରିବେ; ମୁହୂର୍ତ୍ତକ ପାଇଁ ତାଙ୍କର ଚହଲା ମନ କୌଣସି ପୁରୁଷ ପ୍ରତି ଆକର୍ଷିତ ହୋଇ ନାହିଁ ବୋଲି ?’’

 

‘ନାରୀ ଅନେକ ପୁରୁଷକୁ ଦେହ ସମର୍ପଣ କରିପାରେ, କିନ୍ତୁ ମନ ସମର୍ପଣ କରେ ଜଣଙ୍କୁ–ଆଉ ସେ ଜଣକ ହେଉଛି ଇହକାଳ–ପରକାଳର ସ୍ୱାମୀ–ଦେବତା ।’’

 

ଅନେକଦିନ ପୂର୍ବରୁ ଫାଲ୍‌ଗୁନୀର ଯେଉଁ ଟିକକ ସନ୍ଦେହ ଥିଲା ତାହା ଅନେକାଂଶରେ ସତ୍ୟ ବୋଲି ପ୍ରମାଣିତ ହେବାକୁ ଯାଉଥିବାରୁ ସେ ମନେ ମନେ ପୁଲକିତ ହୋଇଉଠିଲା । ଶ୍ରୀକାନ୍ତ ଯଦି ଔପନ୍ୟାସିକ ନୁହେଁ ତେବେ ତା’ର ଖାତାରେ ଏସବୁ ଲେଖିବାର ପ୍ରୟୋଜନ କ’ଣ ? ଶ୍ରୀକାନ୍ତ ସହ ପରିଚିତ ହେବା ପରଠାରୁ ସେ ମନେ ମନେ ସନ୍ଦେହ କରିଥିଲା ଯେ ଶ୍ରୀକାନ୍ତର ଛଦ୍ମନାମ ହେଉଛି ‘ଶ୍ରୀ’ । କିନ୍ତୁ କୌଣସି ପ୍ରମାଣ ଆଜିପର୍ଯ୍ୟନ୍ତ ପାଇ ନ ଥିଲା ସେ । ଆଉ ଆଜି ଜ୍ୱଳନ୍ତ ପ୍ରମାଣ ପାଇସାରିଲା ପରେ ଶ୍ରୀକାନ୍ତ କ’ଣ ତାକୁ ଫାଙ୍କିଦେବ ?

 

ଫାଲ୍‌ଗୁନୀ ପୁଣି ଖୋଜିବାରେ ଲାଗିଥିଲା । ଟେବୁଲ ଉପରେ ପଡ଼ିଥିବା ଚାବି ନେନ୍ଥାକ ନେଇ ଟେବୁଲ ଡ୍ର ଖୋଲିଲା ସେ ।

 

ଏକ ସଦୃଶ୍ୟ ସୁରୂଚିପୂର୍ଣ୍ଣ ବନ୍ଧେଇ ଖାତା ଉପରେ ତା’ର ଦୃଷ୍ଟି ପଡ଼ିଲା । ଲୋଭ ସମ୍ବରଣ କରି ନ ପାରି ଉଠାଇ ଆଣିଲା ଖାତାଟିକୁ ।

 

ସଦୃଶ୍ୟ ବନ୍ଧେଇ ଖାତାର ଅଗ୍ରଭାଗରୁ ପ୍ରାନ୍ତଭାଗ ପର୍ଯ୍ୟନ୍ତ ଓଲଟାଇ ଗଲା ସେ । ତାହା ଥିଲା ଏକ ଅସମାପ୍ତ ଉପନ୍ୟାସ । ଯେଉଁ ଉପନ୍ୟାସର ବିଜ୍ଞାପନ ‘‘କାହାଣୀ ନୁହେଁ’’ ଉପନ୍ୟାସରେ ପ୍ରକାଶ ପାଇଛି ।

 

ଲୋଭ ସମ୍ବରଣ କରି ନ ପାରି ଉପନ୍ୟାସର କିଛି ଅଂଶ ପଢ଼ିବାକୁ ଲାଗିଲା ସେ । ଶ୍ରୀକାନ୍ତ ଲେଖିଛି–

 

‘‘ନାରୀର ମନ ଏକ ଗହନ ଅରଣ୍ୟ । ସେ ଅରଣ୍ୟରେ କଣ୍ଟା ଅଛି–କୁସୁମକଳିକା ମଧ୍ୟ ଅଛି । ସେ କଣ୍ଟା ଯେପରି ମସୃଣ ସେହିପରି ତୀକ୍ଷ୍‌ଣ । ସେହି କୁସୁମକ–କଳିକାର ସୌରଭ ଆମୋଦଦାୟକ ହୋଇପାରେ ଏବଂ ଉତ୍କଟ ମଧ୍ୟ ହୋଇପାରେ ।’’

 

‘‘ଅବିସ୍ମରଣୀୟ ସୁବର୍ଣ୍ଣ ଅତୀତକୁ ନାରୀ ଖୁବ୍‌ ଶୀଘ୍ର ଭୁଲିଯାଏ । ସ୍ମରଣୀୟ ହୋଇ ରହେ କେବଳ ଅତୀତ । ନିଜର ସ୍ୱାର୍ଥପାଇଁ ନାରୀ ଦେହ ସମର୍ପଣ କରି ପୁରୁଷକୁ ସନ୍ତୁଷ୍ଟ କରେ, ମନ ଦେଇ ପୁରୁଷକୁ ପ୍ରଲୁବ୍‌ଧ କରେ, ଆଖିର ଚାହାଣୀରେ ନିଜର କାର୍ଯ୍ୟ ହାସଲ କରିପାରେ । ନାରୀର ରଙ୍ଗବହୁଳ କଥା ଆଉ ବେଶ୍ୟାର ଯୌବନକୁ କସ୍ମିନକାଳେ ବିଶ୍ୱାସ କରାଯାଇ ପାରେନା-।’’

 

‘‘ଯୁଗେ ଯୁଗେ ନାରୀ କୁହୁକିନୀ, ମାୟାବିନୀ ଆଉ ଛଳନାମୟୀ । ମିଠା ମିଠା କଥା କହି ସେ ପୁରୁଷକୁ ସନ୍ତୁଷ୍ଟ କରେ, ଆଖିରେ ଲୁହ ଭରି ସେ ନିଜର କାର୍ଯ୍ୟ ହାସଲ କରେ, ଅଙ୍ଗଲତାକୁ ପୁରୁଷ ଉପରେ ଲଦି ଦେଇ ପୁରୁଷର ଗର୍ବ ଚୂର୍ଣ୍ଣ–ବିଚୂର୍ଣ୍ଣ କରେ । ନାରୀକୁ ସହଜରେ ଯେଉଁମାନେ ନିଶ୍ୱାସ କରନ୍ତି ସେମାନଙ୍କଠାରୁ ନିର୍ବୋଧ ଜୀବ ଏ ବିଶ୍ୱରେ କେହି ନାହିଁ । କଥା ଦେଇ କଥା ନ ରଖିବା ଯେପରି ନାରୀର ଧର୍ମ, ପ୍ରତାରଣା କରିବା ସେହିପରି ନାରୀର ଜନ୍ମଗତ ପ୍ରବୃତ୍ତି ।’’

 

ଶ୍ରୀକାନ୍ତ ଲିଖିତ କେତୋଟି ଧାଡ଼ି ପଢ଼ି ଫାଲ୍‌ଗୁନୀ ତନ୍ମୟ ହୋଇ ଉଠିଲା । ବାହାରେ ହୀରାମଣିଙ୍କର କଣ୍ଠସ୍ୱର ଶୁଣି ସେ ଦରଜା ପାଖକୁ ଆସି ଚାହିଁଲା । ବାରଣ୍ଡାରେ ବସି ହୀରାମଣି ପାନରେ ଚୂନ ଲଗାଉଥିଲେ । ଫାଲ୍‌ଗୁନୀକୁ ଦେଖି କହିଲେ–ପାନ ଖାଇବୁ ଝିଅ !

 

ନା, ମୁଁ ମୋଟେ ପାନ ଖାଏନା । ଥରେ ପାନ ଖାଇ ଚୂନ ଲାଗି–ଯାଇଥିଲା ଯେ ଚାରିଦିନ ପର୍ଯ୍ୟନ୍ତ ଭାତ ଖାଇପାରି ନଥିଲି ।

 

ହୀରାମଣି କହିଲେ, ସବୁ ଜିନିଷର ସୀମା ଅଛି ମାଆ ! ବେଶୀ ଚୂନ ଖାଇଲେ ପାଟିରେ ଚୂନ ଲାଗିବ । ଏଥିରେ ନୂତନତ୍ୱ କ’ଣ ଅଛି ? ଆଜି ମୁଁ ପାନ ଦେଉଛି । ଦେଖିବା କିମିତି ଚୂନ ଲାଗିବ ।

 

ଫାଲ୍‌ଗୁନୀ ବାରଣ କରି ପାରିଲା ନାହିଁ ।

 

ହୀରାମଣି ପାନ ଖଣ୍ଡିଏ ଫାଲଗୁନୀକୁ ବଢ଼ାଇ ଦେଇ କହିଲେ–ତୁ କାନ୍ତର ଖଟ ଉପରେ ବସି ପଢ଼ାପଢ଼ି କରୁଥା । ମୁଁ ଏଇଠି ଟିକେ ଗଡ଼ପଡ଼ ହେଉଛି ।

 

ହୀରାମଣି ସପଟାକୁ ବିଛାଇଲେ ବାରଣ୍ଡା ଉପରେ ।

 

ଫାଲ୍‌ଗୁନୀ କୋଠରୀ ଭିତରକୁ ଫେରି ଆସିଲା ।

 

ଅସମାପ୍ତ ପାଣ୍ଡୁଲିପି ପଢ଼ିବା ପାଇଁ ଟେବୁଲ ଉପରେ ତାହାକୁ ଉଠାଇ ନେଇ ଶ୍ରୀକାନ୍ତର ବିଛଣା ଉପରେ ଲୋଟି ପଡ଼ିଲା । ନିଜ ଅଙ୍ଗବାସକୁ ସଜାଡ଼ି ନେଇ ଉପନ୍ୟାସ ପଢ଼ିବାରେ ଲାଗିଲା ସେ ।

 

କୋଠରୀ ଭିତରକୁ ପ୍ରବେଶ କରିବା ମାତ୍ରେ ଅଚାନକ ଦୃଷ୍ଟି ପଡ଼ିଲା ନିଜ ବିଛଣା ଉପରକୁ । ନିଜର ବିଛଣା ଉପରେ ଗୋଟିଏ ତରୁଣୀ ଉଚ୍ଛୃଙ୍ଖଳ ଭାବରେ ଶୋଇଥିବାର ଦେଖି ନିଜକୁ ବିଶ୍ୱାସ କରି ପାରିଲା ନାହିଁ । ଭଲ କରି ଚାହିଁଲା । ମୁହଁଟା ସ୍ପଷ୍ଟ ଦେଖି ନ ପାରିଲେ ମଧ୍ୟ ଅଙ୍ଗ–ଅବୟବରୁ ଅନୁମାନ କରିନେଲା ଯେ ଫାଲ୍‌ଗୁନୀ ଶୋଇଛି । ମୁହଁ ଉପରେ ଖାତାଟିକୁ ଏପରି ଭାବରେ ଖୋଲି ଧରିଛି ଯେ ଦରଜା ପାଖରେ କିଏ ଠିଆ ହେଲେ କିମ୍ବା କୋଠରୀ ଭିତରକୁ କିଏ ପ୍ରବେଶ କଲେ ଖଟ ଉପରେ ଶୋଇଥିବା ବ୍ୟକ୍ତି ମୋଟେ ଜାଣିପାରିବ ନାହିଁ ।

 

କିନ୍ତୁ ଏ ଅସମୟରେ ଫାଲ୍‌ଗୁନୀ କାହିଁକି ଆସିଛି ?

 

ଦରଜା ପାଖରେ ଠିଆହୋଇ ଶ୍ରୀକାନ୍ତ ଚାହିଁଲା । ଫାଲ୍‌ଗୁନୀ ହାତରେ ଧରିଥିବା ଖାତା ଉପରେ ଦୃଷ୍ଟି ପଡ଼ିବା କ୍ଷଣି ଅଜଣା ଆତଙ୍କରେ ଶିହରି ଉଠିଲା ସେ । ଟେବୁଲ ଡ୍ର ଖୋଲା ହୋଇଥିବାର ଦେଖି ବିସ୍ମିତ ହେଲା ।

 

ବିଦ୍ୟୁତ୍‌ ବେଗରେ ଆଗେଇ ଯାଇ ଫାଲ୍‌ଗୁନୀ ଧରିଥିବା ଖାତାଟିକୁ ଧରି ପକାଇଲା ଶ୍ରୀକାନ୍ତ ।

 

ଶ୍ରୀକାନ୍ତକୁ ଦେଖି ବିଛଣା ଉପରୁ ଉଠି ବସିଲା ଫାଲଗୁନୀ ।

 

ଖାତାଟିକୁ ଡ୍ର ଭିତରେ ରଖି ଚାବି ଦେଉ ଦେଉ ବିରକ୍ତିସୂଚକ କଣ୍ଠରେ ଶ୍ରୀକାନ୍ତ କହିଲା–ମୋର ବିନା ଅନୁମତିରେ ମୋ ଟେବୁଲ ଡ୍ର’ ଖୋଲିବା, ମୋ ବିଛଣା ଉପରେ ଶୋଇବା ମୁଁ ମୋଟେ ପସନ୍ଦ କରେନା । ଶେଷଥର ପାଇଁ ତମକୁ ମୁଁ କ୍ଷମା ଦେଉଛି; ଭବିଷ୍ୟତରେ ଏହାର ଯେମିତି ପୁନରାବୃତ୍ତି ନହୁଏ ।

 

ଖୋଲା ଝରକା ପାଖରେ ଠିଆ ହୋଇ ଚାରିଆଡ଼କୁ ଦୃଷ୍ଟିପାତ କରି ଫାଲ୍‌ଗୁନୀ କହିଲା–ଯଦି ଦେଖନ୍ତି, ମାନେ ଏହାର ପୁନରାବୃତ୍ତି ଯଦି ହୁଏ ତେବେ କ’ଣ କରିବେ ??

 

ଶ୍ରୀକାନ୍ତ ଚାହିଁଲା । ଅତ୍ୟଧିକ କ୍ରୋଧରେ କମ୍ପି ଉଠିଥିଲା ତା’ର ଅଧର ପ୍ରାନ୍ତର । ଇଚ୍ଛା ହେଉଥିଲା, ଫାଲ୍‌ଗୁନୀର କାନ ଧରି କୈଫିୟତ ମାଗନ୍ତା, ଏ ଅନଧିକାର ଚର୍ଚ୍ଚା କରିବାକୁ କିଏ ତମକୁ ଅଧିକାର ଦେଲା ? ତମେ ଜଣେ ଶିକ୍ଷିତା ତରୁଣୀ । ଶେଷକୁ ତମେ ଏଇ ନୀଚ ଧରଣର କାର୍ଯ୍ୟ କରିପାରିଲ ? ଛି...କିନ୍ତୁ କିଛି କହିପାରିଲାନି ସେ । କେବଳ ମୂକଙ୍କ ଭଳି ଭରାଜର୍ଜରିତ କ୍ରୋଧ ଓ ଅଭିମାନରେ ଚାହିଁ ରହିଲା ।

 

ଫାଲ୍‌ଗୁନୀ ଧିର ପଦପାତରେ ପାଖକୁ ଆସିଲା । ମୁହଁରେ ମୃଦୁ ହସ ଖେଳାଇ କହିଲା–ଆପଣ ମୋ ଉପରେ ରାଗୁଛନ୍ତି । ହଉ, ଆପଣଙ୍କ କଥା ରଖି ଆଉ ଏଠାକୁ ଆସିବି ନାହିଁ–ଆସିବାର ପ୍ରୟୋଜନ ମଧ୍ୟ ପଡ଼ିବ ନାହିଁ । ଯେଉଁ ବିଷୟ ଗୋପନ ରଖିବାକୁ ଆପଣ ଦୀର୍ଘଦିନ ଧରି ଚେଷ୍ଟା କରିଥିଲେ ସେଇ ଗୋପନ ତଥ୍ୟ ମୁଁ ଆବିଷ୍କାର କରିପାରିଛି ଏଥିପାଇଁ ମୁଁ ମଧ୍ୟ କମ ପରିଶ୍ରମ କରିନାହିଁ । ‘ଶ୍ରୀ’ ଙ୍କର ଉପନ୍ୟାସ ପଢ଼ି ତାଙ୍କୁ ସ୍ୱଚକ୍ଷୁରେ ଦେଖିବାର ଅଭିଳାଷ ବହୁଦିନରୁ ଥିଲା । କେବଳ ‘ଶ୍ରୀ’ଙ୍କର ଉପନ୍ୟାସ ପଢ଼ିବା ପାଇଁ ନିଜର ଭୋକ–ଶୋଷ ଭୁଲି ଯାଇଛି । ପାଠପଢ଼ାରେ ଅବହେଳା କରି, ରାତ୍ରି ଉଜାଗର ରହି ତାଙ୍କ ଉପନ୍ୟାସ ପଢ଼ିଛି । ମୋ କୁମାରୀ ଜୀବନର ସବୁଠାରୁ ପ୍ରିୟବସ୍ତୁ ଥିଲା ‘ଶ୍ରୀ’ଙ୍କ ଉପନ୍ୟାସ । ତାଙ୍କ ଉପନ୍ୟାସ ପଢ଼ି ପଢ଼ି ‘ଶ୍ରୀ’ଙ୍କୁ ଦେଖିବାର ଲାଳସା ତୀବ୍ରରୁ ତୀବ୍ରତର ହେବାକୁ ଲାଗିଲା । ଶୟନେ, ସ୍ୱପନେ, ଜାଗରଣେ ତାଙ୍କର ଏ ଅସ୍ପଷ୍ଟ ରୂପରେଖ ମୋ ଚକ୍ଷୁ ସମ୍ମୁଖରେ ଝଲସି ଉଠିଲା...

 

ଶ୍ରୀକାନ୍ତ ଚିତ୍କାର କରି ଉଠିଲା । –ପାଗଳୀଙ୍କ ପରି କ’ଣ ସବୁ ପ୍ରଳାପ କରି ଚାଲିଛ ? ମୁଁ ପଚାରୁଛି, ମୋ ଟେବୁଲ ଡ୍ର’ କାହିଁକି ଖୋଲିଲ ? ଏ ଅଧିକାର ତମକୁ କିଏ ଦେଲା ??

 

ଅଧିକାର କିଏ କାହାକୁ ଦିଏ ନାହିଁ ଶ୍ରୀକାନ୍ତବାବୁ ! ପରସ୍ପରର ବନ୍ଧୁତ୍ୱପୂର୍ଣ୍ଣ ନିବିଡ଼ ପରିବେଶ ହିଁ ଅଧିକାରକୁ ନିବିଡ଼ରୁ ନିବିଡ଼ତର କରେ; ସତରେ ! ଆପଣଙ୍କ ବିନାନୁମତିରେ ମୁଁ ଟେବୁଲ ଡ୍ର’ ଖୋଲି ଅପରାଧ କରିଛି । କିନ୍ତୁ ଏଇ ସାମାନ୍ୟ ଭୁଲ ପାଇଁ ଆପଣ କ’ଣ ମୋତେ କ୍ଷମା ଦେବେ ନାହିଁ ?

 

କ୍ଷମା ! ତମକୁ କ୍ଷମା ଦେବି । ତମେ ଯେଉଁ ଅପରାଧ କରିଛ ତାର କ୍ଷମା ମୋଟେ ନାହିଁ-। ଜଣେ ଇତର ଲୋକ ଘରେ ଏମିତି ଅଶୋଭନୀୟ କାର୍ଯ୍ୟ କରିବା ତମ ଭଳି ଶିକ୍ଷିତାଙ୍କ ପକ୍ଷରେ ଆଦୌ ଉଚିତ ନୁହେଁ ।

 

ଫାଲଗୁନୀ ଶ୍ରୀକାନ୍ତର ପାଖକୁ ଲାଗିଆସି କହିଲା–ମୋତେ ଆପଣ ଇତର ବୋଲି କାହିଁକି ମନେ କରୁଛନ୍ତି ? ଆପଣଙ୍କ ପ୍ରତି ମୋର ସେତିକି ଆନ୍ତରିକତା ଅଛି ବୋଲି ମୁଁ ଏସବୁ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଛି ।

 

ମନ ଭିତରେ ଅଜସ୍ର ଘୃଣା, ବିରକ୍ତି, ରାଗ ଦ୍ୱେଷ ପୂରି ରହିଥିଲେ ମଧ୍ୟ ତୁଣ୍ଡ ଖୋଲି କିଛି କହି ପାରିଲାନି ଶ୍ରୀକାନ୍ତ । କାରଣ, ଫାଲଗୁନୀ ଆଜି ଯେତେବେଳେ ତା’ର ପ୍ରକୃତ ପରିଚୟ ପାଇସାରିଛି, ସେ ଯଦି ତା’ର ବନ୍ଧୁ କିମ୍ବା ଏଇ ଜନସମାଜ ଆଗରେ ତା’ର ପ୍ରକୃତ ରୂପରେଖ ଉନ୍ମୋଚନ କରିଦିଏ....ତେଣୁ ଏକମାତ୍ର ଉପାୟ ହେଉଛି ଫାଲ୍‌ଗୁନୀକୁ ଆପଣାର କରିବାକୁ ହେବ-

 

ଶ୍ରୀକାନ୍ତର ହାତଧରି ଫାଲଗୁନୀ ଖଟ ଉପରେ ବସାଇଦେଇ ନିଜେ ବସିପଡ଼ିଲା । କହିଲା–ଆପଣ ବିଶ୍ୱାସ କରନ୍ତୁ, ଏ ଦୁନିଆର ଜନସମାଜ ଅଗୋଚରରେ ରହିଯିବ ଏହି ଗୋପନୀୟ ତଥ୍ୟ । ମୁଁ ମଧ୍ୟ ଶପଥ କରି କହୁଛି, ଏ ବିଷୟ ମୁଁ ତାହାକୁ କହିବିନି । କିନ୍ତୁ ବିନିମୟରେ ମୋତେ କେତୋଟି ପ୍ରଶ୍ନର ଉତ୍ତର ଦେବାକୁ ହେବ ?

 

ପ୍ରଶ୍ନ ? ଶ୍ରୀକାନ୍ତ ପଚାରି ଉଠିଲା ।

 

ମୃଦୁ ହସି ଫାଲଗୁନୀ କହିଲା, ପ୍ରଶ୍ନ ନୁହେଁ–ପ୍ରଶ୍ନର ଉତ୍ତର । ହାତଘଡ଼ିକୁ ଚାହିଁ କହିଲା–ରାତି ନଅଟା ବାଜିବା ଉପରେ । ଆଜି ତେବେ ଥାଉ ।

 

ଫାଲ୍‌ଗୁନୀ ଯିବାକୁ ବାହାରିଲା ।

 

ସାମନାକୁ ଆସି ପଥ ଅବରୋଧ କରି ଠିଆ ହେଲା ଶ୍ରୀକାନ୍ତ ! କହିଲା–କ’ଣ ତେବେ ତମର ପ୍ରଶ୍ନ !

 

ଫାଲ୍‌ଗୁନୀ ମୃଦୁ ହସି ଶ୍ରୀକାନ୍ତକୁ ଚାହିଁଲା ।

 

ଶ୍ରୀକାନ୍ତ ଆଖିରେ ନିରୀହ ବନ–ହରିଣୀର ଚାହାଣୀ । ବଡ଼ କରୁଣ ଦୃଷ୍ଟିରେ ଚାହିଁ ରହିଛି ଶ୍ରୀକାନ୍ତ ।

 

ମୃଦୁ ହସି ଫାଲ୍‌ଗୁନୀ ବାଟ ଆଡ଼େଇ ଚାଲିଗଲା ।

 

କିଂକର୍ତ୍ତବ୍ୟବିମୂଢ଼ ହୋଇ ଶ୍ରୀକାନ୍ତ ବୋକାଙ୍କ ଭଳି ଚାହିଁ ରହିଥିଲା କେବଳ ।

 

‘‘ହୋଟେଲ ହନିମୁନ୍‌’’ ।

 

ଏହି ଅତ୍ୟାଧୁନିକ ଥ୍ରୀଷ୍ଟାର ଏୟାର କଣ୍ଡିସନ୍‌ ହୋଟେଲଟି ନଗରୀର ମଧ୍ୟସ୍ଥଳରେ ଏକ ମାଇଲଖୁଣ୍ଟ ପରି ଦଣ୍ଡାୟମାନ ରହିଥିବାରୁ ପ୍ରାୟ ସମସ୍ତଙ୍କର ସ୍ମୃତିପଟ୍ଟରେ ଏହି ହୋଟେଲଟିର ଅବସ୍ଥିତି ସ୍ମରଣ ରହିଥାଏ । କେବଳ ଭାରତୀୟମାନଙ୍କ ପାଇଁ ନୁହେଁ–ବିଦେଶୀ ଅତିଥିମାନଙ୍କ ପାଇଁ ଏଠାରେ ସବୁପ୍ରକାର ସୁବ୍ୟବସ୍ଥା ରହିଥାଏ । ଜୀବନକୁ ଜୀବନ ଭଳି ଉପଭୋଗ କରିବାପାଇଁ ସବୁକିଛି ପ୍ରାଚୁର୍ଯ୍ୟ ‘ହୋଟେଲ ହନିମୁନ୍‌’ ରେ ରହିଥିବାରୁ ପ୍ରତ୍ୟେକଙ୍କର ଦୃଷ୍ଟି ଏଇ ହୋଟେଲ ଉପରେ ନିବଦ୍ଧ ।

 

ଆଜି ଏଇ ‘ହୋଟେଲ ହନିମୁନ୍‌’ ର ଏକବିଂଶତି ବର୍ଷ ପୁର୍ତ୍ତି ଦିବସ ଉପଲକ୍ଷେ ରଙ୍ଗୀନ ଆଲୋକମାଳା ଓ ବିଭିନ୍ନ ଲତା–ପୁଷ୍ପଦ୍ୱାରା ସଜ୍ଜିତ ହୋଇ ରମଣୀୟ ପରିବେଶକୁ ଦ୍ୱିଗୁଣିତ ଭାବେ ଶୋଭାବର୍ଦ୍ଧନ କରୁଥିଲା । ପୋର୍ଟିକୋରେ ବିଭିନ୍ନ ରଙ୍ଗର ବିଭିନ୍ନ ପ୍ରକାର ମଟରକାରଗୁଡ଼ିଏ ରହିଥିଲା । ସହରର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ଓ ସମ୍ଭ୍ରାନ୍ତଶାଳୀ ବ୍ୟକ୍ତିଙ୍କ ଆଗମନରେ ହୋଟେଲଟି ବେଶ୍‌ ମୁଖରିତ ହୋଇ ଉଠିଥିଲା । ଯେଉଁମାନେ ଧାରାବାହିକ ଭାବେ ଏହି ହୋଟେଲକୁ ଆସନ୍ତି କେବଳ ସେଇମାନଙ୍କୁ ଆଜି ନିମନ୍ତ୍ରଣ କରାଯାଇଥିଲା ।

 

ହୋଟେଲର ସତ୍ତ୍ୱାଧିକାରୀ ମି: ପୁରୀ ସାହେବ ତାଙ୍କର ସହଧର୍ମିଣୀ ଦରଜା ସମ୍ମୁଖରେ ଠିଆହୋଇ ଆଗନ୍ତୁକମାନଙ୍କୁ ଅଭିବାଦନ ଜଣାଉଥିଲେ ।

 

ବାରଣ୍ଡା ଉପରକୁ ଉଠିଲା ନର୍ମଦା ପଟ୍ଟନାୟକ ।

 

ମି: ପୁରୀ ସାହେବ ନର୍ମଦାକୁ ଅଭିବାଦନ ଜଣାଇ ଉପରମହଲା ଷ୍ଟେଆର କେଶ ପର୍ଯ୍ୟନ୍ତ ବଳାଇଦେଇ ଆସିଲେ ।

 

ଶାଢ଼ୀର ପ୍ରାନ୍ତଭାଙ୍ଗକୁ ସଜାଡ଼ି ନେଉ ନେଉ ମୁହଁରେ ସ୍ମିତ ହସ ଖେଳାଇଲା ନର୍ମଦା ।

 

ପୁରୀ ସାହେବ ଫେରିଗଲେଣି ଦରଜା ପାଖକୁ ।

 

ଡାଇନିଂରୁମ୍‌ର ଦ୍ୱାର ସମ୍ମୁଖରେ ଠିଆ ହୋଇ କକ୍ଷ ଭିତରକୁ ଥରେ ବିହଙ୍ଗମ ଦୃଷ୍ଟି ବୁଲାଇ ଆଣିଲା ନର୍ମଦା ।

 

ହାଲୋ ନର୍ମଦା....

 

ଝାପ୍‌ସା ଆଲୋକରେ ପରିଚିତ ବ୍ୟକ୍ତିର କଣ୍ଠସ୍ୱର ଶୁଣି ଚମକି ଉଠିଲା ନର୍ମଦା । ବିସ୍ମୃତିର ଗର୍ଭରେ ବିଲୀନ ହୋଇ ଯାଇଥିବା କଣ୍ଠସ୍ୱର ଆଜି କାହିଁକି ତା’ ମନର ସୂକ୍ଷ୍ମତନ୍ତ୍ରୀରେ ଝଙ୍କୃତ ହେଉଛି ?

 

ଯୁବକଟି ଆଗେଇ ଆସିଲେ ନର୍ମଦାର ସନ୍ନିକଟକୁ । ବିନା ସଙ୍କୋଚରେ ନର୍ମଦାର ହାତଧରି ପକାଇ କହିଲେ–ମୋ କଣ୍ଠସ୍ୱରକୁ ତମେ ଏତେ ଶୀଘ୍ର ପାସୋରି ଦେଇ ବସିଲ ?

 

ନର୍ମଦା ମୁହଁ ଟେକି ଚାହିଁଲା । ଆରେ ତମେ.....

 

ହଁ ମୁଁ ସୂର୍ଯ୍ୟକାନ୍ତ ! ଏଇମାତ୍ର ଗୋଟିଏ ବର୍ଷ ଭିତରେ ମୋ କଣ୍ଠସ୍ୱରକୁ ସମ୍ପୂର୍ଣ୍ଣ ପାସୋରି ଦେଇ ବସିଲ ? କିନ୍ତୁ ମୋତେ ପାସୋରି ଦେଇ ନାହିଁ ତ ?

 

ନର୍ମଦା କକ୍ଷ ଭିତରକୁ ପାଦ ପକାଇଲା ।

 

ସୂର୍ଯ୍ୟକାନ୍ତ ବସି ପଡ଼ିଲା ଚେୟାର ଉପରେ । ନର୍ମଦା ମଧ୍ୟ ବସିଲା । ନର୍ମଦା ଅନୁମାନ କରିଥିଲା–ସୂର୍ଯ୍ୟକାନ୍ତ ଏକା ଆସି ନ ଥିବ ହୋଟେଲକୁ, ନିଶ୍ଚୟ ଜଣେ ରୂପବତୀ ନାରୀ ସହିତ ଆସିଥିବ । କିନ୍ତୁ କାହିଁ ସେହି ଅନିନ୍ଦ୍ୟ ସୁନ୍ଦରୀ ରୂପବତୀ ତରୁଣୀ....

 

ସ୍କଚ୍‌ ହୁଇସ୍କି ବୋତଲକୁ ଗ୍ଳାସରେ ଭାଗ ଭାଗ କରି ଟ୍ରେ’ ରୁ ଖଣ୍ଡେ ଖଣ୍ଡେ ବରଫ ଆଣି ପକାଉଥିଲା ସୂର୍ଯ୍ୟକାନ୍ତ । ନର୍ମଦା ନୀରବ ରହିଥିବାର ଲକ୍ଷ୍ୟ କରି ସୂର୍ଯ୍ୟକାନ୍ତ ପଚାରିଲା–ତମେ କ’ଣ ଏକା ଆସିଛ ନର୍ମଦା ?

 

ଯେଉଁ ପ୍ରଶ୍ନ ମୁହୂର୍ତ୍ତକ ପୂର୍ବେ ସେ ପଚାରିବ ବୋଲି ମନସ୍ଥ କରିଥିଲା, ଠିକ ସେଇ ପ୍ରଶ୍ନ କରୁଛି ସୂର୍ଯ୍ୟକାନ୍ତ !

 

ସୂର୍ଯ୍ୟକାନ୍ତ କହିଲା–ମୋତେ କାହିଁକି ଏତେ ସୁନ୍ଦର ପରିବେଶ ନିହାତି ବିରକ୍ତିକର ବୋଧ ହେଉଥିଲା । ସାଥୀହୀନ ଏଇ ଆସରରେ ତମର ଉପସ୍ଥିତ ମୋ ପ୍ରାଣରେ ଅପୂର୍ବ ସିତ୍କାର ଆଣି ଦେଇଛି.....

 

ନର୍ମଦା ଚାହିଁଥିଲା ସୂର୍ଯ୍ୟକାନ୍ତକୁ । ମିଛ ପ୍ରତିଶ୍ରୁତି, ପ୍ରତାରଣା ଓ ଛଳନାର ଜୀବନ୍ତ ପ୍ରତିମୂର୍ତ୍ତି ହେଉଛି ଏକ ସୂର୍ଯ୍ୟକାନ୍ତ । ଅଥଚ ଆଜି କେତେ ଆପଣାର ଓ ଅନ୍ତରଙ୍ଗ ଭଳି ବ୍ୟବହାର କରୁଛି ! କିନ୍ତୁ ଏଇ ସୁପୁରୁଷ ତା’ର ଯେଉଁ କ୍ଷତି କରିଛି, ଦେହରେ ପ୍ରାଣ ଥିବା ପର୍ଯ୍ୟନ୍ତ ସେ କ’ଣ କେବେ ଭୁଲିପାରିବି ? ସୂର୍ଯ୍ୟକାନ୍ତର ପ୍ରତିଶ୍ରୁତିକୁ ସତବୋଲି ବିଶ୍ୱାସ କରି ସମାଜ ଓ ପରିବାରକୁ ପାଦରେ ଆଡ଼େଇ ଦେଇ ସେ ସୂର୍ଯ୍ୟକାନ୍ତ ପାଖକୁ ଛୁଟି ଆସିଥିଲା–କିନ୍ତୁ ବିନିମୟରେ କ’ଣ ପ୍ରତିଦାନ ଦେଲା ସୂର୍ଯ୍ୟକାନ୍ତ ???

 

ସ୍କଚ୍‌ ହୁଇସ୍କି ଗ୍ଳାସଟାକୁ ନର୍ମଦାର ଓଠ ପାଖରେ ତୋଳି ଧରିଲା ସୂର୍ଯ୍ୟକାନ୍ତ ।

 

ସୂର୍ଯ୍ୟକାନ୍ତ ହାତରୁ ଗ୍ଳାସଟାକୁ ନେଇ ଟେବୁଲ ଉପରେ ରଖୁ ରଖୁ ନର୍ମଦା କହିଲା–ଏ ବଦ୍‌ଅଭ୍ୟାସକୁ ଅନେକଦିନରୁ ମୁଁ ପରିତ୍ୟାଗ କରିଛି ସୂର୍ଯ୍ୟକାନ୍ତ ! ଆଜି ପୁଣି ତା’ର ପୁନାରବୃତ୍ତି କାହିଁକି ??

 

ସତରେ କ’ଣ ତମେ ଏ ବଦଭ୍ୟାସକୁ ପରିତ୍ୟାଗ କାରିପାରିଛି ? କିନ୍ତୁ ମୁଁ ପାରିଲି ନାହିଁ ନର୍ମଦା । ପୂର୍ବ ଅପେକ୍ଷା ଏବେ ଅତ୍ୟଧିକ ମାତ୍ରାରେ ଡ୍ରିଙ୍କ ବଢ଼ି ଯାଇଛି । ଶତଚେଷ୍ଟା କରି ମଧ୍ୟ ସେଇ ବଦଭ୍ୟାସକୁ ରୋକି ପାରିଲିନି !

 

ଏଥର ସୂର୍ଯ୍ୟକାନ୍ତର କଣ୍ଠସ୍ୱର କ୍ରମଶ କ୍ଷୀଣ ଆଉ କରୁଣ ହୋଇ ଉଠିଲା । ଗ୍ଳାସରୁ ଢୋକେ ନେଇ ସ୍ୱସ୍ତିର ଏକ ନିଶ୍ୱାସ ମାରି କହିଲା–କେଉଁ ଅଶୁଭ ମୁହୂର୍ତ୍ତରେ ତୁମର ଆକୁଳ–କାତର–ମିନତି ମୁଁ ପ୍ରତ୍ୟାଖ୍ୟାନ କରିଥିଲି କେଜାଣି ସେହି ଦିନଠାରୁ ଗୋଟିଏ ଦିନପାଇଁ ପରମ ଶାନ୍ତିରେ ସମୟ ଅତିବାହିତ କରିପାରିଲି ନାହିଁ । ଭୀଷଣ କାର୍ଯ୍ୟବ୍ୟସ୍ତତା ଭିତରେ ମଧ୍ୟ ତମର ରୂପରେଖ ମୋ ଚକ୍ଷୁ ସମ୍ମୁଖରେ ଝଲସି ଉଠେ । ସମସ୍ତ କାର୍ଯ୍ୟକୁ ଅଧା ରଖି ଫେରିଆସେ ଘରକୁ-। କିନ୍ତୁ ଘରେ କ’ଣ ଶାନ୍ତି ପାଇପାରିଲି ? ପ୍ରତି ମୁହୂର୍ତ୍ତରେ ମୋର ବିବେକ ଯେମିତି ମୋତେ ଦଂଶନ କରେ । ମୋର ମନେହୁଏ, ମୁଁ ଯେପରି ଏକ ଖୁଣୀ, ଅପରାଧୀ, ପ୍ରତାରକ । ସତରେ ନର୍ମଦା ! ସେହିଦିନଠାରୁ ମୁଁ ଭୀଷଣଭାବେ ଅନୁତପ୍ତ । ଏବେବି ସେହି ଅନୁତାପନଳରେ ଜୀବନ୍ତ ଦଗ୍‌ଧ ହେଉଛି ମୁଁ ।

 

ଦଣ୍ଡେ ରହି ପୁଣି ଓଠ ପାଖରେ ଗ୍ଳାସ ରଖିଲା ସୂର୍ଯ୍ୟକାନ୍ତ ।

 

ନର୍ମଦା କେବଳ ଚାହିଁ ରହିଥିଲା ସୂର୍ଯ୍ୟକାନ୍ତକୁ । ସତେ କ’ଣ ଏସବୁ ସୂର୍ଯ୍ୟକାନ୍ତର ଅନ୍ତରର କଥା ! ଏଇ ଅଭିନୟ କ’ଣ ତା’ର ହୃଦୟର ବ୍ୟଥା ? ନା, ଏହା ହେଉଛି ତା’ ତୁଣ୍ଡର ବାକ୍‌ଚାତୁରୀ ମାତ୍ର । ସତରେ କ’ଣ ସିଏ ଆଜି ଅନୁତାପ କରୁଛି ?

 

ଗ୍ଳାସରୁ ଢୋକେ ନେଇ ପୁଣି ସୂର୍ଯ୍ୟକାନ୍ତ କହିଲା–ତମ ପ୍ରତି ମର୍ମାନ୍ତିକ ତିରସ୍କାର, ଭୀଷଣ କଟୁ ଭତ୍ସନା, ଅକଥନୀୟ ଭାଷା ପ୍ରୟୋଗ କରି ତମକୁ ବିଦାୟ ଦେବାପରେ ମୁଁ ମଧ୍ୟ ଯଥେଷ୍ଟ ଦୁଃଖିତ ହୋଇଛି । ଅନୁତାପ କରିଛି, ଆଖିରୁ ଲୁହ ଝରାଇଛି । ପ୍ରତି ମୁହୂର୍ତ୍ତରେ ଭାବୁଥିଲି ତମ ଘରକୁ ଯାଇ ତମଠାରୁ କ୍ଷମା ଭିକ୍ଷା ମାଗିବି । କିନ୍ତୁ ପୁରୁଷର ଅହଂଭାବ ତଥା ଗର୍ବ ଓ ଅହଙ୍କାର ନେଇ ଜଣେ ତରୁଣୀ ନିକଟରେ କ୍ଷମା ଭିକ୍ଷା ମାଗିବା ଅପେକ୍ଷା ଆତ୍ମହତ୍ୟା କରିବା ଶତେଗୁଣେ ଶ୍ରେୟସ୍କର ବୋଲି ମୋର ଧାରଣା ହେଲା, ତେଣୁ ତମକୁ ସାକ୍ଷାତ କରିବାକୁ ଯାଇପାରିଲି ନାହିଁ ।

 

ୟା’ ଭିତରେ କିଛିଦିନ ବିତିଗଲା ।

 

ତା’ପରେ ଦିନେ ଶୁଣିଲି ଡ: ମିସେସ୍‌ ମହାପାତ୍ରଙ୍କ କ୍ଳିନିକ୍‌ରେ ତମେ ଆଡ଼୍‌ମିସନ୍‌ ନେଇଛ । ତମେ କାହିଁକି ସେ କ୍ଳିନିକ୍‌ରେ ଆଡମିସନ୍‌ ନେଇଥିଲ ତା’ର କାରଣ ମୋ ପାଖରେ ଅଛପା ନଥିଲା । ତଥାପି ସେ ଦୁର୍ଯ୍ୟୋଗ ମୁହୂର୍ତ୍ତରେ ତମକୁ ସାକ୍ଷାତ କରି ସେ କାର୍ଯ୍ୟକୁ ନିବୃତ୍ତ କରାଇ ପାରିଲି ନାହିଁ କି ସାମାନ୍ୟ ସମବେଦନା ଜଣାଇ ପାରିଲି ନାହିଁ । ପ୍ରତିଦିନ ଚେଷ୍ଟା କରିଛି ତମକୁ ସାକ୍ଷାତ୍‌ କରିବା ପାଇଁ, କିନ୍ତୁ ବାହାରିବା ବେଳେ ତମ ବଡ଼ଭଉଣୀର ରୂପରେଖ ମୋ ଆଖିରେ ଉଜଳି ଉଠେ....

 

ତମେ କାହା କଥା କହୁଛ ସୂର୍ଯ୍ୟକାନ୍ତ ?

 

ତମ ଭଉଣୀ ଫାଲଗୁନୀ ଅପା କଥା କହୁଛି ମୁଁ । ସେ ତ ମାନବୀ ନୁହନ୍ତି–ସାକ୍ଷାତ୍‌ କରୁଣାର ମୂର୍ତ୍ତିମନ୍ତ ଦେବୀ । ତାଙ୍କୁ ଦେଖିଲେ ତାଙ୍କ ପ୍ରତି ମୋର ପରମଭକ୍ତି ଆସେ, ଚରମ ଦୟା ଓ କରୁଣା ମଧ୍ୟ ଆସେ । ସାଧାରଣ ନାରୀ ସେ ନୁହନ୍ତି–କ୍ଷମାର ଅବତାର ।

 

ନର୍ମଦା ଭାବୁଥିଲା, ଫାଲ୍‌ଗୁନୀ ଅପାକୁ କିମିତି ଜାଣିଲା ସୂର୍ଯ୍ୟକାନ୍ତ ? ନା, ଅପା ପ୍ରତି ସେ ମନଗଢ଼ା କାହାଣୀ କହୁଛି ? ହଠାତ୍‌ ତା’ ମନର ଆରିସୀରେ ଅନେକ ଦିନ ତଳର କଥା ପ୍ରତିଫଳିତ ହୋଇ ଉଠିଲା–ଆଦ୍ୟଯୌବନର ପ୍ରଥମ ଲଗ୍ନରେ ଏଇ ସୂର୍ଯ୍ୟକାନ୍ତ ସହ ପ୍ରଣୟ ଅଭିସାରରେ ଲିପ୍ତ ରହିଥିଲା ବେଳେ, ଫାଲଗୁନୀ ଅପା କାହାଠାରୁ ଶୁଣିକରି ହେଉ କିମ୍ବା ନିଜେ ଅନୁମାନ କରି ହେଉ, ଦିନେ ତାକୁ ପାଖରେ ବସାଇ ଅନେକ ବୁଝାଇଥିଲା । ଶେଷରେ କହିଥିଲା ‘‘ସୂର୍ଯ୍ୟକାନ୍ତକୁ ବାଦ୍‌ଦେଇ ଆଉ କାହାକୁ ଭଲ ପାଇଲେ ସେ ପୂର୍ଣ୍ଣମାତ୍ରାରେ ସମର୍ଥନ କରିବ କିନ୍ତୁ ଏଇ ସୂର୍ଯ୍ୟକାନ୍ତକୁ ପ୍ରଣୟ–ସାଥୀ କରିନେଲେ ସେ ତା’ ସହିତ ଅସହଯୋଗ କରିବ । କାରଣ ଏଇ ସୂର୍ଯ୍ୟକାନ୍ତ ଦ୍ୱାରା ପ୍ରତାରିତ ହୋଇ ଜୟନ୍ତୀ ଆତ୍ମହତ୍ୟା କରିଛି ।’’ ଏକଥା ବୋଧେ ଅପା ବ୍ୟତୀତ ଆଉ ଦ୍ୱିତୀୟ ବ୍ୟକ୍ତି କେହି ଜାଣି ନଥିଲେ । ସେଇଥିପାଇଁ ସୂର୍ଯ୍ୟକାନ୍ତର ପୌରୁଷତ୍ୱ ନଇଁ ପଡ଼ିଛି ଅପାର ପାଦତଳେ ।

 

ଗ୍ଳାସଟାକୁ ନିଃଶେଷ କରି ଟେବୁଲ ଉପରେ ରଖିଲା ସୂର୍ଯ୍ୟକାନ୍ତ । କହିଲା–ତମକୁ ଉପେକ୍ଷା କରିସାରିବା ପରେ ତିଳତିଳ ହୋଇ ଜର୍ଜରିତ ଯନ୍ତ୍ରଣାରେ କ୍ଷତ–ବିକ୍ଷତ ହେଲେ ମଧ୍ୟ ତମକୁ ସାକ୍ଷାତ୍‌ କରିବାର ପୌରୁଷତ୍ୱ ପଛରୁ ଟାଣି ରଖିଛି ମୋତେ ।

 

ଦିନ ପରେ ଦିନ ବିତିଗଲା । ଆଉ ଆଜି ଯେ ଅଚାନକ ତୁମ ସହିତ ସାକ୍ଷାତ ହେବ ବିନ୍ଦୁବିସର୍ଗ କଳ୍ପନା ମଧ୍ୟ ମନରେ ଆସି ନଥିଲା । କିନ୍ତୁ ଭଗବାନଙ୍କର କରୁଣା ଥିଲେ.....

 

ହୋ ହୋ ହୋଇ ହସି ଉଠିଲା ନର୍ମଦା ! କହିଲା–ସେ ଦିନର ନାସ୍ତିକ ସୂର୍ଯ୍ୟକାନ୍ତ ଆଜି କିମିତି ଆସ୍ତିକ ହୋଇପାରିଲା ? ସେଦିନ ଯେ ଭଗବାନଙ୍କ ସତ୍ତା ନାହିଁ ବୋଲି ଚିତ୍କାର କରୁଥିଲା ଆଜି ସେ କେମିତି ଭଗବାନଙ୍କ କରୁଣାକୁ ଆଶିଷ ବୋଲି ସ୍ୱୀକାର କରୁଛି ?

 

ହଁ ନର୍ମଦା । ସେଦିନ ମୁଁ ସତରେ ନାସ୍ତିକ ହୋଇଥିଲି । କିନ୍ତୁ ଆଜି ହୃଦୟଙ୍ଗମ କରୁଛି–ଯେଉଁମାନେ ନାସ୍ତିକ କହି ବୁଲନ୍ତି ସେମାନେ ହିଁ ଭଗବାନଙ୍କୁ ବେଶୀ ଭୟ କରନ୍ତି । କିଏ ଜଣେ ମହାପୁରୁଷ କହିଛନ୍ତି, ‘‘ଯିଏ ସେତିକି ମାତ୍ରାରେ ନାସ୍ତିକ ସିଏ ସେତିକି ମାତ୍ରାରେ ମୋର ପରମ ଭକ୍ତ । ସେହିମାନଙ୍କ ପ୍ରତିଛବି ମୋ ହୃଦୟ–ମନ୍ଦିରରେ ପ୍ରତି ମୁହୂର୍ତ୍ତରେ ଝଲସି ଉଠେ । କିନ୍ତୁ ଯେଉଁମାନେ ଆସ୍ତିକ ବୋଲି ଡିଣ୍ଡିମ ପିଟି ପ୍ରଚାର କରି ବୁଲନ୍ତି ସେମାନେ ତାଙ୍କ ଜୀବନର ଶ୍ରେଷ୍ଠକାମନା–ବାସନା ପରିପୂରଣ ପାଇଁ ଅହରହ ଭଗବତ୍‌ ଚିନ୍ତାରେ ନିମଗ୍ନ ରହି ଲୋକଦେଖାଣିଆ ପରିପ୍ରଚାର କରନ୍ତି । ତେଣୁ ତାଙ୍କ ମନ–ମନ୍ଦିରରେ ମୋର ସାମାନ୍ୟତମ ପ୍ରତିମୂର୍ତ୍ତି ପ୍ରତିଫଳିତ ହୋଇପାରେ ନା ।’’

 

ହଠାତ୍‌ ଟେବୁଲ ଉପରେ ଦୃଷ୍ଟି ପଡ଼ିବା ମାତ୍ରେ ସୂର୍ଯ୍ୟକାନ୍ତ କହିଲା–ଅତୀତକୁ ପାସୋରି ଯିବାପାଇଁ ମୁଁ କଟୁତିକ୍ତ ପାନୀୟ ଶେଷ କରିଦେଲି ଅଥଚ ତମେ ପ୍ରଥମଥର ପାଇଁ ମଧ୍ୟ ସ୍ପର୍ଶ କରିନାହଁ ? ?

 

ନର୍ମଦା ମୃଦୁ ହସି ଉଠିଲା । ସୂର୍ଯ୍ୟକାନ୍ତର କଥା କହିବା ବାକ୍‌ଚାତୁରୀରେ ବିମୁଗ୍‌ଧ ହେଲା । କହିଲା–କେଉଁଦିନଠାରୁ ତମେ ଆସ୍ତିକ ହେଲ କହିଲ । ସତରେ ତୁମର କ’ଣ ପରିବର୍ତ୍ତନ ହୋଇଛି ??

 

ସୂର୍ଯ୍ୟକାନ୍ତ ସ୍କଚ୍‍ ହୁଇସ୍କି ଗ୍ଳାସଟାକୁ ପୁଣି ଥରେ ନର୍ମଦାର ଓଠ ପାଖକୁ ତୋଳି ଧରିଲା-

 

ଖସି ପଡ଼ୁଥିବା ଶାଢ଼ୀକୁ ନିଜ ବକ୍ଷୋଜ ସଜ୍ଜିତ କରୁ କରୁ ସେ କହିଲା–କ୍ଷମା କରିବ ସୂର୍ଯ୍ୟକାନ୍ତ । ସେ ବଦଭ୍ୟାସକୁ ମୁଁ ଅନେକଦିନୁ ପରିତ୍ୟାଗ କରିଛି ।

 

–କିନ୍ତୁ ମୋ ଅନୁରୋଧ ତମେ କ’ଣ ରଖିବ ନାହିଁ ? ପ୍ଳିଜ....

 

କଥା ବିହ୍ୱୋଳରେ ନର୍ମଦାର ହାତକୁ ଜାବୁଡ଼ି ଧରିଲା ସୂର୍ଯ୍ୟକାନ୍ତ ।

 

ସୂର୍ଯ୍ୟକାନ୍ତକୁ ଚାହିଁଲା ନର୍ମଦା । ମୁହଁ ଖୋଲି କିଛି କହି ପାରିଲା ନାହିଁ କିମ୍ବା ହାତଟିକୁ ଖସାଇ ଆଣି ପାରିଲା ନାହିଁ । ଦୀର୍ଘ ଅନେକଦିନ ପରେ ଏଇ ପରିଚିତ ସ୍ପର୍ଶ ସେ ଆଜି ଅନୁଭବ କରୁଛି; କିନ୍ତୁ ଦିନ ଥିଲା–ଏଇ ସ୍ପର୍ଶ ସହିତ ସେ ନିବିଡ଼ ଭାବରେ ସଂଶ୍ଳିଷ୍ଟ ଥିଲା ।

 

ସୂର୍ଯ୍ୟକାନ୍ତ କରୁଣ ଆଉ ମର୍ମନ୍ତୁଦ ଦୃଷ୍ଟିରେ ଚାହିଁ ରହିଥିଲା ।

 

ନର୍ମଦା କହିଲା–ଆଜି ତମ ଅନୁରୋଧ ମୁଁ କାହିଁକି ଭାଙ୍ଗିଦେଇ ପାରୁନି । ତମେ ସିନା ମୋର କୋଟିଏ ଅନୁରୋଧରୁ ଗୋଟିଏ ବି ରଖିନା । ମୁଁ କିନ୍ତୁ ତମର ସମସ୍ତ ଅନୁରୋଧ ରଖିଛି.... ଏହା କହି ସ୍କଚ୍‌ ହୁଇସ୍କି ଗ୍ଳାସଟାକୁ ଏକ ନିଶ୍ୱାସରେ କଣ୍ଠସ୍ଥ କରିଦେଇ ଶାଢ଼ୀକାନିରେ ମୁହଁଟାକୁ ପୋଛି ଆଣିଲା ନର୍ମଦା ।

 

ଦ୍ୱାର ସମ୍ମୁଖରେ ମିସେସ୍‌ ପୁରୀ ଠିଆହୋଇ ଦରଜାରେ ଠକ୍‌ ଠକ୍‌ ଆବାଜ୍‌ ଦେଲେ ।

 

ଚମକି ଉଠିଲେ ଦୁହେଁ । ଘଣ୍ଟାରେ ରାତି ବାରଟା ହେବାର ଶଦ୍ଦ ଶୁଭୁଥିଲା । ପରସ୍ପର ଦୁହେଁ କଥାଭୋଳରେ ଏତେ ନିମଗ୍ନ ହୋଇ ପଡ଼ିଥିଲେ ଯେ ପାର୍ଟି ଓଭର ହୋଇ କକ୍ଷ ଭିତରୁ ସମସ୍ତେ ଚାଲିଗଲେଣି ବୋଲି ଦୁହିଁଙ୍କର ଧାରଣା ନ ଥିଲା ।

 

ଦୁହେଁ ଭୀଷଣ ଲଜ୍ଜିତ ହୋଇପଡ଼ିଲେ ।

 

ଚେୟାର ଉପରୁ ଉଠୁଥିଲାବେଳେ ନର୍ମଦା ଦେଖିଲା, ମିସେସ୍‌ ପୁରୀ ସତର୍କ କରାଇ ଚାଲିଗଲେଣି ।

 

ଦୁହେଁ ଓହ୍ଲାଇଲେ ତଳକୁ ।

 

କାରରେ ଷ୍ଟାଟ୍‌ ଦେଇ ସୂର୍ଯ୍ୟକାନ୍ତ କହିଲା–ତମେ ବସ ନର୍ମଦା, ତମକୁ ଘରେ ଛାଡ଼ି ମୁଁ ଫେରିଯିବି ।

 

ନର୍ମଦା ଭାବୁଥିଲା–ଅନେକଦିନ ପରେ ଆଜି ସୂର୍ଯ୍ୟକାନ୍ତ ତା’ ଗାଡ଼ିରେ ବସିବା ପାଇଁ ତାକୁ ଅନୁରୋଧ କରୁଛି, କିନ୍ତୁ ଦିନ ଥିଲା, ଏଇ ଗାଡ଼ିରେ ବସି ସେ ବିଭିନ୍ନ ସ୍ଥାନକୁ ଯାଇଛି । ଏଇ ଗାଡ଼ି ଭିତରେ ଅନେକ ରୋମାଞ୍ଚକର ଦେହ ଉଲୁସା ଘଟଣା ଘଟିଯାଇଛି । ଏଇ ଗାଡ଼ିର ପ୍ରତିଟି ଅଣୁ–ପରମାଣୁ ସହିତ ସେ ନିବିଡ଼ ଭାବରେ ସଂଶ୍ଳିଷ୍ଟ ହୋଇ ପଡ଼ିଥିଲା । କିନ୍ତୁ ସୂର୍ଯ୍ୟକାନ୍ତ ପ୍ରତାରଣା କରି ଆତ୍ମଗୋପନ କରିବା ପରେ ଏଇ ଗାଡ଼ିର ଛାୟା ମଧ୍ୟ ସେ ଦେଖିପାରି ନ ଥିଲା କିମ୍ବା ଦେଖିବାକୁ ସେ ଆଗ୍ରହ ପ୍ରକାଶ କରି ନ ଥିଲା । ଦୀନ–ହୀନ ଭାବରେ ଆକୁଳ ନିବେଦନ କରିବା ପରେ–ଯିଏ ନିଜକୁ ନିଷ୍କଳଙ୍କ ରଖିବା ପାଇଁ ଇତର ଭଳି ବ୍ୟବହାର କରି ତା’କୁ ଲେଉଟାଇ ଦେଇଥିଲା, ସେ ଭଳି ଭୀରୁ ପୁରୁଷର ସନ୍ଧାନ ନେବା ନିର୍ବୋଧତା ଛଡ଼ା ଆଉ କ’ଣ ବା ହୋଇପାରେ ?

 

ସେହି ନିରୁଦ୍ଦିଷ୍ଟ ସୂର୍ଯ୍ୟକାନ୍ତ ସହ ଆଜି ଅଚାନକ ସାକ୍ଷାତ୍‌ । ଅତୀତ ପାଇଁ ଗଭୀର ଅନୁତାପ, ଅନୁଶୋଚନା ସହ କ୍ଷମା ପ୍ରାର୍ଥନା କରି ତା’ ଗାଡ଼ିରେ ଯିବାକୁ ଅନୁରୋଧ କରୁଛି ।

 

ନର୍ମଦା ଯିବା କି ନାହିଁ ଏଇ ଦ୍ୱନ୍ଦ୍ୱରେ ପଡ଼ିଥିଲା ।

 

ନର୍ମଦାର ହାତ ଧରି ଗାଡ଼ି ଭିତରକୁ ଟାଣିନେଲା ସୂର୍ଯ୍ୟକାନ୍ତ ।

 

ନର୍ମଦାର ସମସ୍ତ ଅଭିବ୍ୟକ୍ତି ଯେପରି ହଠାତ୍‌ ନୀରବ ହୋଇଗଲା ସୂର୍ଯ୍ୟକାନ୍ତ ପାଖରେ-। ମନର ଦୃଢ଼ ଦମ୍ଭ ଯେପରି ଶିଥିଳ ହୋଇପଡ଼ିଲା । ତୁଣ୍ଡଖୋଲି ପଦେ ଅଭିଯୋଗ ମଧ୍ୟ କରିପାରିଲା ନାହିଁ ନର୍ମଦା ।

 

ଗାଡ଼ି ଗଡ଼ିଚାଲିଲା ମସୃଣ ରାଜପଥ ଉପରେ ।

 

‘‘ହୋଟେଲ ହନିମୁନ୍‌’’ ର ଆଲୋକ କ୍ରମେ ମଳିନ, ନିଷ୍ପ୍ରଭ ହୋଇ ଆସୁଥିଲା ।

 

ପରିତୃପ୍ତିର ଏକ ପ୍ରାଣଉଚ୍ଛୁଳା ହସ ଫାଲଗୁନୀର ଓଠର ଉପାନ୍ତରେ ବିଦ୍ୟୁତ୍‌ର ତରଙ୍ଗ ଭଳି ବିଛାଡ଼ି ହୋଇ ପଡ଼ିଲା । ଶ୍ରୀକାନ୍ତ ଲେଉଟି ଯିବା ପରେ ଦେହଟା ତା’ର ଝାଳେଇ ଉଠିଲା । ମୁହଁର ମାଂସପେଶୀ କୋମଳ ହୋଇ ଉଠିଲା । ସିଗ୍‌ଧ ଲାବଣ୍ୟରେ ମୁହଁଟା ତା’ର ଛଳଛଳ ହେଲା-। ଆଖିକୋଣରେ ଫୁଟି ଉଠିଲା ଦୟା–କ୍ଷମାର ଅଫୁରନ୍ତ ଉତ୍ସ.....

 

ସେଦିନ ଶ୍ରୀକାନ୍ତ ଘରୁ ଫେରିବା ପରେ ସାମାନ୍ୟ ଅସୁସ୍ଥ ହୋଇ ପଡ଼ିଥିଲା ଫାଲ୍‌ଗୁନୀ-। ତେଣୁ ସେ କଲେଜ ଯାଇ ନ ଥିଲା କି ଶ୍ରୀକାନ୍ତକୁ ସାକ୍ଷାତ୍‌ କରିପାରି ନଥିଲା ।

 

ଅଥଚ ଆଜି....

 

ସଞ୍ଜ ହୋଇ ବି ହୋଇ ନଥିଲା । ବାହାରେ ମଳୟ ସମୀରଣ ଖେଳି ବୁଲୁଥିଲା । ଦୀର୍ଘ ସାତୋଟି ଦିନ ଘର ଭିତରରେ ଆବଦ୍ଧ ରହି ଭୀଷଣ ଭାବେ ବ୍ୟସ୍ତ–ବିବ୍ରତ ହୋଇ ଉଠିଥିଲା । ତେଣୁ ଭାରାକ୍ରାନ୍ତ ମନକୁ ହାଲକା କରିବାପାଇଁ ସେ, ଚାଲି ଆସିଥିଲା ଘର ସାମ୍‍ନାରେ ଥିବା ବଗିଚାକୁ.....

 

ବିଭିନ୍ନ ଲତା-ପୁଷ୍ପ ଆଚ୍ଛାଦିତ ସୁରମ୍ୟ ଉଦ୍ୟାନର ଏକ ସିମେଣ୍ଟ ବେଞ୍ଚ ଉପରେ ଏକାକିନୀ ବସି ରହି ଭାବୁଥିଲା ଫାଲଗୁନୀ ।

 

ହଠାତ୍‌ ସାମ୍‌ନା ଗେଟର ବନ୍ଦ ହେବା ଶଦ୍ଦ ଶୁଣି ଫାଲ୍‌ଗୁନୀର ଚିନ୍ତାଧାରା ବ୍ୟାହତ ହେଲା । ଯାହାଙ୍କୁ ଏଠାରେ ଏମିତି ଅପ୍ରତ୍ୟାଶିତ ଭାବରେ ଦେଖିବାର ଆକାଙ୍‌କ୍ଷା ସେ କରି ନଥିଲା, ସେହି ଆଗନ୍ତୁକଙ୍କର ଆର୍ବିଭାବରେ ସେ ଚକିତ ହୋଇ ଆନନ୍ଦର ଆତିଶଯ୍ୟାରେ ଛୁଟି–ଯାଇଥିଲା ଗେଟ୍‌ ପାଖକୁ । ନମସ୍କାର, ଜଣାଇ କହିଥିଲା– ଆରେ ଶ୍ରୀକାନ୍ତବାବୁ ଯେ ! ଲକ୍ଷେ ଅନୁରୋଧ, ଅଜସ୍ର କାକୁତି ମିନତି କଲାପରେ ମଧ୍ୟ ଯିଏ ଆସିବାକୁ ଘୃଣା କରୁଥିଲା, ସେ ଯେ ବିନା ନିମନ୍ତ୍ରଣରେ ଏଠାରେ ପାଦ ପକାଇବେ ମୁଁ କେବେ କଳ୍ପନା କରି ନଥିଲି । ସତରେ ଶ୍ରୀକାନ୍ତବାକୁ । ମୁଁ ସ୍ୱପ୍ନ ଦେଖୁନାହିଁ ତ ?

 

ଶ୍ରୀକାନ୍ତ ମୃଦୁ ହସି ବଗିଚା ଭିତରକୁ ପାଦ ପକାଇଲା ।

 

–ଆରେ ଘରକୁ ଆସନ୍ତୁ ନା ? ଶ୍ରୀକାନ୍ତ ହାତଧରି ଅଳି କରୁଥିଲା ଫାଲ୍‌ଗୁନୀ ।

 

ଶ୍ରୀକାନ୍ତ ଚାହିଁଲା ଫାଲ୍‌ଗୁନୀକୁ । ଫାଲଗୁନୀର ଓଠର ଉପାନ୍ତରେ ଅଜସ୍ର ହସର ଜୁଆର । ଅଙ୍ଗଲତିକାରେ ସାଗରର କୂଳ ଉଚ୍ଛୁଳା ତରଙ୍ଗ । ମୁହଁରେ କୃତଜ୍ଞତାର ସ୍ୱାକ୍ଷର ।

 

ଶ୍ରୀକାନ୍ତ କହିଲା–ଘର ଅପେକ୍ଷା ଏଇ ବାହାରେ ବେଶ ଭଲ ଲାଗିବ । ମୃଦୁ ମନ୍ଦ ହିଲ୍ଲୋଳିତ ସମୀରଣ । ମଲ୍ଲୀଫୁଲର ସୁବାସ, ହେନାର ସୁରଭି ତମ ମନକୁ କ’ଣ ଆମୋଦିତ କରିପାରୁ ନାହିଁ ! ଦେଖିଲ, ଏଇ ସବୁଜ ଘାସର ଗାଲିଚା ଅପେକ୍ଷା ତମ ଘରେ ତଳେ ବିଛା ହୋଇଥିବା କାର୍ପେଟ କ’ଣ ଅଧିକ ସୁକୋମଳ ? ତମେ ଏଇଠି ବସ... ଏହା କହି ଶ୍ରୀକାନ୍ତ ସବୁଜ ଘାସର ପ୍ରାନ୍ତର ଉପରେ ପ୍ରଥମେ ବସି ପଡ଼ିଲା ।

 

ବାଧ୍ୟ ହୋଇ ଫାଲଗୁନୀ ମଧ୍ୟ ବସିପଡ଼ିଲା ତଳେ । କିନ୍ତୁ ପ୍ରଥମେ କେଉଁଠୁ କଥା ଆରମ୍ଭ କରିବ ସେଇୟା ଚିନ୍ତା କରୁଥିଲା ।

 

ଶ୍ରୀକାନ୍ତ ପ୍ରଥମେ ତୁଣ୍ଡ ଖୋଲିଲା । –ଦୀର୍ଘ ସାତୋଟି ଦିନ ତମ ସହିତ ଦେଖା ହୋଇନି-। ମୋର କାହିଁକି ମନେହେଲା ତମ ଦେହ ଅସୁସ୍ଥ ହୋଇ ପଡ଼ିଛି । ତେଣୁ ତମକୁ ଦେଖିବାକୁ....

 

ଫାଲଗୁନୀ ତନୁର ସବୁଜିମାରେ ବେପଥୁର ଏକ ତରଙ୍ଗ ଭଳି ଅଙ୍ଗ ଅବୟବରେ ଏକ ପୁଲକଭରା ଲହରୀ ଖେଳିଗଲା । ମନର ପେଟିକାରେ ଅଶରୀରୀ ପ୍ରତିଛବି ବାରମ୍ବାର କମ୍ପିତ ହୋଇଉଠିଲା । ମନେ ମନେ କହି ଉଠିଲା–ତମେ ସତ କହୁଛ ଶ୍ରୀକାନ୍ତ ! ମୋ ସ୍ୱାସ୍ଥ୍ୟପାଇଁ ସତରେ ତମେ କ’ଣ ଚିନ୍ତିତ–ଉଦ୍‌ବିଗ୍ନ । ଆଜି ତମର ଏ ପରିବର୍ତ୍ତନରେ ମୁଁ ଆଶ୍ଚର୍ଯ୍ୟ ହେଉଛି ଶ୍ରୀକାନ୍ତ ! ମୋ ସ୍ୱାସ୍ଥ୍ୟ ପ୍ରତି ତମର ଆନ୍ତରିକତା ଥିବାର କେବେ ତ ମୁଁ ଲକ୍ଷ୍ୟ କରିପାରି ନଥିଲି । ନା, ଏ ତମର ହୃଦୟର କଥା ନୁହେଁ.....

 

–ତମେ ମୋତେ ଅବିଶ୍ୱାସ କରୁଛ ଫାଲ୍‌ଗୁନୀ !

 

ଭାବନାରାଜ୍ୟରୁ ଫେରି ଆସିଲା ଫାଲ୍‌ଗୁନୀ ! ଶାଢ଼ୀ କାନିଟାକୁ ବେକ ଉପରେ ଗୁଡ଼ାଇ କହିଲା–ମୁଁ ଆପଣଙ୍କୁ ଅବିଶ୍ୱାସ କରୁଛି ବୋଲି କିଏ କହିଲା ? ଏପରି ଧାରଣା ମନକୁ କାହିଁକି ଆଣିଲେ ?

 

ଶ୍ରୀକାନ୍ତ ଚାହିଁଲା ଫାଲ୍‌ଗୁନୀକୁ । ମୁହଁସଞ୍ଜର ହାଲକା ଅନ୍ଧାରରେ ସ୍ପଷ୍ଟ ଦେଖି ହେଉ ନଥିଲେ ମଧ୍ୟ ଫାଲ୍‌ଗୁନୀର ନିଶ୍ୱାସ–ପ୍ରଶ୍ୱାସ ତା’ ଦେହରେ ବାଜୁଥିଲା । ଅତି ଉତ୍ତପ୍ତ, ଉତ୍ତେଜକ ସେ ନିଶ୍ୱାସ । ସେ ସ୍ପଷ୍ଟ ଦେଖି ନ ପାରିଲି ମଧ୍ୟ ଅନୁମାନ କରିନେଲା ଯେ ଫାଲ୍‌ଗୁନୀ ତା’ର ଅତି ନିକଟରେ ବସିଛି । ଶାଢ଼ୀର ପ୍ରାନ୍ତଭାଗ ତା’ ଦେହରେ ବାଜୁଛି । ଏକ ମୃଦୁ ସେଣ୍ଟର ବାସନା ହିଲ୍ଲୋଳିତ ସମୀରଣରେ ଖେଳି ବୁଲୁଛି ।

 

ଶ୍ରୀକାନ୍ତ ନୀରବ ରହିଥିବାର ଦେଖି ଫାଲ୍‌ଗୁନୀ କହିଲା–ଆପଣଙ୍କ ଘରୁ ସେଦିନ ଲେଉଟି ଆସିବାପରେ ମୁଁ ସାମାନ୍ୟ ଜ୍ୱରରେ ପୀଡ଼ିତ ହୋଇ ପଡ଼ିଥିଲି । ଆଜି ବାହାରକୁ ଆସିଛି ମୁଁ । ସନ୍ଧ୍ୟାର ଏ ଏ ଶୀତଳ ସମୀରଣ ଅନ୍ତତଃ ମୋ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଅନୁକୁଳ ନୁହେଁ । ହୁଏତ ପୁଣି ଜ୍ୱର ହୋଇପାରେ । ତେଣୁ ମୋର ଅନୁରୋଧ, ଆପଣ ଘର ଭିତରକୁ ଚାଲନ୍ତୁ । ପ୍ରଥମଥର ପାଇଁ ଆସି ଏଇ ବଗିଚାରେ ବସି ବସି ସମୟ କଟାଇଦେଲେ ମୁଁ ଭୀଷଣ ଦୁଃଖିତ ହେବି । ଅନୁରୋଧ କରୁଛି.....

 

ଶ୍ରୀକାନ୍ତର ହାତଧରି ଟାଣୁଥିଲା ଫାଲ୍‌ଗୁନୀ । ଶ୍ରୀକାନ୍ତର ଉପସ୍ଥିତିରେ ସେ ଆଜି ଏତେ ଆନନ୍ଦିତା ହୋଇଛି, ଯେପରି ଜୀବନକାଳ ଭିତରେ ସେ ଏତେ ସୁଖ ପାଇ ନଥିଲା । ସତରେ ଆଜି ତା’ର କି ଭାଗ୍ୟ !

ଅନିଚ୍ଛାସତ୍ୱେ ଫାଲ୍‌ଗୁନୀର ଅନୁରୋଧର ମାନ ଦେବାପାଇଁ ଶ୍ରୀକାନ୍ତ ଚାଲିଲା ଫାଲ୍‌ଗୁନୀର ପଛେ ପଛେ...

 

ଡ୍ରଇଁରୁମ ଭିତରେ ପ୍ରବେଶ କଲା ଶ୍ରୀକାନ୍ତ । ବେଶ୍‌, ଆଧୁନିକ–ତା’ର ରୂପରେଖ ସୁସ୍ପଷ୍ଟ-। ନୀଳ ଏନାମେଲ୍‌ପେଣ୍ଟ ହୋଇଥିବା କାନ୍ଥରେ ଅନେକ ମହାମନିଷୀଙ୍କର ତୈଳଚିତ୍ର କୋଠରୀର ଶୋଭାବର୍ଦ୍ଧନ କରୁଥିଲା । କାଚଆଲମୀରା ଭିତରେ ଥିବା ଅନେକ ବହି ଭିତରୁ ‘ଶ୍ରୀ’ ଲେଖକଙ୍କ ଉପନ୍ୟାସଗୁଡ଼ିକ ସ୍ପଷ୍ଟ ଦେଖା ଯାଉଥିଲା । ଶ୍ରୀକାନ୍ତ ମୁହଁ ବୁଲାଇ ଚାହିଁଲା । ଟଟେବୁଲ ଉପରେ ଥିବା ଫୁଲଦାନୀରୁ ହେନାଫୁଲର ମହକ କୋଠରୀ ଭିତରେ ଖେଳି ବୁଲୁଥିଲା ।

 

ବେଶ ସମ୍ଭ୍ରାନ୍ତ ରୁଚି ଫାଲଗୁନୀର ।

 

ସୋଫାରେ ବସିବାକୁ ନିର୍ଦ୍ଦେଶ ଦେଇ ଫାଲ୍‌ଗୁନୀ କହିଲା–ଆପଣ ଏଇଠି ବସନ୍ତୁ । ମୁଁ ବାପାଙ୍କୁ ଡାକି ଆପଣଙ୍କ ସହ ପରିଚିତ କରାଇ ଦେଉଛି ।

 

ଫାଲ୍‌ଗୁନୀର ହାତକୁ ଟାଣି ଧରିଲା ଶ୍ରୀକାନ୍ତ ! ନା, ତମେ ବାପାଙ୍କୁ ଡାକ ନାହିଁ । ଜଣେ ଇତର ଦୀନ–ହୀନ ଯୁବକ ସହ ତମ ବାପାଙ୍କ ଭଳି ସମ୍ଭ୍ରାନ୍ତଶୀଳ ବ୍ୟକ୍ତିଙ୍କର ପରିଚିତ ହେବାର ସୌଭାଗ୍ୟ ମୋ ପାଇଁ ଗୌରବର ବିଷୟ ହୋଇପାରେ କିନ୍ତୁ ତମ ବାପାଙ୍କ ପାଇଁ ତାହା ଏକାନ୍ତ ନିରର୍ଥକ । ତେଣୁ ତାଙ୍କୁ ଡାକିବାର ପ୍ରୟୋଜନ ମଧ୍ୟ ନାହିଁ ।

 

ଶ୍ରୀକାନ୍ତର ହାତମୁଠା ଭିତରେ ବନ୍ଦିନୀ ହୋଇ ପଡ଼ିଥିଲା ଫାଲ୍‌ଗୁନୀ । ଅନେକଦିନ ପରେ ଶ୍ରୀକାନ୍ତ ହାତର ସ୍ପର୍ଶ ସେ ଅନୁଭବ କଲା । ଇଚ୍ଛା କରି ମଧ୍ୟ ସେ ହାତଟିକୁ ଖସାଇ ଆଣିପାରିଲା ନାହିଁ ।

 

ଫାଲଗୁନୀ ହାତକୁ ଖସାଇଦେଇ ଶ୍ରୀକାନ୍ତ କହିଲା–ମୁଁ ଯେଉଁଥିପାଇଁ ଆସିଛି ସେ କଥା କହିବାକୁ ଭୁଲିଯାଇଛି ।

 

ମୁଁ ଜାଣେ ? ଫାଲ୍‌ଗୁନୀ ଚଟ୍‌କରି ଉତ୍ତର ଦେଲା ।

 

ତୁମେ ଜାଣ ? ବିସ୍ମିତ କଣ୍ଠରେ ପ୍ରଶ୍ନ କଲା ଶ୍ରୀକାନ୍ତ ।

 

ଇତ୍ୟବସରରେ ପୂଜାରୀ ଟେବୁଲ ଉପରେ ଜଳଖିଆ ଟ୍ରେ’ ସହ କଫି ସାମଗ୍ରୀ ଆଣି ରଖି ଦେଇଯାଇଛି ।

 

ଜଳଖିଆ ସାମଗ୍ରୀ ଦେଖି ବିସ୍ମିତ ହୋଇ ଉଠିଲା ଶ୍ରୀକାନ୍ତ । କହିଲା–ଜଳଖିଆର ଆବଶ୍ୟକତା ମୋର ନାହିଁ । ମୁଁ ବର୍ତ୍ତମାନ ଘରୁ...

 

ଫାଲ୍‌ଗୁନୀ କହିଲା–ଆପଣ ତେବେ ପ୍ରତିଜ୍ଞା କରିଛନ୍ତି ଆମ ଘରେ ଜଳ ସ୍ପର୍ଶ କରିବେ ନାହିଁ ବୋଲି । ବେଶ୍‌, ମୁଁ ମଧ୍ୟ ଆପଣଙ୍କୁ ବାଧ୍ୟ କରିବି ନାହିଁ । ଭରା ଅଭିମାନରେ ଫୁଲି ଉଠିଲା ଫାଲଗୁନୀ ।

 

ତମେ ଅଭିମାନ କରୁଛ ଫାଲ୍‌ଗୁନୀ ?

 

ନା, ମୁଁ ଅଭିମାନ କରୁନାହିଁ । ଅଭିମାନ କରାଯାଏ କେବଳ ନିଜର ପ୍ରିୟଜନଙ୍କ ଉପରେ-। ଆପଣ ମୋର ପରିବାରର ପ୍ରିୟଜନ ନୁହଁନ୍ତି କି ମୋର ପ୍ରିୟ ମଧ୍ୟ ନୁହଁନ୍ତି....କଥା ଅଧା ରଖି କଣେଇ ଚାହିଁଲା ଫାଲ୍‌ଗୁନୀ ।

 

ତମେ ଯଦି ମୋ କଥାକୁ ଇମିତି ଅନର୍ଥ କରିବସିବ ତେବେ ମୁଁ ନିରୁପାୟ । ଉତ୍ତରରେ ଶ୍ରୀକାନ୍ତ କହିଥିଲା ।

 

ପ୍ରସଙ୍ଗ ବଦଳାଇ ଫାଲଗୁନୀ କହିଲା–ଯୁକ୍ତି କରି ଲାଭ ନାହିଁ । ଆପଣ ଆଜି ମୋର ଅତିଥି । ତେଣୁ ମୋ କଥା ରଖିବାକୁ ହେବ ?

 

ଇମିତି ବାଧ୍ୟ କରି.....ଶ୍ରୀକାନ୍ତ କହିଲା ।

 

ପ୍ଳେଟଟିକୁ ଶ୍ରୀକାନ୍ତର ମୁହଁପାଖରେ ତୋଳିଧରି ଫାଲ୍‌ଗୁନୀ କହିଲା–ଯଦି ବଳ ପ୍ରୟୋଗ କରାଯାଏ...

 

ଶ୍ରୀକାନ୍ତ ମୃଦୁ ହସିଲା । ଫାଲ୍‌ଗୁନୀ ମଧ୍ୟ ହସି ଉଠିଲା ।

 

ଜଳଖିଆ ଓ କଫି ପର୍ବ ସରିଲା ପରେ ଶ୍ରୀକାନ୍ତ କହିଲା–ଗୋଟାଏ ବିଶେଷ କାର୍ଯ୍ୟରେ ମୁଁ ତମ ପାଖକୁ ଆସିଥିଲି ।

 

କଥା ଛଡ଼ାଇନେଇ ଫାଲଗୁନୀ କହିଲା–ମୁଁ ଜାଣେ । କିନ୍ତୁ ଆପଣଙ୍କୁ ନିରାଶ ହେବାକୁ ପଡ଼ିବ ।

 

ମାନେ....ଭରା ଉଦ୍‌ବିଗ୍ନରେ ପଚାରିଉଠିଲା ଶ୍ରୀକାନ୍ତ ।

 

ସୋଫା ଉପରେ ଆଉଜିବସି ଖସିପଡ଼ୁଥିବା ଶାଢ଼ୀକୁ ବକ୍ଷୋଜ ସଜ୍ଜିତ କରୁ କରୁ କହିଲା–କେଉଁ କଥା ଆପଣ ପଚାରିବାକୁ ଚାହାନ୍ତି ସ୍ପଷ୍ଟକରି କହୁ ନାହାନ୍ତି ?

 

କୋଠରୀ ଭିତରରେ ଫ୍ଳୁରୋସେଣ୍ଟ ଟିଉବ୍‌ ଲାଇଟର ଉଜ୍ଜ୍ୱଳ ନୀଳାଭ ଦୀପ୍ତି ପ୍ରତିଫଳିତ ହେଉଥିଲା । ସୋଫା ଉପରେ ଫାଲ୍‌ଗୁନୀ ବସିଥିଲା । ହସରେ ତା’ର ମୁକ୍ତାଫୁଲ ଝରିପଡ଼ୁଥିଲା । ଚାହାଣୀରେ ଗୋଟାଏ କିମିତି ଗାମ୍ଭୀର୍ଯ୍ୟ ଭରି ରହିଥିଲା । ବସନ ଭୂଷଣରେ ଆଭିଜାତ୍ୟର ପ୍ରଚୁର୍ଯ୍ୟ ନେସିହୋଇ ପଡ଼ିଥିଲା । ଚମ୍ପାରଙ୍ଗର ଅଙ୍ଗଲତିକା ଉପରେ ହାଲକା ଗୋଲାପୀରଙ୍ଗର ଶାଢ଼ୀ–ବ୍ଳାଉଜ ଚମତ୍କାର ମାନୁଥିଲା ଫାଲ୍‌ଗୁନୀକୁ । ସତେ ଯେପରି ସ୍ୱର୍ଗର ଅପସରୀ....

 

ବିମୁଗ୍‌ଧ ଦୃଷ୍ଟିରେ ନିମିଷକ ପାଇଁ ଚାହିଁ ରହିଲା ଶ୍ରୀକାନ୍ତ ।

 

ଫାଲଗୁନୀ ମୁହଁ ଟେକି ଚାହିଁଲା । ଶ୍ରୀକାନ୍ତର ଚକ୍ଷୁ ସହିତ ଦୃଷ୍ଟି ମିଳିଯିବା ପରେ ଫାଲଗୁନୀ କହିଲା–ନୀରବ ରହିଲେ ଯେ ? କହିବା କଥା ଭୁଲିଗଲେ ବୋଧେ ? ଅନୁମତି ଯଦି ଦେବେ, ତେବେ ସ୍ମରଣ କରାଇ ଦେବି ।

 

ଫାଲଗୁନୀର ଗୋଲାପୀ ଓଠରେ ମେଞ୍ଚା ହସର ରୋଷଣୀ ।

 

ପ୍ରକୃତିସ୍ଥ ହେଲା ଶ୍ରୀକାନ୍ତ । ଫାଲଗୁନୀ ଉପରୁ ଦୃଷ୍ଟି ଲେଉଟାଇ କହିଲା–ସେଦିନ ଆମ ଘରେ ପ୍ରଶ୍ନର ଉତ୍ତର ଶୁଣିବାକୁ ଦାବି କରି ତମେ ଲେଉଟି ଆସିଥିଲ । ଆଜି ମୁଁ ଆସିଛି ତମ ପାଖକୁ । କୁହ, ତମେ କ’ଣ ଜାଣିବାକୁ ଚାହଁ ମୋ ପାଖରୁ ?

 

ଫାଲ୍‌ଗୁନୀ ହସି ଉଠିଲା ମନେ ମନେ । ଅନୁମାନ କରିନେଲା–ଔଷଧ ଠିକ୍‌ କ୍ଷତ ସ୍ଥାନରେ ଲାଗିଛି । ଏବେ ରୋଗ ନିଶ୍ଚୟ ଉପଶମ ହେବ ।

 

ନୀରବ ରହିଲ ଯେ ? କ’ଣ କୁହ ଫାଲ୍‌ଗୁନୀ ?

 

ତଥାପି ଫାଲ୍‌ଗୁନୀ ନୀରବ ।

 

ଫାଲଗୁନୀର ହାତକୁ ଧରିପକାଇଲା ଶ୍ରୀକାନ୍ତ । କଣ୍ଠରେ କୋମଳତା ଓ କରୁଣତା ଭରି କହିଲା–ତମେ ମୋ ପ୍ରତି ନିଷ୍ଠୁରା, ପାଷାଣୀ ନିର୍ଦ୍ଦୟା ହୁଅ ନାହିଁ । ତମେ ଯଦି ମୋର ଗୋପନ ରହସ୍ୟ ଜାଣିବାକୁ ଚାହ ତେବେ ତୁଣ୍ଡ ଖୋଲି ପ୍ରକାଶ କର । ମୁଁ ତମର ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ହୋଇ ଆସିଛି । କିନ୍ତୁ ବିନିମୟରେ.....

 

ଅଟକିଗଲା ଶ୍ରୀକାନ୍ତ । ତା’ ହାତମୁଠା ଭିତରେ ଫାଲ୍‌ଗୁନୀର ହାତ ଯୁକ୍ତ ହୋଇ ରହିଯାଇଛି । ବିହ୍ୱୋଳିତ ଦୃଷ୍ଟିରେ ଏକ ଆଦିମ ପିପାସା ନେଇ ସକରୁଣ ନୟନରେ ତା’ ପାଖରେ ଠିଆ ହୋଇଛି ଫାଲ୍‌ଗୁନୀ । ଦେହକୁ ଦେହ ସ୍ପର୍ଶ ହେଉଛି । ନିଶ୍ୱାସ ପ୍ରଶ୍ୱାସର ଗତି ଅନୁଭବ କରି ହେଉଛି । ତଥାପି ଫାଲ୍‌ଗୁନୀ ହାତ ଖସାଇ ନେବାକୁ ଇଚ୍ଛା ନ କରି ତା’ର ସନ୍ନିକଟକୁ କ୍ରମେ କ୍ରମେ ନିକଟତର ହୋଇ ଆସିଛି ।

 

ଶ୍ରୀକାନ୍ତ ତନ୍ମୟ ଦୃଷ୍ଟିରେ କ୍ଷଣକାଳ ତାକୁ ଚାହିଁ ରହିଲା । ଫାଲ୍‌ଗୁନୀ ରୂପ–ଯୌବନର ଚିନ୍ତାଘର ସେମିତି କ୍ରମଶଃ ଉନ୍ମୁକ୍ତ ହୋଇଛି । ଗହଳ ବହଳ କେଶବତୀକନ୍ୟା ଜୁଡ଼ାରୁ ମଲ୍ଲୀଫୁଲର ହାର ଫିଟି ଫିଟି ପଡ଼ୁଛି । ଘୁମନ୍ତ ଚକ୍ଷୁରେ ଅୟୁତଯୁଗର କାମନା ବାସନା ଜମାଟ ବାନ୍ଧିଲା ପରି ମନେହେଉଛି । ରକ୍ତ–ଅଳତା ରଙ୍ଗର ପ୍ରସ୍ଫୁଟିତ ଅଧର ପ୍ରାନ୍ତରେ ସହସ୍ରଯୁଗର ଅବ୍ୟକ୍ତ ବେଦନା ପ୍ରକାଶ ହେବାପାଇଁ ଓଠ ଦୁଇଟି ଉନ୍ମୁକ୍ତ ହୋଇ ପୁଣି ବନ୍ଦହୋଇ ଯାଉଛି ।

 

ଶ୍ରୀକାନ୍ତ ମୁଗ୍‌ଧ ଦୃଷ୍ଟିରେ ପୁଣିଥରେ ଚାହିଁଲା । ଫାଲ୍‌ଗୁନୀ ମଥାର କୁଙ୍କୁମ ରୋଷଣୀରେ ସେ ଯେପରି ମଳିନ ନିଷ୍ପ୍ରଭ ହୋଇଯାଉଛି । ମୁହୂର୍ତ୍ତକ ପାଇଁ ତା’ ମନରେ ଭାବାନ୍ତର ଆସିଲା । କିନ୍ତୁ......

 

ଫାଲ୍‌ଗୁନୀର ଅଙ୍ଗଲତିକାରେ ବିଦ୍ୟୁତର ତରଙ୍ଗ ଭଳି ଏକ ଅଜଣା ସିତ୍କାର ଖେଳିଗଲା-। ମୁଣ୍ଡ ଉପରେ ଇଲେକ୍‌ଟ୍ରିକ ଫ୍ୟାନ ପ୍ରଚୁର ପବନ ବଞ୍ଚି ଦେଉଥିଲେ ମଧ୍ୟ ତା’ ଦେହଟା ସ୍ୱେଦରେ ଭରି ଉଠୁଥିଲା । ତା’ କପାଳରୁ ସ୍ୱେଦବିନ୍ଦୁ ଝରି ପଡ଼ୁଥିଲା । ନିଟୋଳ ଯୌବନ କ୍ରମେ ଅବଶ, ଶିଥିଳ ହୋଇ ଆସୁଥିଲା । ଚକ୍ଷୁ ଦୁଇଟି ମୁଦ୍ରିତ ହେଉଥିଲା ।

 

କାନ୍ଥଘଣ୍ଟା ବାରଟା ବାଜିବାର ସଙ୍କେତ ଦେଲା ।

 

ଚମକି ପଡ଼ିଲେ ଦୁହେଁ । ଦୀର୍ଘ ପାଞ୍ଚଘଣ୍ଟା କିପରି ଏତେ ଶୀଘ୍ର ଚାଲିଗଲା ତାହା କେହି ଅନୁମାନ କରି ପାରି ନଥିଲେ ।

 

ବିଦାୟ ନେଇ ଚାଲିଗଲା ବେଳେ ଶ୍ରୀକାନ୍ତ କହିଥିଲା–ତମେ ସୁସ୍ଥ ହୋଇ ଆମ ଘରକୁ ଆସିଲେ ସେହିଦିନ ସମସ୍ତ କାହାଣୀ ଶୁଣିବ । ଆଜି ରାତି ଅନେକ ହେଲାଣି । ମୁଁ ଯାଉଛି ।

 

ଶୁଭରାତ୍ରୀ ଜଣାଇ ଶ୍ରୀକାନ୍ତ ବିଦାୟ ନେଲା ।

 

ଶ୍ରୀକାନ୍ତ ଚାଲିଯିବା ପରେ ତା’ରି ଗତିପଥକୁ ନିର୍ମିମେଷ ଦୃଷ୍ଟିରେ ଚାହିଁ ରହି ସେ ଭାବୁଥିଲା, ସିଂହ ଶିଶୁ ଆଜି କିମିତି ଜମ୍ବୁକ ହୋଇପାରିଲା ? ଧନୀ–ଗରୀବ, ଘୃଣା–ବିତୃଷ୍ଣା, ପର–ଆପଣା ଭେଦ ସୃଷ୍ଟିକରି ଯିଏ ସହସ୍ର ଯୋଜନ ଦୂରରେ ରହୁଥିଲା ସେ ଆଜି କିପରି ଏତେ ନମ୍ର, ଶିଥିଳ ହୋଇପଡ଼ିଲା ? ବାରମ୍ବାର ଅନୁରୋଧ ସତ୍ୱେ ଆଭିଜାତ୍ୟ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ ଧନୀଲୋକଙ୍କ ଘରକୁ ଆସିବାକୁ ଯିଏ କୁଣ୍ଠିତ ହେଉଥିଲା, ସେ ଆଜି କିମିତି ଅକୁଣ୍ଠିତ ଚିତ୍ତରେ ଏ ଘରକୁ ଆସିପାରିଲା ???

 

ଅଚାନକ ଶ୍ରୀକାନ୍ତର ଆଗମନ ଅନ୍ୟ କାହା ପକ୍ଷରେ ଅଶୁଭ ହେଲେ ମଧ୍ୟ ତା’ ନିଜ ପାଇଁ ପରମ ସୌଭାଗ୍ୟର ଉଜ୍ଜ୍ୱଳ ବତୀଖୁଣ୍ଟ କହିଲେ ଅତ୍ୟୁକ୍ତି ହେବନାହିଁ । ଶ୍ରୀକାନ୍ତର ଆଗମନ ପଥକୁ ସେ ଦୀର୍ଘଦିନରୁ ପ୍ରତୀକ୍ଷା କରିଥିଲା । ଅନେକ ଅନୁନୟ ବିନୟ କରି ଘରକୁ ଆସିବାକୁ ଆମନ୍ତ୍ରଣ କଲେ ମଧ୍ୟ ସେ କେବେ ସାମାନ୍ୟତମ ଦୟା ପ୍ରଦର୍ଶନ କରିନାହିଁ । ଉତ୍ତରରେ କହିଛି–‘‘ବାଧ୍ୟ କରି କାହିଁକି ମୋତେ ଟାଣି ନେବାକୁ ଚେଷ୍ଟା କରୁଛ ? ସମୟ, ସୁଯୋଗ ଓ ପ୍ରୟୋଜନ ହେଲେ ମୁଁ ନିଜେ ଯାଇ ତମ ଘରେ ପହଞ୍ଚିବି–ତା’ ପୂର୍ବରୁ ନୁହେଁ ।’’

 

ତେବେ ଶ୍ରୀକାନ୍ତ ଆସିବାପାଇଁ ଆଜି କ’ଣ ପ୍ରୟୋଜନ ପଡ଼ିଲା ?

 

ସତେ କ’ଣ ଆଜି ତା’ ଜୀବନର ନୂତନ ସୂର୍ଯ୍ୟୋଦୟ ହେଲା ?

 

ଉତ୍‌ଫୁଲିତ ମନରେ କୋଠରୀ ଭିତରକୁ ଫେରି ଆସିଲା ପରେ ଦାଣ୍ଡଦରଜା ଖୋଲିବାର ଶଦ୍ଦ ଶୁଣି ଫାଲ୍‌ଗୁନୀ ଝରକାବାଟେ ଦେଖିଲା, ଏକ ଚକୋଲେଟ ରଙ୍ଗର କାର ଗେଟ୍‌ ଅତିକ୍ରମ କରିଯାଉଛି ଆଉ ନର୍ମଦା ହାତ ହଲାଇ ଅଭିବାଦନ ଜଣାଇଛି ଉକ୍ତ ଆଗନ୍ତୁକଙ୍କୁ ।

 

ରାତି ସାଢ଼େ ବାରଟା ବାଜିଲାଣି ଅଥଚ ନର୍ମଦା ଏପର୍ଯ୍ୟନ୍ତ ଘରକୁ ଫେରି ନଥିଲା । ମନେ ମନେ ବିରକ୍ତ ହୋଇ ଫାଲ୍‌ଗୁନୀ ଫେରି ଆସିଲା ବିଛଣା ଉପରକୁ ।

 

କୋଠରୀ ଭିତରକୁ ପ୍ରବେଶ କରି ନର୍ମଦା କହିଲା–ଆରେ, ତୁ ଏପର୍ଯ୍ୟନ୍ତ ଶୋଇ ନଥିଲୁ-?

 

–ତୋତେ ଅପେକ୍ଷା କରିଥିଲି । ଫାଲ୍‌ଗୁନୀ ଉତ୍ତର ଦେଲା ?

 

–କାହିଁକି ? ମୁଁ କ’ଣ ଛୋଟ ଶିଶୁ ହୋଇଛି ଯେ କୁଆଡ଼େ ହଜିଯିବି ବୋଲି ତୁ ଆଶଙ୍କା କରିଥିଲୁ ?

 

–ତେବେ ତୁ କୁଆଡ଼େ ଯାଇଥିଲୁ ? ଗମ୍ଭୀର କଣ୍ଠରେ ପ୍ରଶ୍ନ କଲା ଫାଲ୍‌ଗୁନୀ ।

 

–ପୁଣି ସେଇ ପୁରୁଣା ଗତାନୁଗତିକ ପ୍ରଶ୍ନ ପଚାରିଲୁ ଅପା ! ଏ ବୟସରେ ସବୁକଥା କ’ଣ ସମସ୍ତଙ୍କୁ କହି ହୁଏ । ମଣିଷ ଜୀବନରେ ଅନେକ ଗୋପନକଥା ଅଛି, ଯାହା ଅନ୍ୟ ଆଗରେ ପ୍ରକାଶ କରାଯାଇ–ପାରେନା । ବଡ଼ଭଉଣୀ ହିସାବରେ ମୋତେ ପଚାରିଲେ ମୁଁ ନିଶ୍ଚୟ ମିଛ କହିବାକୁ ବାଧ୍ୟ ହେବି । କିନ୍ତୁ ଜଣେ ହିତାକାଙ୍‌କ୍ଷୀ ବାନ୍ଧବୀ ହିସାବରେ ପଚାରିଲେ.....ଅଟକି ଗଲା ନର୍ମଦା ।

 

ଶୁଭ୍ର-ପେଶଳ ଶଯ୍ୟା ଉପରେ ମୁହଁମାଡ଼ି ଶୋଇରହି ଫାଲ୍‌ଗୁନୀ କହିଲା–ବେଶ, ତେବେ ତୋରି କଥା ରହୁ । ବଡ଼ଭଉଣୀ ହିସାବରେ ଆଜି ତୋତେ ପଚାରି ଶାସନ କରିବାକୁ ଚାହେନା । ଆଜି ମୁଁ ତୋର ଜଣେ ପରମ ହିତାକାଙ୍‌କ୍ଷିଣୀ ବାନ୍ଧବୀ । ତେଣୁ କୌଣସି କଥା ଗୁପ୍ତ ନ ରଖି ନିଃସଙ୍କୋଚରେ ସବୁକଥା ପ୍ରକାଶ କଲେ ମୁଁ ନିଶ୍ଚୟ ଖୁସି ହେବି ।

ନର୍ମଦା କୋଠରୀର ଦ୍ୱାର ରୁଦ୍ଧ କଲା ।

–ତୁ ଖାଇବୁ ନାହିଁ ? ଫାଲ୍‌ଗୁନୀ ପଚାରି ଉଠିଲା ।

ନା, ଆଜି ‘‘ହୋଟେଲ ହନିମୁନ୍‌’’ ରେ ଗୋଟାଏ ପାର୍ଟି ଥିଲା । ସେଠାରେ ଖାଇ ନେଇଛି ମୁଁ ।

–କାହା ଗାଡ଼ିରେ ଆସିଲୁ ? ଫାଲ୍‌ଗୁନୀ ପୁଣି ପଚାରି ଉଠିଲା ।

ବିସ୍ମିତ ଦୃଷ୍ଟିରେ ନର୍ମଦା ଚାହିଁଲା । ପିନ୍ଧିଥିବା ଶାଢ଼ୀଟିକୁ ବଦଳ କରୁ କରୁ କହିଲା–ରାତି ସାଢ଼େ ବାରଟା ହେଲାଣି । ତଥାପି ତ ନ ଶୋଇ ମୋତେ ଅପେକ୍ଷା କରିଥିଲୁ ?

–ହଁ । କେବଳ ତୋତେ ହିଁ ଅପେକ୍ଷା କରିଥିଲି । ତୁ ଜାଣୁ, ତୋତେ ମୁହୂର୍ତ୍ତେ ନ ଦେଖିଲେ, ତୋର ଫେରିବାର ବିଳମ୍ବ ହେଲେ ମୋ ମନ ଏକ ପ୍ରିୟବସ୍ତୁ ହଜାଇ ଥିଲାପରି ମନେହୁଏ, ଯନ୍ତ୍ରଣାରେ ଛଟପଟ ହୁଏ.... ।

ଶାଢ଼ୀଟିକୁ ଚାରିଭଙ୍ଗ କରି ବ୍ରାକେଟ ଉପରେ ସଜାଇ ରଖି ଫ୍ୟାନର ସୁଇଜକୁ ବେଗଗାମୀ କରି ପଲଙ୍କ ଉପରେ ବସିପଡ଼ିଲା । ପିନ୍ଧିଥିବା ଶାଢ଼ୀକୁ ନିଜ ବେକ, ପିଠି, ବକ୍ଷରୁ ବାହାର କରି ନିଜ କୋଳ ଉପରେ ରଖି ବ୍ଳାଉଜ, ବ୍ରେସରି ଉତ୍ୟାଦି କାଢ଼ି ପକାଇଲା ।

 

ଫାଲ୍‌ଗୁନୀ ଚାହିଁଲା ନର୍ମଦାକୁ । ନର୍ମଦାର ଉନ୍ମୁକ୍ତ ବକ୍ଷ ଦେଶର ଶୋଭା ନିରୀକ୍ଷଣ କରି ଆତ୍ମବିସ୍ମୃତ ହୋଇପଡ଼ିଲା । ଆଃ.... ସେ ଯଦି ନାରୀ ନ ହୋଇ ପୁରୁଷ ହୋଇଥାଆନ୍ତା, ଆଉ ବସନ–ଭୂଷଣ ପରିତ୍ୟାଗ କରି ପଲଙ୍କ ଉପରେ ବିବସନା କିଶୋରୀଟି ପାଖରେ ବସିଥାଆନ୍ତା, ତେବେ ତାକୁ କ’ଣ ସେ ଏତେ ସହଜରେ ଛାଡ଼ି ପାରନ୍ତା....

ଆଲୁଅ ଲିଭାଇ ନର୍ମଦା ଚିତ୍‌ହୋଇ ଶୋଇ ପଡ଼ିଲା ।

ସାମାନ୍ୟ ଘୁଞ୍ଚିଆସି ଫାଲ୍‌ଗୁନୀ କଡ଼େଇ କରି ଶୋଇଲା । ହଠାତ୍‌ ଏକ ତୀବ୍ର ପାନୀୟର ଉତ୍କଟଗନ୍ଧ ଉପଲବ୍‌ଧି କରି ଫାଲ୍‌ଗୁନୀ କହିଲା–ତୁ ଆଜି ମଦ ପିଉଛୁ ନିରୁ ?

ବାଁ ଗୋଡ଼ଟାକୁ ଫାଲ୍‌ଗୁନୀ ଅପା ଉପରେ ଲଦି ଦେଇ କହିଲା–ଅନେକ ଦିନ ପରେ ଆଜି ପିଇବାକୁ ବାଧ୍ୟ ହେଲି ଅପା । ଆଜି ମୁଁ ପିଇଛି ବୋଲି ଯେତିକି ଦୁଃଖିତ ନୁହେଁ, ମୋର ଇପ୍‌ସିତ ବସ୍ତୁ ହାତ–ମୁଠାକୁ ଆସିପାରିଛି ବୋଲି ମୁଁ ଆହୁରି ଆନନ୍ଦିତ । ସତରେ ଅପା, ଆଜି ମୁଁ ଅନୁଭବ କରୁଛି, ମୋ ଜୀବନରେ ଆଜି ଯେମିତି ନୂତନ ସୂର୍ଯ୍ୟୋଦୟ ହୋଇଛି ।

–ମାନେ ?

–ଅନେକଦିନ ପରେ ସୂର୍ଯ୍ୟକାନ୍ତ ସହ ଆଜି ଅଚାନକ ସାକ୍ଷାତ୍‌ । ପାପର ପ୍ରାୟଶ୍ଚିତ ସେ କରୁଛି ଆଜି । ଅତୀତର କୁ–କର୍ମ ପାଇଁ ଅନୁତାପ କରି ମୋ ହାତ ଧରି କ୍ଷମା ପ୍ରାର୍ଥନା କଲା । ଇସ୍‌, କି କାତର ବିନୀତ ଆକୁଳ ନିବେଦନ ! ପୂର୍ବର ତେଜ, ଦମ୍ଭ, ଅହମିକା ଆଜି ନିଷ୍ପ୍ରଭ ହୋଇ ଆସିଲାଣି । ସୁବର୍ଣ୍ଣ ଅତୀତର ସ୍ମୃତିଗୁଡ଼ିକ ମନକୁ ଆଣି କେବଳ ସନ୍ତୁଳି ହୋଇ ମରୁଛି । ଅତୀତକୁ ଭୁଲି ନ ପାରି ପ୍ରତିଦିନ ମଦ ଖାଉଛି । ପୂର୍ବରୁ ରୌଦ୍ରଦୀପ୍ତ ସୁଗୋଲ ଆନୟନ ଆଜି ବିଷର୍ଣ୍ଣ ହୋଇ ପଡ଼ିଲାଣି । ଦେହର ତେଜ, ମୁଖମଣ୍ଡଳର ଉଜ୍ଜ୍ୱଳ ଦୀପ୍ତି ମଉଳି ପଡ଼ିଲାଣି । ତୁଣ୍ଡର ଦମ୍ଭ ମଧ୍ୟ ଆଜି ନାହିଁ । ଏବେ ତାଙ୍କୁ ଦେଖିଲେ ମନରେ ଦୟା ଆସୁଛି, କରୁଣା ଆସୁଛି । ତାଙ୍କର ଦୋଷ ତ୍ରୁଟି ପାଇଁ କ୍ଷମା ଦେବାକୁ ମନଟା ଡହଳ ବିକଳ ହେଉଛି ।

–ତୁ ସୂର୍ଯ୍ୟକାନ୍ତକୁ କ୍ଷମା ଦେଇ ପାରିଲୁ ?

–ନ ହେଲେ କ’ଣ କରିଥାଆନ୍ତି କହ ? ନାରୀ ସବୁ ଭୁଲିପାରେ, କିନ୍ତୁ ପ୍ରଥମ ପ୍ରଣୟର ଅଙ୍ଗେ ଲିଭାଇଥିବା ସ୍ମୃତି ତା’ର ମନ–ମନ୍ଦିରରେ ଚିରଦିନ ପାଇଁ ଜାଜ୍ଜ୍ୱଲ୍ୟମାନ ଅବସ୍ଥାରେ ଥାଏ । କୁମାରୀ ଜୀବନର ପ୍ରଥମ ପ୍ରଣୟର ଦେହ ଉଲୁସା ସ୍ପର୍ଶ, ଆଲିଙ୍ଗନ, ଚୁମ୍ବନକୁ ନାରୀ ଆଦୌ ଭୁଲିପାରେନା । ନାରୀ ଜୀବନର କଳାପଟାରେ ସେହି ସ୍ମୃତିଚିହ୍ନ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଥାଏ । ସେ ବିବାହ କଲେ ମଧ୍ୟ ତା’ର ମନ–ଦର୍ପଣରେ ଅତୀତ ପ୍ରଣୟର ସ୍ମାରକୀ ପ୍ରତିମୁହୂର୍ତ୍ତରେ ପ୍ରତିଫଳିତ ହୋଇ ଉଠେ । ମୁଁ ସିନା ଭୁଲିଯିବି, କିନ୍ତୁ ଅତୀତ ପ୍ରେମିକର ସ୍ମାରକୀକିପରି ପାସୋରି ଦେବି ? ତେଣୁ ପାରିଲି ନାହିଁ.....

‘ହୋଟେଲ ହନିମୂନ’ ରେ ଆଜି ସୂର୍ଯ୍ୟକାନ୍ତ ସହ ଅଚାନକ ସାକ୍ଷାତ୍‌ । ମୋ ହାତଧରି ଅନୁନୟ, ବିନୟ କଲାପରେ ମାତ୍ର ଗୋଟିଏ ପେଗ୍‌ ପିଇଛି । ଆସିଲାବେଳେ ସୂର୍ଯ୍ୟକାନ୍ତ ମଧ୍ୟ ନିଜ ଗାଡ଼ିରେ ଆଣି ଛାଡ଼ିଦେଇ ଯାଇଛି ।

ଓଃ, ତୁ ତେବେ ସୂର୍ଯ୍ୟକାନ୍ତ ସହ ଫେରିଲୁ ? ଅଥଚ ଯେଉଁ ସୂର୍ଯ୍ୟକାନ୍ତ ତୋ କୁମାରୀ ଜୀବନର ସର୍ବସ୍ୱ ଲୁଣ୍ଠନ କରିଥିଲା, ତାକୁ ତୁ ଏତେ ଶୀଘ୍ର ବିଶ୍ୱାସ କରିପାରିଲୁ ? ଅତୀତର ସବୁ ଯନ୍ତ୍ରଣା ନିମିଷକର ସାକ୍ଷାତରେ ପାସୋରିଗଲୁ ?

 

ତା’ଛଡ଼ା ମୋର ଅନ୍ୟ କୌଣସି ଉପାୟ ନ ଥିଲା ଅପା ! ଆଜି ସିନା ସେ ମୋଠାରୁ ଇତର, ସାତପରଠାରୁ ହୀନ ହୋଇଯାଇଛି କିନ୍ତୁ ଅତୀତରେ ସେ ଯେ ମୋର ଏକାନ୍ତ ଅନ୍ତରଙ୍ଗ ଥିଲା । ସାକ୍ଷାତ୍‌ ବିନିମୟର ବ୍ୟତିକ୍ରମ ଘଟିଲେ ଦୁହେଁ ଅର୍ଦ୍ଧପାଗଳ ହୋଇ ଯାଉଥିଲୁ । ନିୟତି-ଚକ୍ରର ଘାତ-ପ୍ରତିଘାତରେ କିଛିଦିନ ପାଇଁ ଦୁହେଁ ବିଚ୍ଛିନ୍ନ ହୋଇ ଯାଇଥିଲୁ । ସେଥିପାଇଁ ସୂର୍ଯ୍ୟକାନ୍ତ ମଧ୍ୟ ଯଥେଷ୍ଟ ଅନୁତାପ କଲାଣି । ହାତପାତି ଦୋଷ-ତ୍ରୁଟି ସ୍ୱୀକାର କରିସାରିଲା ପରେ କେମିତି ମୁଁ ନିଷ୍ଠୁର ହୋଇଥାନ୍ତି କହିଲୁ । ତେଣୁ ପାରିଲି ନାହିଁ । ନାରୀ ମୁଁ; ସର୍ବସଂହା ଧରିତ୍ରୀ ମୁଁ । ପୁରୁଷକୁ କ୍ଷମାଦେବା ମୋର କର୍ତ୍ତବ୍ୟ । ବିଶେଷକରି ସେ ମୋର ପ୍ରଥମ ପ୍ରେମିକ....

 

ସବୁକଥା ଶୁଣିସାରିଲା ପରେ ଫାଲ୍‌ଗୁନୀ କହିଲା, ତା’ପରେ....

 

–ତା’ ପରର କଥା ଅତି ସହଜ । ଆସନ୍ତା ତିଥିରେ ଆମେ ଦୁହେଁ ବିବାହ କରିବୁ ବୋଲି ସ୍ଥିର କରିଛୁ ।

 

ଅନ୍ଧାରରେ ସମ୍ପୂର୍ଣ୍ଣ ଦେଖି ହେଉ ନଥିଲେ ବି ଫାଲ୍‌ଗୁନୀ ଅନୁଭବ କଲା, ନର୍ମଦା ନିଜର ଗୋଡ଼ ଦୁଇଟାକୁ ତା’ ଅଣ୍ଟା ଉପରେ ଲଦି ଦେଇଛି । ହାତ ଦୁଇଟା ତା’ର ପିଠି ଚାରିପଟେ ବନ୍ଧନୀ ଭଳି ଛନ୍ଦିହୋଇ ରହିଛି । ତା’ର ଉନ୍ମୁକ୍ତ ବକ୍ଷୋଜ ସମ୍ପୂର୍ଣ୍ଣ ଭାବେ ସେ ସ୍ପର୍ଶ କରିପାରୁଛି ।

 

ଏକ ଅନାସ୍ୱାଦିତ ପୁଲକରେ ଫାଲ୍‌ଗୁନୀ ମନର–ଉପବନରେ ତରଙ୍ଗାୟିତ ଭାବେ ଏକ ଢେଉ ଖେଳିଗଲା । ସେ କହିଲା, ତୋର ଏ ପ୍ରସ୍ଥାବକୁ ମୁଁ ଆନ୍ତରିକ ସହ ଅଭିନନ୍ଦନ ଜଣାଉଛି । ତୋ ମୁହଁରୁ କେବଳ ଏତିକି ଶୁଣିବି ବୋଲି ଅନେକ ଦିନ ଧରି ପ୍ରତୀକ୍ଷା କରିଥିଲି । କିନ୍ତୁ ନିରୁ ! ଭାନୁପ୍ରତାପ ଅବସ୍ଥା କ’ଣ ହେବ ?

 

ଖିଲି ଖିଲି ହୋଇ ହସିଉଠିଲା ନର୍ମଦା । କହିଲା, ଜୀବନଟା ଏକ ସୁଦୀର୍ଘ ରେଳପଥ । ଏଇ ରେଳପଥରେ ଗାଡ଼ି ଗଲାବେଳେ ଅନେକ ଷ୍ଟେସନରେ ଠିଆହୁଏ । ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇଗଲା ପରେ ଗାଡ଼ି ପୁଣି ଚାଲେ । ଠିକ୍‌ ସେହିପରି ଭାନୁପ୍ରତାପ ଏକ ଛୋଟ ଷ୍ଟେସନ । ନିର୍ଦ୍ଦିଷ୍ଟ ସମୟ ପାଇଁ ଗାଡ଼ି ଠିଆ ହୋଇଥିଲା । ଗାଡ଼ି ପୁଣି ଚାଲିଲା । କିନ୍ତୁ ଭାନୁପ୍ରତାପ ପଛରେ ପଡ଼ିଗଲା । ତେଣୁ ତା’ ପାଇଁ ଏତେ ଚିନ୍ତା କାହିଁକି ? ବର୍ତ୍ତମାନ ସୂର୍ଯ୍ୟକାନ୍ତ ହେଉଛି ମୋର ଏକାନ୍ତ ଆପଣାର । ମୋର ଯୌବନର ଆଦ୍ୟ ବସନ୍ତରେ ସୂର୍ଯ୍ୟକାନ୍ତର ନିବିଡ଼ ସାନିଧ୍ୟ ପାଇଥିଲି । ପ୍ରଥମ କରି ସୂର୍ଯ୍ୟକାନ୍ତର ବାହୁବନ୍ଧନରେ ବାନ୍ଧି ହୋଇ ରହିଥିଲି । ତାଙ୍କର ଆଲିଙ୍ଗନ, ଚୁମ୍ବନ ସ୍ନେହ ପାଇଥିଲି ପ୍ରଥମ ଥର ପାଇଁ । ଜୀବନର ସ୍ୱାଦ କେବଳ ତାଙ୍କରି ପାଖରୁ ଅନୁଭବ କରିଛି । କେବଳ ଅନୁଭବୀ ସିନା ଏ ସ୍ୱାଦ ଉପଲବ୍‌ଧି କରିପାରିବ ! ତୁ ତ କାହାକୁ ଭଲ ପାଇନୁ । ତେଣୁ ସେ ସ୍ୱାଦ, ଶିହରଣ, ସିତ୍କାର କିମିତି ଜାଣିବୁ ?

 

ଫାଲଗୁନୀ ଅନୁଭବ କରୁଥିଲା, ନର୍ମଦା ଏକଥା କହିଲାବେଳେ ତା’ ଦେହର ମାଂସପେଶୀ କ୍ରମଶଃ କଠିଣ ହୋଇ ତା’ର ପିଠିକୁ ଜାବୁଡ଼ି ଧରିଥିଲା । ହାତମୁଠା ଯେମିତି ଶକ୍ତ ହୋଇ ଉଠିଥିଲା । ବାହୁବନ୍ଧନ କ୍ରମେ ନିବିଡ଼ତ୍ତର ହେଉଥିଲା ।

 

ଫାଲଗୁନୀ ପଚାରିଲା–ଏଇ କ’ଣ ତୋର ଶେଷ ନିଷ୍ପତ୍ତି ?

 

–ହଁ, ଏହାଛଡ଼ା ଯେ ମୋର ଅନ୍ୟ ଉପାୟ ନାହିଁ । ସୂର୍ଯ୍ୟକାନ୍ତ ଦ୍ୱାରା ଧର୍ଷିତା ହୋଇ ପରପୁରୁଷକୁ ବିବାହ କଲେ ମୁଁ କ’ଣ ସୁଖୀ ହୋଇପାରିବି ? ଜୀବନରେ କ’ଣ ଶାନ୍ତି ପାଇ ପାରିବି-? ତେଣୁ ବର୍ତ୍ତମାନ ସୂର୍ଯ୍ୟକାନ୍ତ ଛଡ଼ା ମୋର ଏକାନ୍ତ ଆପଣାର ମଣିଷ କେହି ନାହିଁ । ଆମେ ଦୁହେଁ ପରସ୍ପରକୁ ଏବେ ଠିକ୍‌ ବୁଝିପାରିଛୁ । ଦୁହେଁ ମଧ୍ୟ ବିବାହ କରିବା ପାଇଁ ସଙ୍କଳ୍ପ କରିଛୁ-। ତେଣୁ ଏ ବିବାହ ପାଇଁ ତୁ ଯଦି ବାପାଙ୍କର ସ୍ୱୀକୃତି ଆଣିପାରିବୁ.....

.....ତୋ ପାଇଁ ମୁଁ ଏତିକି ନିଶ୍ଚୟ କରିପାରିବି ନିରୁ ! ବାପା ଯଦି ସ୍ୱୀକୃତି ନ ଦିଅନ୍ତି ତାଙ୍କର ଗୋଡ଼ ଧରି ନିଶ୍ଚୟ ସମ୍ମତି ଆଣିବି ।

ହଠାତ୍‌ ଫାଲ୍‌ଗୁନୀର ମନେ ପଡ଼ିଗଲା, ବାପା ଯଦି ଏ ବିବାହ ପ୍ରସ୍ତାବ ଶୁଣି କହିବେ, ବଡ଼ଭଉଣୀ ବିବାହ ନ କରି ସାନଭଉଣୀ କିମିତି ବିବାହ କରିବ, ତେବେ ତା’ର କି ଉତ୍ତର ଦେବ ସେ ?

ନର୍ମଦାର ବାହୁବନ୍ଧନ କ୍ରମେ ଶିଥିଳ ହୋଇଗଲା । ଫାଲ୍‌ଗୁନୀର ପିଠି ପାଖରୁ ହାତ ଖସାଇ ନେଇ ଚିତ୍‌ହୋଇ ଶୋଇପଡ଼ିଲା ନର୍ମଦା ।

ନର୍ମଦା ଶୋଇପଡ଼ିବା ପରେ ଫାଲ୍‌ଗୁନୀକୁ ଆଉ ନିଦ ହେଲାନି । ବିଛଣାରେ ଶୋଇରହି ଦୁଇ ଚାରିଥର ଏପଟ ସେପଟ ହେବାପରରେ ଖଟ ଉପରୁ ଉଠିବସିଲା ସେ । ଉନ୍ମୁକ୍ତ ବାତାୟନ ପଥଦେଇ ଅଷ୍ଟମୀଜହ୍ନର କେରି କେରି ଆଲୁଅ କୋଠରୀ ଭିତରକୁ ପ୍ରବେଶ କରୁଛି । ମୃଦୁମନ୍ଦ ସମୀରଣ ଦେହ ମନରେ ଅଜଣା ସିତ୍କାର ଆଣୁଛି ।

ଫାଲଗୁନୀ ଝରକା ପାଖକୁ ଉଠିଆସି ପରଦା ଟେକି ବାହାରକୁ ଚାହିଁଲା । ଶ୍ରୀକାନ୍ତ ଫେରିଯିବାର ରୂପରେଖ ଯେମିତି ତା’ ଦୃଷ୍ଟିର ସୀମାରେଖା ଭିତରେ ଖେଳି ବୁଲିଲା । ତା’ର ସୁମଧୁର କଣ୍ଠସ୍ୱର କର୍ଣ୍ଣ–ଗୁହରରେ ପ୍ରତିଧ୍ୱନିତ କରି ଉଠିଲା । ଶ୍ରୀକାନ୍ତ ପାଇଁ ମନଟା ତା’ର ସମ୍ବେଦନଶୀଳ ହୋଇ ଉଠିଲା । ତା ପାଇଁ ମନରେ ଆସିଲା ଦୟା, ଅନୁକମ୍ପା, ସହାନୁଭୂତି ।

ଫାଲଗୁନୀ ମନେ ମନେ ସ୍ଥିର କରିନେଲା, ଏଥର ସାକ୍ଷାତ୍‌ ହେଲେ ଶ୍ରୀକାନ୍ତକୁ ସେ ଅନୁରୋଧ କରି କହିବ, ‘‘କାହାଣୀ ନୁହେଁ’’ ଉପନ୍ୟାସ ନାୟକ କିଏ କୁହନ୍ତୁ ? ଯଦି ସେ ନିଜେ ହୋଇଥାଏ ତେବେ ସେହି ନାୟିକା ଦ୍ୱାରା କିମିତି ପ୍ରତାରିତ ହୋଇଛି ସବୁ ଜାଣିବାକୁ ଚାହିଁବ ତା’ର ଗଭୀର ବିଶ୍ୱାସ ଥିଲା ଯେ ଶ୍ରୀକାନ୍ତ କୌଣସି ବିଷୟ ଗୁପ୍ତ ନ କରି ତା’ ପାଖରେ ସବୁକଥା ପ୍ରକାଶ କରିବ ।

ଶ୍ରୀକାନ୍ତ ତା’ ଜୀବନର ସମସ୍ତ ଗୋପନ ତଥ୍ୟ ଉନ୍ମୁକ୍ତ କରିବା ପାଇଁ ଯଦି କୌଣସି ସର୍ତ୍ତ ବାଢ଼ି ବସେ, ସେଥିରେ ସେ ସମ୍ମତି ପ୍ରକାଶ କରିବ ତ ? ତା’ କଥାରେ ସ୍ୱୀକୃତି ଦେବ ତ ??

ଫାଲ୍‌ଗୁନୀର ଦୃଢ଼ ବିଶ୍ୱାସ ଓ ଭରସା ଥିଲା, ଶ୍ରୀକାନ୍ତ ଉଚ୍ଚଶିକ୍ଷିତ, ବିବେକବାନ ସୁପୁରୁଷ ହୋଇ କୌଣସି ଅପ୍ରାସଙ୍ଗିକ ପ୍ରସ୍ତାବ ବାଢ଼ି–ଥୋଇବ ନାହିଁ । ମାର୍ଜିତ ରୁଚିବନ୍ତ ପୁରୁଷ ସେ । ଉପନ୍ୟାସରେ ବିଭିନ୍ନ ଚରିତ୍ରର ଚିନ୍ତାଧାରା ସହିତ ଯିଏ ନିବିଡ଼ଭାବେ ଜଡ଼ିତ ହୋଇପାରେ ମଧ୍ୟ କେବେ ଏତେ ହୀନ, ନୀଚ୍ଚ ହୋଇପାରେ ନାହିଁ । ଜୀବନର ଅଳସ ମୁହୂର୍ତ୍ତରେ ଶ୍ରୀକାନ୍ତକୁ କେନ୍ଦ୍ରକରି ମନେ ମନେ କେତେ ପରିକଳ୍ପନା ସେ କରିଛି । ମନମନ୍ଦିରରେ ଶ୍ରୀକାନ୍ତର ରୂପରେଖକୁ ସୁବର୍ଣ୍ଣ ସିଂହାସନରେ ସ୍ଥାପିତକରି ଅକଳନ ଆଶା–ଆକାଙ୍‌କ୍ଷା କରିଛି ।

ସତେ କ’ଣ ତା’ ପରିକଳ୍ପନା ବାସ୍ତବରେ ରୂପ ପାଇବ ନାହିଁ ?

 

ଫାଲ୍‌ଗୁନୀ ମନରେ ଅଟଳ ବିଶ୍ୱାସ, ଦୃଢ଼ ଭରସା ରହିଥିଲା । ଭଗବାନ ଯଦି ତା’ର ଇପ୍‌ସିତ ବସ୍ତୁ ତା’ ହାତରେ ଧରାଇ ଦିଅନ୍ତି ? ....ବାଟ ଭୁଲି ଶ୍ରୀକାନ୍ତ ଯଦି ତା’ ଜୀବନ ପରିଧି ଭିତରକୁ କେବେ ଲମ୍ଫ ଦିଏ.....

 

ଆଃ, ଭବିଷ୍ୟତର ସୁନେଲୀ ସ୍ୱପ୍ନରେ ମନେ ମନେ ବିହ୍ୱୋଳ ହୋଇ ଉଠିଲା । ନିଜ ଭିତରେ କିପରି ଏକ ଅଦମନୀୟ ଅଭାବ ଅନୁଭବ କଲା । ଗୋଟାଏ ଅଜଣା ବସ୍ତୁ ପାଇବାପାଇଁ ମନଟା ବ୍ୟାକୁଳ ହେଲା । ଅଙ୍ଗଅବୟବରେ ଏକ ବେପଥୁ ସିତ୍କାର ଖେଳିଗଲା ।

 

ଫାଲ୍‌ଗୁନୀ ଫେରି ଆସିଲା ବିଛଣା ପାଖକୁ । ନର୍ମଦା ଶୋଇଗଲାଣି ଅନେକବେଳୁ । ଅଥଚ ସେ ନିଜେ ଶୋଇପାରୁନି ମୋଟେ ।

 

କାହିଁକି ? କେଉଁ ଅଭାବ ଯୋଗୁଁ ଶୋଇପାରୁନି ସେ ??

 

ଅନେକଦିନ ପରେ ନର୍ମଦା ତା’ର ପ୍ରଥମ ପ୍ରେମିକ ସୂର୍ଯ୍ୟକାନ୍ତ ସହ ସାକ୍ଷାତ୍‌ କରିଥିବାରୁ ଓ ବିବାହ ପାଇଁ ପ୍ରସ୍ତାବ ଦେଇଥିବାରୁ ସେ ଆଜି ଖୁସି ହୋଇପାରିଛି । ବେଶ ପ୍ରସନ୍ନ ଓ ପ୍ରଫୁଲ ଜଣାପଡ଼ୁଛି ।

 

ଅଥଚ ସେ ନିଜେ.... । କାହିଁକି ସେ କନିଷ୍ଠାଭଗ୍ନୀର ଶୁଭବିବାହକୁ ଆନ୍ତରିକ ସମର୍ଥନ ଜଣାଇ ପାରୁନାହିଁ ? ନିଜର କେଉଁ ଅଭାବ ତାକୁ ଅହରହ ବ୍ୟସ୍ତବିବ୍ରତ କରୁଛି ? ନର୍ମଦା ଭଳି ସେ କାହିଁକି ସୁଖୀ ହୋଇ ପାରୁନାହିଁ ??

 

ଘନ ଅନ୍ଧକାର ଭିତରେ ମଧ୍ୟ ଶ୍ରୀକାନ୍ତର ପ୍ରତିବିମ୍ବ ତା’ ଚକ୍ଷୁ ସମ୍ମୁଖରେ ଝଲସି ଉଠିଲା-

 

ବିଚଳିତ ହୋଇ ପଡ଼ିଲା ଫାଲ୍‌ଗୁନୀ । ଆଲୁଅ ଜାଳି କକ୍ଷଟିକୁ ପୁଣି ଆଲୋକିତ କଲା ।

 

ନର୍ମଦା ଚିତ୍‌ହୋଇ ଶୋଇଛି । ବିପର୍ଯ୍ୟସ୍ତ ବସନ, ମୁକୁଳିତ କେଶ, ଉନ୍ମୁକ୍ତ ବକ୍ଷ । ଫାଲ୍‌ଗୁନୀ ବସିପଡ଼ିଲା ନର୍ମଦା ବିଛଣାରେ । ନିରୀକ୍ଷଣ କରି ଚାହିଁଲା । ମନେ ହେଉଥିଲା ନର୍ମଦାର ପୁଙ୍ଗୁଳା ଅଙ୍ଗ–ଅବୟବରେ ଥରେ ହାତବୁଲାଇ ଆଣିବାକୁ । କିନ୍ତୁ ତା’ର ହାତର ସ୍ପର୍ଶରେ ନର୍ମଦା ଯଦି ଉଠିବସେ, ତେବେ କ’ଣ ମନେକରିବ ସେ ?

 

କାନ୍ଥଘଣ୍ଟାରେ ଚାରିଟା ବାଜିଲା । ଏଇ କୁତ୍ସିତ ଚିନ୍ତାଧାରା ତା’ ମନରେ ବସାବାନ୍ଧି ଥିବାରୁ ଭୀଷଣ ଅନୁତପ୍ତ ହେଲା, ଦୁଃଖିତ ହେଲା, ଲଜ୍ଜିତ ମଧ୍ୟ ହେଲା ।

 

‘‘ହୋଟେଲ ପାମବିଚ’’ ।

 

ଗୋପାଳପୁର ଉପକୂଳରେ, ବଙ୍ଗେପସାଗରର ତଟଦେଶରେ ଏଇ ହୋଟେର ଅବସ୍ଥିତି ସ୍ୱାସ୍ଥ୍ୟ ପାଇଁ ବିଶେଷ ଅନୁକୂଳ ଯୋଗୁଁ ଅହରହ ଏହି ସ୍ଥାନ ଲୋକ ଗହଳିରେ ପରିପୂର୍ଣ୍ଣ ହୋଇ ଉଠିଥାଏ । ସମସ୍ତେ ଯେ ଜଳବାୟୁ ପରିବର୍ତ୍ତନ ଉଦ୍ଦେଶ୍ୟରେ ଏଠାକୁ ଆସନ୍ତି ତା’ ନୁହେଁ–ଅନେକ ଆସନ୍ତି ଏଠାରେ ରାତ୍ରିଯାପନ କରି, ଜୀବନକୁ ଉପଭୋଗ କରିବା ପାଇଁ ।

 

ଯୌବନ କ୍ଷଣସ୍ଥାୟୀ । ଆଜିର ଯୌବନ ଆସନ୍ତାକାଲିକୁ ମଉଳି ଯାଏ । ଗଡ଼ିଗଲା ପାଣିକୁ ବନ୍ଧଦେଇ ଶତ ପ୍ରତିରୋଧ ସତ୍ୱେ ଯେପରି ଅଟକାଇ ହୁଏନି, ସେମିତି ଯେତେ ଚେଷ୍ଟା କଲେ ମଧ୍ୟ ଯୌବନକୁ ଧରି ରଖି ହୁଏ ନାହିଁ । ମଉଳିଯିବା ଯେମିତି ତା’ର ପ୍ରବୃତ୍ତି । ଦିନରାତି ପରି ଯୌବନ ମଉଳିଯିବା ଏକାନ୍ତ ସତ୍ୟ । ଯୌବନ ଆସିଲାବେଳେ ଯେମିତି କାହାକୁ ଭୃକ୍ଷେପ କରେନାହିଁ, ଯୌବନ ବିଦାୟ ନେଲାବେଳେ ସେମିତି କାହାକୁ ଅପେକ୍ଷା କରେ ନାହିଁ । ତେଣୁ ଅନେକ ତରୁଣ–ତରୁଣୀ ଏଇ ସମୟର ସୁଯୋଗ ନେଇ ଜୀବନକୁ ଛନ୍ଦ–ମଧୁର ଭାବରେ ଉପଭୋଗ କରିବାକୁ ଏଠାକୁ ଆସିଥାଆନ୍ତି ।

 

ସ୍ୱାସ୍ଥ୍ୟ ପରିବର୍ତ୍ତନ ପାଇଁ ନୁହେଁ–କେବଳ ରାତ୍ରିଯାପନ କରିବା ପାଇଁ ହୋଟେଲ ପାମବିଚ୍‌କୁ ଆସିଥିଲେ ସୂର୍ଯ୍ୟକାନ୍ତ ଓ ନର୍ମଦା ।

 

ଦୀର୍ଘଦିନର ବିଚ୍ଛେଦ ପରେ ଦ୍ୱିତୀୟଥର ପାଇଁ ସେମାନେ ଆଜି ମିଳିତ ହୋଇଛନ୍ତି । ନିଜ ନିଜର ଭୁଲ ବୁଝାମଣା ପରେ ପରସ୍ପରକୁ ଦୁହେଁ ଚିହ୍ନି ପାରିଛନ୍ତି । ଭବିଷ୍ୟତ ଜୀବନରେ ଯେପରି ମୋଟେ ବିଭେଦ ସୃଷ୍ଟି ନ ହେବ ସେଥିପାଇଁ ଦୁହେଁ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି । ଜୀବନକୁ ଉପଭୋଗ କରିବା ପାଇଁ, ଦେହର କ୍ଷୁଧା ଚରିତାର୍ଥ କରିବା ପାଇଁ, ମନର ବାସନା ପରିପୂରଣ ପାଇଁ ସେମାନେ ସହରଠାରୁ ବହୁ ଦୂରରେ ଥିବା ଏଇ ନିର୍ଜନ ହୋଟେଲକୁ ଆସିଛନ୍ତି ।

 

ଦିନାନ୍ତର ରକ୍ତରଙ୍ଗର ଅବିରକୁ ଘନନୀଳ ପଣତ ତଳେ ଢାଙ୍କି ସଞ୍ଜ ଅନ୍ଧାର ମାଡ଼ି ଆସୁଥିଲା । ଆକାଶରେ ଅଜସ୍ର ତାରାର ଫସଲ ଖେଳାଇ ଖଣ୍ଡଖଣ୍ଡ ଭସାବାଦଲ ଲୁଚକାଳି ଖେଳୁଥିଲେ ।

 

ସମୁଦ୍ର କୂଳରେ ଥିବା ଚୁନି ଚୁନି ବୋଲି ଉପରେ ଗୋଡ଼ ଲମ୍ବାଇ ବସିଥିଲା ସୂର୍ଯ୍ୟକାନ୍ତ-

 

ନର୍ମଦା ଠିକ୍‌ ଅନୁରୂପ ଭାବେ ବସିଥିଲା । ଦେହରେ ଦେହ ସ୍ପର୍ଶ ହେଉଥିଲା । ସମୁଦ୍ରର ଉତ୍ତାଳ ତରଙ୍ଗମାଳା, ପାଦପାଖକୁ ଆସି ଲେଉଟି ଯାଉଥିଲା । ଲହରୀ ପରେ ଲହରୀ, ଢେଉ ପରେ ଢେଉ । ସେ ଚାହିଁ ରହିଥିଲା ସମୁଦ୍ରର ନୀଳ ଜଳରାଶିକୁ । ଅନାଇଲେ ଆଖି ପାଉନି । ଦିଗନ୍ତ ବିସ୍ତାରିତ ନୀଳସମୁଦ୍ରର ଜଳରାଶି ଅନେକ ଦୂରକୁ ଲମ୍ବିଯାଇଛି । ସମୁଦ୍ର କୂଳଠାରୁ ଅନେକ ଦୂରରେ ପାଲଟଣା ନୌକାରେ ଧୀବରମାନେ ଫେରି–ଆସୁଥିବାର ସେ ଲକ୍ଷ୍ୟ କରୁଥିଲା ।

 

ପ୍ରାକୃତିକ ଦୃଶ୍ୟରାଶିର ଶୋଭା ନିରୀକ୍ଷଣ କରି ଆତ୍ମବିଭୋର ହୋଇ ପଡ଼ିଲା ନର୍ମଦା । ସୂର୍ଯ୍ୟକାନ୍ତ ଇଙ୍ଗିତ ଦ୍ୱାରା ଅନତିଦୂରକୁ ଦୃଷ୍ଟି ନିକ୍ଷେପ କରି ଚାହିଁ ରହିଥିଲା ।

 

ନର୍ମଦା ମଧ୍ୟ ସେଇ ଆଡ଼କୁ ଚାହିଁ ରହିଲା । କୂଳଠାରୁ ସାମାନ୍ୟ ଦୂରରେ ଅନେକଗୁଡ଼ିଏ ଯୁବତୀ–ତରୁଣୀ ଦେହରେ ସାମାନ୍ୟ ପରିଧାନ ବହନ କରି ଲହରୀ ସହିତ ଖେଳ ଖେଳୁଥିଲେ । ସେମାନଙ୍କ ଗହଣରେ ଠିଆ ହୋଇଥିଲା ଏକ ପ୍ରୌଢ଼ ଧୀବର । ଲହଡ଼ି ଭିତରେ ଲୁଚି ଯାଉଥିବା ତରୁଣୀଦଳଙ୍କୁ ଉଦ୍ଧାର କରୁଥିଲା ।

 

ମନେମନେ ହସି ଉଠିଲା ନର୍ମଦା । ଯେଉଁ ତରୁଣୀର ଅଙ୍ଗସ୍ପର୍ଶ କରିବା ପାଇଁ ଏ ଯୁଗର ପୁରୁଷ ପ୍ରଚୁର ଅର୍ଥ ବିନିଯୋଗ କରିପାରେ, ସେହି ତରୁଣୀମାନଙ୍କ ଅଙ୍ଗ ବିନାଦ୍ୱିଧାରେ ସ୍ପର୍ଶ କରୁଛି ସେହି ପୌଢ଼ ଧୀବର ସାମାନ୍ୟ କେତେଟା ଟଙ୍କା ପାରିଶ୍ରମିକ ସେମାନଙ୍କଠାରୁ ଗ୍ରହଣ କରି । ହରୀକୁ ଭୟକରି କେତୋଟି ତରୁଣୀ ଉକ୍ତ ଧୀବରର ବକ୍ଷ ସଲଗ୍ନ ହୋଇ ଯାଉଛନ୍ତି । ନିଜ ଦେହ ପ୍ରତି, ନିଜ ନଗ୍ନ ଯୌବନ ପ୍ରତି ସାମାନ୍ୟ ଦୃଷ୍ଟି ନାହିଁ ସେମାନଙ୍କର । ଅଣ୍ଟାତଳେ ସାମାନ୍ୟ ଖଣ୍ଡେ ବସନ, ଆଉ ବକ୍ଷରେ ଇଲାଷ୍ଟିକ ବଡ଼ିସ୍‌ ମାତ୍ର । ଶହ ଶହ ଦର୍ଶକମାନେ ଏକଲୟରେ, ଏକ ଦୃଷ୍ଟିରେ ଚାହିଁ ରହିଛନ୍ତି । ତଥାପି ସେଥିପ୍ରତି ତାଙ୍କର ଭୃକ୍ଷେପ ନାହିଁ । ଛୋଟପିଲାମାନେ ପାଣିଟବ୍‍ ଭିତରେ ଯେମିତି ଖେଳନ୍ତି ସେମିତି ସେମାନେ ଆଣ୍ଠୁଏ ପାଣିରେ ଠିଆହୋଇ ଖେଳୁଥିଲେ ।

 

ଅଙ୍ଗୁଳି ନିର୍ଦ୍ଦେଶ କରି ସୂର୍ଯ୍ୟକାନ୍ତ ଦେଖାଇଦେଲା ଆଉ ଏକ ଅଭିନବ ଦୃଶ୍ୟ ।

 

ନର୍ମଦା ଦୃଷ୍ଟି ଲେଉଟାଇ ସେମାନଙ୍କୁ ଚାହିଁଲା ।

 

କୁଳଠାରୁ ସାମାନ୍ୟ ଦୂରରେ ରୂପସୀ ତରୁଣୀଟି ତା’ର ପ୍ରେମିକକୁ ନିବିଡ଼ ଆଲିଙ୍ଗନ କରି ଚାପି ଧରିଛି । ଲହରୀ ବାଡ଼େଇ ହେଉଛି ତାଙ୍କ ଦେହରେ । ଦେହରେ ସାମାନ୍ୟ ସୂକ୍ଷ୍ମ ପରିଧାନ । ନିଟୋଳ ଅଙ୍ଗଲତିକାରେ ସେହି ସିକ୍ତ ପରିଧାନ ଅନ୍ତରାଳରୁ ପ୍ରସ୍ଫୁଟିତ ଯୌବନ ପ୍ରଦର୍ଶନ କରି ଦୁହେଁ ପୁଲକିତ ହେଉଥିଲେ । ଦୁହିଁଙ୍କ ଓଠରେ ଖିଲିଖିଲି ହସର ବିସ୍ଫୋରଣ ।

 

ସୂର୍ଯ୍ୟକାନ୍ତ ଉପରେ ଆଉଜିପଡ଼ି ସାମନାରେ ଥିବା ବତୀଘରକୁ ଦୃଷ୍ଟି ନିକ୍ଷେପ କରି ନର୍ମଦା କହିଲା–ଏଥର ଚାଲ ହୋଟେଲକୁ ଫେରିଯିବା ।

 

କ୍ରମସନ୍ଧ୍ୟାର ଆଗମନୀ ଧରି ଅନ୍ଧାର ମାଡ଼ି ଆସୁଥିଲା । ମୁହଁକୁ ମୁହଁ ଦେଖାଯାଉ ନଥିଲା । ବତୀଘରର ଘୂର୍ଣ୍ଣନ ଆଲୋକ ବିଛୁରିତ ଆଲୁଅ ବିକିରଣ ପାରମ୍ପରିକ ରୀତିରେ ଘୁରି ବୁଲୁଥିଲା ।

 

ନର୍ମଦା ଚାହିଁ ରହିଥିଲା ସେଇ ଘୂର୍ଣ୍ଣାୟମାନ ବତୀଘରକୁ ।

 

ହଠାତ୍‌ ସୂର୍ଯ୍ୟକାନ୍ତ ପଚାରିଲା–ଆମ ବିବାହ ପ୍ରସ୍ତାବ କ’ଣ ହେଲା ନର୍ମଦା ? ଆସନ୍ତା ତିଥିରେ ଆମର ବିବାହ ହେବ ତ ??

 

ସୂର୍ଯ୍ୟକାନ୍ତର ବକ୍ଷଦେଶରେ ମୁହଁରଖି ନର୍ମଦା କହିଲା–ମୁଁ ଅପାକୁ ସବୁ ଘଟଣା କହିଦେଇଛି । ମୋର ସବୁକଥା ଶୁଣି ସେ ଖୁସି ହୋଇ ମୋତେ ସ୍ୱୀକୃତି ଦେଇଛି । ମୋର ଗଭୀର ବିଶ୍ୱାସ, ଅପା ସ୍ୱୀକୃତି ଦେଲାପରେ ବାପା ଅପାକଥା ମୋଟେ ଭାଙ୍ଗି ଦେବେନାହିଁ !

 

–ତେବେ ମୁଁ ସମସ୍ତ ଆୟୋଜନ କରିବି ?

 

–ଏଥିରେ ସନ୍ଦେହ କରିବାର କ’ଣ ଅଛି । ଆସନ୍ତା ଫାଲ୍‌ଗୁନ ୧୬ ଦିନ, ଇଂରାଜୀ....

 

ନର୍ମଦାର ମୁହଁକୁ ଚାପିଧରି ତା’ର କମନୀୟ ଅଙ୍ଗଲତା ଉପରେ ଥରେ ଥରେ କର ସଞ୍ଚାଳନ କରିଆଣିଲା ସୂର୍ଯ୍ୟକାନ୍ତ ।

 

ଏକ ନିକାଞ୍ଚନ ବେଳାଭୂମୀ ପ୍ରାନ୍ତରରେ ପୂର୍ଣ୍ଣ ବୟସର ଦୁଇଟି ଯୁବକ–ଯୁବତୀ । ଦୁହିଁଙ୍କର ଭାବନା ଗୋଟାଏ, କିନ୍ତୁ ପ୍ରକାଶ କରିବାକୁ ଦୁହେଁ ଅକ୍ଷମ ।

 

ମଣିଷ ମନର ନିର୍ଜନ ମୁହୂର୍ତ୍ତରେ ଅନେକ କୁଭାବନା ପ୍ରବେଶ କରେ । ଭୁଲ–ଠିକ୍‌ର ବିଚାର ଭୁଲିଯାଏ । ନ୍ୟାୟ–ଅନ୍ୟାୟ, ପାପ–ପୁଣ୍ୟର ଚିନ୍ତାଧାରା ପାଶୋରି ଦିଏ । ନିଜ ଜାଣତରେ ହେଲେ ମଧ୍ୟ ଠିକ୍‌ କରିବାକୁ ପ୍ରତିଜ୍ଞା କରି ଜାଣିଜାଣି ଭୁଲକରେ । ସେଭଳି ଭୁଲଠାରୁ ବଳି ବଡ଼ ଭୁଲ ଆଉ କିଛି ନଥାଏ ।

 

ସେ ଭୁଲର ସଂଶୋଧନ କରିବା ପାଇଁ ସମଗ୍ର ଜୀବନର ଆଖିର ଲୁହ ଯଥେଷ୍ଟ ହୁଏନାହିଁ । ତଥାପି ସେ ଭୁଲର ଯେଉଁ ଦେହଉଲୁସା ଆନନ୍ଦ, ସେଇ ଭୁଲର ଯେଉଁ ମର୍ମାନ୍ତିକ ଯନ୍ତ୍ରଣା, ସେଇ ଭୁଲର ଯେଉଁ ଦୋଷ–ତ୍ରୁଟି ଓ ଅପବାଦ ତାହା ସମଗ୍ର ଜୀବନକାଳ ମଧ୍ୟରେ ଏକ ମାଇଲଖୁଣ୍ଟ ସଦୃଶ ରହି ମଣିଷର ନିଃସଙ୍ଗ ମୁହୂର୍ତ୍ତରେ ଅତୀତକୁ ସ୍ମରଣ କରାଇଦିଏ-। ଅତୀତର ସେଇ ଯନ୍ତ୍ରଣା ଆମୋଦଦାୟକ ନହେଲେ ମଧ୍ୟ ସ୍ମୃତି ବିଜଡ଼ିତ ହୋଇ ରହିଥାଏ-। ସେହି ଗୁରୁଯନ୍ତ୍ରଣାର ଜ୍ୱଳା ଉପଶମ ହୋଇଯାଏ ସତ, କିନ୍ତୁ ସେ ସ୍ମୃତି ଚିରଦିନ ପାଇଁ ମନରେ ବସାବାନ୍ଧି ରହିଥାଏ ।

 

ସେହି ଜ୍ୱଳନ, ସେଇ ଯନ୍ତ୍ରଣାର ନାମ ହିଁ ପ୍ରଣୟ ।

 

ପ୍ରଣୟର ପଦ୍ମ–ପୋଖରୀରେ ଦୁହେଁ ଥରେ ନୁହେଁ–ଅନେକଥର ସନ୍ତରଣ କରିଛନ୍ତି । ଜ୍ୱଳା, ଯନ୍ତ୍ରଣା, ଅପବାଦ, ଅନେକ ପାଇଛନ୍ତି । ତଥାପି ସେ ପ୍ରଣୟକୁ ପାସୋରିପାରି ନାହାନ୍ତି ଦୁହେଁ ।

 

ଆଗାମୀ ତିଥିରେ ସେମାନଙ୍କର ବିବାହ । ଜୀବନର ଅପୂର୍ବ ସ୍ୱାଦ ବହୁ ପୂର୍ବରୁ ଏକାନ୍ତଭାବେ ଆହରଣ କରିଥିଲେ ମଧ୍ୟ ପୁଣି ସେଇ ପ୍ରଣୟ ଜଳରେ ଅବଗାହନ କରିବାକୁ ଦୁହେଁ ବ୍ୟାକୁଳ ।

 

ଅଳସ ଅଙ୍ଗଲତା ତୋଳି ସୂର୍ଯ୍ୟକାନ୍ତର ବକ୍ଷରେ ମିଶିଗଲା ନର୍ମଦା । ଏକ ଆକୁଳ ଆବେଗରେ ନର୍ମଦା ଚାପି ଧରିଲା ସୂର୍ଯ୍ୟକାନ୍ତକୁ । ସେତେ ଯେପରି ତା’ ଅଙ୍ଗସୌଷ୍ଠବରେ ପ୍ରଚୁର ଆଳସ୍ୟ ଭରି ଯାଇଥିଲା ।

 

ନିବିଡ଼ ଅନ୍ଧକାର ମଧ୍ୟରେ କିଛି ଦେଖି ନ ପାରିଲେ ମଧ୍ୟ ସୂର୍ଯ୍ୟକାନ୍ତ ବୁଝିପାରିଲା ନର୍ମଦା ଅନ୍ତରର ଗୋପନ ଭାଷା । କହିଲା–ଚାଲ ନର୍ମଦା, ହୋଟେଲକୁ ଫେରିଯିବା....

 

ପ୍ରକୋଷ୍ଠ ଭିତରେ ପାଦ ରଖି ନର୍ମଦା ଦେଖିଲା ରାତ୍ରିଭୋଜନର ଖାଦ୍ୟ ସାମଗ୍ରୀ ମଧ୍ୟରେ ମୋଗଲାଇ ପରଟା, ମାଂସ କଟଲେଟ୍‌, ମାଛର ଫ୍ରାଇ, ଅଣ୍ଡା ଆମ୍‌ଲେଟ ଇତ୍ୟାଦି ଆଉ କେତେଟା ଜିନିଷ ରହିଛି । ଟେବୁଲର ଗୋଟାଏ କଡ଼କୁ ଦୁଇଟା ବିଅର ବୋତଲ, ଗୋଟାଏ ଦୁଇ ଆଉନ୍‌ସ ରମ୍‌ବୋତଲ ଓ ଦୁଇଟା ଗ୍ଳାସ ମଧ୍ୟ ରହିଛି ।

 

ସୂର୍ଯ୍ୟକାନ୍ତ ବେସିନରେ ହାତ ଧୋଉଥିଲା ।

 

ହାତ ଧୋଇବା ପାଇଁ ଯାଇ ନର୍ମଦା କହିଲା ଏସବୁ କେତେବେଳେ ଅର୍ଡ଼ର ଦେଇଥିଲେ-?

 

ନର୍ମଦାର ଶାଢ଼ୀକାନିରେ ମୁହଁପୋଛି ସୂର୍ଯ୍ୟକାନ୍ତ ଫେରି ଆସିଲା ଟେବୁଲ ପାଖକୁ ।

 

ନର୍ମଦା ଚେୟାରରେ ବସି ପରମ–ଆନନ୍ଦରେ ଖାଇବାକୁ ଉପକ୍ରମ କଲା ।

 

ବାଧାଦେଲା ସୂର୍ଯ୍ୟକାନ୍ତ । ରମ୍‌ ବୋତଲଟିକୁ ନର୍ମଦା ହାତକୁ ବଢ଼ାଇଦେଲା ସେ । କହିଲା–ପାନୀୟ ପରେ ଭୋଜନ । ଆଜିର ଏଇ ରାତ୍ରୀ ଆମ ରହଣୀର ଶେଷରାତ୍ରି । ତେଣୁ ଏଇ ସ୍ଥାନ ପରିତ୍ୟାଗ କରିବା ପୂର୍ବରୁ ପାମ୍‌ବିଚର କିଛି ସ୍ମୃତିଚିହ୍ନ ନେଇଯିବା ଆମେ.....

 

ନର୍ମଦା ହସିଲା । ଗ୍ଳାସରେ ରମ୍‌ ଢାଳି ବିଅର ସମ୍ମିଶ୍ରଣ କରାଇଲା । ତା’ପରେ ଦୁହେଁ ଦୁଇଗ୍ଳାସ ଧରି ‘ଚିଅର୍ସ’ ପରେ ଗ୍ଳାସ ନିଃଶେଷ କରିଦେଲେ । ପୁଣି ଦୁଇ ଗ୍ଳାସରେ ସମ୍ମିଶ୍ରଣର ପାନୀୟ ରଖି ଦୁହେଁ ଖାଇବସିଲେ ।

 

ଖାଇବାରେ ନର୍ମଦାର ମୋଟେ ସଙ୍କୋଚ ନାହିଁ ।

 

ସୂର୍ଯ୍ୟକାନ୍ତ ପୁଣି ଗ୍ଳାସରେ ପାନୀୟ ଢାଳି ନର୍ମଦାର ଓଠ ପାଖରେ ତୋଳି ଧରିଲା ।

 

ନର୍ମଦା ଚାହିଁଲା ସୂର୍ଯ୍ୟକାନ୍ତକୁ । କହିଲା–ମୋର ଆଉ ପ୍ରୟୋଜନ ନାହିଁ । ବାକିତକ ତମେ ଶେଷ କରିଦିଅ ।

 

ପ୍ଳିଜ ! ନର୍ମଦାର ହାତଧରି ଅଳି କରୁଥିଲା ସୂର୍ଯ୍ୟକାନ୍ତ ।

 

ଅନୁରୋଧ ରକ୍ଷା କରି ଏକନିଶ୍ୱାସରେ ଦୁଇଢୋକ ନିଃଶେଷ କରି–ଦେଇ ନର୍ମଦା କହିଲା–ନା, ହେବନି । –ସେ ପୁଣି ଖାଇବାରେ ଲାଗିଲା ।

 

କିଛି ପୁଡ଼ିଂ ମଗାଇବି ? ଖାଇବା ଶେଷରେ ପୁଡ଼ିଂ ପାଟିକୁ ଭାରି ସୁସ୍ୱାଦ ଲାଗେ ।

 

ମୋତେ କିନ୍ତୁ ମାଛ, ମାଂସ, ଅଣ୍ଡା, ଫଳ, ନିରାମିଷ ଖାଦ୍ୟ ଏକତ୍ର ଖାଇବାକୁ ଭଲଲାଗେ ନାହିଁ । ଯଦି ବାଧ୍ୟ କରୁଛ ତେବେ ଆଉ ଗୋଟାଏ ପିସ୍‌ ଚିକେନ....ସତରେ, ଚିକେନ୍‌ ଚମତ୍କାର ସୁସ୍ୱାଦ ହୋଇଛି ।

 

ଆଉ ଗୋଟାଏ ପିସ୍‌ ଚିକେନ୍‌ ପାଇଁ ଅର୍ଡ଼ର ଦେଲା ସୂର୍ଯ୍ୟକାନ୍ତ ।

 

ଖାଇସାରି ମୁହଁ ହାତ ଧୋଇବାକୁ ନର୍ମଦା ଉଠିଗଲା ଟବ୍‌ ପାଖକୁ ।

 

ସେଇଠି ଲିକୁଇଡ଼୍‌ ସୋପ୍‌ ଅଛି । ହାତ ଧୋଇନିଅ ।

 

ସିଗାରେଟ୍‌ରେ ଅଗ୍ନି ସଂଯୋଗ କରି ସୂର୍ଯ୍ୟକାନ୍ତ ଦେଖିଲା–ନର୍ମଦାର ଚକ୍ଷୁ ଦୁଇଟି ଅସମ୍ଭବ ଭାବରେ ଲାଲ ହୋଇଉଠିଛି । ହାତ ଧୋଇସାରି ପାଣିଟବ୍‌ ପାଖରେ ଠିଆହୋଇ ରହିଯାଇଛି ନର୍ମଦା । ଅସ୍ୱାଭାବିକ ପଦପାତ ପକାଇ ଦି’ ପାହୁଣ୍ଡ ଆଗକୁ ଆସୁ ଆସୁ କାନ୍ଥକଡ଼କୁ ଆଉଜି ପଡ଼ିଛି । ପରିଧେୟ ତଳେ ଲୋଟୁଛି । ବକ୍ଷ ଉପରୁ ଆବୃତ ଶାଢ଼ୀ ତଳକୁ ଖସି ପଡ଼ିଛି । ଉନ୍ମୁକ୍ତ ବକ୍ଷଦେଶ, ମୁକୁଳିତ କେଶଗୁଚ୍ଛ......

 

କ୍ଷିପ୍ରଗତିରେ ଆଗେଇ ଯାଇ ନର୍ମଦାର ପେଶଳ ଅବୟବକୁ ଦୁଇ ହାତରେ ତୋଳିଧରିଲା ସୂର୍ଯ୍ୟକାନ୍ତ । ତାକୁ ଆଣି ଖଟ ଉପରେ ଚିତ୍‌କରି ଶୁଆଇଦେଲା । ତା’ର ମସୃଣ ଅଙ୍ଗଅବୟବରେ ଥରେ ହାତ ବୁଲାଇ ଆଣିଲା । ଆଖି, କାନ, ଓଠ ଓ ବକ୍ଷ । ଅସୀମ ଉନ୍ମାଦନାରେ ମନ ନାଚି ଉଠିଲା । ଅବରୁଦ୍ଧ କାମନାର ଗୁପ୍ତଦ୍ୱାର ଉନ୍ମୁକ୍ତ ହେଲା ।

 

ଘନ ତମିସ୍ରାର ନିଝୁମ ନୀଶିଥିନୀ ।

 

ହଠାତ୍‌ ବିଛଣାରୁ ଉଠି ବସିଲା ଫାଲ୍‌ଗୁନୀ । ବାହାରେ ଜମାଟ–ବନ୍ଧା ନିବିଡ଼ ଅନ୍ଧକାର-। ଆଜି କାହିଁକି ରାଜପଥର ଲାଇଟଖୁଣ୍ଟଗୁଡ଼ିକର ବତୀ ଗୁଡ଼ିକ ଅସହଯୋଗ କରିଛନ୍ତି । କୋଠରୀ ଭିତରେ ଗହଳ ଅନ୍ଧକାରର ବହଳ ଆସ୍ତରଣ ।

 

ହଠାତ୍‌ ଏକ ପ୍ରଣୟ–ମଧୁର ସ୍ୱପ୍ନର ବହଳ ନିଦ ଛାଉଁକରି ଭାଙ୍ଗିଗଲା । ଜୀବନକାଳ ମଧ୍ୟରେ ଶ୍ରୀକାନ୍ତକୁ କେନ୍ଦ୍ରକରି ଏଭଳି ସ୍ୱପ୍ନ ଦେଖିବା ଏଇଟା ହେଉଛି ପ୍ରଥମ । ଆଦ୍ୟ ଜୀବନର ପ୍ରଥମ ଲଗ୍ନରେ ଅନେକ ସ୍ୱପ୍ନ ଦେଖିଥିଲେ ମଧ୍ୟ ରାତି ସ୍ୱପ୍ନର ବିଷୟବସ୍ତୁ ସକାଳକୁ ପାସୋରି ହୋଇଯାଏ । କିନ୍ତୁ ଶ୍ରୀକାନ୍ତକୁ କେନ୍ଦ୍ରକରି ଯେଉଁ ସ୍ୱପ୍ନ ଦେଖିଛି, ତାହା କ’ଣ ଜୀବନକାଳ ଭିତରେ କେବେ ପାସୋରି ପାରିବ ?

 

କ’ଣ ହୋଇପାରେ ସେହି ସ୍ୱପ୍ନର ମର୍ମ ?

 

ନିଜ ଭଗାବନାର ପ୍ରତିଫଳନ ଆପଣାର ବ୍ୟକ୍ତି ଉପରେ ପ୍ରତିଫଳିତ ହେଲେ ସ୍ୱପ୍ନ ବାସ୍ତବ ରୂପନିଏ । ସବୁ ସ୍ୱପ୍ନ ସତ ହୁଏନା, ତା’ ଭିତରେ ଅନେକ ସ୍ୱପ୍ନ ଅଛି ଯାହା ବାସ୍ତବରେ ରୂପ ନିଏ ।

 

ତେବେ ଆଜିର ସ୍ୱପ୍ନ କ’ଣ ସତ ହେବ ତା’ ଜୀବନରେ ? ଯଦି ଏହି ସ୍ୱପ୍ନ ସତ ହୁଏ, ତେବେ ତା’ ଠାରୁ ସୁଖୀ କିଏ ଅଛି ଏ ଜଗତରେ ? ନିଃସଙ୍ଗ ନିରୋଳା ମୁହୂର୍ତ୍ତରେ ଶ୍ରୀକାନ୍ତ ପାଇଁ ସେ ଯେତିକି ଶୁଭକାମନା କରୁଛି ଶ୍ରୀକାନ୍ତ କ’ଣ ସେତିକି ଚିନ୍ତା କରୁଛି ତା’ ପାଇଁ । ଅହରହ ବ୍ୟସ୍ତ–ବିବ୍ରତ ହୋଇ ଜୀବନ ପ୍ରତି ସେ ଯେତିକି ଅବହେଳା କରୁଛି, ଅନ୍ୟ କୌଣସି ତରୁଣୀ ପ୍ରତି ତା’ କ’ଣ ସମ୍ଭବ ହୋଇପାରେ ?

 

ଯେଉଁ ଅଳ୍ପ କେତୋଟିଦିନର ନିବିଡ଼ ସଂସ୍ପର୍ଶରେ ସେ ଆସିଛି, ସେତିକିରେ ସେ ଉପଲବ୍‌ଧି କରିଛି ଯେ କୌଣସି ରୂପସୀ–ତରୁଣୀ ପ୍ରତି ଶ୍ରୀକାନ୍ତର କାମନା, ବାସନା କିମ୍ବା ଆସକ୍ତି ନାହିଁ । ତରୁଣୀଙ୍କଠାରୁ ଦୂରେଇ ରହିବା ପାଇଁ ସେ ଯେମିତି ବଦ୍ଧପରିକର ।

 

ରାଜପଥର ବିଜୁଳୀବତୀଗୁଡ଼ିକ ହଠାତ୍‌ ଜଳି ଉଠିଲା । ବିଛଣାରୁ ଉଠିଯାଇ ସେ ସୁଇଚ୍‌ରେ ହାତ ରଖିଲା । ନୀଳାଭ ଦୀପ୍ତି ଆବଦ୍ଧ କୋଠରୀ ଭିତରେ ଭରାପ୍ଳାବନର ଜୁଆର ଖେଳାଇଦେଲା । ସେ ଦେଖିଲା, ନର୍ମଦା ନିଘୋଡ଼ ନିଦରେ ଶୋଇ ଘୁଙ୍ଗୁଡ଼ି ମାରୁଛି । ଆସନ୍ତାକାଲିର ଚିନ୍ତା ତା’ ମନକୁ ମୋଟେ ବ୍ୟସ୍ତ–ବିବ୍ରତ କରୁନାହିଁ । ବେଶ୍‌ ସୁନିଦ୍ରାରେ ସେ ଶୋଇଯାଇଛି ।

 

ଆଉ ସେ ନିଜେ.....

 

ଆଲୁଅ ବନ୍ଦ କରି ସେ ପୁଣି ବିଛଣାରେ ଲୋଟି ପଡ଼ିଲା । ତାକୁ ଜଣାଗଲା, ଶ୍ରୀକାନ୍ତ ଯେମିତି ଏଇ ବିଛଣାରେ ବସି କହୁଛି–ମୋତେ କ୍ଷମାକର ଫାଲ୍‌ଗୁନୀ ! ମୁଁ ଯଦି ତମପ୍ରତି କିଛି ତ୍ରୁଟି କରିଥାଏ ତେବେ ମୋତେ କ୍ଷମା ଦେବ । କିନ୍ତୁ ମୋ ଚରିତ୍ରକୁ କେନ୍ଦ୍ରକରି କୌଣସି କୁତ୍ସା–ରଟନା କଲେ ମୁଁ ସହ୍ୟକରି ପାରିବି ନାହିଁ । ମୁଁ କିଏ, ମୁଁ କ’ଣ, ଏ ଜନସମାଜ ଦିନେ ଜାଣିବାକୁ ଚାହିନି କିମ୍ବା ମୁଁ ମଧ୍ୟ ମୋ ପରିଚୟ କାହାକୁ ଜଣାଇ ଦେଇନାହିଁ । ଅଭିଶପ୍ତ ଜୀବନ ମୋର ! ଜୀବନକାଳ ଭିତରେ ଅଠାଇଶଟି ବସନ୍ତ ବିତାଇ ଦେଇଥିଲେ ମଧ୍ୟ କୌଣସି ଦିନ ମୋ ମୁହଁରେ ହସ ଫୁଟିନି କି କେହି ହସ ଫୁଟାଇବାକୁ ଚେଷ୍ଟା କରିନାହାନ୍ତି । ଦୈନନ୍ଦିନ ଜୀବନର କର୍ମ ପରିସର ମଧ୍ୟରେ ମୋ ଜୀବିକାକୁ ପ୍ରଧାନ ଅବଲମ୍ବନ କରିଛି । କେବଳ ଏଇ ଅଠାଇଶଟି ଫଗୁଣ ମଧ୍ୟରେ ଯେଉଁ କେଇଜଣ ମୋ ମୁହଁରେ କେତୋଟି ମୁହୂର୍ତ୍ତପାଇଁ ହସର ଫୁଲଝରି ଜଳାଇଛନ୍ତି, ପ୍ରତିଦାନରେ ସେମାନେ ଯଥେଷ୍ଟ ଆଘାତ, ଯନ୍ତ୍ରଣା, ଜ୍ୱାଳା ମଧ୍ୟ ଦେଇଛନ୍ତି । ବାରମ୍ବାର ପରାଜିତ ହେବାପରେ ଜୀବନ ପ୍ରତି ଆସିଛି ବୈରାଗ୍ୟ, ବିତୃଷ୍ଣା । ଜୀବନ ସଂଗ୍ରାମର ଘୋଡ଼ା–ଦୌଡ଼ରେ ଯଥେଷ୍ଟ ପଛରେ ରହିଯାଇଛି ମୁଁ । ମୁଁ ଆଜି ରକ୍ତାକ୍ତ, କ୍ଷତ ବିକ୍ଷତ ! ଯୁଗ ସହିତ, ସମାଜ ସହିତ ମୁଁ ସମାନ୍ତର ସରଳରେଖାରେ ଗତି କରି ପାରିଲି ନାହିଁ । ପ୍ରତିଦ୍ୱନ୍ଦ୍ୱିତାରେ ମୁଁ ପରାଜୟ ବରଣ କଲି ।

 

ଏହି ପରାଜୟ ହିଁ ମୋର ଗୌରବ । ଏଇ ପରାଜୟରେ ମୁଁ ଯେଉଁ ସ୍ୱାଦ ପାଉଛି, ମଖମଲି ଶେଯ ଉପରେ ଶୋଇ ସେତିକି ସ୍ୱାଦ ତମେ ପାଇପାରିବ ନାହିଁ । ଜୀବନ ସହିତ ତମେ ସଂଗ୍ରାମ କରିନାହିଁ । ତେଣୁ ତମପାଇଁ ଜୀବନ ସୁରଭିତ ଫୁଲଶଯ୍ୟା କିନ୍ତୁ ମୋ ପାଇଁ ତାହା କଣ୍ଟକମୟ । ମୋତେ ମୋର ଆଦର୍ଶ ପଛରେ ଛାଡ଼ିଦିଅ । ସେଇଥିରେ ମୁଁ ପରମ ଆଉ ଚରମ ତୃପ୍ତି ପାଇବି । ତମର ସୁକୋଳ ଗୋଲାପର ଶେଯ ଉପରେ କେଉଁଠି କଣ୍ଟା ନ ଥିବ ବୋଲି କିଏ କହିପାରିବ ? ମୁଁ ଗୋଲାପର ଶଯ୍ୟା ଚାହେନା, କୁସୁମର ସୌରଭରେ ଆମୋଦିତ, ପୁଲକିତ ହେବାକୁ ଚାହେନା । ମୁଁ ଚାହେ କେବଳ ନିଃସଙ୍ଗଜୀବନ । ସେହି ନିଃସଙ୍ଗ ଜୀବନର ପରିଧି ଭିତରେ କାହାର ହସ୍ତକ୍ଷେପ କିମ୍ବା ଆଗମନକୁ ମୁଁ ଦୃଢ଼ ହସ୍ତରେ ପ୍ରତିରୋଧ କରିବି ।

 

ତେଣୁ ତମେ ଫେରିଯାଅ ଫାଲ୍‌ଗୁନୀ ! ତମ ହୃଦୟର ଆବେଦନ ମୁଁ ବୁଝୁଛି । କିନ୍ତୁ ନିରୂପାୟ ମୁଁ । ଏ ଦୁନିଆରେ ମୋ ହୃଦୟର ବେଦନା କେହି ବୁଝିଲେନି ! ମୁଁ ମଧ୍ୟ ତମର ବେଦନା ବୁଝିପାରିବି ନାହିଁ । ମୁଁ ଗୋଟାଏ ଅଥର୍ବ । ମୋ ଦ୍ୱାରା କିଛି ହୋଇପାରିବ ନାହିଁ । ତମ କାମନା–ବାସନା ପରିପୂରଣ କରିବା ପାଇଁ ମୁଁ ନିତ୍ୟାନ୍ତ ଅଯୋଗ୍ୟ, ଅପାରଗ, ଅସମର୍ଥ । ମୋ ପରି ଏକ ଦୀନ ହୀନ ଯୁବକକୁ ତମର ପରିସର ଭିତରକୁ ଟାଣି ନିଅନାହିଁ । ପ୍ଳିଜ.... ତମର ହାତ ଧରୁଛି.....

 

ଫାଲ୍‌ଗୁନୀ ହାତ ଟାଣିଆଣିଲା । ସତେ ଯେମିତି ତା’ ହାତକୁ ଏତେ ବି ଶ୍ରୀକାନ୍ତ ଧରି ଅନୁମୟ ବିନୟ କରୁଛି ।

 

ଫାଲଗୁନୀ ବିଛଣାରୁ ପୁଣି ଉଠିପଡ଼ିଲା । ଆଃ, ଏଭଳି ସ୍ୱପ୍ନ ସେ କାହିଁକି ଦେଖୁଛି ? ଶ୍ରୀକାନ୍ତ ପ୍ରତି ତା’ର ଯଥେଷ୍ଟ ମମତା ଅଛି, ସହାନୁଭୂତି, ସମବେଦନା ଅଛି । ଶ୍ରୀକାନ୍ତକୁ କେନ୍ଦ୍ରକରି ସେ ଅନେକ ପରିକଳ୍ପନା କରିଛି । ଭବିଷ୍ୟତର ରଙ୍ଗୀନ ସୁଖସ୍ୱପ୍ନ କଳ୍ପନା କରି ଆତ୍ମବିଭୋର ହୋଇଛି । କିନ୍ତୁ ଶ୍ରୀକାନ୍ତ ପାଖରେ ସେ କେବେ ପ୍ରଣୟଭିକ୍ଷା କରିନାହିଁ । ମଣିଷର ଦୁର୍ବଳ ମୁହୂର୍ତ୍ତରେ ଯଦି କେତେବେଳେ ତା’ ପ୍ରତି ଆସକ୍ତି ଆସିଛି–ଏଭଳି ଭୁଲ ନକରିବା ପାଇଁ ଶ୍ରୀକାନ୍ତ ଉପଦେଶ ଦେଇଛି । ସଂଯମର ବାଲିବନ୍ଧ ଭୁଷୁଡ଼ି ପଡ଼ିବ ବୋଲି ପୂର୍ବରୁ ସତର୍କ କରାଇ ଦେଇଛି । ଜୀବନ ସ୍ଖଳନ ବିଷୟରେ ଅନେକ ବୁଝାଇଛି । ତଥାପି ଦୁର୍ବଳ ମୁହୂର୍ତ୍ତରେ ଶ୍ରୀକାନ୍ତ ପ୍ରତି ତା’ର କୁମାରୀ ମନଟା କାହିଁକି ବାହୁନି ଉଠେ ।

 

ଫାଲ୍‌ଗୁନୀ ଝରକା ଖୋଲି ବାହାରକୁ ଚାହିଁଲା ।

 

ଜମାଟବନ୍ଧା ନିବିଡ଼ରାତ୍ରି ଅପସରି ଯାଇଛି । ପ୍ରଭାତର ପ୍ରଥମ କିରଣ ଧୁଳୀମାଟିର ଧରଣୀ ଉପରେ ବିଛାଡ଼ି ହୋଇପଡ଼ିଛି । ଝରକା ବନ୍ଦକରି ଫେରିଆସିଲା ଫାଲଗୁନୀ । ଦିବସର କାର୍ଯ୍ୟପନ୍ଥା ନିଶ୍ଚୟ କରି ନିଜର ନିତ୍ୟକର୍ମ ସମାପନ ପାଇଁ ଦରଜା ଖୋଲି ବାହାରକୁ ଆସିଲା ।

 

ଦରଜାରେ ଠକଠକ ଆବାଜ ହେଲା ।

 

କିଛିସମୟ ପରେ ଦରଜା ଉନ୍ମୁକ୍ତ ହେଲା । ଶ୍ରୀକାନ୍ତ କହିଲା–ଆରେ ଫାଲ୍‌ଗୁନୀ ଯେ ! ଏମିତି ଅସମୟରେ.....

 

ଫାଲ୍‌ଗୁନୀ ପାଇଁ ସମୟ ଆଉ ଅସମୟ କିଛି ନାହିଁ । ବିଶେଷତଃ ଆପଣଙ୍କ ପାଖରେ ! ମାଆ କାହାନ୍ତି ??

 

ଶ୍ରୀକାନ୍ତ ହସିଲା । ଆତ୍ମୀୟତା ବଢ଼ାଇବା ଉଦ୍ଦେଶ୍ୟରେ କହିଲା–କାମଟା କାହା ପାଖରେ ? ମୋ ପାଖରେ ନା ମାଆଙ୍କ ପାଖରେ ?

 

ଆପଣଙ୍କ ପାଖରେ ମୋର କେବେ କିଛି କାର୍ଯ୍ୟ ନଥିଲା ଓ ଏବେ ବି କିଛି ନାହିଁ । ମୁଁ ଆସିଥିଲି ମାଆଙ୍କ ପାଖକୁ.....

 

–ତମେ ମିଛ କହୁଛ ଫାଲ୍‌ଗୁନୀ ! ଗତକାଲି ରାତିରେ ମୁଁ ଗୋଟାଏ ଅଦ୍ଭୁତ ସ୍ୱପ୍ନ ଦେଖି ଅନୁମାନ କରିନେଇଥିଲି ଯେ ତୁମେ ଆଜି ମଧ୍ୟାହ୍ନରେ ନିଶ୍ଚୟ ଆସିବ, ଆଉ ମୋ କଥା ମଧ୍ୟ ସତ ହୋଇଛି ।

 

ସ୍ୱପ୍ନ ! ଚମକି ପଡ଼ିବା ସ୍ୱରରେ କହିଉଠିଲା ଫାଲ୍‌ଗୁନୀ ।

 

ହଁ ସ୍ୱପ୍ନ ! ଆରେ ! ତମେ ସେତିକିବେଳୁ ଆସି ଏ ଦାଣ୍ଡ–ଘରଟାରେ ଠିଆ ହୋଇଛ ଯେ ! ଆସ, ଆସ, ଭିତରକୁ ଆସ !

 

ଦରଜାରେ ଶିକୁଳୀ ଦେଇ ଫେରିଆସିଲା ଶ୍ରୀକାନ୍ତ ।

 

ଶ୍ରୀକାନ୍ତର ପଛେ ପଛେ ଚାଲିଲା ଫାଲଗୁନୀ ।

 

ଶ୍ରୀକାନ୍ତର ଶୟନ କକ୍ଷ । ଚେୟାରରେ ବସିବାକୁ ଇଙ୍ଗିତ ଦେଇ ପଚାରିଲା–ହଠାତ୍‌ ତମେ ଏ ମଧ୍ୟାହ୍ନରେ ଆସିବାର କାରଣ କ’ଣ ଜାଣିପାରେ କି ?

 

ଫାଙ୍କା ଚେୟାରଟା ଉପରେ ବସିପଡ଼ି ଫାଲ୍‌ଗୁନୀ କହିଲା–କାଲି ରାତିରେ କେଉଁ ସ୍ୱପ୍ନ ଦେଖିଥିଲେ ? ଆପଣ କେମିତି ଜାଣିପାରିଲେ ଯେ ଆଜି ମଧ୍ୟାହ୍ନରେ ମୁଁ ନିଶ୍ଚୟ ଆସିବି ବୋଲି ।

 

ଶ୍ରୀକାନ୍ତ ନିଜର ତ୍ରୁଟି ଉପଲବ୍‌ଧି କରିପାରିଲା ! କଥାବାର୍ତ୍ତା ମଧ୍ୟରେ ଗତକାଲି ରାତିର ସ୍ୱପ୍ନ ବିଷୟ ପ୍ରକାଶ କରିଦେଇଥିବାରୁ ମନେ–ମନେ ଦୁଃଖିତ ହେଲା । ଅନୁତାପ କଲା ।

 

କୁହନ୍ତୁ ଶ୍ରୀକାନ୍ତବାବୁ ! ନୀରବ ରହିଲେ ଯେ ?

 

କ’ଣ ଉତ୍ତର ଦେବ ଶ୍ରୀକାନ୍ତ ! କହିବା କଥା ହୋଇଥିଲେ ନିଃସଙ୍କୋଚରେ ପ୍ରକାଶ କରିଦିଅନ୍ତା । କିନ୍ତୁ ଯେଉଁ କଥା ତୁଣ୍ଡଖୋଲି ପ୍ରକାଶ କରିପାରିବନି ସେ ଗୋପନ କଥାକୁ କିମିତି ମୁକାଳିଦେବ ଜଣେ ତରୁଣୀ ନିକଟରେ ?

 

ଅବରୁଦ୍ଧ ଭାବନାକୁ ମନ ମଧ୍ୟରେ ଚାପି ଧରିଲା । କହିବାକୁ ଅନେକକଥା ଅଛି । କିନ୍ତୁ ପଦଟିଏ ମଧ୍ୟ ପ୍ରକାଶ କରିପାରୁନି । ସଙ୍କୋଚ–ବୋଧ ତାକୁ ବ୍ୟସ୍ତ ବିବ୍ରତ କରୁଛି ।

 

ଫାଲ୍‌ଗୁନୀ ନୀରବରେ ବସିଥିଲା ।

 

ଫାଲ୍‌ଗୁନୀର ରୂପର ରୋଷଣୀକୁ ଲକ୍ଷ୍ୟ କରୁଥିଲା ଶ୍ରୀକାନ୍ତ । ଫାଲ୍‌ଗୁନୀର ମଧୁର ଛନ୍ଦପାତରେ ବନମୃଗୀର ଚପଳତା, ଶାଣିତ ବକ୍ର ଚାହାଣୀରେ ଆଲୌକିକ ସୁଷମା, କଟୀଦେଶ ଆଉ ବକ୍ଷୋଜରେ ସୀମାହୀନ ସୌନ୍ଦର୍ଯ୍ୟର ଅପରୂପ ଶ୍ରୀ ସମ୍ଭାର, ଆଉ ତା’ର ହସରେ ଭରା ପ୍ଳାବନର ଜୁଆର । ଏଇଭଳି ଏକ ତରୁଣୀକୁ କ’ଣ ଉତ୍ତର ଦେବ ସେ ?

 

ଦୁହେଁ ଦୁହିଁଙ୍କର ଅବ୍ୟକ୍ତ ବେଦନା ପ୍ରକାଶ ନ କରି ମର୍ମାନ୍ତିକ ଜ୍ୱାଳା ଓ ଯନ୍ତ୍ରଣା ଅନୁଭବ କରୁଥିଲେ ମଧ୍ୟ ତୁଣ୍ଡଖୋଲି ପ୍ରକାଶ କରିବାକୁ ଦୁହେଁ ଯେମିତି ପ୍ରତିଜ୍ଞାବଦ୍ଧ ।

 

ତେବେ ଏହାର ପରିସମାପ୍ତି କ’ଣ ନାହିଁ ?

 

ଦୁହେଁ ଅନେକ ସମୟ ନୀରବ ରହିବା ପରେ ପ୍ରଥମେ ଫାଲ୍‌ଗୁନୀ ତୁଣ୍ଡ ଖୋଲିଲା । ମୁଁ ଆସିଥିଲି....

 

କୁହ ଫାଲ୍‌ଗୁନୀ ? କ’ଣ କହିବାକୁ ଚାହଁ ପରିଷ୍କାର ଭାବେ ପ୍ରକାଶ କର ।

 

ମୋ ପ୍ରଶ୍ନର ସଠିକ ଉତ୍ତର ଦେବେ ତ ?

 

ପ୍ରଶ୍ନ ନ ପଚାରି ସଠିକ ଉତ୍ତର ପାଇବାକୁ କାହିଁକି ଦାବି କରି ବସୁଛ ? ଅବଶ୍ୟ ଏତିକି ଭରସା ଓ ବିଶ୍ୱାସ ରଖ ଫାଲ୍‌ଗୁନୀ, ତମର ସମସ୍ତ ପ୍ରଶ୍ନର ଉତ୍ତର ନିର୍ଭୁଲଭାବେ ଦେବାପାଇଁ ମୁଁ ଯଥାସାଧ୍ୟ ଚେଷ୍ଟା କରିବି । ଏତେ ଟିକିଏ ମଧ୍ୟ ତମ ପାଖରେ ଗୋପନ ରଖିବି ନାହିଁ । ଗୋପନ ମଧ୍ୟ କାହିଁକି ରଖିବି ? ତମେ ଯେତେବେଳେ ମୋ ଜୀବନର ସମସ୍ତ ବୃତ୍ତାନ୍ତ ଜାଣିସାରିଛ ଅବଶିଷ୍ଟାଂଶ ତମକୁ ନ ଜଣାଇଲେ ମୁଁ ଅପରାଧୀ ହୋଇଯିବି । ? ..... ଶ୍ରୀକାନ୍ତର କଣ୍ଠସ୍ୱର କ୍ରମଶଃ କ୍ଷୀଣ ହୋଇ ଆସୁଥିଲା । ପରାଜୟର ଗ୍ଳାନୀରେ ତା’ ମୁଖମଣ୍ଡଳ ଯେମିତି ମଳିନ, ବିଷର୍ଣ୍ଣ ହୋଇ ଆସୁଥିଲା ।

 

ଶ୍ରୀକାନ୍ତର ହସ୍ତ ଧରିପକାଇ ଫାଲଗୁନୀ କହିଲା–କାଲି ରାତିର ସ୍ୱପ୍ନ କଥା କହିବେ ନାହିଁ ? ଅନୁରୋଧ କଣ୍ଠରେ ଉତ୍ତର ଶୁଣିବାକୁ ଅଳି କରୁଥିଲା ଫାଲ୍‌ଗୁନୀ ।

 

ଶୁଷ୍କ ଓଠରେ ହସ ଫୁଟାଇ ଶ୍ରୀକାନ୍ତ ଉତ୍ତର ଦେଇଥିଲା–ମଣିଷ ନିଜ ଜୀବନକାଳ ମଧ୍ୟରେ ଅନେକ ସ୍ୱପ୍ନ ଦେଖେ । କିନ୍ତୁ ଜୀବନରେ ସେମିତି ସତ ହୁଏ ? ଅନେକ ମଧ୍ୟ ମିଛ ହୋଇଯାଏ । ମଣିଷ ଜୀବନରେ ସେମିତି ଅନେକକଥା ଅଛି ଯାହା ସମସ୍ତଙ୍କ ନିକଟରେ ପ୍ରକାଶ କରାଯାଇ ପାରେନା; ସେହି ନିଷିଦ୍ଧ ବିଷୟ ପ୍ରକାଶ କରିଦେଲେ ଯେମିତି ପାପ ହୋଇଯିବ । ତେଣୁ ମୋତେ କ୍ଷମା କରିବ ଫାଲ୍‌ଗୁନୀ । ତମେ ମୋତେ ଅନ୍ୟ ପ୍ରଶ୍ନ ପଚାରିପାର ।

 

ଚଟ୍‌ କରି ଫାଲ୍‌ଗୁନୀ ଦ୍ୱିତୀୟ ପ୍ରଶ୍ନ ପଚାରି ବସିଲା । କହିଲା–ଆପଣ ଧନୀଲୋକମାନଙ୍କୁ କାହିଁକି ଘୃଣା କରନ୍ତି ? ବିଶେଷତଃ ଆଧୁନିକ ଧନୀକନ୍ୟାମାନଙ୍କୁ ଆପଣ କାହିଁକି ହୀନ, ନୀଚ, ହେୟ ଦୃଷ୍ଟିରେ ଦେଖନ୍ତି ? କୌଣସି ରୂପସୀର ରୂପଯୌବନ ଆପଣଙ୍କ ତନୁ–ମନକୁ ଏପର୍ଯ୍ୟନ୍ତ ଆଲୋଡ଼ିତ କରିପାରିନି ନା ଆପଣ ଜାଣିକରି ଅବୁଝା ହେଉଛନ୍ତି ? କୁହନ୍ତୁ, ନୀରବ ରହିଲେ ଯେ......

 

ଭାବବିହ୍ୱୋଳ ହୋଇ ଶ୍ରୀକାନ୍ତର ହାତ ଦୁଇଟିକୁ ଜାବୁଡ଼ି ଧରିଛି ଫାଲ୍‌ଗୁନୀ । ସମସ୍ତ ଲଜ୍ଜା ସଙ୍କୋଚ ଯେମିତି ପାସୋରି ଯାଇଛି । ପୁରୁଷ ନାରୀର ବ୍ୟବଧାନ ଯେମିତି ଭୁଲିଯାଇଛି । ବୟସର କ୍ଷୁଧା, ତୃଷ୍ଣା ପିପାସା ଯେମିତି ନିବିଡ଼ ହୋଇ ଆସୁଛି ।

 

ଛେପ ଢୋକି ଶ୍ରୀକାନ୍ତ କହିଲା–ଏକ ସଙ୍ଗରେ ତମର ଏତେଗୁଡ଼ାଏ ପ୍ରଶ୍ନର ଉତ୍ତର ଦେବା ନିଶ୍ଚୟ କଷ୍ଟସାଧ୍ୟ । ତଥାପି ମୁଁ ଯେତେବେଳେ ଶପଥ କରିଛି, ନିଶ୍ଚୟ ସବୁକଥା ମୁଁ ପ୍ରକାଶ କରିବି ।

 

କୁହନ୍ତୁ ? ଫାଲ୍‌ଗୁନୀର ଉତ୍କଣ୍ଠା ଶୀର୍ଷସୀମାରେ ପାଦ ଦେଇଥିଲା ।

 

ଶ୍ରୀକାନ୍ତ ଧୀର ସ୍ୱରରେ କହିଲା–ତମ ଦୀର୍ଘ ପ୍ରଶ୍ନର ସଂକ୍ଷିପ୍ତ ଉତ୍ତର ଦେବାକୁ ଯାଇ ମୁଁ ଏତିକି କହିବି ଯେ, ତମେ ‘‘କାହାଣୀ ନୁହେଁ’’ ଉପନ୍ୟାସ ପଢ଼ିସାରିବା ପରେ ଏ ପ୍ରଶ୍ନ ପଚାରିବାକୁ କାହିଁକି ଆଶାୟୀ ହୋଇଉଠିଲ ? ‘‘କାହାଣୀ ନୁହେଁ’’ ର ପ୍ରଧାନ ଚରିତ୍ର ‘ସଂଗ୍ରାମ’ ହେଉଛି ମୁଁ ନିଜେ-। ନିଜ ଚରିତ୍ରକୁ ନିଷ୍କଳଙ୍କ ରଖିବାକୁ, ନିଜକୁ ନିରାପରାଧ ରଖିବା ପାଇଁ ସେମାନେ ଯେଉଁ ବହୁମୁଖୀ ଅଭିନୟ କରିପାରନ୍ତି ସେଥିରେ ସବୁ ଭୁଲିଯାଇ ହୁଏ । ସଂଗ୍ରାମ ସେଠାରେ ଯେଭଳି ଭାବେ ପରାସ୍ତ ହୋଇଛି, ସେଇ ପରାଜୟ ତା’ ଜୀବନରେ ଆଣିଦେଇଛି ନୂତନ ଉଦ୍ଦୀପନା–ଅପୂର୍ବ ଉତ୍ସାହ-। ଜୀବନ ଗଢ଼ିବାର ନୂତନ ପ୍ରେରଣା ।

 

ଶ୍ରୀକାନ୍ତର ସାମନାପଟକୁ ଆସି ତା’ର ସନ୍ନିକଟସ୍ଥ ହୋଇ ଫାଲ୍‌ଗୁନୀ କହିଲା–ଆପଣ ହେଉଛନ୍ତି ତେବେ ଔପନ୍ୟାସିକ ‘‘ଶ୍ରୀ’’ । କାହିଁକି ଆପଣ ଆଜି ପର୍ଯ୍ୟନ୍ତ ନିଜକୁ ଲୁକ୍‌କାୟିତ ରଖିଛନ୍ତି ? ଛଦ୍ମନାମରେ କାହିଁକି ଆପଣ ଉପନ୍ୟାସ ଲେଖୁଛନ୍ତି ?? ଆପଣ କାହିଁକି ଔପନ୍ୟାସିକ ଭାବରେ ସମାଜରେ ପରିଚିତ ହେବାକୁ ଚାହାନ୍ତି ନାହିଁ ???

 

–ଧନ, ସମ୍ମାନ, ଐଶ୍ୱର୍ଯ୍ୟ ମୁଁ ଚାହେଁନା ଫାଲ୍‌ଗୁନୀ । ଜୀବନଟା ବିପର୍ଯ୍ୟସ୍ତ ହୋଇଯିବା ପରେ ସଂସାର ପ୍ରତି, ସମାଜ ପ୍ରତି ବିଶେଷତଃ ରୂପସୀ–ତରୁଣୀମାନଙ୍କ ପ୍ରତି ମୋର କାହିଁକି ବିତୃଷ୍ଣାଭାବ ଆସି ଯାଇଛି । ଶତଚେଷ୍ଟା କରିମଧ୍ୟ ମୁଁ କାହିଁକି ସେ ଧାରଣା ବଦଳାଇ ପାରୁନାହିଁ । ତେଣୁ ଏଇ ପରାଜିତ ଜୀବନ ମୋ ପାଇଁ ସହସ୍ରଗୁଣେ ଶ୍ରେୟସ୍କର ।

 

ଶ୍ରୀକାନ୍ତ ଅନୁଭବ କରୁଥିଲା, ଫାଲ୍‌ଗୁନୀ ତା’ ବକ୍ଷସଲଗ୍ନ ହୋଇ ଠିଆହୋଇଛି । ହାତ ଦୁଇଟି ତା’ର ପିଠିପଟରେ ଗୁଡ଼ାଇ ଧରିଛି । ଏଇ ବନ୍ଧନୀ ଭିତରୁ ମୁକ୍ତି ପାଇବା ପାଇଁ ଚେଷ୍ଟାକରି ଶ୍ରୀକାନ୍ତ ବିଫଳ ହେଲା ।

 

ମୁହଁ ଟେକି ଫାଲ୍‌ଗୁନୀ ଚାହିଁଲା ଶ୍ରୀକାନ୍ତକୁ । ହଠାତ୍‌ ଦୁଇ ଚକ୍ଷୁ ମିଳିତ ହୋଇଯିବା ପରେ ଫାଲ୍‌ଗୁନୀର ବନ୍ଧନ କୋହଳ ହୋଇ ଉଠିଲା । ସାମାନ୍ୟ ଦୂରେଇ ଯାଇ ତଳକୁ ମୁହଁପୋତି ଠିଆହେଲା ସେ ।

 

ହଳଦୀରଙ୍ଗ ଶାଢ଼ୀର ଆବରଣ ଅନ୍ତରାଳରେ ତନୁଶ୍ରୀ ତା’ର ଫୁଟିଉଠିଛି ଅତି ଚମତ୍କାର ଭାବରେ । ଆଖିରେ ଉଜ୍ଜ୍ୱଳ, କପାଳରେ କୁଙ୍କୁମ । ତରଙ୍ଗାୟିତ ଦୀର୍ଘବେଣୀ ଲମ୍ବି ଯାଇଛି ନିତମ୍ବପର୍ଯ୍ୟନ୍ତ । ଗଳାରେ ଆଧୁନିକୀଯୁଗର ସୁନାହାର । ହାରର ପଦକଟା ବକ୍ଷୋଜର ଠିକ୍ ମଧ୍ୟସ୍ଥଳରେ ରହି ତା’ ରୂପର ଶୋଭାକୁ ଦ୍ୱିଗୁଣିତ କରୁଥିଲା । ଆକର୍ଷଣୀୟ ବେଶ ମନଲୋଭା ଥିଲା ତା’ର ରୂପଯୌବନ, ଏକ ଭୁରୁଭୁରୁ ଗନ୍ଧରେ କୋଠରୀର ବାୟୁମଣ୍ଡଳ ସୁରଭିତ ହୋଇ ଉଠିଥିଲା ।

 

ଶ୍ରୀକାନ୍ତ ଦେଖିଲା, ଫାଲ୍‌ଗୁନୀ ସେମିତି ନୀରବରେ ଠିଆ ହୋଇଛି ।

 

ଫାଲଗୁନୀ ପାଖକୁ ଆଗେଇଯାଇ ତା’ର ହାତଧରି ଟାଣି ଆଣିଲା । ପଲଙ୍କ ଉପରେ ବସାଇଦେଇ ଶ୍ରୀକାନ୍ତ କହିଲା–ଏତେ କ’ଣ ଭାବୁଛ ? ଜୀବନର ସମସ୍ତ ଗୋପନ ବୃତ୍ତାନ୍ତ କେବଳ ତମରି ପାଖରେ ପ୍ରକାଶ କରିଦେଇଛି । ଅନେକଦିନ ପୂର୍ବରୁ ସୂପୂର୍ଣ୍ଣ ପରିଚୟ ମଧ୍ୟ ତମେ ପାଇସାରିଛ ମୋ ଟେବୁଲ ଡ୍ର’ରେ ଥିବା ଖାତା ଭିତରୁ । କିନ୍ତୁ ପ୍ରତିଦାନରେ ମକୁଁ ଚାହେଁ.....

 

ଅଟକିଗଲା ଶ୍ରୀକାନ୍ତ । ଯେଉଁ ବିଶ୍ୱାସ, ଦମ୍ଭ ସାହସରେ ସେ କହିବାକୁ ଯାଉଥିଲା, ହଠାତ୍‌ ତାହା ବରଫ ସ୍ରୋତ ପରି ମିଳାଇଗଲା । ସତେ ଯେପରି କିଏ ତା’ର କଣ୍ଠରୋଧ କରି ଦେଲା ।

 

ଫାଲ୍‌ଗୁନୀ ଖଟ ଉପରୁ ଉଠିଆସିଲା । ଶ୍ରୀକାନ୍ତର ସାମନାକୁ ଆସି ତା’ର ହାତ ଧରିପକାଇ କହିଲା–କୁହନ୍ତୁ, ଅଟକିଗଲେ କାହିଁକି ? ଆପଣ ଯେତେବେଳେ ଦୀର୍ଘଦିନର ଆକାଂକ୍ଷା ମୋର ପୂରଣ କରିଛନ୍ତି ତା’ ବିନିମୟରେ ମୁଁ ଆଜି ଆପଣଙ୍କ ପ୍ରତିଦାନର ମାନ ନିଶ୍ଚୟ ଦେବି । ତାହା ଯେତେ ଦୁର୍ଗମ, କଣ୍ଟକମୟ ହେଉନା କାହିଁକି ମୁଁ ନିଶ୍ଚୟ ପ୍ରତିଦାନ ଦେବାପାଇଁ କୁଣ୍ଠିତା ହେବିନାହିଁ....ଶ୍ରୀକାନ୍ତର ଦୁଇ ବାହୁକୁ ତୋଳି–ଧରି ତା’ ବକ୍ଷ ଉପରକୁ ଆଉଜିପଡ଼ି ଅଳି କଲାଭଳି ଅନୁରୋଧ କଣ୍ଠରେ କହୁଥିଲା ଫାଲ୍‌ଗୁନୀ ।

 

ତଥାପି ଶ୍ରୀକାନ୍ତ ନୀରବ, ନିଶ୍ଚଳ, ଅଟଳ ।

 

ମୃଦୁହସି ଫାଲ୍‌ଗୁନୀ କହିଲା–ଏବେ ମୁଁ ହୃଦୟଙ୍ଗମ କରୁଛି ଯେ ଆପଣଙ୍କ ପ୍ରତିଦାନର ଅର୍ଥ କ’ଣ ହୋଇପାରେ । ମୁଁ ଆପଣଙ୍କର ମନୋଭାବ ବୁଝିପାରୁଛି । ଆପଣଙ୍କ ବେଦନା ଅନୁଭବ କରିପାରୁଛି । ଯେଉଁକଥା କହିବାକୁ ଆପଣ ସାହସ କରିପାରୁ ନାହାନ୍ତି ତାହା ମଧ୍ୟ ମୁଁ ହୃଦୟଙ୍ଗମ କରି ପାରୁଛି । ତଥାପି ଜଣେ କୁମାରୀକନ୍ୟା ହୋଇ ଆପଣଙ୍କ ଅନ୍ତର୍ବେଦନା ମୁଁ ପ୍ରକାଶକରି ପାରୁନାହିଁ କି ପାରିବି ନାହିଁ । ମୋଟ ଉପରେ କହିବାକୁ ଗଲେ ଆମ ଦୁହିଁଙ୍କର କାମନା, ବାସନା, ଭାବନା, ଚିନ୍ତାଧାରା ସମାନ । ଲକ୍ଷ୍ୟସ୍ଥଳ ଗୋଟିଏ....

 

ଫାଲ୍‌ଗୁନୀ ଆଉ କିଛି କହିପାରିଲା ନାହିଁ । ସମ୍ଭ୍ରମତାର ଆତିଶଯ୍ୟାରେ ଶ୍ରୀକାନ୍ତର ବକ୍ଷ ଉପରେ ମୁହଁ ଲୁଚାଇଲା ।

 

ଫାଲ୍‌ଗୁନୀର ପିଠି ଉପରେ ହସ୍ତ ସଞ୍ଚାଳନ କରୁକରୁ ଶ୍ରୀକାନ୍ତ କହିଲା–କାଚଘରର ଗୋଟିଏ ପଟରେ ତମେ–ଅନ୍ୟପଟରେ ମୁଁ । ଦୁହେଁ ଦୁହିଁଙ୍କି ଦେଖୁଛୁ,...କିନ୍ତୁ ସ୍ପର୍ଶକରି ପାରୁନାହୁଁ । ଆମ ଭିତରେ ଯେମିତି ବିରାଟ ବ୍ୟବଧାନ ରହିଯାଇଛି । ପରସ୍ପରର ମନକଥା, ହୃଦୟର ବେଦନା ଅନୁଭବ କରୁଛୁ କିନ୍ତୁ ତୁଣ୍ଡଖୋଲି ପ୍ରକାଶ କରିବାପାଇଁ ଆମେ ଅକ୍ଷମ । କାଚକାନ୍ଥର ମଧ୍ୟରେ ରହି କେତେଦିନ ଆମେ କେବଳ ପରସ୍ପରକୁ ଦେଖୁଥିବା ?? ସେହି ବ୍ୟବଧାନ, ସେଇ କାଚକାନ୍ଥର ପ୍ରାଚୀରକୁ ଆମେ କ’ଣ ଛିନ୍ନ କରିପାରିବା ନାହିଁ ??

 

ନିବିଡ଼ ଆଲିଙ୍ଗନ ମଧ୍ୟରେ ଶ୍ରୀକାନ୍ତକୁ ଜାବୁଡ଼ି ଧରିଲା ଫାଲ୍‌ଗୁନୀ....

 

ସନ୍ଧ୍ୟା ଅତିକ୍ରାନ୍ତ କରିଯାଇଥିଲା ଅନେକ ବେଳୁ । କୋଠରୀ ଭିତରେ ନିରନ୍ଧ୍ର ଅନ୍ଧକାରର ବହଳ ଆସ୍ତରଣ । ତଥାପି ବିଛିନ୍ନ ହୋଇପାରୁ ନ ଥିଲେ ସେମାନେ । ଜୀବନର ପ୍ରଥମ ଥର ପାଇଁ ଦୁହେଁ ଦୁହିଁଙ୍କର ନିବିଡ଼ ସ୍ପର୍ଶ ପାଇଛନ୍ତି–ସାନିଧ୍ୟ ପାଇଛନ୍ତି.....

 

ଅନାସ୍ୱାଦିତ ଏକ ମଧୁର ଚିତ୍କାରରେ ଶିହରୀ ଉଠିଲା ଉଭୟଙ୍କ ଅଙ୍ଗଅବୟବ । .....ଅନେକ ଦିନର ଆକାଂକ୍ଷିତ ଶରୀର ଦୁଇଟି ଏକ ହୋଇ ଯାଇଥିଲା ସେଇ ନିବିଡ଼ ଅନ୍ଧକାର ମଧ୍ୟରେ ।

 

ବାହାରେ ଚତୁର୍ଥୀର ଜହ୍ନ ଧରିତ୍ରୀ ଉପରେ ସ୍ୱପ୍ନର ଇନ୍ଦ୍ରଧନୁ ସୃଷ୍ଟି କରୁଥିଲା ।

Image